ମୁକ୍ତ ବିହଙ୍ଗ
ମୁକ୍ତ ବିହଙ୍ଗ
-ସତରେ ସ୍ବପ୍ନା!ଛାଡି ଚାଲିଯିବ।ସତରେ ତମେ ମୋତେ ଭୁଲିଯିବ?
-କେମିତି ନ ଭୁଲିବି ଯେ! ଏ ପିଞ୍ଜରାବଦ୍ଧ ଚାରିକାନ୍ଥ ଭିତରେ ମୁଁ ଅଣନିଃଶ୍ବାସୀ ହୋଇଗଲିଣି। ମୋ ପାଦତଳୁ ଖସୁଛି ମାଟି ଅତଡା। ଧିରେ ଧିରେ ଧୈର୍ଯ୍ୟ ବି…
-ତା' ହେଲେ ଦଶ ଦିଗପାଳ, ସର୍ବ ଦେବଦେବୀ,ପିତୃ ପୁରୁଷଙ୍କୁ ସାକ୍ଷୀ ରଖି ବ୍ରାହ୍ମଣ, ପୁରୋହିତଙ୍କ ଉପସ୍ଥିତିରେ ବିବାହ ରୂପକ ପବିତ୍ର ଗଣ୍ଠି ପକେଇ, ଅଗ୍ନି ପ୍ରଦକ୍ଷିଣ କରି ବିବାହ ବନ୍ଧନରେ ଆବଦ୍ଧ ହେବା ଥିଲା କଣ ଭୁଲ୍?
-ନା,ତାହା ସତ ଥିଲା।
-ଦୁଇଟି ପରିବାରକୁ ଦେଇଥିବା ପ୍ରତିଶ୍ରୁତି,ଭବିଷ୍ୟତର ସ୍ୱପ୍ନ, ପିତାମାତା,ଭାଇଭଉଣୀଙ୍କ ପ୍ରତି ଆମର କର୍ତ୍ତବ୍ୟ… ଏସବୁ ମିଛ..?
-ଏଇଟା ବି ସତ।
-ମୋ ବାପାମା'ଙ୍କ ବ୍ୟବହାର,ଭାଇଭଉଣୀଙ୍କ ଆଚରଣ.. ଏସବୁ କ'ଣ ତୁମକୁ ଭଲ ଲାଗୁନି!
-ହଁ ହଁ.. ଏସବୁ ଭଲ ଲାଗୁନି,ସଂତୋଷ..।
-କାହିଁକି??କ'ଣ ପାଇଁ ଭଲ ଲାଗୁନି ଶୁଣେ!
-ସ୍ବାଧୀନତାର ୭୪ ବର୍ଷ ପରେ ବି ମଣିଷ ଏତେ ହୀନ,ଏତେ ନୀଚ!..
-କ'ଣ ଗୁଡିଏ ତୁମେ କହିଯାଉଛ,ସ୍ବପ୍ନା! ମୁଁ କିଛି ବୁଝିପାରୁନି।
-ଯଦି ତୁମ ମନରେ ଏତେ କଥା ଥିଲା, ତା' ହେଲେ ବିବାହ କରୁଥିଲ କାହିଁକି?
-କଥାଟିକୁ ସିଧାସାଧା କୁହ। ବୁଲେଇବଙ୍କେଇ କହିବା ତୁମ ସ୍ତ୍ରୀ ମାନଙ୍କର ସ୍ବଭାବ କି?
-କଥାଟା ଏଇଠି। ଭାରତ ସ୍ବାଧୀନ ହେବାର ୭୫ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି ଗତ ଅଗଷ୍ଟ ୧୫ ତାରିଖରେ। ଗାନ୍ଧୀଙ୍କର ସ୍ବପ୍ନ କ'ଣ ଥିଲା?
-ଏକ ସୁନ୍ଦର, ସୁବ୍ୟବସ୍ଥିତ, ଶୃଙ୍ଖଳିତ, ସୁନାର ଭାରତ,' ଯେଉଁଠି ସ୍ତ୍ରୀ ପୁରୁଷ ପରସ୍ପରକୁ ବୁଝିପାରୁଥିବେ,ମହିଳାମାନେ ଯଥେଷ୍ଟ ସମ୍ମାନର ଅଧିକାରିଣୀ ହୋଇଥିବେ।ମହିଳାଙ୍କ ଆତ୍ମମର୍ଯ୍ଯାଦା ହାନି ହେଉନଥିବ,ସେମାନେ ସୁରକ୍ଷିତ ଚଳପ୍ରଚଳ କରିପାରୁଥିବେ।
-ସ୍ବାଧୀନତା ନାଁରେ ସ୍ବେଚ୍ଛାଚାରିତାକୁ ତୁମେ ପ୍ରଶ୍ରୟ ଦେବାକୁ ଚାହୁଁଛ,ସ୍ବପ୍ନା?
-ନାଁ, କେବେ ନୁହେଁ। ମୁଁ ଖୋଜୁଛି ସ୍ବାଧୀନତାର ମାନେ କ'ଣ? ବାସ୍ତବରେ ଏଠି ସ୍ବଧୀନତା ବାଟବଣା ହୋଇଯାଇନି ତ!
ତଥାକଥିତ ବଡବଡିଆ ନେତା,ମନ୍ତ୍ରୀ,ମହାଜନ,ଶିଳ୍ପପତିଙ୍କ ଇଙ୍ଗିତରେ ସ୍ବାଧୀନତା ଉଠବସ ହେଉନି ତ!
-ଆରେ! ଅନେକ ମହାତ୍ମା ଦେଶପ୍ରେମୀ ସ୍ବାଧୀନତା ସଂଗ୍ରାମୀଙ୍କ ବଳୀଦାନ ଫଳରେ ଦେଶ ସ୍ବାଧୀନ ହୋଇଛି। ଗାନ୍ଧୀଜୀଙ୍କ ସ୍ବପ୍ନ ସାକାର ହେଇଛି। ଆମେ ଗୋଟିଏ ଜାତୀୟ ପତାକା ତଳେ ଏକତ୍ରିତ ହୋଇଛେ। ଦେଶର ଅଖଣ୍ଡତା ବଜାୟ ରହିଛି।
-କିନ୍ତୁ ସେହି ଅମର ଆତ୍ମାମାନେ ସ୍ବର୍ଗରେ ଥାଇ ବିସ୍ମିତ ହେଉଥିବେ ନିଶ୍ଚୟ।ସେମାନେ କଦାପି ଏପରି ସ୍ବାଧୀନତା ଆଶା କରି ନ ଥିବେ!
-ତୁମେ ପାଗଳିଙ୍କ ପରି କ'ଣ ଗୁଡିଏ ଏଣୁତେଣୁ କହିଯାଉଛ ସ୍ବପ୍ନା??
-ଯେହେତୁ ସବୁଦିନ ପାଇଁ ଏ ପରିବାରକୁ ଗୁଡ୍ ବାୟ କରିବାର ଅଛି, ତେଣୁ ଅସଲ ସ୍ବାଧୀନତାର ସ୍ବାଦଟା ତୁମକୁ ନ ଚଖେଇବା ଯାଏ ମୁଁ ଛାଡୁନି,ସନ୍ତୋଷ।
-କହିବାର ମାନେ…
-ମାନେ ଏଇଆ ଯେ, ଯେଉଁ ଦେଶରେ ନାରୀ ପଣ୍ଯଦ୍ରବ୍ଯ ସଦୃଶ, ଅସୁରକ୍ଷିତା, ଯୌତୁକ ନିର୍ଯାତନା ଜନିତ ପୋଡି, ଆତ୍ମହତ୍ୟା ଆଜିବି ସାଧାରଣ କଥା।ମେଧା ଭିତ୍ତିରେ ପଦୋନ୍ନତି ମିଳେନା,ବଡବାବୁଙ୍କ ଦୟାର ପାତ୍ର ହେବାକୁ ପଡେ। ନେତା, ମନ୍ତ୍ରୀଙ୍କୁ ଯୋଡହସ୍ତ ହେବାକୁ ପଡେ, ଗୋଡ଼ ଘସିବାକୁ ପଡେ। ନାମକୁ ମାତ୍ର ବାକ୍ ସ୍ବାଧୀନତା, ନାମକୁ ମାତ୍ର ଅଧିକାର, ମୋ ପରି ଅନେକ ସ୍ବପ୍ନାର ସ୍ବପ୍ନ ମଉଳି ଯାଏ। ଧରାପାତ ହୁଏ ଆଶା ଓ ଆକାଂକ୍ଷା। ବିଶ୍ବାସର ରଜ୍ଜୁ ଦୁର୍ବଳରୁ ଦୁର୍ବଳତର ହୁଏ,ସେଇଠି ମୋତେ ସ୍ବାଧୀନତାର ପରିଭାଷା ଶିଖାଉଛ, ସନ୍ତୋଷ?
କେବଳ ନାରୀ ନୁହଁ, ପୁରୁଷମାନେ ବି ପୁରୁଷମାନଙ୍କ ଦ୍ବାରା ଶୋଷିତ ହୋଇଥାନ୍ତି। ଆଉ ଏ ସମସ୍ତ ଘଟଣାବଳୀର ଗୋବର୍ଦ୍ଧନ ସାଧାରଣ ଗରିବ, ଖଟିଖିଆ,ଅଶିକ୍ଷିତ ଜନତା ନୁହନ୍ତି ସନ୍ତୋଷ ', ଏସବୁର ମୂଳ ତୁମପରି ଉଚ୍ଚ ଶିକ୍ଷିତ, ସମ୍ଭ୍ରାନ୍ତ,ପଦପଦବୀ ଧାରୀ ମଣିଷ ସମାଜ, ଯେଉଁମାନେ କି ସ୍ବାଧୀନତାର ମୌଳିକତାକୁ କଦର୍ଯ୍ୟ କରିସାରିଲେଣି। ସର୍ବଦା ଧନୀ-ଦରିଦ୍ର, ଉଚ୍ଚ-ନୀଚ, ଶିକ୍ଷିତ-ଅଶିକ୍ଷିତର ତାରତମ୍ୟ ତୁମମାନଙ୍କଠାରେ ହିଁ ଦେଖିବାକୁ ମିଳେ।
-ଏଥିରେ ମୋ ପରିବାରର ଦୋଷ, ଦୁର୍ବଳତା କ'ଣ?
ବାଃ.. ବାଃ ରେ ଧର୍ମରାଜ ଯୁଧିଷ୍ଠିର। ଏତେ ସବୁ ଘଟିଯାଉଛି, ଅଥଚ ତୁମକୁ ଟିକିଏ ବି ଦେଖାଯାଉନି? ଟିକିଏ ବି ସଂସ୍କାର ନାହିଁ। କେବଳ ସମ୍ଭ୍ରାନ୍ତ,ଉଚ୍ଚ ଶିକ୍ଷିତର ଖୋଳପା ବିନ୍ଧା ନର ରାକ୍ଷସ/ରାକ୍ଷାସୁଣୀ ମୋତେ ଝୁଣି ଝୁଣି ଖାଇଚାଲିଛନ୍ତି, ସନ୍ତୋଷ।
-ମୋ ବାପା,ମାଆ,ଭାଇ,ଭଉଣୀ ଏମାନେ ସମସ୍ତେ କ'ଣ…..???
-ହଁ, ସନ୍ତୋଷ। ତୁମେ ଅଫିସ ଗଲାପରେ ମୋ ଉପରେ ଆରମ୍ଭ ହୋଇଯାଏ ଅକଥନୀୟ ଶାରୀରିକ ଓ ମାନସିକ ନିର୍ଯାତନା। ତେଣୁ ମୁଁ ସ୍ଥିର କରିସାରିଛି ଆଜି ହିଁ ଏଇ ମୂହୁର୍ତ୍ତରେ ମୋ ବାପଘରକୁ ଚାଲିଯିବି।
-ତା'ର ପରିଣାମ ବୁଝୁଛ ସ୍ବପ୍ନା? ଆମ ପରିବାରର ମାନ, ସମ୍ମାନ ସବୁ ମାଟିରେ ମିଶିଗଲେ ତୁମେ ଖୁସି ହେବ ତ!
-ନାଁ, ତାହା ମୁଁ ଚାହୁଁନି। ମୋତେ ସୁନା ପଞ୍ଜୁରୀ, ରୂପାଥାଳିରେ ଭଳିକିଭଳି ଖାଦ୍ୟଦ୍ରବ୍ୟ ଦରକାର ନାହିଁ। ମୁଁ ମୁକ୍ତ ଆକାଶର ବିହଙ୍ଗ ପରି ଅବଶିଷ୍ଟ ଜୀବନତକ ଜୀଇଁବାକୁ ଚାହେଁ।
ମୁକ୍ତ ଆକାଶର……