ପୂଣ୍ଯବଣ୍ଟା
ପୂଣ୍ଯବଣ୍ଟା
ବାପା, ଜେଜ, ଗୋସେଇଁ ବାପାଙ୍କର ବିରାଟ ତୈଳଚିତ୍ର ଆଗରେ ପଛକୁ ଦୁଇହାତ ଛନ୍ଦି ଏକଲୟରେ ଠିଆହେଇଥିଲେ ଦେବ୍ରାଜ୍ ସାମନ୍ତସିଂହାର ।ଅଭିଜାତ୍ଯ, ପରମ୍ପରା, ସମ୍ପନ୍ନତା, ସବୁ ଏବେ ଧୂଳିର ଆସ୍ତରଣ ତଳେ ଦର୍ପଣ ପରି ।ତାଙ୍କ କୋଠିକାନ୍ଥର ଯୋଡି ଯୋଡି ଶିଙ୍ଘ ଓ ଚାରିକାତ ମେଲା ବାଘଛାଲ ଗର୍ଜନ କରି କହୁଥିଲା ସବୁ ଦମ୍ଭ, ଦର୍ପ, ଅହଂ, ବଡିମା ଏବେ ଖାଲି ଗଳ୍ପ ।ବିଲୁପ୍ତ ସତ୍ତା ।
ଚାଲିଯାଇଛନ୍ତି ସମସ୍ତେ ଗୋଟେ ଗୋଟେ କରି ଜୀବନ ଫର୍ଦ୍ଦ ରୁ ସିଂହଦରଜା ଦେଇ ନିଜ ନିଜ ଅଭିନୟ ସାରି ।ଏଇ ତୈଳଛବି ରେ ଠାଣୀରେ ଦଣ୍ଡାୟମାନ ମଣିଷ ମାନଙ୍କ ପ୍ରତିପତ୍ତି ଏବେ କିମ୍ବଦନ୍ତୀ, ଲୋକକଥା ।ସେଇ ଧାଡିରେ ସେ ତାଙ୍କ ଛବି ଆଙ୍କିବାକୁ ଚାହିଁ ନାହାନ୍ତି ଉତ୍ତରପୁରୁଷ ଭାବେ ସଗର୍ବେ ।
ମାତ୍ର, ହଁ ମାତ୍ର ଦୁଇଟି ପିଢ଼ି ପରେ ହି କାହିଁ ବା ଥାଏ ତୁମ ଅସ୍ତିତ୍ଵ? ଯୋଉ ଅସ୍ମିତାକୁ ବୋଧ କରିବାକୁ ତୁମେ ଅନେକ ଙ୍କୁ ହୃଦୟଙ୍ଗମ କରାଅ ତୁମ ମହାନତା ଡାକି ହାକି ସେଇ ଅସ୍ମିତା ମିଳେଇ ଯାଏ ପବନରେ ।ରହେ କିଛି ଦିନ ଛାଇ ଛାଇ ଗପରେ ତା' ପରେ ଯଦି ସତରେ ଲଗେଇଥାଅ ଫୁଲ ଗଛଟେ ଫୁଲ ହୋଇ ଫୁଟିପାର ଅନନ୍ତ କାର ।ନଚେତ୍ ଛାଇ ମାନଙ୍କୁ ପଚାରେ ବି କିଏ ?
ମନେପଡୁଥିଲା ଟାଗୋର ଙ୍କ କଥା ।କହୁଥିଲେ, " ତୁମ ବହୁମୂଲ୍ଯ ମୂର୍ତ୍ତି କୁ ଧୂଳିସାତ୍ କରିପାରେ ଈଶ୍ବର ଙ୍କ ଧୂଳିଟିଏ ମାତ୍ର କ୍ଷଣକରେ ।ତେବେ ଶକ୍ତିମୟ କିଏ ? ଏ ପୃଥିବୀ ରେ ଅଳିକ ଜନ୍ମିଥିବା ତୁମ ଜଡିତ ଅହଂ ସହ ତୁମେ ନା ଈଶ୍ବରଙ୍କ ଧୂଳିକଣା? "
ଏତେ ବଡ ମହଲ ପରି ଘରେ ସେ ଆଜି ଏକା ।ହଁ ହଳକ ନିଶ ସହ ,ତାଙ୍କ ବଂଶବୁନିଆଦ୍ ର ଦୃଢ ପରିଚୟ ।ମଣିଷ ହିଁ ସବୁଠୁ ବିଚିତ୍ର ଜୀବ, ଯାହା ଚାହେଁ ତାହା କାହାକୁ ଦେବାକୁ କୁଣ୍ଠା ।ଦେଇଥିଲା ସିନା ପାଇ ।
ଅନେକ ସମୟ ବିତି ସାରିଥିଲା ।ନିଶ୍ଚଳ ଭାବେ ଠିଆ ହେଇ ଅନାବନା ଭାବୁଥିଲେ ଦେବ୍ରାଜ୍ ।
ହଁ ମ ! ଭାବନା ସବୁ ଅନାବନା ହି ।ସହସ୍ର ସହସ୍ର ପଶେ, ତହୁଁ ବେଗରେ ବାହାରି ବି ତ ଯାଏ ।ଧରିରଖିବି ଭାବୁ ଭାବୁ ଶେଷ ।ଯେଉଁ ଗୋଟିକ ଧରାଦିଏ କି ରହିଯାଏ ସେ ଗଢିଦିଏ ମଣିଷ ଟିକୁ ଅବିକଳ ତାରି ପରି ।
ପଛରୁ ଶୁଭିଲା ଧିର ଶବ୍ଦ ଟେ ସଂଭ୍ରମତାର , "ସାନ ସାଆନ୍ତେ, ଗାଡି ଲାଗିଲାଣି ।ସେମାନେ ଆସିଲେଣି ବୋଧେ ।ଆଜ୍ଞା ଭିତର ମେଲାରେ ବସେଇବି? "
ବୁଲିଲେ ଦେବ୍ରାଜ୍ ।ଅଧା ନଇଁ ଠିଆ ହେଇଛନ୍ତି ସୋମୁକକା ।
ଯାହାଙ୍କ କୋଳରେ ଖେଳିକି ବଢିଛନ୍ତି ସେ ।କେତେ ଅଳି ଅର୍ଦଳି ସହିଛନ୍ତି ହସିହସିକା ।
ସାମାନ୍ୟ ବିରକ୍ତିରେ କହିଲେ ଦେବ୍ରାଜ୍, " କେତେ ଥର କହିଛି ଆପଣଙ୍କୁ ମତେ ଆପଣ ଏମିତି ନଇଁ ନାଇଁ କଥା ହେବେନି ବୋଲି? କାହିଁକି ଶୁଣନ୍ତିନି କହିଲେ କକା ?
" ଅଭିଜାତ୍ଯକୁ ସମ୍ମାନ ଦେବା ଆମ ରକ୍ତରେ ସାନ୍ତେ ।ହଉ ଆପଣ ଆସିବା ହୁଅନ୍ତୁ । "।ହସିଦେଇ ଚାଲିଗଲେ ସେ ।
___
ଗୋସେଇଁ ଜେଜ ସ୍ବପ୍ନ ଦେଖିଲେ ଗୁମ୍ଫା ଭିତରେ ଅପରିମିତ ସଂପତ୍ତି ।ବାଟ ସାରା ଶ୍ବାନ ,ଗୃଧ,ଶୃଗାଳ ।ବ୍ଯାଘ୍ର ସେ ନିଜେ ।କଣ୍ଟା ଅଗରେ ଝୁଲାଇ ଲୋଭର ମାଂସ ଖଣ୍ଡ ପାରିକରିଗଲେ ଦୁର୍ଦ୍ଦଷ ବଣମୁଲକ ଗୁମ୍ଫା ର ଲକ୍ଷରେ ।
ଫେରନ୍ତା ବାଟରେ ଜଗିଥିଲେ ଲୋଭାତୁର ନଖୁଆ ମୁନିଆଁ ଆଖି ସବୁ ।ଜଳୁଥିଲେ .... ଜାଳିଦେଲେ ।
ବାପା ସ୍ବପ୍ନ ଦେଖିଲେ ରାଜକୀୟ ବୈଷ୍ଣବଚେତନ କରବୀପୁଞ୍ଚ୍ଜ ।ମଥାରେ ଚକ୍ର, ଶଙ୍ଖ ଆଦି ଶ୍ରୀଚିହ୍ନ ଧାରଣ ପୂର୍ବକ ପାଟ ପୁଷ୍କରଣୀ ଆଡକୁ ଗତି ।ରାସ୍ତା ଧାରରେ ଶିଶୁ ଦେବ୍ରାଜ୍ ।
ଫେରନ୍ତା ବାଟରେ ଶୁଭକଳସୀର ପବିତ୍ର ଜଳ ଢାଳିଦେଇଗଲେ ଶିଶୁର ମଥାରେ ।ଅବଧାରିତ ସୌଭାଗ୍ଯର କ୍ଷେତ୍ର ରୂପେ ସ୍ବୀକାର୍ଯ୍ଯ ।
ନିଜେ ଦେବ୍ରାଜ୍ ସ୍ବପ୍ନ ଦେଖିଲେ, ବିରାଟ ପରିସର ଭିତରେ ଭୁଲଭୁଲୟା ପରି ଅଙ୍କକଷାକୁ ଜିତାପଟ କରି ସେ ହାତେଇଛନ୍ତି ଅମାପ ଗୁପ୍ତଧନର ସିନ୍ଧୁକ ଟିଏ ।ଖୋଲି ଦେଖିଛନ୍ତି ପାଞ୍ଚଟି ମଞ୍ଜି ।କାହାର?
ସ୍ବପ୍ନାଦେଶ ହୋଇଛି ଭବିଷ୍ୟରେ ଜଙ୍ଗଲ ଶୂନ୍ୟ, ମଣିଷ ଅସହାୟ ।ଏଇ ବୀଜ ଗୋଟିଏ ବୁଣିଲେ ପାଞ୍ଚଟି ସମାନ ଗଛ ଉଠିବ ।ସାଇତିଛନ୍ତି ସେ ସଯତ୍ନେ ।
_
ଧବଧବଳିଆ ଚଷମାଦିଆ ବାବୁଭାୟା କେତୋଟି ।ଦେବାନ୍ ର ଚଉକଶ୍ ଉପରେ ।ଆଖି ବୁଲେଇ ଦେଖୁଥାନ୍ତି ଚାରିପଟକୁ ଆକଳିବା ଭଙ୍ଗିରେ କିଛି ଗୋଟେ ।
ପ୍ରବେଶିଲେ ଦେବ୍ରାଜ୍ କଲିକତି ମୟୁରପଙ୍ଖ ଧୋତିର ଶେଷମୁଣ୍ଡ ର କୁନ୍ଚ ତକକୁ ମୁଠେଇ ।ତାଙ୍କ ସୌମ୍ଯଦିପ୍ତ ଚେହେରା ଏ ଉତ୍ତୀର୍ଣ୍ଣ ବୟସରେ ମଧ୍ୟ ଆଭାମୟ ।କହିହେବ ।
_ ନମସ୍କାର ଆଜ୍ଞା । ଠିଆ ହୋଇ ପଡିଲେ ଭଦ୍ର ଅଗନ୍ତୁକ ମାନେ ଅତ୍ଯଧିକ ଭଦ୍ରାମୀ ଦର୍ଶାଇବା ସହ ।
_ ବସନ୍ତୁ ବସନ୍ତୁ । ନମ୍ର ନିବେଦନ ଫେରାଇଲେ ଦେବ୍ରାଜ୍ ବେତ ଚଉକି ସବୁ ଦିଗକୁ ଆଙ୍ଗୁଳି ନିର୍ଦ୍ଦେଶ କରି ।
ଧଳା ମଖମଲି ନିଟିଙ୍ଗ୍ ସୂତା କାମର ଆବରଣରେ ଝାଲରମାନ ଚଉକି ସବୁ ସ୍ପଷ୍ଟ କରୁଥିଲେ ଦେବ୍ରାଜ୍ ଙ୍କ ପସନ୍ଦ କୁ ନେଇ ସୂକ୍ଷ୍ମତା କୁ ।
କଥାକୁ ଆଗକୁ ନେଇ ଦେବ୍ରାଜ୍ କହିଲେ, ଏଇ ମୋର ପିତୃଗୃହ ।ପୌତ୍ରିକ ପୁଞି ।ମୋ ବଂଶ ଲତିକାର ଏଯାବତ୍ ର ମୁଁ ଶେଷ ପୁତ୍ର ସନ୍ତାନ ତା ' ନୁହେଁ କିନ୍ତୁ ଏଠାରେ ମୁଁ ଏକାକୀ ଏଇ ମୋର ସୋମୁକକାଙ୍କ ସହ ।ଆମେ ଦିହେଁ ଶୁଖିଲା ପତ୍ର ।ଅଳ୍ପ କେ ଲାଗିଛୁ ଡାଳରେ ।ଝରିଯାଇପାରୁ କେତେବେଳେ ବି ।ଠିକଣା କଣ ?
ଶୂନ୍ୟ ରେ ପହଁରୁ ଥିଲା ଆଖି, ଲାଖୁଥିଲା ଉଦ୍ଯାନ ସାରା ଖେଳେଇହେଇ ପଡିଥିବା ଚିହ୍ନା ଚିହ୍ନା ହସ ସବୁର ସ୍ମୃତି ସହ ।ସେଇ ତକ ତ ବଞ୍ଚି ରହେ ,ହଜେଇ ହଜେଇବାକୁ ବାଟ ଖୋଜିଲେ ବି ।
ୟା ଭିତରେ ଚାହା, ଜଳଖିଆ ଆସି ସାରିଥାଏ କୁନ୍ଦକରା ଶିଶୁକାଠର ଟ୍ରେ ରେ ସଜାହୋଇ ।
ଦେବ୍ରାଜ୍ କହିଲେ, ଏ ଘର ମୋର ଚେର, ମୋର ସର୍ବସ୍ଵ ।ମୁଁ ଚାହୁଁଛି ଏ ଘର ଆଗରୁ ଯେମିତି କୋଳାହଳମୟ ହସ ଫୁଆରା ଶବ୍ଦ ରେ ଗୁଞରିତ ହେଉଥିଲା ପୁଣି ସେଇ ଦିନ ଫେରୁ ।ଏ ଘରର କାନ୍ଥ ବାଡ ସଜୀବ ହୋଇଉଠନ୍ତୁ ମଧୁରତାର ସ୍ପର୍ଶରେ ।ସେଥିଲାଗି ଏଠାକୁ ଡକେଇଛି ଆପଣ ମାନଙ୍କୁ ।ମୋର ଏକାନ୍ତ ଆନ୍ତରିକ ଇଛ୍ଛା ଏଇ ବଙ୍ଗଳାଟିକୁ ମୋର ଏପରି ମଣିଷ ମାନଙ୍କ ଘର କରିଦିଆଯାଉ ଯେଉଁ ମାନେ ସବୁକିଛି ଥାଇ ମଧ୍ୟ ଏକାକୀ, ନିଶ୍ବ ।ଏବଂ ମୋର ବିଶ୍ବାସ ଆପଣ ମାନେ ପାରିବେ ।
_ ତେବେ ଆପଣ ଚାହାଁନ୍ତି ଏହା ସମସ୍ତ ବୟୋଜ୍ଯଷ୍ଠ ପିତା ମାତାଙ୍କର ଘର ହେଉ ଯେଉଁ ମାନେ ସ୍ବଚ୍ଛଳ କିନ୍ତୁ ସ୍ବଚ୍ଛନ୍ଦ ନୁହେଁ। ଏୟା ତ ?
_
ହଁ ବାହାରୁ ସେମାନେ ଖୁବ୍ ଭଲରେ ରହୁଥିବା ସୁଖୀଟିଏ ପରି ଦିଶିଲେ ମଧ୍ୟ ନିଜ ନିଜର ସ୍ବାଭିମାନ କୁ ପୋଷ୍ଯ କରି ଆଣ୍ଠେଇ ପଡିଥାନ୍ତି ଏକୁଟିଆ ଅଭ୍ଯନ୍ତରେ । ତାଙ୍କୁ ମଧ୍ୟ ଯତ୍ନ, ସଖ୍ଯ,ଚିକିତ୍ସା, ଆଦର ଲୋଡା ।ସେମାନେ ଅମାପ ଦୁଃଖ କୁ ଚକମକି ଚାଦର ତଳେ ନିଆଁ ପରି ଜାକି ଧରିଥାନ୍ତି ।ବୟସ ଅନୁସାରେ ସବୁ ଜୀବନ ଏକା ପରି ଅନୁଭବନ୍ତି ।ସଯତ୍ନେ ସମ୍ଭାଳି ନେବାକୁ ହୁଏ ।ମୁଁ ମୋର ନିଜ କଥାରୁ ଜିଣୁଛି ।ଏକାପଣ ଧନର ଗମ୍ଭୀରିରେ କେମିତି ଖାଇ ଗୋଡାଏ ।ଆମକୁ ବି ମିଳିଯିବ ସହଚାର୍ଯ୍ଯ ଏଇ କଥାଟି କାର୍ଯ୍ୟକାରୀ ହେଲେ ।ଦେଖାଯାଉ ଯାହା ଗ୍ରାମେଶ୍ବରଙ୍କ ଇଛ୍ଛା ।
ଦୀର୍ଘଶ୍ବାସ ଟିଏ ଆକାଶ ଛାତିକୁ ଉଷୁମ କରି ଭେଦି ଗଲା ।
_ ହଉ ତେବେ ଆମେ ମାନେ ଆସୁଛୁ ।ବିଶ୍ୱାସ ରଖନ୍ତୁ ।ଏ ଭାବଧାରା କୁ ବାହା ନେବା କାମ ସୁଚାରୁ ରୂପେ ତୁଲେଇବୁ ।
ଉଠିଲେ ଅଗନ୍ତୁକେ ହସ୍ତ ମୁଦ୍ରିତ କରି ।
ବସିରହିଲେ ଦେବ୍ରାଜ୍ ସେଇଠି, ସେମିତି ।ବିଦେଶ ରେ ରହୁଥିବା ପୁଅ, ଝିଅ ନାତି କାହାକୁ ସମ୍ମିଳିତ ନ କରେଇ ନେଇଥିଲେ ସେ ଏପରି ଏକ ନିଷ୍ପତ୍ତି ।ଜାଣନ୍ତି ପିଲେ ଜାଣିଲେ ନିଶ୍ଚେ କହିଲେ, " ଆମେ ତୁମ ପାଇଁ ଗର୍ବିତ ବାପା " ।ଏଇଆ କି ଆସି ପାରନ୍ତିନି ପାଞ୍ଚ ବର୍ଷ ରେ ବି ଥରେ ।ଅଭିମାନ କାହା ଉପରେ ଯେ ! ନିଜରି ରକ୍ତ ପରା ।ସେ ଭାବିଛନ୍ତି ନିଜେ ରହୁଥିବା ବଖରା ଟି ରଖିଥିବେ ପିଲାଙ୍କ ନାଁ ରେ ।ଟ୍ରଷ୍ଟ ବୋର୍ଡରେ ବି ସେମାନଙ୍କ ନାମ ରଖିଥିବେ ।ଏଇ ପୂଣ୍ୟ ରୁ ମୁଠେ ମୁଠେ ରେ ଭାଗିଦାରୀ ତାଙ୍କର ବି ଅଛି ନା ।
ପୂଣ୍ଯ ତ ବାଣ୍ଟି ଦେବାକୁ ହୁଏ ।ମୁଠେଇ ରଖିଲେ ବାଲି କଣା ପରି ବହିଯାଏ ଝରଝର ।
ଢାଲ ପରି ରକ୍ଷା କରେ ପରା ।
