Chandra Sekhar Bhol

Romance Inspirational Thriller

4.9  

Chandra Sekhar Bhol

Romance Inspirational Thriller

ପିତୃ ଆଜ୍ଞା ଓ କଳଙ୍କିତ ମାତୃତ୍ଵ

ପିତୃ ଆଜ୍ଞା ଓ କଳଙ୍କିତ ମାତୃତ୍ଵ

10 mins
1.2K


୨୦୦୪ ମସିହାର କଥା, ମୁଁ ସେତବେଳକୁ ଦଶମ ଶ୍ରେଣୀରେ ପଢୁଥାଏ । ଧାନକଟା ଛୁଟି ଚାଲିଥାଏ, ସ୍କୁଲ ଯିବାର ଚିନ୍ତା ବି ନଥାଏ, ତେଣୁ ନିଦ ଭାଙ୍ଗି ଯାଇ ଥିଲେ ବି ବିଛଣାରେ ଗଡପଡ ହେଇ ଉଷୁମ କମ୍ବଳ ଭିତରେ ଶୀତୁଆ ସଖାଳର ମଜା ନେଉଥାଏ । ବାପା ପାଖରେ ପଡିଥିବା ଗୋଟେଏ ଚେଆର ଉପରେ ବସି ଖବର କାଗଜ ପଢିବାରେ ମଗ୍ନ । ସେହି ସମୟରେ ବୋଉ ହଠାତ ଘର ଭିତରକୁ ପଶିଆସି ବାପାଙ୍କୁ କହିଲା,


ହେଇଟି ଶୁଣୁଛ, ଆମ ଗାଁ ଜୟ କଣ ଆତ୍ମହତ୍ୟା କରି ଦେଇଛି ବୋଲି ଗାଁ ଲୋକ କଣ ଟୁପୁରୁ ଟାପର ହେଉଛନ୍ତି ।


ବୋଉ କଥା ଶୁଣି ମୁଁ ଧଡ଼କରୀ ବିଛଣାରୁ ଉଠିପଡିଲି ।


ବାପା: ହଁ ହେଇଥିବ, ଭଲ ପିଲାଟା ଥିଲା ଯେ, କିନ୍ତୁ, ବାପା-ମା ଙ୍କ ଇଛା ବିରୁଦ୍ଧରେ କାମକଲା, ଫଳତ ଭୋଗିବାକୁ ପଡିବ। ବଡ-ସାନ, ଗୁରୁ-ଗୁରୁଜନ କିଛି ଅଛି କି ନାହିଁ? ଆଜିକଲିର ପିଲାଙ୍କର ତ ଏସବୁକୁ ଖାତିର ନାହିଁ ।

(ଏତିକି କହି ବାପା ପୁଣି ଖବର କାଗଜ ପଢିବାରେ ଲାଗିଗଲେ)


ମୁଁ କିନ୍ତୁ ବୋଉର କଥା କୁ ସହଜ ରେ ଗ୍ରହଣ କରି ପାରୁ ନଥିଲି କାରଣ ଘଟଣାର ପୂର୍ବଦିନ ହିଁ ମୁଁ ଜୟ ଭାଇ ସହ ଗାଁ ମନ୍ଦିର ପାଖରେ କଥା ହେଇଥିଲି । ତା ପରେ ତାଙ୍କ ମନ ଭିତରେ ସେମିତି କିଛି ଅବସାଦ ବି ଦେଖା ଯାଉ ନଥିଲା ।

ତଥାପି ମନ ଭିତରେ କିଛି ଆଶଙ୍କା କରି ବୁଲିଲା ବୁଲିଲା ହେଇ ବାହାରି ପଡିଲି ଜୟ ଭାଇ ଘର ଆଡେ । କିଛି ଦୂରରୁ ଜୟ ଭାଇ ଘର ଆଗରେ ଗୋଟେ ପୋଲସ ଗାଡି ଦୃଶ୍ୟମାନ ହେଲା । କିଛି ଗାଁ ଲୋକ ବି ସେଇଠି ରୁଣ୍ଢ ହେଇଥାନ୍ତି ।ଏହା ଦେଖି ମନ ଭିତରେ ମୋର ସନ୍ଧେହ ଆହୁରି ବଢି ଚାଲିଲା, ବୋଉ କଥା ଆଉ ସତ ନୁହଁ ତ? ଦେହର ରୁମ ଟାଙ୍କୁରି ହେଇ ଉଠିଲା, ପାଦର ଗତି ମଧ୍ୟ ବଢି ଚାଲିଲା ମନର ଆଶଙ୍କା ଭିତରେ । ପାଖରେ ଯାଇ ଯାହା ଦେଖିଲି ବିଶ୍ୱାସ କରି ପାରିଲି ନାହିଁ, ବୋଉ କହୁଥିବା କଥା ସତ, ଜୟ ଭାଇ ଆତ୍ମହତ୍ୟା କରିଛି । ସାଇଣ୍ଟିଫିକ ଟିମ ବି ଆସି ପହଁଚିଲେ, ଘର ଭିତର ତାର ଖାନତଲାସ କଲେ, ଶେଷରେ ଜୟ ଭାଇର ହାତ ଲିଖିତ ଗୋଟିଏ ଚିଠି ମିଳିଲା ଯେଉଁଥିରେ ସେ ତାର ଆତ୍ମହତ୍ୟା ପାଇଁ କେହି ଦାୟୀ ନୁହନ୍ତି ବୋଲି ଲେଖିଥିଲା । ପୋଲିସ ଚିଠିଟିକୁ ସମ୍ପୂର୍ଣ ଆଲୋଚନା ନକରି ମୃତଦେହକୁ ନେଇ ବ୍ୟବଚ୍ଛେଦ ପାଇଁ ପଠାଇ ଦେଲା । ଗାଁ ଲୋକ ଭାବିଲେ ଉଭୟ ସ୍ତ୍ରୀ ଓ ପୁଅର ମୃତୁପରେ ନିସଙ୍ଗ ଜୀବନ ପାଇଁ ବୋଧେ ଜୟ ଏମିତି ନିଜ ହାତରେ ନିଜ ଜୀବନ ହରିଦେଲା ।


ଜୟ ଭାଇର ଜନ୍ମ ଗୋଟେ ବ୍ରାହ୍ମଣ ପରିବାରରେ ହେଇଥିଲା । ସେ ତାଙ୍କ ବାପା-ମାଙ୍କର ଗୋଟାଏ ବୋଲି ପୁଅ ଥିଲେ, ତେଣୁ ବହୁତ ଗେଲ୍ହା ବସରରେ ବଢି ଥିଲେ । ଜୟଭାଇ ବାପାଙ୍କର ପୁରୋହିତ କର୍ମପାଇଁ ପୁରା ପଂଚାୟତରେ ନା ଥିଲା । ଗାଁ ରେ ସଭା ସମିତି ନ୍ୟାୟ ହେଲେ ମଧ୍ୟ ଜୟ ଭାଇଙ୍କ ବାପାଙ୍କୁ ଖୋଜ ପଡେ ବୋଲି ଶୁଣିଛୀ । ତାଙ୍କ ମାଆ ବି ଜଣେ ଧର୍ମପରାୟଣ ନାରୀ ଥିଲେ । ସେମାନଙ୍କ ସହ ମୋର ସେମିତି ବିଶେଷ କିଛି ସ୍ମୃତି ମନ ପଡୁନି କାରଣ ମୋର ହେତୁ ହେଇ ନଥିଲା ତାଙ୍କ ବାପା-ମା ଆରପରିକି ଚାଲି ଯାଇଥିଲେ । ମୁଁ ଜାଣିବାରେ ଜୟ ଭାଇଙ୍କ ପରିବାର କହିଲେ ଜୟ ଭାଇ, ତାଙ୍କ ପତ୍ନୀ ଲିନି ଭାଉଜ ଓ ଏକମାତ୍ର ପୁଅ ଆଦି ।

ଲିନି ଭାଉଜ, ଜୟ ଭାଇଙ୍କର ସାମ୍ନା ଘର ଝିଅ । ଶୁଣିଛୀ, ଗାଟିଏ ବର୍ଷରେ ଦୁହିଁଙ୍କର ଜନ୍ମ, ଘର ପାଖରେ ଘର ହେଇ ଥିବାରୁ ସାଙ୍ଗ ହେଇ ବାଲ୍ୟକାଳ କାଟିଛନ୍ତି, ସାଙ୍ଗହୋଇ କଣ୍ଢେଇ ଧରି ଖେଳିଛନ୍ତି, ଖେଳରେ ଖେଳରେ ରାଜା ରାଣୀ ବି ହେଇଛନ୍ତି ଓ ପରେ ଦୁହେଁ ଏକା କ୍ଲାସରେ ମଧ୍ୟ ପଢ଼ୁଥିଲେ । କହିବାକୁ ଗଲେ ଜଣେ ଆରଜଣ ଙ୍କର ସବୁ ସୁଖ-ଦୁଃଖର ସାଥି ଥିଲେ। ସବୁ ଠିକଠାକ ଚାଲିଥିଲା । ଦିନେ ଲିନି ଭାଉଜଙ୍କ ଜୀବନରେ ଘୋର ବିପଦ ମାଡିଆସିଲା, ତାଙ୍କ ବାପା-ମା ମାର୍କେଟ କୁ ଯାଉଥିଲା ବେଳେ ଗାଡି ଆକ୍ସଇଡେଣ୍ଟରେ ଉଭୟଙ୍କର ମୃତ୍ୟୁ ହେଇଗଲା । ଏହାପରେ, ସମ୍ପତି ଲୋଭରେ ଲିନି ଭାଉଜଙ୍କ ଦାଦା ଖୁଡି ବି ତାଙ୍କୁ ବହୁତ ହଇରାଣ କରନ୍ତି ଏମିତିକି ଜୀବନରୁ ମାରିବା ପାଇଁ ବି ଯୋଜନା କରିଛନ୍ତି । ଲିନି ଭାଉଜ ସାବାଳିକା ହେଲାପରେ ସେମାନେ ସବୁ ସମ୍ପତି ମଧ୍ୟ ନିଜ ନାମରେ ଲେଖେଇ ନେଇଯାଇଛନ୍ତି । ପିଲାଙ୍କୁ ଟୁଇଁସନ କରି ଯାହା କିଛି ପଇସା କମାନ୍ତି, ସେ ସବୁକୁ ଖୁଡି ମଧ୍ୟ ଜବରଦସ୍ତି ନେଇଯାନ୍ତି, ବଦଳରେ ବାସ ଯାହା ଦିନକୁ ଦୁଇ-ଓଳି ଖାଇବାକୁ ମିଳେ । କହିବାକୁ ଗଲେ ମାତା -ପିତାଙ୍କ ମୃତ୍ୟୁ ପରେ ଲିନି ଭାଉଜଙ୍କ ଜୀବନ ବହୁତ ଦୁଃଖପୂର୍ଣ ଥିଲା । ଏସବୁ ଦୁଃଖ କାହାକୁ ବା କହିବେ, ବାସ ଜୟ ଭାଇ ହିଁ ତ ଥିଲେ ତାଙ୍କ ଛୋଟ ବେଳର ସାଥି । ଲିନି ଭାଉଜର ଏସବୁ ପରିସ୍ଥିତି ଦେଖି ଜୟ ଭାଇ ତାଙ୍କୁ ମନେମନେ ଭଲପାଇ ଯାଇଥିଲା, ଭାବିଥିଲା ଏପରି ଅସହାୟ ଝିଅଟିକୁ ଜୀବନ ସାଥିକରି ତା ମୁହଁ ରେ ଝରି ଯାଇଥିବା ହସକୁ ଆଉଥରେ ଫୁଟାଇବା ବୋଲି । ଦିନେ ଜୟ ଭାଇ ତା ମନର କଥାକୁ ଲିନିଭାଉଜ କୁ ମଧ୍ୟ କହିଥିଲା ଆଉ ଲିନି ଭାଉଜ ଜୟ ଭାଇର କଥାରେ ସନମତୀ ମଧ୍ୟ ଜଣାଇଥିଲା ।

ଯେବେ ଜୟ ଭାଇର ବିବାହ ବୟସ ହେଇଥିଲା ଆଉ ଘର ଲୋକ ଜୟ ଭାଇ ପାଇଁ ଝିଅ ଖୋଜ ଆରମ୍ଭ କରିଥିଲେ ସେ ତାର ଲିନି ଭାଉଜ ସହ ଥିବା ପ୍ରେମ ସମ୍ପର୍କକୁ ପିତା-ମାତା ଙ୍କୁ ଜଣେଇଥିଲେ କିନ୍ତୁ ଲିନି ଭାଉଜ ହରିଜନ ଜାତିର ହେଇ ଥିବାରୁ ଜୟ ଭାଇଙ୍କ ଘରେ ସ୍ଵୀକୃତି ମିଳି ନଥିଲା ଆଉ ତାଙ୍କ ବାପା ଏହାର ଖୁବ ବିରୋଧ କରିଥିଲେ । ତାଙ୍କ ମା ତାଙ୍କ ବାପାଙ୍କୁ ଯେତେ ବୁଝେଇଲେ ମଧ୍ୟ ପରିସ୍ଥିତିରେ କିଛି ସୁଧାର ମିଳିଲାନି । ଛୋଟବେଳୁ କେବେବି ତାଙ୍କ ଦୁଇଜଣଙ୍କୁ ଏଇ ଜାତିପ୍ରଥାର ଭେଦ ସାମ୍ନା କରି ବାକୁ ପଡି ନଥିଲା ତେଣୁ କିଏ ବା କାହିଁ ଭାବିଥିଲା ଯେ ମନରେ ପ୍ରେମ ପକ୍ଷୀ ବସା ବାନ୍ଧିଲା ବେଳେ ଜାତିଗତ ପ୍ରଥା ଜନିତ ବତାସ ଆସିବ? ଗୋଟାଏ ପଟେ ଜୟ ଭାଇଙ୍କ ବାପା ଜାତି-ପ୍ରଥା କୁ ନେଇ ହେଇ ଯାଇ ଥିଲେ ଖୁବ କଠୋର ଆଉ ଆର ପଟେ ଜୟ ଭାଇ ବି ଥିଲେ ପ୍ରେମରେ ଖୁବ ସଚୋଟ ଓ ଏକଜିଦିଆ, ସେ ବି ଘରେ ରୋକଠୋକ ଶୁଣେଇ ଦେଇଥିଲେ ଯଦି ବାହା ହେବେ ତ ଲିନି କୁ ହିଁ ହେବେ ନହଲେ ହେବିନି । କେମିତିଵି କିଏ ନିଜର ଶାଶ୍ୱତ ପ୍ରେମ ଆଗରେ ଜାତିପ୍ରଥାକୁ ବଡ କରି ପରିବ?

  

ତେଣୁ ଜୟ ଭାଇ ତାଙ୍କ ପିତା-ମତାଙ୍କ ମୃତ୍ୟୁ ପରେ ଲିନି ଭାଉଜଙ୍କୁ ବିବାହ କରିଛନ୍ତି । ଏଥିପାଇଁ ତ ଜୟ ଭାଇଙ୍କୁ ବହୁତ ଲୋକ ଘୃନ୍ୟଆଖି ରେ ଦେଖନ୍ତି । କେହି କେହି ତାଙ୍କୁ ମୁହଁରେ ମଧ୍ୟ କହି ଦିଅନ୍ତି, କେମିତିକା ବାପାଠାରୁ ତୁ କୁଳାଙ୍ଗାର ଜନ୍ମ ନେଲୁ? ବଂଶର ମାନ ଇଜତ ସବୁ ମାଟିରେ ମିସେଇଲୁ ଇତ୍ୟାଦି ଇତ୍ୟାଦି । କିନ୍ତୁ ଜୟ ଭାଇ ଏଥି ପାଇଁ କେବେ କାହା ସହ ଲଢ଼ିବା କି ଝଗଡା କରିବା ମୁଁ ଦେଖି ନାହିଁ । ତାର ସ୍ଵଭାଵ ଥିଲା ଅତି ସରଳ ଆଉ ସେ ଥିଲା ମଣିଷ ପରି ମଣିଷ ଟିଏ । 


ଜୟ ଭାଇଙ୍କର ତେଲ ଲୁଣର ସଂସାର ଭାରି ହସ ଖୁସିର ଚାଲିଥାଏ, ତାରି ଭିତରେ ଲିନି ଭାଉଜ ଙ୍କ ଦେହ ଖରାପ ହେଲା ଆଉ ଜମା ଭଲ ହେଲା ନାହିଁ, ପେଟକୁ ଦାନ ଯିବା ମଧ୍ୟ ବନ୍ଦ ହେଇ ହେଇଗଲା । ଶେଷରେ ଡାକ୍ତରୀ ପରୀକ୍ଷାପରେ ଜଣ ପଡିଲା ଲିନି ଭାଉଜଙ୍କୁ ପେଟରେ କ୍ୟାନ୍ସର ହେଇଚି ଆଉ ସିଏବି ଫୋୖର୍ଥ ଷ୍ଟେଜ । ସ୍ଥିତି ଏତେ ଜଟିଳ ଥିଲା ଯେ ଡାକ୍ତର ବି ହାତ ଟେକି ଦେଲେ ଆଉ କ୍ୟାନ୍ସର ସହ ସଂଘର୍ଷ କରି ଲିନି ଭାଉଜ ଦୁଇ-ତିନି ମାସ ପରେ ଆଖି ବୁଜି ଦେଲେ । ଜୟ ଭାଇଙ୍କୁ ଜୀବନରେ ଶକ୍ତ ଧକା ଲାଗିଥିଲା କିନ୍ତୁ କ'ଣ କରିବେ ଏଇଟା ତ ସଂସାର, ସୁଖ ଦୁଃଖ ସବୁ କୁ ଆପଣେଇ ବଂଚି ବାକୁ ହେବ । ସେତବେଳକୁ ପୁଅ ଆଦି ପ୍ରାୟ ପାଞ୍ଚ ବର୍ଷର ହେଇଥାଏ । ଭାଉଜ ଯିବା ପରେ ଜୟ ଭାଇ ଆଦି ପାଇଁ ପାଲଟି ଯାଇଥିଲେ ଥିଲେ ଉଭୟ ମାତା ଓ ପିତା । କିନ୍ତୁ ଏତିକିରେ ବି ଜୟ ଭାଇର ଜୀବନର ପରୀକ୍ଷା ସରିନଥିଲା । ଆଦିକୁ ଯେବେ ଆଠ ବର୍ଷ ବୟସ ତାର ଦେହ ଖରାପ ହେଲା, ଡାକ୍ତର କହିଲେ ଆଦିର ଦୁଇଟା ଯାକ କିଡନି ନଷ୍ଟ ହେଇ ଯାଇଛି ଆଉ ଯଦି ତାକୁ ବଂଚେଇ ବାକୁ ହେଲେ କିଡନି ଟ୍ରାନ୍ସପ୍ଲାଣ୍ଟ ଜରୁରୀ । ଜୟ ଭାଇ ଆଗେଇ ଆସିଲେ ଗୋଟେ କିଡନି ଦାନ କରି ନିଜ ପୁତ୍ରର ଜୀବନ ରକ୍ଷା କରିବା ପାଇଁ । ଜେନେଟିକ କଂପାଟିବିଲିଟି ପାଇଁ ବାପା-ପୁଅଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରକଲା । ପରୀକ୍ଷା ନିରୀକ୍ଷା ପରେ ଜେନେଟିକ କଂପାଟିବିଲିଟି ନଥିବାରୁ କିଡନି ଟ୍ରାନ୍ସପ୍ଲାଣ୍ଟ ହେଇ ପାରିଲା ନାହିଁ ଆଦି ମଧ୍ୟ କିଛିଦିନ ବିଛଣାରେ ପଡି ଜୟ ଭାଇଙ୍କୁ ଛାଡ଼ି ସବୁ ଦିନ ପାଇଁ ଚାଲି ଗଲା । 

ଜେନେଟିକ କଂପାଟିବିଲିଟି ପରୀକ୍ଷା ସମୟରେ ଡ଼କ୍ଟର ମଧ୍ୟ ଆଉ ଏକ ରୋଚକକର ତଥ୍ୟ ଦେଇଥିଲେ, ବାପା ପୁଅଙ୍କ ମଧ୍ୟରେ ଜେନେଟିକ କଂପାଟିବିଲିଟି ସୁନ ପ୍ରତିଶତ, ସାଧାରଣ ଭାଷାରେ କହିବାକୁ ଗଲେ ଆଦି, ଜୟ ଭାଇଙ୍କ ପୁଅ ନୁହେଁ । ଏକଥା ତାଙ୍କର ଜଣେ ସମ୍ପର୍କୀୟ ଶୁଣିବାକୁ ପାଇଲେ ଯିଏ ତାଙ୍କୁ ସାହାର୍ଯ୍ୟ କରିବା ପାଇଁ ସେଠି ଉପସ୍ଥିତ ଥିଲେ ଏବଂ ଏଇ କଥା ପରେ ଗାଁ ରେ ପ୍ରଘଟ ହେଇଗଲା । ଗାଁ ଲୋକଙ୍କ ଟାହିଟାପରା ଆହୁରି ବଢି ଚାଲିଲା ଯାହା ନକହିବା ଭଲ । ଏସବୁ ବାପା-ମାଙ୍କ ଅଭିଶାପର ଫଳ । ଛୋଟ ଜାତିର ଝିଅ ଠାରୁ କ'ଣ ବି ଆସା କରା ଯାଇ ପରିବ; ଉଚକୁଳର ମାନ- ଇଜତ ସେ କ'ଣ ବୁଝିବ ଇତ୍ୟାଦି ଇତ୍ୟାଦି । ଏସବୁ ଶୁଣି ଜୟ ଭାଇ ବି ବହୁତ ଅବସାଦ ଗ୍ରସ୍ତ ରହୁଥିଲା । କିଏ ବା ନିଜର ପ୍ରାଣ-ପ୍ରିୟ ନାମରେ ଏମିତି ସହି ପାରିବ? 

ଶଵ ବ୍ୟବଛେଦ ହେଇ ତାପରଦିନ ଆସି ପହଂଚିଲା ଗାଁରେ । ହରିଜନ ଜାତିରେ ବିବାହ କରିଥିବାରୁ ଜୟ ଭାଇ ଶଵକୁ କେହି କୁଟୁମ୍ବ ଲୋକ ମଧ୍ୟ ନିଆଁ ଦେବାକୁ ଆସିଲେନି । ଗାଁର କିଛି ସମାଜସେବି ଯୁବକ ହାତରେ ହାତ ମିଳାଇ ଜୟ ଭାଇର ଶଵ ସତ୍କାର କଲେ ।

ଏଗାରଦିନ ଜୟ ଭାଇଙ୍କ ପାଇଁ ସେହି ସ୍ବେଚ୍ଛାସେବୀ ଭାଇ ମାନେ ଗୋଟେ ଶୋକସଭାର ବି ଆୟୋଜନ କରିଥିଲେ ଓ ସେଠାରେ ଥାନାର ଭାରପ୍ରାପ୍ତ ଅଧିକାରୀ ବି ଯୋଗଦେଇଥିଲେ ଯେଉଁଠି ସଭାରେ ଜୟ ଭାଇ ଙ୍କ ହସ୍ତ ଲିଖିତ ଚିଠିକୁ ସମସ୍ତଙ୍କୁ ବିସ୍ତୃତ ଭାବରେ ପଢି ଶୁଣାଇଥିଲେ । ସେଥିରେ ଲେଖାଥିଲା ଯେ....

 " ମୁଁ ଦୁନିଆକୁ ବହୁତ କିଛି ଜଣେଇବାକୁ ଚାହୁଁଥିଲି କିନ୍ତୁ ଭୟରେ ଦୁନିଆକୁ ସାମ୍ନା କରିପାରିଲି ନାହିଁ, ଭାବୁଛି ମୋର ମୃତ୍ୟୁ ପରେ ଏହି ଚିଠିଟି ଦୁନିଆର ସବୁ ଲୋକଙ୍କର ସବୁ ପ୍ରଶ୍ନର ଉତ୍ତର ଦେଇଦେବ । ମୁଁ ମୋର ପିତାମାତାଙ୍କ ମୃତ୍ୟୁ ପରେ ଏକାକୀ ରହୁଥିଲି ଏବଂ ଜୀବନକୁ ଅବିଵାହିତ ଭାବେ କାଟିଦେବା ପାଇଁ ନିଷ୍ପତି ମଧ୍ୟ ନେଇ ଥିଲି କାରଣ ସେମାନେ ଚାହୁଁଥିଲେ ମୋର ଅନ୍ୟତ୍ର ବିବାହ କିନ୍ତୁ ମୁଁ ମୋର ପ୍ରେମକୁ ଛାଡି ଅନ୍ୟ ଜାଗାରେ ବାହା ହେବାପାଇଁ ଚାହୁଁନଥିଲି କିନ୍ତୁ ସମୟର ଚକ୍ରରେ ବହୁତ କିଛି ଘଟି ଗଲା । ଦିନେ ମୁଁ ଭୀଷଣ ଜ୍ୱରରେ ପଡ଼ିଥିଲି । ଏକଥା ଲିନି କେମିତି ଜାଣି ସେଦିନ ସନ୍ଧ୍ୟାରେ ମୋ ଘରକୁ ମୋତେ ଦେଖିବାକୁ ଆସିଥିଲା । ଆସିନଥାନ୍ତା ବି କିପରି ଛୋଟବେଳର ବନ୍ଧୁର ଅସୁସ୍ଥ ଖବର ପାଇ? କିନ୍ତୁ ଯେବେ ସେ ମୋ ଘରୁ ବାହାରି ନିଜ ଘରକୁ ଯାଉଥିଲା, ତାର ଖୁଡିଙ୍କର ନଜର ପଡିଥିଲା ଲିନି ଉପରେ ଏବଂ ତାକୁ ଘରେ ନପସେଇ ତାର ଚରିତ୍ରକୁ ସନ୍ଦେହ କରି ବହୁତ କଥା କହିଥିଲେ । ଲିନି ଯେତେ କାକୁତି ମିନତୀ ହେଇ ସତ କଥା କହିଲେ ବି ସେ ମାନବିକତା ଭୁଲି ଲିନି କୁ ସେଇ ସନ୍ଧ୍ୟାରେ ଘରୁ ତଡି ଦେଲେ । ବାପା-ମା ଛେଉଣ୍ଡ ଝିଅଟା ରାତିଟାରେ ଯାଇଥନ୍ତା ବି କୁଆଡେ? କାନ୍ଦି କାନ୍ଦି ଆସି ମୋ ଆଗରେ ସବୁ କଥା କହିଲା । ମୁଁ ମଧ୍ୟ ଗଲି ଲିନିକୁ ଧରି ଖୁଡିଙ୍କ ପାଖକୁ ସମାଧାନ କରିବା ପାଇଁ କିନ୍ତୁ କିଛି ଲାଭ ହେଲା ନାହିଁ, ଓଲଟି ତା ସହ ମୋର ଭଲ ପାଇବା କୁ ନେଇ ମଧ୍ୟ ବହୁତ ଗାଳିକଲେ ଆଉ ଳିନୀର ସେ ଘରେ ଆଉ ସ୍ଥାନ ନାହିଁ କହି ଘରର କବାଟ ବନ୍ଦ କରିଦେଲେ । ଲିନି ସେତବେଳକୁ କାନ୍ଦି କାନ୍ଦି ମୁର୍ଚ୍ଛାପ୍ରାୟ...

ଯେତେବେଳେ ଆମ ପବିତ୍ର ସମ୍ପର୍କ କୁ ଏତେ କଥା ଉଠିଲାଣି, ଆଉ ଳିନୀର ଏପରି ଅବସ୍ଥା, ମୁଁ କ'ଣ କ'ଣ ଭୁଲ କ'ଣ ଠିକ ଜାଣିପାରିଲି ନାହିଁ ଓ ଆଗପଛ କିଛି ବିଚାର ନକରି ଳିନୀର ହାତ ଧରି ମୁଁ ମୋ ଘରକୁ ନେଇ ଆସିଲି । ପରେ, ଗାଁରେ ବି ଶୁଣିବାକୁ ମିଳିଲା ଆମେ ଦୁହେଁ ନିଜ ଇଚ୍ଛାରେ ଏମିତି କାମ କରିଛୁ । ସବୁ ଶୁଣି ମଧ୍ୟ ଆମେ ଚୁପ ରହିଲୁ କାରଣ ମୁହଁ ଖୋଲିଲେ ଖୁଡି ଦୋଷୀ ହେଇ ପାରନ୍ତି ଆଉ ସେ ଥିଲେ ଆମର ଗୁରୁଜନ ।

ଦୁନିଆ ଆମର ସମ୍ପର୍କକୁ କ'ଣ ରୂପ ଦିଏ ଆମେ ଜାଣିନୁ । ଆମେ ଗୋଟିଏ ଘରେ ଗୋଟିଏ ପବିତ୍ର ବନ୍ଧୁର ସମ୍ପର୍କରେ ସମୟ କଟୁଥିଲୁ । ଏଇକଥା ଘଟିବାର ପ୍ରାୟ ମାସକ ପରେ କେଜାଣି କଣ ପାଇଁ ପଚାରି ଦେଲି "ଲିନି ଚାଲ ଆମେ ବାହା ହେଇ ଯିବା, ମୋ ବାପା ତ ଆମକୁ ବାରଣ କରୁଥିଲେ, ଆଉ ଆଜି ସେ ତ ଏଇ ପୃଥିବୀରେ ନାହାନ୍ତି" । 

ଉତ୍ତରରେ ଲିନି କହିଥିଲା "ତୁମେ ଇଏ କ'ଣ କହୁଛ, ପାଗଳ ହେଇ ଗଲା ନ କ'ଣ? ମୁଁ ଛୋଟବେଳୁ ପିତା ମାତାଙ୍କୁ ହରେଇଛି ଆଉ ତାର ଦୁଃଖ ଜାଣିଛି, ତାପରେ ତୁମ ପିତା ମାତାଙ୍କୁ ନିଜର ଭଳି ଭାବେ । ପିତାମାତା ଯେଉଁଠି ବି ଥାଆନ୍ତୁ ତାଙ୍କର ଆଶୀର୍ବାଦ ଆମ ସାଙ୍ଗରେ ଅଛି ଆଉ ରହିଥିବ, ଆମେ ଏମିତି କିଛି ଲଜ୍ଜିତ କାମ ବାପାଙ୍କ ଆଜ୍ଞା ବିରୁଦ୍ଧରେ ଯାଇ କରିବା ନାହିଁ ଯେ ଆମର ତାଙ୍କ ପ୍ରତି ତିରସ୍କାର ହେବ । ଆଉ ହଁ, ମୁଁ ଆଜି ତୁମ ପାଖରେ ଆଜି ବି ସାଥି ଟିଏ ପରି ଅଛି କାରଣ ଛୋଟବେଳୁ ଆମର ବନ୍ଧୁତ୍ୱ ସେମାନଙ୍କ ଦ୍ୱାରା ସ୍ଵୀକୃତି ପାଇଛି ।

ଳିନୀର ଉତ୍ତର ଶୁଣିବା ପରେ ମୁଁ ଖୁବ ଲଜିତ ହେଇ ଯାଇଥିଲି ଏବଂ ନିଜ ଆଗରେ ନିଜକୁ ଛୋଟ ମନେ କରୁଥିଲି । ଦୁହେଁ ଏକାଠି ବନ୍ଧୁହୋଇ ସାରାଜୀବନ କାଟିଦେବା ପାଇଁ ମନସ୍ତ କଲୁ । ସମୟ ଗାଡି ଚାଲିଲା, ବର୍ଷକ ପରେ ସାହି ପଡିସା ସବୁ ପଚାରିବାକୁ ଲାଗିଗଲେ କେବେ ଖୁସି ଖବର ମିଳିବ? ସମସ୍ତେ ଆମର ପିଲାଛୁଆ ହବାକୁ ଅପେକ୍ଷା କରିଥାନ୍ତି କିନ୍ତୁ ଆମର ବନ୍ଧୁତ୍ୱର ଜୀବନ ଆଉ ପିତୃ ଆଜ୍ଞା ପାଳନ କରିବାର ଶପଥ ସେମାନେ ବୁଝିବେ ବା କୁଆଡୁ? ଆମେ ମଧ୍ୟ ସମାଜର ଡରରେ କୌଣସି କଥା କାହାରିକୁ ପ୍ରକାଶ କରି ପାରିଲୁ ନାହିଁ । ଆମେ ଏକାଠି ରହିବାର ଦୁଇ ତିନି ବର୍ଷପରେ ଛୁଆ ନଥିବାରୁ କିଏ ମୋର ପୁରୁଷତ୍ୱ ଉପରେ ଆକ୍ଷେପ କଲା ତା କିଏ ଳିନୀର ନାରୀତ୍ୱ ଉପରେ । ଏପରିକି ତାକୁ ଗାଁ ସ୍ତ୍ରୀଲୋକ ମାନେ ବାଞ୍ଝ ବୋଲି ଆଖ୍ୟା ଦେଲେ । କଥା ଏତିକିରେ ସାରିଲାନି, ଗାଁ ରେ ଲୋକ ମାନେ ଟୁପୁରୁ ଟାପୁରୁ ହେଲେ କି ଆମର ପିଲା ଛୁଆ ନଥିବାରୁ ଆମ ମୁହଁ ଚାହିଁଲେ ସେମାନଙ୍କର ଶୁଭ କାର୍ଯ୍ୟରେ ବାଧା ଉପୁଜୁଛି । ଏସବୁ ଆଉ ଆମେ ସହି ପାରିଲୁନି ନାହିଁ, ମନସ୍ତ କଲୁ ସହରକୁ ପଳେଇବୁ, ଅନ୍ତତଃ ଏହି ଦୁନିଆ ଦୟାରୁ ରକ୍ଷା ମିଳିବ। ଶେଷରେ ସେଇଆ ହିଁ କଲୁ, କାହାକୁ କିଛି ନଜଣେଇ ଆମେ କଟକ ପଳେଇ ଗଲୁ । ଦୁହେଁ ଗୋଟେ ମସଲା କମ୍ପାନୀରେ କାମକରି ନିଜର ଗୁଜୁରାଣ ମେଣ୍ଟେଇଲୁ । ଏତେବଡ ସହରରେ କିଏ ବା କାହାର, ଗାଁର ଭିଟା ମାଟି ସବୁବେଳେ ମାନେ ପଡେ କିନ୍ତୁ ଫେରିବୁ ବା କେମିତି ? ଯାହାହେଉ ଭଗବାନ ସାହାଯ୍ୟ ହେଲେ, ଆମେ ଦୁଇଜଣ ସଖାଳୁ କାମକୁ ଯାଉଥାଉ, ରାସ୍ତାରେ ଗୋଟେ ନିଛାଟିଆ ଗଛମୂଳେ ଗୋଟେ ଶିଶୁର କାନ୍ଦ ଶୁଭିଲା । ପାଖକୁ ଯାଇ ଆମେ ଦେଖିଲୁ ଗୋଟିଏ ଦୁଇ-ତିନି ମାସର ପୁତ୍ର ସନ୍ତାନ ଗୋଟିଏ କପଡା ଭିତରେ ଗୁଡା ହେଇଚି ଆଉ ମଧ୍ୟ ଆଖପାକରେ ମଧ୍ୟ କେହି ନଥିଲେ । ୧୦-୧୫ ମିନଟ ଅପେକ୍ଷା କଲୁ ଭାବିଲୁ ତାର ବାପା ମା କଲେ କିଏ ଅଖପାଖରେ ଥିବେ ଆଉ ଆସି ଛୁଆକୁ ନେବେ । କିନ୍ତୁ କେହି ଆସିଲେ ନାହିଁ , ଛୁଆର କାନ୍ଦଣା ବି ବଢି ଚାଲିଥାଏ । ଆମେ ଅଧର୍ଯ୍ୟ ହେଇ ପାଖ ଥାନାକୁ ଛୁଆଟିକୁ ନେଇ ପହଁଚିଲୁ । ଥାନାବାବୁ ମାନେ ଛୁଆକୁ ନେଇ ପାଖ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରେଇ ନିକଟସ୍ଥ ଅନାଥାଶ୍ରମକୁ ପଠେଇବା ପାଇଁ ଯୋଜନା କଲେ । କିନ୍ତୁ ଏପଟେ ଲିନି ସେ ଛୁଆକୁ ଆପଣେଇ ନେବା ପାଇଁ ମତେ ପ୍ରସ୍ତାବ ଦେଲା । ମତେ ମଧ୍ୟ ଳିନୀର ପ୍ରସ୍ତାବଟି ଖୁବ ପସନ୍ଦ ଆସିଲା । କାଳବିଳମ୍ବ ନକରି ଆମେ ଥାନାରେ ନିସନ୍ତକ ପାତୀ-ପତ୍ନୀର ପରିଚୟ ଦେଇ, ସରକାରୀ ନିୟମ ମୁତାବକ ସବୁ କାଗଜପତ୍ର ସହ ଛୁଆଟିକୁ ଆପଣେଇଲୁ । ଆମର ହସଖୁସିର ସଂସାର ଖୁସିରେ ଚାଲିଥିଲେ ବି ଦୁହିଁଙ୍କ ମନରେ ଗାଁ କୁ ନେଇ କୋଉଠି ନା କୋଉଠି ଦୁଃଖ ଥିଲା । ସହରର ଅଭିଜାତ୍ୟ ଜୀବନ ଆମକୁ କେବେବି ଗାଁର ମମତା ଦେଇ ପାରୁନଥିଲା । ଶେଷରେ ନିଶ୍ଟିତ କଲୁ ଛୁଆକୁ ଧରି ଗାଁକୁ ଫେରିଆସିବୁ । ଶେଷରେ ସେଇଆ ହିଁ କଲୁ, ସବୁଦିନ ପାଇଁ କଟକ ଛାଡି ଗାଁ କୁ ଅସିଗଲୁ । ଗାଁ ଲୋକ ମାନେ ମଧ୍ୟ କୋଳରେ ଛୁଆ ଦେଖି ଆମକୁ ସବୁ ନିନ୍ଦା ଅପବାଦରୁ ଦୂରରେ ରଖିଲେ । ହସଖୁସିରେ ସମୟ ବିଲୁଥିବା ବେଳେ ଦୁଇ ଦୁଇଟା ବିପଦ ମାଡି ଆସିଲା, ପ୍ରଥମଟି ଳିନୀର ମୃତ୍ୟୁ ଆଉ ଦ୍ୱିତୀୟଟି ଆଦିର ମୄତ୍ୟୁ ତାକୁ ବି ମୁଁ ଛାତିକୁ ପଥର କରି ସାହୀନେଲି କିନ୍ତୁ ସମାଜ ଲିନି ଉପରେ ଯେଉଁ ନିନ୍ଦା, ଅପବାଦ ଆଉ ଚରିତ୍ରର ପ୍ରଶ୍ନବାଚୀ ଉଠେଇଲା ମୋ ପାଇଁ ଅସହ୍ୟ ହେଲା । ତଥାପିବି, ସବୁ ଶୁଣି ବଂଚିବା ପାଇଁ ନିଜ ମନକୁ ବାର ବାର ବୁଝେଇଲ କିନ୍ତୁ ବିଫଳ ହେଲି ଆଉ ଶେଷରେ ମନ ପାଖରେ ହାର ମାନିଲି ତେଣୁ ଲିନି ଭଳି ଗୋଟେ ସୁଚରିତ୍ରା ନାରୀର ମିଥ୍ୟା ଅପବାଦ ଶୁଣି ବଂଚିବାଠୁ ନିଜ ଜୀବନ ହାରି ଦେବାକୁ ଶ୍ରେୟ ମାନେ କଲି” ।

(ଇତି)

ଜୟ


ଜୟ ଭାଇଙ୍କ ଲିଖିତ ଚିଠି, ଥାନା ବାବୁଜଣଙ୍କ ପଢି ଶୁଣାଇବା ପରେ ମୋ ଆଖିରେ ଲୁହ ଅସିଯାଇ ଥିଲା । ଭାବୁଥିଲି ଏ ଦୁନିଆ କେତେ ନିଷ୍ଠୁର । କହିବାକୁ ଗଲେ ଏଇଟା କେବଳ ଜୟ ଭାଇ କି ଲିନି ଭାଉଜଙ୍କ ଜୀବନର ସଂଘର୍ଷର କାହାଣୀ ନୁହେଁ ବରଂ ଏମିତି ଅନେକଙ୍କ ଜୀବନରେ ଘଟୁଥିବ । ଆଜିକୁ ଏଇ କଥାକୁ ପ୍ରାୟ ସତରବର୍ଷ ବିତି ଗଲାଣି, ତଥାପି ଆଜିବି ମୋ ମନରେ କିଛି ପ୍ରଶ୍ନ ଉଙ୍କି ମାରେ ଯାହାର ଉତ୍ତର ମୁଁ ଖୋଜି ପାଉନି ।

କ’ଣ ଭୁଲ ଥିଲା ଜୟ ଭାଇ ଓ ଲିନି ଭାଉଜଙ୍କର?

ପ୍ରେମ କଣ ଭୁଲ ନା ଦୁହେଁ ଅଲଗା ଜାତିରେ ଜନ୍ମ ନେଇ ପ୍ରେମକରିବାଟା ଥିଲା ସେମାନଙ୍କ ପାଇଁ ଥିଲା ଅପରାଧ?

ନା, ପିତୃ ଆଜ୍ଞା ପାଳନ କରିବାଟା ସେମାନଙ୍କ ଜୀବନରେ ଥିଲା ଭୁଲ ନିଷ୍ପତି?

ନା, ସମାଜରେ ବଂଚିବା ପାଇଁ ନିଜର ଔରସରୁ ସନ୍ତାନ ସନ୍ତତି ଜନ୍ମନେବା ଜରୁରୀ?

ନା, ଗୋଟିଏ କୋମଳମାତୀ ଶିଶୁକୁ ରାସ୍ତା କଡ଼ରୁ କୋଳେଇ ନେଇ ତାକୁ ଦୁନିଆର ଆଲୋକ ଦେଖେଇବାର ପ୍ରଚେଷ୍ଟା ସେମାନଙ୍କ ଜୀବନରେ ମାହାଙ୍ଗା ପଡିଲା?

 ନା, ଆଉ କିଛି ....

 


Rate this content
Log in

Similar oriya story from Romance