STORYMIRROR

BHAGABANA NAIK

Tragedy Inspirational

3  

BHAGABANA NAIK

Tragedy Inspirational

ଶେଷ ଫଟୋ

ଶେଷ ଫଟୋ

2 mins
200

ସେଦିନ ସଂଗ୍ରାମ ପହଞ୍ଚିଥିଲା ନିଜ ପ୍ରିୟ ବନ୍ଧୁ ସମୀର ଘରକୁ। ଦୀର୍ଘ ତିନି ଶହ କିଲୋମିଟର ଦୂରରୁ, ସୁବର୍ଣ୍ଣପୁରର ଏକ ମଫସଲ ଗାଆଁରୁ।ନୀଳ ରଙ୍ଗର ନୂଆଣିଆ ପକ୍କା ଘରଟିକୁ ଦେଖି ତା ଆଖି ଛଳଛଳ ହୋଇଗଲା।କୁନି ଝିଅଟି ଅଗଣାରେ ଖେଳୁଥିଲା।ଯେମିତି ଗେଟ୍ ପାଖରେ ସଂଗ୍ରାମକୁ ଦେଖିଲା, ଅଙ୍କଲ୍ ଅଙ୍କଲ୍ ବୋଲି ଡୌଡି ଆସିଲା ପାଖକୁ।ପାଦ ଛୁଇଁ ପ୍ରଣାମ କଲା।ହାତଧରି ଟାଣିନେଲା ଦ୍ବାରବନ୍ଧ ଆଡକୁ।ଗେଷ୍ଟ ରୁମ୍'ରେ ବସାଇଦେଇ ଚାଲିଗଲା ଭିତରକୁ,ମାଆକୁ ସର୍ପ୍ରାଇଜ୍ ଦେବାକୁ।କୁନି ଝିଅଟିର ସଂସ୍କାର କଥା ଭାବୁ ଭାବୁ କାନ୍ଥରେ ଟଙ୍ଗା ହୋଇଥିବା ତିନିଟି ଫଟୋ ଉପରେ ନଜର ପଡିଗଲା ସଂଗ୍ରାମର… 


ପ୍ରାଇଭେଟ ହଷ୍ଟେଲର ଟିଣ ଚଦର ଘର।ନଇଁ କି ନ ଗଲେ ମୁଣ୍ଡ ବାଜିଯିବ।ସ୍ବଳ୍ପ ଭଡାର ହଷ୍ଟେଲ ଖୋଜୁ ଖୋଜୁ ଆକସ୍ମିକ ଭାବେ ଦେଖାହୁଏ ସମୀର ସହିତ।ଅଧ୍ୟୟନ କରିବାର ପ୍ରବଳ ଇଚ୍ଛା ଉଭୟଙ୍କୁ ଟାଣି ଆଣିଥାଏ ମଫସଲରୁ ସହରକୁ।ସେଇଟି ଛନ୍ଦି ହୋଇଯାଆନ୍ତି ଉଭୟେ ବନ୍ଧୁତ୍ବର ବନ୍ଧନରେ ସେହି ଛୋଟିଆ ରୁମ୍'ରେ। ଏ ଭିତରେ ଦୀର୍ଘ ଛଅ ବର୍ଷରେ ପିଲାଙ୍କୁ ଟ୍ୟୁସନ୍ କରି ଅଧ୍ୟୟନ ଓ କମ୍ପିଟେଟିଭ୍ ଏକ୍ଜାମ୍ ପାଇଁ ପ୍ରିପ୍ଯାରେସନ୍'ରୁ ସାଉଁଟିଛନ୍ତି ଅନେକ କିଛି ଅଭିଜ୍ଞତା।


ଯେଉଁଦିନ ଜୁନିୟର କ୍ଲର୍କରେ ସିଲେକ୍ସନ ହୋଇଯାଇଥିଲେ ଉଭୟେ,କେଇ ବୁନ୍ଦା ଆନନ୍ଦାଶ୍ରୁ ଝରି ପଡିଥିଲା ଉଭୟଙ୍କ ଆଖିରୁ।ସେହିଦିନ ହିଁ ଉଭୟେ ଫଟୋଟେ ଉଠାଇ ଥିଲେ ସ୍ମୃତି ସ୍ବରୂପ ଟିଣ ଚଦର ରୁମ୍ ସାମ୍ନାରେ।ଏହାର ତିନିଦିନ ପରେ ଜୀବନ ଜୀବିକା ସାଜିଥିବା ସେହି ହଷ୍ଟେଲ,ଅନ୍ତେବାସୀ ବନ୍ଧୁଗଣ ଓ ମାଲିକଙ୍କୁ ଗୁଡ୍ ବାୟ କରି ଉଭୟେ ଅଗ୍ରସର ହୋଇଥିଲେ ପରବର୍ତ୍ତୀ କର୍ମସ୍ଥଳୀ ଅଭିମୁଖେ.. 


ଏମିତି ତିନି ବର୍ଷ କଟିଗଲା।ଉଭୟଙ୍କ ଦେଖା ସାକ୍ଷାତ ନାହିଁ। କିନ୍ତୁ,ଅଫିସ୍ କାର୍ଯ୍ୟରୁ ଫୁରୁସତ୍ ମିଳିଲେ ଟିକେ ଟିକେ ହାଲଚାଲ ଶେୟାର କରନ୍ତି ସେ ଦୁହେଁ।ଏ ଭିତରେ ଶାରୀରିକ ଅସୁସ୍ଥତା ହେତୁ ସମୀରର ମାଆ ବି ଦୁର୍ବଳ ହୋଇଯାଇଥିଲେ। ତେଣୁ ସମୀରକୁ ହାତକୁ ଦି ହାତ ଛନ୍ଦି ଦେବାକୁ ଚିନ୍ତା କଲେ ସେ।ଏଥିରେ ଭଲ ପ୍ରସ୍ତାବ ନେଇ ଆସିଥିଲା ସଂଗ୍ରାମ ନିଜେ ଆଉ ତାର ଶିକ୍ଷିତା,ସଂସ୍କାରୀ ପ୍ରିୟ ବାନ୍ଧବୀ ନମିତାକୁ ଟେକି ଦେଇଥିଲା ସମୀର ହାତରେ।ବିବାହର ସେହି ଶୁଭ ମୁହୂର୍ତ୍ତର ସ୍ମୃତିକୁ ବଖାଣୁଥିଲା  କାନ୍ଥ ଦେହରେ ଆଉଜି ଥିବା ସେହି ଫଟୋଟି ଯେଉଁଥିରେ କି ତିନିଜଣ ବେଶ୍ ଖୁସି ଜଣାପଡୁଥିଲେ। 


 ସମୀରର ହସ ହସ ମୁହଁରେ ଫୁଲମାଳ ଲମ୍ବିଯାଇଥିଲା ଶେଷ ଫଟୋଟିରେ ।ଗୋଟି ଗୋଟି କରି ଜୀବନ୍ତ ନାଚି ଉଠିଲା ସଂଗ୍ରାମର ଚକ୍ଷୁ ସାମ୍ନାରେ।ବର୍ଷେ ପୂର୍ବରୁ ସଂଗ୍ରାମ ଆସିଥିଲା, ଘର ସେମିତି ଥିଲା।ଝିଅଟି ଟିକେ ଟିକେ କଥା ଶିଖୁଥିଲା। ଏବେ ଝିଅକୁ  ବି ଚାରିବର୍ଷ ପାଖାପାଖି। ବହୁ କଷ୍ଟରେ ଛଅ ମାସ ତଳେ ପୁରୁଣା ଛପର ଘରକୁ ଭାଙ୍ଗି ପକ୍କା ଘର ଟିଏ ତିଆରି କରିଥିଲେ ସମୀର।ବେଶ ଖୁସିରେ ସଂସାର ବି ଚଳୁଥିଲା।


 ସେଦିନ ଥିଲା ଗୁରୁବାର।ପୂର୍ବ ରାତ୍ରୀରେ ବର୍ଷା ଟିକେ ହୋଇଥିଲା।ତେଣୁ ଥଣ୍ଡା ଟିକେ ଅନୁଭୂତ ହେଉଥିଲା।ପଚାଶ ପ୍ରତିଶତ କର୍ମଚାରୀରେ ଅଫିସ କାର୍ଯ୍ୟ ଚାଲୁଥିବାରୁ କର୍ତ୍ତବ୍ୟରତ ସମୀର ଖୁସିରେ ଘରୁ ବାହାରି ଯାଇଥିଲେ ସେଦିନ, ନମିତା ବି ସବୁ ପ୍ୟାକ୍ କରିଦେଇଥିଲା। କିନ୍ତୁ, ଅଫିସରୁ ଫେରିଲା ପରେ ହଠାତ୍ ଅସୁସ୍ଥ ହୋଇ ପଡିଲେ ସମୀର।ସଂଗ୍ରାମ ପାଖକୁ ଖବର ଗଲା।ହସ୍ପିଟାଲ୍'ରେ ନମୁନା ପରୀକ୍ଷା ପରେ କୋଭିଡ - 19 ପଜିଟିଭ୍।ପ୍ରଥମେ ଆଇସୋଲେସନ୍ ଓ ପରେ ଆଇ ସି ୟୁ।ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ବେ ସବୁ ଶେଷ।ଲକ୍ ଡାଉନ୍,ସଟ୍ ଡାଉନ୍'ର କଟକଣା ଭିତରେ ଝୁଲି ଯାଇଥିଲା ସଂଗ୍ରାମ।ପହଞ୍ଚି ପାରିନଥିଲା ସମୀରର ଶେଷକୃତ୍ୟରେ,ଶ୍ମଶାନରେ।ଏହା ଭିତରେ ଧାର ଧାର ଲୁହ ବହିଯାଉଥିଲା ସଂଗ୍ରାମର ଆଖିରୁ।ସେ କିଛି ସମୟ ପାଇଁ  ଭୁଲିଯାଇଥିଲା ନିଜକୁ,କେବଳ ନିର୍ନିମେଷ ଦୃଷ୍ଟିରେ ଚାହିଁ ରହିଥିଲା ସମୀରର ଫଟୋକୁ।


ନମିତା ଯେ କେତେବେଳୁ ଚା' କପେ ଧରି ଠିଆ ହେଇଛି ତାକୁ ଜଣାନାହିଁ।ହଠାତ୍ ଚା' ନିଅ' କଣ୍ଠ ସ୍ବର ଶୁଣି ଚମକି ପଡିଲା ସଂଗ୍ରାମ।ପ୍ରକୃତିସ୍ଥ ହୋଇ ଲୁହ ପୋଛୁ ପୋଛୁ ଦେଖିଲା ନମିତା ଚା' କପେ ଧରି ହାତ ବଢେଇ ଦେଇଛି ସଂଗ୍ରାମ ଆଡକୁ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy