Nityananda Nandi

Classics Inspirational

4.4  

Nityananda Nandi

Classics Inspirational

ମୁଁ ଅପରାଜିତା

ମୁଁ ଅପରାଜିତା

5 mins
246



ପରୀକ୍ଷାର ଶେଷ ଦିନ ଆଜି, ସାକ୍ଷାତକାର ପର୍ଯ୍ୟାୟ। ଦୃଷ୍ଟିହୀନ ବିଶ୍ୱବିଦ୍ୟାଳୟରେ ପ୍ରିନ୍ସିପାଲ ପଦବୀ ପାଇଁ ଆବେଦନ କରିଥିଲି। ତିନି ପର୍ଯ୍ୟାୟରେ ସଫଳତା ପାଇବା ପରେ ଚାକିରୀଟା ହେଇଯିବ ବୋଲି ଦୃଢ ଆଶା ବିଶ୍ବାସ ମନ ଭିତରେ। ଇଚ୍ଛା ସବୁ ବେଲୁନ ପରି ଫୁଲୁଥାଏ । ଅନାଉଥିଲି ଝର୍କା ଆର ପଟ ପୃଥିବୀ ଆଡ଼କୁ। ଅନୁଭବ କରୁଥିଲି ଫର୍ସା ଆଲୁଅ ବିଛେଇ ହୋଇ ପଡ଼ିଛି। ବିଚରା ଶେଫାଳୀ ସବୁ ଝଡି ପଡିଥିବେ ପୃଥିବୀ ପୃଷ୍ଠକୁ, ସାରା ରାତି ନିର୍ଯାତନା ପରେ। ସୂର୍ଯ୍ୟମୁଖୀ କିନ୍ତୁ ହସୁଥିବ ସୂର୍ଯ୍ୟକୁ ଦେଖି। କାର ପୌଷମାସ ତ କାର ସର୍ବନାଶ। ଖାଲି ସଂଘର୍ଷ, ସଂଘର୍ଷ ଆଉ ସଂଘର୍ଷ। ଆଦୌ ସହଜ ନୁହେଁ ଜୀବନଟା।   


ମନସ୍ତାତ୍ତ୍ୱିକ ବୋଝ ଓହରି ଯିବ ମୋ ପିଠିରୁ, ମୋତେ ଟିକିଏ ହାଲୁକା ଲାଗିବ। ବୋଉ ବୋଧେ ମୋ ସାଥିରେ ଆସିଛି ସେଇଥିପାଇଁ। ମୋ ନିରାପତ୍ତା କୁ ନେଇ ଭାରି ବ୍ୟଥିତ ସେ। ଅନେକ ବାରଣ କଲି। ମୁଁ ନିଜେ ପାରିବି ବୋଉ, ତୋତେ ଯିବାକୁ ହେବ ନାହିଁ। ବୋଉ କଣ ଶୁଣିଲା। ମେରୁ ଅଞ୍ଚଳର ସୂର୍ଯ୍ୟଙ୍କ କଅଁଳ କିରଣ ପରି ଦେହରେ ବୋଳି ହୋଇଯାଏ ବୋଉର ଉଷ୍ମ ଆଶୀର୍ବାଦ। ସେ ପରା ମୋ ବୋଉ !! ଅଣାୟତ୍ତ ଇଚ୍ଛା ସବୁ ବାନ୍ଧି ରଖିଥାଏ ସେ ତା ଲୁଗା କାନିରେ। ତା ମନ ଭିତରେ ଆଉ ଜାଗା କାହିଁ, ତା ଲୁଗାକାନି ହିଁ ସର୍ବଶ୍ରେଷ୍ଠ ଜାଗା ବୋଧେ ସାଇତି ରଖିବା ପାଇଁ ଏତେ ସବୁ ଇଚ୍ଛାକୁ। ବୋଉ ମୋ ଆଙ୍ଗୁଳି ଧରି ଚାଲିଲେ ଅସୁମାରୀ ଶକ୍ତି ସଞ୍ଚାରିତ ହୁଏ ଦେହସାରା। ସେଇଥି ପାଇଁ ବେଶି କିଛି ଜିଦ୍ କଲିନି, ବୋଉ ମୋ ସାଥିରେ ନ ଆସୁ ବୋଲି। ଏମିତି ବି ବୋଉ ପାଖରେ ଥିଲେ ଏକ ନିଆରା ବାସ୍ନା ମନକୁ ହରଣ କରି ନିଏ, କାହିଁକି କେଜାଣି !


ଲିଫ୍ଟ ପାଖରେ ଛିଡ଼ା ହେଲି, କେଆର ଟେକର ମୋ ହାତ ଧରି ଭିତରକୁ ପାଛୋଟି ନେଲେ। ବୋଉ ପାଖରେ ଥାଏ। ଭାଇ ! ମୋତେ ଟିକିଏ ପାଞ୍ଚ ତାଲାରେ ଓଲ୍ହେଇ ଦିଅ।

ଲିଫ୍ଟ ଖୋଲିଲା , ଆସିଲି ବାହାରକୁ। ବୋଉ ହାତ ଧରିଥାଏ। ବହୁତ ବଡ ହଲ ଭିତରକୁ ଆମକୁ ପାଛୋଟି ନେଲେ ସଂସ୍ଥାର ଜଣେ ଭଦ୍ର ଲୋକ। ମୋ ପରି ବହୁତ ପ୍ରତିଯୋଗୀ ବସିଥାନ୍ତି ବୋଧେ। ବୋଉ ପାଖରେ ବସିଲି। ବୋଉ କାନ ପାଖରେ କହିଲା, ପାଞ୍ଚ ଜଣ ଅଛନ୍ତି ତୋ ଆଗରେ। ମୁଁ ହସିଦେଲି। 

ବୋଉ କାନ ପାଖରେ କହିଲି ବୋଉ, ତୁ ମନେ ମନେ ତାରିଣୀଙ୍କୁ ଡାକ୍, ମୁଁ ନିଶ୍ଚୟ ଜିତିବି। ବୋଉ ମୋ ମଥାରେ ହାତ ବୁଲେଇ ନେଲା। କାହିଁକି କେଜାଣି ଶତ ସିଂହର ଶକ୍ତି ଭରିଗଲା ମୋ ଭିତରେ। ମୋତେ ଲାଗିଲା ମୁଁ ହିଁ ଜିତିବି ଆଜି ଏଇ ସାକ୍ଷାତକାର ପ୍ରତିଯୋଗିତାରେ। ଆଗରେ ଯେତେ ଜଣ ଥାଆନ୍ତୁ ନା କାହିଁକି ? ମୁଁ ମୋ ଦକ୍ଷତାକୁ ଜାଣିଛି ବୋଉ !ହାରିବାର ପ୍ରଶ୍ନ ଉଠୁନି !


ବୋଉର ହାତ ଛୁଇଁଲି, ବୋଉ ଥରୁଥାଏ। ବୋଉ ! ଥରୁଛୁ କାହିଁକି ? ମୁଁ ପରା ଜିତିବି। କିଛି ଘଟିବାର ନିକଟତମ ପର୍ଯ୍ୟାୟ ରେ ମନଟାକୁ କାବୁ କରିନିଏ ଅପ୍ରତ୍ୟାଶିତ ଭୟ ସବୁ। ପାହାନ୍ତିଆ ଫୁଲକୁ ବି ଝଡି ଯିବାର ଭୟ , ଶୀତ ସକାଳର ଆହ୍ବାନରେ। କ୍ଷଣଭଙ୍ଗୁର ଜୀବନରେ ସବୁ ଅନିଶ୍ଚିତ । ଭଗବାନ ହିଁ ଏକମାତ୍ର ସାହାରା ମୋ ବୋଉ ପାଇଁ

   

ବୋଉ ଥରିବା ବି ସ୍ଵାଭାବିକ। ବାପାଙ୍କ ମୃତ୍ୟୁ ପରେ ଘରେ ଆଉ ପୂର୍ବ ପରି ଆର୍ଥିକ ସ୍ଵଚ୍ଛଳତା ନାହିଁ। ଦୁର୍ଘଟଣାରେ ମୁଁ ଆଖି ହରେଇଲି, ବାପାଙ୍କ ମୃତ୍ୟୁ ହେଲା। ଭାବୁଥିଲୁ ସରକାରୀ ସାହାଯ୍ୟ ମିଳିବ। ନା, କିଛି ସାହାଯ୍ୟ ମିଳିଲା ନାହିଁ କାହାଠୁ। ସରକାର ମୋ ଆଖି ଅପରେସନ ଦାୟିତ୍ଵ ନେଲେ। କିଛି ଲାଭ ହେଲାନାହିଁ, ଆଖି ହରେଇ ବସିଲି। ପାଞ୍ଚ ବର୍ଷ ବ୍ରେଲି ସ୍କୁଲରେ ପଢିଲି। ସେଇ ସ୍କୁଲରେ ନିଯୁକ୍ତି ପାଇ, ଦଶ ବର୍ଷରୁ ଅଧିକ ହେବ ଛୋଟ ଛୋଟ ଦୃଷ୍ଟିହୀନ ପିଲାଙ୍କୁ ମୁଁ ପଢେଇ ଆସୁଛି। ଏକ୍ସିଡେଣ୍ଟ ବେଳକୁ ଇଂଲିଶ ଅନର୍ସ ନେଇ ବିଏ ପାସ କରି ଥିଲି ବୋଲି ମୋ ଜ୍ଞାନକୁ ନେଇ ସମସ୍ତେ ପ୍ରଶଂସା କରନ୍ତି। ବୋଉର ସାନ ଭାଇ ପାଇଁ ବହୁତ୍ ଚିନ୍ତା। ଇଂଜିନିୟରିଂ ପାସ କରି ଘରେ ବସିଛି। ବୋଉ ପାଖରେ ଆଉ ସମ୍ବଳ ନାହିଁ ଯେ ଘର ଚଳେଇ ପାରିବ। ମୁଁ ବି ସ୍କୁଲରୁ ଯାହା ପାଏ, କଷ୍ଟେ ମାଷ୍ଟେ ଆମେ ଚଳିଯାଉ। ଏଇ ଚାକିରୀଟା ବହୁତ ଦରକାର ମୋ ବୋଉ ପାଇଁ। ଖୁସିରେ ଘର ଚଳେଇ ପାରିବ। ଦେଖି, କଣ ହେଉଛି !

କିଏ ଜଣେ ଡାକିଲା, ଅପରାଜିତା !

ମୁଁ ମୋ ଷ୍ଟିକ୍ ଧରି ଛିଡା ହୋଇ ପଡିଲି। ଧୀରେ ଧୀରେ ଚାଲିଲି ମୁଁ ଡାକ ଛାଡୁଥିବା ଭଦ୍ର ମହିଳାଙ୍କ ପାଖକୁ, ସେ ମୋତେ ପାଛୋଟି ନେଲେ ହଲକୁ ଲାଗିଥିବା ଏକ ଛୋଟ କୋଠରୀ ଭିତରକୁ। 

ଗୁଡ୍ ମର୍ଣିଂ ସାର୍ କହି ପଶିଗଲି ଘର ଭିତରକୁ।

ମୋତେ ମୋ ଜାଗାରେ ବସେଇ ଦିଆଗଲା। କିଛି ସମୟ ସମସ୍ତେ ଚୁପ୍ ରହିଲେ, ମୁଁ ବି ଚୁପ ରହିଲି।

ବସିଥିବା ସଦସ୍ୟ ମାନେ କ୍ରମାନୁସାରେ ନିଜ ନିଜର ପରିଚୟ ଦେଲେ। ବିକ୍ରମ ପଣ୍ଡା, ରଣଜିତ୍ ମହାନ୍ତି ଓ ସତ୍ୟପାଳ କୁଅଁର।

ଜଣେ କିଏ ପଚାରିଲେ

ଅପରାଜିତା ! କହି ପାରିବ, ତମ ଆଗରେ କିଏ କିଏ ବସିଛନ୍ତି।

ମୁଁ ଚୁପ ହୋଇ କିଛି ସମୟ ବସି ରହିଲି

ପାରିବ ?

ହଁ ସାର୍, ପାରିବି।

ପ୍ରଥମେ ବିକ୍ରମ ସାର୍, ତା ପରେ ସତ୍ୟଜିତ ସାର୍

ତା ପରେ ?

ମୋ ବୋଉ ବସିଛି , ତା ପରେ ସତ୍ୟପାଲ ସାର୍

ଆଶ୍ଚର୍ଯ୍ୟ ହୋଇଗଲେ ବସିଥିବା ସଦସ୍ୟମାନେ।

କେମିତି ଜାଣିଲ ତମ ବୋଉ ବସିଛନ୍ତି ଓ ତୃତୀୟ ସ୍ଥାନରେ ବସିଛନ୍ତି ବୋଲି, ବିକ୍ରମ ବାବୁ ମୋତେ ପଚାରିଲେ।

ମୋ ବୋଉର ବାସ୍ନା ଘର ସାରା ଭରି ଗଲାଣି ସାର୍। ବୋଉ ତୃତୀୟ ସ୍ଥାନରେ ବସିଛି ବୋଲି ଜାଣିବାକୁ ଆଦୌ କଷ୍ଟ ହେଲାଣି। ତା ନିଃଶ୍ବାସ ପ୍ରସ୍ୱାସ ର ପ୍ରଖରତା ରୁ ହିଁ ମୁଁ ଜାଣି ପାରିଲି ମୋ ଦୂରତା ମୋ ବୋଉ ଠାରୁ। ସେଇଥିପାଇଁ କହିଲି ମୋ ବୋଉ ତୃତୀୟ ସ୍ଥାନରେ ବସିଛି ବୋଲି।

ବାଃ, ଇଣ୍ଟେଲିଜେଣ୍ଟ ! ସତ୍ୟପାଳ ବାବୁ କହିଲେ।

ରଣଜିତ୍ ବାବୁ କହିଲେ ଇଉ ଟେଲ ସୋମଥିଙ୍ଗ 

ଅନଫରଗେଟେବଲ୍ ଇନ୍ ଇୟର ଲାଇଫ ??

ସାର୍

ମୁଁ ଅପରାଜିତା, ମୁଁ ଅପରାଜିତ, ହାରିବାକୁ ପସନ୍ଦ କରେନି । ଦ୍ବିତୀୟତଃ ଆଜି ମୋ ବାପାଙ୍କ କଥା ବହୁତ ମନେ ପଡୁଛି ସାର୍। ସେଦିନ ମୋ ଜନ୍ମଦିନ ଥାଏ। ମୋତେ ନେଇ ସେ ସହରକୁ ଯାଇଥିଲେ କିଛି କିଣିବେ ବୋଲି। ଗୋଟାଏ ମଲ୍ ଭିତରକୁ ପଶିଲୁ। ସେ ମୋତେ ଗୋଟାଏ ଜାଗାରେ ବସେଇ ଦେଇ କହିଲେ, ତୁ ଏଇଠି ଅପେକ୍ଷା କର ଅପରା। ପାଞ୍ଚ ମିନିଟ ଭିତରେ ମୁଁ ଆସୁଛି। ସେ ମୋତେ ସ୍ନେହରେ ଅପରା ବୋଲି ଡାକନ୍ତି। ଗୋଟାଏ ଗିଫ୍ଟ ପେକ ଧରି ଆସିଲେ ମୋ ପାଖକୁ। ବହୁତ ପଚାରିଲି, ବାପା ! କଣ ଅଛି କୁହ। ଖାଲି ହସୁଥିଲେ, କିଛି କହିଲେନି ସେ ଶେଷ ପର୍ଯ୍ୟନ୍ତ।

ଆମେ ଆମ ଗାଁ ବସରେ ବସିଲୁ। ଗିଫ୍ଟ ପେକ ମୋତେ ଧରିବାକୁ ଦେଲେନାହିଁ। ତାଙ୍କର ଭୟ ଥିଲା, ମୁଁ ଜାଣିନେବି କଣ ଅଛି ତା ଭିତରେ। ହଠାତ ଅଡୁଆରେ ପଡି ମୋତେ କହିଲେ ଧର୍, ଏଇଟା ତୋ ଜନ୍ମଦିନ ର ଉପହାର। କଣ୍ଡକ୍ତରକୁ ପଇସା ବଢ଼ାଉ ଥିଲେ ମୋ ବାପା। ଭୀଷଣ ଶବ୍ଦ ହେଲା। ତା ପରେ କଣ ହେଲା ମୁଁ ଜାଣି ନ ଥିଲି। ଅନେକ ଦିନପରେ ଜାଣିଲି ଆମ ବସକୁ ଟ୍ରେନ ଧକା ଦେଇଥିଲା। ମୋ ବାପାଙ୍କ ମୃତ୍ୟୁ ହୋଇଥିଲା ଏଇ ମର୍ମନ୍ତୁତ ଦୁର୍ଘଟଣା ରେ। ହଁ ସେ ମୋତେ ଜନ୍ମଦିନ ଉପହାର ଦେଇଥିଲେ ସତ କିନ୍ତୁ କଣ ଦେଇଥିଲେ ମୁଁ ଜାଣିନି। ସମସ୍ତେ ସ୍ତବ୍ଧ, ବୋଉ କାନ୍ଦିବାର ଆଭାସ ମୋତେ ଭୀଷଣ କଷ୍ଟ ଦେଲା। ମୁଁ କିଛି ମୁହୂର୍ତ୍ତ ଚୁପ୍ ହୋଇ ବସି ରହିଲି।

କିଛି ସମୟ ପରେ ବିକ୍ରମ ବାବୁ କହିଲେ ଓଃ ସରି ! ପଚାରିଲେ,

ଆଛା ଅପରାଜିତା ! ତମେ ତ ଦୃଷ୍ଟିହୀନ। ସାଧା ରଙ୍ଗର ଚଷମା କାହିଁକି ପିନ୍ଧିଛ ?

ମୁଁ ପୁଣିଥରେ ଭାବ ପ୍ରବଣ ହୋଇ ଉଠିଲି। ବସି ରହିଲି ଚୁପ୍ ହୋଇ। 

କୁହ !

ସାର୍ ! ମୁଁ ଦୃଷ୍ଟିହୀନ ହୋଇଯିବା ପରେ ଦିନେ ଅଚାନକ ବାପାଙ୍କ କୋଠରୀ ଭିତରେ କିଛି ଖୋଜୁଥିଲି। ଏଇ ଚଷମାଟି ପାଇଲି ମୁଁ ବାପାଙ୍କ କାନ୍ଥଠଣାରୁ। ବୋଉ କହିଲା , ଏଇଟା ତୋ ବାପାଙ୍କର। ସେଦିନ ସହରକୁ ନେବା ପାଇଁ ଭୁଲି ଯାଇଥିଲେ ବୋଲି ଚଷମାଟି ରକ୍ଷା ପାଇଗଲା ଦୁର୍ଘଟଣାରୁ। ସେଇ ଦିନଠୁ ବାପାଙ୍କର ଚଷମା ମୁଁ ପିନ୍ଧୁଚି, ମୋତେ ଲାଗୁଛି ମୋ ବାପା ମୋ ସାଥିରେ ଅଛନ୍ତି। ସାରା ଦୁନିଆକୁ ମୁଁ ଅନୁଭବ କରି ପାରୁଛି ବାପାଙ୍କ ଚଷମା ଦେଇ। ତା ଛଡା, ମୋ ବାପାଙ୍କ ବାସ୍ନା କୁ ବି ମୁଁ ସାଇତି ରଖିଛି ମୋ ଆଖି ପାଖେ ପାଖେ , ନଚେତ୍ ଜଣେ ଦୃଷ୍ଟିହୀନ ମହିଳା ସାଧା ଚଷମା ପିନ୍ଧିବ କାହିଁକି !! ଆଉ ଗୋଟେ କଥା କହିବି, ଏଇ ଚଷମା ପିନ୍ଧି ମୋ ବାପା ଠିକ୍ ଜଣେ ରାଜକୁମାର ପରି ଲାଗୁଥିଲେ। ଏଇ ଚଷମାଟିକୁ ପିନ୍ଧି ଦେଲେ ବୋଉ କହେ ତୁ ଅବିକଳ ତୋ ବାପା ପରି ଦିଶୁଛୁ। ମୁଁ ହସି ଦିଏ


ୟୁ ଆର ସିଲେକ୍ଟେଡ, ଅପରାଜିତା ! ବିକ୍ରମ ବାବୁ କହିଲେ

ମୁଁ ହସି ଦେଇ କହିଲି, କଣ ସତରେ !

ୟେସ

ମୁଁ ସ୍ତବ୍ଧ ହୋଇଗଲି କିଛି ସମୟ ପାଇଁ

କହିଲି, ମୋ ବାପା ଥିଲେ କେତେ ଖୁସି ହୋଇଥାନ୍ତେ ଆଜି !

ଥେଙ୍କ୍ ୟୁ ସୋ ମାଚ ସାର୍ କହି ଉଠି ପଡ଼ିଲି ଚେୟାର ଉପରୁ।

ମୋ ହାତ ଧରୁ ଧରୁ ହିଁ ମୁଁ କୋଳେଇ ନେଲି ମୋ ବୋଉକୁ। ତା ଲୁହର ଉଷ୍ମତାକୁ ମୁଁ ଅନୁଭବ କରୁଥିଲି ମୋ କାନ୍ଧ ଉପରେ

ବୋଉ ! ଏବେ ଖୁସି ତ ! ଅନବରତ ଅଶ୍ରୁ ନିଗିଡ଼ି ଚାଲିଥିଲା ବୋଉର ଆଖିରୁ ମୁଁ ବି ଏହାଭିତରେ ପ୍ରିନ୍ସିପାଲ ବନି ଯାଇଛି, ଜାଣି ନ ଥିଲି ।



Rate this content
Log in

Similar oriya story from Classics