ପ୍ରାଚୁର୍ଯ୍ୟ
ପ୍ରାଚୁର୍ଯ୍ୟ
ମୁଁ ଭାବୁଥାଏ କି ମୋଠୁ ଦୁଃଖି ଏ ସଂସାର ରେ କେହି ନାହିଁ । ମତେ ଛାଡି ସମସ୍ତେ ସୁଖି । ସମସ୍ତେ ମାନେ ସମସ୍ତେ, ପାଦପ ଲତା ଅଗରେ । ସବୁଠୁ ସୁଖି ତ ମୋ ପଡୋଶୀ ଯାହା ପାଖରେ ଡଷ୍ଟର କାର ଅଛି, ଷ୍ଟାଟସ୍ ଅଛି, ଗ୍ଲିଟରଡ୍ ଡବଲ୍ ଡୋର ଫ୍ରିଜ ଅଛି ଆହୁରି କେତେ କେତେ କଣ କଣ ଅଛି । ସିଏ କେମିତି କେତେ ଆଦବ ରେ ଓହ୍ଲାଇ ଗୋଟେ ତେରେଛା ଚାହାଣୀ ହାଣେ ଦେଖିନ?
ଆଉ ମୁଁ .....ମୋର ତ ମ୍ଯାଚିଙ୍ଗ ନେଲପଲିସ ଟେ ଆର ୱିକ୍ ରୁ ଖୋଜିଲିଣି ଯେ ମିଳୁନି ।
ଆମର ବି ନିଜ ଘର ଅଛି, ସବୁ ଅଛି ଯେ ହେଲେ ମୁଁ କିନ୍ତୁ ଦୁନିଆର ସବୁଠୁ ଦୁଃଖି ।
ତାଙ୍କ କାରରୁ ତାଙ୍କ କୁନି ଝିଅଟି ପରୀ ଭଳିଆ ଓହ୍ଲାଇଲା, ଆଉ ମୋ ଝିଅ ସେ ରାଣୀହାଟ ଟୁଙ୍ଗିର ହରେକମାଲ ଫ୍ରକ୍ ପିନ୍ଧି ପିନ୍ଧି ଅସାର ହେଲା ।
ସେଦିନ ମୋ ଝିଅ ସାଙ୍ଗେ ଖେଳୁଥିଲା ସେ ,ମୁଁ ଗେଲେଇକି ପଚାରିଲି .... ସବୁ ସନଡେ ତୁମେ ମାନେ କୁଆଡେ ଯାଅ କିରେ? ମଲ୍ ନା ପାର୍ଟି ନା ମୁଭି ?ତୋ ନେଲପଲିସ କଲର ଟା ବଢିଆ ହେଇଛି ତ ।
ସେ ସେମିତି ଖେଳୁ ଖେଳୁ କହିଲା, ଥାଙ୍କୁ ଆଣ୍ଟି ।
ସନଡେ ? ଚର୍ଚ । ମୋର ଡାଇବେଟିସ୍ ହାଇ ରହେ ନା, ସୋ ମୋ କିଡନୀବିନ୍ସରୁ ଟୁ ଟା ହାଫ୍ ହାଫ୍ ବର୍ନ ହେଇଯାଇଛି । ମୋ ମାମୀ ଆଉ ପାପା ମତେ ଗଡ୍ ଙ୍କ ସାଙ୍ଗେ ଫ୍ରେଣ୍ଡ କରିବାକୁ ନେଇଯାନ୍ତି ଆଉ ଅଳ୍ପ ଦିନ ପରେ ହି ମୁଁ ଗଡ୍ ଙ୍କ ପାଖକୁ ଯାଉଛି । ହି ଇଜ୍ ସୋ ଗୁଡ୍ ।ଫାଦର କୁହନ୍ତି, ସେ ମୋ ସାଙ୍ଗରେ ଖୁବ୍ ଖେଳିବେ । ମାମୀ କାନ୍ଦେ .... ମୁଁ ତାକୁ କହିଲି ଯେତେ ଆରେ ମୁଁ ଅଳ୍ପ ଖେଳିକି, ହେଭେନ ଟିକେ ଦେଖିକି ଆସିଯିବି ସେ କିନ୍ତୁ ବୁଝିପାରେନି । ବିଗ୍ ମାନେ ସିମପଲ୍ କଥା ଏତେ ଲେଟ୍ ରେ ବୁଝନ୍ତି ନା । ହା ହା ହା .....
ସେ ହସି ଚାଲିଥିଲା ଯେ ହସି ଚାଲିଥିଲା ତା ପେଟକୁ ଧରି ......ତା'ସହ ତାଳ ଦେଇ ମୋ ଝିଅ ବି ।
ସେ ହସ ସହ ମୁଁ ମହମ ପରି ଜଳି ଜଳି ଗରମ ତରଳ ହୋଇ ସିଠା ଅଠା ପରି ଗଦେଇ ହେଇ ଯାଉଥିଲି ମାଟିରେ ।
ଏବେ ମତେ ଲାଗୁଥିଲା ମୁଁ ତ ପ୍ରାଚୁର୍ଯ୍ୟରେ । ଏତେ ଭରା ସବୁକିଛି କେମିତି ଝାପ୍ସା ଆଉ ତୁଚ୍ଛା ମିଛ ଦିଶୁଥିଲା । ତୁଚ୍ଛା ମିଛ ! ମୋ ପାଖରେ ଯଦି ମୁଠା ମୁଠା ଆୟୁଷ ଥାନ୍ତି ତେବେ ମୁଁ ଦୁଃଖି କୋଉ ଖୁସିରେ ।
