Subhalaxmi Nayak

Drama

3  

Subhalaxmi Nayak

Drama

ପଦୋନ୍ନତି

ପଦୋନ୍ନତି

3 mins
871


ବୋଉ କୁହେ, "ଦୁହିତା ଦୁଇ କୁଳକୁ ହିତା"।

ଏଇଟା ତ ବୁଝି ହୋଇଯାଏ। କିନ୍ତୁ ଏ ଯେଉଁ ଆଉ ଗୋଟିଏ କ'ଣ କୁହେ ତ.... ହଁ,"ଝିଅ ଜନମ ପର ଘରକୁ" ଶୁଣିଲା ମାନେ ପୂଜା ଚାରି କିଆରି ଡିଏଁ। କ'ଣ ନା ନିଜ ଜନ୍ମ କଲା ବାପା ବୋଉଙ୍କୁ ଛାଡ଼ି ବାପଘର ଏନ୍ତୁଡ଼ିଶାଳର ଏରୁଣ୍ଡି ଡେଇଁ ଆଉ ଜଣଙ୍କ ଘରକୁ ଯିବ। ସେ ବି ଯିବା ପରେ କୁଆଡ଼େ ନିଜ ଜନ୍ମଘରେ ଦି ଦିନର କୁଣିଆ! ପୂଜା ଯୁକ୍ତି କରେ, ଯିଏ ତାକୁ ଏମିତି କୁହନ୍ତି, "ବୋଉ କ'ଣ ଖାଲି କହିଦେଲେ ହେଇଗଲା ନା! ହେଃ, ଏଗୁଡ଼ା ସବୁ ମିଛ। ଭାରି ସାହସ ନା, ଦେଖିବା ମୋତେ କେମିତି କୁଣିଆ କହିବ। ମୁଁ ଏବେ ଯେମିତି ଅଛି ହାତକୁ ଦୁଇ ହାତ ହେଲା ପରେ ବି ସେମିତି ଅଧିକାର ନେଇ ରହିବି। କିଛି କୁଣିଆ ମାଣିଆ ନାହିଁ। ଆରେ, ଗୋଟେ ପାଲା ଚାଲି ଆସିଛି, ନାଇଁ...." ପୂଜାର ଏ କଥା ଶୁଣି ସମସ୍ତେ ହସନ୍ତି ଆଉ କୁହନ୍ତି, ହଁ ଲୋ ମା! ଅନେଶତ ଜଣ ଏମିତି ହେଲେଣି, ତୁ ମିଶି ଶହେ ହେବୁ ଆଉ।" ପୂଜା ମୁହଁ ମୋଡ଼ି ଦେଇ ଖତେଇ ହୋଇ ଦୌଡ଼ି ପଳାଏ। 


କିନ୍ତୁ ମନରେ ଦକା ଥାଏ, ଆରେ ସତରେ କ'ଣ ମୁଁ ଏଠିକୁ ଆସିଲେ, କୁଣିଆ କହିବେ ଲୋକ। ହେଃ, ସେତେବେଳ କଥା ଦେଖିବା। ଏଗୁଡ଼ା ସବୁ ମୁଣ୍ଡ ଖରାପ କରିବା ପାଇଁ କୁପ୍ରଥା।"

ସମୟ ଗଡ଼ି ଚାଲି ଯାଇଛି। ଆଉ ପୂଜାର ବାହାଘର ମଧ୍ୟ ସରି ଯାଇଛି। ନୂଆ ଘର, ନୂଆ ଲୋକଙ୍କ ମେଳି, ନୂଆ ଦାମ୍ପତ୍ୟ। ପୂଜାର ପାଦ ତଳେ ଲାଗୁ ନ ଥିଲା। ମନେମନେ ଭାବୁଥିଲା, " ହଁ ମ! କାଇଁ ତ କିଛି ବଦଳିଲାନି। ଖାଲି ଘର ଯାହା ବଦଳିଛି। ବୋଉ ବଦଳରେ ମାଆ (ଶାଶୁ) ଙ୍କୁ ପାଇଛି, ବାପାଙ୍କ ଜାଗାରେ ଶ୍ୱଶୁର, ଭାଇ ଭଉଣୀ ବୋଲି ନଣନ୍ଦ, ଦିଅର ଖାଲି ସମ୍ବୋଧନ ଯାହା ବଦଳିଲା ନା...."

ତାର ଏ ଭ୍ରାନ୍ତଧାରଣା ବହୁତ ଶୀଘ୍ର ଉଭେଇଗଲା। ଯେତେବେଳେ ଶାଶୁମା ପ୍ରତି କଥାରେ ତାନା ଦେଲେ, ଶ୍ୱଶୁର ତାଙ୍କର ସମର୍ଥନ କରୁଥିଲେ ନୀରବଦ୍ରଷ୍ଟା ସାଜି। ଆଉ ନଣନ୍ଦ-ଦିଅର ଟିକିଏ କୋଉଠି ଭୁଲ୍ ଦେଖିଲେ ଫେରାଦି ତ ନୁହେଁ କାନ ଭରୁଥିଲେ ଯାଇ ଶାଶୁମାଙ୍କର। ରୁନ୍ଧି ହୋଇଯାଉଥିଲା ବେଳେବେଳେ ପୂଜା। ବୋଉ କଥା ମନେ ପକେଇ ଲୁଚେଇ ଲୁଚେଇ କାନ୍ଦୁ ଥିଲା। "କୁଣିଆ" ଶବ୍ଦର ଓଜନ କେତେ, ଆଜି ସିଏ ବୁଝି ପାରୁଥିଲା। ଇଚ୍ଛା ହେଲେ ବି ତା ନିଜ ଜନ୍ମଘରକୁ ଯିବାକୁ ବାରଣ କରୁଥିଲେ ଶାଶୁ ଯେତେବେଳେ। ବୋଉ ଆଗରେ ଯେମିତି ମନ ଖୋଲି କଥା କହିଦେଉଥିଲା, ଆଉ ବୋଉ "ପାଗେଳିଟା" ବୋଲି କହି ହସି ଦେଉଥିଲା, ଏଠି କିନ୍ତୁ ମନ ଖୋଲି କଥା ତ ଦୂରର କଥା, କିଛି ନ ଜାଣିବା କଥା ପଚାରି ଦେଲେ, ଶୁଣିବାକୁ ମିଳୁଥିଲା ଉଲୁଗୁଣା, "ତୋ ମା ତୋତେ କ'ଣ କିଛି ଶିଖେଇନି କିଲୋ?" 

ସତରେ ଝିଅରୁ ବୋହୂ ହେବା କି କଷ୍ଟ। ଝିଅ ଥିଲା ବେଳେ ଯେତେ ଭୁଲ୍ କଲେ ବି ବୋଉ ଶିଖେଇ ଦିଏ, ଠିକ୍ ଭୁଲ୍ କ'ଣ ବୁଝେଇ କୁହେ। କିନ୍ତୁ ଶାଶୁ ବି ତ ମା ସିଏ ଏମିତି କାହିଁକି ବୁଝେଇ ପାରନ୍ତି ନାହିଁ। ପ୍ରତି କଥାରେ ବାପଘରକୁ ଆକ୍ଷେପ କରନ୍ତି। ଝିଅ ଥିଲା ବେଳେ ରୋଷେଇ ଘରେ ପଶି ବୋଉ ରାନ୍ଧୁଥିଲା ବେଳେ ଖାଲି ଚଟୁ ଧରି ତରକାରୀ ଗୋଳେଇ ଦେଲେ ବି କେତେ ପ୍ରଶଂସା କରୁଥିଲେ ବାପା। ଏଠି କିନ୍ତୁ ଦିନ ସାରା ରୋଷେଇ ଘରେ ରୋଷେଇ କରି କରି ପଦୁଟିଏ ପ୍ରଶଂସାର କଥା କେବେ ଶୁଣି ପାରିଲାନି ପୂଜା ଆଜି ଯାଏ। ଏତେ ଫରକ କାହିଁକି ଯେ? ସତରେ ଝିଅ ହେବା ବହୁତ ସହଜ। ବୋହୂ ପାହ୍ୟାକୁ ପଦୋନ୍ନତି ହେଲା ପରେ ଜୀବନରେ ଖାଲି ଅଦିନିଆ ଲଘୁଚାପ ଝଡ଼। ବିନା କାରଣରେ ବୋହୂଟିଏ ଉପରେ ବଜ୍ରପାତ। ଆଉ ଆଉ.... ଓଃ! ମୁଣ୍ଡଟା ଘୁରେଇ ଦେଉଛି। 

ଏତିକି ବେଳେ ବାହାରୁ ପାଟି ଶୁଭିଲା, "ପୂଜା! ପୂଜା!".... ପ୍ରକୃତିସ୍ଥ ହୋଇ ମୁଣ୍ଡ ନୁଆଁଇ ହାତେ ଓଢ଼ଣା ଟାଣି ଛିଡ଼ା ହୋଇ ଗଲା ଅନିଚ୍ଛା ସତ୍ତ୍ବେ। କାଇଁ ନା, ଆଗ ଥରକ ଏଇମିତି କରି ନ ଥିଲା ବୋଲି ଶାଶୁ ମା ତାର ବାପ-ଅଜା ଚଉଦ ପୁରୁଷ ଉଦ୍ଧାରି ଦେଇଥିଲେ। 

ଶାଶୁ ତାକୁ ଡାକ ଦେଇ ଦେଇ ଆସି ତା ପାଖରେ ପହଞ୍ଚି ଦେଖିଲେ, ସିଏ ଯେମିତି ବତେଇଥିଲେ, ସେମିତି କରିଛି ପୂଜା। କିନ୍ତୁ ହାୟ! ପୁଣି ଉଲୁଗୁଣା, "ଆଜିକାଲି ଝୁଅଗୁଡ଼ା ଦି'ଅକ୍ଷର ପାଠ କ'ଣ ପଢ଼ିଦେଲେ ଯେ, ସଂସ୍କାର ସବୁ ପୋଡ଼ି ଖାଇ ଯାଉଛନ୍ତି। କେତେବେଳୁ ଡାକୁଛି, ମହାରାଣୀ ଏଠି ଖୁଣ୍ଟ ଭଳିଆ ଛିଡ଼ା ହୋଇଛନ୍ତି। କ'ଣ ବନ୍ଦାପନା କରିବି ନା ପାଛୋଟି ନେବାକୁ ତୋ ବୋଉକୁ ଡାକିବି।" "ଯା ଯା ତୋ ବାପା ଆସିଛନ୍ତି, ଜ୍ୱାଇଁ ଡାକରା କରି।" ଏତିକି କଥା ଶୁଣିବା ମାତ୍ରେ ପୂଜା ଏକା ନିଃଶ୍ୱାସକେ ଯିବାକୁ ଆଗଭର ହେଉ ହେଉ ଶାଶୁ ପଛ ଆଡ଼ୁ ଭିଡ଼ି ଧରିଲେ। "ଆଲୋ! ନୂଆବୋହୂଟା, ଏ ଏମିତି ଦୌଡ଼ୁଛୁ କିଆଁ?"

ଆସ୍ତେ ଆସ୍ତେ ଯାଇ ବାପାଙ୍କୁ ମୁଣ୍ଡିଆ ମାରି, ଯିବାକୁ ବାହାର ହେଉ ହେଉ, ଶୁଣିଲା ସିଏ.... ତାର ବାପାଙ୍କୁ ଶାଶୁଙ୍କ ତାଗିଦ୍ ଭରା ଆଦେଶ, "ବୁଝିଲ ସମୁଦୀ! ତମର ଗୋଟାଏ ବୋଲି ଝିଅ ଭାବି ଛ'ମାସ ରଖି ଦେବନି ଘରେ ଆଉ। ପୂଜା ଏ ଘରର ବଡ଼ ବୋହୂ। ଅନେକ ଦାୟିତ୍ଵ। କୁଣିଆ ଚର୍ଚ୍ଚା କରି ଦୁଇ ଚାରି ଦିନରେ ଘରେ ଛାଡ଼ିଦେଇ ଯିବ।" 

ଗାଡ଼ିରେ ବସି ଭାବୁଥିଲା ପୂଜା, "ସତରେ ଝିଅରୁ ବୋହୂ ହେବାର, ପଦୋନ୍ନତି ପାଇବାକୁ ଯେତିକି ମଜା ଲାଗେ, ଦାୟିତ୍ଵ ବହନ କରି ସେ ପାହ୍ୟାର ମାନ୍ୟତା ବଜାୟ ରଖିବା ସେତିକି କଷ୍ଟ। ବୋଉ ଠିକ୍ କଥା କହୁଥିଲା, "ବାହାଘର ପରେ ବାପଘରେ ଝିଅ ଦୁଇଦିନିଆ କୁଣିଆ!"....



Rate this content
Log in

Similar oriya story from Drama