Nityananda Nandi

Classics Inspirational

4  

Nityananda Nandi

Classics Inspirational

ନିରୁତ୍ତର

ନିରୁତ୍ତର

5 mins
237



ସବୁ ବଦଳିଯାଏ ସମୟ ସାଥିରେ, ସତ କିନ୍ତୁ ବଦଳେ ନାହିଁ । ସତ ସହ ଖେଳିବାର ପ୍ରଚେଷ୍ଟାକୁ ଅଭିନୟ କହନ୍ତି ବୋଲି ମୁଁ ଆଜି ବୁଝୁଛି !

ଜୀବନର କିଛି ସତକୁ ଛୁପେଇବାକୁ ଚେଷ୍ଟା କରୁଥିଲି ମୁଁ। ପ୍ରବଳ ହୀନମାନ୍ୟତା ମୋ ଭିତରେ ବସା ବାନ୍ଧି ମୋର ନିଜସ୍ଵ ବ୍ୟକ୍ତିତ୍ଵକୁ କ୍ଷୂର୍ଣ୍ଣ କରୁଥିଲା ପ୍ରତି ମୁହୂର୍ତ୍ତରେ, କାହିଁକି କେଜାଣି !

ଆଜି ପର୍ଯ୍ୟନ୍ତ ବାପାଙ୍କ ପ୍ରକୃତ ପରିଚୟ ଦେଇ ପାରିନି କାହାକୁ।

ଗୋଟାଏ ପ୍ରାଇଭେଟ୍ ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡ ଥିଲେ ମୋ ବାପା। ମୁଁ ସମସ୍ତଙ୍କୁ କହି ଆସିଛି ମୋ ବାପା ବ୍ୟାଙ୍କରେ କାମ କରନ୍ତି। ଗୋଟାଏ ଅର୍ଦ୍ଧସତ୍ୟ ସହ ମିଛି ମିଛିକା ସାଲିସ କରି ଜୀବନଟା କୁ ଯେମିତି ସେମିତି ଟାଣି ନେଇ ଯିବାକୁ ହୁଏ ବୋଲି ବୁଝିଲା ବେଳକୁ ଅନୁତାପ କରିବାକୁ ସମୟ ନ ଥାଏ ହାତରେ...

  

ମୋ ବାପା କିନ୍ତୁ ଭାରି ସରଳ ଥିଲେ। ମୁଁ ପ୍ରଥମ ଶ୍ରେଣୀରେ ପଢୁଥାଏ। ସ୍ପଷ୍ଟ ମନେ ଅଛି, ମୋ ହାତ ଧରି ପାଞ୍ଚ କିଲୋମିଟର ଚଲେଇ ଚଲେଇ ନେଇ ଯାଇଥିଲେ ଆଉ ଗୋଟେ ଗାଆଁ କୁ। ମୋତେ ସରପ୍ରାଇଜ୍ ଦେବେ ବୋଲି କିଛି କହିଲେ ନାହିଁ। ହେଇ ଦେଖ୍, ତାଙ୍କ ଘରେ କେମିତି ଇଲେକଟ୍ରିକ ବଲବ୍ ଜଳୁଛି। ତାଙ୍କ ଘର ବାରଣ୍ଡାରେ ଯାଇ ଛିଡା ହେଲି, ଦେଖିଲି ଅଦ୍ଭୁତ ଗୋଟାଏ ଜିନିଷ ଜଳୁଛି, ଆଲୋକ ବାହାରୁଛି ତା ଭିତରୁ। ଆଶ୍ଚର୍ଯ୍ୟ ହେଲି। ଜୀବନରେ ପ୍ରଥମ ଥର ପାଇଁ ଇଲେକଟ୍ରିକ ବଲବ୍ ଜଳିବା ଦେଖି ଯେତିକି ଖୁସି ହେଲି, ତା ଠାରୁ ବେଶି ଖୁସି ହେଲି ଗୋଟାଏ ନୂଆ ଜିନିଷ ଦେଖେଇବାର ପ୍ରବଳ ଇଚ୍ଛା ପାଇଁ, ମୋ ବାପାଙ୍କର। 

ମୋ ଖୁସି ଦେଖି ବାପା କହିଲେ,ଦେଖ ପ୍ରହ୍ଲାଦ ! ତୁ ଚାକିରୀ କଲେ ଆମ ଘରେ ବି ଏମିତି ବଲବ୍ ଜଳିବ। କିଛି ନ ବୁଝି ହସି ଦେଇଥିଲି ସେତେବେଳେ। ସତକୁ ସତ ମୁଁ ଚାକିରୀ ପାଇବା ପରେ ହିଁ ଆମ ଘରକୁ ବିଜୁଳୀ କନେକସନ୍ ଆସିଲା। ସେତେବେଳକୁ ବାପା ରିଟାୟାରଡ୍ ହୋଇ ସାରିଥିଲେ। 


ଆଜି ବି ବାପା ବଞ୍ଚିଛନ୍ତି, ପଞ୍ଚାନବେ ବର୍ଷର ବୁଢ଼ା ମୋ ବାପା। ମୁଁ ବି ରିଟାୟାରଡ୍ ହୋଇ ସାରିଛି। ସାରା ଜୀବନ ମୁଁ ବାପାଙ୍କ ପରିଚୟ ଛୁପି ଚାଲିଲି। ରେଭେନସା କଲେଜରେ ପଢ଼ୁଥିଲି। କାହାର ବାପା ଇଂଜିନିୟର, ଆଉ କାହା ବାପା ଡାକ୍ତର ଶୁଣିବା ପରେ ମୁଁ ମୋ ବାପାଙ୍କ ପରିଚୟ ବଦଳେଇ ଦେଲି। ସମସ୍ତଙ୍କୁ କହିଲି ମୋ ବାପା ବ୍ୟାଙ୍କରେ କାମ କରନ୍ତି। କାହିଁକି କେଜାଣି ସାହାସ ହେଲା ନାହିଁ କହିବାକୁ ଯେ ମୋ ବାପା ସିକ୍ୟୁରି ଟି ଗାର୍ଡ ବୋଲି, ଅନ୍ୟ ସଂସ୍ଥା ରୁ ଆସି ଭଡ଼ାରେ କାମ କରୁଥିଲେ ମୋ ବାପା ବ୍ୟାଙ୍କ୍ ପାଇଁ।

ପଞ୍ଚମ ଶ୍ରେଣୀରେ ପଢୁଥାଏ, ମୋତେ ମୋ ବାପା ବ୍ୟାଙ୍କ୍ ବୁଲେଇ ନେଇଯାଇଥିଲେ, ସାଢେ ନଅଟା। ବାପାଙ୍କ ସାଥିରେ ମୁଁ ବସିଥିଲି ବ୍ୟାଙ୍କ୍ ଗେଟ ପାଖରେ। ବ୍ରାଞ୍ଚ ମେନେଜର ଆସିଲେ। ବାପା କହିଲେ, ପ୍ରହ୍ଲାଦ ! ଛିଡା ହ, ମେନେଜର ଆସୁଛନ୍ତି। ବାପା ସେଲ୍ୟୁଟ କଲେ  ମେନେଜରଙ୍କୁ। 

ସାର୍, ମୋ ପୁଅ ପ୍ରହ୍ଲାଦ। ବଡ ହେଲେ ଅଫିସରଟିଏ ହେବ, ଠିକ୍ ଆପଣଙ୍କ ପରି। ମନେ ଅଛି, ଅଫିସର ମୋ ଗାଲ ଟାଣି ଗେହ୍ଲ କରିଦେଲେ। ଜୀବନର କିଛି ମୁହୂର୍ତ୍ତ ଭୁଲି ହୁଏନି, ଆଜି ବି ମନେ ପଡେ କେତେ ବଡ଼ ସ୍ବପ୍ନ ରୋପିଥିଲେ ସେ ତାଙ୍କ ମନ କିଆରୀରେ। ପ୍ରଥମା ଜହ୍ନ ଆକାଶର ହାତ ଧରି ଧରି ଆଗକୁ ଯାଏ, ପୂର୍ଣ୍ଣମୀ ର ସ୍ବପ୍ନ ଦେଖେ। ମୋ ବାପାଙ୍କ ହୃଦୟ ବିସ୍ତୀର୍ଣ୍ଣ ଥିଲା ଆକାଶ ପରି..ମୋତେ ନେଇ କେତେ ସ୍ବପ୍ନ ଦେଖୁଥିଲେ ସେ।


ଜଣେ ଅନ୍ୟକୁ ସେଲ୍ୟୁତ୍ କରେ କାହିଁକି ? ଗୋଟାଏ ବିଷଧର ସାପ ଆସି ମୋ ମନକୁ ଦଂଶୁ ଥିଲା ପ୍ରତି ମୁହୂର୍ତ୍ତରେ। ଦେହ ପଙ୍ଗୁ ହେଲେ ପୂର୍ବ ଅବସ୍ଥା କୁ ଫେରି ଆସିବାର ସମ୍ଭାବନା ଥାଏ, କିନ୍ତୁ ମନ ପଙ୍ଗୁ ହେଲେ, ଲାଗେ ଯେମିତି କାହାଣୀ ର ଯବନିକା ପତ୍ତନ ହୋଇ ସାରିଛି।

ଚାକିରୀ କରିବା ପରେ ତିରିଶ ବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ କହି ଚାଲିଲି, ମୋ ବାପା ବ୍ୟାଙ୍କରେ ଚାକିରୀ କରୁଥିଲେ। କାହିଁକି କେଜାଣି ବାପାଙ୍କ ପ୍ରକୃତ ପରିଚୟ କୁ ଛୁପିବାକୁ ଚେଷ୍ଟା କରୁଥିଲି। 


ମୋ ରିଟାୟାରଡ୍ ମେଣ୍ଟ ପରେ ଆଜି ପଞ୍ଚମ ଦିନ। ଗାଆଁ ପୋଷ୍ଟ ଅଫିସ ରୁ ଇନ୍ସୁରାନସ୍ ମାଚ୍ୟୁରିଟି ନୋଟିସ ଆସି ପହଁଚିଲା।

ପୋଷ୍ଟ ଅଫିସ ଯାଇ ଦେଖିଲି, ମୋ ନାଆଁରେ ପଲିସି । ବାପା ଖୋଲିଥିଲେ ମୋ ନାଆଁରେ। ଆଜି ପର୍ଯ୍ୟନ୍ତ ଲୁଚେଇ ରଖିଥିଲେ କଥାଟିକୁ। ପଚାଶ ଟଙ୍କା ଦରମାରୁ ପଚିଶ ଟଙ୍କା ବାନ୍ଧିବାର ପ୍ରବଳ ଇଚ୍ଛା ପାଇଁ ମନ ଭିତରେ ଦଶ ଦଶଟି ଆକାଶର ଜାଗା ଦରକାର। ବାପା ସିକ୍ୟୁରିଟି ଗାର୍ଡ ହୁଅନ୍ତୁ କିମ୍ବା ଇଂଜିନିୟର, କିଛି ଫରକ୍ ପଡ଼େନି। କେତେ ବିଶାଳ ହୃଦୟ ମୋ ବାପାଙ୍କର। ପ୍ରତିମାସ ପଚିଶ ଟଙ୍କା ସେ ଜମା କରିଛନ୍ତି ମୋ ଭବିଷ୍ୟତ ପାଇଁ। ବାପାଙ୍କ ତରଫରୁ ମୋ ପାଇଁ ରିଟାୟାରଡମେଣ୍ଟ ଗିଫ୍ଟ। ମୋଟରେ ପଚିଶ ହଜାର ମାଚ୍ୟୁରିଟି ଭେଲ୍ୟୁ। ମୋ ମୁଣ୍ଡ କିଛି କାମ କଲାନି। ବୁଝିବାକୁ ଚେଷ୍ଟା କରୁଥିଲି, ସବୁ ବାପାଙ୍କର ଗୋଟାଏ ପରିଚୟ ଥାଏ। ବାପା ହିଁ ସବୁବେଳେ ବାପା । ସବୁ ଅସହାୟ ପୁଅଙ୍କ ଆଗରେ ଖୁମ୍ବା ହୋଇ ଛିଡା ହୋଇ ରହନ୍ତି, ଯେତେ ଝଡ ତୋଫାନ ଆସୁ ନା କାହିଁକି !

ଆଜି ପଚିଶ ହଜାର ଟଙ୍କାର ମୂଲ୍ୟ ଖାସ୍ ସେମିତି କିଛି ନ ଥିଲେ ବି ବାପାଙ୍କ ଝାଳ ନାଳରେ ନେସି ହୋଇ ଥିବା ଜମା ରାଶିର ସୁଗନ୍ଧ କିନ୍ତୁ ଅଲଗା ଥିଲା। ଆଜି ଅନୁତପ୍ତ, ମୋ ପୁଅ ପାଇଁ ମୁଁ କିଛି କରିନି।

ପୋଷ୍ଟ ଅଫିସରୁ ଫେରି ଆସି ଖୁସିରେ ବାପାଙ୍କୁ କୋଳେଇ ପକେଇଲି। କିଛି ବୁଝୁ ନ ଥିଲେ ସେ। ଅନେଇଥିଲେ ମୋ ମୁହଁ କୁ ସରଳ ଶିଶୁଟିଏ ପରି। ତାଙ୍କ ମସ୍ତିଷ୍କ ଆଉ କାମ କରେନି।

ଭାତ ଡାଲି ଚକଟା ସାଥିରେ ବାଇଗଣ ପୋଡ଼ା ବଢେଇ ଦେଲେ ନୀତା, ମୋ ହାତକୁ। ତାଙ୍କୁ ଖୁଏଇବା କାମ ନ୍ୟସ୍ତ ହୋଇଥାଏ ମୋ ଉପରେ..ସବୁଦିନ ପାଇଁ।

ନିର୍ବୋଧ ଶିଶୁ ଟିଏ ପରି ଗୁଣ୍ଡା ଗୁଣ୍ଡା ଭାତ ସେ ଖାଇଗଲେ ମୋ ହାତରୁ। ଆଜି ସକାଳେ ୱାଟସପ୍ ମେସେଜ ଟିଏ ଦେଖି ବିଚଳିତ ହେଲି, 

" ବାପା କିଛି ଦେଇ ନାହାନ୍ତି ବୋଲି ତାଙ୍କ ଉପରେ ଅଭିଯୋଗ ଠିକ୍ ନୁହେଁ । ବୋଧେ ତାଙ୍କ ପାଖରେ ସେତିକି ଥିଲା, ଯାହା ସେ ତମକୁ ଦେଇଛନ୍ତି" 

ମୋ ବାପାଙ୍କ ଶକ୍ତି ଥିଲା ପଚିଶ ଟଙ୍କା ପାଇଁ। ସ୍ନେହ, ଶ୍ରଦ୍ଧା ରେ ବୋଳି ହୋଇଗଲେ ଟଙ୍କାର ଓଜନ ବଢିଯାଏ ନା..। ଆଜି ମୁଁ ବୁଝୁଛି ତାଙ୍କର ସେଇ ପଚିଶ ଟଙ୍କା ଆଗରେ ପଚିଶ ଲକ୍ଷ ବି କମ୍ ପଡ଼ିବ।

କହିଲି, ବାପା ! ମୋତେ କ୍ଷମା କରିବ। ହୀନମାନ୍ୟତା ର ଅଦ୍ଭୁତ ଚାପ ଥିଲା ମୋ ଭିତରେ। ତମ କାମକୁ ମୁଁ ଘୃଣା କଲି ! କାହିଁକି କେଜାଣି ମୁଁ ଭୁଲ କରି ବସିଲି, ଛୁପେ଼ଇ ଦେଲି ତମ ଅସଲ ପରିଚୟ କୁ । ସତକୁ କିନ୍ତୁ କଣ ବଦଳେଇ ହୁଏ ?? ତମେ ସି କ୍ୟୁରିଟି ଗାର୍ଡ ଥିଲ, ତାହା ହିଁ ଧ୍ରୁବ ସତ୍ୟ। ପଇଁତିରିଶ ବର୍ଷ ବିତି ଯାଇଛି ଏହା ଭିତରେ। ଆଜି ବି ଘର କାନ୍ଥରେ ତମ ଇଉନିଫର୍ମ ଝୁଲୁଛି, ଗୋଟାଏ ବାସ୍ତବତା ର ମୂକ ସାକ୍ଷୀ ହୋଇ। ସେଦିନ ବି ଦାଗ ନ ଥିଲା ତାଙ୍କ ଇଉନିଫର୍ମ ଉପରେ, ଆଜି ବି ଲାଗିନି। ଜୀବନର ସାର୍ଥକତା ବୋଧେ ସେଇଠି। ତମର ଇଚ୍ଛା ପୂରଣ ହେବ ବାପା, ଏଇ ଇଉନିଫର୍ମ ଟି ଜଳିବ ତମ ସାଥିରେ, ତମ ଜୁଇରେ...

ଆଜି ମୁଁ ବୁଝୁଛି, କାମ ଛୋଟ ବଡ ହୁଏନି। ବଡ କଥା, କାହାର କେତେ ଶ୍ରଦ୍ଧା କାମ ପାଇଁ। ତମେ ତମ କାମକୁ ଭଲ ପାଇ ବସିଲ। ମୁଁ କିନ୍ତୁ ଘୃଣା କଲି ତମ କାମକୁ। ମିଛ କହି ଚାଲିଲି ତମ ନାଁରେ। ବାପା! ତମକୁ ମୁଁ ଉଚ୍ଚା ଦେଖିବାକୁ ଚାହୁଁଥିଲି ବୋଧେ, କ୍ଷମା କରିଦିଅ ବାପା।  

ତମ ପଚିଶ ହଜାର ପାଇ କଣ କରିଛି ଜାଣିଛ ! ମଣ୍ଟୁ ନାଆଁ ରେ ଫିକ୍ସ କରି ଦେଇ ଆସିଛି। ରିଟାୟାରଡ୍ ହେଲା ବେଳକୁ ମୋଟା ପଇସା ପାଇବ ସେ। ବାପା ଅନେଇ ଥିଲେ ମୋ ଆଡ଼କୁ ନିର୍ବୋଧ ଶିଶୁ ପରି। କିଛି ପ୍ରତିକ୍ରିୟା ନାହିଁ। ପକ୍ଷପାତ ରେ ଆକ୍ରାନ୍ତ ମସ୍ତିଷ୍କ, କିଛି ବୁଝିଲେ ସିନା... ମୋ ବାପାଙ୍କ ଠୁ ମୋ ପର୍ଯ୍ୟନ୍ତ, ଅନେକ ମାଇଲ ଖୁଣ୍ଟ ମୁଁ ଅତିକ୍ରମ କରିଛି। କିଛି ରାସ୍ତା ଚାଲିଲି ମୋ ବାପାଙ୍କ ହାତ ଧରି, ଆଉ କିଛି ରାସ୍ତା ପୁଅ ସାଥିରେ। ସଂସ୍କାର କିନ୍ତୁ ଗତିଶୀଳ, ବାପାଙ୍କ ପାଖରୁ ଆରମ୍ଭ ହୋଇ ପୁଅ ପର୍ଯ୍ୟନ୍ତ ନିରନ୍ତର ବହି ଚାଲିଛି। ତମକୁ ନେଇ ଆଜି ମୁଁ ଗର୍ବିତ ବାପା। ତମେ ମହାନ ! ବାପା ପୁଣିଥରେ ଅନେଇ ଥିଲେ ମୋ ମୁହଁ କୁ। କିଛି କହୁ ନ ଥିଲେ, ବାପା ଙ୍କୁ ପ୍ରଶଂସା କରିବାରେ ବିଳମ୍ବ ହୋଇଗଲା ବୋଧେ।

ଆଉ ଥରେ ସେଇ ସକାଳର ୱାଟସପ ମେସେଜ କାନ ପାଖରେ ଗୁଞ୍ଜି ଉଠୁ ଥିଲା

" ବାପା କିଛି ଦେଇ ନାହାନ୍ତି ବୋଲି ତାଙ୍କ ଉପରେ ଅଭିଯୋଗ ଠିକ୍ ନୁହେଁ । ବୋଧେ ତାଙ୍କ ପାଖରେ ସେତିକି ଥିଲା, ଯାହା ସେ ତମକୁ ଦେଇଛନ୍ତି" 


ପୁଣି ଥରେ କୋଳେଇ ଧରିଲି ବାପା ଙ୍କୁ, ବହୁତ କିଛି ମୁଁ ପାଇଛି ମୋ ବାପାଙ୍କ ପାଖରୁ। ସଂସ୍କାର ପାଇଛି, ସ୍ନେହ ଭରା ପଚିଶ ହଜାର ଟଙ୍କା ପାଇଛି ମୁଁ ତାଙ୍କ ପାଖରୁ। ସେତିକି ବୋଧେ ସମ୍ବଳ ଥିଲା ତାଙ୍କ ପାଖରେ, ଆଜି ଆଉ ତାଙ୍କ ଉପରେ କିଛି ଅଭିଯୋଗ ନାହିଁ। ପୁଅ ଖୁସି ହେବ ଇଲେକ୍ଟ୍ରିକ ବଲ୍ ବ ଦେଖିଲେ, ସେଇଥିପାଇଁ ମୋତେ ପାଞ୍ଚ କିଲୋମିଟର ଚଲେଇ ଚଲେଇ ନେଇ ଯାଇଥିଲେ ମୋ ବାପା। ଭାବିଲେ ମୁଁ ଭାବପ୍ରବଣ ହୋଇଯାଏ ! ଏବେ କେହି ଯଦି କିଛି ପଚାରନ୍ତି, କହିବି, ମୋ ବାପା ସିକ୍ୟୁରିଟି ଗାର୍ଡ ଥିଲେ ବୋଲି। ଗର୍ବର ସହିତ...

ମୋ ଆଖିରୁ ଦୁଇ ଟୋପା ଆନନ୍ଦାଶ୍ରୁ ବୋହି ଆସୁଥିଲା, ମୋ ବାପାଙ୍କ ଉଦ୍ଦେଶ୍ୟରେ...ଇଚ୍ଛା ହେଉଥିଲା, ବାପା କିଛି କହନ୍ତେ କି !ବାପା କିନ୍ତୁ ନିରୁତ୍ତର ଥିଲେ...

ଏନ୍ ନନ୍ଦି






Rate this content
Log in

Similar oriya story from Classics