ପଣତକାନି
ପଣତକାନି
ମିତୁ ଝରକା ସେପଟୁ ଦେଖୁଛି ଧୁଆଁ ଧୂଆଁ ସକାଳକୁ।ରାତ୍ରିର ଗଭୀର ନୀରବତା ପରେ କଡ଼ଲେଉଟାଉଛନ୍ତି ଗଛପତ୍ର। ଆରେ ଏତେ ସକାଳୁ ବଡ଼ମା କୁଆଡେ ବାହାରିଛନ୍ତି।ପଛରୁ ଡାକିଦେଲା ସେ,ଉତ୍ତର ଆସିଲା ସକାଳୁ ଖାଲି ପେଟ ରେ ସୁଗାର ଚେକ ପାଇଁ ଯାଉଛି ମିତୁ।ଘର ଆଡ଼େ ଆସିବୁ। ଦିନ ୯ ଟା ବେଳକୁ ବଡ଼ମା ଫେରିବାର ମଧ୍ୟ ଦେଖିଲା ସେ, ଠିକ ସେତିକିବେଳେ ରୋହନଭାଇ, ମାନେ ବଡ଼ମା ର ପୁଅ ଗାଡି ଷ୍ଟାର୍ଟ କରୁଛି ଅଫିସ ଯିବ।ବଡ଼ମା ପଚାରିଦେଲେ ଖାଇଛୁ? ରୋହନଭାଇ କହିଲା ନାଇଁ, ସର୍ଜନା ର ପୂଜା ଏଯାଏ ସରିନି।ମୋତେ ବାଢି ଖାଇବାକୁ କହିଲା ,ଅଫିସ ରୁ ଫୋନ ଆସିଲା କିଛି କାମ ପାଇଁ ଜଲଦି ପହଞ୍ଚିବାକୁ ହେବ। ତୁ ବ୍ୟସ୍ତ ହ ନା, ମୁଁ ଦ୍ବିପହରେ ଆସି ଖାଇନେବି।
ଏବେ ବଡ଼ମା ର ବିଶ୍ଵରୂପ ସର୍ଜନା କୁ ପଚାରିଲେ ଏତେ ବେଳଯାଏ କଣ କରୁଥିଲୁ ତୋର କଣ ସମୟ ଜ୍ଞାନ ନାହିଁ, କିଛି ନଖାଇ ସେ ଉପାସ ରେ ବାହାରିଗଲା। ଆଉ କିଏ ସମ୍ଭାଳେ।ସେ ଜାଣିନଥିଲେ ମିତୁ ଆସି ପଛରେ ଛିଡ଼ା ହେଲାଣି କେତେବେଳୁ। ବହେ ଗାଳି ଦେଇଗଲେ ସର୍ଜନା କୁ।ସର୍ଜନା କିଛି ନ ଶୁଣିଲା ପରି ନିଜ କାମ କରିଯାଉଛି। ବଡ଼ମା ର ପାଟି କିନ୍ତୁ ଚୁପ ହେଉନି।ମିତୁ କୁ ଦେଖି ଆଉ ଟିକେ ସାହସ ପାଇଗଲା ଭଳି କହିଲେ ଦେଖ ଦେଖ ତୋ ଭାଉଜରାଣୀକୁ।ଆଜିକାଲି କଣ କରୁଛି କେଜାଣି ସମୟ ରେ ଦୁଇଟା ବାଢିଦେଇପାରୁନି। କାଲିମିତୁ ଶାଶୂଘରୁ ଆସିଥିଲା ବଡ଼ମା ଭାଉଜ ଙ୍କୁ ଦେଖା କରିବ ବୋଲି ଚାଲି ଆସିଲା ।ସେ କଣ ଜାଣିଥିଲା ବଡ଼ମା ର ଏମିତି ରୂପ ଦେଖିବ ବୋଲି।
&nb
sp; ଆଖିରେ ନାଚିଗଲା ଦୁଇବର୍ଷ ପୂର୍ବ ରୁ ରୋହନଭାଇ ବାହାଘର ର ଦୃଶ୍ୟ। ଝିଅ ନାହିଁ ବୋଲି ନିଜେ ବନ୍ଧୁ ଡାକରା ଦେଇ ନେଇଆସିଥିଲେ ମିତୁ କୁ ଶାଶୁ ଘରୁ।ସାତ ଅହୟ ମିଶି ହଳଦୀ ମାଖିଲେ ରୋହନ ଭାଇ କୁ। ବଡ଼ମା ପଣତକାନି ରେ ବର ମୁଜୁଲା ବାନ୍ଧି ବରବେଶ ରେ କେଡେ ଥାଟ ରେ ବାଜା ରୋଷଣୀ ରେ ବାହାରିଗଲା ସେ। ବାହାଘର ସରିବା ପରେ ଝିଅ ବିଦା ବେଳେ ଭାଉଜ ଙ୍କ ମାଆ କାନ୍ଦି କାନ୍ଦି ମିତୁ କୁ କହିଲେ ତୁମ କୁ ଲାଗିଲା ଲୋ ଝିଅ
ଆଜି ମିତୁ ନିଜକୁ ସମ୍ଭାଳିପାରିଲାନାହିଁ।ବଡ଼ମା ସାମ୍ନା ରେ ଛିଡା ହୋଇ କହିଲା ଏଇ ପଣତକାନିରେ ଦିନେ ରୋହନଭାଇ ର ଧୂଳି ମାଟିର ମୁଁହ ପୋଛୁଥିଲ।ସବୁ ଅଝଟ,ଅଳି, ଅର୍ଦ୍ଦଳି ସହୁଥିଲ।ବଡ଼ମା ଆଜି ମାଆ ର ପଣତ ରେ ଆଉ କାହାର ବିଶ୍ୱାସ କୁ ଭିତରେ ବସା ବାନ୍ଧିବାକୁ ଦିଅ।ସେଦିନ ଗୋଟେ ମାଆ ଆଖିରେ ଆଞ୍ଜୁଳାଏ ଲୁହ ଦେଇ ତାଙ୍କ କଲିଜା ର ଟୁକୁଡା କୁ ତୁମ ଘରକୁ ବିଦା କରିଥିଲେ ।ତୁମେ ନିଜର ସମସ୍ତ ଭଲପାଇବା ଦେଇ ତାଙ୍କୁ ନିଜର କର।ଆଖିରୁ ଲୁହ ଝରିବା ପୂର୍ବରୁ ମନର ଭାଷା ବୁଝିବାକୁ ଚେଷ୍ଟା କର।ଶାଶୁ ନୁହେଁ ଥରେ ମାଆ ହୋଇ ଦେଖ।ପଣତକାନିଟା ଆହୁରି ଚଉଡା ଦିଶିବ।ଏତକ କହି ସାରିବା ବେଳକୁ ମିତୁ ଆଖିରେ ଲୁହ ଜକ ଜକ ।ମୁ ଯେମିତି ଏଘର ଝିଅ।ଭାଉଜ ସେମିତି କାହାର ଝିଅ।ଭାଇ ପରି ତାଙ୍କୁ ମଧ୍ୟ ନିଜର କରିବାକୁ ଚେଷ୍ଟା କର।
ଏତକ କହି ଫେରିଆସୁଥିଲା ମିତୁ ବଡ଼ମା ସେଇଠି ପଥର ପାଲଟି ତା ଯିବା ରାସ୍ତା କୁ ଚାହିଁ ରହିଥିଲେ।