ପବିତ୍ର ବନ୍ଧୁତା
ପବିତ୍ର ବନ୍ଧୁତା
ରୁଚି ଜୀବନ ସଂଘର୍ଷରେ ବହୁତ ଉପର ତର ପରିସ୍ଥିତିର ସମ୍ମୁଖୀନ କରିଛନ୍ତି। ଭଗବାନଙ୍କ ଦୟାରୁ ଭଲ ପାଠ ପଢି ଗୋଟିଏ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଚାକିରୀ କରିଛନ୍ତି। ଚାକରୀ କିନ୍ତୁ ସରକାରୀ ନୁହେଁ । ବିବାହ ବୟସ ହେବାରୁ ବିବାହ ଠିକ ସମୟରେ ହେଲା। ଅନ୍ୟ ଝିଅଙ୍କ ପରି ରୁଚିର ବି ବହୁତ ସପନ ଥିଲା ବିବାହକୁ ନେଇ। ହେଲେ ସେ ଜାଣି ନ ଥିଲେ ଯେ ଯାହାକୁ ସେ ଘର ସଂସାର ଭାବୁଛନ୍ତି ତାହା ଥିଲା ଗୋଟିଏ ବାଲିଘର।
ବୈବାହିକ ଜୀବନରେ ଆସିଲା ଏମିତି ଝଡ ରୁଚିଙ୍କ ସପନ ସବୁ ଭାଙ୍ଗି ଗଲା। ରୁଚିଙ୍କ ସ୍ୱାମୀ ତରୁଣ ରୁଚିଙ୍କ ବାପାଙ୍କ ପଇସା ଲୋଭରେ ରୁଚିଙ୍କୁ ବିବାହ କରିଥିଲେ ।ବିବାହ ପରେ ରୁଚି ତରୁଣ ଓ ତାଙ୍କ ପରିବାର ଉଦ୍ଦେଶ୍ୟ ବିଷୟରେ ଅବଗତ ହେଲେ। ଆହୁରି ଜାଣିବା ପାଇଁ ପାଇଲେ ଯେ ତାଙ୍କ ସ୍ୱାମୀ ତରୁଣଙ୍କର ଅନ୍ୟ ବହୁତ ଝିଅଙ୍କ ସହ ସମ୍ପର୍କ ଅଛି। ରୁଚି ଏ ସବୁରେ ପ୍ରତିବାଦ କଲାରୁ ତରୁଣ ଶେଷରେ ରୁଚିଙ୍କୁ ମାରିବା ପାଇଁ ବାହାରିଲେ। ହେଲେ ଭାଗ୍ୟ ଭଲ ଥିଲା ଯେ ରୁଚି ନିଜ ଉପଯୁକ୍ତ ବୁଦ୍ଧି ଲଗାଇ ସେଠାରୁ ବଞ୍ଚି ଫେରି ଆସିଲେ।
ରୁଚିଙ୍କ ଗୋଟିଏ ହସ ଖୁସିରେ ଘର କରିବାର ସପନ ସପନରେ ରହିଗଲା। ମାଆ ହେବା ସୌଭାଗ୍ୟରୁ ବି ବଞ୍ଚିତ ହେଲେ। ରୁଚି ସିନା ଫେରି ଆସିଥିଲେ ହେଲେ ଜୀବନର ସବୁ ସପନ ଆଉ ପୁରଣ ହେବ ବୋଲି ଭୁଲି ଯାଇଥିଲେ। କେବଳ ବାପା ମାଆଙ୍କୁ ନେଇ ବଞ୍ଚି ଥିଲେ। ଦୁନିଆର ସବୁ ପୁଅମାନଙ୍କୁ ରୁଚି ଧକ୍କାବାଜ ବୋଲି ଭାବୁ ଥିଲେ।
ଇତି ମଧ୍ୟରେ ରୁଚିଙ୍କ ଜୀବନକୁ ଆସି ଥିଲେ ଶୁଭମ। ଶୁଭମଙ୍କ ସହ ତାଙ୍କର ଫେସବୁକରେ ସାଙ୍ଗ ହେଲେ। କେମିତି କେ ଜାଣି ଶୁଭମଙ୍କ ପାଇଁ ରୁଚିଙ୍କ ମନରେ ଭଲ ଭାବନା ଆସିଲା। ରୁଚି ଜୀବନ ଯୁଦ୍ଧରେ ହାର ମାନି ସାରି ଥିଲେ। ହେଲେ ସେଇ ସମୟରେ ହାତ ବଢାଇ ଶୁଭମ ତାଙ୍କୁ ଆଗକୁ ବଢିବାରେ ସାହାଯ୍ୟ କଲେ। ଆଉ ଥରେ ଲୋକମାନଙ୍କୁ ବିଶ୍ୱାସ କରିବା ପାଇଁ ଆଉ ଦ୍ୱିତୀୟ ବିବାହ ପାଇଁ ଶୁଭମ ରୁଚିଙ୍କ ମନରେ ନୂତନ ଉତ୍ସାହ ସୃଷ୍ଟି କଲେ।
ଶୁଭମ ରୁଚିଙ୍କୁ ନୂଆ ସପନ ଦେଖେଇଲେ କେମିତି ଏ ଦୁନିଆର ସମ୍ମୁଖୀନ କରି ହେବ। ରୁଚି ଉଦାସ ହେଲେ ଶୁଭମ ଯେମିତି ବି ହେଉ ତାଙ୍କୁ ହସାଇ ଦେଉଥିଲେ। ଶୁଭମ ବି ରୁଚିଙ୍କ ବାପାଙ୍କ ଛୋଟ ବେଳ ସାଙ୍ଗର ପୁଅ। ସେ ବାହାରେ ରହି ପଢୁଥିଲେ। ଘରକୁ ଆସିଲେ ସେ ରୁଚିଙ୍କୁ ଦେଖା କରିବାକୁ ତାଙ୍କ ଘରକୁ ଯାଉଥିଲେ।
ରୁଚି ଓ ଶୁଭମଙ୍କୁ ଏକା ସାଙ୍ଗରେ ଦେଖି ଲୋକମାନେ ନାନା ପ୍ରକାର କଥା କହିବା ଆରମ୍ଭ କଲେ। ସେମାନଙ୍କ ବନ୍ଧୁତ୍ୱ ଉପରେ ଆଙ୍ଗୁଳି ଉଠାଇ କଳଙ୍କିତ କରିବା ପାଇଁ ଚେଷ୍ଟା କଲେ। କିନ୍ତୁ ରୁଚି ଓ ଶୁଭମ ଏବଂ ସେ ଦୁହିଁଙ୍କ ପରିବାରରେ କୌଣସି ଫର୍କ ପଡିଲା ନାହିଁ। କାରଣ ରୁଚି ଓ ଶୁଭମଙ୍କ ମଧ୍ୟରେ ଭଲ ପାଇବା ଥିଲା ବନ୍ଧୁତ୍ୱର। ସେମାନଙ୍କ ସମ୍ପର୍କ ଥିଲା ପବିତ୍ର। କେବେ ନିଜ ସୀମା ପାର ସେମାନେ କରି ନ ଥିଲେ ।
ଇତି ମଧ୍ୟରେ ରୁଚିଙ୍କ ଡିଭର୍ସ ହୋଇ ଗଲା। ସେ ସମୟରେ ଶୁଭମ ରୁଚିଙ୍କୁ ମାନସିକ ସାହାରା ଦେଲେ ଏବଂ ପାଠ ପଢି ଭଲ ଚାକିରୀ କରିବା ପାଇଁ ଉତ୍ସାହିତ କଲେ।
ଯେତେବେଳେ ଶୁଭମ ବି ମାନସିକ ଚିନ୍ତାରେ ରୁହନ୍ତି ରୁଚି ସବୁବେଳେ ଶୁଭମ ଙ୍କ ସାଙ୍ଗ ଦେଇଛନ୍ତି। ସେ ତାଙ୍କୁ ଆଗକୁ ବଢିବାରେ ଉତ୍ସାହିତ କରନ୍ତି।
ଇତି ମଧ୍ୟରେ ଶୁଭମ ଓ ରୁଚିଙ୍କର ସରକାରୀ ଚାକିରୀ ହୋଇ ଯାଇଛି। ପରସ୍ପର ସବୁ ଦିନ ଏମିତି ଘନିଷ୍ଠ ବନ୍ଧୁ ହୋଇ ରହିବେ ବୋଲି ମନେ ମନେ ସ୍ଥିର କରିଛନ୍ତି। ଶୁଭମ ନିଜ ପାଇଁ ଝିଅ ଦେଖିବାକୁ ଗଲା ବେଳେ ରୁଚିଙ୍କୁ ସାଙ୍ଗରେ ନେଇ ଯାଆନ୍ତି। ଯେତେବେଳେ ଝିଅ ଘର ପଚାରନ୍ତି ଏ ଝିଅ କିଏ ? ଶୁଭମ ହସି କୁହନ୍ତି ମୋର ଅତି ଆପଣାର ବନ୍ଧୁ। ପୁଣି ରୁଚିଙ୍କ ପୁନର୍ବାର ବିବାହ ପାଇଁ ପୁଅ ଦେଖା ହେଲା ବେଳକୁ ଶୁଭମ ରୁଚିଙ୍କ ଘନିଷ୍ଠ ବନ୍ଧୁ ହିସାବରେ ଯାଆନ୍ତି। ଶେଷରେ ଦୁହିଁଙ୍କ ଜୀବନରେ ତାଙ୍କର ଜୀବନସାଥୀ ଆସିଛନ୍ତି ଯେଉଁମାନେ ରୁଚି ଓ ଶୁଭମଙ୍କ ସମ୍ପର୍କକୁ ବୁଝିଛନ୍ତି। ଏବେ ରୁଚି ଓ ଶୁଭମଙ୍କ ପରିବାର ମଧ୍ୟରେ ଘନିଷ୍ଠ ସଂପର୍କ। ଆଉ ସମସ୍ତେ କହୁଛନ୍ତି ଯେ ପୁଅ ଝିଅ ମଧ୍ୟରେ କେବଳ ପ୍ରେମ କି ସେକ୍ସ ସମ୍ପର୍କ ନ ଥାଏ। ତାଙ୍କ ମଧ୍ୟରେ ପବିତ୍ର ବନ୍ଧୁତା ବି ଥାଏ। ଉଦାହରଣ ସ୍ୱରୂପ ଆମ ରୁଚି ଆଉ ଶୁଭମଙ୍କ ସମ୍ପର୍କ। ସେମାନଙ୍କ ମଧ୍ୟରେ ନା ପ୍ରେମ ସମ୍ପର୍କ ନା ଭାଇ ଭଉଣୀ ସମ୍ପର୍କ ନା ଖରାପ ସମ୍ପର୍କ। ଅଛି ଯଦି ମଧୁର ସମ୍ପର୍କ ତାହା ହେଉଛି ପବିତ୍ର ବନ୍ଧୁତା।
( ବୁଝି ହୁଏନା କଣ ପାଇଁ ଏ ସମାଜ ଗୋଟିଏ ପୁଅ ଆଉ ଝିଅର ସମ୍ପର୍କକୁ ଖରାପ ନଜରରେ ଦେଖ। କଣ ସେମାନଙ୍କର ମଧ୍ୟରେ କେବଳ ଖରାପ ସମ୍ପର୍କ ରହିଥିବ। ରୁଚି ଆଉ ଶୁଭମ ପରି ଭଲ ସମ୍ପର୍କ ବି ତ ଥିବ। ତେଣୁ ସମାଜରେ ଏଭଳି ପବିତ୍ର ସମ୍ପର୍କକୁ ସମ୍ମାନ ଦେଇ ପାରିଲେ ବନ୍ଧୁତା କଳଙ୍କିତ ହେବ ନାହିଁ। )
