Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

KRUTIBAS NAYAK

Children


4  

KRUTIBAS NAYAK

Children


ମୟୂର ରାଜା

ମୟୂର ରାଜା

5 mins 197 5 mins 197


ଭୂମିକମ୍ପ ପରେ ସମୁଦ୍ର ମଝିରେ ନୂଆଦ୍ଵୀପଟିଏ ଦେଖାଗଲା | କିଛିଦିନ ପରେ ନାନା ପ୍ରକାର ଗଛଲତାରେ ସେ ଦ୍ୱୀପଟି ଭରିଗଲା | ସେହି ଦ୍ୱୀପଟି ଦୂରକୁ ଗୋଟିଏ ଗୋଟିଏ ଜଙ୍ଗଲ ପରି ଦିଶୁଥିଲା | ତା' ଚାରିପଟେ ଖାଲି ଲୁଣିପାଣି ଆଉ ସମୁଦ୍ରର ବଡ଼ବଡ଼ ଲହଡ଼ି ଥାଏ | ତେଣୁ ସେଠାକୁ ବାହାର ପଶୁ କେହି ଯାଇପାରୁନଥିଲେ | କିନ୍ତୁ ବିଭିନ୍ନ ପ୍ରକାର ପକ୍ଷୀ ଉଡ଼ି ଉଡ଼ି ଆସି ସେଇଠି ବସା ବାନ୍ଧି ମଜାରେ ରହିଲେ | ଧୀରେ ଧୀରେ ଆଉ କେତେ ବିଦେଶୀ ପକ୍ଷୀ ଉଡ଼ିଆସି ସେଇଠି ବିଶ୍ରାମ ନେଉ ନେଉ ସୁବିଧା ଦେଖି ବସାବାନ୍ଧି ରହିଗଲେ | ଦିନକୁ ଦିନ ସେ ଦ୍ୱୀପରେ ପକ୍ଷୀ ସଂଖ୍ୟା ବଢ଼ି ଚାଲିଲା | କିଛିଦିନ ପରେ ଖାଦ୍ୟ, ବାସସ୍ଥାନ ଆଉ ନିଜ ଗୋଷ୍ଠୀକୁ ନେଇ ପରସ୍ପର ମଧ୍ୟରେ ଝଗଡ଼ା, ଲଢେଇ କଲେ | ଶାନ୍ତ-ସୁନ୍ଦର ଜଙ୍ଗଲିଆ ଦ୍ୱୀପଟି ଅଶାନ୍ତ ହେଇଉଠିଲା | ବଳୁଆ ଆଉ ବଡ଼ବଡ଼ ପକ୍ଷୀମାନେ ଛୋଟ ଛୋଟ ନିରୀହ ପକ୍ଷୀମାନଙ୍କୁ ମାରି ପକେଇଲେ | ଶିକାରୀ ପକ୍ଷୀମାନଙ୍କର ବିକଟାଳ ରଡ଼ି ସାଙ୍ଗକୁ ନିରୀହ ପକ୍ଷୀଙ୍କର ବିକଳ କାନ୍ଦ ଶବ୍ଦରେ ସମଗ୍ର ଦ୍ୱୀପଟି କମ୍ପି ଉଠିଲା |

ସେହି ଦ୍ୱୀପ-ଜଙ୍ଗଲରେ ମୂଳରୁ ଗୋଟାଏ ମୟୂର ରହି ଆସୁଥିଲା | ସେ ଦେଖିବାକୁ ଯେମିତି ସୁନ୍ଦର, ଆକାରରେ ମଧ୍ୟ ସେମିତି ବଡ଼ | ତା'ର କେକା ରାବ ବହୁତ ଦୂରକୁ ଶୁଣାଯାଏ | ସେଥିପାଇଁ ଅନ୍ୟ ପକ୍ଷୀମାନେ ତାକୁ ମାନନ୍ତି | ସେ କାହାରି ସହିତ କେବେ ଝଗଡ଼ା କରେନା, ତେଣୁ ତାକୁ ସମସ୍ତେ ଭଲ ପାଆନ୍ତି |

ଦ୍ୱୀପ-ଜଙ୍ଗଲରେ ଶାନ୍ତିରକ୍ଷା ପାଇଁ ଥରେ ଦଳେ ପକ୍ଷୀ ଯାଇ ମୟୂର ପାଖରେ ପହଞ୍ଚିଲେ | ସେମାନେ କହିଲେ-" ଆମ ଦ୍ୱୀପ-ଜଙ୍ଗଲରେ ଜଣେ ରଜା ନଥିବାରୁ ପକ୍ଷୀମାନେ କେହି କାହାରିକୁ ମାନୁ ନାହାନ୍ତି | ଆମ ଜଙ୍ଗଲରେ ଶାନ୍ତି ଶୃଙ୍ଖଳା ବି ରହିପାରୁ ନାହିଁ | ତେଣୁ ଆମକୁ ଜଣେ ଭଲରଜା ଦରକାର | ସେ ଆମର ଦୁଃଖ-ସୁଖ କଥା ବୁଝିବେ | ଦୋଷୀ ପକ୍ଷୀଙ୍କୁ ଦଣ୍ଡ ଦେବେ | ଉପକାରୀ ପକ୍ଷୀଙ୍କୁ ପୁରସ୍କାର ଦେଇ ପ୍ରଶଂସା ବି କରିବେ | ଆମେ ସମସ୍ତେ ତାଙ୍କ କଥାକୁ ମାନିବୁ | ତେଣୁ ଆଜି ଆମେ ସମସ୍ତେ ଆପଣଙ୍କ ପାଖକୁ ଅନୁରୋଧ କରିବାକୁ ଆସିଛୁ, ଆଜିଠାରୁ ଆପଣ ଏହି ଦ୍ୱୀପ-ଜଙ୍ଗଲରେ ରଜା ହୁଅନ୍ତୁ | ଆମେ ସମସ୍ତେ ଆପଣଙ୍କ ଆଦେଶକୁ ପାଳନ କରିବୁ |"

ସମସ୍ତଙ୍କର ଅନୁରୋଧକୁ ରକ୍ଷାକରି ମୟୂର ରାଜା ହେବାକୁ ରାଜିହେଲେ | ବଳୁଆ ପକ୍ଷୀ ଚିଲକୁ ସେ ନିଜର ସେନାପତି ଦାୟିତ୍ୱ ଦେଲେ | ତାଙ୍କୁ କୁହାଗଲା- "ସେନାପତିର ଦାୟିତ୍ୱ ହେଉଛି, ନିଜ ରାଜ୍ୟର ପ୍ରଜାମାନଙ୍କୁ ସୁରକ୍ଷା ଦେବା | ସେ ନିଜ ସୁଖପାଇଁ ପ୍ରଜାମାନଙ୍କ ଉପରେ ଅନ୍ୟାୟ ଅତ୍ୟାଚାର କରିବ ନାହିଁ | ନିଜ ସ୍ୱାର୍ଥକୁ ପଛରେ ରଖି ରାଜ୍ୟର ସୁଖ-ଶାନ୍ତିକୁ ଆଗରେ ରଖିବ |"

କେଉଁ କେଉଁ ପକ୍ଷୀ ହିଂସା ଆଚରଣ କରି ଗଣ୍ଡଗୋଳ କରୁଛନ୍ତି, ତାଙ୍କୁ ଚିହ୍ନି-ଜାଣି ଖବର ଦେବାକୁ କଟୁଆଳ ଜଣେ ଦରକାର | ସେ ଦାୟିତ୍ୱ କାଉ ସମ୍ଭାଳିବ ବୋଲି ମୟୂର ରାଜା କହିଲେ |

ସତକୁ ସତ ସେହିଦିନଠାରୁ ମୟୂର ରାଜାଙ୍କ ନେତୃତ୍ୱରେ ଦ୍ୱୀପ-ଜଙ୍ଗଲରେ ନୂଆ ଶାସନ ଚାଲିଲା | ପକ୍ଷୀମାନେ ଖୁସିହେଇ ନିଜ ନିଜର ବସାକୁ ଫେରିଗଲେ |

କାଉ ତ ସବୁଠାରୁ ଚତୁର ପକ୍ଷୀ | ସେ ରାତି ପାହିବା ପୂର୍ବରୁ ସାରା ଦ୍ୱୀପ-ଜଙ୍ଗଲରେ ବୁଲି ଖବର ଯୋଗାଡ଼ କରି ଆସି ରଜାଙ୍କୁ ଜଣାଏ | ଦିନେ କାଉ କହିଲା-"ମହାରାଜ ! ଆମ ରାଜ୍ୟଟି ନୂଆ ରାଜ୍ୟ ହେଇଥିବାରୁ ଏଠାକୁ ସବୁ ବାହାର ରାଜ୍ୟର ପକ୍ଷୀମାନେ ଆସି ଏଇଠି ବସବାସ କରୁଛନ୍ତି | ତେଣୁ ସେମାନେ କେହି ଏହି ରାଜ୍ୟକୁ ନିଜର ମାତୃଭୂମି ବୋଲି ଭାବି ପାରୁନାହାନ୍ତି | ଫଳରେ ଏହି ଦ୍ୱୀପ-ଜଙ୍ଗଲ ପ୍ରତି ତାଙ୍କର ମମତା ରହୁନାହିଁ | ସମସ୍ତେ କେବଳ ଖାଇ ପିଇ ଅଳିଆ ଆବର୍ଜନା ସୃଷ୍ଟି କରୁଛନ୍ତି, ମାଡ଼ଗୋଳରେ ମାତି ରହୁଛନ୍ତି | ସେମାନଙ୍କର କିଛି ଦାୟିତ୍ୱ ରହିଛି ବୋଲି ବୁଝିପାରୁ ନାହାନ୍ତି | ତେଣୁ ଏଥିପାଇଁ କିଛି ସ୍ଥାୟୀ ବ୍ୟବସ୍ଥା କରାଯାଉ | ପକ୍ଷୀମାନଙ୍କର ଶକ୍ତି ସାମର୍ଥ୍ୟ ଆଉ ଯୋଗ୍ୟତାକୁ ଦେଖି କିଛି କିଛି ଦାୟିତ୍ୱ ଦିଆଯାଉ | ତେବେ ଯାଇ ସବୁପକ୍ଷୀ ଏହି ଦ୍ୱୀପ-ଜଙ୍ଗଲକୁ ନିଜର ବୋଲି ଭାବିବେ |"

କଟୁଆଳ ଚତୁର କାଉର ଉଚିତ ପ୍ରସ୍ତାବଟି ରଜାଙ୍କ ମନକୁ ପାଇଲା | ସେ ଦିନେ ଗୋଟାଏ ପକ୍ଷୀସଭା ଡକାଇଲେ | ରାଜ୍ୟରେ ଶାନ୍ତିରକ୍ଷା ଓ ପରିବେଶ ସୁରକ୍ଷା ପାଇଁ କିଏ କି ପ୍ରକାର ଦାୟିତ୍ୱ ନେଇ ପାରିବ, ପଚାରି ବୁଝିଲେ |

କେହି କିଛି କହିବା ପୂର୍ବରୁ ରଜା ପ୍ରଥମେ କହିଲେ-" ମୁଁ ନିଜକୁ ପ୍ରଜାମାନଙ୍କର ସେବକ ବୋଲି ମନେକରେ | ତେଣୁ ପ୍ରଜାଙ୍କ ସୁରକ୍ଷା ପାଇଁ ମୋର ଅନେକ ଗୁରୁ ଦାୟିତ୍ୱ ରହିଛି | ମୁଁ ଲକ୍ଷ୍ୟ କରୁଛି, ଆମ ଦ୍ୱୀପ-ଜଙ୍ଗଲ ରାଜ୍ୟରେ କେତେଟା ବିଷଧର ସାପ ପଶି ପକ୍ଷୀମାନଙ୍କର ଅଣ୍ଡା ଆଉ ଛୋଟ ଛୁଆଙ୍କୁ ଖାଇ ଯାଉଛନ୍ତି | ମୁଁ ସେମାନଙ୍କୁ ମାରି ବାହାର କରିବା ଦାୟିତ୍ୱ ନେଲି |"

ରାଜାଙ୍କ କଥାଶୁଣି ସେନାପତି ଚିଲ କହିଲେ- " ମୁଁ ରାଜାଙ୍କ ସହିତ ମିଶି ସାପମରା ଅଭିଯାନକୁ ଜୋରଦାର କରିବି | ଖାଲି ସାପ କାହିଁକି ? ଆହୁରି କେତେ ପ୍ରକାର ସରୀସୃପ, ବିଛା, ଗେଣ୍ଡା, ସାମୁଦ୍ରିକ ଜୀବ ଆମ ଦ୍ୱୀପ-ଜଙ୍ଗଲକୁ ଲୁଚିଛପି ପଶି ଆସୁଛନ୍ତି, ସେମାନଙ୍କୁ ମଧ୍ୟ ମାରି ବାହାର କରିବା ଦାୟିତ୍ୱ ମୁଁ ନେବି |"

କାଉ କହିଲା-“ ମୁଁ କଟୁଆଳ ଦାୟିତ୍ୱ ସହିତ ସାରା ରାଜ୍ୟର ପକ୍ଷୀମାନଙ୍କୁ ସତର୍କ କରିବା କାମ ବି କରିଦେବି | ପ୍ରତିଦିନ ବଡ଼ିଭୋରୁ ଉଠି ସମସ୍ତଙ୍କୁ କା-କା କରି ସ୍ୱାଗତ ଜଣାଇବି | କିଛି ପଚାସଢ଼ା ଜିନିଷ ପଡ଼ିଥିଲେ, ତାକୁ ସଫା କରିବି | ଏହାଦ୍ୱାରା ଆମର ପରିବେଶ ସଫା ସୁତର ରହିପାରିବ |"

କୋଇଲି କହିଲା-" ମୋର କଣ୍ଠସ୍ୱର ବହୁତ ମିଠା | ମୁଁ ସେଇ ମିଠା ସ୍ୱରରେ ମଧୁର ଗୀତ ଗାଇ ପକ୍ଷୀମାନଙ୍କର ମନୋରଞ୍ଜନ କରିପାରିବି |"

କାଠହଣା ଚଢେଇ କହିଲା-" ମୁଁ ବଢ଼େଇ କାମ କରିବି | କାଠକୁ ଖୋଳି ଘର ତିଆରି କରିଦେବି |"

ଶୁଆ-ଶାରୀ କହିଲେ- "ଆମେ ଦୁହେଁ ମିଶି ହରିନାମ କୀର୍ତ୍ତନ କରି ପରିବେଶକୁ ଆନନ୍ଦମୟ କରିଦେବୁ |"

ବାଇଚଢ଼େଇ କହିଲା-" ମୋର ଥଣ୍ଟ ସିନା ଛୋଟ, କିନ୍ତୁ ସେଇ ଥଣ୍ଟରେ ମୁଁ ଏତେ ସୂକ୍ଷ୍ମ କାରୁକାର୍ଯ୍ୟ କରି ବସା ବୁଣିଦେବି ଯେ, ମଣିଷ ବି ସେମିତି କରିପାରିବ ନାହିଁ | ଆମ ରାଇଜରେ ଯଦି ସୂକ୍ଷ୍ମ କାମ କିଛି ଦରକାର ହେବ, ମୋତେ ଡାକିବେ |"

ଶାଗୁଣା କହିଲା-" ମୋର ଦୃଷ୍ଟିଶକ୍ତି ବହୁତ ବେଶି | ମୁଁ ଦୂରରୁ ଶତୃକୁ ଦେଖିପାରେ | ଛୋଟ ପକ୍ଷୀମାନଙ୍କର ଛୁଆମାନଙ୍କୁ ମୁଁ ରକ୍ଷା କରିବା ଦାୟିତ୍ୱ ନେବି | ଅନ୍ୟମାନେ କିଛି ଭଲ କାମ କରିବାକୁ ଗଲେ, ମୁଁ ଛୁଆମାନଙ୍କୁ ଜଗି ବସିବି | ଶତ୍ରୁକୁ ଦେଖିଲେ, ମାରି ଖାଇଦେବି |"

ଅନ୍ୟ ଛୋଟ ପକ୍ଷୀମାନେ କହିଲେ-"ଆମେ ସବୁ କାମରେ ଆପଣମାନଙ୍କୁ ସାହାଯ୍ୟ ସହଯୋଗ କରିବୁ | ଯେତେବେଳେ ଯାହା କାମ ଦିଆଯିବ, ତାକୁ ଆମେ ଆନନ୍ଦରେ କରିବୁ |"

ଭଦଭଦଳିଆ ପକ୍ଷୀ କହିଲା-"ମୁଁ ପ୍ରତିଦିନ ସକାଳୁ ବନ୍ଦନା ଗାଇବି | ପରିବେଶକୁ ସରସ ସୁନ୍ଦର କରିବି |"

ଟେଟେଇଁ ଚଢେଇ କହିଲା- "ମୋତେ ରାତିରେ ନିଦ ହୁଏନାହିଁ | ସାରାରାତି ଚେଇଁ ରହେ | ରାତ୍ରିଚର ଜୀବ-ଜନ୍ତୁଙ୍କୁ ମୁଁ ଜଗା ରଖା କରିବି | ଶତୃର ବିପଦ ଥିଲେ, ସମସ୍ତଙ୍କୁ ସତର୍କ କରିଦେବି |"

ଘରଚଟିଆ, କପୋତ ଆଉ ବଣି ଚଢ଼େଇ ମିଶି କହିଲେ-" ଆମେ ମଣିଷଙ୍କ ପାଖରେ ରହିଥିଲୁ | ମଣିଷଙ୍କଠାରୁ ଆମେ ବହୁତ ଭଲକାମ ଶିଖିଛୁ | ତାକୁ ଆମ ଏ' ରାଜ୍ୟର ପକ୍ଷୀମାନଙ୍କୁ ଶିଖାଇଦେବୁ | ଏଥିପାଇଁ ଗୋଟାଏ ସ୍ଲଲ ଖୋଲିବୁ |"

ସମସ୍ତଙ୍କର କଥାଶୁଣି ମୟୂର ରଜା ବହୁତ ଖୁସି ହେଇଗଲେ | ଏତିକିବେଳେ ଗେଣ୍ଡାଳିଆ ଆସି କହିଲା-"ସବୁ ଠିକ ହେଲା ଯେ, କିନ୍ତୁ ଗୋଟାଏ ବଡ଼ ସମସ୍ୟା ଆମ ରାଜ୍ୟରେ ଅଛି | ଅସ୍ଵାସ୍ଥ୍ୟକର ପରିବେଶରେ ଆମର ପକ୍ଷୀମାନଙ୍କୁ ବିଭିନ୍ନ ରୋଗ ହେଉଛି | ସେଥିରେ କେତେ ପକ୍ଷୀ ମରିଯାଆନ୍ତି | ସେଥିରୁ କେମିତି ଆମେ ମୁକ୍ତି ପାଇବା, ସେ କଥା ଟିକେ ଆଲୋଚନା ହେଉ |"

ଗେଣ୍ଡାଳିଆର କଥା ରାଜାଙ୍କ ମନକୁ ପାଇଲା | ସତରେ ପରିବେଶ ସୁରକ୍ଷା ଏବେ ଆମପାଇଁ ବଡ଼ ସମସ୍ୟା | କୌଣସି ଗୋଟିଏ ପକ୍ଷୀ ସେ ଦାୟିତ୍ୱ ନେଲେ ଚ ଳିବ ନାହିଁ | ଆମକୁ ଏଥିପାଇଁ ମିଳିତ ଭାବେ କାମ କରିବାକୁ ପଡ଼ିବ | ଯିଏ ଯେଉଁଠି କିଛି ଅପରିଷ୍କାର ଜିନିଷ ଦେଖିବ, ତୁରନ୍ତ ସେ ସଫା କରିବାକୁ ଯତ୍ନବାନ ହେବ | ଛୋଟ ପକ୍ଷୀମାନେ ବଡ଼ପକ୍ଷୀର ସହାୟତା ନେଇପାରିବେ | "

ଚିଲ କହିଲା-" ଛୋଟ ଛୋଟ ପକ୍ଷୀମାନେ ଗଛର ପତ୍ରରେ ଲାଗିଥିବା ସବୁ କୀଟ ପତଙ୍ଗକୁ ଧରି ଖାଇଦେବେ | ବଡ଼ ବଡ଼ ପଶୁଶବକୁ ଶାଗୁଣା ଖାଇ ସଫା କରିବ | ଆଉ ବେଙ୍ଗ, ମୁଷାଙ୍କ ମୂଷାଙ୍କୁ ଧରିବା କାମ ଆମର କଟୁଆଳ କାଉ କରିବେ | ମୁଁ ସାପ ଆଉ ବଡ଼ ସରୀସୃପଙ୍କ ଧରି ଖାଇବି | ଏଥିପାଇଁ କେହି ଚିନ୍ତା କରିବା ଦରକାର ନାହିଁ |"

ପକ୍ଷୀମାନେ ନିଜେ ନିଜେ ରାଜ୍ୟର ସୁରକ୍ଷା ଦାୟିତ୍ୱ ଖୁସି ମନରେ ସ୍ୱେଚ୍ଛାରେ ଗ୍ରହଣ କରିଥିବାରୁ ମୟୂର ରଜା ଖୁସି ହେଇଗଲେ | ସମସ୍ତଙ୍କୁ ଧନ୍ୟବାଦ ଜଣାଇ ପକ୍ଷୀସଭାକୁ ଶେଷ କରିଦେଲେ |

ସତକୁ ସତ, ସେହିଦିନରୁ ପକ୍ଷୀମାନେ ନିଜ ନିଜର କାମରେ ମନ ଧ୍ୟାନ ଦେବାରୁ ତାଙ୍କ ଭିତରେ ଆଉ କଳିଗୋଳ ହେଲାନାହିଁ | ସମସ୍ତେ ସେହି ଦ୍ୱୀପ-ଜଙ୍ଗଲକୁ ନିଜର ମାତୃଭୂମି ମନେକଲେ | ତେଣୁ ସମସ୍ତେ ମିଳିମିଶି ସୁଖ ଶାନ୍ତିରେ ରହିଲେ |



Rate this content
Log in

More oriya story from KRUTIBAS NAYAK

Similar oriya story from Children