ପ୍ରବାସୀ
ପ୍ରବାସୀ
ପ୍ରବାସୀ ମାନଙ୍କ ପାଇଁ ଜୀବନ ର ମାନେ କିଛି ନଥାଏ | ଖାଲି ଲକ୍ଷ୍ୟ ଆଉ ଲକ୍ଷ୍ୟ । କମ୍ପାନୀ ରେ କାମ ଶେଷ କରିବା ର Target ଆଉ ଘରକୁ ଗରିବୀ ରୁ ମୁକ୍ତ କରିବା ର Target l ଲେବର କ୍ୟାମ୍ପ କୁ ଆସ ଖାଅ-ପିଅ ସୋଇଯାଅ ପୁଣି ଅପେକ୍ଷା କର ନୂତନ ସକାଳ କୁ ନୂତନ Target କୁ l ମାସ ଶେଷର ପଇସା ବାଣ୍ଟି କୁଣ୍ଟି ଦେଲେ ଦୁଇ ଦିନରେ ଶେଷ । ଆଉ ମାସସାରା ଧାର ଉଧାରୀ ଉପବାସ ଓ ଆଜେଷ୍ଟ | ଦିନ ଗଡ଼େ ମାସ ଗଡ଼େ ବେଳେ ବେଳେ ବର୍ଷ ବି ଗଡ଼ିଯାଏ ଖାଲି ଗୋଟିଏ ଅପେକ୍ଷାରେ ମୁଁ ଦିନେ ଘରକୁ ଯିବି ମୋ ପରିବାର ସହ ସମୟ ବିତାଇବି | ଶାନ୍ତିରେ ପଖାଳ ଗଣ୍ଡେ ଖାଇ ମାଆ କୋଳରେ ସୋଇବି | ହେଲେ ସେ ସମୟ ଆସେନା l ୧୫ ଦିନର ଛୁଟି ଯିବା ୩ ଦିନ ଆସିବା ୩ଦିନ ଆଉ ୯ଦିନର ଜୀବନରେ ସବୁ ଆଶା । ଏଥିରୁ ଖିଲାପ ହେଲେ ବିସ୍ଥାପିତ ।
ସ୍ତ୍ରୀ ଗର୍ଭିବତୀ ବୋଲି ଘରେ ଥାଏ | ଡାକ୍ତର ତାରିଖ ଦେଇଥିଲେ ସମସ୍ତେ ମ୍ୟାଡ଼ିକାଲ ରେ । ପୁରା ଦିନ ଅନାଇ ଅନାଇ ବିତୁଥାଏ କେତେବେଳେ ଖୁସି ଖବର ଆସିବ କାମରେ ମନ ଲାଗୁ ନ ଥାଏ। କାଳେ ବାରମ୍ବାର ପଚାରିଲେ କହିବେ ଭାରି ଉଛନ୍ନ ହେଉଛି | ଏଣେ ସ୍ତ୍ରୀ ର ଗର୍ଭ ଯନ୍ତ୍ରଣା , ଯିଏ ମୋତେ ବିଶ୍ୱାସ କରି ଘରଛାଡ଼ି ଆସିଥିଲା ତା'ର ଅସୁବିଧା ସମୟରେ ମୁଁ ତା' ପାଖରେ ନାହିଁ । ନିଜକୁ ଦୋଷି ଦୋଷି ଲାଗୁଥାଏ | ରୁମ୍ କୁ ଆସି ଶାନ୍ତିରେ ଖାଇ ପାରିଲି ନାହିଁ । ମନ ଛକପକ ହେଉଥାଏ | ମନକୁ ମନ ବୁଝାଉ ଥାଏ , ମାଡ଼ିକାଲ କଥା ଡାକ୍ତର କେତେବେଳ କ'ଣ କରିବ ନା ମୁଁ ଏତେ ଅସ୍ଥିର ହେଲେ ହେବ କଣ |
ସାହାସ ବାନ୍ଧି ଜଣକୁ ଫୋନ୍ କଲି | ହେଲେ ଲାଗିଲା ନାହିଁ ମନକୁ ବୁଝାଇଲି ବୋଧେ ବ୍ୟସ୍ତ ଥିବ । ହଠାତ୍ ଶଶୁର ଙ୍କ ଫୋନ୍ ଆସିଲା ..... "ଘରକୁ ଲକ୍ଷ୍ମୀ ଠାକୁରାଣୀ ଆସିଲେ " ମୁଁ କିଛି ସମୟ କିଛି କହି ପାରିଲି ନାହିଁ । ଖାଲି ଗୋଟେ କଥା କହୁଥାଏ ମୋତେ ଫଟୋ ପଠାଅ | ତୁରନ୍ତ ମୋ GPay/PPay ରେ ଟଙ୍କା କୁ ଦେଖିଲି ଚୁପ୍ ଚାପ୍ ତୁନି ରହିଲି। ପାଖରେ ପଇସା ନଥିଲେ ଖୁସିର ମୁହଁକୁ ବନ୍ଦ କରିବା ପାଇଁ ପଡ଼େ । ଖାଲି ଫଟୋ ଆସିବାକୁ ଅପେକ୍ଷା କଲି ।
ଜଣକ ପରେ ଜଣେ ଫୋନ୍ ଆସିଲା ଶୁଭେଚ୍ଛା ର ବର୍ତ୍ତା ଦେବା ପାଇଁ |
" ମନ ଦୁଃଖ କରନା ଝିଅ ଘର ଲକ୍ଷ୍ମୀ ତୋର ଏବେ ଠାରୁ ଉନ୍ନତି ହେବ "
" କନ୍ୟାଦାନ ମହା ପୂର୍ଣ୍ଣ ତୋ ଭାଗ୍ୟରେ ଲେଖା ହୋଇଛି "
" ଝିଅ ହିଁ ବାପର ଦୁଃଖ ବୁଝେ , ଏବେଠୁ ତୋ ଦୁଃଖ ଗଲା "
ଫଟୋ ଆସିଲା , ବିଶ୍ୱାସ କରିପାରୁନଥାଏ ମୋର ଝିଅ ଟିଏ ହୋଇଛି ବୋଲି | ପ୍ରଥମ ଥର ପିତା ହେବାର ଖୁସି । ବିନ୍ଦୁ ବିନ୍ଦୁ ଠାରୁ ଆରମ୍ଭ କରି ପୂର୍ଣ୍ଣ ଶରୀରକୁ ଦେଖିବାର ଖୁସି ଯିଏ ପିତା ହୋଇଛି ସେ ତା' ଅନୁଭବ କରିପାରିବ |
ତା'ର ମାଆ ସବୁବେଳେ ଗୋଟିଏ ଝିଅ ଆଶା କରିଥିଲା କାହିଁକି କେଜାଣି । ପଚାରିଲେ ଖାଲି କୁହେ . . . . ଲମ୍ବା ଲମ୍ବା ଚୁଟି କୁ ସଜାଇ ଦେବ , କୁନି ପାଦର ପାଉଁଜି ଶବ୍ଦରେ ପୁରା ଘର କମ୍ପାଇ ଦେବ । ସେଇଥିପାଇଁ ! ସବୁବେଳେ ଭଗବାନଙ୍କୁ ପ୍ରାର୍ଥନା କରେ ଝିଅଟିଏ ପାଇଁ ମୁଁ ପ୍ରଥମ ଥର ଗୋଟିଏ ମାଆ କୁ ଝିଅ ହେବା ପାଇଁ ଠାକୁରକୁ ଡାକିବା କଥା ଦେଖୁଥିଲି |
ସେ ମୋତେ ପଚାରନ୍ତି ତୁମେ କୁହ ଆମର ଝିଅ ହେବନା ପୁଅ ? ମୁଁ କୁହେ ଝିଅ । ସେ ପୁଣି ପଚାରନ୍ତି କାହିଁକି ?
ଯାହା ଉପରେ ଅଧିକ ଭରସା କରାଯାଏ ସିଏ ସବୁବେଳ ଭରସା ଭାଙ୍ଗିଥାଏ । ଝିଅ ବିଶ୍ୱାସ ହେଲେ ପୁଅ ଭରସା । ବୃଦ୍ଧା ଆଶ୍ରମ କୁ ବାପା ମାଆକୁ ପଠାଉଥିବା ପ୍ରିଲାଟି କିଏ ? ବାଭାଘର ପରେ ସବୁବେଳେ ବାପା ମାଆ ର ଖବର ରଖୁଥିବା ପିଲାଟି କିଏ ? ଖାଲି ସେଥିପାଇଁ ମୋର ଝିଅ ଦରକାର | ସିଏ ହସି ଦିଏ |
ଦୂରରୁ ମୋବାଇଲ ରେ ଝିଅକୁ ଦେଖି ଖୁସି ହେଉଥିଲି ସତ | ପାଖରେ ନ ପାଇବାର ଦୁଃଖ ଟା ଆଖି ବାଟ ଦେଇ ବାହାରକୁ ଚାଲିଯାଉଥିଲା ନୀରବ ରେ |
