Satyabati Swain

Classics

3  

Satyabati Swain

Classics

ପୁତ୍ର ଗୁରୁ

ପୁତ୍ର ଗୁରୁ

8 mins
292



କୌତୁହଳ ଓ ବିସ୍ମୟ ଆମ କୈଶୋର ବୟସ ସେଦିନ ଚକିତ ହୋଇଥିଲା ସାର୍ ଙ୍କ ଠାରୁ ସେ କଥାଟି ଶୁଣି।ମୋତେ ଖୁବ୍ ପ୍ରଭାବିତ କରିଥିଲା ସେଦିନ ସାରଙ୍କ କଥା।


ମା ହିଁ ପ୍ରଥମ ଗୁରୁ ଏକଥା ତ ଆମେ ଜାଣିଥିଲୁ।ଏକଥା ବି ଜାଣିଥିଲୁ ଗୁରୁ ଅର୍ଥାତ ବୟସ ହେଉ କି ସମ୍ପର୍କ,ସବୁଥିରେ ନିଶ୍ଚିନ୍ତ ବଡ଼ ହୋଇଥିବେ।ଜାଣିବା ବୟସ ଓ ଜ୍ଞାନ ସୀମିତ ଥିଲା ସେତେ

ବେଳେ ଆମର।କିନ୍ତୁ ଗୁରୁ ଦିବସ ଦିନ ସାର୍ ଗୋଟିଏ ଗପ କହିଲେ।ସେଥିରେ ପୁତ୍ର ମା ର ହୋଇଥିଲେ ଗୁରୁ।


ପୁତ୍ରଗୁରୁ !!!


ଆମ ସମସ୍ତଙ୍କ କୋମଳ ଜିଜ୍ଞାସା ଏକ ସ୍ୱରରେ ପଚାରିଥିଲେ ବିସ୍ମୟ ହୋଇ।ସାର୍ କହିଲେ ହଁ ରେ ପିଲେ, ଗୁରୁ ଯେ କେହି ବି ହୋଇ ପାରନ୍ତି।ଗୁରୁଙ୍କର ଜାତି,ଗୋତ୍ର,ବୟସ,ଜୀବନିର୍ଜୀବ, ଧନୀ ଗରିବ କି ସଂପର୍କରେ କିଛି ନଥାଏ।


ଯେ କୌଣସି ମୁହୂର୍ତ୍ତରେ ଆମେ ଯାହାଠାରୁ କିଛି ଶିଖୁଛନ୍ତି ସେ ହିଁ ଆମର ଗୁରୁ।ଜୀବନ ସାରା ଆମେ ଗୁରୁ କରି ଚାଲୁଥାନ୍ତି। ମା ଯେପରି ପୁଅର ଗୁରୁ ;ପୁଅ ବି ସେପରି ମା ର ଗୁରୁ ହୋଇପାରନ୍ତି।ଆମ ସାର୍ ଏହି ପ୍ରସଙ୍ଗରେ ଗୋଟିଏ ଗପ କହିଥିଲେ। ସେ ଗପଟି ମୋତେ ଖୁବ୍ ଛୁଇଁଥିଲା।


ଗପଟି ଏପରି ଥିଲା।


ସୃଷ୍ଟି ଆରମ୍ଭ ବେଳର କଥା । ସଂସାରରେ ମନୁଷ୍ୟ ଜାତି ବଢ଼ାଇବା ପାଇଁ ସୃଷ୍ଟି କର୍ତ୍ତା ପ୍ରଜାପତି ବ୍ରହ୍ମା ଅନେକ ମାନସ ସନ୍ତାନ ସୃଷ୍ଟି କରିଥିଲେ । ତାଙ୍କର ତପରୁ ଜନ୍ମ ନେଇଥିଲେ ଅନେକ ପୁତ୍ର । ବ୍ରହ୍ମାଙ୍କ ଲକ୍ଷ୍ୟ ଥିଲା ସନ୍ତାନ ମାନେ ତାଙ୍କର ସଂସାର ବିସ୍ତାରିତ କରିବେ।କିନ୍ତୁ ସଂସାର ବଢ଼େଇବେ କଣ; ତପରୁ ଜନ୍ମ ନେଇଥିବାରୁ ପୁତ୍ର ମାନେ ସେଇ ତପରେ ହିଁ ବୁଡି ରହିଲେ।


ଋଷି 'କର୍ଦ୍ଦମ' ତପଜାତ ମାନସ ସନ୍ତାନ ମାନଙ୍କ ମଧ୍ୟରୁ ଜଣେ। ଋଷି କର୍ଦ୍ଦମ ସଂସାର ବଢ଼ାଇବା ଦିଗରେ ପିତା ବ୍ରହ୍ମାକୁ ସାହାଯ୍ୟ କରିବା ପରିବର୍ତ୍ତେ ଯୌବନ ଅବସ୍ଥାରେ କଠୋର ତପ ଭିତରେ ନିଜକୁ ହଜାଇ ଥିଲେ।ବ୍ରହ୍ମା ଚିନ୍ତିତ ହୋଇ ପଡିଲେ।ଦିନେ ଆସି ପୁତ୍ର ଋଷି କର୍ଦ୍ଦମଙ୍କୁ ତପ ଆଚରଣ ଛାଡି ସଂସାର କରିବାକୁ ପରାମର୍ଶ ଦେଲେ।ମାତ୍ର ତପନିଷ୍ଠ ପୁତ୍ର ଋଷି କର୍ଦ୍ଦମ ନୀରବ।ତାଙ୍କ ଭିତରେ ଦ୍ବନ୍ଦ୍ୱ।ତପ ଛାଡି ପିତୃ ଆଦେଶ ପାଳିବେ ନା ନିଜ ନିଷ୍ପତ୍ତିରେ ଅଟଳ ରହି ପରମ୍ ବ୍ରହ୍ମ ଶ୍ରୀ ବିଷ୍ଣୁଙ୍କୁ ତପ କରି ସ୍ୱର୍ଗୀୟ ସୁଖ ଲାଭ କରିବେ!


ସଂସାର ମୋହ ମାୟାରେ ଜୁଡୁବୁଡୁ। ପରମ ସୁଖ ତ୍ୟାଗ କରି ମିଛ ଦୁଃଖକୁ କାହିଁକି ବରଣ କରିବେ ବୋଲି ମନ ଭିତରେ ତାଙ୍କର କେହି ଯେପରି କହୁଥାଏ?


ପିତା ବ୍ରହ୍ମଦେଵ ପୁତ୍ରର ଉତ୍ତର ଅପେକ୍ଷାରେ।


ପୁତ୍ର ନୀରବ ନିରୁତ୍ତର।


ବ୍ରହ୍ମଦେଵ ମୌନେ ସମ୍ମତି ଲକ୍ଷଣମ ଭାବି ଖାଲି ହାତରେ ଫେରିଗଲେ।


ଦ୍ବନ୍ଦ୍ୱ ଜାଲରେ ପଡି ଋଷି କର୍ଦ୍ଦମ ସରସ୍ୱତୀ ନଦୀ ନିକଟରେ ପୁନଶ୍ଚ ଧ୍ୟାନ ମଗ୍ନ ହେଲେ।ତପ ହୁଏତ ତାଙ୍କୁ ବାଟ ଦେଖାଇବ ଚିର ତପସ୍ୱୀ ହେବେ ନା ଗୃହସ୍ଥ ପରମ ଧର୍ମକୁ ଗ୍ରହଣ କରିବେ।କଠୋର ତପସ୍ୟା ରେ ସେ ବୁଡି ରହିଲେ।ଏପରି ହେଲା ଭଗବାନ ଭକ୍ତ ପାଖକୁ ନ ଆସି ରହି ପାରିଲେ ନାହିଁ।ସ୍ୱୟଂ ଭଗବାନ ଋଷି କର୍ଦ୍ଦମଙ୍କ ସମ୍ମୁଖରେ ଦଣ୍ଡାୟ ମାନହେଲେ।ଭକ୍ତି ଗଦ୍ ଗଦ୍ କଣ୍ଠରେ ଋଷି କର୍ଦ୍ଦମ ଅଭିଭୂତ।ହେ ତ୍ରୈଲୋକ୍ୟ ନାଥ ଯୁଗେ ଯୁଗେ ତୁମରି ସାନିଧ୍ୟ ମୋତେ ମିଳୁ ପ୍ରଭୁ।ଏତିକି ଆଶୀର୍ବାଦ କରନ୍ତୁ ବୋଲି ଋଷି କର୍ଦ୍ଦମ ଯୋଡ଼ ହସ୍ତରେ କହିଲେ।


ହସିଲେ ଭଗବାନ ଶ୍ରୀବିଷ୍ଣୁ।ମାୟାଧରଙ୍କ ରଙ୍ଗା ଅଧର ହସ ସବୁବେଳେ ରହସ୍ୟମୟ।


ବୁଝିପାରିଲେ ନାହିଁ କର୍ଦ୍ଦମ ଋଷି।


ଶ୍ରୀବିଷ୍ଣୁ ହସି ହସି କହିଲେ , "ଋଷିବର ମୁଁ ତୁମକୁ ଅନୁରୋଧ କରୁଛି ତୁମେ ସଂସାର କର।"


ଋଷି କର୍ଦ୍ଦମଙ୍କ ଭିତରେ ପ୍ରବଳ ଦ୍ବନ୍ଦ୍ୱ ପିତା ବ୍ରହ୍ମ ଦେବଙ୍କ ଇଚ୍ଛା ମୁଁ ସଂସାର କରେ।ପୁଣି ମୋ ଚିର ଆରାଧ୍ୟ ଶ୍ରୀବିଷ୍ଣୁ ଙ୍କ ବି ସେଇ ଏକା ଇଚ୍ଛା !"


ନୀରବତାର ରାଜୁତିକୁ ଦୁରେଇ ମାୟାଧର କହିଲେ ,ଋଷିବର ମୋତେ ପାଇବା ପାଇଁ ତ ତୁମର ତପ ? ମୁଁ କଥା ଦେଉଛି ତୁମ ପାଖେ ପାଖେ ତୁମ ସଂସାରରେ ରହିବି।"


ଭୀଷଣ ଦ୍ବନ୍ଦ୍ୱ ଘେରରେ ଋଷି କର୍ଦ୍ଦମ।


ଆହୁରି ରହସ୍ୟମୟ ହସ ଟିକେ ଲାଗି ରହିଲା ଶ୍ରୀବିଷ୍ଣୁଙ୍କ ମୁହଁରେ।


କଣ କହିବାକୁ ଚାହୁଁଛନ୍ତି ପ୍ରଭୁ!


ଶ୍ରୀବିଷ୍ଣୁ କହିଲେ , "ଋଷି ଶ୍ରେଷ୍ଠ! ତୁମେ ସଂସାର କର' ମୁଁ ତୁମ ପୁତ୍ର ରୂପେ ' ଜନ୍ମ ନେବି।"


ଏତେ ବଡ଼ ଭାଗ୍ୟ ହେବ ମୋର!! ଋଷି ପ୍ରାଣ ବିହ୍ଵଳିତ।କିନ୍ତୁ କିଏ ହେବ ସେଇ ମହିୟସୀ ପବିତ୍ର ଭକ୍ତ ମହିଳା, ଯିଏ ତାଙ୍କ ପତ୍ନୀ ହେବ ! ଯିଏ ଶ୍ରୀବିଷ୍ଣୁଙ୍କୁ ପୁତ୍ର ରୂପେ ଗର୍ଭରେ ଧାରଣ କରିବ! ଏ ଅପ୍ରକାଶ୍ୟ ଅନ୍ତର କଥା ଅନ୍ତର୍ଯ୍ୟାମି ଜାଣି ପାରି କହିଲେ,ବ୍ୟସ୍ତ ହୁଅ ନାହିଁ ଋଷିବର, ରାଜା ମନୁ ଓ ଶତରୂପାଙ୍କ ଜ୍ୟେଷ୍ଠ କନ୍ୟା "ଦେବହୂତି" ହେବେ ତୁମ ପତ୍ନୀ।


ଦେବହୂତି !!


ଶ୍ରୀବିଷ୍ଣୁ କହିଲେ , " ହଁ ଋଷିବର ,ମନୁ ଶତରୂପାଙ୍କ ଗର୍ଭରୁ ପାଞ୍ଚ ସନ୍ତାନ ଜାତ ହୋଇଛନ୍ତି।ଦୁଇ ପୁତ୍ର ଓ ତିନି କନ୍ୟା।ସେହି ତିନି କନ୍ୟାଙ୍କ ମଧ୍ୟରୁ ବଡ଼ ଟି "ଦେବହୂତି" ଅତ୍ୟନ୍ତ ଭକ୍ତି ବତ୍ସଳା ଧର୍ମ ପରାୟଣା ମହିଳା।ସେ ହେବେ ତୁମ ଧର୍ମପତ୍ନୀ।ତାଙ୍କରି ଗର୍ଭରୁ ମୁଁ ପୁତ୍ର ରୂପେ ଜନ୍ମ ନେବି।"


ବୈଦିକ ରୀତିରେ ଋଷିବର କର୍ଦ୍ଦମ ଦେବହୂତିଙ୍କୁ ବିବାହ କରି ଗୃହସ୍ଥାଶ୍ରମରେ ରହି ସଂସାର ଆରମ୍ଭ କଲେ। କର୍ଦ୍ଦମ ଓ ଦେବହୂତିଙ୍କର ଅତି ସୁନ୍ଦର ଯୋଡି ଥିଲା। ଦୁହେଁ ଶ୍ରୀବିଷ୍ଣୁଙ୍କୁ ଉପାସନା କରନ୍ତି।ଦୁହେଁ ଜ୍ଞାନୀ,ଭକ୍ତ ଓ ଧର୍ମ ପରାୟଣ। ଈଶ୍ୱର ଏ ଦୁହିଁଙ୍କୁ ସଂସାର ମଙ୍ଗଳ ନିମନ୍ତେ ସୃଷ୍ଟି କରିଛନ୍ତି।ଏମାନେ ଉଦାହରଣ ହେବେ ଉତ୍ତରଶ୍ବରୀଙ୍କ ପାଇଁ।ଦୁଇଟି ଆତ୍ମାର ଲକ୍ଷ୍ୟ ମଧ୍ୟ ଏକ ଥିଲା।ଶ୍ରୀବିଷ୍ଣୁଙ୍କୁ ଧରାବତାରଣ କରାଇବେ।ନିରନ୍ତର ଶ୍ରୀବିଷ୍ଣୁଙ୍କ ଭାବରେ ତଲ୍ଲୀନ ଦୁଇ ଆତ୍ମା ଏକ ହେଲେ।ସରସ୍ୱତୀ ନଦୀ ତଟରେ ଥିବା ତପୋବନରେ ଶ୍ରୀବିଷ୍ଣୁ ପ୍ରେମୀ ଦୁଇ ଆତ୍ମା ପରମ ଆରାଧ୍ୟ ଶ୍ରୀବିଷ୍ଣୁଙ୍କୁ ଧ୍ୟାୟୀ ବସବାସ କଲେ।


ଦେବହୂତି ସର୍ବଗୁଣ ସଂପନ୍ନା,ଅନିନ୍ଦ୍ୟ ସୁନ୍ଦରୀ ବିଦୁଷି ଧର୍ମପରାୟଣା ମହିଳା।ଋଷି କର୍ଦ୍ଦ ସରଳ,ନିଷ୍କପଟ,ତେଜୋଦୀପ୍ତ,ତପୋନିଷ୍ଠ ସାଧୁ।ପତିବ୍ରତା ଦେବହୂତି ନିରନ୍ତର ସ୍ୱାମୀ ସେବାରେ ଦିନ ନିଅନ୍ତି।କିଛି ଦିନ ଅନ୍ତେ ପ୍ରଥମ ଗର୍ଭରେ ନଅ ଜଣ କନ୍ୟାଙ୍କୁ ଜନ୍ମ ଦିଅନ୍ତି ଦେବ ହୂତି।ଦେବହୂତି ଅବିଶ୍ୱାସ କରନ୍ତି ଏଇ ତାଙ୍କ କ୍ଷୁଦ୍ର ଗର୍ଭରେ ନଅ ଜଣ କନ୍ୟା କେମିତି ଧାରଣ କଲେ? ଏ ତ ଈଶ୍ବରଙ୍କ ଏବଂ ଋଷି କର୍ଦ୍ଦମଙ୍କ ତପସ୍ୟାର ଫଳ।ଅଲୌକିକ ନ କାହିଁକି ହେବ? ତପ ଅସାଧ୍ୟ ସାଧନ କରିପାରେ।ନଅ ଜଣ କନ୍ୟା ବିଶିଷ୍ଟ ନଅ ଋଷି କୁମାରଙ୍କ ପାଇଁ ହିଁ ସୃଷ୍ଟି ହୋଇଥିଲେ।ମାୟାଧର ସଂସାର ବିସ୍ଥାର ନିମନ୍ତେ ଏପରି ଅନେକ ଖେଳ କରୁଥିଲେ।


ଯଦିଓ ମାତୃତ୍ୱ ସୁଖରେ ଦେବହୂତିଙ୍କ ଉଲ୍ଲସିତ ଥିଲେ; ତେବେ ବି ମା ମନ କୁହୁଳୁଥିଲା।।ସେ ପରା ଶ୍ରୀବିଷ୍ଣୁଙ୍କୁ ଗର୍ଭରେ ଧାରଣ କରିଥାନ୍ତେ! କିନ୍ତୁ ନଅଟି କନ୍ୟା !! ନୀରବେ ବିଚଳିତ କରୁଥାଏ ଏ ପ୍ରଶ୍ନ ବାରମ୍ବାର ଦେବହୂତିଙ୍କୁ।ପ୍ରଭୁଙ୍କ ମା ହେବାର ଲୋଭ ତାଙ୍କୁ ଆହୁରି ଲୋଭୀ କରିଦେଉଥାଏ ।"ଆଃ ଶ୍ରୀବିଷ୍ଣୁ ମୋ ପୁଅ ହେବେ..କେତେ ଗୌରବର,ସୌଭାଗ୍ୟର କଥା ! ଜନ୍ମ ସାର୍ଥକ ହୋଇଯିବ।ସତରେ କଣ ପ୍ରଭୁ ମୋ କୋଳ ମଣ୍ଡନ କରିବେ! ସତରେ କଣ ପ୍ରଭୁଙ୍କୁ ମୋରି କୋଳରେ ଲାଳନ ପାଳନ କରିବା ଭାଗ୍ୟ ଅଛି! ଜଗତ ବନ୍ଧୁ ମୋ ପୁଅ ହେବେ !କିନ୍ତୁ ମୋର ଯେ ନଅ ଜଣ ଝିଅ ଜନ୍ମ ନେଲେ"। ମନର ଦ୍ବନ୍ଦ୍ୱ ଓ ସଂଶୟକୁ ପଢି କର୍ଦ୍ଦମ ଋଷି କହିଲେ, ବ୍ୟସ୍ତ ହୁଅ ନାହିଁ ଦେବହୂତି,ଅଚିରେ ତୁମ ମନୋକାମନା ପୂର୍ଣ୍ଣ ହେବ"। ତୁମ ଗର୍ଭ ଶୁଦ୍ଧି ହୋଇଛି ନଅଟି କନ୍ୟା ଜନ୍ମ ଦେଇ।ଏଥରକ ଦ୍ଵିତୀୟ ଗର୍ଭରେ ତୁମେ ନିଶ୍ଚୟ ଶ୍ରୀବିଷ୍ଣୁଙ୍କୁ ପୁତ୍ର ରୂପେ ଧାରଣ କରିବ।ଭଗବାନଙ୍କ ମୁଖ ନିଃସୃତ ବାକ୍ୟ ଅନ୍ୟଥା ହେବ ନାହିଁ।


ସତକୁ ସତ ଦ୍ଵିତୀୟ ଗର୍ଭରେ ଦେବହୂତି ପୁତ୍ର ସନ୍ତାନର ଜନନୀ ହେଲେ।ଶିଶୁ ପୁତ୍ର ନାମ ରଖାଗଲା "କପିଳ"।ପିଲାଦିନୁ କପିଳ ଅତ୍ୟନ୍ତ ଚୁପ୍ ଚାପ୍,ଉଦାସ ରହୁଥିଲେ।ସଂସାରରେ ସତ୍ୟର ପ୍ରତିଷ୍ଠା କରିବା ନିମନ୍ତେ କପିଳଙ୍କ ଜନ୍ମ।ନର ରୂପୀ ନାରାୟଣ ସେ।କପିଳ ଧରାବତରଣ କରିଛନ୍ତି ଆତ୍ମଜ୍ଞାନ ବାଣ୍ଟିବା ପାଇଁ।ଆତ୍ମଜ୍ଞାନ ଶ୍ରେଷ୍ଠ ଜ୍ଞାନ,ଆତ୍ମଦର୍ଶନ ଶ୍ରେଷ୍ଠ ଦର୍ଶନ,ଏଇ ତତ୍ତ୍ୱ ପୃଥିବୀ ବକ୍ଷରେ ମାନବ ପ୍ରାଣରେ ସେ ଖେଳାଇବେ।


କର୍ଦ୍ଦମ ପୁତ୍ର ମୋହରେ ଡୁବିଗଲେ।ତପ ଭୁଲି ଗଲେ।ମାତ୍ର ପୁତ୍ର କପିଳ ପିତା କର୍ଦ୍ଦମଙ୍କୁ ଗୃହସ୍ଥାଧର୍ମ ତ୍ୟାଗ କରି ତପ ସାଧନାରେ ଲିପ୍ତ ରୁହନ୍ତୁ ବୋଲି ବୁଝାଇ ଦେଲେ।ପତ୍ନୀ ଓ ପୁତ୍ରଙ୍କୁ ଛାଡି ଋଷି କର୍ଦ୍ଦମ ବଣକୁ ତପସ୍ୟା କରିବାକୁ ଚାଲିଗଲେ।


ମାତ୍ର ଯିବା ସମୟରେ ଦେବହୂତି ବାଟ ଓଗାଳିଲେ।ତାଙ୍କୁ ସଙ୍ଗରେ ନେବା ପାଇଁ ଅନୁରୋଧ କଲେ।ସେ ବି ଜ୍ଞାନ ଓ ସାଧନାର ଅଧିକାରୀ ହେବାକୁ ଚାହାନ୍ତି।କିନ୍ତୁ କର୍ଦ୍ଦମ ଋଷି ପୁଅ କପିଳ ଏକା ହୋଇଯିବ,ତୁମେ ଏବେ ମାତା ଧର୍ମ ପାଳନ କର।ସମୟ ଆସିଲେ ତୁମେ ଜ୍ଞାନ ଓ ସାଧନା କରିବ କହି ବନକୁ ଚାଲିଗଲେ।ଏହି ନରରୂପୀ ନାରାୟଣ ପୁତ୍ର ତୁମକୁ ସଦଜ୍ଞାନ ଦେବେ।ସମୟକୁ ଅପେକ୍ଷା କର କହି କର୍ଦ୍ଦମ ଋଷି ଗ୍ରାହ୍ୟସ୍ଥଧର୍ମ ତ୍ୟାଗ କରି ବାନପ୍ରସ୍ଥ ଧର୍ମ ଗ୍ରହଣ କଲେ।


ଦେବହୂତିଙ୍କ ଅସ୍ଥିର ମନ ଦୁଃଖରେ ବୁଡିଗଲା।ସ୍ୱାମୀ ଚାଲିଗଲେ ତପସ୍ୟା କରିବାକୁ।ପାଖରେ ଯୁବକ ପୁତ୍ର ବହୁତ ଆଜ୍ଞାକାରୀ କିନ୍ତୁ ଖୁବ୍ ଉଦାସ।।ଉତ୍ତମ ପୁତ୍ର କପିଳ ମା ଦେବହୂତିଙ୍କୁ ଯଥାସାଧ୍ୟ ଖୁସି ରଖିବାକୁ ଚେଷ୍ଟା କରୁଥିଲେ।ଦେବହୂତି ଭାବୁଥିଲେ ସ୍ୱାମୀ କର୍ଦ୍ଦମ କହି ଯାଇଛନ୍ତି ପୁତ୍ର କପିଳ ମୋତେ ଜ୍ଞାନ ଦେବ।କିନ୍ତୁ କେମିତି,କେବେ? ମନ ସଂସାରରେ ଲାଗୁ ନାହିଁ।ଜ୍ଞାନ ଲାଭ କରିବାକୁ ପ୍ରବଳ ଇଚ୍ଛା।ଚିନ୍ତାମଗ୍ନ ଦେବହୂତି।


ମୋ ନିଜ ପୁଅ କପିଳ ମୋର ଗୁରୁ ହେବ।ମା ର ଗୁରୁ ପୁଅ।


ଏକଥା ଚିନ୍ତାକଲା ବେଳକୁ ଦେବହୁତିଙ୍କ ଶରୀର ଭିତରେ ଅଦ୍ଭୁତ ପୁଲକ ଖେଳିଯାଉଥିଲା।ଆଃ କି ଚମତ୍କାର ଭାଵ।ଦେବହୂତି ପୁତ୍ର କପିଳଙ୍କୁ ନିଜ ମନ କଥା କହିଲେ।ପୁତ୍ର କପିଳ କହିଲେ, " ସତରେ କଣ ମା ତୁମେ ଆତ୍ମଜ୍ଞାନର ଅଧିକାଋଣୀ ହେବାକୁ ଚାହୁଁଛ? ମା ! ସଂସାର ମାୟା ମୋହ ତୁଟାଇବା ଅତିବ କଷ୍ଟ ।ତୁମେ କଣ ସବୁ ମୋହ ଛିଡେଇ ପାରିବ ! ମା ଏଥିପାଇଁ ପୁତ୍ର ସ୍ନେହମମତା ମୋହରୁ ମୋତେ ପ୍ରଥମେ ମୁକ୍ତ କର। ମା ପୁଅ ସମ୍ପର୍କ ହିଁ ତୁମକୁ ବନ୍ଧନରେ ବାନ୍ଧି ରଖିଛି।ସେଇଟିକୁ ଆଗ କାଟି ପାରିବେ !


ମାତା ପୁତ୍ର ସମ୍ପର୍କ ଛିନ୍ନ ! ସେ କେମିତି ସମ୍ଭବ ହେବ! ଦେବହୂତି ମୋହାବିଷ୍ଟ।ଆଶଙ୍କା ପୁଅ କପିଳ କଣ ମା କୁ ଛାଡି ଚାଲିଯିବେ ତାଙ୍କ ପିତା କର୍ଦ୍ଦମଙ୍କ ପରି ! କପିଳ କଣ ତାଙ୍କ ଠାରୁ ସମ୍ପର୍କ ତୁଟେଇବାକୁ ଚାହୁଁଛନ୍ତି! କଣ ପ୍ରକୃତରେ ଚାହୁଁଛନ୍ତି କପିଳ!


ମା ଙ୍କ ଶଙ୍କା ମୋଚନ ପାଇଁ କପିଳ କହୁଛନ୍ତି ମା ! ଯଦି ବାସ୍ତବରେ ତୁମେ ମୋ ଠାରୁ କିଛି ଶିଖିବାକୁ ଚାହୁଁଛ ପ୍ରଥମେ ଆମେ ସ୍ଥାନ ପରିବର୍ତ୍ତନ କରିବା।


ସ୍ଥାନ ପରିବର୍ତ୍ତନ!! ଅର୍ଥାତ ତୁମେ କଣ କହିବାକୁ ଚାହଁ ପୁତ୍ର ? ଦେବହୂତି ବିସ୍ମୟ ପ୍ରକାଶ କରି କହିଲେ।


ବିନୟ ହୋଇ କପିଳ କହିଲେ ମା,ଜନ୍ମଦାତ୍ରୀ ମୋର,ତୁମେ ମା ହୋଇ ରହିଲେ ମୁଁ ଶିକ୍ଷା ଦେବାକୁ ଅକ୍ଷମ ହେବି ମା।ପୁଅ କଣ ମାଙ୍କୁ ଶିକ୍ଷା ଦେଇପାରେ! ଅର୍ଥାତ ତୁମେ ମୋତେ ଗୁରୁ କରିବାକୁ ପଡିବ।ଯଦି କାହାଠାରୁ ଜ୍ଞାନ ପ୍ରାପ୍ତି ପାଇଁ ମନ ବଳାଇବ ତାଙ୍କୁ ଯଥା ସ୍ଥାନ ନ ଦେଲେ ଜ୍ଞାନର ମହତ୍ୱ ରହିବ ନାହିଁ କିମ୍ବା ଜ୍ଞାନ ଫଳ ପ୍ରସୂ ହେବ ନାହିଁ।ଏଣୁ ପୁଅ ହେବ ମା ଙ୍କର ଗୁରୁ।


ଦେବହୂତି ମହା ଆନନ୍ଦ ହୋଇ କହିଲେ, "ହଁ ମୁଁ ରାଜି। ମୋ ନିଜ ପୁତ୍ର ମୋର ଆଜିଠାରୁ ଗୁରୁ ହେଲେ। ମୁଁ ସ୍ୱକାର କରୁଛି ତୁମେ ମୋ ଗୁରୁଦେବ ହେଲ।


ସେଇଦିନଠାରୁ ପୁତ୍ର କପିଳ ମୁନିବେଶ ଧାରଣ କରି ମାତା ଦେବହୂତିଙ୍କୁ ତାଙ୍କ ଶିଷ୍ୟା ରୂପେ ଗ୍ରହଣ କଲେ।


ଆଶ୍ଚର୍ଯ୍ୟ କଥାମୃତ ମା ଦେବହୁତି ଶିଷ୍ୟା,ତରୁଣ ପୁଅ କପିଳ ମୁନୀ ବେଶରେ ,ଗୁରୁ,।ପୁଅ ଶିକ୍ଷା ଦେବ ମାଙ୍କୁ।ସ୍ୱୟଂ ଭଗବାନ କପିଳ ମୁନୀ ରୂପେ ନିଜ ମାତାଙ୍କୁ ଦେବେ ଆତ୍ମଜ୍ଞାନ। ବିଚିତ୍ର, ବିସ୍ମୟ ଓ ଆତ୍ମ ଜ୍ଞାନରେ ଭରପୁର କଥା।


ମା ଶିଷ୍ୟା ଦେବହୂତି ଅନନ୍ତ ସୁଖରେ ପହଁରୁଛନ୍ତି।ଯାହାକୁ ସେ ଗର୍ଭରେ ଧାରଣ କରିଥିଲେ,ଯିଏ ତାଙ୍କ ପୁତ୍ର ସେଇ କପିଳ ଅବତାରୀ ପୁରୁଷ ସ୍ୱଂୟ ଭଗବାନ।ସେଇ ଭଗବାନ ନିଜେ ଦେବୁହୂତିଙ୍କୁ ମୋକ୍ଷ୍ୟ ମାର୍ଗ ଦର୍ଶନ କରାଇବେ ମା ଦେବହୂତିଙ୍କ ମାଧ୍ୟମରେ।ସଂସାର ଭଗବାନଙ୍କ ନିଜ ମୁଖ ନିଃସୃତ କଥା ଶୁଣାଇଁବେ ଗୁରୁ ହୋଇ।ଏହାଠାରୁ ରୋଚକ କଥା କଣ ହୋଇପାରେ ସଂସାରରେ !


ପୁତ୍ର ଗୁରୁଦେବ କପିଳ ମୁନୀ କହୁଛନ୍ତି , "ହେ ମାତା ! ତୁମେ ମୋ ଶିଷ୍ୟା ହେଲେ ବି ମୁଁ ତୁମକୁ ଜନନୀ ବା ମାତା ସମ୍ବୋଧନ କରିବି.ଏଥିରେ ମାତୃତ୍ୱ ତୁମର ଯେପରି ଉଛୁଳି ନ ଉଠେ।କିମ୍ବା ବିଚଳିତ କି ଆସକ୍ତି ନ ଜାଗେ।ନିଜ ଉପରେ ନିୟନ୍ତ୍ରଣ ରଖିବ।କାରଣ ଏ ଜଗତ ଜନନୀ ମୟ,ମାତୃ ମୟ।ମୋ ଦୃଷ୍ଟିରେ ଏ ସସାଗରା ଧରା ହିଁ ମୋ ଜନନୀ ମୋ ମାତା।ତୁମେ ବି।


ହେ ଜନନୀ! ଭକ୍ତି ଯୋଗରେ ବୁଡି ଆତ୍ମଜ୍ଞାନ ପାଇବାକୁ ହେଲେ,ବିଷୟ ବାସନାକୁ ତ୍ୟାଗ କରି ବୈରାଗୀ ହେବାକୁ ପଡେ।କାରଣ ବିଷୟ ବାସନା ଜୀଵ ମନ ହୃଦୟର ଶୃଙ୍ଖଳ ପରି।ଏଥିରୁ ମୁକ୍ତ ହେବାକୁ ପଡିବ।ଆଧ୍ୟାତ୍ମିକ ଜଗତକୁ ପ୍ରେମ କଲେ ନିର୍ଲିପ୍ତ ହେବାକୁ ପଡିବ।ସମ୍ପୂର୍ଣ୍ଣ ସମର୍ପଣ ଭାବରେ ବୁଡି ଈଶ୍ୱର ପାଦ ଅର୍ଥାତ ମୋ ପାଦ ଧ୍ୟାନ ଧାରଣା କରିବାକୁ ପଡିବ।ଯିଏ ସବୁ ଛାଡି ଈଶ୍ବରଙ୍କ ପାଦ ତଳେ ନିଜକୁ ସମ୍ପୂର୍ଣ୍ଣ ଅଜାଡି ଦିଅନ୍ତି ଭଗବାନ ତାହାରି ପାଖେ ବନ୍ଧା ପଡ଼ିଯାନ୍ତି।ତୁମେ ଏପରି କରି ପାରିବ ତ!!


ଦେବହୂତି ସମ୍ଭିଭୂତ। ଏଇ ମାତା,ଜନନୀ ସମ୍ବୋଧନ କଣ କମ୍ ସୌଭାଗ୍ୟର କଥା କି? 


ଯେଉଁ ନାମରେ ସମ୍ବୋଧନ କର ଗୁରୁଦେବ,ମୁଁ କେବଳ ସ୍ମରଣ ରଖିବି ଯେ ସାମାନ୍ୟ ଶିଷ୍ୟା ମାତ୍ର।


ଏହା ବ୍ୟତିରେକ ମୋ ମନକୁ କୌଣସି ଭାବମୟ ଭାବନା କି ଆସକ୍ତି ଆଣିବାକୁ ଦେବି ନାହିଁ।କେବଳ ମାତ୍ର ଗୁରୁ ପଦାରବିନ୍ଦରେ ମନ ନିଵେଶ କରିବି।ମାତା ଦେବହୂତି ପ୍ରଶ୍ନ ଭକ୍ତ କିଏ ଓ ଭକ୍ତିର ଲକ୍ଷଣ କଣ ର ଉତ୍ତରରେ ପୁତ୍ର ଗୁରୁ କହିଲେ, ସଂସାର ସାଗରରୁ ତରିବା ପାଇଁ ଯିଏ ସାଧୁସଙ୍ଗ କରନ୍ତି ,ସଂସାର ଭିତରେ ରହି ବି ସାଧୁ ସନ୍ୟାସୀ ଜୀବନ ବଂଚନ୍ତି,ଈଶ୍ୱର ପାଦପଦ୍ମରେ ନିଜକୁ ଢାଳି ଦେଇଥାନ୍ତି ସେହିଁ ତ ଭକ୍ତ।ମନକୁ ବିକ୍ଷିପ୍ତ ବା ଏଣେ ତେଣେ ନ ବୁଲାଇ ଯେଉଁମାନେ ଏକାଗ୍ର ଚିତ୍ତରେ କର୍ମ,ଧର୍ମ,ତପ,ଜପ ଓ ଧ୍ୟାନ କରନ୍ତି ସେହି ଭକ୍ତ।ଜଗତର ସମସ୍ତ ସୃଷ୍ଟି ଏକ, ସଭିଙ୍କ ଭିତରେ ସେ ତା ଇଷ୍ଟ ପରମପୁରୁଷଙ୍କୁଦେଖିପାରେ,ଇନ୍ଦ୍ରିୟ ସଂଯମୀ ହୋଇ ଆତ୍ମ ସୁଖରେ ବୁଡି ରୁହେ,ସେ ହିଁ ଭକ୍ତ।


ଈଶ୍ୱରଙ୍କ ଉପରେ ଯେଉଁମାନଙ୍କର ଆସ୍ଥା ଦୃଢ଼ ପ୍ରଗାଢଓ ପାଗଳ ପ୍ରାୟ ଈଶ୍ବରଙ୍କ ନାମ ଶ୍ରବଣ,କୀର୍ତ୍ତନ ଓ ଜପନ କରିଥାନ୍ତି ସେଇମାନେ ହିଁ ଭକ୍ତ ପଦବାଚ୍ୟ।ପୂର୍ଣ୍ଣପ୍ରାଣ ସମର୍ପଣ ଭାଵ,ଶ୍ରଦ୍ଧା,ସାଧୁ ସଙ୍ଗରେ ମନ,ହୃଦୟକୁ ସଦା ନିମଜ୍ଜିତ ରଖେ ବିଭୁ ପଦାରବିନ୍ଦରେ ସେ ହିଁ ତ ଭକ୍ତ।


ମାତା ଦେବହୂତି ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରି ଭକ୍ତିର ମାର୍ଗ ଖୋଜୁଥିଲେ।ପୁତ୍ର ଗୁରୁ ମାତାଙ୍କ ଏ ଜିଜ୍ଞାସା ପୁର୍ଣ୍ଣ କରିବାକୁ ଯାଇ କହିଲେ,ହେ ମାତ ଭକ୍ତି ଯୋଗ ବଳରେ ଜୀଵ ଉଦ୍ଧାର ହୁଏ,ସଂସାର ମୋହ ତୁଟାଏ।ଯେତେବେଳେ ଭକ୍ତର ବନ୍ଧନ ହୁଏ ତାର ଆତ୍ମଜ୍ଞାନଠିକ୍ ସେଇ ସମୟରୁ ସେ ପ୍ରଜ୍ଞାତ୍ୱ ଲାଭ କରେ।


ମାତା! ତତ୍ତ୍ୱଦର୍ଶୀ ମନରେ ସଂଶୟ ନଥାଏ।ସଂଶୟ ସାଧକକୁ ନିମ୍ନଗାମୀ କରାଏ ସାଧନା ଫଳପ୍ରସୂ ହୁଏ ନାହିଁ।ସଂଶୟହିଁନ ସାଧକ ଉର୍ଦ୍ଧ୍ବଗାମୀ ହୁଏ ସାଧନାରେ ସିଦ୍ଧି ଲଭି ଆତ୍ମପୁରୁଷଙ୍କ ସହ ଭେଟ ହୁଏ।ଆତ୍ମପୁରୁଷଙ୍କ ବାସସ୍ଥଳୀ ହେଉଛି ପ୍ରକୃତି ଉପରେ।ଅପ୍ରାକୃତ ପ୍ରେମମୂର୍ତ୍ତି ସେ।


ସାଧନା ବଳେ ସେଇ ଅପ୍ରାକୃତ ପ୍ରେମ ଲାଭ ହୋଇଥାଏ।ଆତ୍ମା ଅବିନଶ୍ଵର,ନିର୍ଗୁଣ।ସତ୍ତ୍ୱ, ରଜ, ତମ ଗୁଣ ଉପରେ ଆତ୍ମାପୁରୁଷ।


ଆତ୍ମା ପୁରୁଷଙ୍କ ଦେଖିବାକୁ ହେଲେ କଠୋର ସାଧନା ଓ ଜ୍ଞାନ ଆଖି ଆବଶ୍ୟକ।ଦିବ୍ୟଚକ୍ଷୁରେ ଆତ୍ମପୁରୁଷ ସର୍ବତ ବିଦ୍ୟମାନ।


କର୍ମ ପ୍ରକୃତି ବଶ ହେଲେ ତାହା ଶ୍ରମ; ଯେଉଁଥିରେ ବିପଦ ଓ ଦଣ୍ଡ ଥାଏ।ମାତ୍ର କର୍ମ ନିବୃତ୍ତି ପଥରେ ଗଲେ ତାହା ଆମକୁ ମୁକ୍ତି ଓ ମୋକ୍ଷ ଦେଇଥାଏ।


ଏଣୁ ନିବୃତ୍ତି ପଥ ଶ୍ରେଷ୍ଠ ପଥ।କର୍ମ ସୁ କିମ୍ବା କୁ ସବୁ ଫଳ ଦେହେ ହିଁ ଭୋଗେ ଆତ୍ମା ନୁହେଁ।ଭଲ କର୍ମର ଭଲ ଫଳ,ଖରାପ କର୍ମ ଫଳ ଦୁଃଖଦାୟକ।ସବୁ ଫଳ ଆମକୁ ହିଁ ଭୋଗ କରିବାକୁ ନିଶ୍ଚିନ୍ତ ହେବ।


ମା ! ଆମର ଏ ଶରୀର ଚବିଶି ତତ୍ତ୍ୱରେ ଗଠିତ।ପଞ୍ଚଭୂତ: ପୃଥିବୀ,ଜଳ,ବାୟୁ,ଅଗ୍ନି,ଓ ଆକାଶ।

ପଞ୍ଚ ଇନ୍ଦ୍ରିୟ: ଜିଭ,ନାକ,ଆଖି,କାନ,ଚର୍ମ। ପୁଣି ଏମାନଙ୍କ ସହ ରହିଛିମନ,ବୁଦ୍ଧି,ଚିତ୍ତ,ଅହଙ୍କାର।ଏ ସବୁକୁ ନେଇ ଶରୀର ଗଠିତ ହୋଇଛି।


ଆମ ଭିତରେ ହିଁ ଆତ୍ମା ପୁରୁଷ ଅଛନ୍ତି।ମାତ୍ର ଆମ ମନ ବିଚଳିତ।ଯେପରି ଆକାଶର ପୂର୍ଣ୍ଣ ସ୍ଥିର ଚନ୍ଦ୍ର ପ୍ରତିମ୍ବିବ ପୋଖରୀରେ ଚହଲା ମାତ୍ରେକେ ଅଦୃଶ୍ୟହୋଇଯାଏ;ସେପରି ଆମେ ମନକୁ ବିକ୍ଷିପ୍ତ କଲେ ବା ଚହଲେଇ ଦେଲେ ଆମେ ଚନ୍ଦ୍ର ରୂପୀ ଆତ୍ମାକୁ ଆଉ ଦେଖି ପାରିବା ନାହିଁ।ଏଣୁ ନିଶ୍ଚଳ,ସ୍ଥିରତା ନିହାତି ଲୋଡ଼ା ଆତ୍ମପୁରୁଷଙ୍କ ଉପସ୍ଥିତ ଦେଖିବା ପାଇଁ।


ଏହି ପରମପୁରୁଷଙ୍କଠାରୁ ପ୍ରକୃତି ସୃଷ୍ଟି।ସେ ସକଳ ଘଟରେ ଶୁକ୍ଷ୍ମ ରୂପେ ବିଦ୍ୟମାନ।ସେ ହିଁ ନିତ୍ୟ।ଆମ ଜୀବନ ପାଣି ଫୋଟକା ଅନିତ୍ୟ।


ବିଚିତ୍ର ଚରିତ୍ର ଦେବହୂତି: ଯେ ସଦା ସର୍ବଦା ଦିବ୍ୟଜ୍ଞାନ ପାଇଁ ବ୍ୟାକୁଳ ହେଉଥିଲେ।ପୁତ୍ର ଗୁରୁ କପିଳ ମାତାଙ୍କୁ ସମସ୍ତ ଦିବ୍ୟଜ୍ଞାନ ଦେଲା ପରେ ଜଙ୍ଗଲକୁ ଚାଲି ଯାଇଛନ୍ତି।ଦେବହୂତି ପୁତ୍ର ବିଚ୍ଛେଦ ସହି ପାରି ନାହାନ୍ତି।ମା ମନ ଝୁରି ହେଉଛି ସ୍ୱୟଂ ଭଗବାନ ରୂପୀ ପୁତ୍ର କପିଳ ମୁନୀଙ୍କୁ।ତାଙ୍କ ମାଧ୍ୟମରେ ଭଗବାନ କପିଳ ମୁନୀ ସଂସାରକୁ ଦିବ୍ୟ ଜ୍ଞାନ ଦେଇ ନିଜ ତପସ୍ୟାକୁ ଚାଲିଗଲା ପରେ ଦେବହୂତି ବ୍ରହ୍ମଚାରିଣୀ ହୋଇ ନିଃଶ୍ଚଳ ଯୋଗ ମୁଦ୍ରାରେ ଧ୍ୟାନ କଲେ ଆତ୍ମପୁରୁଷଙ୍କୁ।ସରସ୍ୱତୀ ନଦୀ ତଟସ୍ଥ ଋଷି କର୍ଦ୍ଦମଙ୍କ ଆଶ୍ରମ ମନୋରମ ଉଦ୍ୟାନ ହୋଇଛି ଦେବହୂତିଙ୍କ ସାଧନା ପୀଠସ୍ଥଳୀ।


ନିଶ୍ଚଳ ଯୋଗ ଓ ଭକ୍ତି ବଳରେ ସେ ଦେଖି ପାରିଛନ୍ତି ଆତ୍ମପୁରୁଷଙ୍କୁ।ବ୍ରହ୍ମ ନିର୍ବାଣ ପ୍ରାପ୍ତି ହୋଇଛନ୍ତି କଠୋର ତପ ସାଧିକା ରତ୍ନ ଦେବହୂତି।ସାଧନାରେ ସିଦ୍ଧି ପ୍ରାପ୍ତ ହେଲେ ସେ।


ଦେବହୂତିଙ୍କ ଆତ୍ମା କାନ୍ଦୁଥିଲା।ଆନନ୍ଦାଶ୍ରୁ ବହି ପଡୁଥିଲା ବ୍ରହ୍ମ ଦର୍ଶନରେ।ତାଙ୍କ ପ୍ରାଣ ଖୋଜୁଥିଲା ପୁତ୍ର ଗୁରୁ କପିଳ ନରରୂପୀ ନାରାୟଣଙ୍କୁ।



( ଏହି ଗଳ୍ପର ଶୁଣା କଥା ଉପରେ ପର୍ଯ୍ୟବେସିତ)



Rate this content
Log in

Similar oriya story from Classics