BHAGABANA NAIK

Inspirational

4.4  

BHAGABANA NAIK

Inspirational

ସୁନାପିଲା

ସୁନାପିଲା

3 mins
249



ସବୁଜ ବନାନୀ ଘେରା ଛୋଟ ଗାଁଟିଏ । ନାଁ ତାର ଚମ୍ପାପୁର । ଗାଁ ପାଖ ଦେଇ କୁଳୁକୁଳୁ ନାଦରେ ବହିଯାଉଛି ଅଙ୍ଗ ନଦୀ । ସେହି ଗାଁରେ ବାସ କରନ୍ତି ଶରତ ଚନ୍ଦ୍ର ଚୌଧୁରୀ । ଭାରି ଶାନ୍ତ ଓ ଭଦ୍ର ମେଳାପି ସ୍ବଭାବର ବ୍ଯକ୍ତିଟେ ସେ । ଲୋକେ ତାଙ୍କୁ ଆଦରରେ ଶରତ ବାବୁ ବୋଲି ଡାକନ୍ତି । ତାଙ୍କ ସ୍ତ୍ରୀ ଚମ୍ପାମଣୀ ମଧ୍ଯ ସ୍ନେହବତ୍ସଳା ମାଆ ପରି । ତାଙ୍କର ବାର ବର୍ଷର ପୁଅ ଟିଏ । ନାଁ ତାର ଚମ୍ପେଶ୍ଵର । ଡାକ ନାଁ' ବାବୁଲା' । କିନ୍ତୁ ସେ ଭାରି ଦୁଷ୍ଟ ସ୍ବଭାବର । ବେଙ୍ଗ, ଏଣ୍ଡୁଅ, ଗୁଣ୍ଡୁଚି ମୂଷା, ପାରା, ଚଟିଆ ଯାହା ବି ଦେଖୁଥିଲା, ସେ ଟେକା ପଥର ଧରି ତାଙ୍କ ପଛରେ ଗୋଡାଉଥିଲା ମାରିବା ପାଇଁ । ସାଙ୍ଗ, ସହପାଠୀଙ୍କ ସହିତ କଲିକଜିଆ କରିବା ତାର ନିତିଦିନିଆ ଅଭ୍ୟାସ ।  କେବେ ବିଦ୍ୟାଳୟରୁ ତ କେବେ ସାହି ପଡିଶାରୁ ନିଶ୍ଚୟ ଅଭିଯୋଗ ଟେ ଆସେ ତା ନାଁ ରେ । କେହି କେହି ତାକୁ 'ଚଗଲା' ବୋଲି ଡାକୁଥିଲେ । ପାଖ ପଡିଶାର ଲୋକେ କହୁଥିଲେ - ଶରତ ବାବୁ ଏଡେ ବକଟେ ପିଲାକୁ ଆୟତ୍ତ କରିପାରୁ ନାହାନ୍ତି' । କିନ୍ତୁ ବାପାମାଆଙ୍କ ଏତେ ଭଲ କଥା, ଆକଟ, ଉପଦେଶ ବାବୁଲା ଉପରେ ଆଦୌ କାମ କରୁନଥିଲା । ସବୁ ପାଣି ଫୋଟକା ପରି ମିଳେଇ ଯାଉଥିଲା । ବିଚରା ଚୌଧୁରୀ ଦମ୍ପତି ପୁତ୍ରର ଭବିଷ୍ୟତକୁ ନେଇ ଚିନ୍ତିତ ହୋଇ ପଢ଼ୁଥିଲେ ।  


କିଛି ଦିନ ପରେ ରଜପର୍ବ ଆସିଗଲା । ସମସ୍ତଙ୍କ ମୁହଁରେ ହସ । ନୂଆ ଡ୍ରେସ୍ ରେ ସମସ୍ତେ ଖୁସି । ଆମ୍ବ ତୋଟାରେ କୁଆଁରୀ ଝିଅମାନଙ୍କ କଣ୍ଠରୁ ଶୁଭିଲା - 'ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ' । ବାବୁଲା ଖୁସିରେ ପିତାମାତାଙ୍କ ସହିତ ମେଲନ ପଡିଆକୁ ଗଲା ରଜପର୍ବର ମଜା ନେବା ପାଇଁ ।  


ପଡିଆରେ ବୁଲୁ ବୁଲୁ ହଠାତ୍ ସେ ଅଟକିଗଲା ଝଙ୍କାଳିଆ ବରଗଛ ତଳେ । କାରଣ ସେହି ଗଛ ମୂଳରେ ଜଣେ ସନ୍ଥ ମହାତ୍ମା ଲୋକଙ୍କୁ ଉପଦେଶ ଦେଉଥିଲେ । ସେ ବାବୁଲାକୁ ଦେଖି ପାଖକୁ ଡାକିଲେ । ସହଜେ ତ ଇଏ ଡରିବାର ପିଲା ନ ଥିଲା, ସିଧା ଯାଇ ସାଧୁଙ୍କ ପାଖରେ ବସିପଡିଲା । ତାର ପିତାମାତାଙ୍କଠାରୁ କିଛି ଶୁଣିବା ପୂର୍ବରୁ ସନ୍ଥ ମହାତ୍ମା ବାବୁଲାକୁ କହିଲେ "ବାପାରେ!ତୁ ଗୋଟେ ଭଲ ପିଲା । ତୁ ଦୁଷ୍ଟ ପିଲା ନୁହଁ । କିଏ ଗୋଟେ ତୋତେ ଦୁଷ୍ଟାମି କରାଉଛି । ତୋ ପାଖରେ ଖୁବ୍ ବିଦ୍ୟା, ବୁଦ୍ଧି ଅଛି । ତୁ ଭଲ ମଣିଷଟିଏ ହେବୁ । କାହା ସହିତ କଦାପି କଳିକଜିଆ କରିବୁନି । ପିତାମାତା, ଗୁରୁଜନଙ୍କ କଥା ମାନି ଚଳିବୁ । ଜୀବ ପ୍ରତି ଦୟା କରିବୁ । ଦରକାର ବେଳେ ସହଯୋଗ କରିବୁ । " ବାବୁଲା ମନକୁ କଥାଟା ବେଶ୍ ପାଇଲା । ସେ ମୁଣ୍ଡ ଟୁଙ୍ଗାରି 'ହଁ' କଲା । ସେ ଦିନ ସଂଧ୍ୟା ପୂର୍ବରୁ ସେମାନେ ଘରକୁ ଫେରି ଆସିଲେ । ରାତିରେ ତାକୁ ଭଲ ନିଦ ହେଲା ନାହିଁ । - ତୁ ଭଲ ମଣିଷଟିଏ ହେବୁ ' କଥାଟି ବାରମ୍ବାର ତା ମୁଣ୍ଡରେ ଘାରିଲା । ତା ମନରେ ସନ୍ଥଙ୍କ ଉପଦେଶଟି ଗଭୀର ଭାବରେ କାମ କଲା ।  


ପରଦିନ ପ୍ରଚଣ୍ଡ ଖରା ହେଲା । ବାବୁଲା ମନକୁ ମନ ତାଟିଆରେ ପାଣି ନେଇ ଛାତ ଉପରେ ଥୋଇ ଆସିଲା । ଏଣ୍ଡୁଅ, ଗୁଣ୍ଡୁଚି ମୂଷା, ଚଟିଆ, ପାରା, ହଳଦୀ ବସନ୍ତ ଆଦିଙ୍କ ଉଦ୍ଦେଶ୍ୟରେ । ତା' ପରଦିନ 

ଅପରାହ୍ନରେ କଳାହାଣ୍ଡିଆ ମେଘ ଚାରିଆଡ଼େ ଢାଙ୍କି ଦେଲା । ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବହିଲା । ବାବୁଲା ଝରଖା ପଟେ ବାହାରକୁ ଦେଖୁଥିଲା । ବରଷା ଟିକିଏ ଛାଡିଯାଇଥିଲା । ହଠାତ୍ ସେ ଦେଖିଲା ଘରଚଟିଆ ଟିଏ ବର୍ଷାରେ ଭିଜି ଯାଇଛି ଓ ଥୁରୁଥୁରୁ ହେଉଛି । ସେ ଶୀଘ୍ର ଯାଇ ତାକୁ ଆଣିଲା । ଶୁଖା କନାରେ ଭଲଭାବରେ ପୋଛି ଦେଲା ଓ ଶୁଖା କନାରେ ଘୋଡାଇ ରଖିଲା । ବର୍ଷା ଥମିବା ପରେ ତାକୁ ଫୁର୍ କିନା ଉଡାଇଦେଲା । ସେ ଦିନ ତା ଆନନ୍ଦର ସୀମା କହିଲେ ନ ସରେ ।  


ଧିରେଧିରେ ବାବୁଲା ପାଠପଢାରେ ମନଯୋଗ ଦେଲା । ତାର ଆଚରଣରେ ମଧ୍ୟ ପରିବର୍ତ୍ତନ ଦେଖାଦେଲା । ତାର ପରିବର୍ତ୍ତନର ଧାରା ନିରନ୍ତର ଲାଗିରହିଲା । ତାଙ୍କ ଆଖି ସାମ୍ନାରେ ଏତେ ସବୁ ପରିବର୍ତ୍ତନ ଦେଖି ଶରତ ବାବୁ ନିଜକୁ ନିଜେ ବିଶ୍ବାସ କରିପାରୁନ ଥିଲେ ।  

ଲୋକେ କହିବାକୁ ଲାଗିଲେ - ବାଃ ବାଃ ରେ ବାବୁଲା, ତୁ ଚଗଲା ନୁହଁ ରେ ତୁ ଆମ ଗାଁ ର ଖାଣ୍ଟି ସୁନା ପିଲା ।  

 ସେତେବେଳକୁ ସେ ପରିଶ୍ରମର ମୂଲ୍ଯ ଓ ଜୀବ ପ୍ରତି ଦୟାର ମର୍ମ ଠିକ୍ ବୁଝି ଯାଇଥିଲା । ।  

 ସମୟ ଅନ୍ତରେ ସେ ଉଚ୍ଚ ଶିକ୍ଷା ଲାଭ କରି ଭାରତୀୟ ପ୍ରଶାସନିକ ସେବା(IAS) ରେ ଯୋଗ ଦେଇ ଦେଶସେବାରେ ନିଜକୁ ଉତ୍ସର୍ଗ କରିଦେଲେ ।  

ଚାରିଆଡ଼େ ଲୋକେ ପ୍ରଶଂସା କରି କହିବାକୁ ଲାଗିଲେ - ଚମ୍ପେଶ୍ଵର ଚୌଧୁରୀ (IAS) 🙏 



Rate this content
Log in

Similar oriya story from Inspirational