STORYMIRROR

Sunanda Mohanty

Abstract Action Thriller

4  

Sunanda Mohanty

Abstract Action Thriller

ପିଲାଦିନ କଥା

ପିଲାଦିନ କଥା

2 mins
310

   ପିଲାଦିନେ ମାମୁଁ ଘରୁ ଫେରିବା ପରେ, ବୋଉର ନୂଆ ଶାଲଟିକୁ ମୂଷା କାଟିଦେଇଥିବାରୁ ସେ ବହୁତ ମନଦୁଃଖ କରିଥିଲା। ଠାକୁର ଘରୁ ବାହାରି ଆସି ବୋଉ ବଡ ପ୍ରସନ୍ନ ଚିତ୍ତ ରେ କହିଥିଲା, ଠାକୁର ସ୍ଵୟଂ ଆସି ତା ଭୋଗ ଥାଳିରୁ ଭୋଗ ଖାଉଛନ୍ତି। କଥାଟା କେମିତି କେମିତି ଲାଗିଲେ ମଧ୍ଯ ବୋଉ ତା ଶାଲଟିକୁ ମୂଷା କାଟିଦେଇଥିବା ଦୁଃଖ ରୁ ଠାକୁର ନିଜେ ଆସି ଭୋଗ ଖାଉଛନ୍ତି ବୋଲି ସତ ଭାବି ଖୁସି ହେଉଥିଲା ସିନା କଥାଟାକୁ କିନ୍ତୁ ମୁଁ ଜମା ହଜମ କରି ପାରିନଥିଲି ସେହି ପିଲାଦିନେ।

  ବୋଉ ସବୁଦିନ କାଜୁ ଓ ଖିସିମିସି ମିଶାଇ ରଖିଥିବା ଡବାରୁ କିଛି କିଛି ତିନିଗୋଟି ଛୋଟ ଛୋଟ ପିତ୍ତଳ ଥାଲିଆରେ ରଖି କୋଉ କୋଉ ଠାକୁରଙ୍କୁ ସବୁ ଭୋଗ କରେ। ଭୋଗ ହୋଇସାରିବା ପରେ ବି ଦିଏନାହିଁ ଖାଇବାକୁ ସେସବୁ, କହେ ରାତିରେ ଠାକୁର ଆସି ଖାଇସାରିବା ପରେ ସକାଳେ ତୁମେ ପ୍ରସାଦ ପାଇବ। ଠାକୁର ଖାଇବା ନାମରେ ଭୋଗ ସବୁ ରାତିସାରା ପଡ଼ିରହେ ଆଉ ସକାଳୁ ଦାନ୍ତ ଘଷି ଗାଧେଇ ପ୍ରସାଦ ଖାଏ ବେଶୀ ମୁଁ କାରଣ କାଜୁ କିସମିସ ମୋର ଭାରି ପସନ୍ଦ ଥିଲା।

   ଏବେ ମାମୁଁ ଘରୁ ଫେରିବା ପରେ ପରେ ରାତିସାରା ରହିଥିବା ଭୋଗ, ସକାଳକୁ ଥାଏ ସତ ହେଲେ ନଥାଏ କାଜୁ ଦାନା ଗୁଡ଼ିକ, ତ ବୋଉ କହୁଥିବା ଠାକୁର ଖାଉଛନ୍ତି କଥାଟା ମୋର ମୋଟେ ପରତେ ଯାଉନଥାଏ, କାରଣ କିସମିସ ଛାଡି ଠାକୁର କେବଳ କାଜୁ ଖାଇବାର ମାନେ କଣ, ଠାକୁରଙ୍କୁ କଣ କେବଳ କାଜୁ ପସନ୍ଦ?

   ବୋଉ କୁ ନଜଣାଇ ଗୋଟେ ଫାସ ବସେଇଲି କାନ୍ଥ ପାଖକୁ ଲାଗି ଥିବା ଠଣା ପାଖକୁ, ସକାଳେ ତା ଭିତରେ ମୂଷାଟିଏ କୁ ଦେଖି ଡାକ ପକେଇଥିଲି ବୋଉକୁ, ଦେଖ୍ ଦେଖ ତୋ କାଜୁ ଖିଆ ଓ ଶାଲ କାଟିଥିବା ଠାକୁରଙ୍କୁ। ଜିଭ କାମୁଡି ପକେଇଥିଲା ବୋଉ, ଗାଳି ଦେଇଥିଲେ ବାପା, ଆଜି ବାପା ବୋଉ ନାହାନ୍ତି, ସପରିବାର ଦିଲ୍ଲୀରୁ ଫେରି ପୁଅର ମୋଜା ମୂଷା କାଟୁଥିବା ଦେଖି ପିଲାଦିନ ମନେପକାଉଥିଲି। କେତେ ଶାଲ ଦିଲ୍ଲୀରୁ ଆଣିଥିଲେ ବି ବୋଉ ନଥିଲା। ମୂଷା ପାଇଁ ଯନ୍ତା ବା ଫାଶ ବସାଇବାକୁ ଭାବିଲା ବେଳେ ବାପାଙ୍କ ଆକଟ ବି ମନେ ପଡ଼ୁଥିଲା। ସବୁ ଶୁଣିଥିବା ମିତୁ, ମୋ ସ୍ତ୍ରୀ ସବୁଆଡ଼େ ଗନ୍ଧକର୍ପୁର ରଖିଦେଇ କହୁଥିଲେ ମୂଷା ଆଉ ଆସିବନି । ବାପା ସେଦିନ କାହିଁକି ଆକଟ କରିଥିଲେ ଆଜିଯାଏଁ ବୁଝିନଥିବା କଥାଟାକୁ ମୀତୁ ଏତେ ସହଜରେ ବୁଝିଯାଇ ମତେ ବୁଝାଇଦେଲେ, ସତରେ ସୃଷ୍ଟିର ସବୁ ସଜୀବ ପ୍ରାଣୀଙ୍କର ବଞ୍ଚିବାର ଅଧିକାର ଅଛି, ସ୍ବାର୍ଥ ପାଇଁ ସେମାନଙ୍କୁ ନମାରି ଦୂରେଇ ରହିବା ଉଚିତ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract