ଅନୁକମ୍ପା
ଅନୁକମ୍ପା
ଜଗନ ସାମନ୍ତରାୟ, ଚାଷୀ ପରିବାରରୁ ଆସିଥିଲେ ବି ଜଣେ ଧନାଢ୍ୟ ବ୍ଯକ୍ତି ଭାବରେ ବେଶ ଜଣାଶୁଣା।ସେ ଟିକିଏ ଆତ୍ମଗର୍ବୀ ଓ ଅହଂକାରୀ,ଯାହା ତାଙ୍କ ଠାଣିମାଣିରୁ ଭଲଭାବରେ ଜଣାପଡିଯାଏ।ସେ ତାଙ୍କର ଚାଟୁକାରଙ୍କ ବ୍ୟତୀତ ଅନ୍ୟ କାହାକୁ ଟଙ୍କାଟିଏ ବି ଦିଅନ୍ତି ନାହିଁ।କାଁ ଭାଁ ପାର୍ଟି କି ଢ଼ାବାରେ ଚାମଚାମାନଙ୍କୁ ଖୁସି କରାନ୍ତି।କିନ୍ତୁ ବହୁତ ବଡ଼ କଂଜୁସ୍'ଟେ ସେ। ସରକାରୀ ଜମିକୁ ନିଜ ଜବରଦଖଲରେ ରଖିଛନ୍ତି।ଲୋକେ ତାଙ୍କ ସ୍ବଭାବକୁ ଜାଣନ୍ତି ,ହେଲେ ପ୍ରତିବାଦ କରିବ କିଏ? କେତେ ଜଣ ବଦମାସ୍ ଚାଟୁକାରଙ୍କ ସହାୟତାରେ ସର୍ବଦା ମିଡିଆ ସାମ୍ନାରେ ନିଜର ନିର୍ମଳ ଭାବମୂର୍ତ୍ତି ଦେଖାଇବାର ଛଳନା କରନ୍ତି ସେ। କିନ୍ତୁ କେବେହେଁ ଗରୀବର ଦୁଃଖସୁଖରେ ଭାଗୀଦାର ହୁଅନ୍ତି ନାହିଁ।ଏହି ହେତୁ ସେ ଲୋକଙ୍କ ପ୍ରିୟଭାଜନ ହୋଇପାରନ୍ତି ନାହିଁ।ତେଣୁ ଲୋକେ ଅନ୍ତରରେ କେବେ ବି ତାଙ୍କୁ ଭଲପାଆନ୍ତି ନାହିଁ।ଅର୍ଥାତ୍ ତାଙ୍କ ଜନ ସଂପର୍କ ନାହିଁ କହିଲେ ଚଳେ।
କେବଳ ଅର୍ଥ ଓ ବାହୁବଳ ସର୍ବସ୍ବ ମନେକରୁଥିବା ହେତୁ ସେ ବାରମ୍ବାର ନିର୍ବାଚନରେ ପରାଜୟ ସ୍ବୀକାର କରୁଛନ୍ତି ମଧ୍ୟ ।
ଏଇ ଅଳ୍ପଦିନ ତଳେ କୀର୍ତ୍ତିପୁର ଜଙ୍ଗଲରେ ବଣୁଆ ହାତୀଙ୍କ ଉପଦ୍ରବ ଚାଲିଥିଲା।ଫରେଷ୍ଟ ବିଭାଗ ହାତୀ ଘଉଡାଇବା ପାଇଁ ନୟାନ୍ତ ହୋଇଗଲେ।ପ୍ରତ୍ଯହ ରାତିରେ ଲୋକଙ୍କ ଫସଲ ନଷ୍ଟକରିବା ଏକରକମ ତୟ ହୋଇଗଲା ହାତୀପଲର।ତେଣୁ ସଂଧ୍ୟା ନ ହେଉଣୁ ଲୋକେ ତାଟିକବାଟ କିଳିଣି ଦେଇ ପଦାକୁ ବାହାରୁ ନ ଥିଲେ। ଦୁଇ ଦିନ ତଳେ ହଠାତ୍ ହାତୀପଲ ପଡୋଶୀ ଗାଁର ହରିଜନ ସାହିରେ ପ୍ରବେଶ କରି ଘରଦ୍ବାର ଭାଙ୍ଗି ଅନେକ କ୍ଷୟକ୍ଷତି ଘଟାଇଲେ। କେତେ ମିଡିଆ ଆସିଲେ ,କୁଜିନେତାଙ୍କ ସୁଅ ବି ଛୁଟିଲା ସେଠାକୁ।ସତେ ଯେପରି ହରିହାଟ ବସିଛି।ଯାହାହେଉ ସାହିବାସୀ ନୂଆ ଲୋକ,ନୂଆ ଚେହେରା ଦେଖିବାର ସୁଯୋଗ ପାଇ କୁଣ୍ଢେମୋଟ ହୋଇଗଲେ।ଯାହାହେଲେ ବି ଆଡଆଖିରେ ଦେଖୁନ ଥିବା ବଡବଡିଆଙ୍କ ପାଦ ପଡିଲା ହରିଜନ ସାହିରେ!.
ବିଭିନ୍ନ ସଂସ୍ଥା ଅନୁକମ୍ପା ରାଶି ପ୍ରଦାନ କରିବାକୁ ଆଗେଇ ଆସିଲେ।ଯେହେତୁ ଇଲେକ୍ସନ ବି ପାଖେଇ ଆସୁଛି,ସାମନ୍ତରାୟ ବାବୁ ଭାବିଲେ ଏଇ ତ ସୁବର୍ଣ୍ଣ ସୁଯୋଗ।ତତ୍କ୍ଷଣାତ୍ ଅନ୍ୟ ଏକ ଏକ ମିଡିଆବାଲାକୁ କଲ୍ କଲେ ସେ ।ମିଡିଆବାଲା ଆସିବା କ୍ଷଣି ଆଗରେ ରହି ଦମ୍ଦାର ପୋଜିସନରେ କହିଲେ,'' ମୁଁ ସବୁବେଳେ ତୁମମାନଙ୍କ ସାଥିରେ ଅଛି। ଏହାର କ୍ଷତିପୂରଣ ପାଇଁ ସରକାରଙ୍କଠାରେ ମୋର ଜୀ, ଜାନ୍ ଲଗେଇଦେବି।'' କିଛି ରାଶି ପ୍ରଦାନ କରି ମନେ ମନେ ଖୁସିହୋଇଗଲେ ସେ ଆଉ କହିଲେ, " ତୁମେମାନେ ଚିନ୍ତା କରନି।ମୁଁ ସବୁବେଳେ ତୁମ ଦୁଃଖ ସୁଖର ସାଥି।"
କ୍ଷତିଗ୍ରସ୍ତ ଲୋକେ ଭାବିଲେ କଂଜୁସ୍ ହାତରୁ ପଇସାଟିଏ ମିଳିବା ଯାହା ପଥରରୁ ପାଣି ବାହାରିବା ତାହା। ତେଣୁ ସେ ଯାହା କିଛି ବି ଚାଉଳ,ଟଙ୍କା ଦେଲେ, ଲୋକେ ସାଦରେ ଗ୍ରହଣ କରିଦେଲେ। ମିଡିଆ ଗଲାପରେ ସେ ଲୋକଙ୍କୁ ହାତଯୋଡି ଅନୁରୋଧ କଲେ, ''ଦେଖ, ମୁଁ ଏର୍ଷ ତୁମମାନଙ୍କ ଭରସାରେ ଇଲେକ୍ସନରେ ପ୍ରାର୍ଥୀ ହେଉଛି ।ତୁମେମାନେ ମୋତେ ସପୋର୍ଟ କରିବ।ନ ହେଲେ ମୋର ମାନସମ୍ମାନ ମାଟିରେ ମିଶିଯିବ।ଜାଣୁଛ ତ ମୁଁ ଦ୍ବି ଦ୍ବିଥର ଇଲେକ୍ସନରେ ଜଣେ ସାଧାରଣ ଲୋକଠାରୁ ହାରିଯାଇଛି।" ତାଙ୍କ ଆଖିରୁ ଲୁହ ଛଳଛଳ ହୋଇ ବାହାରି ଆସିଲା। ସେ ରୁମାଲରେ ଲୁହ ପୋଛୁ ପୋଛୁ କହିଲେ," ଥରୁଟିଏ ମୋତେ ସୁଯୋଗ ଦିଅ। ତୁମମାନଙ୍କ ଭରସାରେ ମୁଁ " ସେତେବେଳକୁ ଲୋକେ ବୁଝି ଯାଇଥିଲେ ଏତେ ଅନୁକମ୍ପା କାହିଁକି ଆଉ ଅନେଇ ରହିଥିଲେ ଅନୁକମ୍ପା ରାଶି ଓ କିଛି ଚାଉଳକୁ ।