Maitreyee Kamila

Classics

4  

Maitreyee Kamila

Classics

ପଖାଳ ଦିବସ

ପଖାଳ ଦିବସ

3 mins
293



ଏଇ ମାସେ ହେଲା ବୋଉ ବୁବୁନ ପାଖକୁ ଆସିଛି।ଗାଁ ରେ ରାତି ପାହିଲେ କେତେ କାମ,ତା ସହ ସାହି ଭାଇ ରେ କେତେ ଲୋକ ଙ୍କ ଘରକୁ ଚଳପ୍ରଚଳ।କିଏ ଫୁଲ ବାଡିରୁ ତୋଳିନେବ ତ ଦୁଇ ପଦ ସୁଖ ଦୁଃଖ ହେଇ ଯିବ।ହରିଆ ବୋଉ ଶାଗ କାଟିଲେ ପୁଳାଏ ଦେଇଯିବ, ବାଡିରେ ବାଉଁଶ ଗଛ ,ସକାଳୁ କେହି ଗରାଖ ଧରି ହରିଆ ପହଂଚିଯାଏ ବାଉଁଶ ପାଇଁ।କାହାର ମୁଢି ଭଜା ହେଲା, କାହାର ଧାନ ଉଷା , କାହାର ଜମି ରେ ପାଣି ମଡା ହେଲା ସବୁ ଖବର ତା ପାଖରେ।।ନାଲି ଚା କପେ ପିଏ, ଆଉ ସବୁ ବଖାଣି ଦେଇ ଯାଏ। ଋତୁ ସବୁ ଏପାଖ ସେପାଖ ହେଲା ଭଳି ଘରେ କେହି ନା କେହି ସକାଳୁ ମୁହଁ ଦେଖାନ୍ତି। କାହାର ମାଉସୀ, କାହାର ଖୁଡି, କାହାର ଭାଉଜ, ପୁଣି କାହା ର ବଡ଼ମା ଡାକ ।ଏତେ ସବୁ ସମ୍ପର୍କ ର ମୋହ ରେ ବୋଉ ଭୁଲିଯାଏ ନିଜ ଦୁଃଖ। ତା ପଣତକାନି ଟା ଆହୁରି ଚଉଡା ହୋଇ ଯିବା ଭଳି ଲାଗେ ।ସେଥିପାଇଁ ଏ ସହର ଟା ତାକୁ ଜମା ନିଜର ଲାଗୁନି।ସଂଜ ହେଲେ ବୋଉ ବାଲକୋନୀ ରେ ଯାଇ ଗାଡି ସବୁ ଦେଖେ।ଯେତେ ଦୂର ଲମ୍ବିଯାଏ ଆଖି ସେ ପୁଅ ବୁବୁନ କୁ ଅନେଇବସେ। ଘରକୁ ଆସିଲେ ଦିନ ସାରା ର ଏକଲାପଣ ଟା କଟିବ। ସେ ଦେଖୁ ଦେଖୁ ବୁବୁନ ଏପଟେ ଘରେ ପହଞ୍ଚି ଘଣ୍ଟି ମାରିଲାଣି। ତୁ କଉପଟେ ଆସିଲୁ , ମୁଁ ସେତେବେଳୁ ଅନେଇଛି ରାସ୍ତା କୁ। ମୁଁ ପରା ତୋତେ କେତେ ଦୂର ରୁ ଦେଖିଲିଣି। ଆଛା ବୋଉ ତୁ ଆଜି ଖରବେକେ କ'ଣ ଖାଇଲୁ? କ'ଣ ଆଉ ଖାଇବି , ଆଜି ପଖାଳ ଗଣ୍ଡେ ଥିଲା , ସେଇଆ କୁ ଆଳୁ ଚକଟି ଖାଇଛି।ଜାଣିଛୁ ବୋଉ ଆଜି ପଖାଳ ଦିବସ।ଆମ ଅଫିସ ରେ ଏଥିପାଇଁ ବଡ଼ ହୋଟେଲ ରୁ ବୁକିଙ୍ଗ ହୋଇଥିଲା।ଆମେ ସବୁ ସେଇଠି ଖାଇଲୁ।ଆଚ୍ଛା ସେ ପଖାଳରେ କ'ଣ ଗାଁ ର ବାସ୍ନା ଥିଲା ନା ସହର ର? ବୋଉ ପଚାରିଲା। ତୁ କଣ ଯେ କହୁଛୁ?ଆଲୋ ବୋଉ ଆଜି ଗାଁ ରୁ ସହର ସବୁ ଆଡେ ପରା ପଖାଳ ଦିବସ ପାଳୁଛନ୍ତି। ପଖାଳ ସହ କେତେ ରକମ ଭଜା, ଶାଗ, ମାଛ, ପତ୍ରପୋଡ଼ା କରି ଫୋଟ ଛାଡ଼ୁଛନ୍ତି।ସେଠି ଗାଁ ସହର ର କିଛି ଫରକ ନାହିଁ।ସମସ୍ତେ ସେ ଫୋଟୋ କୁ ଦେଖି ଲାଇକ , କମେଣ୍ଟ, କରୁଛନ୍ତି। କ'ଣ ବୁଝିଲା ବୋଉ କେଜାଣି କହିଲା ହଉ ତୁ ହାତଗୋଡ଼ ଧୋଇ ଆସ।ମୋର ତେଣେ ସଞ୍ଜ ବେଳ ଗଡି ଗଲାଣି। ଠାକୁର ଘରୁ ଜୁହାର ହୋଇ ବୋଉ ବାହାର କୁ ଆସି ଗାଁ ରୁ ଆଣିଥିବା ମୁଢି ଗୋଳେଇଲା ବୁବୁନ ପାଇଁ। ମନେ ମନେ ଭାବି ହେଲା ସେଦିନ ଭାଇ ଭାଉଜ ଖରାବେଳେ ଆସି ଏମିତି ପହଂଚିଯାଇଥିଲେ।କ'ଣ ଖାଇବାକୁ ଦେବ, ଭାବୁ ଭାବୁ ପଖାଳ କଥା ମନେ ପଡ଼ିଲା , ବଡି ଚୁରା ଆଳୁ ପୋଡା ଦେଇ ବାଢି ଦେଲି ଯେ ଭାଇ ଭାରି ଖୁସି ହୋଇ ଖାଇଲା , କହିଲା ସବୁ ଦିନ ଗରମ ଭାତ ଖାଇ ଖାଇ ଆଜି ପଖାଳ ଭାରି ଭଲ ଲାଗିଲା। ସେଦିନ  ଖନାବୋଉ ଶାଗ ଆଉ ଶୁଖୁଆ ପୋଡି ଆଣିଲା ଆଉ ସାଙ୍ଗ ରେ ମୋହନୀ ର ବାହା ହେଲା ଝିଅ କୁ ଯାଇ କହିଲା ଚାଲ ଦେଖିବୁ ନାନୀ ର ପଖାଳ କେତେ ସୁଆଦିଆ , ସେଇଠୁ ବାଡ଼ କଡ଼ ଚେମା ଘର ବୋହୁ କହିଲା ଖୁଡି ମୁଁ ଆଜି ମହୁରାଳି ମାଛ ଭାଜିଛି, ନେଇ ଆସୁଛି ସବୁ ଏକାଠି ଖାଇବା। ଆଲୋ ପଖାଳ କଂସା ରେ ହାତ , ଆଉ ତେଣେ ଗପ ର ପେଡି ଖୋଲିଗଲା।ଇସସ କି ହସ ଆଉ ଗପ।କାହିଁ କେହି ତ ସେଦିନ ଫୋଟୋ ଉଠେଇ ନଥିଲେ ।କିନ୍ତୁ ଦି ବର୍ଷ ହେଲାଣି ଆଜି ଭି ଚେମା ଘର ବୋହୁ ସେ କଥା ମନେ ପକେଇ ହସେ। ସେଦିନ ଖରା ବେଳେ ନଡ଼ିଆ ଗଛ କୁ ଚଢିଥିବା ଲୋକ ଟାକୁ ମୁଠେ ପଖାଳ ବାଢି ଦେଲି ଯେ କେଡେ ଖୁସି ହୋଇଗଲା। ଗାଁ ରେ ଆମର ପଖାଳ ସବୁ କିଛି।ହାଣ୍ଡି ରେ ପଖାଳ ଥୁଲେ ଘରେ ସବୁ ଅଛି। ବୋଉ , ହେଇ ଦେଖ କେମିତି ପଖାଳ ଦିବସ ରେ କେତେ ବଡ଼ ବଡ଼ଲୋକ ପଖାଳ ଖାଉଛଂନ୍ତି। ବୁବୁନ ଡାକ ପକେଇଲା।


 ବୋଉ କାନି ରେ ହାତ ମୁହଁ ପୋଛି କହୁଥାଏ ...ଓଡ଼ିଆ ... ପଖାଳ ପାଇଁ ବଡ଼ ହୋଇଛି ରେ......



Rate this content
Log in

Similar oriya story from Classics