Lipi Sahoo

Comedy

4.6  

Lipi Sahoo

Comedy

ଓଃ!!! ମା ....ଗୋ.......

ଓଃ!!! ମା ....ଗୋ.......

9 mins
289


ପଙ୍କନନା ଆଉ ଚମ୍ପିନାନୀ ଙ୍କ ଯୋଡି ଆଳୁଦମ୍ ଦହିବରା ଭଳି ଛୋପରାପୁର ରେ ବିଶ୍ଵ ପ୍ରସିଦ୍ଧ । ପଙ୍କନନା ଦେଖିବାକୁ କଳା ମଚମଚ ଡାମରା କାଉ ଭଳି । କୋଲେଗେଟ୍ ରେ ମଜା ଧୋବ ଫରଫର ଦାନ୍ତ କୁ ଲହଲହକା ଚେହେରା । ସେଥିରେ ପୁଣି କୁଞ୍ଜକୁଞ୍ଜିଆ ହିପି ବାଳ। ସେ ଯେତେବେଳେ ଜନ୍ମ ହେଲା ଗାଁ ମାଇପେ ଦେଖି କହିଲେ , ଆଲୋ ସପନି ତୁ ପୁଅଟେ ନୁହଁ ପଙ୍କ ଗଦାଟେ ଜନମ କରିଚୁ । ସେଇ ଦିନଠୁ ତା ନାଁ ପଡ଼ିଗଲା ପଙ୍କ । ସେ ଯେତେବେଳେ ବଡ଼ ହେଲା ସାଙ୍ଗସାଥୀ ଟାପରା କରନ୍ତି ତୁ ଆଜୀବନ ବ୍ରହ୍ମଚାରୀ ରହିବୁ , ତୋତେ କିଏ ଝିଅ ଦେବ କହିଲୁ ??? ତୋର ଆଉ ସଂସାର ଜଞ୍ଜାଳ ରହିବନି । ବିଚରା କିଛି କହେନି ଖାଲି ମୁଚୁକୁନ୍ଦ ହସ ମାରେ । ହେଲେ କିଏ ଜାଣିଥିଲା କପିଳା ଦିନେ କପିଳେନ୍ଦ୍ର ଦେବ ହେବ ??? 


                  ଯୋଉ ଦିନ ବାଣ ରୋଷଣି ବାଜା ବଜେଇ ପଙ୍କ ଗାଁ ଦାଣ୍ଡ ଦୁଲକେଇ ଗଲା , ତଥାପି ଗାଁ ଲୋକ ଙ୍କର ବିଶ୍ୱାସ ହେଉ ନଥାଏ ଯେ ପଙ୍କ ବାହା ହେଉଛି । ସବୁ ଟୁପୁରୁ ଟାପର ହେଲେ ଝିଅବାଲା ବୋଧେ ପଙ୍କକୁ ଦେଖି ନାହାଁନ୍ତି । ଝିଅ ରାଜି ହେଲା କେମିତି ??? ବହୁତ ଗରିବ ଘର ଝିଅ ହେଇଥିବ , ନହେଲେ ଦୋବେହି କନିଆଁ ହେଇଥିବ !!! ନହେଲେ ସେ ଝିଅ ବି ୟାରି ପରି ହେଇଥିବ । ତାକୁ ବର ମିଳି ନଥିବେ । ସବୁ କଳ୍ପନା ଜଳ୍ପନା ରେ ପୂର୍ଣ୍ଣଚ୍ଛେଦ ପଡ଼ିଗଲା । ତାପର ଦିନ ସକାଳେ ଯେତେବେଳେ ବରଗାଡ଼ି ଫେରିଲା । ବୋହୂ ଓଢ଼ଣା ଟାଣି ଗାଡ଼ି ରୁ ଓହ୍ଲେଇବା ମାତ୍ରେ ହୁଳହୁଳି ପକେଇ ଗାଁ ମାଇପେ ଘେରିଗଲେ । ସମସ୍ତ ଙ୍କ ମନ ଏମିତି ଛକପକ ହେଲା ଯେ ଆଉ ମୁହଁ ଦେଖାକୁ ଅପେକ୍ଷା କରିବାକୁ କାହାର ତର ହେଲାନି । ସେଇ ଗାଁ ଦାଣ୍ଡରେ ଓଢ଼ଣା ଟେକି ଦେଲେ । ତାପରେ ତ ସମସ୍ତ ଙ୍କ ପାଟି ମେଲା କୁ ମେଲା ହେଇ ରହିଗଲା । ପୁଣି ପାଟି ଏମିତି ବନ୍ଦ ହେଲା ଯେ ସତେକି ସମସ୍ତ ଙ୍କର କୋଲପ ପଡ଼ି ଯାଇଛି । କଅଁଳ ବୟସ କୁ ଗୋରା ତକତକ ପାନ ପତରିଆ ମୁହଁ । ସେଥିରେ ପୁଣି ଗୋଲମୋଟଲ ଚେହେରା । ଗୋଟାପଣେ ସୁନା ରେ ଲଦି ହେଇଥାଏ । ଯିଏ ଦେଖିବ ଘଡ଼ିଏ ଚାହିଁ ରହିବ । ନଦେଖିବା ଲୋକ ଦେଖ କଇଁଛ କାଢିଚି ବେକ ..... । ଗାଁ ଲୋକେ ଯେତେ ସବୁ ଅନୁମାନ ଲଗେଇଥିଲେ , ପାଣିପାଗ ପୂର୍ବାନୁମାନ ପରି ଭୂଲଭାଲ ହେଇଗଲା । ଛୋପରାପୁର ଗାଁ ପାଇଁ ସେଟା ଗୋଟେ ଐତିହାସିକ ଦିନ ଥିଲା । ପଙ୍କ ସେଦିନ ଏମିତି ଛାତି ଫୁଲେଇ ଠିଆ ହେଇଥିଲା ସତେ କି ଆଲେକଜାଣ୍ଡାର ଦ୍ୱିତୀୟ । ସେଇ ଦିନଠାରୁ ଗାଁ ର ଯେତେ ଟୋକାଟୋକଳିଆ ଥଟ୍ଟା ମଜା ରେ ପଙ୍କନନା ଆଉ ଚମ୍ପିନାନୀ ଯୋଡିର ରାଣ ଖାଆନ୍ତି । ସେ ଯୋଡ଼ି ନଂ ୱାନ ଯୋଡ଼ି ।


                  କିଛି ଦିନ ପରେ ଗାଁ ଲୋକେ ଯେତେବେଳେ ଜାଣିଲେ ପଙ୍କନନା ଆଉ ଚମ୍ପିନାନୀ ର ଏଇଟା ପ୍ରେମ ବିବାହ ଥିଲା ସେମାନଙ୍କ ଫାକାଶି ଉଡିଗଲା । ଟୋକାଙ୍କୁ ସମ୍ଭାଳେ କିଏ ??? ଦିନେ ଗାଁ ବରଗଛ ପାଖରେ ମାଡି ବସିଲେ ତ ପଙ୍କନନା କୁ । କହିଲେ କିହେ !! ନନା ତମେ ତ ପୂରା ଶେଉଳ ଭଳି ପୋଖରୀ ରେ ବୁଡି ବୁଡି ପାଣି ପିଇଲ ?? କେହି ଟେର ବି ପାଇଲେନି । ଏମିତି କ'ଣ ଥୋପ ଲଗେଇଲ କି ??? ଚମ୍ପିନାନୀ ଆସି ତମ ବଇଁଶି କଣ୍ଟାରେ ଲାଖିଗଲା । 

                   ମିଛ ରାଗରେ ପଙ୍କ ଝିଙ୍ଗାସି ଉଠି କହିଲା କାହିଁକି ଏମିତି ଛୋପରା ଭଳି ହେଉଚ କହିଲ ?? 

                   ହେଃ !! କୁହ ମ କାହିଁକି ଏମିତି ଝିଅ ପିଲା ଭଳି ଲାଜଉଚ ?? ଆଜି ତମକୁ ଛଡ଼ା ହେବନି , ଯେ ପର୍ଯ୍ୟନ୍ତ ତମ କାହାଣୀ ନ କହିଚ । ଦୁଇ ବାହାକୁ ଧରି , ଶୂନ୍ୟେ ଶୂନ୍ୟେ ତାକୁ ଟେକି ନେଇ ବରଗଛ ପିଣ୍ଡି ଉପରେ ବସେଇ ଦେଲେ । ପଙ୍କନନା ମନେମନେ କଳିନେଲା ଆଜି ଏମାନଙ୍କ ଠାରୁ ବର୍ତ୍ତିବା ଅସମ୍ଭବ ।

                  

                ହଉ , ରୁହ !! କହୁଚି କହି ନାଟକୀୟ ଢଙ୍ଗରେ ଆରମ୍ଭ କଲା । ଏକଦା ଛୋପରେଶ୍ୱରପୁର ବୋଲି ଏକ ରାଜ୍ୟ ଥିଲା । ଏତିକି ଶୁଣି ଥୋକେ ଟୋକା ହାଉଳେଇ ଉଠିଲେ । କ'ଣ ମ ପଙ୍କନନା ଥଟ୍ଟା ଖେଳୁଚ ??? ପଙ୍କନନା ରସିକପଣିଆ ଦେଖେଇ କହିଲେ ତମେମାନେ ତ ନଈ ନ ଦେଖୁଣୁ ଲଙ୍ଗଳା । କହିଲ କାହାଣୀ ଶୁଣିବ ଶୁଣଉଚି । କାହାଣୀ ଟା କାହାଣୀ ଭଳିଆ ହେବା ଦରକାର ନା । ଧର୍ଯ୍ୟ ଧରି ଶୁଣ । 

                

           ସେଇ ରାଜ୍ୟର ଯୁବରାଜ ଥିଲେ ପଙ୍କାଦିତ୍ୟ । ଅଦମ୍ୟ ସାହାସୀ ଆଉ ବୀର । ଏତିକି ଶୁଣି ସବୁ ହେଁ ହେଁ ହେଇ ଦାନ୍ତ ନେଫେଡିଲେ । ପଙ୍କନନା ରାଗିଯାଇ କହିଲା ଯା ମୁଁ ଆଉ ଶୁଣେବିନି । ଦଳେ ତା ଗୋଡକୁ ମାଡି ବସି କହିଲେ ହଉ ହଉ ଆମେ ଏଥର ଆଉ ହସିବୁନି କୁହ । ପଙ୍କନନା ପୁଣି କାହାଣୀ ଖିଅ ଧରିଲେ । 

           ଯୁବରାଜ ଙ୍କର ଗୋଟିଏ ଜିନିଷ ଊଣା ଥିଲା ସେଇଟା ହେଉଚି ତାଙ୍କ ରୂପ । ସେଥିପାଇଁ ରାଜାରାଣୀ ଚିନ୍ତିତ ଥିଲେ । ରୂପ ପାଇଁ ହୁଏତ ଯୁବରାଜ ଙ୍କ ବିବାହ ନ ହେଇପାରେ । କେଉଁ ରାଜକନ୍ୟା ଯୁବରାଜ ଙ୍କୁ ବିବାହ କରିବାକୁ ରାଜିହେବା ?? ସେଇ ଚିନ୍ତା ଘରିଥାଏ । ରାଜାଙ୍କର ଭଗ୍ନୀ ପଡୋଶୀ ରାଜ୍ୟ ରେ ବିବାହ କରିଥାଆନ୍ତି । ରାଜା ପ୍ରତି ରଜ ଉତ୍ସବ ରେ ନିଜ ଭଗ୍ନୀ ନିକଟକୁ ନା ନା ଅମୂଲ୍ୟ ଉପହାର ପ୍ରେରଣ କରନ୍ତି । ଥରେ ସେଇ ଉପହାର ସବୁ ଯୁବରାଜ ଙ୍କ ହାତରେ ପ୍ରେରଣ କଲେ । ଯୁବରାଜ ସେଇ ଉପହାର ସବୁ ଧରି ନିଜ ପିଉସୀ ଙ୍କ ରାଜ୍ୟରେ ଉପନୀତ ହେଲେ । ସେଇ ରାଜ୍ୟରେ ଏକ ବିରାଟ ପଦ୍ମ ପୁଷ୍କରିଣୀ ଥିଲା । ସୂର୍ଯ୍ୟ ଆସି ମୁଣ୍ଡ ଉପରେ ହେଇଥାଏ । ସେଇ ବାଟ ଏକାନ୍ତ ଶୂନଶାନ ଥିଲା । ତାଙ୍କ ଅଶ୍ୱ ଚାଲିଥାଏ .......

           

               ଟେରା ଟିକେ ଉତ୍ସାହିତ ହୋଇ ପଚାରିଲା , ଘୋଡା ମାନେ ତମର ସେଇ ପୁରୁଣା 'ରାଜଦୂତ' ତ .......ଘଡ ଘଡ ଶବ୍ଦ କରି କାନ ତାବଦା କରିଦିଏ ????


               ମକୁ ସାଙ୍ଗେ ସାଙ୍ଗେ ଟେରାର ପାଟିକୁ ମାଡିବସି କହିଲା , ଟେରା ରା ରା ......... ଚୁପ୍ ବସ୍ ।


       ହଠାତ୍ ଯୁବରାଜ ଙ୍କୁ ଶୋଷ ଲାଗିଲା । ସେ ଅଶ୍ୱରୁ ଓହ୍ଲେଇ ପୁଷ୍କରିଣୀ କୁ ଯିବାକୁ ଉଦ୍ଯତ ହେବା ସମୟରେ ଦେଖିଲେ ଜଣେ ଅତିବ ସୁନ୍ଦରୀ ରମଣୀ ସେଠି ସ୍ନାନ କରୁଥିଲେ । ସେ ଆଉ ଆଗକୁ ନଯାଇ ସ୍ନାନରତା ରମଣୀ ଙ୍କୁ ଅବଲୋକନ କରିବା ଆରମ୍ଭ କରିଦେଲେ । ସେ ରମଣୀ ସ୍ନାନ ସମାପନ କରି ସିକ୍ତ ବସ୍ତ୍ର ବାହାର କରି ଶୁଷ୍କ ବସ୍ତ୍ର ଗୁଡେଇ ହୋଇ ପାହାଚ ଦେଇ ଉପରକୁ ଆସିବା ସମୟରେ ଏକ ବିରାଟ ବିଷଧର ସର୍ପ ଦେଖିଲେ । ସେ ଭୟରେ ଚିତ୍କାର କରି ଦୌଡ଼ିବା ଆରମ୍ଭ କଲେ । ସାମ୍ନା ରେ ଯୁବରାଜ ଙ୍କୁ ଦେଖି ଜୀବନ ବିକଳରେ କୁଣ୍ଢେଇ ପକେଇଲେ । ହଠାତ୍ ଦୁହେଁ ଭାରସାମ୍ୟ ହରେଇ ପଡିଗଲେ । ଯୁବରାଜ ତଳେ ତାଙ୍କ ଉପରେ ସେଇ ଅପରୂପା କନ୍ୟା । ସର୍ପ ଟି ଖୁବ୍ ନିକଟକୁ ଚାଲି ଆସିଥାଏ । ତେଣୁ ସେ ଦୁହେଁ ସେମିତି ନିଶ୍ଚଳ ଭାବରେ ପଡିରହିଲେ । ସେ ସର୍ପ ଦୁହିଁଙ୍କୁ ପ୍ରଦକ୍ଷଣା କରିବା ଆରମ୍ଭ କରିଦେଲା । ଯୁବରାଜ ଆଉ ସୁନ୍ଦରୀ ଜୀବନ ରକ୍ଷା ନିମନ୍ତେ ସେଇମିତି ପଡିରହିଲେ । କିଛି ସମୟ ପରେ ସେ ସର୍ପ ସେ ଜାଗା ଛାଡି ଚାଲିଗଲା । 

            

       ଟୋକାମାନଙ୍କ ଭିତରୁ ଜଣେ ଛେପଢୋକି ପଚାରିଲା ତା'ପରେ କ'ଣ ହେଲା ନନା ???? ପଙ୍କ ମୁହଁ କୁ ଆମ୍ବିଳା କରି କହିଲା , କାହିଁକି ନିଧିଆ ମଝିରେ ଟୋକୁଚୁ କହିଲୁ ?? 

       ଗୋଧିଆ କହିଲା ହୋଇହୋ !! ପଙ୍କନନା ତମେ ତ ଆମ ସସ୍ପେନ୍ସ ବଢେଇ ଦଉଚ ଆମେ କ'ଣ କରିବୁ ?? ହଉ ହଉ !! କାହାଣୀ ଆଗଉ ।

           

         ଲାଜ ଜଡସଡ ହେଇ ସେ ସୁନ୍ଦରୀ ଉଠିଲା । ସେ ଆଉ ରାଜକୁମାର ସହ ନଜର ମିଶେଇ ପାରୁ ନଥିଲା । ଧୀରେ ଧୀରେ ଯିବାକୁ ଉଦ୍ଯତ ହେଲା । ୟେତିକି ଭିତରେ ରାଜକୁମାର ସଂପୂର୍ଣ୍ଣ ରୂପେ ତା'ର ପ୍ରେମରେ ପଡି ସାରିଥିଲେ । ରାଜକୁମାର ସଙ୍ଗେ ସଙ୍ଗେ ପଚାରି ବସିଲେ ତା ନାଁ । 

         ସୁନ୍ଦରୀ ଲଜ୍ଜ୍ୟାନତ ମୁଖରେ କୋମଳ କଣ୍ଠରେ କହିଲେ ଚମ୍ପାବତୀ । ସେ ପାଦ ଆଙ୍ଗୁଳିରେ ମାଟିରେ ଗାର କାଟୁ କାଟୁ ପଚାରିଲା ଆପଣ ତ ୟେ ରାଜ୍ୟ ର ନୁହଁନ୍ତି ?? କେଉଁଠୁ ଆସିଲେ ?? 

              ରାଜକୁମାର ସଦର୍ପେ କହିଲେ ମୁଁ ପଡୋଶୀ ରାଜ୍ୟ ରୁ ଆସିଛି । ଏଇଠି ମୋର ପିଉସୀ ରୁହନ୍ତି । ତାଙ୍କ ଉଆସ ଶିବ ମନ୍ଦିର ପାଖରେ । ତାଙ୍କ ନାମ ଦେବକୀ ।

               ସୁନ୍ଦରୀ ଖୁସି ହେଇ କହିଲେ , ସେ ତ ଆମ ପଡ଼ୋଶୀ । 

       ରାଜକୁମାର ଚଟାପଟ କହିଲେ ,ତେବେ ଚାଲ ଦୁହେଁ ମିଶି କି ଯିବା । ଦୁହିଁଙ୍କ ଗନ୍ତବ୍ୟ ସ୍ଥଳ ପାଖାପାଖି । 


                  ପୁନଶ୍ଚ କୋକିଳ କଣ୍ଠରେ କହିଲେ ଆମେ ଯଦି ମିଶି କରି ଯିବା , ରାଜ୍ୟବାସୀ କ'ଣ ଭାବିବେ ?? 


              ରାଜକୁମାର କହିଲେ , ବେସ୍ ତେବେ ତୁମେ ଆଗେ ଆଗେ ଚାଲ ମୁଁ ତୁମ ପଛେ ପଛେ ଦୂରତା ରକ୍ଷା କରି ଯିବି । କଥା ଟି ତାଙ୍କ ମନକୁ ପାଇଲା । ସେ ଚାଲିବା ଆରମ୍ଭ କଲେ । ତା'ର ରାଜହଂସି ଚାଲି ରାଜକୁମାର ଙ୍କୁ ମତୁୱଆଲା କରୁଥିଲା ।

              ସେ ଦିନ ର ଘଟଣା ସେଇଠି ସରିଲା । ବାଙ୍କା ଶୁଣୁଶୁଣୁ କହି ଉଠିଲା , ହେତ୍ ପଙ୍କନନା ତମେ ଜମା କାମକୁ ନୁହଁ । ଚାଲିବା ଭିତରେ ପ୍ରପୋଜ୍ ଟା ମାରିଦେଇ ଥାଆନ୍ତ ନା । 

              ରହ !! ତୁ ତ ଖାଲି ଘୋଡାରେ ଚଢି କି ଆସିବୁ । ମନ ଦିଆନିଆ କଥା ଏମିତି ଛାନିଆ ହେଲେ ହବ । ସେଠୁ କ'ଣ ହେଲା ଶୁଣ !! ପିଉସୀ ରାଜକୁମାର ଙ୍କୁ ଦେଖି ଖୁସି ହେଇଗଲେ । କୁଣ୍ଢେଇ ପକେଇଲେ ।

             

        ହେଃ ! ପିଉସୀ କୁଣ୍ଢେଇଲେ କ'ଣ ହେବ ??ବାଙ୍କା ପୁଣି ବିଳବିଳେଇ ଉଠିଲା । ତମେ ସେଇ ଚମ୍ପାବତୀ ଙ୍କ କଥା କୁହ ମ ଆଗକୁ କ'ଣ ହେଲା ???

         

        ଦେଖ ବାଙ୍କା !! ତୁ କାହାଣୀ ମଝିରେ ଏମିତି ଷଣ୍ଢ ପଶେଇଲେ ମୁଁ ଆଉ କହିବିନି । ମୁଁ ଯାଉଛି ।

         

        ଧଡ୍ କରି ସୁକୁଟା ନନାଙ୍କୁ ମାଡ଼ି ବସିଲା । କହିଲା ହେଃ !! ନନା ତମେ ସେ ଛୋପରା ଟୋକାର କଥା ଧରୁଚ । ତା'ର କ'ଣ ବାଗବାଇସ କିଛି ଅଛି ??? ଏଇ ବାଙ୍କା !! ଆଉ ଯଦି ମଝିରେ ଭଡଭଡ ହେବୁ ଏଇ ଗାମୁଛା ତୋ ପାଟିରେ ଠୁସି ଦେବି । ଚୁପକିନା ବସ । ବାଙ୍କା ପାଟିରେ ହାତ ଦେଇ ମୁଣ୍ଡ ହଲେଇଲା ।

       

        ପଙ୍କନନା ଗଳାସଫା କରି ପୁଣି ଆରମ୍ଭ କଲା । ପିଉସୀ ଯିଦ୍ କଲେ , ଯଦି ତୁ ଆସିଚୁ ଏଥର ଏଇ ରାଜ୍ୟ ର ରଜ ଉତ୍ସବ ଦେଖିକି ଯିବୁ । ପଙ୍କାଦିତ୍ୟ ଙ୍କର ବି କୋଉ ଫେରିବାର ଇଚ୍ଛା ଥିଲା । ମନ ତ ଚମ୍ପାବତୀ ଙ୍କ ପାଖରେ ଥିଲା । ସେଦିନ ରାତିରେ ପଙ୍କଦିତ୍ୟ ଙ୍କର ନିଦ ହଜି ଯାଇଥାଏ । ରାତି ସାରା ଛଟପଟ ହେଲେ । ରାତ୍ର ର ଶେଷାର୍ଦ୍ଧରେ ଚମ୍ପାବତୀ ଙ୍କ ସୁନେଲି ସ୍ୱପ୍ନ ରେ ହଜିଗଲେ । ରାତି ପାହିଲେ ରଜ ।


          ସକାଳକୁ ଗାଁ ଚଳଚଞ୍ଚଳ ହୋଇ ଉଠିଲା । ଘରୁ ଘରୁ ପିଠାପଣାର ବାସ୍ନା ଛୁଟିଲା । ହେଲେ ରାଜକୁମାର ଙ୍କ ମନ କେଉଁ ଥିରେ ଲାଗୁ ନଥାଏ । ଏଇ ସମୟରେ ଗୋଟିଏ ଛୋଟପିଲା ଟେ ଆସି ତାଙ୍କୁ ପଚାରିଲା ତୁମେ ବିଦେଶୀ ??? ରାଜକୁମାର ମୁଣ୍ଡ ହଁ ରେ ହଲେଇଲେ । ସେ ପିଲା ଟି ଚୋର ଭଳିଆ ଏପଟ ସେପଟ କୁ ଅନେଇଲା । ତା'ର ହାବଭାବ ରାଜକୁମାର ଙ୍କୁ ଆଶ୍ଚର୍ଯ୍ୟାନ୍ୱତ କଲା । ତାଙ୍କ ହାତ ଧରି ସେ ଗୋଟେ କୋଣକୁ ଡାକିନେଲା । ଆଉ ପକେଟ୍ ରୁ ଛୋଟିଆ ମୋଡାମୋଡି ହେଇଥିବା କାଗଜ ଟିଏ କାଢି ତାଙ୍କ ହାତରେ ଧରେଇ ଦେଇ ପିଟପିଟ ହେଇ ଦୌଡ଼ି ପଳେଇଲା । 


             ରାଜକୁମାର ଆଶ୍ଚର୍ଯ୍ୟ ର ସହ ସେଇ କାଗଜ ଟିକୁ ଖୋଲିଲେ । ଉପରେ ପ୍ରିୟତମ ଆଉ ତଳେ ଚମ୍ପାବତୀ ଦେଖି ଦେଇ ଆତ୍ମହରା ହେଇ ପଡିଲେ ସେ । ୟା ସହ ଖରାବେଳେ ଆମ୍ବତୋଟାକୁ ଆସିବାକୁ ନିମନ୍ତ୍ରଣ ଥିଲା । ଏମିତି ସବୁଜ ସ୍ୱପ୍ନ ରେ ବିଭୋର ହୋଇ ପଡିଲେ ଯେ , ହାତରୁ ଚିଠି କେତେବେଳେ ଖସି ତଳେ ପଡି ଯାଇଚି ହୋସ୍ ନାହିଁ ।


              ପିଉସୀ ଙ୍କ ହାତରେ ଚିଠିଟି ପଡ଼ିଗଲା । ସେ ଚିଠି ଖୋଲି ସବୁ ଅନୁମାନ କରିନେଲେ । ସେ ବି ବହୁତ ଖୁସି ହେଇଗଲେ । ଚମ୍ପିବତୀ ଭଳି ଗୁଣବତୀ ସୁନ୍ଦରୀ ଝିଅ ପଙ୍କାଦିତ୍ୟକୁ ମନ ଦେଇ ବସିବ ସେ କଳ୍ପନା କରି ନଥିଲେ । ଟିକେ ମିଛ ରାଗ ଦେଖେଇ କହିଲେ କୁଆଡେ ଯିବା ଦରକାର ନାହିଁ । ଘରେ ରହ !!! ମୁଁ ସେଇ ଟୋକୀର କଥା ବୁଝିକି ଆସୁଚି । ହେଲା !!!



            ଖୁବ୍ ଡରିଗଲେ ରାଜକୁମାର । ବିଚରୀ ଝିଅଟା ମୋ ଭୂଲ୍ ପାଇଁ ଫସିଗଲା । ହେ ପ୍ରଭୁ !! ତାକୁ ରକ୍ଷା କର । 


                ଗୋବରା ୟେତେ ସମୟ ଧରି ଚୁପଚାପ୍ ବସିଥିଲା । ହଠାତ୍ ତା'ର ଧର୍ଯ୍ୟଚ୍ୟୁତି ଘଟିଲା । କହି ଉଠିଲା, ତା ପରେ କ'ଣ ହେଲା ??? ହେତ୍ !! ପଙ୍କନନା ତମେ କ'ଣ କଲ ??? ତୋଟା ପ୍ରୋଗ୍ରାମ ଟା ତ ପୂରା ମାରା କଲ କଲ । ଝିଅଟା କୁ ବି ଫସେଇ ଦେଲ ?? ଗାଳିମାଡ ଢେର ଖାଇଥିବ ???


            ଏଥର ତ ପଙ୍କନନା ଙ୍କର ରାଗ ମୁଣ୍ଡ ଉପରକୁ ଚଢ଼ିଗଲା । ହଉ ତୁ ଆଗକୁ କହ , ସବୁ ଜାଣିଚୁ ଯଦି । ମୁଁ ଚାଲିଲି ଆଉ କିଛି କହିବିନି । 

            ଥିଲା ଥିଲା ଯାଦୁଆ ପଟାସ୍ କିନା ଗୋଟେ ଚାପୁଡ଼ା ଗୋବରା ମୁଣ୍ଡ ପଛରେ ବସେଇଲା । କହିଲା , ତୁ ବେଶୀ ସିଆଣିଆ । ତୋଟା ପ୍ରୋଗ୍ରାମ ପଙ୍କନନାର ମାରା ହେଲା । ତୋତେ କାଇଁ ୟେତେ ବାଧୁଚି ?? ସତେକି ତୋର ରାସ ବନ୍ଦ ହେଇଗଲା ??? ଶଳା ଗୋଟେ ଭାରି ଲାଳୁଆ ପିଲାଟା । ନାଇଁ ମ ପଙ୍କନନା ତମେ ଏଥର କୁହ । ଏବେ ଯଦି କେହି ମଝିରେ ପାଟି ଖୋଲିବେ ମୁଁ ପଟାସ୍ ପଟାସ୍ ସେକିବି । ତମେ କୁହ !! ମୁଁ ଜଗିଲି ।


                   କୋଇଠି ଥିଲି ତ ମୁଁ ??? ହଁ ପିଇସୀ ଯାଇ ଥିଲେ । ଦୀର୍ଘ ଦୁଇ ଘଣ୍ଟା ପରେ ପିଉସୀ ଦୁମୁ ଦୁମ କରି ଫେରିଲେ । ବୁଝିଲୁ ପଙ୍କାଦିତ୍ୟ ସେ ଝିଅକୁ ସାବାଡ କରି ଆସିଛି । କେଡେ ଚଣ୍ଡୀ ଟେ ଲୋ ସେ ??? ଏତିକିରେ ରାଜକୁମାର ଙ୍କ ଆଖି ଛଳଛଳ ହେଇଗଲା । କେତେ ବଡ଼ ଭୂଲ କଲି ??? ଆଉ ଖାଇବା ପିଇବା ରୁଚିଲାନି । ମୁହଁ ଶୁଖେଇ ଘର ଭିତରେ ବସିଲେ । ଉତ୍ସବ ଗଲା ଚୂଲି କି । ରାତି ସାରା ପୁଣି ଛଟପଟ ହେଲେ ।


           ତାପର ଦିନ ସକାଳେ ଦେଖିଲା ବେଳକୁ ସେଠି ରାଜାରାଣୀ ଆସି ପହଁଚି ସାରିଥିଲେ । ରାଜକୁମାର ଆହୁରି ଡରିଗଲେ । ମନେ ମନେ ଭାବିଲେ , ପିଉସୀ କଥାକୁ କାହିଁକି ୟେତେ ମାଜୁଚନ୍ତି । ବାପା ମା'ଙ୍କୁ ଡକେଇବା କ'ଣ ଦରକାର ??? ଖରାବେଳକୁ ସବୁ ମିଶି ଚମ୍ପାବତୀ ଙ୍କ ଘରକୁ ଗଲେ । କଳା ମୁହଁ ଆହୁରି କଳା ପଡି ଯାଇଥାଏ । ଭୟରେ ଗୋଡ଼ ଥରୁଥାଏ । ହେଲେ ତାଙ୍କ ଘରେ ପହଞ୍ଚିବା କ୍ଷଣି ଚମ୍ପାବତୀ ଙ୍କ ମାତାପିତା ଆଦରେ ସେମାନଙ୍କୁ ଭିତରକୁ ଡାକିନେଲେ । ନା ନା ପ୍ରକାର ବ୍ୟଞ୍ଜନ ଆଣି ସାମ୍ନାରେ ରଖିଲେ । ସମସ୍ତେ ହସଖୁସିରେ କଥା ହେଉ ଥାଆନ୍ତି । ରାଜକୁମାର କିଛି ବୁଝିବା ଆଗରୁ ଚମ୍ପାବତୀ ସର୍ବତ ଟ୍ରେ ଧରି ପଶିଲେ । ଓଃ !! ପଙ୍କାଦିତ୍ୟଙ୍କ ଛାତିରେ ଜୀବନ ପଶିଲା । ଏଥର ସେ ସବୁ ଘଟଣା ବୁଝି ପାରିଲେ । କଣେଇ କଣେଇ ଚମ୍ପାବତୀ ଙ୍କୁ ଚାହିଁ ମୁଚୁକୁନ୍ଦ ମାରୁଥାନ୍ତି । ସେ ବି ଲାଜରେ ମୁହଁପୋତି ବସି କଣେଇ କଣେଇ ଚାହୁଁଥାନ୍ତି । ଦେଖାଦେଖି ପର୍ବ ସରିଗଲା । ତାପର ସବୁ ଘଟଣା ତ ତମେମାନେ ଦେଖିଚ ଆଉ କ'ଣ କହିବି ????

          

                 ଯାଦୁଆ ଗଳା ସଫାକରି ପଚାରିଲା, ଆଚ୍ଛା ପଙ୍କନନା ତମେ ୟେତେ ଯୋଉ ଗୌରଚନ୍ଦ୍ରିକା କରି ଘଟଣା ଟି କହିଲ ସେଟା କ'ଣ ପୂରା ସତ ନା କିଛି କାଳ୍ପନୀକତା ୟେଥିରେ ଆଛି ??? 

                 ଆରେ ତମେ ମାନେ କହିଲ କାହାଣୀ ଶୁଣିବ ତେଣୁ କାହାଣୀ ଣୁଣେଇଲି । କାହାଣୀ ରେ ତ କାଳ୍ପନୀକତା ରହିବ ହିଁ ରହିବ । ତୁମେମାନେ ଯଦି ଘଟଣା ଶୁଣିବାକୁ କହିଥାନ୍ତି ତେବେ ମୁଁ ସାମ୍ବାଦିକ ଙ୍କ ଭଳି କେବଳ ସତ୍ୟ ଘଟଣା ଟି ଶୁଣେଇ ଥାନ୍ତି । କାହାଣୀ ରେ କଳ୍ପନାବିଳାସ ନରିହିଲେ , ସେ କି କାହାଣୀ ?? ସତ୍ୟାସତ୍ୟ କିଛି ଅଛି ।


                 ଯାଦୁଆ କହିଲା ,ଭଲ ଆମକୁ ତମ ପ୍ରେମ ଘଟଣା କହିବା ବଦଳରେ ଅମାବାସ୍ୟା ର ଚନ୍ଦ୍ର ଦେଖେଇ ଦେଲ । ଆମେ ବି ଛାଡିବା ଲୋକ ନୁହେଁ ମ , ଆଜି କାହାଣୀ ଶୁଣିଲୁ ଆଉ ଦିନେ ଘଟଣା ବି ଓଗଳା କରେଇବୁ । ତମ କୁ ପଙ୍କନନା ଆଉ ଚମ୍ପିନାନୀ ଜୋଡିର ରାଣ ରହିଲା .........।।।


       ଶେଷରେ ଗୋଟେ ଟୋକା ଥିଲା ଥିଲା ପାଟି କରି କହି ଉଠିଲା , ଓଃ !! ମା ଗୋ ଟୁରୁ ଲଭ .........।।।।।


Rate this content
Log in

Similar oriya story from Comedy