Sambit Srikumar

Drama Inspirational Children

4.7  

Sambit Srikumar

Drama Inspirational Children

ପିଲା ଚୋର

ପିଲା ଚୋର

5 mins
101


ଲୋକଟା କେବେ କେବେ ଆସେ ଆମ ଗାଁ ଆଡ଼େ ରସ ହାଣ୍ଡି କଡ଼େଇ ଷ୍ଟିଲ୍ ବାସନକୁସନ ସବୁ ବିକ୍ରି କରିବାକୁ। ପୁରୁଣା ଜିନିଷକୁ ବଦଳ ବି କରେ କିଛି ପଇସା ଅଲଗା ନିଏ ସେଥିପାଇଁ। ଠେଲା ଗାଡିରେ ପର୍ବତ ପ୍ରମାଣେ ଲଦା ହୋଇଥାଏ ମାଲ ସବୁ। ବଡ଼ ବଡ଼ ଅଖା କେତେଟା ଝୁଲୁଥାଏ ଗାଡ଼ି ପଛରେ। ସେ ଅଖା ସବୁର ମୁହଁ ସବୁବେଳେ ବନ୍ଦ ଥାଏ। କେହି କେବେ ବି ଦେଖିନି ଖୋଲା ଥିବାର। କାହାର ବି ଜାଣିବାକୁ ଇଛା ନଥାଏ ସେସବୁ ଭିତରେ କଣ ଅଛି ବୋଲି। ମାହାଳିଆ ସମୟ ବା କାହା ପାଖରେ ଅଛି ଏସବୁରେ ମୁଣ୍ଡ ପୁରେଇବା ପାଇଁ?

ଦେଖିବାକୁ ବଡ଼ ଭୟଙ୍କର ଲୋକଟେ! ଡେଙ୍ଗା ଶାବନା ହୃଷ୍ଟପୃଷ୍ଟ ବଳିଷ୍ଠ ଶରୀର। ମୁହଁରେ ଜଙ୍ଗଲୀ ଭାଲୁ ପରି ଦାଢ଼ି, କଟା ହୋଇନଥିବ ବର୍ଷ ବର୍ଷ ଧରି। ଢ଼େଗା ଢ଼େଗା ଆଖି ଅନ୍ୟକୁ ଡରାଇବାକୁ ଯଥେଷ୍ଟ। କିନ୍ତୁ କଥା ତାର ଭାରି କଅଁଳ ଚିକ୍କଣିଆ। ପାଣିରେ ସର ପକେଇ ଦେବ କଥା କହି। ଖଣ୍ଡ ମଣ୍ଡଳଟା ଯାକର ଗୃହିଣୀଙ୍କର ଭିଡ଼ ଜମେ ତାପାଖରେ ଖରଦି ଓ ବଦଳ ପାଇଁ। "ରସବାଲା" ନାଁରେ ଜାଣନ୍ତି ସଭିଏଁ ତାକୁ। ଦର ଦାମ୍ ମୂଲଚାଲରେ ଜିତି ପାରନ୍ତିନି ତା' ଠାରୁ କେହି। ଏକଚାଟିଆ କାରବାର ତାର। ଉଚିତ୍ ଦର ଦେଇ ନେଲେ ନିଅ ନହେଲେ ନାହିଁ। ଅନେଇ ରହିଥା ଆର ପାଳିକୁ ଆସିବାକୁ।

ତାର ଭୟଙ୍କର ଚେହେରା ଓ ଅସ୍ବାଭାବିକ ଆଖିକୁ ଦେଖି ଛୋଟ ଛୋଟ ପିଲାମାନେ ତା' ପାଖ ମାଡନ୍ତି ନାହିଁ। ଘରେ ପିଲା ଦୁଷ୍ଟ ହେଲେ ମାଆ କହେ, "ଚୁପ୍ ହୋଇଯା' ନହେଲେ ରସବାଲା ଧରି ନବ ତା' ଅଖାରେ ପୁରେଇ।" ଏମିତି ରସବାଲାର ଡର ଦେଖାଇ ମାଆମାନେ ପିଲାଙ୍କୁ ଶାସନ କରୁଥିଲେ। ଆଉ ରସବାଲାର ନାଁ ଶୁଣିବା ମାତ୍ରେ ପିଲାଙ୍କ ସବୁ ଦୁଷ୍ଟାମି ଆପଣା ଛାଏଁ ଦୁରେଇ ଯାଏ। ସମସ୍ତେ ଏକବାରକେ ସୁନା ପିଲା ପାଲୋଟି ଯାଆନ୍ତି।

ଏଇ ରସବାଲାକୁ ନେଇ ଆମ ପିଲାମାନଙ୍କ ଭିତରେ ରୀତିମତ ଚର୍ଚ୍ଚା ହୁଏ ସ୍କୁଲ ଗଲା ବେଳେ ନଈ ବାଲିରେ। ଆଣ୍ଠୁଏ ଲେଖାଏଁ ଗାତ ଖୋଳି ଗୋଡ଼ ଦୁଇଟିକୁ ପୋତି ଦେଇଥିବୁ ବାଲି ଭିତରେ। ଠିକ୍ ଏତିକି ବେଳୁ ଆମ ସାଙ୍ଗ ଅକ୍ଷୟ ଆରମ୍ଭ କରିଦିଏ ରକରକମର ମଜାଦାର କଥା। ବଡ଼ ବହକାଲିଆ ପିଲାଟାଏ ସେ। ବଡ଼ ଲୋକଙ୍କ ଠାରୁ କିଛି କିଛି କଥା ଶୁଣି ସେଥିରେ ଲୁଣ ଲଙ୍କା ଲେମ୍ବୁ ପିଆଜ ପକାଇ ଢେର୍ ମସଲା ଦେଇ ବାହାପିଆ ଗପ ସବୁ ଗପେ ସେ ଆମମାନଙ୍କ ଆଗରେ। ଆମକୁ ଲାଗେ ଏଗୁଡିକ ସବୁ ଡାହା ମିଛ କିନ୍ତୁ ତା କଥା କୁହା ଶୈଳୀରେ ଆମେ ଭୋଳ ହୋଇ ଶୁଣୁ। ନିହାତି ଅବିଶ୍ଵାସ ଯୋଗ୍ୟ କଥାକୁ ସେ ବଡ଼ ଲୋକଙ୍କ ନାଁ ଯୋଡି କହେ, ବେଳେ ବେଳେ ଠାକୁର ଠାକୁରାଣୀଙ୍କ ରାଣ ନିୟମ ପକାଇ ଶପଥ କରି କହେ। ଅନ୍ୟ ମାନେ ସବୁ ହଁ ହଁ କହି ବିଶ୍ବାସ କରନ୍ତି ହେଲେ ମୋ ମନରେ ସବୁବେଳେ ଗୋଟେ କେଁ ରହିଯାଏ।

ଦିନେ ଏମିତି ଗପୁଥିଲା ଅକ୍ଷୟ, ହଠାତ୍ ତାର କଣ ହେଲା କେଜାଣି, ସେ ରସବାଲା କଥା ଗପିବାକୁ ଆରମ୍ଭ କଲା। ତା ମାମୁଁଘର ଗାଁରେ କୁଆଡେ ଗୋଟେ ପୁଅକୁ ଚୋରେଇ ନେଇ ଯାଇଛି ସେ ପିଲା ଚୋରଟା। ପିଲାଟି ଖରା ବେଳେ ଦାଣ୍ଡରେ ଏକା ଏକା ଖେଳୁଥିବା ସମୟରେ ଓର ଉଣ୍ଡି ପାଟିରେ କନା ବିଣ୍ଡା ଦେଇ ଅଖାରେ ପୁରେଇ ହରଣଚାଲ କରିଛି।

ଅକ୍ଷୟ କଥାକୁ ବଳ ଦେଇ ଫକୀରା ବି ସେଇ କଥା କହିଲା। ସେ ଆଉ ପାଦେ ଆଗକୁ ଯାଇ କହିଲା ପିଲାଟାକୁ କୁଆଡ଼େ ବଳି ଚଢେଇ ଦିଆଯାଇଛି। ରସବାଲା ତନ୍ତ୍ର ସାଧନା କରେ, ଅମାବାସ୍ୟାର ରାତିରେ ସିଦ୍ଧି ପାଇଁ ଯଜ୍ଞ କରେ। ଛୋଟ ଛୋଟ ପିଲାଙ୍କୁ ଚୋରେଇ ନେଇ ବଳି ଦେଇଦିଏ ମଶାଣିରେ। ଏକଥା ଶୁଣିବା ପରେ ମୋର ହୋଶ ଉଡିଗଲା। ସତ ମିଛ ବିଚାର କରିବା ପାଇଁ ଶକ୍ତି ନଥାଏ ମୋର ଆଉ। ଅହେତୁକ ଭୟରେ ମୋର ଅଷ୍ଟାଙ୍ଗ ଶରୀର ଥରୁଥାଏ। ସେଦିନ ସ୍କୁଲ ଗଲିନି ମୁଁ। ଅଧା ବାଟରୁ ଘରକୁ ଫେରି ଆସିଲି ଦେହ ଭଲ ଲାଗୁ ନାହିଁ କହି।

ମୁଁ ବଡ଼ ଦୁଷ୍ଟ ଥିଲି। କାହାର କଥା ଶୁଣେନି। ଚାଲିଗଲା ଶଗଡ଼ରେ ହାତ ମାରି ଦେଉଥିଲି। ଯେତେ ମାଡ ଗାଳି ଖାଇଲେ ବି କିଛି ପରିବର୍ତ୍ତନ ହୁଏ ନାହିଁ। ସ୍କୁଲ ଛୁଟି ହେଲା ପରେ ସମସ୍ତ ବାରଣ ସତ୍ତ୍ୱେ ମୁଁ ତୋଟାକୁ ଯାଇ ଆମ୍ବ ପଣସ କଇଁଆ କେନ୍ଦୁ ଖଜୁରୀ ତୋଳେ। ଘର ଲୋକେ ତୋଟାରେ ଡାହାଣୀ ଅଛି କହି ଡରାନ୍ତି ମୋତେ, ହେଲେ ସେମାନଙ୍କ କଥା ଶୁଣିଲେ ସିନା ଡରନ୍ତି। ଦିନେ ମୁଁ ତୋଟାରେ ଗଛରେ ଚଢି ଆମ୍ବ ତୋଳିବା ବେଳେ ସେଇ ପଟ ରାସ୍ତାରେ ରସବାଲା ଯାଉଥିବାର ଦେଖିଲି। ଅକ୍ଷୟ ଓ ଫକୀରା କଥା ମନେପଡ଼ିଗଲା। ଆଉ କି ସେଠି ରହେ, ଏକା ନିଶ୍ବାସକେ ଦୌଡ଼ି ଆସି ଘରେ ହାଜିର।

ସେତେବେଳେ ରସବାଲା ପ୍ରତି ଥିବା ଡର ଆହୁରି ଆହୁରି ବଢିବା ପାଇଁ ଲାଗିଲା, ଯେବେ ଆମ ଘର ଲୋକେ ତା' ନାଁରେ ମୋତେ ଧମକାଇବା ଆରମ୍ଭ କଲେ। ହୁଏତଃ ସେମାନଙ୍କୁ ଜଣା ପଡି ସାରିଥିଲା ଯେ ମୁଁ କେବଳ ରସବାଲାକୁ ହିଁ ଡରୁଛି ଏ ଦୁନିଆଁରେ। କଥା କଥାକେ ମୋତେ ରସବାଲାର ହାତରେ ଦେଇ ଦେବାର ଧମକ ! ମୁଁ ଧିରେ ଧିରେ ସୁନା ପିଲା ହେବାକୁ ଚେଷ୍ଟା କରୁଥିଲି। ସମସ୍ତଙ୍କର କଥା ଶୁଣିବାକୁ ଲାଗିଲି ଆସ୍ତେ ଆସ୍ତେ।

              

ଆମ ଗାଁର ମହାଜନ ସୁବଳ ମଲ୍ଲ! ମହାଜନୀ କାରବାର ତାର। ସାଦା କାଗଜରେ ଟିପ ଚିହ୍ନ ନେଇ ଲୋକଙ୍କ ସୁବିଧା ଅସୁବିଧାରେ ଋଣ ଦିଏ। କଳନ୍ତର ମୂଳକୁ ଅତିକ୍ରମ କରିଯାଏ ତା' ଗୁମାସ୍ତା ହିସାବରେ ସବୁବେଳେ। ସୁଧ ମୂଳ ଶୁଝିବାକୁ କିଛି ଦିନର ମହଲତ ଦିଏ। ଗରିବଗୁରୁବାଙ୍କ ଜମି ନିଜ ନାମରେ ଦଲିଲ କରିନିଏ ଋଣ ପରିଶୋଧ ନହେଲେ କଣ୍ଟ ସମୟ ସରିବା ପରେ। କାହାରି ଗୁହାରି ଶୁଣେନି ସେତେବେଳେ। ଏମିତି ବଢେଇ ଚାଲିଥାଏ ନିଜର ସମ୍ପତ୍ତି।

ସୁବଳର ଖଞ୍ଜା ଘର, ଘର ଭିତରେ ଆଟୁ। ଉଚ୍ଚ ପିଣ୍ଢା, କାହାର ସାହାସ ନାହିଁ ତା' ପିଣ୍ଢାକୁ ଉଠିବାକୁ। ସମସ୍ତେ ତା ଓଳି ତଳେ ଯାଇ ଠିଆ ହୁଅନ୍ତି। କେବେ କାହାକୁ ବସିବାକୁ କହେନି ସେ। ଏଇଟା ତାର ପତିଆରା। ତା' ଆଗରେ କେହି ବସିଥିବାର ସହି ପାରେନି ସେ। ଖଞ୍ଜା ଘର ଭିତରକୁ ସୂର୍ଯ୍ୟ କିରଣ ପଡେନି କି ବର୍ଷା ପାଣି ବି। ଘର ଚାରିପାଖକୁ ଲାଗି ସୁଉଚ୍ଚ ପାଚେରୀ। ସତେ ଯେମିତି ଗଡ଼ ଗୋଟେ! ତା ଘର ଭିତରେ ଯାହା କିଛି ଘଟିଲେ ବି କେବେ ବାହାରକୁ ରାଷ୍ଟ୍ର ହୁଏନାହିଁ। ବଡ଼ ଘର ବଡ଼ ଗୁମର କଥା!

ସୁବଳ ମଲ୍ଲର ପାଞ୍ଚୋଟି ଝିଅ ଗୋଟିଏ ପୁଅ। ସବା ବଡ଼ ଝିଅ ନାଁ ଶ୍ରାବଣୀ! ସୁନ୍ଦରୀ ହୋଇଥିବାରୁ ତାର ଫୁଟାଣି କାହିଁରେ କଣ! ଗାଁଠାରୁ କିଛି ଦୂର କଲେଜରେ ପାଠ ପଢ଼ୁଛି ସେ। ନିତି ସ୍କୁଟିରେ କଲେଜ ଯାଏ ଧୂଳି ଉଡେଇ। ରାସ୍ତା ସାରା ସଭିଏଁ ତାକୁ ଚାହାଁନ୍ତି କଣେଇ କଣେଇ ଯେହେତୁ ସିଧାସଳଖ ଚାହିଁଲେ ଦଣ୍ଡ ମିଳିବାର ଡର ଥାଏ। ପ୍ରାୟ ଚାରି ପାଞ୍ଚ ମାସ ହେବ ଦେଖା ମିଳୁନି ଶ୍ରାବଣୀର। ହଠାତ୍ କୁଆଡ଼େ ଗାଏବ ହୋଇ ଗଲାନା କଣ? ସଭିଙ୍କର ସେଇ ଗୋଟିଏ ପ୍ରଶ୍ନ ମନରେ। ଶ୍ରାବଣୀ ଗଲା କୁଆଡ଼େ? ହେଲେ କିଏ ଏ ବିଷୟରେ କାହାକୁ ବା ପଚାରିବ? ମହାଜନ କାନରେ କଥା ବାଜିଲେ କାହାଣୀ ଶେଷ! ସେଥିପାଇଁ ସମସ୍ତେ ନିଶ୍ଚୁପ!

             

ଦିନେ ସକାଳୁ ସକାଳୁ ମଶାଣି ପାଖ କିଆବୁଦା ମୂଳରୁ ନବ ଜାତ ଶିଶୁର କୁଆଁ କୁଆଁ ରାବ ଶୁଣି ଆଖ ପାଖ ଲୋକଙ୍କ ମେଳା ଲାଗିଲା। ସଭିଏଁ ଆଶ୍ଚର୍ଯ୍ୟ! ଆହାଃ କେଡ଼େ ସୁନ୍ଦର ପିଲାଟି! ଦୈବୀ ଯୋଗରୁ ଶିଶୁଟି ବଞ୍ଚି ରହିଛି ଏବେ ଯାଏଁ। କୁକୁର କି ବିଲୁଆଙ୍କ ହାବୁଡରେ ପଡି ନାହିଁ ସେ, ନୋହିଲେ କଅଁଳ ଶିଶୁଟିର ଯେ କଣ ହୋଇଥାନ୍ତା! ବେଳକୁ ବେଳ ବଢୁଥିଲା ଜନସମାଗମ ଓ ସଭିଙ୍କର ଉତ୍କଣ୍ଠା। କିଏ ଆଉ କାହିଁକି ଏମିତି ଏଇ ନିଷ୍ପାପ ଶିଶୁଟିକୁ ଏପରି ଅପନ୍ତରାରେ ଛାଡି ଚାଲିଯାଇଛି? କେଡ଼େ ନିଷ୍ଠୁର ହୋଇନଥିବ ସେ ମାଆଟି ସତେ? କଣ ତାର ଥିବ ବିବଶତା ଯେ ଶିଶୁଟିକୁ ପର କରି ଦେଇ ପାରିଲା?

ଗାଁ ତ ଗାଁ ଅନ୍ୟ ଗାଁ ଲୋକ ବି ହାଜର ସେଠି। ମହାଜନ ବି ହାଜର, ହେଲେ ତାର ଚହଟ ଚିକ୍କଣିଆ ମୁହଁଟା ଶୁଖିଲା ଦିଶୁଥାଏ ଶିଶୁଟି ବଞ୍ଚିଥିବା ଦେଖି। ସଭିଏଁ ଟୁପୁରୁଟାପର ହେଉଥାନ୍ତି ନିଜ ନିଜ ଭିତରେ। କେତେ କେତେ ପ୍ରକାରର କଥା ଆଲୋଚନା କରୁଥାନ୍ତି। କେହି କେହି ଦେଖଣାହାରୀ କୁନ୍ତୀ ଉପାଖ୍ୟାନ ଅବତାରଣା କରୁଥାନ୍ତି। ଶିଶୁଟି ସେହିପରି କୁଆଁ କୁଆଁ କାନ୍ଦୁ ଥାଏ। ହେଲେ ତାର କାନ୍ଦ ଜନରବରେ ମିଳେଇ ଯାଉଥାଏ। ଏତେ ଲୋକ ଥିଲେ ମଧ୍ୟ କେହି ବି ଜଣେ ତା ପାଖକୁ ଯାଇ କୋଳେଇ କାଖେଇ ନେଉ ନଥାନ୍ତି ଶିଶୁଟିକୁ।

ସେତିକିବେଳେ ସେଇ ବାଟ ଦେଇ ରସବାଲା ଯାଉଥିବା ବେଳେ ଜନ ଗହଳି ଦେଖି ଅଟକିଗଲା। ସବୁ ଜାଣିବା ପରେ ଗହଳି ଭିତରେ ପଶି ଶିଶୁଟିକୁ କିଆ ବୁଦା ମୂଳରୁ ଟେକିଆଣି ନିଜ ଛାତିରେ ଲଗାଇ କହିଲା, "ଭଗବାନ ବଡ଼ କୃପା କରିଛନ୍ତି ସତେ! ଚାରି ଚାରିଟା ପୁଅର ବାପ ମୁଁ, କିନ୍ତୁ ଝିଅଟେ ନଥିବାରୁ ଘରଟା ମୋର ଶ୍ମଶାନ ପରି ଲାଗେ। ଏତେ ଦିନ ପରେ ମୋ ଦୁଃଖ ଶୁଣିକି ଆଜି ଝିଅଟେ ଦେଇଛନ୍ତି ମୋତେ। କାହାର କିଛି ଆପତ୍ତି ନଥିଲେ, ଘରକୁ ନିଅନ୍ତି ଲଷ୍ମୀମାଆଙ୍କୁ..."

ଉପସ୍ଥିତ ସଭିଏଁ ଆବାକ୍ ହୋଇ ଚାହିଁ ରହିଥିଲେ। ସମସ୍ତେ ମୌନ ରହି ସମ୍ମତି ପ୍ରଦାନ କରୁଥିଲେ ଯେମିତି! ରସବାଲା ସଦ୍ୟଜାତ ଶିଶୁଟିକୁ ଧରି ଚାଲି ଚାଲି ଯାଉଥାଏ ତାର ଘର ଅଭିମୁଖେ। ଆମେ ସବୁ ଯେତକ ତାକୁ ପିଲା ଚୋର ବୋଲି ଭାବୁଥିଲୁ କେଜାଣି କାହିଁକି ନିଜକୁ ଧିକ୍କାର କରୁଥିଲୁ...



Rate this content
Log in

Similar oriya story from Drama