Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Lalita Mohan Mishra

Drama Action Others

4.4  

Lalita Mohan Mishra

Drama Action Others

ପ୍ରତିବଦ୍ଧତା

ପ୍ରତିବଦ୍ଧତା

6 mins
23.6K


ବ୍ରହ୍ମପୁର ମେଡିକାଲରେ ହଠାତ୍ ସେଦିନ ଦେଖା ହୋଇଗଲା । ସେହି ଗୌର ବର୍ଣ୍ଣ ଚେହେରା । ବୟସର ସାୟାହ୍ନରେ ଶରୀର ଅବସ ହୋଇଯାଇଛି । ମୁଖ ମଣ୍ଡଳରେ ଆଉ ସେହି ଜ୍ୟୋତି ନାହିଁ । ଧୋବ ଫରଫର ଧୋତି ଏବଂ ଧଳା ହାପ୍ ପଞାବି ଖଣ୍ଡିକ ସେତେବେଳର ପରି ଦେହରେ ଲାଗି ରହିଛି । ସେଇ ଗୋଲ ଚଷମା, ପାଦରେ ସେଇ ବାଟା ଚପଲ l ଯାହା ଖାଲି ଚୁଟି ଗଣ୍ଡିକ ଟିକେ ବେଶୀ ଧଳା ଦିଶୁଚି, ଚଷମା ର କାଚ ଟା ବି ଟିକେ ମୋଟା ମୋଟା ଦିଶୁଛି l ଆଉ କିଛି ବି ବଦଳିନି l ସେତେବେଳେର ପ୍ରସନ୍ନତା କିନ୍ତୁ ଏବେ ଆଉ ମୁଖମଣ୍ଡଳରେ ନାହିଁ । ବୟସର ସାୟାହ୍ନ ସହିତ ପାରିପାର୍ଶ୍ବିକ ଅବସ୍ଥା ଯୋଗୁଁ ମନ ଅବସ ହୋଇ ଗଲାଣି । ଯେଉଁ ସାର୍ ଙ୍କୁ ଦେଖି ଦିନେ ଲୁଚିବାକୁ ପଡୁଥିଲା । ଆଜି ତାଙ୍କର ପାଖକୁ ଯାଇ ଭକ୍ତିପୂତ ପ୍ରଣାମ ଜଣାଇବା ପାଇଁ ମନ ବ୍ୟାକୁଳିତ ହେଲା ।


ମନରେ ସେହି ପିଲାବେଳର ଭୟ ଆଜି ପର୍ଯ୍ୟନ୍ତ ଛାଡି ପାରି ନାହିଁ । କିଏ ବା କେମିତି ସେ ଭୟ ଛାଡିବ ଯେ... ହିନ୍ଦୀ ସାରେ ଆସି ଗଲେରେ.... ବୋଲି କହିଦେଲେ । ଦେହରୁ ଥଣ୍ଡା ଦିନରେ ବି ଗମ୍ ଗମ୍ ଝାଳ ବୋହିପଡେ । ଶ୍ରେଣୀକୁ ପ୍ରବେଶ କଲା ମାତ୍ରକେ ତାଙ୍କର - ୟୁରିଆ ସାର ବସ୍ତାରେ ତିଆରି ହୋଇଥିବା ଜରି ବ୍ୟାଗ୍ ରୁ ସେହି ବେତ ବାଡି ଖଣ୍ଡିକ ଆଛା ଆଛା ଛାତ୍ରଙ୍କୁ ମଣିଷ କରିବାରେ ସହାୟକ ହୋଇଛି । ଯିଏ ସେ ବେତରୁ ମାଡ ଖାଇନି ଜାଣ... ସେ ସେ ଉତ୍ତମ ମଣିଷ ହୋଇପାରି ନାହିଁ।


 ସେ ସିନା ହିନ୍ଦୀ ଶିକ୍ଷକ ପୋଷ୍ଟରେ ଥାନ୍ତି କିନ୍ତୁ ସବୁ ବିଷୟ ପଢ଼ାଇବାରେ ଧୂରୀଣ । ନିଜ ସ୍ବାଭିମାନର ଏକ ସ୍ଵତନ୍ତ୍ର ପରିଚୟ ସେ ସୃଷ୍ଟି କରିଥାନ୍ତି । ଅନ୍ଯ ଶିକ୍ଷକ ମାନଙ୍କ ତୁଳନାରେ ହିନ୍ଦୀ ସାର୍ ଙ୍କ ବ୍ୟକ୍ତିତ୍ବ ସ୍ବତନ୍ତ୍ର । ଛାତ୍ର ଛାତ୍ରୀ ମାନେ ସିନା ପଢାରେ ଭୟ କରନ୍ତି । କିନ୍ତୁ ବକ୍ତୃତା ପ୍ରଦାନକାରୀ, ଃସାଧାରଣ ଜ୍ଞାନ ଅନ୍ୟାନ୍ୟ ପ୍ରତିଯୋଗିତାରେ ଛାତ୍ର ଛାତ୍ରୀ ମାନଙ୍କୁ ଅଂଶ ଗ୍ରହଣ କରିବାର ସୁଯୋଗ ସୃଷ୍ଟି କରନ୍ତି । ଛାତ୍ର ଛାତ୍ରୀ ମାନେ ବ୍ଲକ୍ ସ୍ତରୀୟ ଜିଲ୍ଲା ସ୍ତରୀୟ ଏବଂ ରାଜ୍ୟ ସ୍ତରୀୟରେ କୃତିତ୍ବ ଅର୍ଜନ କରି ନିଜର ତଥା ବିଦ୍ୟାଳୟର ସୁନାମ ଅର୍ଜନ କରିଅଛନ୍ତି । ବିଦ୍ୟାଳୟରେ କେଉଁ ଶ୍ରେଣୀ ଯଦି ଫାଙ୍କା ଅଛି ବା କେଉଁ ଶ୍ରେଣୀରେ ଶିକ୍ଷକ ନାହାଁନ୍ତି ସେ ସେହି ସମୟରେ ସେହି ଶ୍ରେଣୀକୁ ଯାଇ ପାଠ ପଢାନ୍ତି । 


 ସମାଜ ଗଠନ ଦିଗରେ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରଖିଥାନ୍ତି । ସେ ସେହି ପାହାଡ ପର୍ବତ ଘେରା ଅଞ୍ଚଳରେ ନିରବଚ୍ଛିନ୍ନ ଭାବେ ଶିକ୍ଷା ବାଣ୍ଟି ନିଜ ର ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି । ଅବସରପ୍ରାପ୍ତ ଶିକ୍ଷକ ହେଲେ ମଧ୍ୟ ଶିକ୍ଷାର ଗୁରୁତ୍ବ ଏବେ ମଧ୍ୟ ବହନ କରିଛନ୍ତି । ମଣିଷ ଗଢିବା ନିଶାରେ ଦେଶ ସ୍ୱାଧୀନତା ପରେ ଜନ୍ମ ନେଇଥିବା ହିନ୍ଦୀ ସାରେ ଶିକ୍ଷା ଦାନକୁ ଏକ ନିଶା ଭାବେ ଗ୍ରହଣ କରି ନେଇଛନ୍ତି। ଏବେ ବି ତାଙ୍କ ପୋଷାକ ପରିଚ୍ଛଦରୁ ତାଙ୍କର ବୃତ୍ତି ସମ୍ପର୍କରେ ସୂଚନା ମିଳିଯାଏ। ଧୋତି ପାଇଜାମା ସହ କାନ୍ଦରେ ଗାମୁଛା ହାତରେ ଛତା ହିଁ ସାର୍ ଙ୍କ ଏକ ସ୍ବତନ୍ତ୍ର ପରିଚୟ।


 ଲୋକେ ଶ୍ରଦ୍ଧାରେ ହିନ୍ଦୀ ଆଜ୍ଞା ବୋଲି କୁହନ୍ତି,ତାଙ୍କର ପ୍ରକୃତ ନାମ ଶ୍ରୀ ନରହରି ଷଢଙ୍ଗୀ । ଶିକ୍ଷାଗତ ଯୋଗ୍ୟତା କହିଲେ ଆଇ. ଏ ସହିତ ହିନ୍ଦୀ କୋବିଦ ପାସ୍‍ । ପାହାଡିଆ ଇଲାକାର ପିଲାଙ୍କୁ ପାଠ ପଢ଼ାଇ ମଣିଷ କରିବାକୁ ସେ ଗଞ୍ଜାମ ଜିଲାର ଏକ ପଲ୍ଲୀ ଗାଁରୁ ଗୋଡ କାଢ଼ିଥିବା ଏହି ବିନ୍ଧାଣୀ ଆଜି ପର୍ଯ୍ୟନ୍ତ ନିଜ ଗାଁକୁ ଆଉ ଫେରି ନାହାନ୍ତି। ତାଙ୍କ ଦ୍ବାରା ଅନେକ ଛାତ୍ରଛାତ୍ରୀ ସୃଷ୍ଟି ହୋଇଛନ୍ତି ଏବଂ ଅନେକ ଶିକ୍ଷାନୁଷ୍ଠାନ ଗଢ଼ି ଉଠିଛି । ନିଜେ ପାଇଥିବା ଶିକ୍ଷାକୁ ଅନ୍ୟକୁ ଜୀବନ ସାରା ବାଣ୍ଟିଛନ୍ତି। ତାଙ୍କ ହାତରୁ ବେତ ମାଡ଼ ଖାଇଥିବା ଛାତ୍ର ଆଜି ଦେଶବିଦେଶକୁ ଯାଇ ସୁନାମ ଅର୍ଜନ କରି ପାରିଛି । ନିଜର ଆଦର୍ଶ ଶିକ୍ଷା ବଳରେ ଅନେକ ଆଇ. ଏସ୍, ଓ. ଏସ୍, ଇଞ୍ଜିନିୟର, ଡାକ୍ତର ସୃଷ୍ଟି କରିପାରିଛନ୍ତି । 


ଛାତ୍ରମାନଙ୍କ ସହ ଅଭିଭାବକଙ୍କୁ ସାଥିରେ ନେଇ ଚାଲିଲେ ଶିକ୍ଷାରେ ସଂସ୍କାର ଆସି ପାରିବ ବୋଲି ସେ କହନ୍ତି। ପରିବାରର ମହିଳାଙ୍କ ଉପରେ ନିଜ ସନ୍ତାନର ଶିକ୍ଷା ଦାୟିତ୍ୱ ଦିଆଗଲେ ସମାଜରୁ ଭେଦଭାବ, କୁସଂସ୍କାର ଓ ଅନ୍ଧବିଶ୍ୱାସ ଦୂର ହୋଇ ପାରିବ ବୋଲି ସେ ମତ ପୋଷଣ କରନ୍ତି। ଶିକ୍ଷକମାନେ ଅନୁଶାସନରେ ରହିଲେ ପିଲାମାନେ ଏଥିରେ ପ୍ରଭାବିତ ହେବେ ବୋଲି ମଧ୍ୟ କୁହନ୍ତି। ଶିକ୍ଷକ ସମୟାନୁବର୍ତ୍ତିୀ ହେଲେ ଛାତ୍ରଛାତ୍ରୀ ଶିକ୍ଷା ଦିଗକୁ ମୁହାଁଇ ପାରିବେ ବୋଲି କୂହନ୍ତି। ହିନ୍ଦୀ ଶିକ୍ଷାର ବିକାଶ ତଥା ସମଗ୍ର ଶିକ୍ଷାର ବିକାଶ ଦିଗରେ ଅହରହ ଚିନ୍ତାକରି ବିଭିନ୍ନ ପତ୍ରପତ୍ରିକାରେ ଲୋଖାଲେଖି ଜାରି ରଖିଥିଲେ। ତାଙ୍କୁ ସିନା ସମସ୍ତେ ହିନ୍ଦୀ ସାର୍ ଡାକନ୍ତି । ଏବେ ବୟସର ସୟାହ୍ନରେ ପହଞ୍ଚିଥିବା ବେଳେ ପୁରୁଣା କଥା ସବୁ ଅଳ୍ପ ଅଳ୍ପ ଭୁଲି ଗଲେଣି ବୋଲି କହନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ବାଧକ ହୋଇ ଠିଆ ହୋଇଥିବା ସେ ଜଣାଇଛନ୍ତି।


ନିଜ ପତ୍ନୀଙ୍କ ସହ ଗ୍ରାମ ପଞ୍ଚାୟତର ପାଖରେ ଯାଗା କିଣି ଘର ଦୁଇ ବଖରା କରିଛନ୍ତି । ନିଜର ବାକି ଜୀବନ ସେଠାରେ କାଟିବାକୁ ସ୍ଥିର କରିଛନ୍ତି । ନିଜର ପୁଅ ଝିଅ ବୋଲି କିଛି ନାହିଁ । ଜୀବନ ସାରା ସଂସାରର ପିଲାମାନଙ୍କୁ ନିଜର ପୁଅ ଝିଅ କରିଛନ୍ତି । 


ସ୍ୱଭାବରେ ଭାରି ସ୍ୱାଭିମାନୀ ଓ ଉଚ୍ଚାଭିଳାଷୀ । ତାଙ୍କର ସ୍ବପ୍ନ ହେଲା ଓଡିଶା ପିଲା ଦେଶ ବିଦେଶରେ ନାଁ କରନ୍ତୁ । ତେଣୁ ସେ ତାଙ୍କ ଛାତ୍ର ମାନଙ୍କୁ ଭଲ ପାଠ ପଢିବା ପାଇଁ ଓ ଭଲ ମଣିଷ ହେବା ପାଇଁ ପ୍ରବର୍ତ୍ତାଇ ଥାଆନ୍ତି। ବହୁତ ପିଲାଙ୍କୁ ବଡ଼ ମଣିଷ କରିବାରେ ତାଙ୍କର ଅବଦାନ ରହିଛି। ସେ ମଧ୍ୟ ଦେଶ ବିଦେଶରେ ଉଚ୍ଚବଦବୀରେ ଥିବା ଓଡ଼ିଆ ପିଲାଙ୍କୁ ଦେଖିଲେ ଖୁବ୍ ଗର୍ବ ଅନୁଭବ କରନ୍ତି । ସ୍କୁଲ ରେ ପଢ଼ୁଥିବା ବେଳେ ସିନା ସେ ଗଧ ପିଲାଙ୍କୁ ତାଙ୍କ ଉତ୍ତମ ମଧ୍ୟମ ରେ ଅତିଷ୍ଠ କରିଦେଉଥିଲେ କିନ୍ତୁ ପିଲା ସ୍କୁଲ ଛାଡିବା ପରେ ରାସ୍ତାରେ ଦେଖାହେଲେ ସେ ସବୁ ପୁରୁଣା ଛାତ୍ର ଙ୍କୁ ଗୋଟିଏ ନଜର ରେ ଦେଖୁଥିଲେ। 


ଜୀବନର ପ୍ରତିଟି ମୁହୂର୍ତ୍ତକୁ ତ୍ଯାଗ ଓ ବଳିଦାନ ଦେଇ ମଣିଷ ସୃଷ୍ଟି କରୁଥିଲେ ଏବଂ ଉତ୍ତମ ଛାତ୍ର । ସୁଖ ଓ ସମ୍ମାନର ସହିତ ବଞ୍ଚିବାର କୌଶଳ ଅନ୍ୟ ମାନଙ୍କୁ ବାଣ୍ଟୁଥିଲେ । ଜୀବନକାଳ ଭିତରେ ନିଜର ଗୋଟିଏ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ସେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ହୋଇଥିଲେ ଏବଂ ସମସ୍ତଙ୍କର ପ୍ରିୟପାତ୍ର ହୋଇଥିଲେ । ବନ୍ଧୁମାନେ ତାଙ୍କୁ ଆଲିଙ୍ଗନ କରିବାକୁ ଶ୍ରଦ୍ଧା ଓ ଆଗ୍ରହ ରଖୁଥିଲେ । ଛାତ୍ରଛାତ୍ରୀମାନେ ତାଙ୍କ ଚରଣ ସ୍ପର୍ଶ କରିବାକୁ ପ୍ରତିଯୋଗିତା କରୁଥିଲେ । ତାଙ୍କ ଠାରୁ ଆଶୀର୍ବାଦ ମାଗି ନେବାକୁ ସୌଭାଗ୍ୟ ମଣୁଥିଲେ ।


ଏଭଳି ବ୍ଯକ୍ତିତ୍ବର ଅଧିକାରୀଙ୍କୁ ମେଡିକାଲରେ ଦେଖି ବିଗଳିତ ହୋଇ ଯାଇଥିଲି । ପାଖକୁ ଯାଇ ଚରଣସ୍ପର୍ଶ କରିବା ମାତ୍ରେ ମୋଟା ଚଷମାରେ ଟିକେ ଦୋ ଦୋ ଚିହ୍ନା ହେଲେ । ପରିଚୟ ଦେବାରୁ କହିଲେ - ଆରେ ତୁ ସେଇ ତୁରୁତୁରିଆ ମିଟୁ... । ଅଳ୍ପ ସମୟ ଭିତରେ ମୋର ସମସ୍ତ ସୁଖ ଦୁଃଖ ପିଲାପିଲି ବାପା ମା ସମସ୍ତ କଥା ପଚାରି ଗଲେ କିନ୍ତୁ ନିଜେ ଏଠାରେ କାହିଁକି ସେ କଥା କହିଲେ ନାହିଁ । ପଚାରିଲି ସାର୍ ଆପଣ ଏଠାରେ କେମିତି ? କହିଲେ ଗୁରୁ ମାଆର ସ୍ବାସ୍ଥ୍ୟ ଭଲ ନାହିଁ । ମାସେ ହେଲା ଚିକିତ୍ସା ଚାଲିଛି... କେତେବେଳେ କ'ଣ ହେବ କିଛି କହି ହେଉ ନାହିଁ । ଅଳ୍ପ କଥାରେ ଗଭୀର ବେଦନା ଥିବାର ଅନୁଭବ କଲି । 


ସାର୍ ଙ୍କ ସାଥିରେ ମେଡିକାଲ ଓ୍ବାର୍ଡ କୁ ଗଲି । ଗୁରୁମା ଙ୍କୁ ଦେଖିଲି ଆଉ କାହିଁ ଫେରିଲା ଭଳି ଲକ୍ଷ୍ୟ କରି ପାରିଲି ନାହିଁ । ଶୁଣିଲି ଚିକିତ୍ସାରେ ସାର୍ ଅଜସ୍ର ଅର୍ଥ ବ୍ୟୟ କରିସାରିଲେଣି । ଏବେ ବୁଢୀ ର ସ୍ବାସ୍ଥ୍ୟ ପାଇଁ ଉପରକୁ ହାତ ଟେକି ଦେଇଛନ୍ତି । ମେଡିକାଲରୁ ଫେରିଲା ବେଳେ ସାର୍ ଙ୍କୁ ପାଞ୍ଚ ହଜାର ଟଙ୍କା ଦେଲି । ସାର୍ କହିଲେ ଏ କ'ଣ ? କହିଲି ବାକି ଥିବା ଗୁରୁଦକ୍ଷିଣା । ସାର୍ କହିଲେ - ନା ତୁ ମୋର ଏବେ ଛାତ୍ର... ନା ମୁଁ ଏବେ ତୋର ଗୁରୁ ? ସାର୍ ସାଥୀ... ଚାଲିଯିବା ଭୟରେ ଭାଙ୍ଗି ପଡିଛନ୍ତି । ସେତେବେଳେର ଆଉ କଥା ନାହିଁ ତଥାପି ମେଡିସିନ୍ ଷ୍ଟୋରରେ ଟଙ୍କା ଦେଇ ଆସିଲି । ଆଉ ଯାହା ଦରକାର ହେଲେ ମୋତେ କହିବ ବୋଲି କହିଲି । ମୁଁ ଘରକୁ ଆସିବାର ଦୁଇ ଦିନ ପରେ ଶୁଣିଲି ଗୁରୁ ମାଆ ଚାଲିଗଲେ । ଭାବିଲି ଗୁରୁମାଙ୍କର ଶୁଦ୍ଧ କ୍ରିୟା କୁ ନିଶ୍ଚିତ ଯିବି କିନ୍ତୁ ସମୟ ଅଭାବରୁ ଯାଇ ପାରିଲି ନାହିଁ ।


ସମୟ ବୟସ କାହାକୁ ଅପେକ୍ଷା କରେନାହିଁ କି ସାଥି ଦିଏ ନାହିଁ । ସେ ତାର ଗତାନୁଗତିକ ରୀତିରେ ଚାଲିଥାଏ । ଯାହା ବାକି ରହିଯାଏ ସ୍ମୃତିସବୁ । ସାର୍ ଙ୍କ କଥା ଭାବି ଭାବି ବେଳେ ବେଳେ ଆନନ୍ଦ ଲାଗେ ବିଷାଦ ବି ଲାଗେ । ଏବେ ବର୍ଷେ ପରେ ହେବ... ମୋର ଦୂରକୁ ବଦଳି ହୋଇ ଯାଇଅଛି । ଲକ୍ ଡାଉନ୍ ଲାଗି ଗାଁ କୁ ଆସି ପାରି ନ ଥିଲି ଏଥର ଗ୍ରୀଷ୍ମାବକାଶରେ । ଏବେ ଗାଁ ରେ ଆସି ଶୁଣିଲି ଆଜି ସାର୍ ଙ୍କ ଦଶ । ଭାରି ଦୁଃଖ ଲାଗିଲା, ଅଜାଣତରେ ଆଖିରୁ ଅମାନିଆ ଲୁହ ଗୁଡିକ ବୋହିଗଲା । 

ଦିନ କେତେଟା ପରେ ସାର୍ ଙ୍କ ସବୁ କ୍ରିୟାକର୍ମ ସରିଯିବ । ଧୀରେ ଧୀରେ ଶୁଖି ଆସିବ ସମସ୍ତଙ୍କର ଲୁହ।ସମସ୍ତେ ପୁଣି ନିଜ ନିଜର ଜୀବନଚର୍ଯ୍ୟାରେ ବ୍ୟସ୍ତ ହେବାକୁ ଆରମ୍ଭ କରିବେ । ସଂସାରର ପିଲାମାନଙ୍କୁ ନିଜର କରିଥିବ ମଣିଷଟି କାନ୍ଥ କଣ୍ଟାରେ ବନ୍ଧେଇ ହୋଇଥିବା ଫଟୋରେ ରହିଯିବ । ଏଇତ ଜୀବନ..... ଜୀବନର ରଙ୍ଗମଞ୍ଚରେ ନିଖୁଣ ଅଭିନୟ କରିଥିବା କଳାକାରଟି ଆମର ଖାଲି ସ୍ମୃତି ହୋଇ ରହିଯିବ ।


ଭାବି ହେଉ ଥାଏ - ସରି ଯାଉଅଛି ଦୀପରୁ ତୈଳ । କଟି କଟି ଯାଉଅଛି ଦିନ। ବୟସର ଆୟୁ ଲୁଚି ଦେଖୁଥାଏ - କାହାପରେ ପୁଣି କିଏ ? ସଂସାର ରୂପକ ରଥ ତ ଏମିତି ଚାଲିବ ! ସାର୍ ପ୍ରତିଶ୍ରୁତି ନୁହେଁ ପ୍ରତିବନ୍ଧତାର ହାତଟିକୁ ଅନ୍ୟ ମାନଙ୍କ ପାଇଁ ବଢେଇ ଦେଇଥିଲେ । ସେ ଜୀବନରେ ଧନ ଲୋଡି ନାହାଁନ୍ତି ବରଂ ମାନ ଲୋଡିଛନ୍ତି । ମନକୁ ଲାଗେ - କେଉଁ ଆତ୍ମୀୟର ଅନୁପସ୍ଥିତି କିମ୍ବା ନିରବତା ଖୁବ୍ ଯନ୍ତ୍ରଣା ଦେଇଥାଏ । ବ୍ୟାକୁଳିତ ମନଟି ଯେତେବେଳେ ପାଇ ପାରେ ନାହିଁ, ସେତେବେଳେ ହୃଦୟରୁ ଅଭିମାନ ତିବ୍ରତର ହୁଏ । କ'ଣ ଚାହେଁ ମନୁଷ୍ଯ ? ଖାଲି ଆତ୍ମୀୟତା ସ୍ନେହ ମମତା ଓ ନିଃସର୍ତ୍ତ ଭଲ ପାଇବା ! ଯେତେବେଳେ ଏ ସବୁର ଅଭାବ ବୋଧ ଅନୁଭବ କରେ.... ସେତେବେଳେ ନିଜକୁ ଜିଅନ୍ତା ଶବ ପରି ଭାବେ । ଏହି ଅବଶୋଷ ଓ ଶୂନ୍ଯତା କ'ଣ କେବେ ପୂରଣ କରି ହେବନି ? ? ?


Rate this content
Log in

More oriya story from Lalita Mohan Mishra

Similar oriya story from Drama