STORYMIRROR

Dr Chandra Sekhar Bhol

Inspirational Others

3  

Dr Chandra Sekhar Bhol

Inspirational Others

ଅନ୍ତଃସତ୍ଵାର ବିବାହ

ଅନ୍ତଃସତ୍ଵାର ବିବାହ

4 mins
1.3K

ବିବାହର ଭୂମିକା ସମସ୍ତଙ୍କ ଜୀବନ ରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ପୁଅ ହେଉ ଅବା ଝିଅ ହେଉ ସମସ୍ତେ ଯୌବନରେ ବିବାହକୁ ନେଇ ବହୁତ କିଛି ସ୍ବପ୍ନ ଦେଖିଥାନ୍ତି ଆଉ ଏଇଟା ଅତ୍ୟନ୍ତ ସାଧାରଣ କଥା । ଆଉ ହଁ, ମୁଁ ବା ଏଇଥିରୁ ବାଦ୍ ଯାଇଥାନ୍ତି କିପରି? ମୁଁ ବି ମୋ ଜୀବନରେ ବିବାହକୁ ନେଇ ଅନେକ କିଛି ସ୍ବପ୍ନ ଦେଖିଥିଲି ଯାହା ଅନ୍ୟମାନଙ୍କ ସ୍ବପ୍ନ ଠାରୁ ଥିଲା ସମ୍ପୂର୍ଣ୍ଣ ଭିନ୍ନ । ନା ଏଇଥିରେ କେହି ସୁନ୍ଦର ଝିଅ ଥିଲା, ନା କିଛି ବଡ ହୋଟେଲ ଓ ଯାକଯମକର ପାଇଁ ଥିଲା ବନ୍ଦୋବସ୍ତ, ନା ଥିଲା ହନିମୁନକୁ ନେଇ କିଛି ଆଗ୍ରିମ ଯୋଜନା । ବାସ ମନରେ ଏତିକି ଥିଲା କି ମୋ ବିବାହ ମୋ ଜନ୍ମଦିନରେ ମାନେ ଏପ୍ରିଲ ୧୭ ରେ ହିଁ ହେଉ ।


ଛୋଟବେଳୁ ମୋ ଜନ୍ମ ଦିନକୁ ନେଇ ମନରେ ବହୁତ କୌତୁହଳ ଅଛି । ଘରେ ଯେବେ ନୂଆ ବର୍ଷରେ ନୂଆ କ୍ୟାଲେଣ୍ଡର ଟିଏ ଆସେ ମୋର ପ୍ରଥମ କାମ ହେଲା ଏପ୍ରିଲ ୧୭ କେଉଁଦିନ ପଡୁଛି ଦେଖିବା, କାର୍ଯ୍ୟ ଦିବସ କି ଛୁଟି ଦିବସରେ ଯାହା ଫଳରେ ମୁଁ ମୋ ଜନ୍ମଦିନକୁ ଅଧିକ ମୌଜ-ମଜଲିସରେ ପାଳନ କରି ପାରିବି । ଏହାର ଅନ୍ୟ ଏକ କାରଣ ମଧ୍ୟ ଅଛି, ଏଇ ଦିନ ମଧ୍ୟ ମୋର ପୂଜ୍ୟ ଗୁରୁଦେବଙ୍କର ଜନ୍ମ ହେଇଥିଲା । ସେ ଯାହା ବି ହେଉ ଛୋଟ ବେଳରେ ଯେମିତି ଇଛା ଥିଲା ଠିକ ସେମିତି ମୋ ଜନ୍ମଦିନରେ ମୋର ବିବାହ ପରିବାର, ବନ୍ଧୁ ଓ ସମ୍ପର୍କୀୟ ମାନଙ୍କ ଉପସ୍ଥିତରେ ବହୁତଆନନ୍ଦ ଉଲ୍ଲାସ ହିଁ ହେଇଥିଲା କିନ୍ତୁ ମୋର ଜଣେ ଶିକ୍ଷକ (ଯିଏ ବହୁତ ଅନ୍ତରଙ୍ଗ ଓ ମୋ ସହ ବହୁତ ଥଟା ତାମସା କରନ୍ତି) ଶରୀରର ଅସୁସ୍ଥତା କାରଣରୁ ମୋ ବିବାହରେ ଯୋଗ ଦେଇ ପରିନଥିଲେ । ମୋ ବିବାହରେ ସାରଙ୍କର ଅନୁପସ୍ଥିତି ମୋର ମନରେ ବହୁତ ଦୁଃଖ ଦେଇଥିଲା ଓ ଭାବିଥିଲି କି ଚାକିରୀ କି ଯିବା ଆଗରୁ ଧର୍ମପତ୍ନୀ ସହ ଯାଇ ସାରଙ୍କୁ ତାଙ୍କ ଘରେ ଟିକିଏ ଦେଖା କରି ଆସିବି କିନ୍ତୁ ପରେ ତାହାବି କାର୍ଯ୍ୟ ଵ୍ୟସ୍ତତା ଭିତରେ ସମ୍ଭବପର ହେଇ ପାରିନଥିଲା ।


ମୋ ଛୁଟି ସାରି ଆସିଥିଲା ଏବଂ ମୁଁ ଗାଁ ଛାଡି କର୍ମସ୍ଥଳ ଅଭିମୁଖେ (ଅନ୍ୟ ଏକ ସହର) ଚାଲି ଆସିଥିଲି । ସମୟ ବିତୀ ଚାଲିଲା ଓ ଗୁରୁକୃପାରୁ ଅକ୍ଟୋବର ୧୭ ରେ ମୋର ଗୋଟେ କନ୍ୟା ସନ୍ତାନ ଜନ୍ମ ନେଲା । ମୋର ଆନନ୍ଦ କହିଲେ ନସରେ କାରଣ ମୁଁ ସବୁବେଳେ ମୋର ସନ୍ତାନ ଝିଅ ହେଉ ବୋଲି ଆଶାବାନ୍ଧି ବସିଥିଲି । ସମୟ ବିଳମ୍ବ ନକରି, ଝିଅର ଜନ୍ମ ଉତ୍ସବ ପାଳନ ପାଇଁ ମୁଁ ଅଫିସରୁ ପୁରା ଗୋଟେ ମାସର ଛୁଟି ନେଇ ଗାଁ କୁ ଚାଲି ଆସିଥିଲି । ଗାଁ ରେ ଝିଅର ସତ୍ୟ ନାରାୟଣ ପୂଜା ବହୁତ ଯାକଯମକରେ ପାଳନ ହେଲା । ଧୀରେଧୀରେ ଛୁଟି ସରି ଆସୁଥିଲା ଏବଂ କର୍ମ କ୍ଷେତ୍ରକୁ ଯିବାର ଦିନ ପ୍ରାୟ ପାଖେଇ ଆସୁଥାଏ । ଦିନେ ସନ୍ଧ୍ୟାରେ ଏମିତି ବସିଥାଏ ହଠାତ ସାରଙ୍କର କଥା ମନକୁ ଆସିଲା । ମନରେ ସ୍ଥିର କଲି, କର୍ମ କ୍ଷେତ୍ରକୁ ଯିବା ପୂର୍ବରୁ କୁନି ଝିଅ ଓ ଧର୍ମପତ୍ନୀକୁ ଧରି ସାରଙ୍କୁ ଭେଟିବା ପାଇଁ ଯିବି। ସେଇଆ ହିଁ କଲି, ତା ପରଦିନ ସଖାଳୁ, ସପରିବାର ସହ ସାରଙ୍କ ଘର ଅଭିମୁଖେ ବାହାରି ପଡ଼ିଲି । ଆମ୍ଭମାନଙ୍କୁ ପାଖରେ ଦେଖି ସାର ବହୁତ ଖୁସି ହେଲେ ଓ ମୋ ଝିଅର ମୁଣ୍ଡରେ ହାତ ବୁଲେଇ ଆଶୀର୍ବାଦ ଦେଲେ ।


ସାରଙ୍କ ସହ ଏମିତି ଅନେକ କଥା ଚାଲୁଥିଲା, ତାରି ଭିତରେ ସାର ହସିକରି ହଠାତ ମତେ ଚାହିଁ ପ୍ରଶ୍ନ କଲେ କି ତୁ ପ୍ରେମ ବିବାହ କଲୁ ତାହାଲେ ? ମତେ ତ ଆଗରୁ କିଛି ଜଣେଇ ନଥିଲୁ ।


ଆପଣମାନଙ୍କୁ ଏଇ କଥା ଟା ଟିକେ ହଜମ ହେଉ ନଥିବ କିନ୍ତୁ ମୁଁ ଆଗରୁ କହି ରଖିଛି କି, ମୁଁ ଓ ସାର ବହୁତ ଅନ୍ତରଙ୍ଗ ଥିଲୁ ଗୋଟେ ଘନିଷ୍ଠ ବନ୍ଧୁ ପରି ଏବଂ ମୁଁ ମଧ୍ୟ ମୋର ସବୁ କଥା ସାରଙ୍କୁ ଜଣାଉଥିଲି । କିନ୍ତୁ ସାରଙ୍କର ଏପରି ପ୍ରଶ୍ନ ଏବେ କଣ ପାଇଁ? ମୁଁ ମଧ୍ୟ ପ୍ରଥମେ କିଛି ନବୁଝିପାରି ଚୁପ ହେଇ ଯାଇଥିଲି । ମୋର ସ୍ତ୍ରୀ ହେଇଯାଇଥିଲା ହତାବକ ଓ ଲାଜରେ ମଧ୍ୟ ମୁଣ୍ଡ ତଳକୁ କରି ପକେଇ ଥିଲା । କିଛି ସମୟ ପରେ ନୀରବତା ଭାଙ୍ଗି ମୁଁ ସାରଙ୍କୁ ଊତ୍ତର ଦେଇଥିଲି; ପ୍ରେମ ବିବାହ ପୁଣି ମୁଁ? 


ମୋ ଉତ୍ତର ଶୁଣି ସାର ମତେ ପ୍ରତିଉତ୍ତରରେ ଅନର୍ଗଳ କହି ଚାଲିଲେ, ତୁ କଣ ଭୁଲି ଯାଇଛୁ କି ମୁଁ ତୋର ଶିକ୍ଷକ ଆଉ ତୁ ମୋର ଛାତ୍ର ବୋଲି ? ମୁଁ କଣ କିଛି ଜାଣି ପରିବିନି? ମୁଁ ତୋର ସବୁ ଖବର ରଖିଛି । ତୋର ଏପ୍ରିଲରେ ବାହାଘର ହେଇ ଥିଲା ଆଉ ଅକ୍ଟୋବରରେ ଛୁଆ କିପରି ସମ୍ଭବ ହେଲା? ଆଉ ଏବେ ଲୁଚାନି ମତେ ଆରମ୍ଭରୁ କହି ଚାଲ କେମିତି ତୋ ପ୍ରେମ କୋଉଠୁ ଓ କେବେଠୁ ଆରମ୍ଭ ହେଇଥିଲା । 


ଏସବୁ କଥା ଶୁଣି ମୋତେ ଆଉ କିଛି ଅଭୁଝା ରହିଲାନି, ମୁଁ ବୁଝି ଯାଇଥିଲି ସାରଙ୍କର ପ୍ରଶ୍ନ ଥିଲା ଯୁକ୍ତିଯୁକ୍ତ । ଆପଣ ମାନଙ୍କୁ କଥାଟା ଟିକେ କେମିତି କେମିତି ଲାଗୁଥିବା ନା? ଏଇଆ ମନରେ ଆସୁଛିନା, କି ମୁଁ ପ୍ରେମ ବିବାହ କରିଛି ଓ ବିବାହ ଆଗରୁ ମୋ ସ୍ତ୍ରୀ କୁ ଅନ୍ତସ୍ଵତା କରିଥିଲି ? ନହେଲେ ମୋ ଛୁଆ ଅପରିପୂର୍ଣ୍ଣ ଅବସ୍ଥାରେ ସମୟ ପୂର୍ବରୁ ଜନ୍ମ ନେଇଛି କିମ୍ବା ମୋର ଯୋଉ ଝିଅ ସହ ବିବାହ ହେଇଛି ସେ ଆଉ କାହା ସହ ଅନ୍ତସ୍ଵତା ଥିଲା ଏବଂ ମତେ ବିବାହ କରିଛି? ହଁ, ଆପଣ ମାନଙ୍କର ମନରେ ଏସବୁ ଆସିବାଟା କିଛି ଭୁଲ ନୁହେଁ । ମୁଁ ମଧ୍ୟ ଆପଣ ମାନଙ୍କ ଜାଗାରେ ଥିଲେ ଠିକ ଏଇଆ ହିଁ ଭାବିଥାନ୍ତି। ମୋର ସ୍ତ୍ରୀ ବି ସାରଙ୍କର ସମ୍ପୂର୍ଣ୍ଣ କଥାକୁ ବୁଝି ନପାରି ହୋଇଯାଇଥିଲା ନିରବ ପ୍ରାୟ । ମୁଁ କିନ୍ତୁ ମନେ ମନେ ବହୁତ ଖୁସି ହେଉଥିଲି କି ଯାହା ହେଉ ଚିକିତ୍ସା କାରଣରୁ ମୋ ସାରଙ୍କର ସ୍ମୃତି ଶକ୍ତି କିଛି ଉନ୍ନତି କରିଛି, ଯେ କି ଜଣେ ଆଲ୍ଜ଼ହେଈମେର ରୋଗୀ ଥିଲେ ଓ କିଛିମାସ ଆଗରୁ ସବୁ ସ୍ମୃତି ଶକ୍ତି ହରେଇ ବସି ଥିଲେ । ଯଦିଓ ସାର ମନେ ପକେଇ ପାରିନଥିଲେ କି ମୋ ବିବାହ ଓ ଛୁଆ ଜନ୍ମର ବର୍ଷ ଯାହା ଅଲଗା ଅଲଗା ଥିଲା କିନ୍ତୁ ମାସ ସବୁ ସଠିକ କରି କହି ପାରିଥିଲେ । ମୋର ଏଇ ଛୋଟ ଲେଖାଟି ସମସ୍ତ ଗବେଷକ ମାନଙ୍କ ନିମତେ ଉତ୍ସଗିକୃତ, ଯେଉଁ ମାନେ ଦିନ ରାତି ଭୁଲି ସମାଜରେ ଏପରି ଦୁରାରୋଗ୍ୟକୁ ଦୂର କରିବା ପାଇଁ ଅନବରତ ପ୍ରଚେଷ୍ଟା ଚଳେଇଛନ୍ତି ।


Rate this content
Log in

Similar oriya story from Inspirational