Nityananda Nandi

Classics

3  

Nityananda Nandi

Classics

ରାଜଧାନୀ ଏକ୍ସପ୍ରେସ

ରାଜଧାନୀ ଏକ୍ସପ୍ରେସ

6 mins
225



କୁହୁକ ଥାଏ ସେଇ ଶବ୍ଦରେ, ଆକର୍ଷଣ ବି ଥାଏ। ମଝିରେ ମଝିରେ ହଠାତ୍ ଶବ୍ଦର ଆଭାସ ପାଇଲେ, ସମସ୍ତେ ଅନେଇ ରହନ୍ତି ମାଇକ ଆଡ଼କୁ....

ନିସ୍ତବ୍ଧତା ଖେଳି ଯାଏ ଷ୍ଟେସନ ପ୍ଳାଟଫର୍ମ ଉପରେ। ଭାସି ଆସେ ଜଣେ ଭଦ୍ର ମହିଳାଙ୍କ ସୁମଧୁର କଣ୍ଠ ସ୍ୱର !!


"ଭୁବନେଶ୍ୱର ରୁ ବାହାରି ଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସ ଏକ ଘଣ୍ଟା ବିଳମ୍ବରେ ଆସି ପହଞ୍ଚିବ"।


ବାଲେଶ୍ଵର ରେଳ ଷ୍ଟେସନ। ସୁରଭି ଖୁସି ହୋଇଗଲେ, ଆଉ ଅଧିକ ଘଣ୍ଟାଟିଏ ରହି ପାରିବେ ସେ ସ୍ଵାମୀଙ୍କ ସାଥିରେ, ହସି ଦେଲେ, ଅଚାନକ କିଛି ଗୋଟେ ହାତ ପା'ନ୍ତାରେ ମିଳିଗଲା ଯେମିତି । ସମୟ ସାଥିରେ ଥିଲେ କେତେ ମିଠା ଲାଗେ ଜୀବନଟା। ଅତି ଅନ୍ତରଙ୍ଗ କେହି ଜଣେ ସାଥିରେ ଥିଲେ ସେଇ ମୁହୂର୍ତ୍ତର ପରିଭାଷା ହିଁ ଅଲଗା, ମିଠା ଠୁ ବି ଅଧିକ ମିଠା, ମିଳନ ଆଉ ଅସ୍ଥାୟୀ ବିଚ୍ଛେଦ ର ସେଇ ମୁହୂର୍ତ୍ତ ସବୁ...


ସୁରଭିଙ୍କ ଆଦୌ ଇଚ୍ଛା ନାହିଁ, ପୁଅ ପାଖରେ ଛ ମାସ ରହିବେ।

ବାଲେଶ୍ଵର କୋଉଠି, ଦିଲ୍ଲୀ କୋଉଠି..ଥରେ ଦୁଇଥର ପୁରୀ ଯାଇଛନ୍ତି ପରିଜା ବାବୁଙ୍କ ସାଥିରେ, ତାହା ବି ଭଲକି ମନେ ନାହିଁ।

ଗୋଟାଏ ଦିନ ହେଲେ ବି ସେ ପରିଜା ବାବୁଙ୍କୁ ଛାଡି ଏକୁଟିଆ କେବେ ରହି ନାହାନ୍ତି । ନ ଗଲେ ସେଆଡେ ପୁଅ ରାଗିବ। ଟ୍ରେନରେ ପୁଣି ଏକା। ରାଜଧାନୀ ଟ୍ରେନରେ କିଛି ଅସୁବିଧା ହେବନି ବୋଲି ରାତିସାରା ବୁଝେଇ ଚାଲିଛନ୍ତି ପରିଜା ବାବୁ। ଖାଇବା ପିଇବା, ସବୁ ସୁବିଧା ତା'ରି ଭିତରେ। 

*****

ଦେଖ୍ ସୁରଭି ! ତୋତେ ବସେଇ ଦେଇ ଆସିବି ତୋ ଜାଗାରେ ଚୁପଚାପ୍ ବସି ରହିବୁ, ହଲଚଲ ହେବୁନି। ବେଶି କଥା ହେବୁନି କାହା ସାଥିରେ। କେହି ଜଣେ ଓଡ଼ିଆ ଲୋକ ଯଦି ପାଖରେ ମିଳି ଯାଆନ୍ତି ତେବେ ଆଉ ଅସୁବିଧା କୋଉଠି ? ଜଣା ପଡ଼ିବନି, ସମୟ କେମିତି କଟିଯିବ !!!

ସୁରଭି କିନ୍ତୁ ବୁଝିବାକୁ ନାରାଜ୍। ଆଖି ଛଳ ଛଳ। ଯିବାକୁ ଇଚ୍ଛା ନାହିଁ।

ଦେଖ ! ବଡି ଅଧା ଶୁଖିଛି, ସାନ ବୋହୂକୁ କହିବ , ଖରା ଆସିଲେ ଶୁଖେଇ ଦେଇ ଆସିବ ଛାତ ଉପରେ। ସାନ ବୋହୂର ବିଲକୁଲ ଅକଲ ନାହିଁ। ତାକୁ କହିବ, ତମ ଧଳା କୁର୍ତ୍ତା ପାଇଜାମାକୁ ତା ଛୁଆଙ୍କ ଲୁଗା ସାଥିରେ ଭିଜେଇବ ନାହିଁ। ରଙ୍ଗ ଲାଗିଯିବ। କହିବ, କ୍ଷୀର ହାଣ୍ଡିକୁ ଢାଙ୍କି ରଖିବ। ଶିଳପୁଆ ରଖିଦେବ ତା ଉପରେ। କିଏ ଏତେ ଜଗିବ କହିଲ, ରାଧା ଘର ବିଲେଇକୁ ??   

ଲାଉ ଗଛରେ ପାଣି ଦେବାକୁ କହିବ, ହାଟରୁ ଟିକିଏ ସାର ଆଣି ଲାଉ ଗଛରେ ଦେବାକୁ ଭୂଲିବନି। ମାସକର ଗଛ, କେତେ ରୋଗା ହୋଇଛି କହିଲ ?

ଆରେ ସୁରଭି !! ଛ ମାସ କଥା, କିଛି ଚିନ୍ତା କରନି। ସବୁ ମୁଁ ବୁଝିବି। ଆଖି ଭରି ଆସିଲା ସୁରଭିଙ୍କର। ମନ ଚାହେଁ ଆଉ ଗୋଟେ ମନର ସମର୍ଥନ, ଆଗକୁ ଭାବିବାକୁ ଆଉ ରାସ୍ତା ନ ଥିଲେ ଜୀବନଟା ଚେସବୋର୍ଡ ପରି ଲାଗେ, ପ୍ରତି ମୁହୂର୍ତ୍ତରେ ହାରି ଯିବାର ସମ୍ଭାବନା, ମନକୁ ଆହୁରି କ୍ଷତ ବିକ୍ଷତ କରେ ।

ପରିଜା ବାବୁ କିନ୍ତୁ ବୁଝୁ ନାହାନ୍ତି ସୁରଭି ଙ୍କ ଭିତରେ ହୋ ହୋ ହୋଇ ଜଳୁଥିବା ନିଆଁର ଯନ୍ତ୍ରଣାକୁ..ଯେମିତି କି ସବୁ ଠିକ୍ ଠାକ୍ ଚାଲିଛି !!


ଯାହା ସବୁ କହିଲି, ସବୁ ବାହାନା। ମୁଁ ଗୋଟାଏ ମୁହୂର୍ତ୍ତ ବି ତମକୁ ଛାଡି ରହି ପାରିବିନି। ମୁଁ କଣ କରିବି କୁହ। ଆଉ ମାସ ଦୁଇ ମାସ ଯାଉ, ଆମେ ଦୁଇ ଜଣ ମିଶି ତା ପାଖକୁ ଯିବା ବୋଲି ... ପୁଅକୁ ଫୋନ କରି କହିଦିଅ। ତାକୁ କୁହ, ଖାଲି ବୋଉ କାହିଁକି ? ଘର ଛୋଟ ହେଲେ କ'ଣ ହେଲା, ମନ ଟିକିଏ ବଡ ହେଲେ ବାପା ବୋଉ ଉଭୟ ଙ୍କ ପାଇଁ ଜାଗା ହୋଇ ପାରିବ ଛୋଟିଆ ଘର ଭିତରେ !! ଏମିତି ବି ବାପା ବୋଉଙ୍କ ପାଇଁ କେତେ ବା ଆଉ ଜାଗା ଦରକାର !!!

କ'ଣ, ନା .. ବୋଉ କୁ ପଠେଇ ଦିଅ, ବୋଉ କଥା ଭାରି ମନେ ପଡୁଛି। ବାପା କ'ଣ ପାପ କଲେ କି ବାପା ଙ୍କ କଥା ଜମା ରୁ ମନେ ପଡେନି। ଅତି ବିଚିତ୍ର ଆଜି କାଲିର ପୁଅ ମାନଙ୍କ ଚିନ୍ତାଧାରା !!!


ଶୁଣ ସୁରଭି, ଟ୍ରେନ ଆସିବା ସମୟ ହୋଇ ଗଲାଣି, ଛୋଟ ଛୁଆଙ୍କ ପରି ଜିଦ୍ କଲେ କଣ ହେବ କହିଲ। ପୁଅ ବଡ ଚାକିରୀ କରିଛି, ତା ପାଖରେ କିଛି ଦିନ ଖୁସିରେ ରହିବ। ବୋହୂ ମାଛି କୁ ମର ବୋଲି କହେନି। ତେବେ ଅସୁବିଧା କୋଉଠି ??? ଆଜୀବନ ସୁପ୍ତ ଆଗ୍ନେୟଗିରି ପରି ପଡ଼ିଥିବା ମନ କୁ ଆବିଷ୍କାର କରିବା ଏତେ ସହଜ ନୁହେଁ, ବିସ୍ଫୋରଣ ନ ହେବା ପର୍ଯ୍ୟନ୍ତ ମନର ଉଷ୍ମତା କୁ ମାପିବା କଷ୍ଟସାଧ୍ୟ। ମନର ଭାଷା ମନ ଭିତରେ ହିଁ ମରିଯାଏ, କାହାର କିଛି ଫରକ୍ ପଡେନି। ବୁଝିବାକୁ ଚେଷ୍ଟା ବି କରୁ ନାହାନ୍ତି ପରିଜା ବାବୁ।

ସୁରଭି କହିଲେ...

ମନେ ଅଛି ନା.. ବାହାଘର ଦୁଇଦିନ ପରେ ମୋତେ ତୁମେ ପଞ୍ଚ ଲିଙ୍ଗେଶ୍ୱର ନେଇ ଯାଇଥିଲ, ଜଣେ ଭଦ୍ର ମହିଳା ଆସି ବସିଲେ ଆମ ଦୁହିଙ୍କ ପାଖରେ । ନବ ବିବାହିତ ଦମ୍ପତିଙ୍କୁ ଦେଖି ବୋଧେ ମୁରୁକି ମୁରୁକି ହସୁଥିଲେ ସେ । ସେ କିଛି ପଚାରିବା ପୂର୍ବରୁ ମୁଁ କହିଲି ଜାଣିଛ ! ମୋ ବର ଗମେଣ୍ଟ ହାଇସ୍କୁଲ ହେଡମାଷ୍ଟର। ମହିଳା ଜଣଙ୍କ ଚୁପ ହୋଇ ବସିଲେ। ଅଚାନକ ହସ ଓହରି ଗଲା ତାଙ୍କ ମୁହଁ ଉପରୁ। ସେ ଓହ୍ଲେଇ ଯିବା ପରେ ମୋତେ ତମେ କହିଥିଲ, ସୁରଭି ! ପାଖରେ ବସିଥିବା ଲୋକକୁ କେବେ ଅନୁଭବ କରିବା ପାଇଁ ଦେବନି ସେ ଛୋଟ ବୋଲି। ତେବେ ହିଁ ତମେ ମହାନ ହୋଇ ପାରିବ ଜୀବନରେ। ଯେ ଯୋଉ ସ୍ତରରେ ଥାଏ ସେଇ ସ୍ତରକୁ ଓହ୍ଲେଇ ଯାଇ ମିଶି ପାରିଲେ ଜୀବନରେ ମାଦକତା ଭରି ଉଠେ । ଜୀବନ ଟା ଆଉ କଣ କି ? ହସ ଖୁସିର ଖେଳ, କିଛି ମୁହୂର୍ତ୍ତ ପାଇଁ। ଆମେ କଣ ଏଇ ପୃଥିବୀରେ ସବୁଦିନ ରହିବା ସୁରଭି !!!?

ତମର ସେଇ ଶେଷ ଧାଡ଼ିଟି ଏତେ ଛୁଇଁଗଲା ଯେ, ସେଇ ଦିନଠୁ ଆଜି ପର୍ଯ୍ୟନ୍ତ ଗୋଟାଏ ମୁହୂର୍ତ୍ତ ମୁଁ ତୁମଠୁ ଦୂରେଇ ଯାଇନି। ଆଜି କେମିତି ଯିବି କହିଲ !!! ଅନୁପସ୍ଥିତି ରେ ଯଦି ମୋର କିମ୍ବା ତମର କିଛି ହୋଇ ଯାଏ ତ !!! ଜୀବନଟା ସ୍ୱଳ୍ପ ସମୟର ଗୋଟେ ଅଦ୍ଭୁତ ପରିସୀମା, କ୍ଷଣ ଭଙ୍ଗୁର, ତମେ ହିଁ ମୋତେ ସେଦିନ କହିଥିଲ ନା..., ସାଥୀ ହୋଇ ପ୍ରତି ମୁହୂର୍ତ୍ତକୁ ଉପଭୋଗ କରି ପାରିଲେ ଜୀବନର ପ୍ରତି ପୃଷ୍ଠାକୁ ବାର ବାର ପଢିବାକୁ ଇଛା ହୁଏ। ଛ ମାସ କେତେ ଲମ୍ବା, ଭାବି ଦେଖିଲ !!!!!


ପୁଣି ଥରେ ସେଇ ସୁମଧୁର ଘୋଷଣା ଷ୍ଟେସନ ଭିତରେ କୋଳାହଳକୁ ସମ୍ପୂର୍ଣ୍ଣ କାବୁ କରିନେଲା, ସମସ୍ତେ ଚୁପ ହୋଇ ଗଲେ କିଛି ମୁହୂର୍ତ୍ତ ପାଇଁ।

"ରାଜଧାନୀ ଏକ୍ସପ୍ରେସ୍ ଏକ ନମ୍ବର ପ୍ଲାଟଫର୍ମରେ ଆସୁଅଛି"

 

ସଂଘର୍ଷ କରିବାର ସୀମାଟିଏ ଥାଏ, ମନଟା ପରମାଣୁ ବୋମା ନୁହେଁ ଯେ...ଟିକିଏ ଉତ୍ତାପରେ ବିସ୍ଫୋରଣ ହେବ, ସୁରଭିଙ୍କ ମନଟା ହାରି ହିଁ ଗଲା ସର୍ବଶେଷରେ। ରାଜଧାନୀରେ ବସି ଦିଲ୍ଲୀ ଯିବା ପାଇଁ ହିଁ ପଡ଼ିବ !!! ନିରୁପାୟ ହୋଇଗଲେ ସୁରଭି।


ଆଖି ଛଳ ଛଳ ହୋଇଗଲା, ସୁରଭିଙ୍କର। 

ମୁଁ ଟିକିଏ ବାଥରୁମରୁ ଆସୁଛି, ତମେ ବେଗ ଜଗିଥାଅ। ମହିଳା ପ୍ରତୀକ୍ଷାଳୟ ଭିତରେ ଥିବା ଶୌଚାଳୟ ଭିତରକୁ ପଶିଗଲେ ସୁରଭି।

ଟ୍ରେନ ଆସି ପହଁଚିଲା ଏକ ନମ୍ବର ପ୍ଲାଟଫର୍ମ ଉପରେ। 

ପରିଜା ବାବୁ ବାଥରୁମ କବାଟରେ ଠକ୍ ଠକ୍ କଲେ। 

ଆ, ଶୀଘ୍ର ଆ , ଗାଡ଼ି ଆସି ଯାଇଛି। 

କିଛି ଉତ୍ତର ଦେଉ ନ ଥିଲେ ସୁରଭି। 

ବାର ବାର ଶବ୍ଦ କଲେ ପରିଜା ବାବୁ। ପାଞ୍ଚ ମିନିଟ ବିତି ଗଲାଣି ଏହା ଭିତରେ। ବ୍ୟତିବ୍ୟସ୍ତ ହେଲେ ପରିଜା ବାବୁ, ନିରୁପାୟ। ଝାଳନାଳ ହୋଇଗଲେ ସେ। ବାହାରକୁ ଆସି ଦେଖିଲେ ଗାଡ଼ି ହର୍ଣ୍ଣ୍ ଦେଇ ଧିରେ ଧିରେ ଷ୍ଟେସନ ଛାଡୁଛି।

ପୁଣି ଥରେ ସେଇ ସୁମଧୁର ଘୋଷଣା...

"ରାଜଧାନୀ ଏକ୍ସପ୍ରେସ ଏକ ନମ୍ବର ପ୍ଲାଟ ଫର୍ମରୁ ଛାଡ଼ୁଛି"

ପୁଣି ଥରେ ପରିଜା ବାବୁ ବାଥରୁମ କବାଟରେ ଠକ୍ ଠକ୍ କଲେ।

ସୁରଭି ! ସୁରଭି ! ଚିତ୍କାର ଛାଡ଼ିଲେ ପରିଜା ବାବୁ।

ବାଥରୁମ ଖୋଲି ଚୁପ ଚାପ୍ ବାହାରି ଆସିଲେ ସୁରଭି। ପରିଜା ବାବୁ ଅବାକ ହୋଇ ଅନେଇଛନ୍ତି ସୁରଭିଙ୍କୁ। 

ତମେ ଟ୍ରେନ ଫେଲ ହୋଇଗଲ ସୁରଭି !!!

ସୁରଭି ହସି ଦେଲେ, ଠିକ୍ ଅଛି। ଆଗ ଥରକୁ ଆମେ ଦୁହେଁ ମିଶି ପୁଅ ପାଖକୁ ଯିବା। କେତେ ଭଲ ଲାଗିବ କହିଲ। ଏମିତି ତମକୁ ଛାଡି ଏକା ଏକା ଛ ମାସ ସମୟ କଟାଇବା କେତେ କଷ୍ଟ ଜାଣିଛ !! ଗାଳି ଦେବାକୁ ଇଚ୍ଛା କରି ମଧ୍ୟ ଗାଳି ପାରୁ ନ ଥିଲେ ପରିଜା ବାବୁ। ପ୍ରତୀକ୍ଷାଳୟ ଭିତରୁ ଦୁହେଁ ବାହାରି ଆସିଲେ ବାହାରକୁ। ଖୁସିର ଲହଡ଼ି ସୁରଭିଙ୍କ ମୁହଁ ଉପରେ। ପରିଜା ବାବୁ ବେଶ ପଢି ପାରୁଥିଲେ ସୁରଭିଙ୍କ ଭାବପ୍ରବଣତାକୁ।

ଘଟିଥିବା ଘଟଣାକୁ ନେଇ ଯେତିକି ମର୍ମାହତ ଥିଲେ, ଏଇ ପରିଣତ ବୟସରେ କେହି ଜଣେ ତାଙ୍କ ପାଇଁ ପାଗଳ ବୋଲି, ସେତିକି ଗର୍ବ ତାଙ୍କ ଭିତରେ ଜନ୍ମ ଦେଉଥିଲା ଏକ ସ୍ୱର୍ଗୀୟ ଅନୁଭବକୁ । ଅନ୍ୟ ମନସ୍କ ହୋଇଗଲେ ପରିଜା ବାବୁ।

"ଏମିତି ବି କେହି ଜଣେ ଏଇ ଦୁନିଆରେ ଅଛି, ଯେ ମୋ ବିନା ପାଞ୍ଚ ମିନିଟ ରହି ପାରିବ ନାହିଁ, ତାହା ହିଁ ବୋଧେ ମୋ ଜୀବନର ସଫଳତା, ପୁଣି ଏଇ ପରିଣତ ବୟସରେ। ପୁଅ ପାଖକୁ ଛ ମାସ ପାଇଁ ଯିବାର ପ୍ରସ୍ତାବ ନ ଥିଲେ ଏତେ ବଡ଼ ଗୁପ୍ତଧନ ର ସନ୍ଧାନ ମୁଁ ପାଇ ନ ଥାଆନ୍ତି, ସେଇଥି ପାଇଁ ହୁଏତ ସୁରଭି ଙ୍କ ପରି ନାରୀ ମାନଙ୍କ ଅନ୍ୟନାମ ଧର୍ମପତ୍ନୀ, ଅର୍ଦ୍ଧାଙ୍ଗିନୀ"

ପୁଅଠୁ ଫୋନ ଆସିଛି ଦେଖି ବିଚଳିତ ହୋଇ ଉଠିଲେ ପରିଜା ବାବୁ।

ବାପା ! ବୋଉକୁ ଠିକ୍ ଭାବରେ ବସେଇ ଦେଲ ତ !!!

ନା ବିଜୟ, ଟ୍ରେନ ଧରି ପାରିଲୁନି, ଜାଣିଛୁ ତ ! ସବୁ କଥାରେ ତୋ ବୋଉର ଲେଟ୍। ପହଞ୍ଚିଲା ବେଳକୁ ଗାଡ଼ି ଛାଡି ଦେଇଥିଲା। ସବୁ ଭୁଲ କିନ୍ତୁ ତୋ ବୋଉର !!!

ବାପା ଦୁଇ ହଜାର ପାଣିରେ ଗଲା। ଫୋନ କାଟିଦେଲା ବିଜୟ।


ପୁଅର ଦୁଇ ହଜାର କ୍ଷତି ଜନିତ ବ୍ୟଗ୍ରତା ଆଉ ଖୁସିରେ ସମ୍ପୂର୍ଣ୍ଣ ଭିଜି ଯାଇଥିବା ଧର୍ମପତ୍ନୀଙ୍କ ଭାବପ୍ରବଣତା ଭିତରେ ସେଣ୍ଡଉଇଚ୍ ବନି ଯାଇଥିଲେ ଜଣେ ଅସହାୟ ବାପା, ଅବସର ପ୍ରାପ୍ତ ଶିକ୍ଷକ, ପରିଜା ବାବୁ। ପ୍ରେମ ଅଧିକ ଓଜନିଆ ଲାଗୁଥିଲା ସ୍ନେହ ଠାରୁ !! ସୁରଭିଙ୍କ ହାତ ଧରି ଖୁସିରେ ଗଦଗଦ ହୋଇ ଦୁହେଁ ଚାଲିଲେ ଘର ମୁହାଁ ହୋଇ, 

ବାସ୍, ଘରଟା ବିଲକୁଲ ବାଲେଶ୍ଵର ଷ୍ଟେସନ ପାଖରେ....

ରାଜଧାନୀ ଏକ୍ସପ୍ରେସ ସୁରଭିଙ୍କ ସବୁ ଦୁଃଖ ବହନ କରି ଦିଲ୍ଲୀ ଚାଲିଗଲା, ସୁଖର ସମ୍ଭାର ଛାଡି ଦେଇ ଗଲା ବାଲେଶ୍ଵର ଷ୍ଟେସନ ଉପରେ, ଖାସ୍ ସୁରଭି ଙ୍କ ପାଇଁ।


ସୁରଭି ! ଗୋଟେ କଥା ପଚାରିବି, କହିବ। ଟ୍ରେନ ଆସିବା ପୂର୍ବରୁ ତମେ ବାଥରୁମ ଭିତରେ ଲୁଚିଗଲ କାହିଁକି..ମୁହଁକୁ ଲୁଚେଇ ହସୁଥିଲେ ସୁରଭି ........

ଏନ୍ ନନ୍ଦି


 



Rate this content
Log in

Similar oriya story from Classics