Laxman Kumar Behera

Others Drama

3  

Laxman Kumar Behera

Others Drama

ନିର୍ବାଚନ

ନିର୍ବାଚନ

9 mins
436



         ଭୁବନେଶ୍ବରରୁ ନିଜ ପରିବାରକୁ ଧରି ଗାଆଁକୁ ଫେରି ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ଯେ, ନିଜ ବାପାମାଆ, ପରିବାର, ସାଙ୍ଗସାଥୀ, ଗୁରୁଜନ ସମସ୍ତଙ୍କୁ ସଂପୂର୍ଣ୍ଣ ରୂପେ ଭୁଲି ଯାଇଥିଲା ସେ କେଉଁ ପରିସ୍ଥିତିରେ ଆଜି ପୁଣି ନିଜ ଘରକୁ ଫେରି ଆସିଲା ଏଇ କଥା ସମସ୍ତେ ସେଦିନ ଯେତିକି ଭାବୁଥିଲେ ସେତିକି ଆଶ୍ଚର୍ଯ୍ୟ ବି ହେଉଥିଲେ । " ଫଣୀ " ମହାବାତ୍ୟା ପାଇଁ କୈଳାସ କେମିତି ରାଜଧାନୀରେ ଚଳିବା ପାଇଁ ଅସୁବିଧାର ସମ୍ମୁଖୀନ ହୋଇ ନିଜ ଜନ୍ମମାଟିକୁ ଶ୍ରେଷ୍ଠ ଆଶ୍ରୟ ସ୍ଥଳୀ ରୂପେ ବାଛିଲା । ଦୂର ପର୍ବତ ସର୍ବଦା ସୁନ୍ଦର ଦେଖାଯାଏ । ହେଲେ ନିକଟରୁ ? ଠିକ୍ ସେମିତି, ଗାଆଁକୁ ଫେରିବା ପରେ ତା'ର କର୍ମ କେମିତି ତା'କୁ ଲଜ୍ଜିତ କରିଛି । ସେଭଳି ଏକ ଘଟଣା ନିକଟ ଅତୀତରେ ମୋ ଗାଆଁରେ ଘଟିଥିଲା । ଯାହାର ଜୀବନ୍ତ ସାକ୍ଷୀ ମୁଁ ନିଜେ ହିଁ ଥିଲି । 


          କୈଳାସ ମୋ ଗାଆଁର ପିଲା । ଆମେ ଦୁହେଁ ଏକା ବୟସର । ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ଯାଏଁ ଏକା ସାଙ୍ଗରେ ପଢିଥିଲୁ । ସେ ମୋର ଭାରି ପ୍ରିୟ ଥିଲା । ତା'କୁ ମୁଁ ବହୁତ ପସନ୍ଦ କରୁଥିଲି । ପସନ୍ଦ କରିବାର ଅନେକ କାରଣ ବି ଥିଲା । ସେ ଶ୍ରେଣୀରେ ସବୁବେଳେ ପ୍ରଥମ ହେଉଥିଲା । ମୁଁ ଅନେକ ଥର ଚେଷ୍ଟା କରି ମଧ୍ୟ ଶ୍ରେଣୀରେ ପ୍ରଥମ ହେଇ ପାରି ନଥିଲି । ସେ ଧନି ଘରର ପିଲା ହେଇଥିବାରୁ ଟିଉସନ ହେଉଥିଲା । ଆମ ଘରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ ମୁଁ ଟିଉସନ୍ ହେଇ ପାରୁ ନଥିଲି । ସେ ମୋତେ ନୋଟ୍ ଲେଖିବା ପାଇଁ ଦେଉଥିଲା । କେବେବି ମନା କରୁ ନଥିଲା । ସେ କ୍ଲାସ୍ ମନିଟର୍ ଥିଲା । ଯେ, ଶ୍ରେଣୀରେ ଖେଚଡ୍ (ଦୁଷ୍ଟ) ହେଉଥିଲା ସେ ତା'ର ନାମ କଳାପଟାରେ ଲେଖି ତା'କୁ ସାର୍ ମାନଙ୍କ ଠାରୁ ମାଡ ଖୁଆଉ ଥିଲା । ତା' ବାପା ତା' ପାଇଁ ଏକ ନୂଆ ସାଇକେଲ୍ କିଣି ଦେଇଥିଲେ । ସେ ସବୁଦିନେ ସାଇକେଲରେ ସ୍କୁଲ୍ କୁ ଆସୁଥିଲା । 


          ମୁଁ ପ୍ରତିଦିନ ବିନା ଚପଲରେ ଚାଲି ଚାଲି ସ୍କୁଲକୁ ଯାଉଥିଲି । ନବମ ଶ୍ରେଣୀ ପରୀକ୍ଷାରେ ଭଲ ନମ୍ବର ରଖି ପାସ୍ କରିଥିବାରୁ ମୋ ବାପା ମୋତେ ନୂଆ ଚପଲ୍ ହଳେ କିଣି ଦେଇଥିଲେ । ସେଇ ଚପଲ ହଳେକୁ ଆଜି ମୁଁ ସ୍ମୃତି ଭାବି ଆମ ଘରର ଆଟୁ ଉପରେ ସାଇତି କରି ରଖି ଦେଇଛି ।


          ହାଇସ୍କୁଲ୍ ରେ ପଢିଲା ବେଳେ ସେ ଆଉ ଯସ୍ମିନ୍ ପରସ୍ପରକୁ ବହୁତ ଭଲ ପାଉଥିଲେ । ମୁଁ ଯସ୍ମିନ୍ କୁ ନିରବରେ ପ୍ରେମ କରୁଥିଲି । ସେ ମୋତେ ପ୍ରେମ କରୁ ଏକଥା କେବେ ମୁଁ ଚିନ୍ତା କରୁ ନଥିଲି । ସେ ଦୁହିଁଙ୍କୁ ଅନେକ ଥର ଏକାଠି ମିଳାମିଶା କରୁଥିବାର ଦେଖିଥିଲି । ମୁଁ ସେମାନଙ୍କର ପ୍ରେମ ସଂପର୍କରେ ଜାଣି ଦେବାରୁ ସେମାନେ ମୋତେ କହିଥିଲେ ଆମେ ଦୁହେଁ ବଡ ହେଲେ ବିବାହ କରିବୁ । ସେମାନଙ୍କ କଥା ଶୁଣି ମୁଁ ସେଦିନ ତାଙ୍କ ଘରେ କାହାରିକୁ କିଛି ଜଣାଇ ନଥିଲି । ମୁଁ ଯେଉଁ କଲେଜ୍ ରେ ପଢୁଥିଲି ଯସ୍ମିନ୍ ମଧ୍ୟ ସେଇ କଲେଜ୍ ରେ ପଢୁଥିଲା । ମୁଁ ତାକୁ ଦେଖି ଅପାର ସୁଖ ଅନୁଭବ କରୁଥିଲି । ଆମେ ଦୁହେଁ ସାଙ୍ଗ ହୋଇ ଗାଆଁରୁ ସାଇକେଲ୍ ରେ କଲେଜ୍ କୁ ପଢି ଯାଉଥିଲୁ । ମୁଁ ସବୁଦିନେ ଯସ୍ମିନ୍ କୁ କୈଳାସ କଥା ପଚାରେ । ସେ ବହୁତ ଭଲ ବୋଲି କହେ । ଯେବେ ସେ ଗାଆଁ କୁ ଆସୁଛି ମୋତେ ଦେଖା କରୁଛନ୍ତି । ସେ ତା' ବିଷୟରେ ଯାହା ସବୁ କହୁଥାଏ ସେସବୁ ମୋର ବୁଝିବା ବାହାରେ ଥାଏ । ମୁଁ ତା' କଥା ଶୁଣି ବହୁତ ଖୁସି ହେଉଥାଏ । ଭାବୁଥାଏ, ଯାହା ହେଉ ପ୍ରଥମ ପ୍ରେମକୁ ମୋର ଦୁଇ ଜଣ ପ୍ରିୟ ସାଙ୍ଗ ପାଇବେ । ପରସ୍ପରକୁ ଭବିଷ୍ୟତରେ ବିବାହ କରିବେ ବୋଲି ଜାଣିବା ପରେ ମୋ ଆଖିର ଉପକୂଳରେ ଲୁହ ଉଙ୍କି ମାରିବାର କାରଣ କ'ଣ ହେଇପାରେ ବୋଲି ଭାବୁଥାଏ । ଏ ଦୁଃଖାଶ୍ରୁ ନା ସୁଖାଶ୍ରୁ, ମୁଁ ବୁଝି ପାରୁ ନଥାଏ ।


         ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ସେ ମୋ ଠାରୁ ଅଧିକ ନମ୍ବର ରଖିବାରୁ ତା' ବାପା ତା'କୁ ଭୁବନେଶ୍ବରରେ ପଢାଇଲେ । ମୁଁ ୬୫% ଶତକଡା ନମ୍ବର ରଖି ପାସ୍ କରିଥିଲି । ଅର୍ଥ ଯୋଗାଡ କରି ବହୁତ କଷ୍ଟରେ ମୁଁ ପଢି ଶିକ୍ଷକତା ଚାକିରି ପାଇଲି । ସେ ଭୁବନେଶ୍ବରରେ ପଢି ସେଇଠାରେ ହିଁ ଚାକିରି ପାଇଗଲା । ଘରେ ତା'ର ବାପା ବହୁତ ଖୁସି । ତା' ମାଆ ଘର ଘର ଯାଇ ପୁଅ ଚାକିରି ପାଇବା ଖୁସିରେ ମିଠା ବାଣ୍ଟିଲେ । ଗାଆଁ ସାରା ଚର୍ଚ୍ଚା ହେଲା, ପଧାନ ଘର ପୁଅ ଚାକିରି ପାଇଲା । ବଡ ଚାକିରି । ରାଜଧାନୀରେ ସେ ବଡ ଅଫିସର୍, ବଡ ପଦରେ । ମୁଁ ସେଦିନ ଶୁଣି ଭାରି ଖୁସି ହେଲି । 


         କୈଳାସ ଚାକିରୀ ପାଇଗଲା ପରେ ତା'ର ବାପା ଆଉ ମାଆ ତା'କୁ ବିବାହ କରିଦେବା ପାଇଁ ଝିଅ ଖୋଜିବା ଆରମ୍ଭ କରିଦେଲେ । ସେ ମନା କରୁଥାଏ । ମୋର ବୟସ ହେଇନି ବୋଲି କହି ଅନେକ ବାହାନା କରୁଥାଏ । ସେ ବାହାନା କରିବାର ଉଦ୍ଦେଶ୍ୟ ମୁଁ କିଛି ବୁଝି ପାରୁ ନଥାଏ । କାହିଁକି ସେ କହି ପାରୁନି ଯେ, ସେ ଯସ୍ମିନ୍ କୁ ଭଲପାଏ ବୋଲି ? ଯସ୍ମିନ୍ କୁ ସେ ତ ବହୁତ ଭଲପାଏ । ଯସ୍ମିନ୍ ତ ବହୁତ ଭଲ ଝିଅ । ତା'ର ବାପା ମାଆର ତ ସେ ସେବା କରୁଛି । ସ୍ନାତକୋତ୍ତର ବି ପଢିଛି । ବିବାହ କରିବାରେ ଅସୁବିଧା କେଉଁଠି ରହିଲା ? ନା ସେ ଭୁବନେଶ୍ବରରେ ଆଉ କାହାକୁ ଭଲପାଇ ବିବାହ କରି ସାରିଛି ? ମୋତେ ଭାରି ସନ୍ଦେହ ଲାଗୁଥାଏ ।


      କୈଳାସ ଘରେ କେବେ କହିନି, ସେ ଭୁବନେଶ୍ବରରେ ଏକ ଫ୍ଲାଟ୍ କିଣିଛି ବୋଲି । ପଚାଶ ଲକ୍ଷ ଟଙ୍କାରେ । ବିବାହ କରି ସାରିଛି ଏକ ବଙ୍ଗାଳୀ ଝିଅକୁ । ଫ୍ଲାଟ୍ ରେ ଥିବାବେଳେ ସେ ଯସ୍ମିନ୍ କୁ କେବେ ଫୋନ୍ କରେ ନାହିଁ । କେବଳ ତା' ବାପା ମାଆଙ୍କ ସହ କଥା ହୁଏ । ଯେତେବେଳେ ଅଫିସ୍ ଯାଏ ସେତେବେଳେ ଯସ୍ମିନ୍ କୁ ଫୋନ୍ କରେ । ଘଣ୍ଟା ଘଣ୍ଟା ଧରି ଗପେ । ଭାରି ବୋକି ଆଉ ସରଳ ଝିଅଟି ଯସ୍ମିନ୍ । 


        ସେଦିନ ଅପ୍ରେଲ ତେଇଶ୍ ତାରିଖ । ଭାରତ ମହା ସାଗରରେ ଏକ ଭୟଙ୍କର ଘୂର୍ଣ୍ଣୀଝଡ ସୃଷ୍ଟି ହେଲା ବୋଲି ଗଣମାଧ୍ୟମରେ ଖବର ପସାରିତ ହେଲା । କୈଳାସ କୁ ତା'ର ବାପା ଘରକୁ ପଳେଇ ଆସ୍ ବୋଲି ଅନେକ କହିଲେ । ହେଲେ ଉପର ମହଲରୁ ନିର୍ଦ୍ଦେଶ ଅଛି ଅଫିସ୍ ରେ ବାଧ୍ଯ ରହିବାକୁ ହେବ ବୋଲି ସେ ତା' ବାପାଙ୍କୁ ଉତ୍ତର ଦେଲା । ସେ ଘରକୁ ଆସିଲା ନାହିଁ । ଘରେ ସମସ୍ତେ ଚିନ୍ତା କରୁଥାନ୍ତି । ଠିକ୍ ଛବିଶ ତାରିଖ ଦିନ ପ୍ରଳୟଙ୍କରୀ ମହାବାତ୍ୟା " ଫଣୀ " ଭୁବନେଶ୍ବରର ମାନଚିତ୍ର ପୁରା ଓଲଟାଇ ଦେଲା । ଚାରିଆଡେ ଗଛଲତା, ଘରଦ୍ବାର ଭାଙ୍ଗି ଗଲା । ବିଦ୍ଯୁତ୍ ସରବରାହ ବନ୍ଦ ହେଇଗଲା । ପାଣି ସବୁ ଦୁଷିତ ହେଇଗଲା । ଚାରିଆଡେ ପାଣିର ଘୋର ଅଭାବ ଦେଖାଗଲା । ବଜାର ଦର ବଢିଗଲା । ଫ୍ଲାଟ୍ ର ଲିଫ୍ଟ ନ ଚଳିବାରୁ ଶିଡି ରେ ତଳ ଉପର ହେଇ ଚଳିବାଟା ବଡ ମୁସ୍କିଲ୍ ହେଇ ପଡିଲା ।


       ନିଜ ଇଚ୍ଛାରେ ଧରିପଳା ଯାଇ ପ୍ରେମ ବିବାହ କରିଥିବାରୁ କୈଳାସର ସ୍ତ୍ରୀ ମନ୍ଦାକିନୀ ନିଜ ବାପ ଘରକୁ ଯାଇ ପାରିଲା ନାହିଁ । ବହୁତ କଷ୍ଟରେ ଫ୍ଲାଟ୍ ରେ ଦୁଇଦିନ ରହିଲେ । ଚଳିବା ପରିସ୍ଥିତି ଜଟିଳ ହେବାରୁ ବାଧ୍ଯ ହୋଇ ନିଜ ସ୍ତ୍ରୀକୁ ଧରି ଗାଆଁକୁ ଫେରି ଆସିଲା କୈଳାସ ।


       ଗାଆଁ ସାରା ଚର୍ଚ୍ଚା ଜୋର୍ ଧରିଲା, ପଧାନ ଘର ପୁଅ କୈଳାସ ବଙ୍ଗାଳୀ ଝିଅକୁ ବାହା ହେଇ ଘରକୁ ଆସିଛି । ସମସ୍ତେ କହିବାକୁ ଲାଗିଲେ ତାଙ୍କର କୁଳ ମାରା ହେଇଗଲା । ତା'ର ବାପା ଗାଆଁ ପଞ୍ଚାୟତ ରେ ବଡ ବଡ କଥା କୁହେ । ଦେଖ ହୋ, ତା' ପୁଅ ଆଜି କି କାମ କରିଛି ? କି ଜାତି ନାଇଁ କି ଜାତି ଝିଅଟେକୁ ଧରି ପଳେଇ ଆସିଛି । ଛି ! ଛି ! କି ଯୁଗ ହେଲା କେଜାଣି ? ଆଜିକାଲି ଆଉ କେହି ଜାତିଗୋତ୍ର ମାନୁ ନାହାଁନ୍ତି । ବାପ ମାଆର ଏଇ ଗୋଟିଏ ବୋଲି ପିଲା । ଘରଟାକୁ ପୁରା ବଦନାମ୍ କରିଦେଲା । ମାଟିରେ ମିଶେଇ ଦେଲା ତା' ବାପର ଇଜ୍ଜତ୍ ଟାକୁ । 


       ପଧାନ ସମାଜରେ କଥା ଉଠିଲା । ପଞ୍ଚୁପାଲିରୁ ସମାଜର ଭଲଭାୟା, ସଭାପତି, ସଂପାଦକ, ମୁଖ୍ଯ ମୁଖ୍ଯ ଲୋକ ଆସି ସଭା କଲେ । ସଭାରେ ନିଷ୍ପତ୍ତି ନିଆଗଲା ଯେଉଁ ପର୍ଯ୍ଯନ୍ତ ସେମାନେ ତିରିଶ୍ ହଜାର ନଗଦ ଅର୍ଥ ରାଶି ସହ ମଟନ୍ ଭୋଜି ଦେଇ ନାହାଁନ୍ତି, ସେ ପର୍ଯ୍ଯନ୍ତ ତାଙ୍କ ପରିବାରକୁ ସମାଜ ଏକ ଘରକିଆ କରୁଅଛି । ସମାଜର କୌଣସି ଲୋକ ତାଙ୍କ ଘର ସହ କୌଣସି ସଂପର୍କ ରଖି ପାରିବେ ନାହିଁ । ଯେଉଁ ପର୍ଯ୍ଯନ୍ତ ସେମାନେ ସମାଜରେ ମିଶି ପାରି ନାହାଁନ୍ତି ସେ ପର୍ଯ୍ଯନ୍ତ କଟକଣା ବଳବତ୍ତର ରହିବ ।


        ତା'ର ବାପା ସମାଜରେ ଜଣେ ପ୍ରତିଷ୍ଠିତ ବ୍ଯକ୍ତି ଥିଲେ । ସମାଜରୁ ବାରଣ ହେବା କଥା ଶୁଣି ତାଙ୍କ ମୁହଁ ତଳକୁ ହେଇଗଲା । ତାଙ୍କ ଇଜ୍ଜତରେ କଳଙ୍କ ଲାଗିଗଲା ଭାବି ସେ ବହୁତ କାନ୍ଦିବାକୁ ଲାଗିଲେ । 


        ଯସ୍ମିନ୍ ଯେବେ ଶୁଣିଲା ଯେ, କୈଳାସ ବର୍ଷେ ହେଲାଣି ବିବାହ କରି ସାରିଛି । ସେଦିନ ସେ ଅନେକ କାନ୍ଦିଲା । ଜଣେ କପଟୀ, ଧୋପାବାଜ୍, ବେଇମାନ୍, ଠକ ସହ ସବୁଦିନେ ଲୁଚି ଲୁଚି କଥା ହେଇଥିବାର ପରିଣାମ ଯେ ଶେଷରେ ଏଡେ ଭୟାନକ ହେବ ସେ ଏକଥା କେବେ ସ୍ବପ୍ନରେ ସୁଦ୍ଧା କଳ୍ପନା କରି ପାରୁ ନଥାଏ ।


       ଟଙ୍କା ବଳରେ ତାଙ୍କର ପରିବାର ସମାଜରେ ମିଶିଗଲେ । ସମାଜର ସମସ୍ତ କଟକଣାରୁ ମୁକ୍ତ ହେଇଗଲେ । କୈଳାସର ବାପାମାଆ ମଧ୍ୟ ବୋହୂ କୁ ଦେଖି ନିଜ ପୁଅକୁ କ୍ଷମା କରିଦେଲେ । ହେଲେ ଯସ୍ମିନ୍ ର ଆଖିରୁ ଲୁହ ଅନବରତ ଝରୁଥାଏ ଜମା ଶୁଖୁ ନଥାଏ । ତା'କୁ ବିଲକୁଲ୍ ଭଲ ଲାଗୁ ନଥାଏ । ନିଜକୁ ସେ ଅନେକ ନିନ୍ଦୁଥାଏ । କୈଳାସ ର ମୁହଁ ଦେଖିବାକୁ ସେ ଜମାରୁ ଆଉ ପସନ୍ଦ କରୁ ନଥାଏ । 


        ମୁଁ ଏସବୁ ଦେଖି ଯସ୍ମିନ୍ ପାଖକୁ ଗଲି । ମୋତେ ଦେଖି ସେ କାନ୍ଦିବାକୁ ଲାଗିଲା । ଲୁହଭରା ନୟନରେ ମୋତେ ଶୁଣାଇଲା, ତା'କୁ ନେଇ ମୁଁ କେତେ ସ୍ବପ୍ନ ଦେଖିଥିଲି । ତା' ସହ ଅଶିନିଦ୍ରା ରହି ରାତି ପାହାନ୍ତି କେତେ କଥା ଫୋନ୍ ରେ ହେଇଥିଲି । ମୋତେ ସେ ଠକି ଦେଲା । 


        ମୁଁ ତା'ର ପିଲା ଦିନର ସାଙ୍ଗ । ତାକୁ ବହୁତ ବୁଝାଇଲି । କହିଲି, ପ୍ରେମରେ ପାଇବା ଆଶା ହିଁ ତୁମ ଦୁଃଖର ଅସଲ କାରଣ । ତୁମେ ନିଃସ୍ବାର୍ଥରେ ତାକୁ ଭଲ ପାଇଲ ନାହିଁ ବୋଲି ଆଜି ନିଜ ଠାରୁ କୈଳାସକୁ ଦୂରେଇବାର ଯନ୍ତ୍ରଣା ପାଉଛ । ତୁମ ଭଲପାଇବାରେ ସ୍ବାର୍ଥ ଥିଲା । ଭୟ କରି ନିଜ ପରିବାରକୁ ତୁମ ପ୍ରେମ ବିଷୟରେ କିଛି ଜଣାଇଲ ନାହିଁ । ଏହା ସବୁଠାରୁ ବଡ ଭୁଲ୍ ଥିଲା । ଗୋରା ତକତକ, ଧନୀ, ପଧାନ ଘର ପୁଅ ଭାବି ତା'କୁ ଭଲ ପାଇଲ । ଏହା ତ ଧନ ଆଉ ରୂପ ଯୌବନର ମୋହ ଥିଲା ନା ! ପ୍ରେମରେ ନା ପାଇବା ଆଶା ଥାଏ ନା କିଛି ସ୍ବାର୍ଥ । ନା କୌଣସି ଭୟ ଥାଏ ନା ମୋହ । ପ୍ରେମ ଶରୀରକୁ ଦେଖି କରାଯାଏ ନାହିଁ ଯସ୍ମିନ୍ । ନିଃସ୍ବାର୍ଥ ପ୍ରେମ ସ୍ଵର୍ଗୀୟ ହୋଇଥାଏ । ପ୍ରେମରେ କ୍ରୋଧ ନଥାଏ । ତୁମେ ତ କୈଳାସକୁ ପ୍ରେମ କରୁ ନଥିଲ । ଯଦି ପ୍ରେମ କରୁଥିଲ ତା' ଭଲ ପାଇବାକୁ, ତା' ଖୁସିକୁ ତୁମେ ସ୍ବୀକାର କରୁ ନାହଁ କାହିଁକି ? ତା' ଖୁସିରେ ତୁମେ ତ ଖୁସି ହେବା କଥା । ଏ ପ୍ରେମ ନଥିଲା । ପ୍ରେମ କେବେ ଅନ୍ଧ ନୁହେଁ । ତୁମେ ତ ତା'ର ଖୁସି ଦେଖି ସହି ପାରୁନ । ତାହା ହେଲେ ତୁମେ କୁହତ ଇଏ କ'ଣ ପ୍ରେମ ଥିଲା ? ଇଏ କ'ଣ ପରସ୍ପର ପ୍ରତି କେବଳ ଶାରିରୀକ ଆକର୍ଷଣ ନଥିଲା ? ଏ ତ ମୋହ ଥିଲା । ହୃଦୟ ଆଉ ମନର ଆକର୍ଷଣ ଶୂନ୍ଯ ଥିଲା । ତୁମେ ତା'କୁ ପଢିଲା ବେଳେ ସେଇଥି ପାଇଁ ଭଲ ପାଉଥିଲ ଏଇଥି ପାଇଁ ଯେ, ତା' ପାଖରେ ସାଇକେଲ୍ ଥିଲା, ତା ବାପା ଗାଆଁ ର ପଧାନ ଥିଲେ, ସେ ଶ୍ରେଣୀରେ ପ୍ରଥମ ଥିବା ସହ କ୍ଲାସ୍ ମନିଟର୍ ବି ଥିଲା । ସତ କି ନାହିଁ କୁହ ? ମୋ କଥା ସବୁ ଶୁଣି ସାରିବା ପରେ ସେ ହସିବାକୁ ଲାଗିଲା । କହିଲା ଠିକ୍ କହିଲ ତମେ, ଏ ସବୁ ପ୍ରେମ ନଥିଲା ।


       ( ମୁଁ କହିଲି) ପ୍ରେମ ତ ତା'କୁ କରାଯାଏ ଯିଏ ତୁମକୁ ସମୟ ଦେଉଥିବ । ତମ ପ୍ରତି ସମର୍ପିତ ହେଉଥିବ । ସୁବିଧା ଅସୁବିଧାରେ ତୁମକୁ ସାହାଯ୍ଯ ସହଯୋଗ କରୁଥିବ । ତୁମର ପ୍ରତିଟି କାର୍ଯ୍ଯରେ ସୁଖରେ ଦୁଃଖରେ ସେ ସାକ୍ଷାତ୍ ଛିଡା ହେଉଥିବ । ତୁମକୁ ସମ୍ମାନ କରୁଥିବ । ତୁମ ଭାବନା ସହ କେବେ ଖେଳୁ ନଥିବ । ତା'କୁ ଦେଖିଲେ ତୁମ ଅନ୍ତରାତ୍ମା ଖୁସିରେ ନାଚି ଉଠୁଥିବ । ତୁମ ଇଜ୍ଜତକୁ ଯେ ନିଜ ଇଜ୍ଜତ୍ ବୋଲି ଭାବୁଥିବ । ପ୍ରତିଟି ମୁହୂର୍ତ୍ତରେ ତା'ର ଉପସ୍ଥିତି ତୁମ ଆଖିରେ ଝଲସି ଉଠୁଥିବ । ତୁମେ ଆଗକୁ ଆଗକୁ ବଢ ମୁଁ ତୁମ ପଛରେ ନୁହେଁ ତୁମ ସହ ଛିଡା ଅଛି ବୋଲି ଯେ, ସ୍ମରଣ କରାଇ ଦେଉଥିବ । ଯାହାକୁ ଦେଖିଲେ ତୁମ ମନ,ଶରୀର ଆଉ ଆତ୍ମା ଶୀହରି ଉଠୁଥିବ ।


       ( ସେ କହିଲା ) ତୁମେ ଆଜି ମୋର ଆଖି ଖୋଲି ଦେଲ ପ୍ରିୟ ରଞ୍ଜନ । ତୁମେ ମୋତେ ବୁଝାଇ ନଥିଲେ ବୋଧ ହୁଏ ଏ ଧରାତଳେ ଆଉ କ୍ଷଣଟିଏ ମୁଁ ଜୀଇଁ ପାରି ନଥାନ୍ତି । ତୁମ କଥା ଶୁଣି ଆଜି ନିଜକୁ ମୁଁ ହାଲୁକା ମନେ କରୁଛି ।


       ମୋ କଥା ଶୁଣି ଯସ୍ମିନ୍ ନିଜ ଘରକୁ ଯାଇ ତା'ର ମାଆବାପାଙ୍କୁ ମୋତେ ବିବାହ କରିବା ପାଇଁ କହିଲା । ଯସ୍ମିନ୍ ର କଥା ଶୁଣି ତା'ର ବାପାମାଆ ଭାରି ଖୁସି ହେଲେ । ସଂଗେ ସଂଗେ ତା'ର ମାଆ ଆସି ମୋ ମାଆ ସହ ଆମ ବିବାହ ବିଷୟରେ କଥା ହେଲେ । ଦୁଇ ବର୍ଷ ତଳେ ପରସ୍ପରକୁ ଯେଉଁ ବଚନ ଦେଇଥିଲେ ଏବେ ତାହା ପାଳନ କରିବାକୁ ହେବ ସମୁଦୁଣି ବୋଲି କହି ଦୁହେଁ ହସି ହସି ଖୁସିରେ ବେଦମ୍ ହେଇ ଯାଉଥିଲେ । ଜାଣୁଥାଏ ସେମାନେ ବହୁତ ଖୁସି ଥିଲେ । ମୁଁ କଥା ହେଉଥିବାର ଦେଖୁଥାଏ ହେଲେ କ'ଣ କଥା ହେଉଛନ୍ତି ଶୁଣି ପାରୁ ନଥାଏ ।


      ମୁଁ ସ୍କୁଲ୍ କୁ ଯିବା ପାଇଁ ବାହାରୁଥାଏ । ମୋ ମାଆ ମୋ ପାଖକୁ ଆସି କହିଲା, ତୋର ବାହାଘର ପାଇଁ ଦୁଇ ବର୍ଷ ଆଗରୁ ଏକ ଭଲ ପ୍ରସ୍ତାବଟେ ବାଛିକି ରଖିଛି । ମୋତେ ତା'ର ନାମ କହିଲା । ମୁଁ ଆଶ୍ଚର୍ଯ୍ୟ ହେଲି । ମୋତେ ବାହାଘର କରିବା ପାଇଁ ମୋ ମାଆ ମନେ ମନେ ଯସ୍ମିନ୍ କୁ ବାଛି ସାରିଥିଲା । ଦୁଇ ବର୍ଷ ଆଗରୁ ମନ୍ଦିରରେ ତା' ମାଆକୁ ମୋ ମାଆ କଥା ଦେଇ ସାରିଥିଲା । ମୁଁ ଏକଥା ଜାଣି ପାରି ନଥିଲି । 


       ଯସ୍ମିନ୍ ୟୁ• ପି• ଏସ୍• ସି• ପରୀକ୍ଷା ଦେଇଥାଏ । ରେଜଲ୍ଟ ବାହାରି ନଥିଲା । ଯସ୍ମିନ୍ ସହିତ ମୋର ବାହାଘର ବାପା ମାଆ ଠିକ୍ କରି ଦେଲେ । ମୋ ବାପାମାଆଙ୍କ ଖୁସିକୁ ମୁଁ ଅସ୍ବୀକାର କରି ପାରିଲି ନାହିଁ । ବିବାହ ପାଇଁ ରାଜି ହେଲି । ଯସ୍ମିନ୍ ମଧ୍ଯ ମୋତେ ବିବାହ କରିବା ପାଇଁ ଖୁସି ମନରେ ହଁ କଲା । 


      ବିବାହ ଦିନ ଯସ୍ମିନ୍ ର ରେଜଲ୍ଟ ବାହାରିଲା । ସେ ଟପର୍ ହେଇଛି ଶୁଣି ମୋ ଆଖିରେ ଲୁହ ଆସିଗଲା । ଯସ୍ମିନ୍ ମୋତେ ଭିଡିଧରି କହିଲା, ତୁମେ ହିଁ ମୋର ଶ୍ରେଷ୍ଠ ନିର୍ବାଚନ । ମୁଁ କେବଳ ତୁମ ସହ ଖୁସିରେ ରହି ପାରିବି । ଏହା ମୁଁ କହୁନି, ଏହା ମୋର ପ୍ରିୟ ପରମେଶ୍ଵରଙ୍କର ଇଚ୍ଛା ।



Rate this content
Log in