Harekrushna Deb Sahoo

Drama Romance Action

4  

Harekrushna Deb Sahoo

Drama Romance Action

ନୂଆଁଖାଇ କଥା

ନୂଆଁଖାଇ କଥା

3 mins
302


ସମୟ ଆଗତ ପ୍ରାୟ। ନୂଆଁଖାଇ ପାଇଁ ପ୍ରସ୍ତୁତି ଚାଲିଛି। ସୋମା ଘର ଲିପାପୋଛା ଚାଲିଛି। ପୁରୁଣା ଘର ଖଣ୍ଡିକ ଚକାଚକ ନୂଆଁ ଲାଗୁଛି। ଏଆ ଆଗରୁ ଘର ଖଣ୍ଡିକ ଦଦରା ଥିଲା। ନୂଆଁଖାଇ ପର୍ବ ଆସିଛି ବୋଲି ଟଙ୍କା କିଛି ଜୋଗାଡ କରି ଘରଟାକୁ ନୂଆଁ ରକମର ହୋଇଛି। ସୋମାର ବାପା ନାଲୁ କହୁଥିଲା କିଛି ଟଙ୍କା ୟା ପୂର୍ବରୁ ସରକାର ପକ୍କାଘର ଯୋଜନା ଅନ୍ତର୍ଗତ ଗରିବ ଲୋକଙ୍କ ପାଇଁ ଯାହା ସେଇଥିରୁ କୁଆଡେ ଦେଇଥିଲେ କିଛି ଦିନ ଆଗରୁ ବୋଲି ତା ଘରଟା ନୂଆଁ ନୂଆଁ ଲାଗୁଛି। ତା ସାନ ପୁଅ ଚରଣ ଚାରିବର୍ଷ ହେଉଛି ବୟସ, ସେ କହେ ଏଥର ଆମ ଘର ଚକମକ ଚିକି ବୁଆ ଆମ ଠିକ୍। 'କୁରେଇ' ଗାଁର ଲୋକ ସମସ୍ତେ ଏକଥା ଶୁଣି ହସନ୍ତି। 


କୁରେଇ ଗାଁ ଗାଉଁଲି ହେଲେ ମଧ୍ୟ ଏହାର ନିକଟ ଝରଣା, ପାହାଡ, ବଣବୁଦା ବହୁତ ସୁନ୍ଦର ଓ ଆଖପାଖ ଅଞ୍ଚଳର ଲୋକମାନଙ୍କୁ ଆକର୍ଷିତ କରିଥାଏ । ଏଠି ନୁଆଁଖାଇ ପର୍ବ ଧୁମଧାମରେ ପାଳିତ ହୋଇଥାଏ । ଦେବୀ ବନଦୁର୍ଗାଙ୍କ ପାଖରେ ନବାନ୍ନ ଲାଗିହୁଏ। ନୂଆଁଖାଇ ଦିନ ନୂଆଁଚୁରା କୁଁଡା ଅର୍ପଣ କରାଯାଇଥାଏ। 


ନାଲୁର ଘର ନୂଆଁଖାଇ ପାଇଁ ବେସ ସୁନ୍ଦର ଲାଗୁଛି। ଏଣିକି ନୂଆଁ ଘରରେ ନାଲୁ ତା ପରିବାର ସଦସ୍ୟମାନଙ୍କ ସାଙ୍ଗେ ଏକାଠି ନୂଆଁ ଖାଇବ। ନାଲୁର ଛୋଟ ପରିବାର। ସ୍ତ୍ରୀ ରମା ଭାରି ସରଳ ଓ ନିରୀହ । ଆଦିବାସୀ ହେଲେ କଣ ହେଲା ସେମାନଙ୍କର ଛୋଟ ପରିବାର ସୁଖୀ ପରିବାର। କଥାରେ ଅଛି ପରା -

 

 "ବୈକୁଣ୍ଠ ସମାନ ଆହା ଅଟେ ସେହି ଘର ।

  ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର ।।"


ସୁଖ ଶାନ୍ତି ଭଗା ଘର। ଘର ତ ନୁହେଁ ସରଗପୁର। ନାଲୁର ପୁଅ ଓ ଝିଅ ବାପାମାଆଙ୍କୁ ଦେବତା ସମାନ ମାନନ୍ତି। ତାଙ୍କ ପରିବାରର ଧର୍ମକର୍ମରେ, 'ଅତିଥି ଦେବତା ସମାନ ।' ଚାଷ କାମ କରି ପେଟପୋସେ, 'ନାଲୁ' । ତା ଅମାରରେ ଧାନ, ବାଜରା, ମାଣ୍ଡିଆ, ଗହମ ଓ ମକା କେତେକଣ ସବୁ ଭରପୁର। ନୂଆଁଖାଇ ପାଇଁ ନୂଆଁ ଆଁଟ ଧାନ ଦିନକ ଆଗରୁ ଆସି ସାରିଛି। କୁରେଇ ଗାଁର ଲୋକେ ନୂଆଁ ଖାଇବା ପାଇଁ ସଜବାଜ, ତା ସଙ୍ଗତେ ନାଲୁ ପରିବାର ସମ୍ପୂର୍ଣ୍ଣ ପ୍ରସ୍ତୁତ। 


ନୂଆଁଖାଇ ଦିନ। ନାଲୁ ସକାଳୁ ସକାଳୁ ସଅଳ ଉଠି ପାଖ ସୁକତେଲ ନଦୀରେ ଗାଧେଇ ପାଧେଇ ଘରକୁ ଧାଇଁଛି । ହାତରେ ସୁକତେଲ ନଦୀର ପାଖ ବଣରୁ କୁରେଇ ପତ୍ର ଧୋଇଧାଇ ନେଇଆସିଛି। ସେ ଜଣେ ଗାଁର ସରଳ ଓ ଧାର୍ମିକ ମଣିଷ। ଜଣେ ମଣିଷ ନାଲୁ, ସେ ହିଁ ସଅଳ ଉଠି ନୂଆଁଖାଇ ପାଇଁ ଏତେ ସଜବାଜ । ସକାଳରୁ ଉଠି ବଡି ପହରୁ ସ୍ବାମୀ ସ୍ତ୍ରୀ ଦୁହେଁ ଲାଗି ପଡିଲେଣି। କେତେ କଣ ପୂଜା ଧଜା ଚାଲିଛି ଘରେ ଠାକୁରାଣୀ, ମା' ମଙ୍ଗଳା ସଙ୍ଗତେ ଗ୍ରାମ ଦେବୀ ଓ ଚାଷ ଜମିରେ ନୂଆଁ ପୂଜାଧଜା। ଘରେ ଝୁଣା ମହ ମହ ବାସୁଛି। କୁରେଇ ପତର ପଡିଲା । ଚରଣ ନୂଆଁଚୁରା କୁଁଡା ହାତରେ ନେଇ ବାପା, ମା, ସୋମା,ଅଜା ଓ ଆଈ ସମସ୍ତଙ୍କୁ ଦେଲା। ଶେଷରେ କୁରେଇ ପତ୍ରରେ ନିଜେ ନେଇ ଖୁସି ମନରେ ଖାଇଲା। ପରିବାର ସଦସ୍ୟ ସମସ୍ତେ ମିଳିମିଶି ନୂଆଁ ଖାଇଲେ। ନବାନ୍ନ ଖାଇ ସାରିବା ପରେ ଚରଣ ଓ ସୋମା ଘରର ଗୁରୁଜନ ମାନଙ୍କୁ ଚରଣ ଛୁଇଁ ପ୍ରଣାମ ଜଣାଇଲେ । ଅଜା ଆଈ ଓ ବପାମା' ସେମାନଙ୍କୁ ଆର୍ଶୀବାଦ କଲେ । ନାଲୁ ଓ ରମା ନିଜ ବୁଢା ବାପାମା'ଙ୍କୁ ନୂଆଁଖାଇ ଜୁହାର କଲେ। ପରିବାର ମଧ୍ୟରେ ଆଜିର ଦିନଟି ଖୁସିରେ କଟିଲା। 


ପାଟଣା ରଜା ଡିଙ୍ଗୁରା ପିଟିଛି। ସମଲେଇର ଲଗନ ଫିଟିଛି। କୁରେଇ ଗାଁର ସମସ୍ତେ ଦିନ ବାରଟା ସୁଦ୍ଧା ନୂଆଁ ଖାଇବେ। ସେଇଆ ହେଲା ଦିନ ବାରଟା ସମୟରେ ଗାଁ ଲୋକ ନୂଆଁ ଖାଇଲେ। ଦିନ ତିନିଟା ସମୟ ବେଳକୁ ଗାଁ ସାରା ନୂଆଁଖାଇ ଭେଟଘାଟ ପର୍ବ ଆରମ୍ଭ ହୋଇଗଲା। ଚାରି ଆଡେ ଗହଳ ଚହଳ କୀର୍ତନ୍ୟ ଦଳ, ଘୁମୁରା ନାଚ, ସମ୍ବଲପୁରୀ ନୃତ୍ୟ ପରିବେଷଣ ସହିତ ବିଭିନ୍ନ କାର୍ଯ୍ୟକ୍ରମ ଗାଁ ଦାଣ୍ଡରେ ଚାଲିଛି । ଗ୍ରାମ୍ୟ ଦେବାଦେବୀ ଦର୍ଶନ ସାଙ୍ଗରେ ଗାଁ ଲୋକଙ୍କ ମଧ୍ୟରେ ନୂଆଁଖାଇ ଜୁହାର ଭେଟଘାଟ ଚାଲିଛି। 


ଚରଣ କହିଲା,' ନୂଆଁଖାଇ ଜୁହାର ଅଜା।' ସୁକୁରୁ ଅଜା ପାକୁଆ ପାଟିରେ ପାନ ଖଣ୍ଡେ ଜାକି ହସି ହସି କହିଲେ,'ନୂଆଁଖାଇ ଜୁହାର ଜୁହାର ରେ ନାତିଆ। କଣ ଭଲ ତ। ତୋର ଅଜାକୁ ମୋର ନୂଆଁଖାଇ ଜୁହାର।'


ସୁକୁରୁ ବୁଢା ସାଙ୍ଗରେ ଚରଣର ଅଜା ଭାରି ଭଲ ସାଙ୍ଗ । ତେଣୁ ତାର ନାତି ଦନାଇ ସାଙ୍ଗରେ ଚରଣ ଗୋଟିଏ ଶ୍ରେଣୀରେ ପାଠ ପଢି ସାଙ୍ଗ ହିସାବରେ ଭଲ ମିଳା ମିଶା କରନ୍ତି। ଚରଣର ପାଟି ଶୁଣି ସେ ଘରୁ ଦୌଡି ବାହାରି ଆସିଲା। 


ଦୁହେଁ ନୂଆଁଖାଇ ଜୁହାର, ନୂଆଁଖାଇ ଜୁହାର କହି ଗାଁ ଲୋକଙ୍କ ପାଖରେ ପହଞ୍ଚିଗଲେ ।

ଚରଣ, 'ନୂଆଁଖାଇ ଜୁହାର!'

ଦନାଇ, 'ନୂଆଁଖାଇ ଜୁହାର!'

କୃଷ୍ଣଚନ୍ଦ୍ର ଗାଁ ମୁଖିଆ,'ନୂଆଁଖାଇ ଜୁହାର!'

ସୋମନାଥ ଗାଁ ପଣ୍ଡିତ,'ନୂଆଁଖାଇ ଜୁହାର!'

ଗ୍ରାମ୍ୟ ଠାକୁରାଣୀ ବନଦୁର୍ଗା ମନ୍ଦିରର ଗାଁ ଦେହୁରୀ ଖଗେଇ,'ନୂଆଁଖାଇ ଜୁହାର!'

ଜଗନ୍ନାଥ ମନ୍ଦିରର ଗାଁ ପୂଜାପଣ୍ଡା ଅନାଦି ,'ନୂଆଁଖାଇ ଜୁହାର!'

ଜମିଦାର ସିଂ ବାହାଦୁର,'ନୂଆଁଖାଇ ଜୁହାର!'

ଦାମ, ରାମ, କନକ, ଅନଙ୍ଗ, ସମାରୁ, ବଳ, ଦାମିଆ, ରଘୁ, ଶୁକ୍ରୁ ଓ ଆଉ ଗ୍ରାମର ସମସ୍ତ ଜନସାଧାରଣ କହିଲେ,' ଜୁହାର ଜୁହାର ନୂଆଁଖାଇ ଜୁହାର ହୋ!'


ଏମନ୍ତ ପ୍ରକାରେଣ କୁରେଇ ଗାଁରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପର୍ବ ପାଳନ ହେଲା। ଏ ପବିତ୍ର ଦିନର ଅବସାନ ପରେ ସୂର୍ଯ୍ୟ ପଶ୍ଚିମ ଦିଗରେ ଅସ୍ତ ହେବା କ୍ଷଣି ଭେଟଘାଟ ପର୍ବ ସମାପ୍ତ ହେଲା। ଆସନ୍ତା କାଲି ନୂଆଁଖାଇ ବାସିଦିନ। ମୁଁ ତ ମାଉଁସ ଖାଏ ନାହିଁ କି ଆଗକୁ କାହାଣୀ କଣ ହେଲା ଲେଖୁନାହିଁ । ପଶୁହତ୍ୟା କରିବା ଭଲ ନୁହେଁ କି ହିଂସାରେ ପର୍ବ ପାଳନ କରିବା ଭଲ ହୋଇନଥାଏ। ପଶୁପାଳନ କରିବା, ପଶୁସମ୍ପଦ ସଂରକ୍ଷଣ କରିବା ସହ ଆସ କୁରେଇ ଗାଁର ପ୍ରଜା ମିଶି ବୃକ୍ଷ ରୋପଣ କରିବା। 


      ସବୁଜ ସୁନ୍ଦର କୁରେଇ ଗାଁ,

      ହସିବ ସହର ହସିବ ମା' ।।

            


Rate this content
Log in

Similar oriya story from Drama