ପାଷାଣୀ
ପାଷାଣୀ


ବାହାରେ ଭୀଷଣ ବର୍ଷା ହେଉଥାଏ। ବର୍ଷା ସହିତ ଘଡ଼ଘଡ଼ି ଓ ବିଜୁଳିର ଦୌରାତ୍ମ୍ୟ ପରିବେଶକୁ ଆହୁରି ଭୀତିପ୍ରଦ କରି ଦେଉଥାଏ।ଝରକା ପାଖରେ ବସି ଗୀତା ମନକୁ ମନ ଅନେକ କିଛି ଭାବି ଚାଲିଥାଏ ।
ଏଇ ଯେମିତି କାଲି ପରି ଲାଗୁଛି ।ଗତ ଛଅ ମାସ ତଳେ ବିନୟ କିପରି ବାହାଘର ପ୍ରସ୍ତାବ ନେଇ ତାଙ୍କ ଘରକୁ ଆସିଥିଲେ ।ବାପା ତ ପ୍ରଥମ ଦେଖାରୁ ହିଁ ସମ୍ମତି ଦେଇ ଦେଇଥିଲେ।ହଁ ଭଲ ପରିବାର।ନିଜର ସରକାରୀ ଚାକିରି ଆଉ ଦେଖିବାକୁ ବି ସୁନ୍ଦର।ଘରେ କେବଳ ବିଧବା ମା ଆଉ ଦୁଇ ଜଣ ଭାଇ ।
ଦୁଇ ଭାଇ ।ହଁ ।ସୃଷ୍ଟିର ବୈଚିତ୍ର୍ୟ ।ବିନୟ ଓ ବିବେକ ।ଯମଜ ଭାଇ ।କିନ୍ତୁ ଅଦ୍ଭୁତ ସାମଞ୍ଜସ୍ୟ ।ହଠାତ୍ କେହି ଫରକ୍ କରିବା କଷ୍ଟକର।ସ୍ୱଭାବରେ କିନ୍ତୁ ସମ୍ପୂର୍ଣ୍ଣ ଅଲଗା।ବିନୟ ମେଳାପୀ ।ଆଉ ହସ ହସ ମୁହଁ ।ସବୁବେଳେ ହସୁଥିବେ ଛୁଆଙ୍କ ପରି ।ଆଉ ବିବେକ ।!!??
ବିଜୁଳି ଖେଳିଗଲା ଅଚାନକ ।ଝରକା ବନ୍ଦ କରିଦେଲା ଗୀତା ।।ବିବେକ ଏକ ବନ୍ଦ ବହିଟିଏ।ଗୁରୁ ଗମ୍ଭୀର ଏବଂ ।କେଜାଣି କାହିଁକି ପ୍ରଥମ ଥର ଦେଖିଲା ପରଠାରୁ ବିବେକ ଏକ ଅଛିଣ୍ଡା ଅଙ୍କ ପରି ତାକୁ ମନେ ହେଉଥାଏ ।ବିନୟ ଯେପରି ସରଳ କବିତା ପରି ବୋଧଗମ୍ୟ ବିବେକ ସେତେ ଜଟିଳ ଲାଗନ୍ତି ଗୀତାକୁ ।
କେବେ କିଛି କଥା ହୁଅନ୍ତି ନାହିଁ ବିବେକ ତା ସହ ।ହଁ କିମ୍ବା ନା ।ଦୁଇଟି ସଂକ୍ଷିପ୍ତ ଉତ୍ତର କେବଳ ଦିଅନ୍ତି । ସେ ଶୁଣିଛି ବିବେକ କୁଆଡେ ଭାରି ଜିଦିଆ ।ଯାହା ଚାହାନ୍ତି ତାକୁ ପାଇବା ତାଙ୍କର ପୁରୁଣା ଅଭ୍ୟାସ । ସେ ଆହୁରି ମଧ୍ୟ ଶୁଣିଛି ତା ସହ କାଳେ ବିବେକଙ୍କ ବିବାହ ହେବାର ଥିଲା କିନ୍ତୁ ବିନୟ ସରକାରୀ ଚାକିରୀ କରୁଥିବାରୁ ତା ବାପା ତାଙ୍କୁ ହିଁ ପସନ୍ଦ କଲେ ।.
ପୁଣି ଦଲକାଏ ପବନ ସହିତ ଘଡ଼ଘଡ଼ିର ଶବ୍ଦ ।ଓଃ ।ଏ ବର୍ଷା ।ଆଜି କାହିଁକି ଏମିତି ଏତେ ଭୟାନକ ଲାଗୁଛି ।!!?? ଶାଶୁ କିଛି ଦିନ ପାଇଁ ବୃନ୍ଦାବନ ଯାଇଛନ୍ତି।ଅବଶ୍ୟ ଘରେ ବିବେକ ସବୁବେଳେ ରହନ୍ତିନି ।ତିନି ଚାରି ଦିନରେ ଥରେ ଆସନ୍ତି ।ମନ ହେଲେ ଖାଆନ୍ତି ନ ହେଲେ ନାହିଁ।ଶାଶୁ ଯିବା ପରଠାରୁ ସୈାଜନ୍ୟ ଦୃଷ୍ଟିରୁ ସେ ବାହାରେ କାମର ଆଳ ଦେଖାଇ ଦୂରେଇ ରୁହନ୍ତି।ଗତ ଦୁଇଦିନ
ଧରି ଉପର ଅଫିସରୁ କିଛି କର୍ମଚାରୀ ଆସିଥିବାରୁ ବିନୟ ବହୁତ ବ୍ୟସ୍ତରହୁଥିଲେ ।.ହେଲେ ଗତକାଲି ସନ୍ଧ୍ୟାରେ ଆସି ପହଞ୍ଚିଗଲେ। ଗୋଟାପଣ ଭିଜି ଯାଇଥିଲେ ବର୍ଷାରେ ।ଗୀତା ଗରମ୍ ଚା ସହ ପକୋଡି ଛାଣି ଆଣିଲା ।ତାଙ୍କ ପସନ୍ଦ ଅନୁଯାୟୀ । ବିନୟଙ୍କ ମୁଣ୍ଡ ପୋଛି ଦେବା ସମୟରେ ସେ ଏକ ଲୟରେ ତାକୁ ଏମିତି ଚାହିଁରହିଥିଲେ ।ଯେମିତି ପ୍ରଥମଥର ଦେଖୁଥିଲେ ।.ରାତିରେ ଆଉ କିଛି ରୋଷେଇ କରିବାକୁ ମନା କରି କେବଳ ତା ସାନିଧ୍ୟ ଟିକକ କାମନା କରିଥିଲେ।ଗୀତା ମଧ୍ୟ ପ୍ରତିବାଦ କରିନି ଅପୀତୁ ସହାସ୍ୟ ବଦନରେ ସ୍ବାଗତ କରିଛି ।
ଆଜି ସକାଳେ ଉଠିଲା ବେଳେ ବିନୟ ଯିବା ପାଇଁ ବାହାରି ଯାଇଥିଲେ।ଗୀତାକୁ ଏତେ ବେଶୀ କ୍ଲାନ୍ତ କାହିଁକି ଲାଗୁଥିଲା ସେ ବୁଝି ପାରୁ ନଥାଏ।ବୋଧେ ପାଗ ଯୋଗୁଁ ।!!??ବିନୟ ବାହାରକୁ ଯିବା ସମୟରେ କବାଟ ପାଖରୁ ପଛକୁ ଚାହିଁ ଓଠ ଧାରରେ ଏକ ସ୍ମିତହାସ୍ୟ ଦେଲେ ।ଛାତି ଭିତରେ କଣ ହେଇଗଲା ଯେମିତି ।ବିନୟ ।!!ଏମିତି ଏକ ହସ ।!!??ଯାହା ସେ ଆଗରୁ ଦେଖିନି ।.ଆଉ ଏତେ ଚୁପଚାପ୍ ।!!??
ସେ ଯାହା ବି ହେଉ ।ଘର କାମରେ ମନ ଦେଲା ସେ ।ମନ ତଥାପି ବିଚଳିତ ହେବାରୁରାମାୟଣ ବାହାର କରି ପଢିଲା ଅହଲ୍ୟା ଉପାଖ୍ୟାନ ।ସତରେ ।ଆଖି ଓଦା ହୋଇଗଲା ।ସେ ପାଷାଣୀ କାହିଁକି ହେଲେ ।ତାଙ୍କ ଭୁଲ୍ ବା କଣ ଥିଲା ।ବୁଝି ପାରିଲାନାହିଁ । ଛନ୍ଦ କପଟ ଯେ କେତେ ଭୟଙ୍କର ।ଆଉ ସରଳ ପ୍ରାଣଟିଏ କିପରି ଏହାର ଶିକାର ହୋଇ ଦଣ୍ଡ ପାଏ ।ଭାବି ଭାବି ଭାବ ବିହ୍ୱଳ ହୋଇଗଲା ।ବିକଳରେ ହାତ ଯୋଡ଼ି ହୋଇଗଲା ଶ୍ରୀରାମଙ୍କ ଉଦ୍ଦେଶ୍ୟରେ ।ହେ ପ୍ରଭୁ!!ଯୁଗ ଯୁଗ ଧରି ଏହିପରି କରୁଣା କରିବ । କରିବ ନା ।!!??ଏତିକି କହିଛି ।.
ଫୋନ ବାଜି ଉଠିଲା ।ସେପଟୁ ବିନୟଙ୍କ ବିବ୍ରତ ସ୍ଵର ।"ଓହୋ ।କାଲିଠାରୁ ଚେଷ୍ଟା କରୁଛି ଗୀତୁ । ନେଟୱର୍କ ଧରୁନି। ସରି କାଲି ଭୀଷଣ ବର୍ଷା ଯୋଗୁଁ ଘରକୁ ଯାଇ ପାରିଲିନି ।ଏଇ ଅଧ ଘଣ୍ଟା ଭିତରେ ଆସୁଛି ।ତମ ନରମ ହାତରେ ଗରମ୍ ପକୋଡି ନିଶ୍ଚୟ କରିଥିବ । ହାଲୋ । ହାଲୋ ।"
ଗୀତା ସତେ ଯେପରି ପାଷାଣୀଟିଏ ହୋଇଯାଇଥିଲା ।କବାଟ ପାଖରୁ ବିନୟ ସକାଳେ ଦେଇଥିବା ସ୍ମିତ ହାସ୍ୟ ଛଡା ତାକୁ ଆଉ କିଛି ଦେଖାଯାଉ ନ ଥିଲା କି ଶୁଣାଯାଉ ନ ଥିଲା ।!!??