BHAGABANA NAIK

Inspirational

3  

BHAGABANA NAIK

Inspirational

ସ୍ପଷ୍ଟବାଦୀ ଅଗାଧୁ

ସ୍ପଷ୍ଟବାଦୀ ଅଗାଧୁ

3 mins
333



ଆଜିକାଲି ମାର୍କେଟ୍ କମ୍ପ୍ଲେକ୍ସ୍ ଉଠୁଛି ପଡୁଛି । ବିଭିନ୍ନ ରାଜନୈତିକ ଦଳର ଅଙ୍କକଷାରେ ଗାଆଁର ଗଳିକନ୍ଦି,କ୍ଲବ୍,ପାଠାଗାର ସରଗରମ । ସଂଧ୍ୟା ସମୟରେ ପୋଖରୀ ହିଡ,ଘାଟ,ନଳକୂପରେ ବିଭିନ୍ନ ଚିନ୍ତାଧାରାର ଲୋକଙ୍କ ଭୀଡ । ମଠ, ମନ୍ଦିର, ମସଜିଦ୍, ଗୀର୍ଜା, ଭାଗବତ ଟୁଙ୍ଗୀ ବି ବାଦ ପଡୁନି । ସବୁଠି ବିଭିନ୍ନ ବର୍ଗର ଲୋକଙ୍କ ଭୀଡ଼ । ନାମ ସଂକୀର୍ତ୍ତନ, ଧାର୍ମିକ, ଭାଗବତ ଚର୍ଚ୍ଚା ଅପେକ୍ଷା ଏକ ବିଶେଷ କଥାରେ ସମସ୍ତେ ମସଗୁଲ । ରାମାୟଣ, ଭାଗବତ ପାରାୟଣରେ କପୋଳେ ଚନ୍ଦନ ଚିତା ଲାଗିଛି ସତ, ହେଲେ ତାକୁ ଧ୍ୟାନ ଦେଇ ଶୁଣୁଛି କିଏ? 


ଅବଶ୍ୟ ସମସ୍ତଙ୍କ ଧ୍ୟାନ କେନ୍ଦ୍ରୀଭୂତ ହୋଇଛି ତ୍ରି-ସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ଉପରେ… ଯେହେତୁ ସମସ୍ତଙ୍କୁ ବାକ୍ ସ୍ୱାଧୀନତା ମିଳିଛି, ତେଣୁ ଶସ୍ତା ମତ ଓ ମନ୍ତବ୍ୟ ରଖିବା ଏକ ରକମର ପ୍ରତ୍ୟେକ ବ୍ୟକ୍ତିର ସହଜାତ ପ୍ରବୃତ୍ତି ହୋଇଯାଇଛି । କେତେ ଆସିବ, କେତେ ଯିବ, ମାଇକ ସେଟ୍, ଟେଣ୍ଟ୍, ପାଉଚ୍ ଇତ୍ୟାଦି ଇତ୍ୟାଦି… 


ବିଚରା ଅଗାଧୁ ସାହୁ! ବୟସ ପଚାଶ ପାଖାପାଖି । ସେ ଗାଆଁର ଜଣେ ଜଣାଶୁଣା ଭଦ୍ରବ୍ୟକ୍ତି । ଶିକ୍ଷାଗତ ଯୋଗ୍ୟତା କମ୍ ଥିଲେ ବି ଜଣେ ନିଆରା ବ୍ୟକ୍ତିତ୍ୱ । ପାଞ୍ଚଖଣ୍ଡ ମୌଜାରେ ତାଙ୍କର ନାଆଁ ଅଛି । ଗାଆଁ ପଲିଟିକ୍ସରେ ମୁଣ୍ଡ ପୁରାଇବାକୁ ଆଦୌ ପସନ୍ଦ କରନ୍ତି ନାହିଁ ସେ । 'ପରୋପକାରାୟ ହିତାୟ' ଆପ୍ତବାକ୍ୟରେ ସେ ବ୍ରତୀ । ପ୍ରାୟତଃ ତାଙ୍କ କଥା ଓ କାର୍ଯ୍ୟରେ ସମତା ଦେଖାଯାଏ ।  


ଶେଷରେ ନିର୍ବାଚନ ବିଗୁଲ୍ ବାଜିଲା…. 

Village politics ତତ୍ପର ହୋଇଉଠିଲା । ଚାରିଆଡେ କାନ ଫୁସ୍ ଫୁସ୍, ମାଇନସ୍ ପ୍ଲସ୍ କାହିଁରୁ କେତେ!ଅଗାଧୁ ସାହୁଙ୍କ ନାମରେ ଚାପା ଗୁଞ୍ଜରଣ ବି ଉଠୁଛି ।  

ଅଗାଧୁ ସାହୁଙ୍କୁ ବକରା ବନେଇବାକୁ ଯାଉଛନ୍ତି କେତେକ ବ୍ୟକ୍ତି । ତାଙ୍କର ନିର୍ମଳ ଭାବମୂର୍ତ୍ତିର ଫାଇଦା ଉଠାଇବାକୁ ଯାଉଛନ୍ତି କେତେକ ଅସାମାଜିକ ବ୍ୟକ୍ତିତ୍ୱ । 


 ଗତ ଦୁଇ ଦୁଇଟି ନିର୍ବାଚନରେ ନିଜର ବିଚକ୍ଷଣ ବୁଦ୍ଧି ପ୍ରୟୋଗ କରି କଳେ ବଳେ କୌଶଳେ ନିର୍ବାଚନ ବୈତରଣୀ ପାର ହୋଇ ସରପଞ୍ଚ ଆସନ ଅକ୍ତିଆର କରିଥିବା ମାମା ଠାକୁରର ମନ୍ତ୍ର ଏବେକାର ନିଶଉଠା ଭେଣ୍ଡିଆଙ୍କ ଉପରେ କାଟୁ କଲାନାହିଁ । କାହିଁକିନା ଦୁଇଟି ନିର୍ବାଚନରେ ବିଭିନ୍ନ ଉନ୍ନତିମୂଳକ ଯୋଜନାର ଅର୍ଥ ଆତ୍ମସାତ୍ କରି ପଞ୍ଚାୟତର ବିକାଶକୁ ବହୁ ପଛକୁ ଠେଲିଦେଇଛି ସେ । ତାର ଭାବମୂର୍ତ୍ତିରେ ଲୋକେ ଅତିଷ୍ଠ । ତା'ର ଅସଲ ମୁଖା ଖୋଲିଦେବାକୁ ଆଗେଇ ଆସିଲେ ସଚେତନ ଯୁବଗୋଷ୍ଠୀ । ସେମାନେ ଠାକୁର ବିପକ୍ଷରେ ଏକ ନୂଆ ଚେହେରାକୁ ନିର୍ବାଚନୀ ମୈଦାନରେ ଓହ୍ଲାଇବାକୁ ଅଣ୍ଟାଭିଡିଲେ । 

ଶାସନ କଳରେ ଥାଇ ଉପରକୁ ଲମ୍ବାହାତ ବଢାଇଥିବା ମାମା ଠାକୁରର ସମସ୍ତ ଅଙ୍କ ଫେଲ ହୋଇଗଲା ଯେତେବେଳେ, ପରାଜିତ ହେବା ଆଶଙ୍କାରେ ତାର ମୁଣ୍ଡ କାମ କଲାନାହିଁ । ତେଣୁ ସେ ଅଗାଧୁ ସାହୁର ନିର୍ମଳ ଭାବମୂର୍ତ୍ତିକୁ ମୋହରା କରିବାକୁ ସ୍ଥିର କଲା ।  

ସେ ଆଶା କରିଥିଲା ଯେ ଅଗାଧୁ ସାହୁ କେବେ ବି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ ନାହିଁ ଏବଂ ତାଙ୍କୁ ଅନୁରୋଧ କଲେ ସେ କିଛି ମାତ୍ରାରେ ସମର୍ଥନ କରିବେ ।  

  ମନରେ ଏତକ ଚିନ୍ତା କରି ସେ ତା'ର ଚେଲା ଚାମୁଣ୍ଡାଙ୍କ ସହିତ ଅଗାଧୁ ସାହୁ ଘରେ ହାଜର ହୋଇଗଲା । ନିର୍ବାଚନୀ ମୈଦାନରେ ସମସ୍ତ ପ୍ରକାର ସହଯୋଗ, ସମର୍ଥନ କରିବାକୁ ଅନୁରୋଧ କଲା ସେ । ଅନେକ ପ୍ରଲୋଭନ ଦେଖାଇଲା ମଧ୍ୟ । ସେ ଭଲଭାବରେ ଜାଣିଥିଲା ଯେ ଯଦି ସମାଜସେବୀ ଅଗାଧୁ ସାହୁ ପ୍ରାର୍ଥୀପତ୍ର ଦାଖଲ କରନ୍ତି, ତେବେ ସଚେତନ ଯୁବଗୋଷ୍ଠୀ ତାଙ୍କୁ ନିର୍ଦ୍ୱନ୍ଦ୍ୱରେ ସମର୍ଥନ କରିବ ଆଉ ଅଗାଧୁକୁ ନାମମାତ୍ର ସରପଞ୍ଚ କରି ସମସ୍ତ ଫାଇଦା ହାସଲ କରିବ ସେ ନିଜେ । 

କିନ୍ତୁ ଅଗାଧୁ ସାହୁକୁ ମାମା ଠାକୁରର ସଠତା, ମିଥ୍ଯା ଆଶ୍ବାସନା ଅଛପା ନ ଥିଲା । ଠାକୁର ଯେ ହରିଣ ମାଂସଲୋଭୀ ବିଲୁଆ ତାହା ଅଗାଧୁ ସାହୁଙ୍କୁ ବେଶ ଜଣାଥିଲା । 

 ନିର୍ବାଚନରେ ଆଦୌ ରୁଚି ରଖୁନଥିବା ଓ ସମାଜସେବାରେ ଶାନ୍ତି ଲାଭ କରୁଥିବା ଅଗାଧୁ ସାହୁ ରୋକଠୋକ୍ ମନା କରିଦେଲେ । ନା ପ୍ରାର୍ଥୀପତ୍ର ଦାଖଲ ନା ସମର୍ଥନ! 

ମାମା ଠାକୁର ଉପର ମହଲରୁ ଚାପ ମଧ୍ୟ ପକାଇଲା । କିନ୍ତୁ ସ୍ପଷ୍ଟବାଦୀ ଅଗାଧୁ ନିଜ ଡିସିସନରେ ଅଟଳ ରହିଲେ । ଅନୁରୋଧ, ପ୍ରଲୋଭନ, ଚାପ, ଭୟ ସମସ୍ତ ପ୍ରକାର ପ୍ରଚେଷ୍ଟା ଫସର ଫାଟିଗଲା ତାଙ୍କ ଆଗରେ । 

ସବୁ ଶୁଣିସାରିବା ପରେ ସାହୁ ନମ୍ରତାର ସହ କହିଲେ, "କ୍ଷମା କରିବ ମାମା ଠାକୁର! ଯେଉଁ ଲୋକ ସମାଜର ଦୟା, ଆଶୀର୍ବାଦରେ ବଡଲୋକ ହୋଇ ସେହି ସମାଜର ଭଲକାମରେ ଆସିପାରେ ନାହିଁ', ପ୍ରତିବଦଳରେ ଦମ୍ଭ, ଗର୍ବ, ଭୟ ଦେଖାଏ, ତାକୁ ସମର୍ଥନ କରିବା ମୂର୍ଖତାର ପରିଚୟ ହେବ । ତେଣୁ ନିର୍ବାଚନରେ ପ୍ରାର୍ଥୀତ୍ବ ଦାଖଲ କରିବା କିମ୍ବା ସମର୍ଥନ କରିବା ଆଦୌ ପ୍ରଶ୍ନ ଉଠିନାହିଁ । " 

ସେ ଆହୁରି କହିଲେ, " ମୁଁ ଅତି ନିକଟରୁ ଲୋକଙ୍କୁ ଦେଖୁଛି, ତାଙ୍କ ସୁଖଦୁଃଖରେ ଭାଗିଦାର ହେଉଛି । ସେଥିରୁ ସମାଜ ସେବାରେ ଯେଉଁ ଆତ୍ମତୃପ୍ତି, ଶାନ୍ତି ମିଳୁଛି', ତାହା ଏହି ପଦ ପଦବୀ କଦାପି ଦେଇପାରିବ ନାହିଁ । ତେଣୁ ମୋ ଠାରୁ ଅଧିକ ଆଶା କରିବା ଉଚିତ୍ ହେବ ନାହିଁ ମନେ କରେ । "

………….. 

ପରବର୍ତ୍ତୀ ସମୟରେ ନିର୍ବାଚନ ଫଳାଫଳ ଆପଣଙ୍କ ସାମ୍ନାରେ…… 



Rate this content
Log in

Similar oriya story from Inspirational