ସମ୍ପର୍କ ସେତୁ
ସମ୍ପର୍କ ସେତୁ
ଜୀବନର ଚଲାପଥରେ ଅନେକ ଘାତ ପ୍ରତିଘାତ ଆସେ, ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ହୁଏ। ବେଳେବେଳେ ଭିଡ ଭିତରେ କିଏ କେତେବେଳେ ସାଉଁଟା ସ୍ମୃତିକୁ ହଜାଇ ଦିଏ ତ କିଏ ନୂତନ ଭାବରେ ଗୁଡିଏ ସ୍ମୃତିକୁ ସାଉଁଟି ନିଏ। ଏମିତି ଖୋଜିବା, ପାଇବା, ହଜାଇବାର ସମୀକରଣ ଭିତରେ କେତେ ଜ୍ଞାତ ଅଜ୍ଞାତ ସମ୍ଭାବନାଗୁଡିକ ସହିତ ପରିଚିତି ହୁଏ।
ଚିହ୍ନା ଅଚିହ୍ନା ମୁହଁଗୁଡିକୁ ଦେଖୁ ଦେଖୁ କିଏ ଭିଡ ଭିତରେ ହଜିଯାଏ, ନିଖୋଜ ହୋଇଯାଏ ଅନେକ ସମୟ ପର୍ଯ୍ଯନ୍ତ, ତାହା ମାସ, ବର୍ଷ ବି ହୋଇପାରେ । ତତ୍ପଶ୍ଚାତ୍ ଏକ ଦୁଃଖାନ୍ତକ ଦୃଶ୍ୟର ଆଗମନ ହୁଏ ଏବଂ ପରେ ଏହି ଦୃଶ୍ୟର ଯବନିକା ପଡେ, ଯେତେବେଳେ ମା' ଜଗତ୍ ଜନନୀଙ୍କ କରୁଣାର ହସ୍ତ ପ୍ରଲମ୍ବିତ ହୋଇଆସେ ଉଦ୍ଧାର ପାଇଁ, ସୁରକ୍ଷା ପାଇଁ, ଲୀଳାର ଆଉ ଏକ ଫର୍ଦ୍ଦ ସୃଷ୍ଟି ହୋଇଯାଏ।ନୂତନ ପରିଚୟ, ସଂଭାବନା, ସଂପର୍କରେ ଛନ୍ଦି ହୋଇଯାଏ ଜୀବନ ନାଟିକା।
ଏମିତି କିଛି ବର୍ଷ ତଳର କଥା।କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଶାରଦୀୟ ନବରାତ୍ର ପୂଜା ହେତୁ ସାରା ଦେଶ ଉତ୍ସବମୁଖର। ମା' ଜଗତ୍ ଜନନୀ ଦଶଭୁଜା ଦୁର୍ଗା ମେଢାସୀନା। ସୁସଜ୍ଜିତ ତୋରଣ, ମନଲୋଭା ରଂଗୀନ ଆଲୋକ ସହିତ ସ୍ବର୍ଣ୍ଣ, ରୌପ୍ୟାଦି ଅଳଙ୍କାରରେ ସୁଶୋଭିତା ମାଆଙ୍କ ମହିଷାସୁରର ବକ୍ଷ ଦେଶରେ ତ୍ରିଶୁଳ ବିଦ୍ଧ ଦୃଶ୍ୟ ଅତୀବ ରମଣୀୟ ହୋଇପାରିଛି।ପାର୍ଶ୍ବ ଦେବଦେବୀଙ୍କ ଉପସ୍ଥିତି ବର୍ଣ୍ଣାଢ୍ୟ ତଥା ଆଧ୍ୟାତ୍ମିକ ପରିବେଶକୁ ଦ୍ବିଗୁଣିତ କରୁଛି।
ସେଦିନ ନବମୀ ତିଥି ବିପୁଳ ଜନସମାଗମ ହୋଇଥାଏ।
ମା'ଟିଏ ଚାରି ବର୍ଷର ଶିଶୁପୁତ୍ରକୁ କାଖେଇ ଦୁର୍ଗାପୂଜା ଦେଖିବାକୁ ଯାଇଥାଏ କଟକ। ମୀନାବଜାରରେ ପୁଅକୁ ଖେଳଣା କିଣିଦେଲା।ଗୋଟିଏ ପରେ ଗୋଟିଏ ମେଢ଼ ଦର୍ଶନ କରିଚାଲିଥାନ୍ତି ମା' ପୁଅ ଉଭୟେ ।ସଂଜ ନଇଁ ଆସୁଥାଏ। ଟିକିଏ ଭିଡ କମିବାରୁ ପୁଅକୁ ଓହ୍ଲାଇ ଦେଲା ମା'।ଭିଡ ଭିତରେ ଆଗକୁ ଆଗକୁ ବଢିଚାଲିଥାନ୍ତି ମା' ପୁଅ ଦ୍ବୟ।ସୁରକ୍ଷା ଦୃଷ୍ଟିରୁ ପୁଅର ହାତକୁ ଦୃଢ଼ ଭାବରେ ଧରିଥାଏ ମାଆଟି।
ହଠାତ୍ ଜନ ଗହଳି ମଧ୍ୟରେ ଧାଁଧଉଡ ହେବାକୁ ଲାଗିଲା।ଯିଏ ଯେଉଁଆଡେ ଜୀବନ ବିକଳରେ ଦୌଡିବାକୁ ଲାଗିଲେ। ଘଟଣାକୁ ବୁଝିବା ପୂର୍ବରୁ ଜଣେ ଅଚିହ୍ନା ଯୁବକର ଧକ୍କାରେ ମାଆର ସୁରକ୍ଷିତ ହାତ ଛାଡିଦେଲା ଶିଶୁପୁତ୍ରକୁ।ତା'ପରେ ମା' ପୁଅ ବିଚ୍ଛିନ୍ନ। ଏତେ ବଡ଼ ଜନ ସମାଗମରେ କେଉଁଠି ଖୋଜିବ ସେ।
ସ୍ନେହ କାଙ୍ଗାଳି ମା' ବିକଳରେ ଖୋଜୁଥାଏ ପୁଅକୁ। ବାୟାଣୀ ପରି ହୋଇଯାଉଥାଏ ସେ। କିଏ ବା ଦେଖିଛି, ଜାଣିଛି ଯେ ପଚାରିବ ତା' ପୁଅର ଠିକଣା।
' ପୁଅ ପାଇଁ ମା' ଦୁର୍ଗାଙ୍କୁ କେତେ ଗୁହାରି, ମାନସିକ ଯାଚନା କଲା ମାଆଟି। ସେଦିନ ଯେପରି କୃଷ୍ଣଙ୍କ ପାଇଁ ମା'ର ଅବସ୍ଥା ଯାହା ହୋଇଥିଲା..
ହଜିଯାଇଥିବା ବ୍ଯକ୍ତି ମଧ୍ୟରୁ ଅନେକଙ୍କ ଠିକଣା ମିଳେନାହିଁ। ଅଳ୍ପ କେତେ ବିଭୁକୃପା ଲାଭ କରି ନୂତନ ସଂପର୍କ ତିଆରି କରନ୍ତି ତ ଆଉ କେତେକ ପୂର୍ବ ଠିକଣାକୁ ଫେରିଆସନ୍ତି।ଏହା ଜୀବନ ନାଟିକାର ଗୋଟିଏ ଗୋଟିଏ ବାସ୍ତବ ଦୃଶ୍ୟ।ଯେପରିକି ସନ୍ଥ କବୀର, ସନ୍ଥ ଭୀମଭୋଇ ଇତ୍ୟାଦି।
କୁହାଯାଏ- ରଖେ ହରି ତ ମାରେ କିଏ, ମାରେ ହରି ତ..... 'ବାସ୍ତବରେ ପରମେଶ୍ଵର ଯାହାକୁ ସୁରକ୍ଷା ଦିଅନ୍ତି, ତାଙ୍କ ସୁରକ୍ଷା କବଚ ଯାହାକୁ ଘୋଡାଇ ରଖେ, ତାକୁ ବିଶ୍ବବ୍ରହ୍ମାଣ୍ଡର କୌଣସି ଶକ୍ତି ବି ପରାହତ କରିପାରେ ନାହିଁ।ଯେପରି ଭକ୍ତ ପ୍ରହ୍ଲାଦ..
ମା' ଦୁର୍ଗାଙ୍କ ଚମତ୍କାର ହେଉ ଅବା ଆଉ କିଛି।ହଠାତ୍ ମାଆଟିଏ ଦେଖିଲା - ତିନି /ଚାରି ବର୍ଷର ଶିଶୁଟିଏ ଗୋଟିଏ କୋଣରେ ମା' ମା' ବୋଲି ଭୋ ଭୋ ହୋଇ କନ୍ଦୁଛି। ଶିଶୁଟିର ନୟନବାରି ଅନବରତ ବହିଚାଲିଛି।ଶିଶୁର ଅନ୍ତର କଥା ବୁଝିପାରିଲା ଯଶୋଦା ପରି ମାଆଟି।ତରଳିଗଲା ମାତୃ ହୃଦୟ।କିଏ କ'ଣ ଭାବିବା ପୂର୍ବରୁ ଶିଶୁଟିକୁ କୋଳେଇ ନେଲା ସ୍ନେହକାଙ୍ଗାଳୀ ମାଆଟି। ସତେ ଯେମିତି ଶିଶୁଟି ଖୋଜୁଥିଲା ଟିକିଏ ସ୍ନେହ, ଆଶ୍ରୟ ଆଉ ସୁରକ୍ଷା। ଅନେକ ପ୍ରକାରେ ବୁଝାଇ ଶୁଝାଇ ତାକୁ ଶାନ୍ତ କଲା ମା' ଯଶୋଦା ପରି।ତତ୍ପଶ୍ଚାତ୍ ଖୋଜିବାକୁ ଲାଗିଲା ସେହି ଦାୟିତ୍ବହୀନା ମାଆକୁ।
ଏପଟେ ପୁଅକୁ ଖୋଜି ଖୋଜି ଜନ୍ମଦାତ୍ରୀ ମାଆର ଭେଟହେଲା ଆଶ୍ରୟ ଦାୟିନୀ ମା' ସହିତ ଅପ୍ରତ୍ୟାଶିତ ଭାବରେ। ମାତ୍ର ସେତେବେଳେ ଶିଶୁଟି ଆରାମରେ ଥିଲା ଯଶୋଦା ରୂପି ମା' ପାଖରେ।
ଜନ୍ମଦାତ୍ରୀ ମା', ଉଦ୍ଧାରକାରିଣୀ ମା' ଏବଂ କରୁଣାମୟୀ ମା' ଜଗତ୍ଜନନୀ ଦୁର୍ଗାଙ୍କ ଅପୂର୍ବ ମିଳନର', ମାଆଙ୍କ ଆଶୀର୍ବାଦରେ ସତେ ଯେପରି କରୁଣାର ଆଭା ଉଦ୍ଭାସିତ ହେଲା।
ଯଶୋଦା ରୂପି ମା' ଶିଶୁଟିକୁ ଜନ୍ମଦାତ୍ରୀ ମାଆ ହାତକୁ ବଢାଇ ଦେବାକୁ ଚାହିଁବାରୁ ଦେବକୀ ମାଆ କହିଲା-ମୁଁ ଜନ୍ମଦାତ୍ରୀ ହେଲେ ତୁମେ ଉଦ୍ଧାରକାରିଣୀ, ଆଶ୍ରୟଦାୟିନୀ।ମା' ଦୁର୍ଗାଙ୍କ କୃପାରୁ ଆଜି ପୁଅଟିକୁ ଫେରିପାଇଛି।ଆଜିଠାରୁ ତୁମେ ବି ଏହାର ମା', ଦେବକୀ ନ ହେଲେ କ'ଣ ହେଲା ମାତା ଯଶୋଦା ତ ହୋଇପାରିବ। ଆମ ଭିତରେ ଗଢିଉଠୁ ନୂଅା ସଂପର୍କ,ପ୍ରକାଶିତ ହେଉ ଭାଇଚାରାର ଶ୍ରେଷ୍ଠ ନିଦର୍ଶନ । ଆମର ସଂପର୍କ ରହିବ ଯୁଗ ଯୁଗ ଧରି।ମା' କରୁଣାମୟୀ, ଦଶଭୁଜା ଦୁର୍ଗାଙ୍କ ଆଶୀର୍ବାଦରୁ ଦୁଇଟି ଅପରିଚିତ ପରିବାର ମଧ୍ଯରେ ଗଢିଉଠୁ ସଂମ୍ପର୍କ- ସେତୁ।