Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Satyabati Swain

Classics

2  

Satyabati Swain

Classics

ନିର୍ଭେଜାଲ

ନିର୍ଭେଜାଲ

4 mins
543


ଆମ ଗାଁ ରେ ଗୋଟେ ଜହ୍ନ;ପୁଣି ମାମୁଁ ଘର ଗାଁ ରେ ଆଉ ଗୋଟେ ଜହ୍ନ ର୍ ଭ୍ରମ ସୃଷ୍ଟି କରି ବିସ୍ମୟ ମଞ୍ଜିଟିଏ ପୋତି ଦେଉଥିବା ଅବୁଝା ବୟସର ନାଁ ପିଲା ଦିନ;ଶୈଶବ। ବୟସ କେତେ ହେବ ମନେ ନାହିଁ। ମନେ କିନ୍ତୁ ଅଛି ଜଣଙ୍କ ବାଁ ହାତର ବିଶି ଆଙ୍ଗୁଠି ଧରି ପଛେ ପଛେ ଚାଲୁଥିଲି। ଚାଲୁ ନଥିଲି ଦଉଡ଼ି ଥିଲି। ସେଇ ଜଣଙ୍କ ମୋ ବାପା। ତାଙ୍କ ପାହୁଣ୍ଡ ସାଙ୍ଗେ ପ୍ରତିଯୋଗିତା କରୁଥିଲି ଚାଲିବା ବେଳେ। ଦୌଡୁ ଦୌଡୁ କେତେବେଳେ ପଛେଇ ଯାଉଥିଲି। କିନ୍ତୁ ଚାଲୁଥିଲି ତାଙ୍କ ପାଦ ସହ ମୋ ପାଦ ମିଶିବା ପର୍ଯ୍ୟନ୍ତ। କେଉଁଠି ନା କେଉଁଠି ବାପାଙ୍କ ପାଦ ସହ ମୋ ପାଦ ମିଶିଵ;ଏଇ ନିଶାରେ। କିନ୍ତୁ କେଉଁଠି ହେଲେ ବି ମିଶି ପାରୁ ନଥିଲା। କାହିଁକିନା ସେ ବାପା ଥିଲେ ଆଉ ମୁଁ ଥିଲି ସିପ୍ପୀ। ଶେଷରେ ବିକଳ ହୋଇ କହୁଥିଲି ବା...ପା

    ଏତିକି ଯଥେଷ୍ଟ ଥିଲା ବାପା ଙ୍କ ପାଇଁ। ସେ ସାଙ୍ଗେ ସାଙ୍ଗେ ଟେକି ନେଇ କାନ୍ଧରେ ବସେଇ ଦେଉଥିଲେ। ବାସ୍ ତା ପର କଥା କେମିତି କହିବି ଯେ...। ମୋତେ ଲାଗୁଥିଲା ଶିଡି ଲଗେଇ ମୁଁ ସ୍ଵର୍ଗରେ ପହଞ୍ଚି ଯାଇଛି। ବାପାଙ୍କ କାନ୍ଧରେ ଥାଇ ଆକାଶକୁ ହାତ ବଢାଏ। ଭାବେ ଆଉ ଟିକେ ବଡ଼ ହୋଇଗଲେ ବାପାଙ୍କ କାନ୍ଧରେ ବସି ଏଇ ସେଇ ଯେଉଁ ନୀଳ୍ ଆକାଶ ମୋ ମୁଣ୍ଡ ଉପରେ;ଯେଉଁଠି ରାଗି ସୂର୍ଯ୍ୟ , ଫୁଲେଇ ଜହ୍ନ ଓ ମେଞ୍ଚାଏ ତାରାଙ୍କ ଘର ;ସେଠିକୁ ମୋ ହାତ ପାଇବ ନିଶ୍ଚୟ।

    ଚାଲୁ ଚାଲୁ ବାପାଙ୍କ ପାଦ ଅଟକି ଗଲା ଗୋଟେ ଘର ପାଖରେ। ମୋତେ କାନ୍ଧରୁ ଓହ୍ଲେଇ କହିଲେ ଦେଖ୍ ଏଇଟା ସ୍କୁଲ। ଏଠି ସାର୍ ମାନେ ଅଛନ୍ତି। ଭିତରକୁ ଯାଇ ପାଦ ଧୂଳି ଆଣିବୁ। ଯାହା ପଚାରିବେ ସବୁ କହିବୁ। ଡରିବୁ ନାଇଁ। ମୁଁ ଅଛି ନା। ବୁଝିଲୁ ସିପ୍ପୀ ଆଜି ସ୍କୁଲରେ ତୋ ନାମ ଲେଖେଇବି। କଣ କହୁଛୁ,ମନ ଦେଇ ପଢିବୁ ତ...ପାଟିରେ ନ କହି ମୁଣ୍ଡ ଟୁଙ୍ଗାରି ଉତ୍ତର ଦେଲି ହଁ।

      ବାପାଙ୍କ ହାତ ଧରି ଥାଏ ଜୋରେ। ତାଙ୍କ ପଛେ ଲୁଚାଇ ଥାଏ ମୁହଁ। ମୋତେ ଆଗକୁ ଆଣି ଜଣଙ୍କୁ ଦେଖେଇ ବାପା କହିଲେ "ସିପ୍ପୀ ସାର୍"। ମୁଁ ମୁଣ୍ଡ ନୁଆଇଁ ପ୍ରଣାମ କଲି। ସାର୍ ମୋ ମୁଣ୍ଡ ଆଉଁସି ଦେଇ କହିଲେ କୁନି ଝିଅ ଏ ଆଡେ ଆସ। ହଁ ମୋ ପାଖକୁ। ମୁଁ ବାପାଙ୍କୁ ଟିକେ ଚାହିଁଲି। ବାପା ଆଖିରେ ସଂକେତ ଦେଲେ ଯା....ପିଲା ବେଳେ ଏଇ ଆଖିର ଭାଷା ଖୁବ୍ ଭଲ ଭାବେ ବୁଝିହୁଏ। ଆଖିରେ କଣ ଲେଖା ଅଛି ଏ ପିଲା ବୟସ ଟି ମାଷ୍ଟର ଡିଗ୍ରୀ ପାଇଥାଏ ପଢିବାକୁ ଅବା। କଅଁଳ ଶୈଶବ ବେଶୀ ଆଖି କଥା ବୁଝେ କମ୍ ବୁଝେ ମୁହଁ କହିବା କଥା। କାରଣ ଅନେକ ଶବ୍ଦର ଅର୍ଥ ମାଲୁମ ନଥାଏ। କିନ୍ତୁ ଆଖି ଭାଷା ପଢିବାକୁ କି ବୁଝିବାକୁ ଶବ୍ଦର ଆଦୌ ଆବଶ୍ୟକତା ହୁଏନି। କେବଳ ଦେଖିଦେଲେ ବୁଝା ପଡିଯାଏ ସାମନା ଲୋକ ରାଗିଛି,ଖୁସି ଅଛି,ଚିଡିଛି ନା ଦୁଃଖୀ ଅଛି।

      ମାତ୍ର ଆଶ୍ଚର୍ଯ୍ୟ ବଡ଼ ହେଉ ହେଉ ଏ କଳା ଟି କୁଆଡେ ଉଭେଇ ଯାଏ। ମୁହଁ ଖୋଲି ନକହିଲେ ବୁଝା ପଡେନି କିଛି। ବାପାଙ୍କ ଅନୁମତି ପାଇଁ ସାର୍ ଙ୍କ ପାଖକୁ ଗଲି। ସାର୍ ପଚାରିଲେ ତୁମ ନାମ କଣ କୁନି ଝିଅ?

ସିପ୍ପୀ ଶର୍ମା.....

ତୁମେ ପଢିବାକୁ ଆସିଛ?

ସେଇ ମୁଣ୍ଡ ଡାହାଣ ପଟକୁ ଆଣି କିଛି ନ କହି ହଲାଇ ସମ୍ମତି ଜଣାଇଁଲି ହଁ....

ତୁମେ ଗପ ଶୁଣିବାକୁ ଭଲ ପାଅ??

ହଁ..........

ତୁମକୁ ଗପ କହି ଆସେ?

ହଁ......

ତୁମକୁ ଗୀତ ଶୁଣିବାକୁ ଭଲ ଲାଗେ??


ହଁ..........


ତୁମେ ଗୀତ ଗାଇପାର?

ହୁଉଁ.....

 ଗାଇଲ ଗୋଟେ।

 ମୋ ପାଟି ଲାଗୁଥିଲା ସେତେବେଳେ। ମୁଁ ଗାଇଲି "କହରେ କିଏ ସେ,ସବୁଜ ଏ ବନ ନୀଳ ଆକାଶେ

ଝଟକାଏ ତା ଜ୍ୟୋତିର ପ୍ରକାଶେ। କଥାରେ କାହାର ବହେରେ ପବନ କା ଆଦେଶେ ବରଷା ଯେ ବରଷେ।"


ବାଃ ବାଃ କି ସୁନ୍ଦର ଗାଉଛ?


ଆଉ କଣ କଣ ଶିଖିଛ?


ଛବୁ......


ଛବୁ କଣ ସୁନା?


ଅ ଆ,ଏକ ଦୁଇ,ପନକିଆ,ମେଜର,ମିଶାନ,ଫେଡାନ

,ଗୁନନ,ହଲନ,ଅ ଏ ବି ସି ଡି ,ୱାନ୍ ଟୁଥ୍ରୀ ଛ...ଅ ଅ...ବୁ।


ଆରେ ବାଃ ସୁନା ଝିଅଟା...। କହିଲ ସାତ ନୂଆଁ କେତେ ତେଛଟି...

ନଅ ଷୋ...

ଅନଛଟି......

ଆଉ ଜି ରେ ଶବ୍ଦ ଆସେ??

 ଜି ଫର ଜିବ୍ରା,ଜୁ,ଜିନିଆ।

 ସାର୍ ମୋତେ କୁଣ୍ଢେଇ ପକେଇଲେ। ସାବାସ୍ ସିପ୍ପୀ। ତୁମେ କାଲି ଠାରୁ ସ୍କୁଲ ଆସିବ। ମୋ ବାପାଙ୍କୁ କହିଲେ ଝିଅ ସ୍କୁଲ ଆସିବା ପୂର୍ବରୁ ଏତେ ପାଠ ପଢ଼ିଛି?? କିଏ ପଢାଏ ତାକୁ??

 ବାବା କହିଲେ ତା ମା। ସାର୍ ଓ ବାପା କଥା ହେବା ସମୟରେ ମୁଁ ଟିକେ ଇଆଡ଼େ ସିଆଡେ ଅନାଇଁଲି। ମୋ ପରି କେତେ ଝିଅ ପୁଅ ସେଠି ବସି ସିଲଟ,ଖାତା ବହି କଲମ ଧରି କଣ ସବୁ ଲେଖୁଥାନ୍ତି। ମୋତେ ସମସ୍ତେ କଣେଇଁ କଣେଇଁ ଚାହୁଁଥାନ୍ତି। ହାତ ଠାରି ଡାକୁ ଥାନ୍ତି ଆମ ପାଖେ ବସିବୁ। ପ୍ରତ୍ୟେକ କମ୍ପିଟେସନ୍ କରୁଥାନ୍ତି ଯେପରି ମୁଁ ତାଙ୍କ ପାଖେ ବସେ। ନୂଆ ପିଲାଟିଏ ପାଇଲେ ସେଇ ସମୟରେ ବଳ କଷା କଷି ଚାଲେ କାହା ସାଙ୍ଗେ ସେ ସାଙ୍ଗ ହେବ,କାହା ପାଖେ ବସିବ। ମୋତେ ସମସ୍ତେ ଭଲ ପାଉଥାନ୍ତି। ମୋ ଖନେଇଁ ଖନେଇଁ ଗୁଲୁରୁ ଗୁଲୁରୁ କଥା ଶୁଣିବାକୁ ସମସ୍ତଙ୍କୁ ବେଶ୍ ଆମୋଦର ଖୋରାକ ଯୋଗାଉ ଥାଏ। ଅନେକ ପ୍ରଶ୍ନ ସାର୍ ଙ୍କ ଠାରୁ ବି ଅଧିକ ପ୍ରଶ୍ନ ପଚାରୁଥାନ୍ତି। ମୋ ଫ୍ରକ୍,ଚୁଟି,ଟିକିଲି ସବୁଥିରେ ଧୀରେ ଧୀରେ ହାତ ମାରୁ ଥାଆନ୍ତି।

    ବାପା କହୁଥାନ୍ତି ସିପ୍ପୀ ପଞ୍ଚମ ଶ୍ରେଣୀର୍ ପାଠ ବି ସାରି ଦେଇଛି। ତା ମା ତାକୁ ସବୁ ପଢେଇ ଦେଇଛି। ସେ ମୋ ପାଖେ କଲିକତାରେ ତା ମା ସହ ଥିଲା। ଏଇ ଆଠ ଦିନ ହେବ ଦୋଳକୁ ଗାଁକୁ ଆସିଛୁ। ମୋ ବୋଉ ଦେହ ଭଲ ରହୁ ନଥିବାରୁ ସିପ୍ପୀ ଓ ତା ମା ଆଉ ମୋ ସହ କଲିକତା ଯିବେ ନାହିଁ। ଏଇଠି ଗାଁରେ ରହିବେ। ଏଣୁ ମୁଁ ଫେରିଯିବା ପୂର୍ବରୁ ତା ନାଁ ତା ଲେଖେଇ ଯିବ। କିନ୍ତୁ ସେ କେଉଁ ଶ୍ରେଣୀରେ ନାଆଁ ଲେଖେଇବ ଆପଣ ତାକୁ ପରୀକ୍ଷା କରି ଲେଖି ଦିଅନ୍ତୁ।। ଯଦି ଚାହୁଁଛନ୍ତି ତାକୁ ଏବେ ପରୀକ୍ଷା କରି ପାରନ୍ତି।

 

 ସାର୍ କହିଲେ ଇଂଜିଲିଶରେ ନମ୍ବର ଜାଣିଛ?

 ମୁଁ କହିଲି ହୁଉଁ.....

 କହିଲ  ସିପ୍ ର୍ ବହୁ ବଚନ କଣ ହେବ??

 ମୁଁ କହିଲି କ ଉ ଛିପ୍??ଏଛେ ଏଚ ଆଇ ପି ନା ଏଛେ ଏଚ ଇ ଇ ପି???

 ସାର୍ ଆଉ ମୋତେ କିଛି ନ କହି ଆଶ୍ଚର୍ଯ୍ୟ ହୋଇ ଚାହିଁଲେ। ମୋତେ ଟିକେ ଗେଲ କଲେ। କହିଲେ ହଉ ଯାଅ କାଲିଠାରୁ ସ୍କୁଲ ଆସିବ।

    ମୋ ନାଁ ତୃତୀୟ ଶ୍ରେଣୀରେ ଲେଖା ଗଲା। ବୟସ କିନ୍ତୁ ଥିଲା ଛଅ।

    ଏବେ ଅଢ଼େଇ ବର୍ଷ ପୂର୍ବରୁ ମୁଁ ଅବସର ନେବି। କାରଣ ବୟସ ବଢ଼ାଇ ମୋ ନାଁ ତୃତୀୟ ଶ୍ରେଣୀରେ ଲେଖା ଯାଇଥିବାରୁ ଷାଠିଏ ନ ହେଉଣୁ ମୁଁ ଚାକିରିରୁ ଅବସର ନେବି।

    ସେ ଯାହା ହେଉନା କାହିଁକି ଜୀବନ ନଈର ମଝିରେ ଏବେ ମୁଁ। କେବେ କେବେ ପଛକୁ ଅନେଇଁଲେ ଖୁବ୍ ଖୁସି ଲାଗେ। ଭାରି ଇଚ୍ଛା ହୁଏ ପୁଣି ଥରେ ଫେରି ଯାଆନ୍ତି କି ସେଇ" ନିର୍ଭେଜାଲ" ଜୀବନକୁ। ପୁଣି ଟିକେ ଜୀଅନ୍ତି ସେଇ ମଧୁର ନିରୋଳା ଜୀବନ। ଯେଉଁଠି ଦୌଡା ,ପ୍ରତିଯୋଗିତା କମ୍ ଅଳ୍ପକେ ସନ୍ତୁଷ୍ଟ ମୋ ଅପାସୋରା ପିଲାଦିନ। ପୁଣି ଡିଅନ୍ତି,ଖେଳନ୍ତି,ବୁଲନ୍ତି ଭୋକ ହେବା ପର୍ଯ୍ୟନ୍ତ। ମା କାଖେଇ ଜହ୍ନ ମାମୁଁ ଦେଖେଇ ଖୁଆଇ ଦିଅନ୍ତା। ଧୋରେ ବାଇଆ କହି ତା କୋଳରେ ଶୁଆଇ ଦିଅନ୍ତା। ବାପା କାନ୍ଧରେ ବସାଇ ମେଳାକୁ ବୁଲାଇ ନିଅନ୍ତେ। ପୁଅ ଝିଅ ଭେଦ ଭାଵ ନଥାନ୍ତା। ପୁଳାଏ ସାଙ୍ଗ ମୋର ଥାନ୍ତେ। ଆଃ କି ସୁନ୍ଦର ସେଇ ପିଲା ଦିନ ସତରେ....

   


Rate this content
Log in

More oriya story from Satyabati Swain

Similar oriya story from Classics