STORYMIRROR

Srinibas Mahalik

Others

3  

Srinibas Mahalik

Others

ଫେଜ୍

ଫେଜ୍

2 mins
409



   ମୋ ଘର ମାଲିକ ମାଉସୀ ଏବେ କିଛି ଦିନ ହେବ ଗୋଟେ ନୂଆ ଟିଭି ଆଣିଛନ୍ତି. ଟିଭି ଆଣିବା ଦିନଠାରୁ ସେ ଆଉ ସୂର୍ଯ୍ୟଙ୍କୁ ଦେଖୁନାହାଁନ୍ତି, କାହିଁକିନା ଦିନରାତି ଟିଭି ପାଖରେ ହିଁ ବସି ରହୁଛନ୍ତିି, ଟିକିଏ ବି ଟିଭିକୁ ବିଶ୍ରାମ ଦେଉନାହାଁନ୍ତି. ଭଜନ, ପ୍ରବଚନ, ପାଲା, ଅପେରା ଏସବୁ ଦେଖୁଛନ୍ତି, ତାହା ପୁଣି ଉଚ୍ଚ ଆବାଜରେ. ଯେଉଁଥିପାଇଁ ରୁମ୍ ରେ ପାଠ ପଢ଼ିବାଟା ମୋ ପାଇଁ କଷ୍ଟକର ହେଉଥିଲା. ଅନେକ୍ ଥର ତାଙ୍କୁ କହିଲି ଆବାଜ ଟିକେ କମ୍ କରି ଟିଭି ଦେଖ ମୁଁ ପଢ଼ି ପାରୁନି. ମୋ କଥା ଶୁଣି ସେ ଆବାଜ କମାନ୍ତି କିନ୍ତୁ କିଛି ସମୟ ପରେ ପୁଣି ବଢ଼େଇ ଦିଅନ୍ତି.


   ବାରମ୍ବାର କହିବା ସତ୍ତ୍ୱେ କୌଣସି ପରିବର୍ତ୍ତନ ନହେବା ହେତୁ ଆଉ ସହି ପାରିଲି ନାହିଁ. ତେଣୁ ଭାବିଲି କିଛି ଗୋଟେ କରିବାକୁ ପଡ଼ିବ. ଠିକ୍ ଏହି ବିଷୟରେ ଭାବୁଥିବା ବେଳେ ଲକ୍ଷ୍ୟ ପଡ଼ିଲା ଟେବୁଲ ଉପରେ ଥିବା ଅଚଳ ପଚାଶ ପଇସାଟି ଉପରେ. ଆଉ ସେହି ପଇସାକୁ ଦେଖି ମୋର ଗୋଟେ କୂଟନୀତି ଉପାୟ ମୁଣ୍ଡକୁ ଆସିଲା.


  ସେହି ଉପାୟ ହିସାବରେ ରୁମ୍ ରେ ଲାଗିଥିବା ଇଲେକ୍ଟ୍ରିକ୍ ବଲବକୁ କାଢି ହୋଲ୍ଡ଼ର୍ ଭିତରେ ପଚାଶ ପଇସାଟେ ରଖି ବଲବ୍ ସ୍ବିଚ୍ ମାରିଦେଲି, ଯାହା ଫଳରେ ଘରର ଫେଜ୍ କଟି କରେଣ୍ଟ ଚାଲିଗଲା. କରେଣ୍ଟ ଚାଲିଯିବା ପରେ ଆଉ ଟିଭି ଆବାଜ ଆସିଲା ନାହିଁ. ତେଣୁ ଶାନ୍ତିରେ ଟିକେ ପଢ଼ିଲି ଆଉ ପଢ଼ି ସାରିବା ପରେ ମୁଁ ନିଜେ ଯାଇ ଫେଜ୍ ଠିକ୍ କରିଦେଲି. 


  ଏଭଳି ପ୍ରକ୍ରିୟା ଦୁଇରୁ ତିନି ଦିନ ଚାଲିଲା. ତା'ପରେ ମାଉସୀଙ୍କୁ ଯାଇ କହିଲି କେଉଁଠି ବୋଧେ କିଛି ଖରାପ ଅଛି ଯେଉଁଥିପାଇଁ ବାରମ୍ବାର କରେଣ୍ଟ ଚାଲି ଯାଉଛି, ଜଣେ ଇଲେକ୍ଟ୍ରିସିଆନଙ୍କୁ ଡାକି ଦେଖାଅ. ପରଦିନ ମାଉସୀ ଜଣେ ଇଲେକ୍ଟ୍ରିସିଆନଙ୍କୁ ଆଣିଲେ ତାହା ଦେଖାଇବା ପାଇଁ. ମାଉସୀଙ୍କର ଟିକେ ଅନୁପସ୍ଥିତି ଦେଖି ସେହି ଇଲେକ୍ଟ୍ରିସିଆନ୍ ଭାଇଙ୍କୁ ମୁଁ ସବୁ କଥା କହିଲି. ତା'ପରେ ସେ ଭାଇ ଜଣଙ୍କ ମିଛୁଟାରେ ଚାରିଆଡେ ଚେକିଂ କରିବାର ଅଭିନୟ କରି ମାଉସୀଙ୍କୁ କହିଲେ, "ମାଉସୀ ଆପଣ ଟିଭି ବେଶୀ ଆବାଜ ଦେଇ ଶୁଣୁଛନ୍ତି କି !" ମାଉସୀଙ୍କ ପାଟିରୁ ହଁ ଉତ୍ତର ଶୁଣି ସେହି ଭାଇ କହିଲେ, ସେଇୟା ହେଇଛି ଆଉ ବେଶୀ ଆବାଜ ଦେଇ ଟିଭି ଦେଖୁଛ ବୋଲି ଏଭଳି ବାରମ୍ବାର ଫେଜ୍ ଚାଲିଯାଉଛି. ଆଉ ବେଶୀ ଆବାଜ ଦେଇ ଟିଭି ଦେଖିବେନି.

  ମାଉସୀ ତ ବୁଢ଼ୀ ମଣିଷ, ତାଙ୍କୁ କ'ଣ ଜଣା ଏଇ ଟିଭିର ଆବାଜ ସହ ଫେଜ୍ ଯିବାର କୌଣସି ସମ୍ପର୍କ ନାହିଁ ବୋଲି. ତେଣୁ ମାଉସୀ ତାଙ୍କ କଥାକୁ ସତ ଭାବି ଅକ୍ଷରରେ ଅକ୍ଷରରେ ପାଳନ କଲେ. ତା'ପରଠାରୁ ନା ଫେଜ୍ କଟୁଛି ନା କରେଣ୍ଟ ଯାଉଛି ନା ଆଉ ଟିଭିର ବେଶୀ ଆବାଜ ଶୁଭୁଛି ନା ଆଉ ପାଠ ପଢିବାରେ ବ୍ୟାଘତ ହେଉଛି, ସବୁ ପୁରା ବନ୍ଦ.



©ଶ୍ରୀନିବାସ ମହାଳିକ

ବିଜୟନଗର,ଗଣିଆ,ନୟାଗଡ଼



Rate this content
Log in