Srinibas Mahalik

Romance

2  

Srinibas Mahalik

Romance

ପ୍ରଥମ ପ୍ରେମ

ପ୍ରଥମ ପ୍ରେମ

3 mins
193


  ଡାକରେ ଚିଠିଟିଏ ଆସି ପାଖରେ ପହଞ୍ଚିଲା । କିଏ ପଠେଇଛି ତାହା ନଦେଖି ମୁଁ ଖୋଲିଲି ପଢିବାକୁ । ସେହି ଚିଠି ଭିତରରେ ଥିଲା ଗୋଟେ ନିମନ୍ତ୍ରଣ କାର୍ଡ ଆଉ ହାତଲେଖା ଖଣ୍ଡେ କାଗଜ । ହାତଲେଖାଟି ଚିହ୍ନା ଚିହ୍ନା ପରି ଲାଗିଲା । ତେଣୁ ତାହା ପଢ଼ିବା ଆରମ୍ଭ କଲି । 

ଲେଖା ଥିଲା, "ଶ୍ରୀନୁ, ମୁଁ ହେଉଛି ଶ୍ଵେତା । ତୁମ ଗ୍ରାଜୁଏସନ ସମୟର ସାଙ୍ଗ । ମୋତେ କ୍ଷମା କରିଦେବ, ମୁଁ ତୁମମାନଙ୍କୁ କାହାକୁ କିଛି ନକହି ହଠାତ୍ ଚାଲିଆସିଲି ଏବଂ ତୁମମାନଙ୍କ ସହ ସମ୍ପର୍କ ରଖିଲି ନାହିଁ । କଣ ବା କରିଥାନ୍ତି, ମୋ ସ୍ବପ୍ନକୁ ମୋର ସାକାର କରିବାର ଥିଲା । ତେଣୁ ଏଭଳି ଦୂରେଇବାକୁ ପଡ଼ିଲା । କିନ୍ତୁ ହଁ, ତୁମକୁ ମୁଁ ବହୁତ୍ ମିସ୍ କରିଛି । କାହିଁକିନା ତୁମେ ତ ଥିଲ ମୋର ସବୁଠୁ ଭଲ ସାଙ୍ଗ ।

ଜାଣି ଖୁସି ହେବ ଯେ, ମୁଁ ଖୋଜୁଥିବା ସରକାରୀ ଚାକିରୀ ମୋତେ ମିଳିଯାଇଛି ଆଉ ମୋର ବାହାଘର ମଧ୍ୟ ଠିକ୍ ହୋଇଯାଇଛି । ତୁମର ଫୋନ୍ ନମ୍ବର ମୋ ପାଖରେ ନଥିଲା । ତେଣୁ ବହୁତ୍ ଖୋଜା ଖୋଜି ପରେ ତୁମ ଠିକଣାଟି କଲେଜ ଡ଼ାଏରୀରୁ ମିଳିଲା । ମୋ ବାହାଘରକୁ ନିଶ୍ଚିତ ଆସିବ । ତୁମ ଅପେକ୍ଷାରେ ରହିଲି । ଇତି, ତୁମର ସାଙ୍ଗ ଶ୍ଵେତା ।"

  ଚିଠିଟି ପଢିବା ପରେ ସେହି ନିମନ୍ତ୍ରଣ କାର୍ଡ଼ଟି ହାତରେ ଧରି ଦେଖିଲି, ଲେଖାଥିଲା ଶ୍ଵେତା ସହିତ ଅନ୍ୟ ଜଣେ ପୁଅର ନାମ । ତାହା ଦେଖି ମୁଁ ନିଜକୁ ସମ୍ଭାଳି ପାରିଲି ନାହିଁ । ଆଖିରୁ ବୋହି ଆସିଲା କିଛି ଲୁହ ଧାର । ଆଉ ସେହି ଲୁହର ପ୍ରତିଟି ବିନ୍ଦୁ ଯାଇ ପଡିଲା କାର୍ଡରେ ଲେଖାଥିବା ଶ୍ଵେତା ଉପରେ । ଆଉ ତାହା ଭିଜିଗଲା ମୋର ସେହି ଲୁହର ପ୍ରତିଟି ବିନ୍ଦୁରେ ।

  କେମିତି ବା ସମ୍ଭାଳି ଥାଆନ୍ତି, ଦିନେ ମୁଁ ସ୍ବପ୍ନ ଦେଖୁଥିଲି ଶ୍ଵେତା ବିବାହ କରୁଥିବା ସେହି ପୁଅଟିର ସ୍ଥାନ ନେବାକୁ। ହେଲେ ପାରିଲିନି । ଏମିତି କେଉଁ ରାତି ନାହିଁ ଯେଉଁ ରାତିରେ ଶ୍ଵେତା ମୋ ସ୍ବପ୍ନରେ ଆସି ସ୍ବପ୍ନ ନାୟିକା ନସାଜିଛି । ସିଏ ତ ଥିଲା ମୋର ପ୍ରଥମ ପ୍ରେମ ।

  ଖାସ୍ ତାକୁ ଟିକେ ଦେଖିବା ପାଇଁ ମୁଁ କଲେଜ ସବୁଦିନ ଯାଉଥିଲି । ନୋଟ୍ ନେବା ବାହାନାରେ ତା ସହ ବନ୍ଧୁତା କରି ତା'ର ନିକଟରୁ ନିକଟତର ହେବାକୁ ଚେଷ୍ଟା କଲି ଏବଂ ସଫଳ ମଧ୍ୟ ହେଲି । ମୁଁ ବନିଗଲି ତା'ର ଜଣେ ଭଲ ସାଙ୍ଗ । ସେ ମୋତେ ନିଜର ଭାବି ତାର ଜୀବନରେ ଘଟିଥିବା ପ୍ରତ୍ୟେକ ଘଟଣା ଦୃଘଟଣା କଥା ମୋ ସହ ବାଣ୍ଟିଛି । ମୁଁ ମଧ୍ୟ ତାକୁ ମୋର ଅନେକ କଥା କହିଛି କେବଳ ଗୋଟିଏ କଥା ତା ଆଗରେ ଲୁଚେଇଛି । ସେ କଦାପି ଜାଣିନି ମୁଁ ତାକୁ ବହୁତ୍ ଭଲ ପାଏ ବୋଲି ଏବଂ ତାକୁ ନିଜର ଜୀବନସାଥୀ ବନେଇବାକୁ ଚାହେଁ ବୋଲି ।

ଅନେକଥର ଚେଷ୍ଟା କରିଛି ତାକୁ କହି ଦେବାପାଇଁ, ହେଲେ ପାରିନି । କାହିଁକିନା ମନରେ ଭୟ ଥିଲା । ଯଦି ସେ ମୋ ପ୍ରେମ ପ୍ରସ୍ତାବରେ ରାଜି ନହୁଏ ! ହୁଏତ ଆମର ଏ ବନ୍ଧୁତ୍ବକୁ ଭାଙ୍ଗି ଯାଇପାରେ । ତେଣୁ ସେହି ଭୟରେ କହିପାରିନି । 

  କଲେଜରେ ପାଠପଢା ଶେଷ ହୋଇ ଆସୁଥାଏ । ପରୀକ୍ଷା ହେବାକୁ ଦିନ କେଇଟା ବାକି ଥାଏ । ସ୍ଥିର କଲି ପରୀକ୍ଷାର ଶେଷଦିନ ସାହସ କରି ମୋ ଭଲ ପାଇବା କଥା ତାକୁ ନିଶ୍ଚିତ କହିବି । ଯାହାବି ହେଇଯାଉ କହିବି ।

ଚାହୁଁ ଚାହୁଁ ପରୀକ୍ଷାର ଶେଷଦିନ ଆସିଗଲା। ପରୀକ୍ଷା ଖାତା ଶୀଘ୍ର ଦେଇ ମୁଁ କଲେଜର ଫାଟକ ସାମ୍ନାରେ ଶ୍ଵେତାକୁ ଅପେକ୍ଷା କରି ରହିଲି । ଜଣଙ୍କ ପରେ ଜଣେ ବାହାରୁଥାଆନ୍ତି ପରୀକ୍ଷା କକ୍ଷରୁ । କେତେବେଳେ କେଉଁ ଗହଳିରେ ଶ୍ଵେତା ଚାଲି ଯାଇଛି ତାହା ମୁଁ ଦେଖିପାରିନଥିଲି । କଲେଜ ସାରା ତାକୁ ଖୋଜିଲି, ସବୁ ସାଙ୍ଗଙ୍କୁ ପଚାରିଲି, ହେଲେ କିଛି ସୁଫଳ ମିଳିଲାନି । ସେ ହଠାତ୍ କୁଆଡେ ଚାଲିଗଲା କେହି ଜାଣି ପାରିଲେନି । ତାକୁ ଫୋନ୍ କଲେ ଖାଲି ସ୍ୱିଚ୍ ଅଫ୍ କହୁଥାଏ । ହଷ୍ଟେଲରେ ବି ସେ ନଥାଏ । ଏମିତିରେ ଚାରି ଦିନ ବିତିଗଲା କିନ୍ତୁ ତା'ର ଦେଖାମିଳିଲା ନାହିଁ । ସେ ହଠାତ୍ ଏଭଳି କିଛି ନକହି କୁଆଡେ ଚାଲିଯିବ ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି । ତେଣୁ ବାଧ୍ୟ ହୋଇ ତାଙ୍କ ଗାଁକୁ ଯାଇ ଦେଖିଲି ଘରେ ତାଲା ଝୁଲୁଛି । ପଡ଼ୋଶୀଙ୍କୁ ପଚାରି ବୁଝିଲି ତାଙ୍କର ସମସ୍ତେ ଦିଲ୍ଲୀ ପଳେଇଛନ୍ତି । କେବେ ଆସିବେ ଦିଲ୍ଲୀର କେଉଁଠି ରହୁଛନ୍ତି ତାହା କେହି ଜାଣିନାହାନ୍ତି । ଶେଷରେ ହତାଶ ହୋଇ ତାଙ୍କ ଗାଁରୁ ଫେରିଲି ଆଉ ଅପେକ୍ଷା କରି ରହିଲି ତାର ଫେରିବା ବାଟକୁ ।

  ଏହା ଭିତରେ ବିତି ଯାଇଛି ପ୍ରାୟ ସାତ ବର୍ଷ । ତଥାପି ମୋ ମନରେ ଆଶା ଥିଲା ଯେ ସେ ନିଶ୍ଚିତ ଆସିବ ଆଉ ମୁଁ ତା'ର ହାତକୁ ଧରି କହି ପାରିନଥିବା ସବୁ ଗୋଟେ ନିଶ୍ୱାସରେ କହିଯିବି ଏବଂ ତାକୁ ମୋର ଜୀବନସାଥି ବନେଇବି । ହେଲେ ସାତ ବର୍ଷ ପରେ ଆଜି ତା'ର ବାହାଘର କାର୍ଡ଼ଟିକୁ ଦେଖିଲା ପରେ ମୋତେ ଲାଗିଲା ମୋର ସେହି ଆଶା ସବୁ ଧୂଳିସାତ୍ ହୋଇଯାଇଛି, ପ୍ରଥମ ପ୍ରେମରେ ପଡିଯାଇଛି ସବୁଦିନ ପାଇଁ ପୂର୍ଣ୍ଣଛେଦ । ମୁଁ ହାରି ଯାଇଛି । ଆଉ ଦିନ କେଇଟାରେ ସେ ହୋଇଯିବ ଅନ୍ୟ କାହାର । ତାକୁ ନେଇ ଦେଖିଥିବା ସବୁ ସ୍ବପ୍ନ ଅଧୁରା ହୋଇ ରହିଗଲା । କିନ୍ତୁ ହଁ, ମୋର ସେହି ପ୍ରଥମ ପ୍ରେମଟି ପାଇ ପାରିଲିନି ସତ ହେଲେ ତା'ର ପ୍ରତ୍ୟେକଟି ସ୍ମୃତି ଚିରଦିନ ପାଇଁ ମୋ ମନ ଭିତରେ ନିଶ୍ଚିତ ରହିଯିବ ।


రచనకు రేటింగ్ ఇవ్వండి
లాగిన్

Similar oriya story from Romance