Maitreyee Kamila

Inspirational

3  

Maitreyee Kamila

Inspirational

ସ୍ପର୍ଶ

ସ୍ପର୍ଶ

2 mins
241


ହାତରେ ଧରିଥିବା ଥାଳିକୁ ଜୋରରେ କଚାଡି ଦେଇ ଭୋ ଭୋ କାନ୍ଦିବାକୁ ଲାଗିଲା ସୁନନ୍ଦା । ମୁଁ ଆଉ ଏମିତି ଅଛୁଆଁ ଭଳି ଖାଇ ପାରିବିନି । ସେମାନେ ମୋ ଥାଳିରେ ଅଜଣା ଲୋକ ଖାଇବା ଭଳି ଭାତ ତରକାରୀ ଢାଳୁଛନ୍ତି । ଜୀବନ ସାରା ଏଇ ଘର ଲୋକଙ୍କ ପାଇଁ କେତେ କଣ କରିଛି । କେତେ ଜିନିଷ ସଜାଡିଛି, ପଶୁକୁ ଖାଇବାକୁ ଦେଲେ ମଧ୍ୟ ତାକୁ ସ୍ନେହର ପରଶରେ ଡାକିବାକୁ ହୁଏ । ପାଞ୍ଚ ଦିନ ହେଲାଣି ସୁରଟରୁ ଫେରିଛି ସୁନନ୍ଦା ସ୍ୱାମୀ ସରୋଜଙ୍କ ସହ । ଘରେ ପହଞ୍ଚି ଦେଖିଲେ ସବୁ ନିଜ ଲୋକମାନଙ୍କର ଅସଲ ରୂପ । ଦୁଆର ମୁହଁରେ ଓହ୍ଲାଇବା ପରେ ଝିଆରୀ ରିତୁ ଆଉ ପୁତୁରା ସୋମ ଦେଖି ନଦେଖିଲା ଭଳି ଚାଲିଗଲେ । ମାଆକୁ କହିଲେ ଦେଖିବୁ ଯା ଦାଣ୍ଡରେ କିଏ ଆସିଲେଣି । ତା ପୂର୍ବରୁ ଘରକୁ ଫୋନ କରି ସେମାନେ ଘରକୁ ଆସିବା କଥା ଜଣେଇବାରୁ ଗାଆଁରୁ ସରପଞ୍ଚଙ୍କ ଫୋନ ଯାଇଥିଲା । ଗାଆଁ ମୁଣ୍ଡ ଛକରେ ଦେଖା କଲେ, କହିଲେ ନିଜ ଘରେ ହୋମ କ୍ୱାରେଣ୍ଟାଇନରେ ରହିବ ୧୪ ଦିନ । କରୋନାର ଲକ୍ଷଣ ନାହିଁ । ଖାଲି ଦୂରରୁ ଆସିଛନ୍ତି ବୋଲି । ଘର ପଛ ପଟେ ଛପର ଚାଳ ମାଟି କାନ୍ଥ । ସେତେବେଳେ ତିଆରି ହୋଇଥିଲା ଧାନ ଚାଉଳ ଚୁଡା ମୁଢି ସେଇଠି ତିଆରି ହେବ । ପବନ ହେଲେ ବାରିପଟକୁ ସମସ୍ତେ ଆମ୍ବ ଗୋଟେଇବାକୁ ଆସନ୍ତି, ହେଲେ କଣେଇକି ମଧ୍ୟ ଅନାନ୍ତି ନାହିଁ କି ସେମାନେ ଦୁଇଜଣ କେମିତି ଅଛନ୍ତି? କାହା ପାଟିରୁ ପଦେ ଆଃ ଶୁଭେନି । ବାପଘରେ ଅଲିଅଳିରେ ବଢିଥିବା ଝିଅ ଛାତିକୁ ପଥର କରି ପଡି ରହିଛି । ତେଣୁ ସୁନନ୍ଦା ଭାରି ଅଧୈର୍ଯ୍ୟ ହେଇ କାନ୍ଦି ପକେଇଲା । ଚାଷ କଥା ବୁଝୁଥିବା ପଦୁଆ ଏଇ ବାଡିରେ ବଖୁରେ ଘର ନେଇ ରହିଛି । ତା ଦୁଇବର୍ଷର ପୁଅଟା ଖେଳୁ ଖେଳୁ ଦୁଆର ପାଖରେ ଛିଡା ହୋଇ ଚାହିଁ ରହେ । କାଲି ଗୋଟେ ଆମ୍ବ ତା ହାତରେ ଦେଇଥିଲା ବୋଲି ଆଜି ଆସିଛି । ମୁଣ୍ଡରେ ହାତ ଦେଇ ବସିଥିବା ସୁନନ୍ଦା ପଛପଟୁ ଓହଳି ପଡି ଗେହ୍ଲ ହୋଇ ତା କଁଅଳ ହାତରେ ସତେ କି ଆଉ କାଉଁରୀ ସ୍ପର୍ଶ ଦେଲା । ସୁନନ୍ଦା ଆଖିରୁ ଲୁହ ପୋଛି ଖୁସିଟାଏ ହୋଇ ତାକୁ ଅନେଇଲା । ମନେ ମନେ କହିଲା, ତୋ କଅଁଳ ଓଠର ହସ ଭଗବାନ ସବୁଦିନ ଏମିତି ରଖିଥାନ୍ତୁ । ଏଥିରେ ଛଳନା କପଟ ନ ମିଶୁ । ଭିତର ମଣିଷ ପଣିଆଟା କେବେ ଗୋଳିଆ ନ ହେଉ । 



Rate this content
Log in

Similar oriya story from Inspirational