STORYMIRROR

Maitreyee Kamila

Abstract

3  

Maitreyee Kamila

Abstract

ଅମାନିଆ ଲୁହ

ଅମାନିଆ ଲୁହ

2 mins
270


ମାନୀ ଆଜି କାନ୍ଦୁଛି।କାନ୍ଦି କାନ୍ଦି ଆଖି ପତା ଫୁଲିଲାଣି ହେଲେ କାନ୍ଦ ବନ୍ଦ ହେଉନାହିଁ। ନିଜ କୁ ନିଜେ ପଚାରି ହେଉଛି ,ସତ ରେ କଣ ତାର ଭୁଲ ଥିଲା ସେ କଥା ପଚାରିବା ।ମାଆ ହୋଇ ଯଦି ଏମିତି ପାତର ଅନ୍ତର କରିବ ସେ କହିବ କାହାକୁ? ଏବେ ତା ଆଖିରୁ ଲୁହ ଝରୁଛି।କାହିଁ କେହି ଜଣେ ହେଲେ ଆଃ କହୁନାହାନ୍ତି। ଆଛା କାନ୍ଦିବା ଟା କଣ ତାର ବଡ଼ ଦୋଷ।

 ଦୀର୍ଘଦୁଇବର୍ଷ ପରେ ଘରକୁ ଫେରିଛି। ନିଜ ଗାଁ , ଘର , ଗାଁ ମନ୍ଦିର, ସେ ବାରିପଟେ ପିଜୁଳିଗଛ ସବୁ ସେମିତି ଅଛି। ନଡ଼ିଆ ଗଛ ସବୁ କେଡେ ଲମ୍ବା ହୋଇ ଫୁଲ କେଣ୍ଡା ଧରିଲାଣି। ବାଡ଼ି ଗଢିଆ ରେ ମାଛ ଅଛନ୍ତି ବୋଧେ ପାଣି ଭଉଁରୀ କାଟୁଛି। ସେ ନିଜ ହାତ ରେ ଲଗେଇଥିବା ଗଙ୍ଗଶିଉଳି ରେ ଆଜି ଫୁଲ ଭର୍ତ୍ତି। ବାହାଘର ଦୁଇ ବର୍ଷ ପରେ ଗୁଜରାଟ ରୁ ଫେରିଛି ।ସବୁ କିଛି ତା ଜାଗାରେ ହେଲେ ତା ପଢା ଘର ଥାକ ରେ ଥିବା ବହି ଆଉ ତା ପିନ୍ଧା ଡ୍ରେସ ସବୁ କୁଆଡେ ଗଲା କେହି କହି ପାରୁନାହାନ୍ତି। ବୋଉ , ଭାଇ ଭାଉଜ ,ବାପା କେହି ନୁହେଁ।ଏମିତି କଣ ଅଦୃଶ୍ୟ ହୋଇଗଲା ବହି ସବୁ। ବିଜ୍ଞାନ ସ୍ନାତକ ଛାତ୍ରୀ ଭାବେ ଶେଷ ବର୍ଷ ପରୀକ୍ଷା ଦେବା ପରେ ବାହାଘର ହେଲା।

  ସତ ରେ କଣ ଝିଅ ବାହା ହୋଇଗଲେ ଗୋତ୍ର ସହ ସବୁ ବଦଳିଯାଏ। ନିଜ ଭାଗ୍ୟ , ଭବିଷ୍ୟତ ସବୁ।ସେ କିନ୍ତୁ ମନସ୍ଥ କରି ଆସିଥିଲା ବହି ପତ୍ର ଆଣି ଆଗକୁ ପଢାପଢି କରିବ। ହେଲେ ଘରେ ତ ପୁରା ଥାକ ଖାଲି । କେହି ଜଣେ ହେଲେ ସତ କହନ୍ତେ ବହି ର କଣ ହେଲା। ନିଜ ମନ କୁ ନିଜେ ବୁଝେଇ ଆଖିରୁ ଲୁହ ପୋଛି ଚୁପ ରହିଲା। ବୋଉ ତା ପସନ୍ଦ ର ପିଠା କରୁଛି ,ଶାଗ, ମାଛ ସବୁ ନିଜ ହାତ ରେ ବନାଉଛି ହେଲେ ବହି କଥା କହୁନି।ଦୁଇ ଦିନ ପରେ ସାଙ୍ଗ ନିମି ଘରକୁ ଯିବାକୁ ବାହାରିଲା ମାନୀ,ରାସ୍ତାରେ ଯାଉ ଯାଉ ଚେମା କକେଇ ଦେଖା ହେଲେ। ହଠାତ ତାକୁ ଦେଖି ଘଡ଼ିଏ ଅଟକାଇ  ଲେ।ସେ ତ ଦିନେ କାଳେ କଥା କୁହନ୍ତିନାହିଁ। ଆଜି କାହିଁଇକି? ହେଲେ ସେ ଯାହା କହିଲେ ମାନୀ ଆଉ ଆଗକୁ ଯିବ କଣ, ସେମାନେ ଜାତିରେ ଶୁଦ୍ର।କାହା ଦୁଆର କୁ ଉଠନ୍ତି ନାହିଁ। ଭାଗ ଚାଷ କରି ଚଳନ୍ତି।ସେ ବର୍ଷ ଫସଲ ଭଲ ହେଲାନାହିଁ ,ଘରକୁ ଖାଇବା ପାଇଁ କିଛି ନାହିଁ। କୁଟୁମ୍ବ ପୋଷିବେ କେମିତି?ପିଲା ଦୁଇଜଣ ପାଠ ପଢୁଥିଲେ।ବୋଉ ସବୁ ଶୁଣି ମାନୀ ର ଡ୍ରେସ ଆଉ ବହି ସବୁ ଦେଇ ଦେଲା ତାଙ୍କୁ। ଆଜି ତାଙ୍କ ସାନ ଝିଅ ପାଠ ପଢା ସାରି ଗାଁ ସ୍କୁଲ ରେ ଶିକ୍ଷୟତ୍ରୀ ଅଛି।

 କକେଇ ରାସ୍ତା ଉପରେ ହାତ ଯୋଡି ପକେଇ କହିଲେ ,ମାଆ ରେ ସୁଖ ରେ ଥାଆ ,ତୋହରି ଵହି ସବୁ ପାଇ ଝିଅ ପାଠ ପଢ଼ିଛି। ଆଜି ଆମ ଘରେ ଭାତ ହାଣ୍ଡି ବସୁଛି। ଭଗବାନ ତୋର ମଙ୍ଗଳ କରନ୍ତୁ।

  ମାନୀ ବିଶ୍ୱାସ କରିପାରିଲା ନାହି କାଲି ଯୋଉ ଜିନିଷ ପାଇଁ କାନ୍ଦି କାନ୍ଦି ଦିନ କାଟିଥିଲା ଆଜି ସେ ସବୁ କୁ ନେଇ ତାକୁ ଗର୍ବ କରିବାକୁ ପଡୁଛି ବୋଉ ଉପରେ ,ସେ ଠିକ ସମୟ ରେ ଚେମା କକେଇ କୁ ସାହାଯ୍ୟ କରିଛି। ଏଥର ଆଗକୁ ପାଦ ନ ବଢ଼େଇ ଘରକୁ ଗଲା।ବୋଉ କୁ ପଚାରିଲା ତୁ ମୋତେ ସତ କହିଥିଲେ କଣ ହୋଇଥାନ୍ତା। ବୋଉ କହିଲା ଏଇ ଯେଉଁ ଖୁସି ର ଲୁହ ଜକେଇଛି ତୋ ଆଖିରେ ହୁଏ ତ ଅମାନିଆ ହୋଇ ମୋ ଉପରେ ଗାଳି ବର୍ଷିଥାନ୍ତା।

ମାନୀ ଆଉ ଟିକେ ଲୁହ ଗଡେଇ ବୋଉ କୁ ଜାବୋଡି ଧରିଲା।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract