ଏଇ ଗାଁ ଝିଅ ମିନତି.ସେଦିନ ଅଗିରା ପୂର୍ଣ୍ଣମୀ ଚାନ୍ଦିନୀ ରାତିରେ ଚନ୍ଦ୍ର ଙ୍କ ଶୀତଳତା ଭରା ଜୋଛନା ତଳେ ଠିଆ ହୋଇ କେତେକଣ ଭାବି ଚାଲିଥିଲା ବେଳେ ଅଶୋକ ଆସି ତାଙ୍କ ବାମ ହାତ ପାପୁଲଟିକୁ ଭିଡ଼ିନେଇ କହିଥିଲେ ତତେ ଗୋଟେ କଥା ପଚାରିବି ସତ କହିବୁ ମିନତି!କଥା ଶେଷ ହେବା ପୂର୍ବରୁ ହାତ ଛିଞ୍ଚାଡି ଘର ଭିତରକୁ ଦୌଡ଼ି ପଳେଇଥିଲେ ମିନତି. ସେଦିନ କିନ୍ତୁ ଆଜି ର ଏହି ପଡୋଶୀ ଖୁଡିଶାଶୁ ବୋଲାଉଥିବା ନେତି ଖୁଡି ତାଙ୍କ ବୋଉ ବାପାଙ୍କ ପାଖେ କଥାଟା ପକ୍କା କରିବାକୁ ପଛେଇନଥିଲେ. ମଙ୍ଗଳ ଦୋଷ ଥିଲା ଜାତକରେ ବୋଲି ସବୁ ପ୍ରସ୍ତାବ କାଟ ଖାଇ ଯାଉଥିଲା ମିନତିଙ୍କର. ସେତେବେଳେ ଅଶୋକ ଙ୍କୁ କାହିଁକି ସେ ମଙ୍ଗଳ ଦୋଷରେ ଘାଣ୍ଟିବେ ବା ତାଙ୍କର କିଛି କ୍ଷତି ପହଞ୍ଚାଇବେ ଭାବି ସେଦିନ ଅଗିରା ଜଳା ସ୍ଥାନରୁ ଅଶୋକଙ୍କ ସ୍ପର୍ଶ ରେ ଫିଟି ଆସିଥିବା ମିନତି ଙ୍କ ମନତଳେ କେବଳ ଯେ ଅଶୋକ ରାଜା ହୋଇ ହୃଦୟ ମାଡିବସିଥିଲେ ଏକଥା ସେ ଅନେକଙ୍କ ସହିତ ଅଶୋକଙ୍କୁ ଫାଙ୍କି ଦେଲେ ଵି ନିଜ ପାଖରେ ହାରି ଯାଉଥିଲା ବେଳେ ବାହଘର ହୋଇଗଲା ନେତି ଖୁଡିଙ୍କ ମଧ୍ୟସ୍ଥି ରେ. ବୋହୁ ହୋଇ ଆସିଲା ପରେ କିନ୍ତୁ ଶାଶୁଙ୍କ ଅସହ୍ୟ ଗାଳି ଗୁଲଜ ସାଙ୍ଗକୁ ପରୋକ୍ଷ କଟାକ୍ଷ ଓ ପ୍ରତ୍ୟେକ୍ଷ ଯନ୍ତ୍ରଣା ସହି ନପାରି ନେତି ଖୁଡିଙ୍କ ବାଡ଼ିପଟ କଇଁ ଗାଡିଆରେ ବସି କେତେ କାନ୍ଦନ୍ତି. ପଛରୁ ପିଠିରେ ହାତ ରଖି ନେତି ଖୁଡି ଖାଲି ତାଙ୍କୁ ବୁଝାନ୍ତି ନାହିଁ ବରଂ ଶାଶୁଙ୍କୁ ମଧ୍ୟ ବୁଝାନ୍ତି. ପାଚିଲା ପତର ଆମେ.ଫଗୁଣ ଆସୁ ଆସୁ ପତ୍ରଝଡା ଦେବା ପରି କେତେବେଳେ ଝଡିଯିବା କିଏ କହିବ ନାନୀ!ଆମେ ତେଣୁ ବୋହୁକୁ ଝିଅ ପରି ଭାବିବା ଉଚିତ.ଭାବ ଥରେ, ଦେଖିବ ଜୀବନରେ ରଙ୍ଗ ଭରିଯିବ. କି ମଙ୍ଗଳ ଦୋଷ!. କାହିଁକି କରୁଛ ମିଛରେ ଅବଶୋଷ!ଆହେ ନାନୀ ଆଜିକାଲି ପରା ନାହାକ ପଣ୍ଡିତ କହନ୍ତି ମିଛ... ଦ୍ୱାରେ ଦ୍ୱାରେ ବୁଲି ମାଗନ୍ତି ଭିକ. ଏମିତି ସବୁ କହି କେତେ ବୁଝେଇଥିଲେ ଶାଶୁଙ୍କୁ ନେତି ଖୁଡି. ତାଙ୍କୁ ମଧ୍ୟ କହିଥିଲେ ଗୁରୁଜନ ମାନଙ୍କ କଥା ଧରିବୁନି. ମାଆ ଗାଳି ହେଲା ଆଶୀର୍ବାଦ ଭଳି. ତୁମ ନିଜ ଜନ୍ମ କଲା ମାଆ କହିଲେ ଯଦି ବାଧୁନି ତେବେ ଶାଶୁଙ୍କ କଥା ଧରିବା ଉଚିତ ନୁଁହଁ. ଆମେ ପୁରୁଣକାଳିଆ ମଣିଷ. ସେଦିନ ଖାଲି ମିନତି ବୁଝିଯାଇଥିଲେ ନୁଁହଁ ବରଂ ଶାଶୁ ଙ୍କ ବ୍ୟବହାର ରେ ଢେର ପରିବର୍ତ୍ତନ ଆସିଥିଲା. ଆଜି ନିଜ ବାପା ବୋଉ, ଶାଶୁ ଶଶୁର ସମୟ ଚକ୍ରରେ ଆରପାରିରେ ସତ କିନ୍ତୁ ନେତି ଖୁଡିଙ୍କ ପରି ହାତଗଣତି କେତେ ଜଣ ଅଛନ୍ତି!ଯିଏ ପର ହୋଇ ଵି ଭାରି ଆପଣାର. ରକ୍ତର ନହୋଇ ମଧ୍ୟ ଭିଡି ଧରନ୍ତି ସମ୍ପର୍କ ଡୋର. ଏଇ ନେତି ଖୁଡିଙ୍କ ଭଳି ଲୋକସବୁ ଗାଁରେ ସେହି ପୁରୁଣକାଳିଆ ଲୋକ ହୋଇ ପୁରୁଣା ସଂସ୍କୃତି, ସଂହତି, ପରମ୍ପରା ଜାବୁଡି ଧରିଛନ୍ତି ବୋଲି ତ ଛୁଟିରେ ମସ୍ତି କରିବାକୁ ଗାଁକୁ ସେ ଦୌଡ଼ି ଆସିଛନ୍ତି ସୁଦୂର ସହରରୁ.
ଭାବୁ ଭାବୁ ମିନତି ଙ୍କ ଦୁଇ ପୁଅ ଚିକୁ ଓ ମିକୁ ଙ୍କୁ ଗାଧୁଆ ପାଧୁଆ କରି ପୁଣି ପିନ୍ଧେଇ ଖୁଆଇ ପିଆଇ ଓ ମୁଣ୍ଡରେ ଚାନ୍ଦକଳା ଟିପା ଦେଇ ନେ ଲୋ ଝିଅ ତୋ ପିଲାଙ୍କୁ ଶୁଆଇ ପକା ଘଡିଏ କହି କେତେ ଭଲ ଭଲ ଖାଇବା ଦରବ ଦେଇଗଲେ ମିନତିଙ୍କୁ. ବସନ୍ତୁ ଘଡିଏ ଖୁଡି କହି ବସେଇ ଦେବା ରୁ ଖୁଡି କହୁଥିଲେ କେମିତି ସହରରେ ଚଳୁଛୁ ଲୋ ଝିଅ!କିଛି ଦିନ ତୋ ଦାଦାଙ୍କର ମୋର ଯାଇଥିଲୁ ବଡ଼ ସହର ବୋଲାଉଥିବା ଦିଲ୍ଲୀ କୁ ପୁଅ ବୋହୁଙ୍କ ପାଖକୁ ତ ସାହି ପଡୋଶୀ କେହି ନାହିଁ କଥା ପଦେ ହେବାକୁ. ଯିଏ ଅଛନ୍ତି ନିଜ ଭାଷଭାଷି ନୁଁହଁନ୍ତି. ତୁଳସୀ ଗଛଟିଏ କୋଉଠି ପାଇଲିନି. କାର୍ତ୍ତିକ ପୂର୍ଣ୍ଣମୀ ରେ ଡ଼ଙ୍ଗା ଭସେଇବାକୁ ନା ଅଛି କଦଳୀ ପଟ ନା ଅଛି ନଈ ପୋଖରୀ କି ହ୍ରଦ ପରି ଘାଟ!ପ୍ରଥମାଷ୍ଟମୀ ପରି ଦିନରେ ନାତିଟାକୁ ପୋଡହ୍ନା କରିବାକୁ ହଳଦୀ ପତ୍ର ଦିଖଣ୍ଡ ପାଇଲିନି ଏଣ୍ଡୁରି ଦୁଇଟା କରିବାକୁ. ନାତି ଟୋକା ମୁନା ମୋର ସେ ସହରରେ ରହି ପାଠ ପଢିଲେ କୋଉ ଓଡ଼ିଆ ରୀତି ନୀତି କି ସଂସ୍କୃତି ଶିଖିବ!ସେଇଥିପାଇଁ ପୁଅ ବୋହୁଙ୍କୁ କେତେ ବୁଝେଇ କହି ନାତି ଟୋକାକୁ ଧରି ଗାଁକୁ ଚାଲି ଆସିଲୁ ଦୁହେଁ. ଏଠି ଗାଁ ହରଚଣ୍ଡୀ ମନ୍ଦିର ରେ ସକାଳ ଧୂପ ଉଠିବା ପୂର୍ବରୁ କାଉ ଡାକରେ ଆମ ସହ ତା ନିଦ ଭାଙ୍ଗେ. ଗାଇ ବଉଳା କୁ ସ୍ନେହ ଆଦର କରେ. ଓଡ଼ିଆ ସ୍କୁଲରେ ଏକାଠି ମିଶି ଜାତୀୟ ଦିବସ ସହିତ ସରସ୍ବତୀ ଓ ଗଣେଷ ପୂଜା ପାଳେ. ତୁମେ ମାନେ ଆସିଥିବାରୁ ତୁମ ଦୁଇପୁଅ ଚିକୁ ଓ ମିକୁ ସହ ଖେଳି କେତେ ଖୁସି ହେଉଥିଲା ବିଚରା. ଛୁଟି ସରିଗଲେ ତୁମେ କଲିକତା ଚାଲିଗଲେ ପିଲାଟା ମୋର ବହୁତ ଝୁରିବ. ହଉ ଯାହା ଵିଧି ର ବିଧାନ.. କେ କରିବ ଆନ କହି ଉଠୁ ଉଠୁ ଖୁଡିଙ୍କ ଚାଲିଯାଉଥିବା ବାଟ କୁ ଅନେଇ ରହିଥାଆନ୍ତି ମିନତି. ସେଦିନ ରାତିରେ ମିନତି ଅଶୋକ ଙ୍କୁ କଅଁଲେଇ କହୁଥିଲେ ମୁଁ ଏଠି ଚିକୁ ମିକୁ ଙ୍କୁ ଧରି ଗାଁରେ ରହିଗଲେ ହୁଅନ୍ତାନି!ପିଲା ଦୁହେଁ ଓଡ଼ିଆ ଦି ଅକ୍ଷର ପଢନ୍ତେ ବଢ଼ନ୍ତେ. ଓଡିଶା ର ସଂକୃତି, ଚାଲିଚଳନ, ପର୍ବ ପର୍ବାଣୀ ଚିହ୍ନନ୍ତେ ତଥା ଓଡିଶା ମାଟି ମାଆ କୋଳେ ଜନ୍ମିତ ବରପୁତ୍ର ମାନଙ୍କୁ ଜାଣନ୍ତେ ଓ ବିଦେଶ ମାଟିରେ ଜଗନ୍ନାଥ ଦେଶ କହୁଥିବା ଓଡିଶାର କଳା ସ୍ଥାପତ୍ୟ ଓ ଐତିହ୍ୟ ବିଷୟରେ ଜାଣିପାରନ୍ତେ. ଅଶୋକ ସ୍ତ୍ରୀ ମୁଁହଁ କୁ ଚାହିଁଥିଲେ ଆତ୍ମତୃପ୍ତି ରେ ସେଦିନ.
,,,,,,,,,,,,,,,,,,,