Sabitri Mohapatra

Abstract Drama Classics

3  

Sabitri Mohapatra

Abstract Drama Classics

ପାନ

ପାନ

3 mins
218


ସେଦିନ ସୀତାକାନ୍ତ ବାବୁ ସାନ୍ଧ୍ଯ ଭ୍ରମଣରୁ ଫେରିଲାବେଳେ ଭାବିଲେ ଟିକେ ବୁଲୁ ବାବୁ ଙ୍କ ଘରଦେଇ ଯିବେ ।ଟିକେ ଗପସପ କରି ଫେରିବେ ବୋଲି ଭାବି ବୁଲୁବାବୁଙ୍କ ଘରେ ଆସି ପହଞ୍ଚିଲେ ।ତାଙ୍କ ଘରଭିତରକୁ ପଶିଆସିଲା ବେଳକୁ ଆଗପଛ ହୋଇ ବାପ ଝିଅ ଦଉଡା ଦଉଡି ହେଉଛନ୍ତି । ଆରେ କଥା କ'ଣ ?


ସୀତାକାନ୍ତ ବାବୁ କିଛି ବୁଝିପାରିଲେନି । ଝିଅ ରୂପା ଡଷ୍ଟବିନ ଥିବା ଜାଗାପାଖକୁ ଦଉଡୁଛି ।ତା ପଛେ ପଛେ ବୁଲୁବାବୁ । ସେଥିରେ କ'ଣ ଗୋଟେ ଫୋପାଡିଦେଇ ରୂପା ପଳେଇଆସିଲା ।ବୁଲୁବାବୁ ମଧ୍ୟ ସେଡଷ୍ଟବିନ ପାଖକୁଯାଇ ନିରାଶହୋଇ ଫେରି ଆସିଲେ । ସୀତାକାଂତ ବାବୁ କିଛି ବୁଝି ନପାରି ସେ ଡ୍ରଇଁରୁମ୍ ର ସୋଫା ଉପରେ ବସି ପଡିଲେ। ବୁଲୁବାବୁ ଆସି ଦେଖନ୍ତି ତ ସୀତାକାଂତ ବାବୁ ବସି ସବୁ ନୀରିକ୍ଷଣ କରୁଛନ୍ତି । ବୁଲୁବାବୁ ଟିକେଅପଦସ୍ତ ହେଲାଭଳି ଲାଗିଲେ ଓ ରାଗରେ ଗର ଗର ହୋଇ ଆସି ତାଙ୍କ ପାଖରେ ବସି ପଡିଲେ । କଥା କଣ କି,ଏ ପିଲାଗୁଡା ଆଜିକାଲି ବହୁତ ଉଦ୍ଧତ ହୋଇଗଲେଣି ।ବିଶେଷକରି ମୋ ସାନଝିଅ ଟା ବହୁତ ଉଦ୍ଧତ ।କୌଣସି କଥା କାହାର ଶୁଣୁନି ।କେଉଁ ବିଷୟରେ ଆପଣ କହୁଛନ୍ତି କି ? ନାଇଁ ଏଇ ପାନ ଦି ଦି ଖଣ୍ଡ ମୁଁ ଖାଏ ,ଟିକେ ହଜମ ହବାକୁ । କିନ୍ତୁ କାଲି ସେ ସାନ ଝିଅ କୋଉଠି ନେଇ ଲୁଚାଇଦେଲା ଯେ ମୁଁ ଖୋଜି ଖୋଜି ପାଇଲିନି,ପୁଣି ଆଜି ନେଇ ଡଷ୍ଟବିନ ରେ ପକେଇଦେଲା । ଏଥିରେ ପଇସାଗୁଡା ନଷ୍ଟ ହଉନି ? ଏମାନେ ଏବେ କୌଣସି କଥା ଶୁଣିବାକୁ କି ବୁଝିବାକୁ ନାରାଜ୍ । ସୀତାକାଂତ ବାବୁ ସବୁ ଶୁଣି ଚୁପ୍ ରହିଲେ ।


ସୀତାକାଂତ ବାବୁ ଆଉ ବୁଲୁବାବୁ ଦୁହେଁ ଏକା କଲେଜରେ ଅଧ୍ୟାପକ ।ଏକା ବିଷୟରେ ପଢାନ୍ତି । ଦୁହିଁଙ୍କ ଭିତରେ ଭଲ ମିଳାମିଶା ଥାଏ । ଦୁହିଁଙ୍କର କିଛି ସମୟ କଥୋପକଥନ ରେ କଟିଗଲା ସମୟ ଏବଂ ଚା କପେ କପେ ପିଇ ସୀତାକାଂତ ବାବୁ ବୁଲୁବାବୁ ଙ୍କ ଠାରୁ ବୀଦାୟ ନେଲେ । ବୁଲୁବାବୁ ତାଙ୍କୁ ଗେଟ୍ ପାଖକୁ ଯାଇ ବାଟୋଇଦେଇ ଆସିଲେ । ରୁମ୍ ଭିତରକୁ ପଶିଆସନ୍ତେ ,ସାନ ଝିଅ ରୂପା ରାଗରେ ଚଂଡି ରୂପ ହୋଇ ଠିଆ ହୋଇଛି । ପାପା ! ମୋ ନାଆଁ ରେ ସେ ଅଙ୍କଲ ଙ୍କୁ କ'ଣ ସବୁ କହୁଥିଲ ? ମୁଁ ତୁମର ଆଉ କୌଣସି କଥା ଶୁଣିବିନି କି ତୁମ ସାଙ୍ଗେ ଆଉ କଥା ଭି ହେବିନି । ମୋର ଗୋଟିଏ ଅନୁରୋଧ ତୁମେ ଶୁଣୁନ । ମୁଁ କାହିଁକି ତୁମକଥା ଶୁଣିବି ? ମୁଁ ତୁମ ଦେହପାଇଁ ଚିନ୍ତାକରି ଏସବୁ କରୁଛି । ପାନରେ ଯେଉଁ କଡା ଗୁଂଡି ଆଉ ଚୂନ ମିଶେ ,ତା ଦେହପାଇଁ ଭଲନୁହେଁ ।


ବୁଲୁବାବୁ ଟିକେ ନରମିଯାଇ କହିଲେ--ଶୁଣ୍ ଝିଅ, ମୋ ସୁନା ଝିଅଟା ପରା । ଏମିତି କଣ ହବ ? ମୁଁ ଧିରେ ଧିରେ ପାନ ଛାଡିଦେବି । ଧିରେ ଧିରେ କମେଇବାକୁ ପଡିବ,ଏକାଥରେ ଛାଡି ହବନି ।ଏତେ ଦିନର ଅଭ୍ୟାସ ,ଏତେ ଶୀଘ୍ର କେମିତି ହବ । ମୁଁ କଥା ଦଉଛି--ଏଇ ପୂଜାବେଳକୁ ପାନ ସଂପୂର୍ଣ୍ଣ ରୂପେ ଛାଡିଦେବି । ରୂପା କହିବସିଲା ହଁ! ସଂପୂର୍ଣ୍ଣରୂପେ ଛାଡିଦେବି।ଆରବର୍ଷ ତୁମେ କଣ କହିଥିଲ ? ତୁମେ ଠିକ୍ ଏଇକଥା ପୂର୍ବ ବର୍ଷ ପୂଜାବେଳେ ହିଁ କହିଥିଲ। ଏ ବର୍ଷ ଭି ସେଇଆ କହୁଛ । ମୁଁ ତୁମ ଭଲପାଇଁ କହୁଛି ପାପା। ଦେଖ,ଏଇ କଡାପାନ ଖାଇ ଖାଇ ଆମ ପାଖ ପଡୋଶୀ ଘରର ଅଙ୍କଲ କ୍ୟାନସର ରେ ଚାଲିଗଲେ । ଆମ ପିଉଷା ମଧ୍ୟ ସେଇ ରୋଗରେ ପଡି ଆମଠୁ ବିଦାୟ ନେଲେ । ମମି କହୁଥିଲେ ଆମ ଅଜା ମଧ୍ୟ କଡାପାନ ଆଉ କଡାଗୁଂଡି ଖାଇ ଖାଇ ରୋଗରେ ପଡି ଚାଲିଗଲେ ।ଆମେ ତାଙ୍କୁ ଜନ୍ମରୁ ଭି ଦେଖିପାରିଲୁନି । ସେଥିଲାଗି ତୁମକୁ ଅନୁରୋଧ କରୁଛୁ ପାପା,ଏ ଖରାପ ଅଭ୍ୟାସ ଗୁଡା ଛାଡିଦିଅ ।ଆହୁରି ଭଲ ଭଲ ଜିନିଷ ମୁଁ ତୁମକୁ ଖାଇବାକୁ ଦେବି ।


ବଡ ମୁନି ଦିଦି ମଧ୍ୟ ଏହି କଡାପାନ କଥାକୁ ନେଇ ସବୁଦିନ ଝଗଡ଼ା କରି କରି ଚାକିରୀ ରେ ଯୋଗ ଦେବାକୁ କଲିକତା ଚାଲିଗଲା ।ମୁଁ ବି ଆଉ କିଛିଦିନ ପରେ ହଷ୍ଟେଲ କୁ ପଢିବାକୁ ଚାଲିଯିବି ।ତୁମେ ନିଶ୍ଚୟ ମମିକୁ ହଇରାଣ କରିବ । ହଉ ତୁମସାଙ୍ଗେ କଟି ପକୋଉଛି । ଆଉ କେଭେଭି ତୁମସାଙ୍ଗେ କଥା ହେବିନି । ଏହା କହି ରୂପା ମୁହଁ ଫୁଲେଇ ଘର ଭିତରକୁ ଚାଲିଗଲା ।ଆଉ ବୁଲୁବାବୁ ଚିଂତାଗ୍ରସ୍ତ ହୋଇ ବସିରହିଲେ ସୋଫା ଉପରେ ।ସମୟ ତ କାହାକୁ ଅପେକ୍ଷା କରେନାହିଁ । ସେ ତା ବାଟରେ ଆଗେଇଚାଲେ ।

ପାନ ଥରେ ଯିଏ ଅଭ୍ୟାସ କରେ ,ସେ ଏଥିରୁ ମୁକୁଳି ପାରେନି ।ତାହା ଯେତେ କ୍ଷତିକାରକ ହେଲେ ବି ସେ ଏ ଅଭ୍ୟାସ କୁ ଛାଡି ପାରେନି ।ଏମିତି କିଛିଦିନ ଅତିକ୍ରମ କଲାପରେ ସାନଝିଅ ରୂପାର ମଧ୍ୟ ହଷ୍ଟେଲ ଯିବାର ବେଳ ଆସିଗଲା ।ସେ ତାର ଜିନିଷପତ୍ର ନବାର ବନ୍ଦୋବସ୍ତ ଓ ପାକିଙ୍ଗ ଆରମ୍ଭ କରିଦେଲା ।ଯିବାଦିନ ଆସି ପହଞ୍ଚିଲା ।ସେ ପାପା ମାମା ଙ୍କୁ ମୁଣ୍ଡିଆ ମାରି ଯିବାପାଇଁ ପ୍ରସ୍ତୁତ ହୋଇ ତା ବାଟରେ ସେ ଚାଲିଗଲା । କାହାକୁ କିଛି କହିଲାନି ମାତ୍ର ଗଡି ଆସୁଥିବା ଦୁଇଧାର ଲୁହକୁ ଲୁଚାଇ ପାରିଲାନି । ବୁଲୁବାବୁ ମନେ ମନେ ଭାବି ବସିଲେ-- ସାନ ଝିଅଟା ବୋଧେ ଅଭିମାନ କରି କାହାକୁ କିଛି ନକହି ତା ବାଟରେ ସେ ଚାଲିଗଲା ।ବୁଲୁବାବୁ ବହୁତ ସମୟ ବସି ଭାବିଲେ । ମନଟା ତାଙ୍କର ଗୋଳେଇଘାଂଟି ହଉଛି ।କଣ କରିବେ ? "ଆଉ ସେ ପାନ ଖାଇବେନି" ବୋଲି ମନେ ମନେ ସ୍ଥିର କଲେ ।


ସେଦିନ କଲେଜରେ ଫଙ୍କସନ ଥିଲା ।କଲେଜର ଫଙ୍କସନ ସାରି ଘରକୁ ଫେରୁ ଫେରୁ ବହୁତ ଡେରି ହୋଇଗଲା ବୁଲୁବାବୁ ଙ୍କର ।ଫେରୁ ଫେରୁ ବସ୍ ଧରିବା ପୂର୍ବରୁ ବର୍ଷା କାଚିଲାଧରିକି । ସେଥିରେ ସେ ସଂପୂର୍ଣ୍ଣ ଓଦା ହୋଇଗଲେ ।ବହୁତ କଷ୍ଟରେ ଓଦା ସର୍ ସର୍ ହୋଇ ଘରକୁ ଫେରିଲେ । ରାତିରେ ଟିକେ ଖୁଁ ଖୁଁ ହୋଇ କାଶିଲେ ।ତା ପରଦିନ ଦେହ ତାତିରେ ଖଇ ଫୁଟୁଛି । ପତ୍ନୀ ସୁଲୋଚନା ଦେବୀ କଣ କରିବେ? ଘରେ ଏକା ।ବେସ୍ତ ହୋଇ ପଡିଲେ ସେ । ଡାକ୍ତର ଙ୍କୁ ପଚାରି ଔଷଧ ଆଣିଦେଲେ ସେ । କିଛିଦିନ ପରେ ଦେହ ସୁସ୍ଥ ହେବାକୁ ଲାଗିଲା । ମାତ୍ର ସଂପୂର୍ଣ୍ଣ ସୁସ୍ଥ ହେଲାନି । ଦେହ ବହୁତ ଦୁବର୍ଳ ଲାଗିଲା । କଲେଜ ଯିବା, ସାଙ୍ଗସାଥିଙ୍କ ଆସିବା ଯିବା ସବୁ ବନ୍ଦ ହୋଇଗଲା ।ଖାଲି ଶୋଇରହି ଚିଡିଚିଡା ହଉଥାନ୍ତି ।


ସୁଲୋଚନା ଦେବୀ କିଛି ବୁଝିପାରିଲେନି , କଣ କରିବେ ?ବେଳକୁ ବେଳ ଦେହ ବେଶ୍ ଦୁର୍ବଳ ହେବାକୁ ଲାଗିଲା । ଡାକ୍ତର ଙ୍କ ପରାମର୍ଶ କ୍ରମେ ଡାକ୍ତରଖାନାରେ ସେ ଆଡମିସନ୍ ନେଲେ । ବହୁ ପରୀକ୍ଷା ନିରୀକ୍ଷା ପରେ ଜଣାପଡ଼ିଲା ଯେ ସେ ଗୋଟେ କିଛି ବଡରୋଗରେ ଆକ୍ରାନ୍ତ ହୋଇଛନ୍ତି । ଭଲହେବାର ଆଶା ଖୁବ୍ କମ୍ ଜଣାପଡୁଥାଏ । ସିଏ ପୁଣି ଆଉ କୋଉ ରୋଗ ନୁହେଁ, ସେହି କ୍ୟାନସର ।ସୁଲୋଚନା ଦେବୀ ଙ୍କ ମୁଣ୍ଡ ଘାଇଁ ଘାଇଁ ହେଇଗଲା ଏ ରୋଗକଥା ଶୁଣି । ପିଲାମାନେ ଦୂରରୁ ଖବରପାଇ ଦଉଡି ଆସିଲେ । ଆଉ କିଛି କରିବାକୁ ବା କହିବାକୁ ଉପାୟ ନଥିଲା । ଡାକ୍ତର ଙ୍କ ହାତରେ ବି ଆଉ କିଛି ନଥିଲା । ପ୍ରାୟ ଶେଷ ସମୟ ପାଖେଇ ଆସୁଥିଲା । ଯେଉଁ ଝିଅ ମାନେ ଦିନେ ଅଳି କରୁଥିଲେ, ଶାସନ କରୁଥିଲେ,ସେମାନେ ନୀରବରେ ବିଷାଦଗ୍ରସ୍ତ ।ଧାର ଧାର ହୋଇ ଲୁହ ବହିଚାଲିଛି । ସାନ୍ତ୍ବନା ଦେବାକୁ କେହି ନାହାନ୍ତି । କଣ ବା ସାନ୍ତ୍ବନା ଦବ କିଏ ?


ବୁଲୁବାବୁ ଶୋଇଥିବା ତକିଆତଳୁ ଖଣ୍ଡେ କାଗଜ ଉଡିଆସି ତଳେ ପଡିଗଲା । ସମସ୍ତ ଙ୍କ ଅଲକ୍ଷରେ ସାନଝିଅ ରୂପା ସେ କାଗଜ ଖଣ୍ଡିକ ଗୋଟେଇଆଣି ପଢିଲା----ସେଥିରେ ଲେଖାଥଲା"ପିଲାମାନେ ମୋତେ କ୍ଷମା କରିଦେବ,ଆଇ ଆମ୍ ଭେରି ସରି" ।


Rate this content
Log in

Similar oriya story from Abstract