Padmalaya Padhy

Classics Inspirational

3  

Padmalaya Padhy

Classics Inspirational

ପ୍ଲିଜ ଷ୍ଟପ

ପ୍ଲିଜ ଷ୍ଟପ

5 mins
166



ପ୍ଲାଟଫର୍ମରେ ଦୁଇ ଜଣ ବେଞ୍ଚର ଦୁଇ ପାଖରେ ବସିଛନ୍ତି l ଉଭୟେ ସମାନ ଉଦ୍ଦେଶ୍ୟ ନେଇ ଆସିଛନ୍ତି ଆଉ କାହାରି ପ୍ରତି ଏମାନଙ୍କର ନଜର ନାହିଁ କି ଆଗ୍ରହ ମଧ୍ୟ ନାହିଁ l ଜଣେ କୀର୍ତ୍ତିମୟୀ ଆଉ ଜଣେ ସୌଭାଗ୍ୟବତୀ, ରାସ୍ତା ଅଲଗା ଅଲଗା କିନ୍ତୁ ଲକ୍ଷ ସ୍ଥଳ ଗୋଟିଏ - ମୃତ୍ୟୁ l ଦୁଇଟି ବାହାଘର ଦୁଇଟି ପତ୍ନୀ ଦୁଇଟି ଭାଗ୍ୟ l


କୀର୍ତ୍ତିମୟୀ ବିଶିଷ୍ଟ ଅଳଙ୍କାର ବ୍ୟବସାୟିଙ୍କ ଏକମାତ୍ର କନ୍ୟା ଏବଂ ସୌଭାଗ୍ୟବତୀ ହେଲା ଗଉଡ଼ ସାହିର ଝିଅ l ଉଭୟଙ୍କର ଗୋଟିଏ ଦିନରେ ବାହାଘର ହୋଇଥିଲା l ସହରର ସବୁଠାରୁ ଦାମିକା ଗହଣା ଦୋକାନର ଗହଣାରେ କୀର୍ତ୍ତି ସଜ ହୋଇଥିଲା l ହାତ ପାପୁଲିରେ ଆରବିକ ମେହେନ୍ଦିର ଡିଜାଇନ ଭିତରେ କୀର୍ତ୍ତିର ଭାବି ସ୍ୱାମୀ ସମ୍ବିତର ପ୍ରଥମ ଅକ୍ଷର "ଏସ" ଦାଉ ଦାଉ ହୋଇ ଜଳୁଥିଲା l ମେହେନ୍ଦିର ଏତେ ଗାଢ଼ ରଙ୍ଗ ଆସିଥିଲା ଯେ ଯିଏ ଦେଖିଲା କହିଲା ଦୁହିଁଙ୍କ ଭିତରେ ଭଲ ପାଇବା ଅତି ମାତ୍ରାରେ ପ୍ରଗାଢ଼ l ଯାହାର ମେହେନ୍ଦି ଯେତେ ଗାଢ଼ ହୁଏ ତାହାର ଭଲ ପାଇବା ପୁଣି ସେତିକି ଗଭୀର ବୋଲି କୁହାଯାଏ l


ସୌଭାଗ୍ୟ ବି ନିଜ ବାହାଘର ଦିନ ହଳଦୀ ଲଗାଇ ଘଣ୍ଟାଏ ଘଷି ମାଜି ହୋଇ ଗାଧୋଇ ଥିଲା l ଆଉ କୋଉ ଦିନ ସମୟ ହୁଏନି ସିନା କିନ୍ତୁ ସେଇ ଦିନଟି ପରା ଖାସ ତାଆରି ପାଇଁ l ତେଣୁ ସେ ନିଜ ପାଇଁ ଯେତେ ଚାହିଁବ ସମୟ ଦେଇ ପାରିବ l ସେଇ ଦିନଟିରେ ତାର ଗୁରୁତ୍ୱ କାହିଁରେ କଣ l ବାଛି ବାଛି ସ୍କୁଲ ବଗିଚାରୁ ମଞ୍ଜୁଆତି ପତ୍ର ଆଣି ବାଟି ହାତରେ ଲଗାଇଥିଲା l ନାନୀ କହିଛି କାଲି ଯଦି ଭଲରେ ପାଚି ଯାଇଥିବ ତେବେ ତୋ ବର ତୋତେ ବହୁତ ଭଲ ପାଇବ ବୋଲି ତୁ ଜାଣିବୁ l ତୁମ ଦି ଜଣଙ୍କ ଜୀବନ ସ୍ୱର୍ଗ ପାଲଟି ଯିବ l


–ନାନୀ ସତରେ କଣ ମୋ ହାତର ରଙ୍ଗ ପାଚିବ ?

–ଯଦି ତୁ ତୋ ବରକୁ ମନରେ ରଖି ରଙ୍ଗ ପକାଇଥିବୁ ତେବେ ନିଶ୍ଚୟ ପାଚିବ ବୋଲି ନାନୀ କହିଲା l


କୀର୍ତ୍ତି ତାର ବ୍ୟାଚମେଟ ସମ୍ବିତକୁ ବିବାହ କରୁଥିଲା l ସମ୍ବିତ ଜଣେ ଗାୟକ ଏବଂ ସୀମିତ ଆୟ ଯୋଗୁଁ ଘର ଲୋକଙ୍କ ସମସ୍ତ ବିରୋଧ ଘାତ ପ୍ରତିଘାତକୁ ଅତିକ୍ରମ କରି ଉଭୟେ ସାରା ଜୀବନ ପାଇଁ ଏକାଠି ହେବାକୁ ଯାଉଥିଲେ l ସମ୍ବିତ ଭଲ ଭାଓଲିନ ବଜାଇ ପାରେ l କୀର୍ତ୍ତିକୁ ଦେଖିଲେ ହିଁ ଭାଓଲିନ କଥା ମନେ ପଡେ ତାର l


–ତୁମେ ହିଁ ମୋର ସୁର ପୁଣି ତୁମେ ହିଁ ସୃଷ୍ଟି l ତୁମ ବିନା ଏଇ ଭାଓଲିନଟି ଗୋଟିଏ ବସ୍ତୁ ବ୍ୟତିରେକ ଆଉ କିଛି ନୁହେଁ l


–ଥାଉ ଥାଉ ଏତେ ପ୍ରଶଂସା କରିବା ଦରକାର ନାହିଁ l ବାହାଘର ପରେ ଏସବୁ ଶୁଣିବାକୁ ମିଳି ପାରିବ ତ ?


–ବାହାଘର ପରେ ସୁର ତାଳ ମିଳନର ଝଙ୍କାରରେ ଆମେ ନୂଆ ସଂସାର ଗଢ଼ିବା କୀର୍ତ୍ତି l


ଉଭୟ ପରିବାର ରାଜି ହୋଇ ବାହାଘର ପାଇଁ ଯୋଗାଡ଼ ଯନ୍ତ୍ର ଆରମ୍ଭ କରି ଦେଇଥିଲେ l ସୁରୁଖୁରୁରେ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଗଲା l ଫେରି ଅସୁଥିଲା ସମ୍ବିତ କୀର୍ତ୍ତିକୁ ନେଇ ତାର ସ୍ବପ୍ନର ରାଇଜକୁ ଯାହା ଅନ୍ୟ ଏକ ସହରରେ ଅବସ୍ଥିତ l ହେଲେ ଏ ସଂସାରରେ କେତେ ଜଣଙ୍କ ସ୍ବପ୍ନ ସତ ହୁଏ ଭଲା ? ଭୟାନକ କାର ଦୁର୍ଘଟଣାରେ ସମ୍ବିତର ଘଟଣା ସ୍ଥଳରେ ମୃତ୍ୟୁ ଏବଂ କୀର୍ତ୍ତିର ପୁନର୍ବାର ନିଜ ପିତା ମାତାଙ୍କ ନିକଟକୁ ଜୀବନ୍ତ ପ୍ରତ୍ୟାବର୍ତ୍ତନ ସବୁ କିଛି ଆକସ୍ମିକ ଥିଲା ଏବଂ ଅଳ୍ପ ସମୟର ବ୍ୟବଧାନରେ ଘଟି ଯାଇଥିଲା l


ସମ୍ବିତର ସ୍ବପ୍ନର ତନ୍ତ୍ରୀ ଗୁଡିକ ଭାଓଲିନର ତାରରେ ଝଙ୍କୃତ ହେବା ପୂର୍ବରୁ ଶ୍ମଶାନ ଅଗ୍ନିର ଲେଲିହାନ ଶିଖାରେ ଭସ୍ମିଭୂତ ହୋଇଗଲା l ଜୀବନ ଶବ୍ଦ ବିହୀନ ହୋଇଗଲା କୀର୍ତ୍ତି ପାଇଁ l ଆଉ କେହି ନଥିଲା ସୁର ସାଙ୍ଗେ ତାଳ ମିଳାଇ ସ୍ବପ୍ନର ଝଙ୍କାର ତୋଳିବା ପାଇଁ l ସୁତରାଂ ସୁର ବିହୀନ ଅନ୍ଧାକାରମୟ ଜୀବନରେ ମୃତ୍ୟୁ ହିଁ ଶ୍ରେୟସ୍କର ଭାବି କୀର୍ତ୍ତି ଚାଲି ଆସିଥିଲା ଏଇ ଷ୍ଟେସନକୁ ଦ୍ରୁତଗାମୀ ଟ୍ରେନ ତଳେ ସବୁ ଦିନପାଇଁ ଶୋଇଯିବା ନିମନ୍ତେ l


ଆଉଜଣେ ଥିଲା ସୌଭାଗ୍ୟବତୀ l ସୌଭାଗ୍ୟର ସ୍ୱରୂପ ଜାଣିବା ପୂର୍ବରୁ ଦୁର୍ଭାଗ୍ୟର କରଘାତରେ ଧରାଶାୟୀ ହୋଇ ଯାଇଥିଲା l ଗରୀବ ବାପା ମା ଯାକଯମକରେ ବିବାହ କରାଇଥିଲେ ସୌଭାଗ୍ୟବତୀକୁ ପଛ ସାହିର ଅମୁଲ୍ୟ ସହିତ l ମଞ୍ଜୁଆତିର ରଙ୍ଗ ବି ନାନୀ କହିବା ଅନୁଯାୟୀ ପାଚି ଯାଇଥିଲା l କିନ୍ତୁ ଏଠାରେ ଅମୂଲ୍ୟର ମୂଲ୍ୟ ଥିଲା ରଦି କାଗଜ ସାଙ୍ଗେ ସମାନ l ବାହା ହେବାର ସପ୍ତାହେ ଖଣ୍ଡେ ହୋଇଥିବ କି ନାହିଁ ଅମୂଲ୍ୟ ସ୍ତ୍ରୀକୁ ନେଇ ସୁଦୂର ମୁମ୍ବାଇ ବାହାରିଥିଲା ବୁଲିବା ପାଇଁ l ଅମୂଲ୍ୟ ନିକଟରେ ମୁମ୍ବାଇ ଯିବାକୁ ଏତେ ଟଙ୍କା କୋଉଠୁ ଆସିଲା ଭାବି ମନେ ମନେ ଆଶ୍ଚର୍ଯ୍ୟ ହେଉଥିଲା ସୌଭାଗ୍ୟ l


ଟ୍ରେନରେ ଅମୂଲ୍ୟ ଫୋନରେ କାହା ସଙ୍ଗେ କଥା ହେବା ପୁଣି କଥା ମଝିରେ "ମାଲ " ଶବ୍ଦଟିକୁ ବାରମ୍ବାର କହିବା ଶୁଣି ବୁଝିବାକୁ କଷ୍ଟ ହୋଇ ନଥିଲା ଯେ ମୁମ୍ବାଇରେ ବିକ୍ରି କରିବା ନିମନ୍ତେ ଅମୂଲ୍ୟ ଯେଉଁ ମାଲ ନେଉଥିଲା ତାହା ଅନ୍ୟ କିଛି ନଥିଲା ବରଂ ତାହା ଥିଲା ସୌଭାଗ୍ୟର କୋମଳ ଶରୀର l କୌଶଳ କରି ପରବର୍ତ୍ତୀ ଷ୍ଟେସନରେ ଓଲ୍ହାଇ ଫେରି ଆସିଥିଲା ସୌଭାଗ୍ୟ l ପ୍ରଥମେ ଭାବିଥିଲା ମା ବାପାଙ୍କ ନିକଟକୁ ଫେରିଯିବ l କିନ୍ତୁ ପରେ ଭାବିଲା ସାରା ଜୀବନ ସେମାନଙ୍କ ଉପରେ ବୋଝ ହୋଇ ରହିବ ଏବଂ ଅମୂଲ୍ୟ ବିରୋଧରେ ତା ପାଖରେ କି ପ୍ରମାଣ ଅଛି ଯେ ସେ ତାକୁ ଆସାମୀ ବୋଲି ପ୍ରମାଣ କରିବ l ତେଣୁ ମା ବାପାଙ୍କ ନିକଟକୁ ନ ଫେରି ସିଧା ଚାଲି ଆସିଥିଲା ଏଇ ଷ୍ଟେସନକୁ l ଏଇଠି ଆଦି ଏଇଠି ଅନ୍ତ…. ମଣିଷ ସମାଜ ବିରୋଧରେ ନିରବ ବିଦ୍ରୋହ l ସେତେବେଳଠୁ ବସିଛି ଯେ ବସିଛି ନିଆଁ ଲଗା ଟ୍ରେନ ଟା ଆସୁଛି କି ହେଲେ ?


ହଠାତ ଦୂରରୁ ଶୁଭିଲା ଆସୁଥିବା ଟ୍ରେନର ବିକଟାଳ ଗର୍ଜନ l ସାମ୍ନାରେ ଆସିଲେ ଉଡାଇ ଦେଇ ଖଣ୍ଡ ବିଖଣ୍ଡିତ କରିଦେବା ପାଇଁ ସତେ ଯେପରି ଟ୍ରେନଟି ବଦ୍ଧ ପରିକର l ଲୋକ ମାନେ ଏଣେ ତେଣେ ଦୌଡ଼ା ଦୌଡ଼ି ଆରମ୍ଭ କଲେଣି l କିଏ ଆଗ ଚଢ଼ିବ ବୋଲି ପ୍ରତିଯୋଗିତା ଚାଲିଛି l ଉଠି ଠିଆ ହେଲେ ଦୁଇଟି ଚରିତ୍ର l ଧୀରେ ଧୀରେ ଆଗେଇ ଗଲେ ପ୍ଲାଟଫର୍ମର ଧାରକୁ l କେହି କାହାକୁ ଦେଖି ନାହାନ୍ତି କି ଜାଣି ନାହାନ୍ତି l ଆଉ ମାତ୍ର କେତୋଟି ସେକେଣ୍ଡ l ତା ପରେ ସରିଯିବ ସବୁ କିଛି l ନିଜ ଜୀବନଟା ନିଜ ହାତ ମୁଠାରେ l ମୁଠା ଭିତରେ ନିଶ୍ୱାସ ଦୁକୁ ଦୁକୁ ହେଲେ ଖୋଲିଦେଲେ ସବୁ ଶୂନ l ହଠାତ ପଛରୁ

ଶୁଭିଲା l


–ପ୍ଲିଜ ଷ୍ଟପ ! ପ୍ଲିଜ ଷ୍ଟପ ! ଷ୍ଟପ ଷ୍ଟପ ! ଚାରି ପାଞ୍ଚ ବର୍ଷର ପିଲାଟିଏ ମା ବାପାଙ୍କ ସହ କୁଆଡେ ବୁଲିବାକୁ ଯାଉଛି ଏବଂ ଗତ ରାତିରେ ପଢ଼ିଥିବା ପାଠକୁ ମନେ ପକାଇ ଟ୍ରେନକୁ ଅଟକେଇବା ପାଇଁ କହି ଚାଲଛି ପ୍ଲିଜ ଷ୍ଟପ ପ୍ଲିଜ ଷ୍ଟପ l କୀର୍ତ୍ତି ଏବଂ ସୌଭାଗ୍ୟର ଦୁଇ ହଳ ପାଦର ଗତି ଶିଥିଳ ହୋଇ ଆସିଲା l ସେ ଦୁଇ ଜଣ ଅଟକି ଯିବାର କିଛି ସେକେଣ୍ଡ ମଧ୍ୟରେ ଟ୍ରେନଟି ଆସି ପ୍ଲାଟଫର୍ମକୁ ଅତିକ୍ରମ କରି ଆଗେଇ ଗଲା କିଛି ବାଟ l ଥମିଗଲେ ଦୁଇଟି ମଣିଷ l ପରସ୍ପରକୁ ଚାହିଁ ବୁଝିଗଲେ ଯେ ଉଭୟେ ଗୋଟିଏ କାମ ପାଇଁ ହିଁ ଆସିଥିଲେ l ହଟି ଗଲେ କେତେ ପାଦ ପଛକୁ l


କୀର୍ତ୍ତିର ମନରେ ଅଶାନ୍ତ ଝଡ଼ l ଯାହା ସେ କରିବାକୁ ଯାଉଥିଲା ଠିକ ନୁହେଁ ସତ କିନ୍ତୁ ଗୋଟିଏ ପଟେ ଦେଖିଲେ ପ୍ରିୟ ମଣିଷଟିକୁ ହଜାଇବାର ଦୁଃଖ ତା ଠାରୁ ଅଧିକ କିଏ ବା କହିବ l ଅନ୍ୟ ପକ୍ଷରେ ଈଶ୍ୱରଙ୍କ ସୃଷ୍ଟି ଏଇ ମଣିଷ l ଯାହା ଈଶ୍ୱର ଦତ୍ତ ତାହାକୁ ନଷ୍ଟ କରିବାର ଅଧିକାର ବି ଆମର ନାହିଁ l ଆମେ ବଞ୍ଚିଲେ ହୁଏତ ଆଉ କେତେ ପ୍ରାଣୀ ଆମ ଦ୍ୱାରା ଉପକୃତ ହୋଇ ପାରିବେ କିଏ ଜାଣେ ? କିଏ ଜାଣେ ହୁଏତ ଆମେ କେଉଁଠି କେଉଁ ରୂପରେ କାହାକୁ ସାହାରା ଦେବା ପାଇଁ ଜନ୍ମ ହୋଇଥିବା ?


ସୌଭାଗ୍ୟର ମନ ତଳେ ଅଗ୍ନିର ହୂତାସନ l ସମାଜର ବକାସୁର ମାନଙ୍କୁ ଡରି ଆତ୍ମହୁତି ଦେଇ ଦେଲେ ସମାଜ ବଦଳି ଯିବ ନାହିଁ l ବରଂ ଏଇଠି ରହି ଏମାନଙ୍କର ସମୂହ ମୁଳୋତ୍ପାଟନ କରିବା ଦରକାର l


ଉଭୟେ ପରସ୍ପରକୁ ଚାହିଁ ହସି ଦେଇଥିଲେ l ଆଉ ପଛରେ ଆସୁଥିବା ଛୋଟ ଛୁଆଟି ବି ଖୁସିରେ ଆତ୍ମ ବିଶ୍ୱାସର ସହିତ ଆଗେଇ ଚାଲିଥିଲା ଯେ ସେ କହିବାରୁ ହିଁ ଟ୍ରେନଟା ଅଟକି ଗଲା ବୋଲି l କୀର୍ତ୍ତି ଓ ସୌଭାଗ୍ୟ ଉଭୟଙ୍କ ମନରେ ସମାନ ଭାବନା ସମାନ୍ତରାଳ ଭାବେ ଚାଲିଥିଲା ଯେ ପିଲାଟି ଈଶ୍ୱର ପ୍ରେରିତ ଏବଂ ଦୁଇ ଜଣଙ୍କ ଜୀବନ ବଞ୍ଚାଇବା ପାଇଁ ଆସିଥିଲା କି କଣ l


Rate this content
Log in

Similar oriya story from Classics