Bibhu Samanta

Abstract Romance Classics

3  

Bibhu Samanta

Abstract Romance Classics

ପଳାତକ

ପଳାତକ

6 mins
293


ଫଗୁ ଉଡା ବୟସର ସୁନେଲି ସଞ୍ଜ ଟିଏ। ଆଉ ରଜତ ନଗରୀର କାଠଯୋଡ଼ି ବନ୍ଧ ଉପରେ ସୁଲୁସୁଲିଆ ପବନ। ମତେ ହାତ ଠାରି କହେ, ଆ! ବସ୍ ଟିକେ ଏଇଠି। ମୁଁ କିନ୍ତୁ ଅଟକେନା କେବେ। ତା ସହ କଥା ହେବା ସାହସ ମୁଁ ଜୁଟେଇ ପାରିନି ଆଜି ଯାଏ। ତଥାପି ସେଦିନ କଣ ହେଲା କେଜାଣି ପାଦ ମୋର ଅଟକିଗଲା ଆପେ ଆପେ ସେଇଠି। ଏଡେଇ ପାରିଲିନି ତା ଡାକ କୁ। ଚାଲିଗଲି ତା ପାଖକୁ।ବସିଗଲି ସେଇଠି। ଆତ୍ମସମର୍ପଣ କରିଥିବା ସୈନିକ ଟେ ପରି। ଝାପସା ହେଇଯାଉଛି ଦୃଶ୍ୟ ସବୁ। ବନ୍ଧ ତଳକୁ ଅରମା ଭର୍ତ୍ତି, ଆବର୍ଜନା ମୟ। ନିଜ ଭିତରେ ସେ କହେ ଅନେକ କାହାଣୀ। ହେଲେ ପଚାରନ୍ତି କେତେ ଜଣ ଯେ?? 


ସେ କଣ ଖାଲି ଅରମା, ନା ସେ ଗୋଟେ ସ୍ମୃତି ଭିଜା, ଜର ଜର ଜଖମ ଟିଏ। ଆଉ ଠିକ ତାକୁ ଲାଗି ନିଜ ବିଛାଡି ହେଇ ପଡିଛି ବାଲୁକା ରାଶିର ପ୍ରଶସ୍ତ ଛାତି। ଯେଉଁଠି ସାଇତା ରେଣୁ ରେଣୁ ସ୍ମୃତି ସିକ୍ତ ଗୋପନ କଥା ସବୁ। କେଉଁ ଉପନ୍ୟାସ କି ସିନେମା ଠାରୁ କମ୍ ନୁହେଁ। କେତେ ଯେ ଦାଗ ତା ଦେହରେ କେତେ ପଦଚିହ୍ନ ହେଲେ ତଥାପି ସେ ନିରୀହ, ସତ୍ୟନିଷ୍ଠ ପରି ମନେ ହୁଏ। ନୁହେଁ କି?? ସେଇ ଛାତିକୁ ଉପରେ ବହିଯାଏ କାଠ ଯୋଡି। ସତ କହିଲ, ସେ କଣ ଖାଲି ଗୋଟେ ନଦୀ?? ନା, ମୁଁ କହେ ସେ, ସେ ଛାତିର ସ୍ପନ୍ଦନ । ତା ବିନା ଏ ରଜତ ନଗରୀର ଶ୍ରୀ କଳ୍ପନା କରିହୁଏନା। ରାସ୍ତାର ବତୀ ସବୁ ଜଳିଗଲାଣି। ସେପାରିର ଦୃଶ୍ୟ ସବୁ ବୁଡି ଗଲାଣି ଅନ୍ଧାର ଭିତରେ। ମାତ୍ର ଦିଶୁଛି କେଇଟା ବିଜୁଳି ଆଲୁଅ। ସେପାରିର ସଂଯବତୀର ମହକ ଏପଟେ ବାସେ। ଆଉ ମୁଁ ଏଇ ସଞ୍ଜ ବେଳ ଟାରେ ନଈକୁ ପଚାରେ ତା କଥା। ନଈ କହେ... ମୁଁ ତ ତୋ ପରି, ଖାଲି ଦୌଡୁଛି। ତୁ ବାଲି କୁ ପଚାର। ବାଲି କହେ.... ଠିକ୍ ସେ ମନେ ପଡୁନି। ମୁଁ କହେ," ହଁ ,ମନେ ପକା ତା କଥା। ଦେଖ, ଏଇ କୂଳରେ ଯୋଉ ଘର ଦେଖାଯାଉଛି ସେଇଠି ତ ସେ ରହୁଥିଲା। ମନେ ପକା କେତେ ଥର ସଞ୍ଜ ବେଳେ ତା ଗୋଲାପୀ ଓଢଣୀ ଉଡେଇ ଆସିଛି ସେ"। ବାଲି କହିଲା, "କାହା କଥା କହୁଛୁ? ରୋମି କଥା?? ମୁଁ କହେ , "ହଁ ମ। ସେଇ ତ ଗୋଟେ ସୁନ୍ଦରୀ। ବାଲି କହେ, "ଖାଲି ସୁନ୍ଦରୀ ନୁହେଁ। ଜହ୍ନ ରାତିଟିଏ ସେ। ତା କଥାରେ , ଗୀତରେ , ଚାଲିରେ ମୋର ଏ ଉତ୍ତପ୍ତ ଛାତି ଶୀତଳ ହୁଏ।" "ନା ଏମିତି ନୁହେଁ, ତୁ ମୂଳରୁ କହ"। ବାଲି କହେ," ତୋ ପାଖେ ସମୟ ଅଛି ନା ଶୁଣିବାକୁ। କଥା ଅଧାରୁ ଚାଲି ଯିବୁନି ତ ତା ପରି। ମୁଁ କହିଲି "ନା, ଯିବିନି । ତୁ କହ। ଫୁରସତ ମାଗି ଆଣିଛି ଆଜି ଜୀବନଠୁ।" ସେ କହିଲା, ବର୍ଷ ବୟସ ତାରିଖ ମୁଁ ଜାଣିନି। ଜାଣେ ଏତିକି ପୌଷ ମାସର ଗୋଟେ ସନ୍ଧ୍ୟାରେ ଝିଅଟେ ରହିବାକୁ ଆସିଲା। ସେଇ ଘରେ, ତା ସାଙ୍ଗ ସାଙ୍ଗେ। ସାଙ୍ଗ ଜଣକ କେଉଁ ଏକ ନର୍ସିଂହୋମ ରେ ନର୍ସ। ଆଉ ସେ ଚାକିରୀ ଖୋଜୁଥାଏ। ସମସ୍ତେ କୁହନ୍ତି , ସେ କାହାକୁ ଭଲପାଏ। ପିଲାଟା କୁଆଡେ ଭାରି ରାଗି। ତାକୁ ନେଇ ସେ ଭାରି ସଚେତନ। ଖୁବ କଟକଣା ଲଗାଏ ତା ଉପରେ ଅଳ୍ପ କଥାରେ ରାଗି ଯାଏ ସେ। ନ ବୁଝି ନ ସୁଝି ଅନେକ ଗାଳି କରେ ତାକୁ। ମୁଁ ତାକୁ ଦେଖିଲି ଦିନେ ଶାନ୍ତ ସକାଳରେ। ସେ ଆସିଥିଲା ତା ସାଂଗ ସହ ନଈରେ ଗାଧୋଇ। ସତ କହୁଛି, ସକାଳର ସୁନେଲି ଖରାରେ ଦେହଟା ତାର ଜଳୁଥିଲା ଶୁଭ୍ର ମୂର୍ତିଟେ ପରି। ଠିକ୍ ଯେମିତି ବିସର୍ଜିତ ଦେବୀ ମୂର୍ତ୍ତିଟି ପୁନଃ ଜୀବନ୍ୟାସ ପାଇ ଯାଇଛି। ଅପରୂପ କନକ ସୁନ୍ଦରୀ ଟିଏ। ସେ ରହିଲା ଅଳ୍ପ ସମୟ ଏଠି କିନ୍ତୁ ଛାପ ଛାଡ଼ିଗଲା ମୋ ଛାତିରେ। ମୁଁ ଦେଇଥିଲି ତାର ଗୋଟେ ନାଁ "ରୁପ୍ସା" ଜାଣିନି ସେ ନାଁ ର ମାନେ। ତଥାପି ଏମିତି ଚାଲି ଆସିଲା ମନକୁ। ପରେ ଜାଣିଲି ତା ନାଁ ରୋମି ବୋଲି।


ପ୍ରାୟେ ସବୁ ସକାଳେ ତା ସାଙ୍ଗେ ମୋର ଦେଖା ହେବାରେ ଲାଗିଲା। ସେ ମତେ ଦେଖି ଖୁସି ହେଇଯାଏ। ଆଉ ମୋ ଭିତରର ସ୍ପନ୍ଦନ ଟା ବଢିଯାଏ। ସେ ଯନ୍ତ୍ରଟିଏ ଧରି ଚାଲିଆସେ, ଗପିବାକୁ ମୋ ପାଖକୁ। ତା ପ୍ରେମିକ ସାଙ୍ଗେ ବୋଧେ। ମୁଁ ଅଧା ବୁଝେ ଅଧା ବୁଝେନା। ବେଳେ ବେଳେ ସେ ଖୁବ ଖୁସିଥାଏ, ଅନେକ ଗେଲ କରି ପକାଏ ସେ ଯନ୍ତ୍ରଟିକୁ। ଆଉ ବେଳେ ବେଳେ କାନ୍ଦେ ଲୁହ ସବୁ ମୋ ଛାତିରେ ପଡେ,ମୁଁ ପି ଯାଏ ସବୁ। ତା ଲୁହ ସବୁ ମତେ ଭାରି ଭଲ ଲାଗେ। ଇଚ୍ଛା ହୁଏ ପି ଯିବାକୁ ସବୁ ଲୁହ ତାର। ସେ କଥା ହେଲା ବେଳେ ଅନେକ କଥା ଲେଖେ ମୋ ଉପରେ ପୁଣି ଲିଭେଇ ଦିଏ। ଦିନେ ଦିନେ ଖୁସି ଥିଲେ ଆଉ ଲିଭାଏନି ଭୁଲିଯାଏ। ମୁଁ ତାକୁ ସାଇତି ରଖେ ଛାତି ତଳେ। ଏଇଟା ବୋଧେ ମୋ ପାଇଁ ପ୍ରେମ ପତ୍ର। ବାଲି କହି ଚାଲିଥିଲା ତା କଥା ମୁଁ ଶୁଣୁଥିଲି ତନ୍ମୟ ହୋଇ। ଆମ ଭିତରେ ଗୋଟେ ବକ୍ତା ଆଉ ଶ୍ରୋତାର ସମ୍ପର୍କ ହୋଇ ସାରିଥିଲା। ସେ ଉଲ୍ଲସିତ ହେଉଥିଲା ରୋମି କଥାରେ। ସେ କହି ଚାଲିଲା, ରୋମି ବନାମ ରୁପ୍ସା କୁ ସେ ପ୍ରଥମ ଦେଖାରୁ ଭଲ ପାଇ ବସିଥିଲା। ଆଉ ତା ପାଇଁ ଆତୁର ହୋଇ ଉଠୁଥିଲା। ସବୁ ଠିକ ଚାଲିଥିଲା, ଦିନେ ଶୁଣିଲି ନଈ ତୁଠରେ ତା କଥା। ଆଜି ବି ମନେ ଅଛି ସେ କଥା, ଶୁଣି ସାରି ମୋ ଭିତର ଟା କେମିତି ଅତଡ଼ା ମାଟି ଖସି ଗଲା ପରି ଲାଗିଲା।କଥା ହେଉଥିଲେ ସ୍ତ୍ରୀ ଲୋକ ଦୁଇ ଜଣ।ତୁଠ ପଥରରେ ଗୋଇଠି ଘଷିଲା ବେଳେ। ଜଣେ କହୁଥିଲା, "ଶୁଣିଲୁଣି ସେ ଟୋକିର କଥା। " -କିଏ? - ଆଲୋ ସେଇ ମ, ନୂଆକୁ ଆଇଛି ଯେ। - ଓଃ! ରୋମି? କଣ କଲା ସେ? - ଜାଣିନୁ? କାଲି ରାତିରେ ତା ଘରକୁ ଗୋଟାଏ ଟୋକା ଆସିଥିଲା। ରାତି ସାରା ରହିଲା। ସକାଳୁ ଗଲା ଆଜି। - ହଁ , ସେ ତ ତାର ଭାବି ସ୍ୱାମୀ ।


ତାଙ୍କର ବାହାଘର ହେବ। ମୁଁ ଦେଖିଚି ତାକୁ। - ହୁଁ.. ବାହାଘର ନା ଆଉ କଣ? କିଛି ନାହିଁ ଲୋ, ଆଜି କାଲି ଟୋକା ଟୋକି ସେମିତି ହଉଛନ୍ତି। - ନା ମାଉସୀ, କାଲି ସେ ବାବୁ ଗୋଟେ ବର ଯାତ୍ରୀରେ ଯାଇଥିଲେ ତାଙ୍କର ଗାଡି ଦୁର୍ଘଟଣା ହେଲା ଏଇ ପାଖରେ।କିନ୍ତୁ ବାବୁଙ୍କର କିଛି ହେଇନି ଠାକୁର ଙ୍କ ଦୟାରୁ। ଆଉ ସେ ସେଥିପାଇଁ ଚାଲି ଆସିଲେ ରୋମି ପାଖକୁ। - ଯାହା କହ ପଛେ ମତେ ଜମାରୁ ଭଲ ଲାଗେନି ଏସବୁ। ଶୁଣିକି ଛାତି ଭିତରଟା କଣ ହେଇ ଗଲା। କେହି ଜଣେ ଯେମିତି ତାଡି ଚାଲିଛି ଛାତି ଭିତରଟା। ଆଉ ମୁଁ ଯନ୍ତ୍ରଣାରେ ଛଟପଟ ହେଉଛି। ସେମାନେ ଚାଲି ଯାଇଥିଲେ ରହି ଯାଇଥିଲା ମେଞ୍ଚାଏ ଦରଜ। କିଛି ଦିନ ପରେ ଦେଖା ହେଲା ରୁପ୍ସା ସାଙ୍ଗେ ଏମିତି ଗୋଟେ ସଞ୍ଜ ବେଳ ଟାରେ। ସେ ଦେଖାଯାଉଥିଲା ଆହୁରି ସୁନ୍ଦର। ଠିକ ଶରତ ଆକାଶ ପରି ନିର୍ମଳ। ସେ ସେଇ ଯନ୍ତ୍ର ଟା କାନରେ ଦେଇ କଥା ହେଉଥିଲା ଖୁବ ଖୁସିରେ। ମୁଁ ଦେଖୁଥିଲି ତାକୁ ଅପଲକ ନୟନରେ। ସେ କହୁଥିଲା ଚୁପିଚୁପି ସେଦିନ ରାତିର କଥା। କେତେ ଥର ସେ ଭିଜିଛି ଯୌବନର ପିଆଲା ରେ। କେତେ ଥର ବନ୍ୟା ଆସିଛି ତା ଦେହରେ। କି ତୃପ୍ତି ସେ ପାଇଛି। ସବୁ ଶୁଣିଛି ମୁଁ। ମୁଁ ବି ସେଦିନ ଅନେକ ଝୁରିଛି ଆକାଶ ପାଖେ ବିନ୍ଦୁଏ ପ୍ରେମ ପାଇଁ। ତା ପରେ ତା ସହ ଭେଟ ହେବା କମି ଆସିଲା। ମୁଁ ତା ବାଟ ଚାହିଁ ରହେ ଚାତକ ପରି। ସେ କିନ୍ତୁ ଆସେନି। ଇଛା ହୁଏ, ସୀମା ସରହଦ ଭୁଲି ଯାଇ ପହଞ୍ଚି ଯିବି ତା ଘରେ, ଦେଖି ଆସିବି ତାକୁ ଥରେ। ହେଲେ କୋଉ ଯାଇ ପାରେ ଯେ? ଦିନେ ଶୁଣିଲି ସେ ଚାଲିଯାଇଛି ସେ ଘର ଛାଡି। ଚାକିରୀ ପାଇ। ଅନେକ ଖୋଜିଛି ତାକୁ ହେଲେ ପାଇନି। ସମସ୍ତଙ୍କୁ ପଚାରିଛି ତା କଥା। ଜହ୍ନକୁ, ରାତିକୁ, ଦିନ କୁ, ନଦୀକୁ ହେଲେ ସେମାନେ ନୀରବ। ତୁ କହ? ତୁ କାହିଁ ପଚାରୁଛୁ ତା କଥା?? ବାଲି କି ବୁଝିବ ମୁଁ ସେଇ ଯେ ତା ରୁପ୍ସା କୁ ତା ଠୁ ଛଡେଇ ନେଇଛି। ତାକୁ କହିବାକୁ ସାହସ ମୋ ପାଖେ ନାହିଁ। କେମିତି ବା କହି ପରିଥାନ୍ତି ଯେ, ତା ରୁପ୍ସା କୁ ମୁଁ ବି ବାନ୍ଧି ରଖି ପାରିଲିନି। ସେ ପଚାରି ଚାଲିଥିଲା, ଏଯାଏ ମୁଁ ଶୁଣୁଥିଲି ମୋ ରୋମି ର କଥା ଆଉ ଜଣଙ୍କ ମୁହଁରୁ। ଦେଖୁଥିଲି ତା ମନରେ ଥିବା ଆକୁଳତା ଅସହାୟତା।ତୁ ତାକୁ ଜାଣୁ? ତୋ ସାଙ୍ଗେ ଭେଟ ହେଇଥିଲା କି ତାର? ମୋ କଥା ତାର ମନେ ଅଛି? ସେ କହେ ମୋ କଥା ତୋତେ? କହ ଯଦି ଜାଣିଛୁ। - ହଁ ତାକୁ ଜାଣେ ମୁଁ। ଅନେକ ସଞ୍ଜ ଆମେ କାଟିଛୁ ସାଥି ହୋଇ।ନଈ ସେପାରିରେ। ରାସ୍ତାରେ ଗଲାବେଳେ ନଦୀ ଟେ ପଡିଲେ ତୋ କଥା କହେ ସେ। ହେଲେ କଣ ହେଲା, କେଜାଣି ସେ କାହିଁକି ଚାଲିଗଲା ଦୂରକୁ। ବହୁ ଦୂରକୁ। ଦେଖ, ସେ ନାଲି ସୁରୁଜଟା ଯୋଉଠି ବୁଡ଼େ ତା ଠୁ ଆଗକୁ। ବାଲି ପଚାରୁଥିଲା, କହ ସେ ଯାହାକୁ ଭଲ ପାଉଥିଲା ସେ କଣ ତାକୁ ପାଇଲା? ସେ ଏଇଠୁ ଚାଲିଗଲା କଣ ପାଇଁ?  ଏବେ ଚାଲି ଯିବା ର ପାଳି ମୋର ଥିଲା। ମୁଁ ଉଠି ଚାଲି ଆସିଲି। ପଛରୁ ସେ ଡାକୁଥିଲା ଖୁବ ଜୋର ରେ ବିକଳ ହେଇ। ମୁଁ ଧାଉଁଥିଲି ଅଣନିଶ୍ୱାସୀ ହୋଇ। ମୁଁ ପଳାତକ ଟିଏ, ଏମିତି ଧାଇଁଛି ମୁଁ ଜୀବନରୁ ସତ୍ୟରୁ ଆଉ ସମାଜଠୁ ବି।ରୋମି ମୋ ଦାୟିତ୍ୱ ଥିଲା। ତାକୁ ରଖି ପାରିଲିନି, ଏବେ ମୁଁ ଯାଯାବର ଟିଏ। ଜାଣେନା କେତେ ଦିନ ଏ ଲୁଚକାଳି ଖେଳ। କହ କଥା ଶୁଣିବିନି ବୋଲି ଏମିତି ଧାଇଁଛି ମୁଁ।ହେଲେ କୋଉ ଯାଇ ପାରୁଛି ଯେ? ଧରା ପଡିଯାଉଛି କୋଉଠି ନା କୋଉଠି। ତଥାପି ମୁଁ ଧାଉଁଛି। ଏହା ବୋଧେ ମୋ ପ୍ରାରବ୍ଧ। ମୋ ପାଖେ ବାହାନା ନିଜ ସପକ୍ଷରେ, ମୁଁ ଉପଭୋଗ କରୁଛି ଏ ନିର୍ବାସନ ଅଭିଶାପକୁ। ଦୂରରେ ନଈ ପଠାରେ ଜଳୁଥିଲା କାହାର ଗୋଟେ ଜୁଇ। ନଈପଠା ଦେଇ ରାସ୍ତା କୁ ଆସିଲା ବେଳେ ଗୋଟେ ଅରମା ଡାଳରେ କାନ୍ଧ ପାଖେ ବାଜି ଚିରି ହୋଇଗଲା ପିନ୍ଧା ସାର୍ଟ ଆଉ ଦେହ ବି। ଏଇ ବୋଧେ ଚିହ୍ନ ଥିଲା ଗୋଟେ ପଳାତକ ପାଇଁ। ।


Rate this content
Log in

Similar oriya story from Abstract