ଆମ ରେଳଗାଡ଼ି
ଆମ ରେଳଗାଡ଼ି
ଭାରତୀୟ ରେଳବାଇରେ ବାଷ୍ପ ଚାଳିତ ଇଞ୍ଜିନର ସ୍ଥିତି ଅନନ୍ୟ ଏବଂ
ଐତିହାସିକ ଥିଲା ।
ମୟୂରଭଞ୍ଜ ମାଟିରେ ରେଳ ର ଗୌରବମୟ ଇତିହାସ
ସର୍ବଦା ଆମ ପାଇଁ ଏକ ପୁଲକପ୍ରଦ ପ୍ରେରଣା ।
ଆମ ମୟୁରଭଞ୍ଜ ର ଗୌରବମୟ ଇତିହାସ ବହନ କରୁଥିବା ଏହି ରେଳ ଇଞ୍ଜିନ ଗୁଡିକୁ ଦେଖିଲେ ମନେହୁଏ ଏହି କଳା ରଙ୍ଗର କୋଇଲା ଇଞ୍ଜିନ ଗୁଡ଼ିକ ହୁଏତ ଭୁଲି ଯାଇ ଥାଇପାରେ ସେମାନଙ୍କ ସମ୍ଭ୍ରାନ୍ତ ଅତୀତ ।
ଭୂଲି ଯାଇଥିପାରେ ସେମାନଙ୍କର ସେଦିନର ସେହି ଅବିସ୍ମରଣୀୟ ଚିତ୍ର ।
ଆଜିବି ଏକ ଅଲିଭା ସ୍ମୃତି ହୋଇ ରହିଛି ଆମ ସମସ୍ତ ଙ୍କ ପାଇଁ ।
ଆଉ ଆଜିର ଓଡ଼ିଶାରେ, ନିଶ୍ଚୟ ଜଣେ ସ୍ଵାଭିମାନୀ ମୟୂରଭଞ୍ଜିଆଟିଏ ଗର୍ବ କରିବ
ତା'ର ସମ୍ଭ୍ରାନ୍ତ ଅତୀତର ରେଳ ଇତିହାସର
ଅସରନ୍ତି ଗାଥା କୁ ନେଇ... ।
ମାନସ ପଟରେ ଆଙ୍କିହୋଇଯାଏ
ରୂପସା ରୁ ବାଙ୍ଗିରିପୋଷିର ଟ୍ରେନ ଲାଇନ୍।
ଓ ତହିଁରେ ରେଳ ଚଳାଚଳ ।
ନେରୋଗଜ୍ ରେଳଲାଇନ ଚାଲୁଥିଲା କୋଇଲା ଇଞ୍ଜନ୍ ।
ପରେ ଯୋଡିହେଲା ଡିଜେଲ୍ ଇଞ୍ଜିନ ।
ପୁଣି ନିର୍ମାଣ ହେଲା ବ୍ରଡଗଜ ରେଳଲାଇନ୍।
ଚାଲିଲା ଦୃତଗାମୀ ରେଳଗାଡି ।
ବାଙ୍ଗିରିପୋଷି ରୁ ଭୂବନେଶ୍ବର ସୁପରଫାଷ୍ଟ ଏବଂ ଭଞ୍ଜପୁର ରୁ କୋଲକତା ର ଶାଲିମାର୍ ।
ଶିମିଳିପାଳ ଏକ୍ସପ୍ରେସ୍ ନାମରେ।
ତା’ ସହ ଡିଏମୟୁ,ମେମୁ ଇତ୍ୟାଦି।
ରୁପସା- ବାରିପଦା -ବାଙ୍ଗିରିପୋଷି ନେରୋ ଗଜ୍ ରେଳ ଲାଇନ ମୟୂରଭଞ୍ଜର ପୂର୍ବତନ ଶାସକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଦ୍ୱାରା ଆରମ୍ଭ ହୋଇଥିଲା।
ଯେତେବେଳେ ଓଡିଶାରେ କୌଣସି ରେଳଗାଡି ର ଚଳଚଳ ନଥିଲା ।
ସେତେବେଳେ ମୟୂରଭଞ୍ଜର ତତ୍କାଳୀନ
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ପ୍ରଥମ କରି ବାଷ୍ପଚାଳିତ
ଇଞ୍ଜିନ ଥିବା ରେଳଗାଡି ଚଳାଇଥିଲେ ।
ଯାହାକି ୧୯୦୩ ମସିହାରେ
ରୁପସା ଠାରୁ ବାରିପଦା ପର୍ଯ୍ୟନ୍ତ ଏବଂ ୧୯୦୫ ମସିହାରେ ଲେକମାନଙ୍କର ଯାତାୟତ ତଥା ବନ୍ୟଜାତ ଦ୍ରବ୍ୟର ରପ୍ତାନୀ ପାଇଁ ରୂପସାରୁ ବାଙ୍ଗିରିପୋଷି ର ତାଳବନ୍ଧ କୁ ଏହି ଲାଇନ ର ସଂପ୍ରସାରଣ ।
ପରବର୍ତ୍ତୀ ସମୟରେ ତାହା ପ୍ରଥମେ ନେରୋଗେଜ୍ ପରେ ମିଟର ଗଜରେ ରୂପାନ୍ତରୀଣ
ହୋଇଥିଲା। ସନ ୨୦୦୫ ମସିହାରେ ଏହା ବ୍ରଡଗେଜ୍ ରେ ପରିଣତ
ହୋଇଛି ।
ପିଲାବେଳେ ମୋତେ କିଏ କହିଥିଲା କହିପାରିବିନି ?
କିନ୍ତୁ ଏହି ରେଳଗାଡି କୁ ଆମେ ମା' କାଳୀ ବୋଲି ଭାବି ମୁଣ୍ଡ ନୂଆଇଁ ପ୍ରଣାମ କରୁଥିଲୁ।
ଯିବା ଆସିବା ବେଳେ ରେଳଧାରଣା ପାର ହେଉଥିବା ସମୟରେ ଯଦି ରେଳଗାଡି ଛିଡା ହୋଇଥାଏ ଭଞ୍ଜପୁର ଷ୍ଟେସନରେ ଅବା ବାଘଡାରୋଡ ରେ ।
ଷ୍ଟେସନ ବଜାର ର ବଡ ଷ୍ଟେସନରେ ରେଳଗାଡି ରୁପ୍ସା ରୁ କେତେ ବେଳେ ଆସି ଲାଗେ ? ।କିନ୍ତୁ ଆମର ଭେଟ ହୁଏ ଭଞ୍ଜପୁର କିମ୍ବା ବାଘଡାରୋଡ ରେ ସ୍କୁଲ ଯିବା ଆସିବା ସମୟ ରେ ।
ସବୁଦିନ ପରି ଭଞ୍ଜପୁର ଷ୍ଟେସନରୁ ରେଳଗାଡି ହୁଇସିଲ ମାରେ।
କୋଇଲା ଚାଳିତ ରେଳଇଞ୍ଜିନ ରେ ଜଣେ ନାବିକ, ଅଗ୍ନିଶମ କର୍ମଚାରୀ, ଏବଂ ଡ଼୍ରାଇଭର କୁ ନେଇ ତିନିଜଣିଆ ଟିମ ଦ୍ଵାରା ପରିଚାଳିତ ହେଉଥିଲା ।
ଅଗ୍ନିଶମ କର୍ମଚାରୀ ଜଣକ ଭଙ୍ଗା ଭଙ୍ଗା କୋଇଲାକୁ ଇଞ୍ଜିନ ର ଅଗ୍ନି ବାକ୍ସ ରେ ପକାନ୍ତି। ଅଗ୍ନି ପ୍ରଜ୍ଵଳିତ ଚୁଲି ର ହଳଦିଆ ଅଗ୍ନିପିଣ୍ଡ ଯାହାର ତାପମାତ୍ରା ପ୍ରାୟ 2500 ଡିଗ୍ରୀ ଥାଏ।
ମସିହା ୧୯୮୬,୧୯୮୭ ହେବ ।
ଆମ ପିଲାମାନଙ୍କ ପାଇଁ ବହୁତ୍ ଗୁରୁତ୍ବପୂର୍ଣ୍ଣ ଥିଲା
ସେତେବଳେ ଭଞ୍ଜପୁର ରେଳଷ୍ଟେସନ ଟି କାରଣ ସେଠାରେ ଥିଲା ବାହାରେ
ଏକ ପାଣି ଘର ? ଅବା ପୁରାତନ ରାଜାସମୟର ଟିକଟ ଘର ମନେପଡୁନି ।
କିନ୍ତୁ ମନେ ଅଛି ସେଠାରେ ଥିଲା ଏକ ଲୁହାର କବାଟ।
କବାଟଟି ସମୂର୍ଣ୍ଣ ଲୁହା ରେ ତିଆରି
ଆମେ ଆସୁ ସେହି କବାଟରେ ନଟୁ କଣ୍ଟା ଖୋଲିବା ପାଇଁ ।
ନଟୁ କଣ୍ଟା ବଦାଳାଇବା ପାଇଁ।
କେମିତି ପ୍ରସେସ୍ ବୁଝିଲେ ତ ? ନଟୁର କଣ୍ଟାଟିକୁ ଲୁହାର କବାଟ ରେ ରଖି କବାଟଟିକୁ ଜୋର ରେ ଜାକି ଧରି କଣ୍ଟାକୁ ବୀପରିତ ଦିଗରେ ବୁଲାଇଲେ କଣ୍ଟାଟି ବେଶ୍ ଆପଣା ଛାଏଁ ବାହାରି ଆସିବ।
ତା'ପରେ ପୁଣି ବୀପରିତ ଦିଗରେ ବୁଲାଇଲେ ପୁଣି ନୂଆ କଣ୍ଟା ବସିଯିବ।
ପୁଣି ଏହି ରେଳଗାଡି ମନେପକାଇ ଦିଏ ବାରିପଦା ମାଟିର ସୁପରହିଟ ଓଡିଆ ଚଳଚ୍ଚିତ୍ର ଫୁଲଚନ୍ଦନ ସିନେମା ର କଥା ।
ଏହି ରେଳଗାଡିରେ ଚଳଚ୍ଚିତ୍ର ର ନାୟକ ଆମ କୁନିଆ ଭାଇ ରେଳଗାଡି ରୁ ଓହ୍ଲେଇବାର ର ଦୃଶ୍ୟ ।
ଭଞ୍ଜପୁର ରୁ ଦାମୋଦରପୁର ଜାତୀୟରାଜପଥ ର ବାଙ୍କ ମଧ୍ୟରେ ଅନେକ ଫୋଟ ସୁଟ ହୋଇଛି ।
ଏହିପରି ଅନେକ ଓଡିଆ ଚଳଚ୍ଚିତ୍ର ରେ ମଧ୍ୟ ଏହି ରେଳଗାଡି ରହିଛି।
ଏବେବି ଭଞ୍ଜପୁର ଷ୍ଟେସନ ର ସେହି ବରଗଛ । ଏବେ ମଧ୍ୟ ରହିଛି।
ସେଠାରେ କାମ ସନ୍ଧାନରେ ପ୍ରତ୍ୟହ ଆସୁଥିଲେ ଅନେକ ଶ୍ରମିକ ।
ଜମାହୁଅନ୍ତି ଅନେକ କୁଶଳୀ –ଅଣ କୁଶଳୀ ରାଜମିସ୍ରୀ, ମୁଲିଆ ,ମୁଲିଆଣୀ କିଏ କିଏ ରେଜା ମଧ୍ୟ କହନ୍ତି ।
ସେହିଠାରୁ ସେମାନେ ନୂଆ କାମ ର ନିଯୁକ୍ତି ପାଇ ଯାଇଥାନ୍ତି ।
କାମ ଯଦି ବେସୀ ଦିନ ହେବାକୁ ଥାଏ ତେବେ ସେମାନେ କାମ ସାରିବା ପରେ ହିଁ ପୁଣି ଆସନ୍ତି ସେହି ସ୍ଥାନ କୁ ନୂଆ କାମ ର ଖୋଜ ରେ ....
ସେହିପରି ବାଙ୍ଗିରିପୋଷି ରେଳଷ୍ଟେସନ ।
ଆମେ ମାମୁଁ ଘରକୁ ଯାଇଥିଲେ ଷ୍ଟେସନ ଆସୁ ।
ଇଞ୍ଜିନର ବୁଲାଣି ଦେଖୁ ।
ରେଳଗାଡି ର ପାଣିପିଆ ଦେଖୁ ।
ଏକ ବଡ କୂଅ ଭଳି ଦେଖାଯାଉଥିବା ପାଣି ସଂରକ୍ଷଣ ଭଣ୍ଡାର ରୁ ପ୍ରଥମେ ପାଣି ଯାଇ ପଶେ ଷ୍ଟେସନରେ ଥିବା ପାଣିଟାଙ୍କି ରେ ।
ତା ‘ ପରେ ରେଳ ଇଞ୍ଜିନରେ ।ଏହାକୁ ହିଁ ପାଣିପିଆ କହିଥାନ୍ତି ।
ବାଙ୍ଗିରିପୋଷି ରେଳଷ୍ଟେସନ ରେ ଥିବା କ୍ଵାର୍ଟର ଗୁଡିକରେ ସେତେବେଳେ ଅନେକ ରେଳ କର୍ମଚାରି ରହୁଥିଲେ।
ମାମୁଁ ଘରୁ ଏକ କିମି ଦୂରେ ରେଳ ଷ୍ଟେସନ।
ସେମାନେ ଆମ ପିଲା ମାନଙ୍କୁ ସେଠାରେ ଦେଖିଲେ ପାଠ ପଚାରନ୍ତି ।
ସବୁ ଠିକ ଠିକ କହିଲେ ବହୁତ ଖୁସି ହୁଅନ୍ତି ।
ବେଳେ ବେଳେ ଖୁସିରେ ଚକଲେଟ ମଧ୍ୟ ଦିଅନ୍ତି ।
ପରେ ଜାଣିଲି । ସେମାନଙ୍କୁ ଗେଙ୍ଗକୁଲି କହନ୍ତି।
ଧନ୍ୟ ସେମାନେ ଆଉ ସେମାନଙ୍କ ପାଠପଢା ପ୍ରତି ଚିନ୍ତାଧାରା କେତେ ମହାନ !
ଆଜି ସେମାନେ ମନେ ପଡନ୍ତି ।
ସେତେବେଳେ ବାଙ୍ଗିରିପୋଷି ରୁ ଏହି ଟ୍ରେନରେ କାଠ ସୁବିଧାରେ ନେଇ ଆସୁଥିଲେ ।ଭଞ୍ଜପୁର ପହଞ୍ଚିବା ମଧ୍ୟରେ ସେଗୁଡିକୁ ତଳକୁ ପକାଇ ଦିଆଯାଏ ।
ରୂପସା ରୁ ବାଙ୍ଗିରିପୋଷି ଏହି ରେଳପଥ,।
ରେଳଗାଡି ।
ରେଳଷ୍ଟେସନ ।
ପ୍ରତ୍ୟକଟି ରେଳଡବା ଆମ ପାଇଁ କେବଳ ରେଳଗାଡିରେ ବ୍ୟବହୃତ ବସ୍ତୁ ମାତ୍ର ନୁହଁ ବରଂ ଇତିହାସର ପ୍ରେକ୍ଷାପଟରେ ଜୀବନ- ଜୀବିକା ,ଅନନ୍ୟ ବାଲ୍ୟକାଳ ,
କହିବାକୁ ଗଲେ ଏକ ନିଛକ ସମ୍ପର୍କର ସେତୁବନ୍ଧ।
ଅନନ୍ୟ ସୁତ୍ରଟିଏ।
ବନ୍ଧୁ -ସହ -ବନ୍ଧୁତାର ଯୁଗଳବନ୍ଦୀ ।
ରେଳଗାଡି ବୁଢାମରା ଷ୍ଟେସନ ପାର ହେଲେ ବୁଢାମରା ଗାଁ ପଡିଥାଏ ।
ଟିଫିନ କେରିୟର ଧରି ଝିଏଟିଏ ଅପେକ୍ଷା କରିଥାଏ ।
ତା’ ବାପା ଏହି ରେଳଗାଡି ର ଡ୍ରାଇଭର ।
ରେଳଗାଡି କ୍ରମଶଃ ସେଠାରେ ଧୀର ହୁଏ।
ଝିଅ ହାତରୁ ବାପା ଟିଫିନ କେରିୟର ନେଇଥାନ୍ତି।
ଏହା ଦିନବେଳର ଲଞ୍ଚ ।
ପୁଣି ଏହି ରେଳଗାଡିକୁ ଦେଖି ଖୁସି ହୋଇଯାଏ ନିଜ ବାପଘର ଛାଡି ଆସିଥିବା ଝିଅଟିଏ ।
ଘର ପାଖ ଦେଇ ରେଳଗାଡି ଯିବାର ଶବ୍ଦ ଶୁଣିଲେ କିମ୍ବା ରେଳଗାଡିକୁ ଦେଖିଲେ ବାପ ଘର ପାଖରୁ କିଏ ଆସିଲା ପରି ତାକୁ ଲାଗେ ।
ମନରେ ଉନ୍ମାଦନା ଆସେ ।
କୋହଭରା ମନରେ ଆଖି ଆପେ ଆପେ ଜକେଇ ଆସେ ।
ରେଳଲାଇନ୍ ରେ କୋକାକୋଲା ,ଥମ୍ସଅଫ୍ ,ଇତ୍ୟାଦି ମୃଦୁ ପାନୀୟର ଠିପିକୁ ରେଳଧାରଣାରେ ଦେଇ ଚେପା କରିବା ଏବଂ ଚେପା ହେଲା ପରେ ଚକ୍ରୀ ଆକାର ପରି ହୋଇଯିବାପରେ ସୂତା ରେ ବାନ୍ଧି ଘୂରାଇବା।
ଏସବୁ ଥିଲା ସେତେବେଳର ନିତିଦିନିଆ ଘଟଣା ।
ରେଳଯାଇଥିବ ବାଙ୍ଗିରିପୋଷି।
ଫେରିବ ଠିକ୍ ପାଖାପଖି ଦିନ ତିନିଟା ରେ।
ବାରିପଦା ସହରକୁ ରେଳଗାଡିର ପ୍ରବେଶ ।
କ୍ରମେ ଦାମୋଦରପୁର ବାଙ୍କ ରୁ ବାୟାଁଯୋଡି ନଦୀର ପୋଲ ଉପରେ ରେଳଗାଡି ।
ତଳେ ରାମବୁଢାର ଗାଇଗୋଠ । ରେଳ ଗାଡି ଫେରିଲା ମାନେ ଘରକୁ ଫେରିବାର ସମୟ ଉପନୀତ ।
ଗାଇଗୁଡିକ ମଧ୍ୟ ରେଳଗାଡିର ହର୍ଣ୍ଣ ଶବ୍ଦ ଶୁଣିଲେ ଆପେ ଆପେ ଘରମୁହାଁ ହୋଇଥାନ୍ତି।
ସେହି ନଦୀ ପୋଲ ଉପରେ ।
କହିବାକୁ ଗଲେ ରେଳଗାଡି ର ଆସିବା ଏବଂ ଯିବା ସମୟକୁ ନେଇ ଲୋକମାନେ ନିଜ ନିଜ ହାତଘଣ୍ଟା କୁ ମିଳାଇଥାନ୍ତି
ଦିନ ଦଶଟା ।
ରେଳଗାଡି ର ବାଙ୍ଗିରିପୋଷିକୁ ଯିବା ସମୟ।
କେବେ କେମିତି ସ୍କୁଲ ଛୁଟି ଥିବା ଦିନମାନଙ୍କରେ ରେଳଗାଡି ଗଲାବେଳେ ଆମେ ନଦୀ ରେ ଗାଧୋଉଥାଉ।
ରେଳଗାଡି ରେ ଯାଉଥିବା ଯାତ୍ରୀମାନଙ୍କୁ ଟାଟା ବାଇ -ବାଇ କରୁ।
ସତେ ଯେମିତି ? ସେମାନେ ଆମର ବନ୍ଧୁ -ପରିଜନ।
ମାତ୍ର ସତକଥାଟି ହେଲା ସେମାନେ ଆମର କେହି ନୁହନ୍ତି ।
କେବଳ ରେଳଯାତ୍ରୀ ।
ରେଳଗାଡି ସହ ଆମର ଆତ୍ମିୟତାର ସମ୍ପର୍କ ରେ ସେମାନେ ମଧ୍ୟ ନିଜର ପରି ମନେ ହୁଅନ୍ତି