ପ୍ରସ୍ତରର କଥାକୁହା ଆଲେଖ୍ୟ
ପ୍ରସ୍ତରର କଥାକୁହା ଆଲେଖ୍ୟ
ଶୀତଦିନ କି ! ଖରାଦିନ
ଜାଣି ହଉ ନଥିବା ଦ୍ୱିପ୍ରହର ରେ
ଝାପ୍ସା -ଝାପ୍ସା ଖରା ଛୁଇଁ ଛୁଇଁ ବାହାରିଲୁ ଐତିହାସିକ କୀର୍ତ୍ତିରାଜିର ସାଉଁଟା ସ୍ମାରକୀ,
ଭକ୍ତି ଭାବନାର ଅନ୍ୟତମ ପୀଠ
ପଦ୍ମପୁର ଦେଉଳିର-
"ହରିଶଙ୍କର ପୀଠ" ଦର୍ଶନ ପାଇଁ ।।
ଏକ ଅନିନ୍ଦ୍ୟ ଆକର୍ଷଣ ନେଇ ଚାଲି ଥାଉ।
ବାରିପଦା ଠାରୁ ଝାରପୋଖରିଆ ବାଟ ଦେଇ ଜାମଶୋଳା ଆଡକୁ ଜାତୀୟ
ରାଜପଥରେ ଝାରପୋଖରିଆ ଠାରୁ ପ୍ରାୟ ୨କି.ମି. ପରେ ରାଜପଥର ବାମପାର୍ଶ୍ବରେ ଦୃଶ୍ୟମାନ ହେବ ସୁଷମା ବିମଣ୍ଡିତ କୀର୍ତ୍ତିମୟ ଏକ ମନ୍ଦିର ।
ତା' ମଧ୍ୟରେ ବିରଜିତା ମା' କାଳୀ। ଭାବନା -ସରୁ ନ ଥିଲା, ବାଟ ସରିଗଲା,
ରାସ୍ତା ପଚାରିବାକୁ ପଡ଼ିଲାନାହିଁ ।
କାରଣ ମୁଁ ଏହା ପୂର୍ବରୁ ଦୁଇ ଥର ଆସିସାରିଛି ।
ବାମପଟେ ଯାଇଥିବା ରାସ୍ତାରେ କିଛି ବାଟ ଅତିକ୍ରମ କଲେ ସୂବର୍ଣ୍ଣରେଖା ଜଳସେଚନ
ପ୍ରକଳ୍ପର ପ୍ରସ୍ତାବିତ କେନାଲ ।
ପଦ୍ମପୁର -ଦେଉଳିର
"ହରିଶଙ୍କର ପୀଠ"ରେ ପହଞ୍ଚିଲା ବେଳକୁ ଦିନ ଦୁଇଟା ପାଖାପାଖି ।
ବେଶ୍ କୋଳାହଳ ଶୂନ୍ୟ ହୋଇଯାଇଥାଏ ଥାଏ "ହରିଶଙ୍କର ପୀଠ "
ଅଥଚ ଦିପ୍ତିମୟ ।
ଅନେକ ଅଜଣା ବୃକ୍ଷ ପରିବେଷ୍ଟନୀ ମଧ୍ୟରେ ନିର୍ଜନରେ ରହି କାଳକ୍ରମେ ଠାକୁରଙ୍କ ମହିମା
ଲୋକମାନଙ୍କୁ ଆକର୍ଷିତ କଲା ଏବଂ ଆବିସ୍ମୃତ ହେଲା ।
ଆଜିର ଏହି ପୀଠ
ପଦ୍ମପୁର-ଦେଉଳିର ଶ୍ରୀ ଶ୍ରୀ ହରି ଶଙ୍କର ପୀଠ ।
ସୂବର୍ଣ୍ଣରେଖା କେନାଲର ତଟରେ ଅତି ମନୋରମ ପରିବେଶରେ ଠାକୁରଙ୍କ ଆସ୍ଥାନ ।
ଗ୍ରାମର ଲୋକମାନେ , ଗ୍ରାମର ଯୁବଗୋଷ୍ଠୀ ଓ କେନାଲ କର୍ତ୍ତ୍ରୁପକ୍ଷଙ୍କ ସହଯୋଗ କ୍ରମେ ପୀଠର ପୁନର୍ବିନ୍ୟାସ ହୋଇଛି ଏବଂ ଗଢ଼ି ଉଠିଛି ଭବ୍ୟ ମନ୍ଦିର।
ଏହା ପୂର୍ବ ରୁ ମୁଁ ଆସିଥିବା ସମୟରେ ଶ୍ରୀଯୁକ୍ତ ଲକ୍ଷ୍ମୀରାମ ମହାନ୍ତ,
ଶ୍ରୀଯୁକ୍ତ କୁଶ ମହାନ୍ତ,
ଶ୍ରୀଯୁକ୍ତ କାଶୀନାଥ ମହାନ୍ତଙ୍କ ସହ ସାକ୍ଷାତ ହୋଇଥଲା ଏବଂ ଆସିବାର ଅଭିପ୍ରାୟ ଜାଣି ପୂଜିତ ବିଷ୍ଣୁ ପ୍ରତିମା ସମ୍ପର୍କ ରେ
ଇନ୍ଦ୍ରମୋହନ ମହାନ୍ତଙ୍କୁ ପୀଠ ନିକଟକୁ ଆସିବା ପାଇଁ ଖବର
ପଠେଇଥିଲେ ।
ସାକ୍ଷାତ ଆଲୋଚନା ହେବାରୁ ପୀଠରେ ଠାକୁରଙ୍କ ଆବିର୍ଭାବର ଇତିହାସ କଥା ଜାଣିବାକୁ ପାଇଲି ।
ଏବେ ବୟସାଧିକ ଯୋଗୁଁ ଇନ୍ଦ୍ରମଣି ବାବୁ ମନ୍ଦିରରେ କେବଳ ସ୍ଵତନ୍ତ୍ର ଉତ୍ସବରେ ଆସନ୍ତି ।
ତେବେ ଇତି ମଧ୍ୟରେ ଏହି ପୀଠଟି ଏକ ଐତିହାସିକ ପୀଠ ରୂପେ ପରିଗଣିତ ହୋଇଯାଇଛି।
ପୁରୁଖା ଲୋକମାନେ କହନ୍ତି ସେମାନେ ଏହି ବିଗ୍ରହମାନଙ୍କୁ ସେମାନେ ତାଙ୍କ ପିଲାବେଳୁ ଦେଖି ଆସିଅଛନ୍ତି
। ସବୁଜବୃକ୍ଷର ପରିବେଷ୍ଟନୀ ମଧ୍ୟରେ । ଗ୍ରାମବାସୀମାନେ ମିଶି ପଥରର ଏହି ବିଗ୍ରହକୁ ଉଦ୍ଧାର କରି ମନ୍ଦିର କରିଅଛନ୍ତି ।
ଅନେକ ଅଲୌକିକ ଘଟଣାକୁ ନେଇ ପୀଠ ର ଅବସ୍ଥିତି ।
ପୀଠ ର ଇତିହାସ ପରିପୁଷ୍ଟ ।
ସେସବୁ କଥାକୁ ସହଜରେ ବିଶ୍ଵାସ
କରିହୁଏନି ! କିନ୍ତୁ ସେ ଘଟଣା ସବୁ ନିରାଟ ସତ୍ୟ ଏବଂ ପ୍ରମାଣିତ ବୋଲି କହିଥାନ୍ତି ଗ୍ରାମବାସୀ ।
ଖୁବ୍ ବେଶୀ ଅତୀତରେ ନୁହେଁ, ଚାଲିଥାଏ ସୂବର୍ଣ୍ଣରେଖାର କେନାଲ କାର୍ଯ୍ୟ ।
ମାଟି ଖୋଳିବା ପାଇଁ ଅତ୍ୟାଧୁନିକ ମେସିନ୍ ଖଞ୍ଜା ହୋଇଥାଏ ।
ମେସିନଟି କେନାଲର ମାଟି ଖୋଳି ଖୋଳି
ଆସି ପହଞ୍ଚିଲା ପୀଠ ନିକଟରେ ... କିନ୍ତୁ ! ... ପୀଠରୁ ମାଟି
ଖୋଳିବାକୁ ମେସିନଟି ପ୍ରୟାସ କରିବାରୁ ଏ କଣ ହେଲା ...
ମେସିନ ଚାଳକ ମୂର୍ଚ୍ଛା ହୋଇ ପଡିଗଲେ କାହିଁକି ?
ପର୍ଯ୍ୟାୟକ୍ରମେ ମେସିନ ଚାଳକମାନେ ମୂର୍ତ୍ତିତ ହୋଇପଡୁଥାନ୍ତି କାହିଁକି ? ମାଟିକୁ ଛୁଇଁବା ମାତ୍ରେ କାହାକୁ ଦେଖିଲେ ସେମାନେ !!
କ'ଣ ଅନୁଭବ କଲେ ସେମାନେ !!!
ତା' ହେଲେ ଏ' କଣ ଦିବ୍ୟତାର ପୂର୍ଣ୍ଣ ପରିପ୍ରକାଶ, ପ୍ରଭୁଙ୍କ ମହିମା ... !!
କେନାଲ କଡରେ ଗଢିଉଠିଲା
"ହରିଶଙ୍କର ପୀଠ" ଏବଂ
ପଦ୍ମପୁର -ଦେଉଳି ଗାଁ ହୋଇଛି ଋଦ୍ଧିମନ୍ତ । ଗ୍ରାମବାସୀଙ୍କ
ଉତ୍ଖନନ ଦ୍ବାରା ଚାରି ଖଣ୍ଡ କଉଡି, ମୁଗୁନିପଥରର ମୂର୍ତ୍ତି ଏବଂ ଚାରିପାଖରେ ଥିବା ଭଗ୍ନକାନ୍ତର ଏକ ବିଶେଷ
ଆକର୍ଷଣ ଲୋକଲୋଚନକୁ ଆସିଥିଲା । ସେ ସମୟର ଇଟା, ସିମେଣ୍ଟ ବିହୀନ ନିର୍ମିତ କାନ୍ଥ, କାନ୍ଥରେ ପଥରକୁ ପଥର
ସହିତ ଲୁହା ଦ୍ଵାରା ଯୋଡାକାମ ଏହା ସହିତ ଶୁଖିଲା ବେଲପତ୍ର ଏବଂ ଏକ ସୁବର୍ଣ୍ଣର 'ନାଗ' ମୂର୍ତ୍ତି ମଧ୍ୟ ଆବିଷ୍କୃତ
ହୋଇଥିଲା । ଶ୍ରୀଯୁକ୍ତ ଇନ୍ଦ୍ରମୋହନ ମହାନ୍ତ ଙ୍କୁ ମୋର ପ୍ରଥମ ସାକ୍ଷାତ ହୁଏ ସନ୍ ୨୦୧୦ ମସିହା ରେ ।
ସେ କହିଥିବା ବିବରଣୀ ଅନୁଯାଇ
ମକର ସଂକ୍ରାନ୍ତି ଓ ଶିବରାତ୍ରୀରେ ଗ୍ରାମ ଚଳଚଞ୍ଚଳ ହୋଇଉଠେ ।
ଗ୍ରାମବାସୀମାନେ ନାମ ସଙ୍କୀର୍ତ୍ତନ ଓ ଭୋଗଯଜ୍ଞ ଆଦି ଆୟୋଜନ କରନ୍ତି ।
ବହୁ ଭକ୍ତଙ୍କ ସମାଗମ ହୁଏ ।
କିନ୍ତୁ ତା' ପରଦିନ ଠାରୁ ସେଠାରେ ଶ୍ମଶାନର ନୀରବତା ପଡିରହେ ।
ପର୍ବପର୍ବାଣୀରେ ଗ୍ରାମବାସୀ ନିଜ ନିଜ ଭିତରେ ଚାନ୍ଦା କରି ଉତ୍ସବ ଆୟୋଜନ
କରନ୍ତି ।
ପରିଚାଳନା କମିଟି ଦ୍ବାରା ମନ୍ଦିର ପରିଚାଳିତ,
ମନ୍ଦିରରେ ଦୈନନ୍ଦିନ ପୂଜା କରିବା ପାଇଁ ବ୍ରାହ୍ମଣ ନିୟୋଜିତ।
ମନ୍ଦିର ପ୍ରାଙ୍ଗଣରେ ବିଷ୍ଣୁ, ମହାଦେବ ନିତ୍ୟ ନୈମିତ୍ତିକ ପୁଜା ପାଇଆସୁଛନ୍ତି ।
ମନ୍ଦିରର ଚତୁଃପାର୍ଶ୍ଵରେ ପୂର୍ବର ଭଙ୍ଗା ମନ୍ଦିର ଓ ଭଙ୍ଗା ଭଙ୍ଗା
ଐତିହ୍ୟ ବିଛାଡି ହୋଇ ପଡିଥିଲା।
ସେସବୁ ଏବେ ରଖାଯାଇଛି।
ଓଡିଶାର କଳା-ସଂସ୍କୃତିକୁ
ବଞ୍ଚାଇ ରଖିବାକୁ ହେଲେ ପ୍ରଥମେ ଏହି ଐତିହ୍ୟ ସମ୍ପନ୍ନ ପୀଠଗୁଡିକ ପ୍ରତି ଦୃଷ୍ଟି ଦିଆଯିବା ଉଚିତ୍ ।
ଭଗବାନଙ୍କ ମହିମା ଅପାର,
ଦିଗନ୍ତବିଶ୍ଵାସୀ ।
ହରିଶଙ୍କର ପୀଠକୁ ସମୃଦ୍ଧ କରିବା ପାଇଁ ସମ୍ପ୍ରତି ଗ୍ରାମବାସୀ, ଯୁବଗୋଷ୍ଠୀ ଭକ୍ତ ବୃନ୍ଦ କାୟ -ମନ- ବାକ୍ୟରେ ସମର୍ପିତ।
ମହିମାମଣ୍ଡିତ ହରିଶଙ୍କର ପୀଠର ଉନ୍ନତି ଲୋକମାନଙ୍କର ତ୍ୟାଗ ଓ ଅବଦାନ ଅନସ୍ବୀକାର୍ଯ୍ୟ।
ଅଜ୍ଞାତ ଐତିହ୍ୟ ପଦ୍ମପୁରର ଦେଉଳି ର ହରିଶଙ୍କର ପୀଠ : ଅପେକ୍ଷା କରିଛି ସେଇ ସ୍ବପ୍ନିଳ ବ୍ରାହ୍ମ ମୁହୁର୍ତ୍ତ କୁ ।
