STORYMIRROR

Nityananda Nandi

Classics Inspirational

4  

Nityananda Nandi

Classics Inspirational

ପରିବାର

ପରିବାର

5 mins
340


ପୁଅ, ବୋହୂ, ନାତି, ନାତୁଣୀଙ୍କୁ ଅପେକ୍ଷା କରି ବସିଛି ମୁଁ। କାଲି ପହଞ୍ଚିବେ ସମସ୍ତେ। ତା ପରେ ଯାଇ ବାପାଙ୍କ ଶବ ସତ୍କାର ହେବ। କାହିଁକି କେଜାଣି,ଏତେ ଦିନ ପରେ ଆଜି ମୋତେ ଏକା ଏକା ଲାଗୁଛି। ବାପାଙ୍କ ଅନୁପସ୍ଥିତି ବୋଧେ ତିଳ ତିଳ ଦଗ୍ଧ କରୁଛି।

କେତେ ବଡ ଘର, ଠିକ୍ ରାଜ ପ୍ରସାଦ ପରି। ଜମିଦାରୀ ପରମ୍ପରା। ଦଶ ଜଣ ମହିଳାଙ୍କୁ ମିଶେଇ କୋଡିଏ ଜଣ ଲୋକ କାମ କରନ୍ତି ଆମ ଘରେ। ପୁଅ ବିଦେଶରେ ରହେ। ବୋହୂ ବି ବହୁତ ବଡ କମ୍ପାନୀରେ ଡାଇରେକ୍ଟର। ଆମ ଦେଶରେ ରହେ, ଛୁଆ ପିଲାଙ୍କ ସାଥିରେ। କାଆଁ ଭାଁ କେତେବେଳେ କେମିତି ଘରକୁ ଆସନ୍ତି ସେମାନେ, ବାସ୍।


ବାପାଙ୍କ ଶୋଇବା ଘରକୁ ଲାଗି ପ୍ରଥମ ମହଲାର ବାଲକୋନୀ, କେତେବେଳେ ଖସି ପଡିବ କେଜାଣି। କାନ୍ଥ ସାରା ଚେର ବ୍ୟାପି ଯାଇଛି। ଦୁଇଶହ ବର୍ଷ ତଳର ଘର ବୋଲି ସମସ୍ତେ କହନ୍ତି। ଭୟ ଲାଗିଲେ ବି କିଛି ଉପାୟ ନାହିଁ। ବାପାଙ୍କ ଶବକୁ ଜଗି ମୁଁ ଆଜି ବସି ରହିଛି ସେଇ ବାଲକୋନୀ ରେ। ସବୁଦିନ ଚେୟାର ଉପରେ ବସି ସେଇଠୁ ମୁଁ ସମସ୍ତଙ୍କ କାମକୁ ତଦାରଖ କରେ, କିଏ କୋଉଠି କଣ କରୁଛି ? ଆଜି କିନ୍ତୁ ନିଶବ୍ଦ, ଖାଲି ଖାଲି ଲାଗୁଛି। ସବୁଦିନ ଏଇ ସମୟରେ କିଏ ଚକି ପେଶୁ ଥାଏ ତ କିଏ ଗାଈ ଦୋହୁ ଥାଏ। ସିଆଡେ ସମବାୟ ସଂସ୍ଥାର ଜିପ୍ ଆସି ହର୍ଣ୍ଣ୍ ଦିଏ, କ୍ଷୀର ନବ ବୋଲି। ଆଜି ସେମାନଙ୍କୁ ଖବର ମିଳି ଯାଇଛି ବୋଧେ। ଗାଡି ଆସିନି। ପୋଖରୀ ତୁଠ ଆଡକୁ ଅନେଇଲି, ନା ଘାସ କାଟୁଆଳି ର ଗୀତ ଶୁଭୁଛି ନା ପୋଖରୀ ତୁଠ ପଥର ଉପରୁ ଧୋବୀର ଲୁଗାକଚା ଶବ୍ଦ ଆସୁଛି। ସମସ୍ତେ ମୁହଁ ତଳକୁ କରି ବସିଛନ୍ତି ବାରଣ୍ଡାରେ। ମରିଗଲା ପରେ ମଣିଷଟା ଆଖ ପାଖ ପୃଥିବୀରୁ ପୁଳାଏ ରଙ୍ଗ ଉଠେଇ ନେଇଯାଏ ଯେମିତି। ତୂଳୀ ଧରି ଆଙ୍କି ଦେଇଥାଏ କେହି ଜଣେ ନିସ୍ତବ୍ଧତାକୁ ଝାପସା ରଙ୍ଗ ଦେଇ। ଝଡ ବତାସ ଆସିବ କିମ୍ବା ଆସି ଚାଲି ଯାଇଛି, କିଛି ବୁଝି ହେଲାନାହିଁ।


ମୋ ବୋଉଙ୍କ ଫଟୋ, ମୋ ବଡ ଭଉଣି, ମୋ ସ୍ବାମୀ, ମୁଁ କେବେ ଦେଖି ନ ଥିବା ଜଣେ ମହିଳାଙ୍କ ଫଟୋ ସବୁ ଗୋଟାଏ ଧାଡିରେ ରହିଛନ୍ତି ମୋ ବାପାଙ୍କ କୋଠରୀରେ। ଥରେ ମଜାରେ ମଜାରେ ବାପା ମୋତେ କହିଲେ ରୀନା ! ତା ପରେ ଯେଉଁ ଜାଗା ବଳିଛି ସେଇଟି ମୋ ଫଟୋ ଲାଗିବ। ସେ ହସିଦେଲେ, ମୋ ଆଖିରୁ କିନ୍ତୁ ଦୁଇ ଟୋପା ଲୁହ ବହି ଆସିଲା। ଭଗବାନତୁଲ୍ୟ ବାପାଙ୍କୁ ହରେଇବାର ସତ୍ସାହସ ନ ଥିଲା ମୋ ପାଖରେ।

କହିବାକୁ ଗଲେ ମୁଁ ତାଙ୍କ ରକ୍ତର ଝିଅ ନୁହେଁ। ସେ ଜମିଦାର ଥିଲେ। ସେଇ ଅପରିଚତ ମହିଳା, ଯାହାଙ୍କ ଫଟୋ ଲାଗିଛି ମୋ ବାପାଙ୍କ କୋଠରୀରେ, ଶୁଣିଥିଲି ବିବାହ ପୂର୍ବରୁ ତାଙ୍କର ମୃତ୍ୟୁ ହେଇଥିଲା। ସେ ତାଙ୍କୁ ଭଲ ପାଉଥିଲେ ବୋଧେ। ବିଜେତା ମୋ ଭଉଣି, ସେଇ ମହିଳାଙ୍କ ଔରସରୁ ଜନ୍ମ ନେଇଥିଲା କି ନାହିଁ ବିଜେତା ନିଜେ ବି ଜାଣି ନ ଥିଲା ତା ମୃତ୍ୟୁ ପର୍ଯ୍ୟନ୍ତ। ବାପାଙ୍କୁ ବି ପଚାରିବା ସହଜ ନ ଥିଲା। ଭିନ୍ନ ଭିନ୍ନ ରଙ୍ଗ ବୋଳି ଭିନ୍ନ ଚରିତ୍ର ସବୁ ଅଭିନୟ ସାରି ଯେ ଯା' ର ଘରକୁ ଯାଆନ୍ତି ବୋଲି ଶୁଣି ଥିଲି। ଏଇଠି କିନ୍ତୁ ଚରିତ୍ର ସବୁ ଗୋଟାଏ ଛାତ ତଳେ ବୁଢିଆଣୀ ସମ୍ପର୍କର ମାୟାଜାଲ ଭିତରେ ଏମିତି ଛନ୍ଦି ହେଇ ଥାଆନ୍ତି ଯେ ଗୋଟାଏ ପରିବାରଟିଏ ସୃଷ୍ଟି ହେଇ ଯାଇଥିଲା ସମସ୍ତଙ୍କ ଅଜାଣତରେ। 


ଆବାସିକ ବିଦ୍ୟାଳୟରେ ମୋର ଘନିଷ୍ଟ ବନ୍ଧୁ ଥିଲା ବିଜେତା। ବିଜେତାର ବାପା ମାସରେ ଥରେ ଦୁଇଥର ଆସନ୍ତି ଆମ ହଷ୍ଟେଲ କୁ। ବିଜେତାର ଘନିଷ୍ଟ ବନ୍ଧୁ ହିସାବରେ ବହୁତ ସ୍ନେହ ଶ୍ରଦ୍ଧା ପାଇଲି ତା ବାପାଙ୍କ ପାଖରୁ। ସବୁବେଳେ ପଚାରୁଥିଲେ ତୋ ବାପା କଣ କରନ୍ତି, ମୁଁ କିଛି ନ କହି ହସିଦିଏ। ମୋ ନିରବତା ଦେଖି ସେ ମନେ ମନେ ଭାବି ନେଇଥିଲେ ମୋ ବାପା ଗରିବ ବୋଲି। ବର୍ଷ ସାରା ସବୁ ପର୍ବ ପର୍ବାଣୀରେ ବିଜେତା ପାଇଁ ଆଣିଥିବା ଜିନିଷରୁ ଗୋଟାଏ ଭାଗ ମୋତେ ଦିଅନ୍ତି ସେ।  ବନ୍ଧ ଦେଇ ଦେଲେ ନଦୀର ଗତିପଥ ବଦଳି ଯାଏ ସିନା ଅପର୍ଯ୍ୟାପ୍ତ ସ୍ନେହ ଶ୍ରଦ୍ଧା କିନ୍ତୁ କୂଳ ଲଙ୍ଘି ଦୁଇ ଭାଗରେ ବାଣ୍ଟି ହେଇଯାଏ। ବିଜେତା ପରି ମୋତେ ବି ଆଉ ଜଣେ ଝିଅର ଜାଗା ମିଳି ଯାଇଥିଲା ତାଙ୍କ ହୃଦୟରେ। 


ଦିନେ ଗାଆଁରୁ ଫ୍ରକ୍ ଟିଏ ନେଇ ଆସି ବିଜେତାକୁ ଦେଇ କହିଲି ତୋ ପାଇଁ ମୋ ବାପା ପଠେଇଛନ୍ତି। ସେ ଖୁସିରେ ଗ୍ରହଣ କରିନେଲା ସତ, କିନ୍ତୁ ଗୋଟାଏ ମିଛ ବହୁତ ବଡ ଭୂସ୍ଖଳନ ଆଣିଲା ମୋ ଦେହ ଉପରେ। ଅତଡା ଖାଇଲା ପରି ଭାଙ୍ଗି ପଡିଲା ମୋ ଦେହର ଅଂଶ ବିଶେଷ ସବୁ। ମିଛ, ବିଯୁକ୍ତାତ୍ମକ ଶକ୍ତିର ଉତ୍ସ ବୋଲି ଜାଣିବା ପରେ ସତଟିଏ ଆସି ଟଗର ଫୁଲର କଢ଼ ପରି ଜନ୍ମ ନେଉଥିଲା ମୋ ମନ ଭିତରେ। ସତ ଟିକିଏ କଡୁଆ ହେଲେ ବି ଆଖ ପାଖର ସମସ୍ତଙ୍କୁ ଆକର୍ଷଣ କରି ରଖେ ବୋଲି ମୁଁ ଶୁଣିଥିଲି।  


ମୋର ବାପା କିଏ ମୁଁ ଜାଣିନି, ବୋଉ ମୋତେ ରାସ୍ତା କଡରୁ ଆଣି ପାଳିଥିଲା ବୋଲି ମୋ ବାପା ବୋଉକୁ ଛାଡି ଚାଲିଗଲେ, କୁଆଡେ କେଜାଣି। ବୋଉ ମୋତେ ରଖିବାକୁ ଚାହିଁଲା, ବାପା ଚାହୁଁ ନ ଥିଲେ। ମୁଁ କୁଆଡେ ବେସାହାରା ହେଇଯିବି, ବୋଉ ସେଇଥି ପାଇଁ ବୋଧେ ମୋତେ ଜାବୁଡି ଧରିଲା ତା କୋଳରେ। ବୋଉ ପାଖରୁ ଶୁଣିଥିଲି, ମୋ ପାଇଁ ନିଜ ସ୍ବାମୀକୁ ହରେଇବାର ସତ୍ସାହାସ ଥିଲା ମୋ ବୋଉ ଭିତରେ। ବାପାଙ୍କୁ ବହୁତ ଖୋଜୁଥିଲି ମନେ ମନେ, କେବେ କିନ୍ତୁ ଫେରି ଆସି ନ ଥିଲେ ସେ ମୋ ବୋଉ ପାଖକୁ।

ବିଜେତା ବୋଧେ ମୁଁ ଦେଇଥିବା ଫ୍ରକ୍ କଥା ତା ବାପାକୁ କହିଥିଲା। ଆଗ ଥରକୁ ହଷ୍ଟେଲକୁ ଆସି ବିଜେତାର ବାପା ଗୋଟାଏ ଧୋତି ଆଉ ସାଲ୍ ମୋତେ ଧରେଇ ଦେଇ କହିଲେ ତୋ ବାପାଙ୍କ ପାଇଁ ମୁଁ ଆଣିଛି। ହସି ଦେଇ ଧରି ନେବା ବ୍ୟତୀତ କିଛି ଉପାୟ ନ ଥିଲା ମୋ ପାଖରେ, କେମିତି ହଠାତ୍ କହି ଥାଆନ୍ତି ଯେ ମୋ ବାପା କିଏ ମୁଁ ଜାଣିନି !


ମିଛର ବିଜୟ ମୁହୂର୍ତ୍ତ କ୍ଷଣସ୍ଥାୟୀ। ଗୋଟାଏ ରାତିଠୁ ବି କମ୍ ବୟସ ମିଛ ସାମ୍ରାଜ୍ୟର। ସକାଳ ହେଲେ ସତ ହିଁ ଓଦା ମାଟି ପରି ବାସେ। ମିଛ ପାଇଁ, ଆତ୍ମହତ୍ୟା ହିଁ ଶେଷ ପରିଣତି ଲୋକ ଲଜ୍ୟାରେ । ମିଛ ଅନେକ ବାର ମୃତ୍ୟୁ ବରଣ କରେ, ସତ କିନ୍ତୁ ମରିବାର ମୁଁ କେବେ ଶୁଣି ନ ଥିଲି।


ମୁଁ ବିଜେତାକୁ ସବୁ ସତ କହିଦେଲି। କଣ ସବୁ ଘଟିଗଲା କେଜାଣି, ଅନେକ ବର୍ଷ ତଳର କଥା ସ୍ପଷ୍ଟ ମନେ ନାହିଁ। ସେଇ ଦିନଠୁ ମୋ ବୋଉ ଓ ମୁଁ ତାଙ୍କ ଘରେ। ମୋ ବିବାହ, ମୋ ବୋଉ ଓ ବିଜେତା ର ଅଚାନକ ମୃତ୍ୟୁ ଏବଂ ମୋ ସ୍ବାମୀଙ୍କ ମୃତ୍ୟୁ ପରେ ଅନେକ ଘଟଣା ଘଟି ଯାଇଛି ଆମ ଘରେ। ମୋତେ ଆଜି 

ସାଠିଏ ବର୍ଷ ବୟସ। କେମିତି କେଜାଣି, ଗୋଟାଏ ସର୍କସ୍ ଭିତରେ ଅଭିନୟ କରୁ କରୁ କେତେବେଳେ ଆମେ ସବୁ ନିଜର ହେଇ ଯାଇଥିଲୁ କେବଳ ଭଗବାନ ହିଁ ଜାଣନ୍ତି। ମୁଁ, ମୋ ବୋଉ, ବିଜେତା, ଜମିଦାର ଓ ଅଚିହ୍ନା ମହିଳା କେହି କାହାର ରକ୍ତ ସମ୍ପର୍କର ନୁହଁନ୍ତି। ଗୋଟାଏ ଛାତ ତଳେ ସମସ୍ତେ, ଭାବିଲେ ଆଜି ମଧ୍ୟ ମୋ ମୁଣ୍ଡ କାମ କରୁ ନ ଥିଲା ।

ସମସ୍ତେ ଆସି ପହଞ୍ଚିଲେ ...। ଭାବ ବିହ୍ୱଳ ପରିବେଶ ଟିଏ ସୃଷ୍ଟି ହେଲା ଆମ ଘରେ। ପୁଅ, ବୋହୂ, ନାତି, ନାତୁଣୀଙ୍କ ଆଖିରେ ଲୁହ ନ ଆସିବା ସ୍ୱଭାବିକ। ସେମାନଙ୍କ ଉପସ୍ଥିତି ଖାଲି ଗୋଟାଏ ଔପଚାରିକତା ଥିଲା। ସେମାନେ ଏତେ ସଂଯୁକ୍ତ ନ ଥିଲେ ମୋ ବାପାଙ୍କ ସହିତ। ମୁଁ କିନ୍ତୁ ରଡି ଛାଡି କାନ୍ଦିଲି, ସବୁ କର୍ମଚାରୀ ପଶି ଆସିଲେ କୋଠରୀ ଭିତରକୁ। ମୋ ସହିତ ମିଶି ସେମାନେ ମଧ୍ୟ କାନ୍ଦିଲେ । ଝଡ ବତାସରେ ଗଛଟି ଓପାଡି ଗଲେ ଚଢେଇ ବସା ସବୁ ଧରାଶାୟୀ ହେଇ ଯାଆନ୍ତି। ଆଖ ପାଖ ଗଛକୁ ଯାଇ ଆଉଥରେ ବସା ବନେଇ ରହିବା ଏତେ ସହଜ ନୁହେଁ। ଯେମିତି ମହାଭାରତ ଯୁଦ୍ଧ ପରେ ପ୍ରଥମ ରାତି ପାହିଛି। ଆଗରେ ଅନେକ ଦୁଃଖର ରାତି ଅଛି ଆଶାର ଏକ ଅଦ୍ଭୁତ ସୁର୍ଯୋଦୟ ପାଇଁ। ହତାଶାର ଚିହ୍ନ ମୁଁ ସ୍ପଷ୍ଟ ଭାବେ ଦେଖୁଥିଲି କର୍ମଚାରୀ ଙ୍କ ମୁହଁ ଉପରେ।

 

ଅନେକ ଦିନ ଆଗରୁ ଥରେ ମୋ ବାପାଙ୍କ ଉଦ୍ଦେଶ୍ୟରେ ମିଳିଥିବା ଉପହାର, ସାଲ ଓ ଧୋତିକୁ ମୋ ବାପାଙ୍କ ଚରଣରେ ଥୋଇ ଦେଇ ଶେଷ ପ୍ରଣାମ କଲି । ବାପାଙ୍କ ପାଇଁ ଉପହାର ବାପା ହିଁ ପାଇଲେ। ସାଲ ଓ ଧୋତି କୁ ଲୁଚେଇ ରଖିଥିଲି ବାପାଙ୍କୁ ଦେବି ବୋଲି ତାଙ୍କ ଅଜାଣତରେ। କି ଅଦ୍ଭୁତ ପରିବାର ମୋ ବାପାଙ୍କର। ହୃଦୟ ଦେଇ ଅନ୍ୟକୁ କିଣିବାର କଳା ବୋଧେ ବାପା ହିଁ ଜାଣିଥିଲେ। କେହି କାହାକୁ ଚିହ୍ନି ନ ଥିବା ମଣିଷ ମାନଙ୍କୁ ନେଇ ବି ପରିବାର ଟିଏ ଗଢି ହୁଏ.. ଅନେଇଲି କାନ୍ଥ ସାରା ଟଙ୍ଗା ହୋଇଥିବା ସବୁ ଫଟୋ ମାନଙ୍କୁ। କେହି କାହାର ନ ହେଇକି ବି ସମସ୍ତେ ନିଜର। ବାପାଙ୍କୁ ମଶାଣିକୁ ନେବା ପୂର୍ବରୁ ହିଁ ତାଙ୍କ ଫଟୋ ତାଙ୍କ ମନ ପସନ୍ଦ ଜାଗାରେ ଝୁଲେଇ ଦେଲି, ଭାବୁଥିଲି ବାପାଙ୍କ ପାଖେ ପାଖେ ଆଉ ଜାଗା ଥାଆନ୍ତା କି ... ମୋ ପାଇଁ। ଆଖିରୁ ଶେଷ ଦୁଇ ଟୋପା ଲୁହ ବହି ଆସିଲା ଖାସ ମୋ ବାପାଙ୍କ ଉଦ୍ଦେଶ୍ୟରେ..।



Rate this content
Log in

Similar oriya story from Classics