Arabinda Rath

Classics Inspirational Others

4.9  

Arabinda Rath

Classics Inspirational Others

ପାଳି

ପାଳି

9 mins
19.9K


  ବାରଣ୍ଡାରେ ଜାକିଜୁକି ହୋଇ ବସିଛି ବୁଢୀ। ସକାଳୁ ପାଟିରେ ପାଣି ଟୋପେ ବି ପଡିନି। ପୁଅ, ବୋହୂ, ନାତି ନାତୁଣୀ ମାନେ ନିଜ ଧନ୍ଦାରେ ମାତିଛନ୍ତି। ସକାଳୁ ବଡ ପୁଅ ବୁଢୀକୁ ଟେକି ଆଣି ସାନ ପୁଅ ପିଣ୍ଡାରେ ବସେଇ କହିଛି-

– ମାଆ, ଆଜିଠୁ ମୋ ପାଳି ସରିଲା। ଏଥର ସାନର ପାଳି।

 ସୂର୍ଯ୍ୟ ଆସି ମୁଣ୍ଡ ଉପରେ ହେଲାଣି। ଭୋକରେ ବୁଢୀର ହଂସା ଉଡି ଯାଉଛି। ପାଣି ଟିକେ ନ ପିଇ ତଣ୍ଟି ଅଠାଅଠା ଲାଗୁଛି। ଘର ଭିତରୁ ବୋହୂର ପାଟି ଶୁଭୁଛି--

– ମାସ ସରିବାକୁ ଆହୁରି ଦୁଇ ଦିନ ବାକି ଅଛି। ବଡ ଭାଇ ବେଶୀ ଚାଲାକି ଦେଖେଇ ବୁଢୀକୁ ଆମ ପିଣ୍ଡାରେ ଆଣି ବସେଇ ଦେଇଛି। ଇନ୍ଦ୍ର କହିଲେ ବି ମୋର ଘୁଞ୍ଚିବାର ନାହିଁ। ବୁଢୀର ଜଞ୍ଜାଳ ମୁଁ ଦୁଇ ଦିନ ଆଗରୁ କାଇଁ ମୁଣ୍ଡେଇବି। ମରି ଯାଉ ବୁଢୀ।

  …................

 ବୁଢୀ ଆଖିରୁ ଲେଞ୍ଜରା ପୋଛି ଚାହିଁଲା ଘର ଆଗଦେଇ ଲମ୍ବି ଯାଇଥିବା ରାସ୍ତାକୁ। ସବୁ ଲୋକେ ନିଜ କାମରେ ଯେମିତି ବୁଡି ରହିଛନ୍ତି। କାହା ପାଖରେ ସମୟ ନାହିଁ। ସେତିକି ବେଳେ ଅଥାନି କ୍ଷୀର ଦେବାକୁ ଆସି କହିଲା-

– ଆଲୋ ବୁଢୀ ଏଠି କ’ଣ ବସିଛୁ। କ’ଣ ଖରା ଖାଉଛୁ ନା କ’ଣ ଯେ।

ହାତ ଠାରି ଡାକିଲା ଅଥାନିକୁ, କ’ଣ କହିବାକୁ ଚାହୁଁଥିଲା। ମାତ୍ର କାମ ଅଛି କହି ଅଥାନି ଚାଲିଗଲା।

 ବାପ ଛେଉଣ୍ଡ ପିଲା ଦୁଇଟାକୁ କଲିଜା କାଟି ବଡ କରିଛି । ପର ଘରେ କାମ ପାଇଟି କରି ପେଟରେ ଓଦା କନା ପକେଇ ନିଜ ପିଲାଙ୍କ ତୁଣ୍ଡରେ ଦାନା ଦେଇ ଆସିଛି। ଦିନ ଦିନ ଧରି ଘରେ ଚୁଲି ଜଳିନି ସତ କିନ୍ତୁ କାହା ଆଗରେ ହାତ କେବେ ପତେଇନି। ଗିରସ୍ତ ସ୍ଵର୍ଗବାସୀ ହେଲା ପରେ ନିଜେ ହଳ କରି ଜମିରେ ସୁନା ଫଳେଇଛି। ତା ବୟସର ମାଇପି ମାନେ ଅଳତା, ସିନ୍ଦୁର ନାଇ ଫେରେ କେଟା ମାରି ବୁଲିଲା ବେଳକୁ ସେ ଚୁଲି ମୁଣ୍ଡରେ ବସି ଲିଆ, ମୁଢି ଭାଜିଛି କିଛି ରୋଜଗାର ଆଶାରେ। ଯାନି, ଯାତରା କେବେ ଆସେ କେବେ ଯାଏ ତାର କେବେ ନିଘା ନ ଥାଏ। ତା ପିଲା ଦୁଇଟା ଭଲରେ ହସି ଦେଲେ ତାକୁ ଲାଗେ ଦୁନିଆ ଯାକର ଖୁସି ସେଇଠି ଅଛି। ଅଳ୍ପ ବୟସରେ ବିଧବା ହେଲା ବୋଲି ଗାଁଆଟା ଯାକର ମରଦ ତା ପଛରେ ପଡିଗଲେ। କିଏ କହିଲା ରାଣୀ କରି ରଖିବି ତ କିଏ କହିଲା ମୋ ହାତ ଧର ପାଟରାଣୀ ପରି ଚଳିବୁ। କିନ୍ତୁ ସେ ଅଚଳ ମହାମେରୁ ପରି କାହା କଥା ନ ଶୁଣି ଭାଗ୍ୟକୁ ଆଦରି ପଡିରହିଲା। ଗିରସ୍ତ ନ ରହିଲେ କ’ଣ ହେଲା ତା ପିଲା ଦୁଇଟା ଦେହରେ ତ ସେଇ ଗିରସ୍ତର ରକତ ଦଉଡୁଛି। ସେଇମାନେ ତ ତା ଆଖିର ତାରା। ପିଲା ଦୁଇଟାକୁ ଆଡେଇ ଦେଇ ନିଜ ସୁଖ ଦେଖିଲେ ନରକରେ ପଡିବନି ସେ? କାହାକୁ ହାତ ନ ପତେଇ ତ ପିଲା ଦୁଇଟାକୁ ଭେଣ୍ଡିଆ କରି ପାରିଛି। ବଡ ପୁଅ ଗାଁ ମୁଣ୍ଡରେ ତେଜରାତି ଦୋକାନ କରି ବେଶ ପଇସା ରୋଜଗାର କରୁଛି, ଆଉ ସାନଟା ଗୋଟେ ଅଫିସରେ ପିଅନ କାମ କରୁଛି। ପାରୁଥିବା ଯାଏ ଯାହା ପଇସା ରଖିଥିଲା ଖପରିଲି ଘର ଦୁଇ ବଖରା କରି ପାରିଛି। ପିଲା ମାନେ ବି ବାହା ସାହା ହେଇ ଘର ସଂସାର କଲେଣି। କିନ୍ତୁ ତା ତିଆରି ଘରେ ସେମାନେ ରହୁଛନ୍ତି। ସେତିକି କ’ଣ କମ ବଡ କଥା ?

 କିନ୍ତୁ ସେ ନିଆଁଲଗା ଭାଗ୍ୟକୁ କିଏ ବା ଆୟତ୍ତରେ ରଖିବ। ଯୋଉ ପିଲା ଦି’ଟା ମାଆ ମାଆ କହି ପିଛା ଛାଡୁ ନ ଥିଲେ ସେମାନେ ଆଜି ତାକୁ କେତେ ହୀନିମାନ କରୁଛନ୍ତି। ବୟସ ଗଲା ପରେ ରୋଗ ସବୁ ଭୂତ ଡାହାଣି ପରି ଗ୍ରାସି ଗଲେ। ତାର ମଜବୁତିଆ ଦିହଟା ଶୁଖି କଣ୍ଟା ହୋଇଗଲାଣି। ଡାକ୍ତର କ’ଣ କୁହେ ସେ ବୁଝି ପାରେନି। ଖାଲି ଏତିକି ଜାଣେ ଯେ ଏତେ କାମ କରିକରି ନିଜ ଯତ୍ନ ନ ନେଇ ଆଜି ଏ ଅବସ୍ଥା। ସେ ଡାକ୍ତର କ’ଣ ଜାଣିବ, ନିଜେ କଷ୍ଟ ନ କରିଥିଲେ ତା ପିଲା ଯୋଡାକ ଆଜି ରାସ୍ତାରେ ଭିକ ମାଗୁ ଥାଆନ୍ତେ।

 ତା ଦିହରେ ସିନା ତାକତ ନାହିଁ କିନ୍ତୁ ସେ ତ ଅକର୍ମଣ୍ୟ ହୋଇଯାଇନି। ଆଜି ବି ସେ ବାସନ ମାଜୁଛି, ଲୁଗା କାଚୁଛି, ବସିବସି ଘର ଝାଡୁ କରୁଛି। ଅଣ୍ଟା ନଇଁ ଗଲେ ବି ସେ ବୋହୂ ମାନଙ୍କ ବରାଦ ଅନୁସାରେ କାମ କରୁଛି। ହଁ ଭୁଲ ଭଟକା ତ ହେଉଛି। ପିଲା ମାନେ ସିନା ନିଜ ରକ୍ତ କିନ୍ତୁ ବୋହୂ ମାନେ କ’ଣ  ଛାଡିବେ? ସେମାନେ ଗାଳି ଫଜିତ୍ କରୁଛନ୍ତି। ବେଶି ରାଗିଲେ ଠେଲି ବି ଦଉଛନ୍ତି । କିନ୍ତୁ ତାଙ୍କର ଦୋଷ କ’ଣ ....ସେମାନେ ବି କେତେ ବ୍ୟସ୍ତ ରହୁଛନ୍ତି। ତାଙ୍କ ଜଞ୍ଜାଳରେ ତ ସେମାନେ ରୁନ୍ଧି ହୋଇ ପଡୁଛନ୍ତି। ତା ପରି ଛାର ମଣିଷ କଥା ସେମାନେ ବା କାଇଁ ମୁଣ୍ଡକୁ ନେବେ।

 ସବୁ କାମ କଲେ ବି କାହିଁକି ସେମାନେ ପୁଅ ମାନଙ୍କ ଆଗରେ ବୁଢୀ ନାଁଆରେ ଫେରାଦ କରନ୍ତି ଜମା ଜାଣି ପାରେନି। ଦୁଇ ବୋହୂଙ୍କର କହିବା କଥା ବୁଢୀ କାଳେ ସେମାନଙ୍କୁ ଗୋଡେ ଗୋଡେ ଜଗୁଛି। ବାର କାମ ବରାଦ କରି ହଇରାଣ କରୁଛି। ଖାଇବା ବେଳେ ନାନା ପେଖନା କାଢୁଛି। ପିଲା ମାନଙ୍କୁ ବାର ଜାତିଆ ବାଜେ କଥା ଶିଖଉଛି। କି ସୁଖ ପାଆନ୍ତି ସେମାନେ କେଜାଣି....

 ପୁଅ ମାନେ ସେମାନଙ୍କ ଆଗରେ ବୁଢୀକୁ ହୀନିମାନିଆ କଲେ। ଆଜି କାଲି ତ ପୁଅମାନେ ବି କହିଲେଣି ଏ ବୁଢୀ ଆଉ ଶାନ୍ତିରେ ରଖେଇ ଦେବନି। ଯେତେବେଳେ ଦେଖିଲେ ଖାଲି ଅଶାନ୍ତି। କିଛି ବୁଝି ନ ପାରି ଜୁଳୁଜୁଳୁ କରି ଚାହେଁ ବୁଢୀ। ତା ବୟସ ତିନି କୋଡି ପନ୍ଦର ହେଲା। ଏ ବୟସରେ ସେ କାହାକୁ କ’ଣ  ବା ହଇରାଣ କରି ପାରିବ। ବୟସ ଥିଲା ବେଳେ ତ ଦୁଇ ପିଲାଙ୍କ ଦିହରେ କେବେ ଟିପଟେ ଦେଇନି।

 ବିନା କାରଣରେ ଦୁଇ ଭାଇ ଭିନ୍ନେ ହେଲେ। କେତେ କାନ୍ଦି ବୋବେଇ କାକୁତି ମିନତି ହେଲା ବୁଢୀ। ତା କଥା କିଏ ବା ଶୁଣିବ। ବୋହୂ ମାନେ ପରା ଏବେ ଘରର ମୁରବୀ। ସବୁ ଜିନିଷ ଭାଗ ହେଇଗଲା। ଶେଷରେ ବୁଢୀକୁ କିଏ ରଖିବ ସେ ଭାଗ ବି ଛିଡିଗଲା। ଦୁଇ ଜଣଙ୍କ ପାଖରେ ପାଳିପାଳି କରି ରହିବ ବୁଢୀ। ଗଲା ବରଷ ରଜ ବେଳକୁ ଲୋକେ ପିଠା ପଣାରେ ବୁଡିଲା ବେଳକୁ ବୁଢୀ ଘରେ ଲାଗିଥିଲା ମହାଭାରତ। ଯୋଉ ନାଆରେ ବସି ଜୀବନ ଡଙ୍ଗା ପାର କରିବାକୁ ସେ ଭାବିଥିଲା ସେଟା ଭାଙ୍ଗି ଦୁଇ ଖଣ୍ଡ ହେଲା। ଏବେ ଦୁଇ ନାଆରେ ଗୋଡ ରଖି ଚାଲିଛି ସେ। କଥାରେ ଅଛି ଦୁଇ ନାଆରେ ଗୋଡ ରଖିଲେ ବୁଡିବା ଥୟ। ସେ ବା କାହୁଁ ବର୍ତ୍ତିବ।

 ସେ ନିଜେ ଜାଣି ସାରିଲାଣି ତା ଜୀବନ ଏବେ ବୋଝ ପାଲଟି ଗଲାଣି ତା ନିଜ ପାଇଁ। କେତେ ବା ଆଉ ଖଟିବ। ନା ଦିହରେ ବଳ ଅଛି ନା ମନରେ ଆଗ୍ରହ। ପିଲାମାନଙ୍କ ପଛରେ ଜୀବନର ସବୁ ସମୟ ଗଲା। ବନ୍ଧୁବାନ୍ଧବ ବୋଲି କେହି ନାହିଁ ତା’ର। କାହା ସହ ଟିକେ ଦୁଃଖସୁଖ ହେବାକୁ ବି କେହି ନାହିଁ। ନିଜ ସହ ନିଜେ କଥା ହୁଏ। ରାତିରେ ଆଳୁ ଅଖା ଉପରେ ମୁଣ୍ଡ ତଳେ ଇଟା ଦେଇ ଶୋଇଲା ବେଳେ ଭାବେ, କ’ଣ  ତା ପିଲା ମାନେ ତା ଦୁଃଖ ଜାଣି ପାରୁନାହାଁନ୍ତି। ଘର ଭିତରେ ପଙ୍ଖା ଲଗେଇ ମଶାରି ଟାଣି ଶୋଇଲା ବେଳେ କ’ଣ  କେବେ ବି ଭାବନ୍ତିନି ଆମ ମାଆ କେମିତି ଅବସ୍ଥାରେ ଶୋଇଥିବ। ସେ ଆଜି ଯାଏ ଜାଣି ପାରେନି ରାତିରେ ଶୋଇଲା ବେଳେ ଦୁଇ ବୋହୂ ତାକୁ କ’ଣ  ପାଇଁ ଗୋଇଠା ମାରି ଦେଇ ଯାଆନ୍ତି। ଆଗ ସେ ଭାବିଲା ବୋଧେ ସେମାନେ ଝୁଣ୍ଟି ପଡିଥିବେ। କିନ୍ତୁ କ’ଣ  ସବୁ ଦିନ ସେମାନେ ଝୁଣ୍ଟିବା ପାଇଁ ତାକୁ ହିଁ ବାଛନ୍ତି। ଗଞ୍ଜା ରାବ ସହ ବୁଢୀ ଉଠି ବସିବସି ଘର ଝାଡୁ କରେ। ସବୁ ଉଠିବା ଆଗରୁ ଏ କାମ ସାରି ନ ଦେଲେ ଖାଇବା ମିଳିବନି। ବଡ କଷ୍ଟରେ ଗୁରୁଣ୍ଡି ରୋଷେଇ ଘରକୁ ଯାଇ ରାତିର ବାସନକୁ ସଫା କରିବାକୁ ପଡେ। ନ ହେଲେ ପୁଅ ଗଲା ପରେ ବୋହୂ ସମ୍ପିବ। ଯୋଉ ବସ୍ତାରେ ସେ ଶୋଇଛି ତାକୁ ଲୁଚେଇ ନ ରଖିଲେ ନାତି ଟୋକା ନେଇ ଖେଳିବ। ବୋହୂ ଦେଖିଲେ ନିସ୍ତାର ନାହିଁ। ଦିହରେ ପାଣି ଟିକେ ଢାଳି ନ ହେଲେ ନାତି ନାତୁଣୀଏ କହିବେ ଏ ବୁଢୀ ଦିହରୁ କୁକୁରିଆ ଗନ୍ଧ ବାହାରୁଛି। ୟାକୁ ବାହାରେ ନେଇ ରଖ।

  ମନେ ମନେ ହସି ଦିଏ ବୁଢୀ। କି ଜୀବନ ତାର....କିଏ ବା ତାର ନିଜର।

  ଝାଳନାଳ ହୋଇ ପୁଅ ଘରକୁ ଫେରିଲେ ବୁଢୀ ପଚାରେ “ପୁଅ ଭଲରେ ଅଛୁ ତ?” ସେମାନେ କିଛି କୁହନ୍ତିନି। କେବେକେବେ ରାଗି କୁହନ୍ତି

-- ତୋର କ’ଣ  ଗଲା। ତୁ ତ ଖାଇ ପିଇ ମହା ଆନନ୍ଦରେ ପଡି ରହିଛୁ। ଆମେ ଖଟିଖଟି ଅଧାପ୍ରାଣ ହେଲୁଣି।

ଅଭ୍ୟାସ ବଶତଃ ପଚାରି ଦିଏ --- ପୁଅ ଖାଇଲୁଣି କି ନାହିଁ।

– କାଇଁ ତୋ ଘମ ପୁରିନି ନା କ’ଣ? କେତେ ଆଉ ତେଣ୍ଡିଲେ ତୋ ପେଟ ପୁରିବ। ଦିନରାତି ଖାଲି ଖାଇବି ଖାଇବି ହେଉଛୁ। ମୋତେ ଖାଇଦେ କାମ ସରିବ।

 କିଛି ବୁଝି ପାରେନି ବୁଢୀ। ସେ କ’ଣ  ପଚାରିଲା, ଆଉ ପୁଅ କହିଲା କ’ଣ ।

 ପଖାଳ ଭାତ, ଶାଗ, ଆମ୍ବୁଲ, ଲଙ୍କାମରିଚ ସହ ରସୁଣ ଦି କୋଲା ଖାଇଦେଲେ ତାକୁ ସ୍ଵର୍ଗସୁଖ ମିଳେ। ତୁଣ ତରକାରୀରେ ତାର କେବେ ବି ଆଗ୍ରହ ନ ଥିଲା। ଆଇଁଷ ପାଣି ତ ଗିରସ୍ତ ଗଲା ଦିନରୁ ତୁଣ୍ଡରେ ବାଜିନି। କିନ୍ତୁ ସେତିକି ମିଳିବା ବି ସାତ ସପନ। ରାତିର ବଳକା ରୁଟି ପଟେ ସହ ପାଣି ହେଲା ବୁଢୀର ସକାଳ ଖାଇବା। କେବେ ମନ ହେଲେ ବୋହୂ ପିମ୍ପୁଡି ବସା ଆଗରେ ଚିନି ଦାନା ଦେଲା ପରି କେତେଟି ଦାନା ଚିନି ପକେଇ ଦିଏ। ଦିହି ପହର ଖାଇବା କେତେ ବେଳେ ମିଳିବ ସେ ଜିନିଷର କିଛି ହିସାବ ନ ଥାଏ। ଯେତେ ବେଳେ ମନହେବ ଗୋଟେ ଚେପା ରସ ଥାଳିଆରେ ଭାତ ତୁଣ ମିଶେଇ ବୋହୂ ଆଗରେ ଆଣି ଥୋଇଦେବ। ଖାଇବା ରଖିଲା ବେଳେ ବୋହୂ କେବେ ବି ଭୁଲେନି କହିବାକୁ--

– ଖାଇ ମର୍।

 ଭୋକରେ ଆଉଟୁ ପାଉଟୁ ବୁଢୀ ଜିନିଷର ସୁଆଦ କ’ଣ  ନ ବାରି ଏକ ରକମ ଗିଳି ପକାଏ। ନାତି ନାତୁଣୀଏ ଦେଖିଲେ ରହସ୍ୟ କରି କୁହନ୍ତି – ଆସରେ ଦେଖିବ ବୁଢୀ ଅସୁରୁଣୀ କେମିତି ଗେଫୁଛି। ଖାଇଲା ବେଳକୁ କାହା କଥା କାନ ରେ ପଡେନି। କଥାରେ ପରା ଅଛି ପେଟ ଭୋକ ଆଗରେ କେହି ନୁହଁ। ସେଇ ପେଟ ଚାଖଣ୍ଡକ ପାଇଁ ତ ଏତେ ନାଟ।

 ସମୟ ଗଡି ଯାଉଛି। ସାନ ପୁଅ ଘରୁ କେହି ବି ଆସୁନାହାନ୍ତି ତାକୁ ନେବାକୁ। ହଁ କିଏ ବା ଆସିବ ପୁଅ ତ ଅଫିସ୍ ଯାଇ ସାରିଥିବ। ପିଲା ମାନେ ସ୍କୁଲ୍ ପଳେଇବେଣି। ସାନ ବୋହୂ ଯାହା ଥିବ ଘରେ। ସେ ବା କାହିଁ ବାହାରକୁ ଆସିବ। ବୁଢୀର ମୁଣ୍ଡ ଝାଇଁ ମାରିବା ଆରମ୍ଭ କଲାଣି। ପେଟରେ ଦାନା ଟିକେ ପଡିନି, ଶୋଷରେ ଜିଭ ଲେଉଟି ପଡୁଛି। କେତେ ବେଳ ଯାଏ ସେଇ ପିଣ୍ଡାରେ ବସିବ... ନିଜର ସମସ୍ତ ଶକ୍ତି ଖଟେଇ ସାନ ବୋହୂକୁ ଡାକିଲା। କିନ୍ତୁ ହାୟରେ ବିଧାତା... ସେ ଡାକ ତ ନିଜକୁ ଶୁଭୁନି ସାନ ବୋହୂକୁ କ’ଣ  ଶୁଭିବ ? ବଡ କଷ୍ଟରେ ହାତରେ ଭରା ଦେଇ ଘୁଷୁରି ଘୁଷୁରି ଯାଇ କବାଟ ପାଖରେ ପହଞ୍ଚି ଡାକ ପକେଇଲା।

 ସାନ ବୋହୂ ତା ଘର ଦୁଆରେ ବୁଢୀକୁ ଦେଖି ଚମକି ପଡିଲା।

– ଆରେ ମାସ କ’ଣ  ସରିଲାଣି ଯେ ମୋ ଘରକୁ ଦଉଡି ଆସିଲ। ଆହୁରି ଦୁଇ ଦିନ ବାକି ଅଛି। ଇଏ ଘରକୁ ଆସିବା ଆଗରୁ ଚାଲିଯାଅ ନୋହିଲେ ସେ ରାଗରେ ନିଆଁବାଣ ହୋଇଯିବେ। ଆଜି ଆମ ପୁଅର ଜନ୍ମ ଦିନ। ଘରକୁ ଲୋକବାକ ଆସିବେ। ଘରେ ଯାହା ଖାଇବା ହେବ ମୁଁ ପଠେଇ ଦେବି। କିନ୍ତୁ ଏବେ ଯାଅ ତୁମେ।

 ଗୋଟେ ନିଶ୍ଵାସରେ ଏତିକି କଥା କହି ସାନ ବୋହୂ ମୁହଁ ଫଣଫଣ କରି ଘର ଭିତରକୁ ପଶିଗଲା।

ମାଆ ଲୋ ପାଣି ଟିକେ ପିଇବି। ବହୁତ ଭୋକ ଲାଗୁଛି। ଚୁଡା ଟିକେ କି ମୁଢି ଟିକେ ଦିଅନ୍ତୁନି......ଆଜି ନାତି ଟୋକାର ଜନ୍ମଦିନ? କୁଆଡେ ଗଲା ସେ ଚଗଲା। ଏତିକି କହି ମୁଣ୍ଡ ଉଠେଇଲା ବେଳକୁ ତା ଆଗରେ କେହି ବି ନାହାନ୍ତି।

 କ’ଣ  କରିବ ସେ। କାହା ଆଗେ ଗୁହାରି କରିବ। କିଏ ତାକୁ ପାଣି ମୁନ୍ଦେ ଦେବ, ପେଟକୁ ଦାନା ଟିକେ ଦେବ?

 ଆଖି ଆଗରେ ଅନ୍ଧାର ଛାଇ ଗଲା ପରି ଲାଗୁଛି, ମୁଣ୍ଡ ଭିତରଟା କେମିତି ଫାଟିଲା ପରି ଲାଗୁଛି। ଗୁରୁଣ୍ଡି ଗୁରୁଣ୍ଡି ବୁଢୀ ରାସ୍ତା ପାଖରେ ପହଞ୍ଚିଲା।

 ରାସ୍ତା ଉପରେ ଅନବରତ ଗାଡି ଚାଲିଛି। କାହାର କାହାକୁ ଦେଖିବାକୁ ବି ସମୟ ନାହିଁ। ଘରର ପାଚେରୀକୁ ଆଉଜି ବୁଢୀ ଲୋଚାକୋଚା ହେଇ ବସିଲା।

 ବାବୁ....ପାଣି ଟିକେ ଦିଅ। କ’ଣ  ଖାଇବାକୁ ଟିକେ ଦିଅ। ମୁଁ କାଲିଠୁ କିଛି ଖାଇନି....

 ବଡ ବିକଳ ହୋଇ ବୁଢୀ ନେହୁରା ହୋଇ ଚାଲିଥିଲା। ସାରା ଜୀବନ କାହା ଆଗରେ ପାତି ହୋଇ ନ ଥିବା ହାତ ଦୁଇଟା ଅନିଚ୍ଛା ସତ୍ତ୍ଵେ ଉଠି ରହିଥିଲା କିଛି ମିଳିଯିବା ଆଶାରେ।

 ପାଟିରୁ ଆଉ କଥା ବାହାରୁନି। ଦିହରେ ବଳ ନାହିଁ ହଲିବା ପାଇଁ। ଖରାର ତେଜ ବି ବେଳକୁ ବେଳ ବଢି ଯାଉଛି। ତା ପିଲା ମାନେ ତ ଆଶ୍ରା ଦେଲେନି, କିନ୍ତୁ ଘରର ସେ ପାଚେରୀରେ ଭରା ଦେଇ ଆଶ୍ରୟ ନେଇଛି ବୁଢୀ। ଗୁଣୁଗୁଣୁ ହୋଇ କହିଲା ବୁଢୀ--

– ହେ ଜଗନ୍ନାଥେ ମୋ ପିଲା ମାନଙ୍କୁ ନୀଳଚକ୍ର ଆଢୁଆଳରେ ରଖିବୁ, ତାଙ୍କ ଦୁଃଖ କଷ୍ଟ ମୋତେ ଦେବୁ, ତାଙ୍କ ମାନଙ୍କ ଦେହରେ ଜୀବନ ଥିବା ଯାଏ, ଦେହରେ କନା ଓ ପେଟକୁ ଦାନା ଯୋଗାଉଥିବୁରେ କାଳିଆ........

 ସଜ ପଖାଳରେ ଚିପୁଡା ଯାଇଥିବା ଲେମ୍ବୁର ବାସ୍ନା କୁଆଡୁ ଆସୁଛି। ସଜନା ଶାଗ ସାଙ୍ଗକୁ ଆମ୍ବୁଲ, ରସୁଣ ଓ ମରିଚର ଚକଟା ବାସ୍ନା ନାକ ଭିତରଟାକୁ ମନ୍ଥି ପକଉଛି। କିଏ ତାକୁ ଖାଇବାକୁ ଦେଲା ନା କ’ଣ ?

 ତାକୁ ଝାପସା ଦିଶିଲା ତା ଗେରସ୍ତ ହସହସ ମୁହଁରେ ଆଗରେ ଠିଆ ହୋଇଛି। ବୁଢୀ ଥରଥର ହାତରେ ମୁଣ୍ଡରେ ଓଢଣା ଦେବାକୁ ଚେଷ୍ଟା କଲା । ଆରେ ଏ କ’ଣ ସେ ହାତ ବଢେଇ ତା ପାଟିରେ ଭାତ ଗୁଣ୍ଡାଟେ ଦେଉଛି। ଭାରି ଲାଜ ଲାଗିଲା ବୁଢୀକୁ। କହିଲା

– ଇଏ କି ଛୋପରାମୀ, ଲୋକେ ଦେଖିବେ ଯେ...ରାସ୍ତା ଉପରେ ଏମିତି ସରାଗ କ’ଣ ପାଇଁ ବୋହି ଯାଉଛି ଯେ......

 ଆଖି ଆଗରୁ ତା ଗେରସ୍ତର ଚେହେରାଟା ଧିରେ ଧିରେ ଅଦୃଶ୍ୟ ହୋଇଯାଉଛି। ପାଟି କରି ଡାକିବାକୁ ଚେଷ୍ଟା କଲା..... କିନ୍ତୁ ପାଟିଟା ଖୋଲୁନି ଯାବ ପଡିଯାଇଛି। ମନେ ମନେ କହିଲା ବୁଢୀ

– – ଭାରି ନାଗରିଆ ଢଙ୍ଗ ୟାଙ୍କର, ବଳେ ଆସିବେ ଯେ...

ଧିରେ ଧିରେ ବୁଢୀ କାନ୍ଥକୁ ଆଉଜି ଗଳି ପଡିଲା।

– ଆରେ ଏ ବୁଢୀ ବାହାରକୁ କେମିତି ଆସିଲା। ବାଟ ଘାଟରେ ଆଉ ମୁହଁ ଦେଖେଇ ହେବନାହିଁ ୟା ପାଇଁ। ଭିକାରୀଙ୍କ ପରି ରାସ୍ତାରେ ବସିଛି। ବଡ ପାଟିରେ ଚିତ୍କାର କରି କହିଲା ସାନ ପୁଅ।

 ତା ପାଟି ଶୁଣି ବଡପୁଅ ବୋହୂ ବାହାରକୁ ଆସି ପାଟି କରିବା ଆରମ୍ଭ କରିଦେଲେ।

– ତୋ ପାଳି ତୁ ବୁଝିବା କଥା। ଏତେ ପାଠ ପଢଉଛୁ କାହାକୁ?

– ମୋ ପାଳି ନ ଚୋପା। କ’ଣ ମାସ ସରିଲାଣି କି? ବିରକ୍ତିରେ କହିଲା ସାନ ପୁଅ।

– କି ଚାକିରି କରିଛୁ କେଜାଣି, ଏତିକି ଜାଣିନୁ ଫେବୃଆରି ମାସରେ ଅଠେଇଶ ଦିନ ଥାଏ ବୋଲି। ଆଖି ନଚାଇ ବିଜୟ ସୂଚକ ହସଟେ ହସି କହିଲା ବଡ ପୁଅ। ବଡ ବୋହୂ ମୁହଁକୁ ମୋଡି କହିଲା

– – ଏବେ ହିସାବ ଜାଣିଲ ତ? ତୁମ ମାଆକୁ ପାଛୋଟି ନିଅ ଘରକୁ। ଛଅ ତିଅଣ ନ ଭଜା କରି ଖୁଏଇବ।

 ରାଗ କାହା ଉପରେ ଶୁଝେଇବ ଜାଣି ନ ପାରି ଗରଗର ହୋଇ ସାନ ପୁଅ ବୁଢୀର ହାତକୁ ଧରି ଜୋରରେ ଟାଣି କହିଲା--

– ତୋତେ ମରଣ ହେଉନି ଯାହା, ଏତେ ହନ୍ତସନ୍ତ କରୁଛୁ ଆମକୁ।

 ବୁଢୀର ବେକ ଗୋଟେ ପଟକୁ ଢଳି ପଡିଲା। ପାଟିରୁ ଲାଳ ଟିକେ ବୋହି ଗାଲରେ ଲାଗିଛି, ମୁହଁରେ ସେମିତି ହସ ଚେନାଏ ଲାଖି ରହିଛି।

 ବଡପୁଅ ବୋହୂ ଦୀର୍ଘ ନିଶ୍ଵାସ ଛାଡିଲେ ଯାହା ହେଉ ଏ ପାଳିର ପାଲା ସରିଲା।

  *************


Rate this content
Log in

Similar oriya story from Classics