Lipi Sahoo

Comedy

4.7  

Lipi Sahoo

Comedy

ମୃତ୍ୟୁ ସଂଜିବନୀ

ମୃତ୍ୟୁ ସଂଜିବନୀ

5 mins
278


ବେଙ୍ଗୁଲି ଚା କପ୍ ଧରି ଡ଼ାକ ପକେଇ ପକେଇ ପଶିଆସିଲେ ହେଇଟି ! ଶୁଣୁଛ ଚା ନିଅ । ଆସି ଦେଖିଲେ ଚିଆ଼ଁବାବୁ ମୋବାଇଲରେ ଆଖି ମାଡି କ'ଣ ଗୋଟେ କରୁଥାନ୍ତି । ବେଙ୍ଗୁଲି ଖିଙ୍କାରି ଉଠି କହିଲେ ସକାଳୁ ଉଠୁ ଉଠୁ ତାକୁ ଧରି ବସିଲଣି । ସେଇଟାକୁ ଦେଖିଲେ ଏବେ ମୋ ହାଡ଼ ଜଳୁଚି । ସେଇ ମୋବାଇଲ କୁ ବାହା ହେଇ ପଡୁନ । ତମର ସବୁ ଦୁଃଖ ଦୂରେଇ ଦେବ ।ଓହୋଃ ! ସକାଳୁ କାଇଁ ଗରଗର ହେଉଚ କହିଲ ? ମୁଁ ଏଥିରେ ମୃତ୍ୟୁ ସଂଜିବନୀ ପାଇଁ ରେଜିଷ୍ଟ୍ରେସନ୍ କରୁଚି । ଏଇ ଯୋଉ କାଳ ବେଳା ଚାଲିଚି ନା ବଞ୍ଚିବାର ଏଇ ମାତ୍ର ଗୋଟିଏ ଉପାୟ ଅଛି । ନ ହେଲେ ସବୁ ମରିବା ।

                 ଆଖି ତରାଟି ବେଙ୍ଗୁଲି ପଚାରିଲେ ।କିହୋ !କୋଉ କଥା କହୁଚ ମୁଁ କିଛି ବୁଝି ପାରୁନି ।ତମେ ବୁଝିବ କେମିତି ? ଖାଲିରେ ମୁଁ ତୁମକୁ ଡାକେ ବାରଲାଇଟ୍ । ଧପ ଧପ ହେଉଥିବ ଯେ ହେଉଥିବ । ଜଳୁ ଜଳୁ ଅଉତେ ବେଳ ଯିବ ।

              ଏତିକି ଶୁଣି କି ତ , ବେଙ୍ଗୁଲି ଙ୍କ ପିତ ମୁଣ୍ଡ କୁ ଚଢ଼ିଗଲା । କ'ଣ କହିଲ କ'ଣ କହିଲ ନାଇଁ ନାଇଁ କ'ଣ କହିଲ କହି ଅଣ୍ଟା ରେ ହାତ ରଖି ମାଡି ଆସିଲେ । ଟିପୋଇ ଉପରେ କପ୍ ଟି କଚାଡି ଦେଲେ । ପ୍ଲେଟ୍ ଉପରେ ଦୁଇ ଟୋପା ଛଲକି ପଡ଼ିଲା ।ଚିଆଁବାବୁ ହାତଯୋଡି ଦେଇ କହିଲେ ଥାଉ ସେତିକି ଥାଉ । ମୋ ସାଙ୍ଗେ ଝଗଡ଼ା କରିବ ପରେ ଆଗ ଯାଅ ତମ ଆଧାର କାର୍ଡ ଟା ନେଇ ଆସ ଫଟାଫଟ୍ । ଆରେ ଯାଅ । ନହେଲେ ମିଳିବନି  ମୁହଁ ମୋଡ଼ି ବେଙ୍ଗୁଲି ଟଙ୍ଗଟଙ୍ଗ ହେଇ ଭିତରକୁ ଚାଲିଗଲେ । ଆଧାର କାର୍ଡ ଆଣି ଚିଆଁବାବୁ ଙ୍କୁ ଧରେଇ ଦେଲେ ।  କ'ଣ ସବୁ ମୋବାଇଲ ରେ ଟିପାଟିପି କରି ସାରି କହିଲେ , ଯାହା ହେଉ ରେଜିଷ୍ଟ୍ରେସନ୍ ହେଇଗଲା । କ'ଣ ସହଜରେ ମିଳୁଛି କି ନେଟ୍ ରେ ବି ଠେଲାପେଲା ଚାଲିଲାଣି । ଗୋଟେ ମିନିଟ୍ ଏପଟ ସେପଟ ହେଲେ ଆଖି ପିଛୁଳାକେ ସ୍ଲଟ୍ ସରି ଯାଉଛି ।ମୋତେ ଟିକେ କହିବ କି କ'ଣ ସକାଳୁ ସକାଳୁ କରୁଥିଲ ମୁଁ ତ ମୂରୁଖ ଲୋକ ଟିକେ ବୁଝେଇ ଦିଅ । କ'ଣ ବୁଝିପାରୁନ ଯେ କରୋନା ଟୀକା ପାଇଁ ସ୍ଲଟ୍ ବୁକ୍ କରୁଥିଲି । ସହଜରେ କ'ଣ ମିଳୁଛି ପନ୍ଦର ଦିନ ଲାଗି ଲାଗି ଆଜି ମିଳିଲା । ସରକାର କହୁଛନ୍ତି କରୋନାରୁ ବଞ୍ଚିବାର ଗୋଟିଏ ଉପାୟ ହେଲା ଟୀକା । କାଲି ସକାଳ ନଅଟା ରୁ ଦଶଟା ସ୍ଲଟ୍ ବୁକ୍ ହେଲା । ଆମେ ଟିକେ ଶିଘ୍ର ବାହାରି ଯିବା । ମାଁ ଲୋ ମଲ୍ଲୀ ଏଇ କଥାକୁ ନାଁ ପେଲିଦେଲି କଲିକତାକୁ । ଏଇ ଟୀକା ପାଇଁ ମୋତେ ୟେତେ କଥା ଶୁଣେଇ ସାରିଲଣି । ସେଇଠି ଶୁଣୁଚ, ଗୋଟେ କଥା କହିବି ହସିବନି ତ  ଗୋଟେ କାଇଁ ଶହେଟା କଥା କୁହ । ଏବେ ସ୍ଲଟ୍ ବୁକ୍ ହେଇଗଲା , ଆଉ କିଛି ଟେନସନ୍ ନାହିଁ । କଥା କ'ଣ କି , ମୋତେ ଡର ମାଡୁଚି । ତମେ ତ ଜାଣ ଇଂଜେକସନ କୁ ମୋତେ କେତେ ଡର । ତମେ ମୋତେ ଟିକେ ଧରିବ ଟୀକା ନେଲା ବେଳେ । ସେମାନେ ଧୀରେ ଦେବେ ତ କାଟିଲେ କିନ୍ତୁ ମୁଁ କହି ଦେଉଚି ଜୋର୍ ରେ ପାଟି କରିବି । ତମେ ଆଗରୁ ତାକୁ କହି ଦେଇଥିବ । ମୋତେ ଯେମିତି ଧୀରେ ଦେବ, ବୁଝିଲ ତ  ତମର ଏଇ ସବୁ ପିଲାଳିଆମି କଥା ଶୁଣି ରାଗ ଲାଗେ । ସେଠି କ'ଣ ତମକୁ କୋଳରେ ଧରିକି ବସିବି, ଆଉ କହିବି ମୋ ପତ୍ନୀଙ୍କୁ ଡର ମାଡେ ସଃ  ବେଙ୍ଗୁଲି ମୁହଁ ମୋଡ଼ି ଭିତରକୁ ଦମଦମ ହେଇ ଚାଲିଗଲେ । ପର ଦିନ ସକାଳ ଆଠଟା ରୁ ଚିଆଁବାବୁ ରେଡ୍ଡି ହେଇ ଡାକ ପକେଇଲେ ବେଙ୍ଗୁଲି ଜଲଦି ଆସ । କୋଉ ବାହାଘର କୁ ଯାଉନ ଯେ ୟେତେ ସଜବାଜ ହେଉଚ । ମୁହଁ ରେ ତ ମାସ୍କ ଲଗେଇବ । ଆଉ ସଜବାଜ ହେଇ ଲାଭ କ'ଣ

              ତମର ଯୋଉ ଛୋପରା କଥା ନା ମୁଁ କ'ଣ ସଜ ହେଉଥିଲି । ମୋତେ ଡର ମାଡୁଚି ତ । ସେଇଥି ପାଇଁ ଠାକୁର ଙ୍କୁ ପ୍ରଣାମ କରି ଆସୁଥିଲି । ହେଇଟି ଏଟା ନ ନେଲେ କ'ଣ ହେବନି ଇଂଜେକସନ କୁ ମୋତେ ଭାରି ଡର ତମେ ଜାଣିଚ ତ

              ଚାଲ , ଆଉ ସୁଆଙ୍ଗ ଦେଖାଅ ନି । ବୁଢ଼ୀଟେ ହେଲଣି , ତଥାପି ଇଂଜେକସନ କୁ ଡର । ସେପଟେ ପୁଣି ଭିଡ଼ ହେଇ ଯିବ ।ସେଠି ପହଞ୍ଚି ଦେଖିଲା ବେଳକୁ ସତରେ ପ୍ରବଳ ଭିଡ଼ ହେଇ ସାରିଥିଲା । ଲମ୍ବା ଲାଇନ ଲାଗି ଥିଲା । ସବୁ ହାତରେ ଆଧାର କାର୍ଡ ଧରି ଠିଆ ହୋଇଥାନ୍ତି । ତା ଭିତରେ ଚାଲିଥାଏ ଠେଲାପେଲା , ପାଟିତୁଣ୍ଡ । ପୋଲିସ ବିଚରା ମଝିରେ ମଝିରେ କହି ଚାଲିଥାଏ , ଠେଲାପେଲା ହୁଅନ୍ତୁନି । ଦୂରତା ରକ୍ଷା କରନ୍ତୁ । କରୋନା ଟୀକା ନେବାକୁ ଆସି ଘରକୁ କରୋନା କୁ ନିମନ୍ତ୍ରଣ କରନ୍ତୁ ନାହିଁ । କମ୍ ସେ କମ୍ ଏକ ହାତ ଦୂରତା ରକ୍ଷା କରନ୍ତୁ । ହେଲେ କିଏ ଶୁଣୁଚି କାହା କଥା । ଲୋକଙ୍କ ଭିତରେ ଚପା ଅସନ୍ତୋଷ ସରକାର ଙ୍କର କୌଣସି ବ୍ୟବସ୍ଥା ନାହିଁ ବସିବା ପାଇଁ କି ଖରା ରୁ ରକ୍ଷା ପାଇବା ପାଇଁ । ଖରା ଧୀରେଧୀରେ ବଢ଼ି ଚାଲିଥାଏ । ଲାଇନ୍ ବି ଧୀରେଧୀରେ ଆଗଉ ଥାଏ । ଠିଆ ହେଇ ହେଇ ଗୋଡ଼ କାଟିବା ଆରମ୍ଭ କରି ଦେଇଥାଏ । ହେଲେ କିଛି ଅନ୍ୟ ଉପାୟ ହିଁ ନାହିଁ । ସେମିତି ଠିଆ ହେବାକୁ ହିଁ ପଡ଼ିବ । ବହୁତ ବୁଢ଼ାବୁଢ଼ୀ ବି ଲାଇନ୍ ରେ ଠିଆ ହେଇ ଥାଆନ୍ତି । ସେମାନଙ୍କ ପାଇଁ ମନରେ ଦୟା ଆସୁଥାଏ । ଏଇ ବୟସରେ ବି ଖରା ରେ ଏମିତି ଠିଆ ହେଇ ଥାଆନ୍ତି । କେହି କେହି ଖରା ଯୋଗୁଁ ସାଙ୍ଗରେ ଆଣିଥିବା ପାଣି ବୋତଲରୁ ଢୋକେ ଢୋକେ ପାଣି ପିଉ ଥାଆନ୍ତି । ସାଁବାଳୁଆ ଭଳି ଧାଡ଼ି ଧୀରେଧୀରେ ଆଗଉ ଥାଏ । ଧାଡି ଟିକେ ଆଗେଇଲେ , ମନରେ ଟିକେ ଆଶ୍ୱସ୍ତି ଆସୁଥାଏ । ୟା ଭିତରେ ଦୁଇ ଘଣ୍ଟା ବିତିଗଲା । ମଝିରେ ମଝିରେ ଲୋକ ପାଟି କରୁଥାନ୍ତି ଆରେ ଟିକେ ଜଲଦି କର । ନ ହେଲେ ସନଷ୍ଟ୍ରୋକରେ ଏଠି କେତେ ଗଳି ପଡ଼ିବେ । 

               ଚିଆଁବାବୁ ଦେଖିଲେ ଆଗରେ ଆହୁରି ଦଶ ଜଣ ଅଛନ୍ତି । ସେତେବେଳକୁ ବେଙ୍ଗୁଲି ଖରାରେ ଠିଆ ହେଇ ହେଇ ରାଗରେ ଗଣଗଣ ହେଲେଣି । ହେଇଟି ମୁଁ ଆଉ ଠିଆ ହେଇ ପାରିବନି । ମୋ ମୁଣ୍ଡ ବୁଲେଇଲାଣି । ଫୋଡା କଷ୍ଟ ଠୁ ୟେ କଷ୍ଟ ବଳେଇ ଗଲାଣି । ଆରେ ଆଉ ଅଳ୍ପ ଲୋକ ତ ଆଗରେ ଅଛନ୍ତି । ଆମ ପାଳି ଆସି ଯିବନି । ତମ ପଛରେ ଦେଖିଲ ସେ ବୁଢା ମଉସା ମାଉସୀ ଙ୍କୁ ସତୁରି ବର୍ଷ ଉପରେ ହେବ । ସେମାନେ ବି ତ ଠିଆ ହେଇଛନ୍ତି । ବେଙ୍ଗୁଲି ସେମାନଙ୍କୁ ଦେଖି ସତରେ ଚୁପ୍ ହେଇଗଲେ ।ଠିକ୍ ଏଇ ସମୟରେ ଭିତରୁ ଜଣେ ଆସି କହିଲେ । ଆଉ ମାତ୍ର ବାର ଜଣଙ୍କୁ ଟୀକା ଦିଆ ଯାଇ ପାରିବ । ଆମର ଟୀକା ସରିଗଲା । ତେଣୁ ପ୍ରଥମ ବାରଜଣ ଭିତରକୁ ଆସନ୍ତୁ । ବାକି ମାନେ ବ୍ୟସ୍ତ ହେବା ଦରକାର ନାହିଁ । କାଲି ସେମାନେ ନେବେ । ଆଉ ଅଲଗା ସ୍ଲଟ୍ ବୁକ୍ କରିବା ଦରକାର ନାହିଁ । ଲୋକେ ରାଗିକି ପାଟିତୁଣ୍ଡ କରି , ସେଇ ଲୋକ ଆଡେ ମାଡି ଗଲେ । ତାକୁ ପିଟି ପକେଇଥାନ୍ତେ ବୋଧେ । ହେଲେ ପୋଲିସ୍ ଆସି ଲୋକ ମାନଙ୍କୁ ସମ୍ଭାଳି ବୁଝାସୁଝା କଲେ ।

  ଚିଆଁବାବୁ ଆଉ ବେଙ୍ଗୁଲି ଏଗାର ଆଉ ବାର ନମ୍ବର ରେ ଥିଲେ । ବେଙ୍ଗୁଲି କହିଲେ ଆରେ ଚାଲୁନଭିତରକୁ ଡାକିଲେଣି ପା ।କାହିଁକି କେଜାଣି ଚିଆଁବାବୁଙ୍କ ପାଦ ଆଗକୁ ବଢିଲାନି । ସେ ପଛକୁ ବୁଲିପଡ଼ି କହିଲେ । ମଉସା ମାଉସୀ ଆପଣ ଯାଆନ୍ତୁ । ବହୁତ ସମୟ ହେଲା ଠିଆ ହେଲେଣି । ଆମେ ଆସି ବରଂ କାଲି ନେଇଯିବୁ । ଆପଣମାନେ ଏମିତି ଏଇ ଭିଡ଼କୁ ବାରମ୍ବାର ଆସିବା ଠିକ୍ ନୁହେଁ । ତେଣୁ ଆପଣ ଦୁହେଁ ଭିତରକୁ ଯାଆନ୍ତୁ ।ଏତିକି ଶୁଣିବା ମାତ୍ରେ ସେ ଦୁହିଁଙ୍କ ମୁହଁରେ ଖୁସିର ଲହରୀ ଖେଳିଗଲା ଆଉ ଆଖି ଛଳଛଳ ହେଇଗଲା । ଆପେ ଆପେ କୃତଜ୍ଞତା ସହ ଆଶୀର୍ବାଦ ଝରିଆସିଲା । ସେ କେବଳ ଏତିକି କହି ପାରିଲେ ପୁଅ ତମକୁ ଅଶେଷ ଧନ୍ୟବାଦ । ଇଶ୍ୱର ତମ ଦୁହିଁ ଙ୍କର ମଙ୍ଗଳ କରନ୍ତୁ କହି ଦୁହେଁ ଆଗକୁ ବଢ଼ିଲେ ।  ଚିଆଁବାବୁ ମନେମନେ ଭାବିଲେ ଆରେ ଏଇ ଆଶିର୍ବାଦ ଟିକକ ତ ବଞ୍ଚିବାର ଖୋରାକ ଯୋଗାଏ । ସେ ସଂଜିବନୀ ଠାରୁ ୟେ ସଂଜିବନୀର ଗୂରୁତ୍ୱ ଢେର୍ ଅଧିକା । ବଞ୍ଚିବା ପାଇଁ ଏଇଟା ନିହାତି ଆବଶ୍ୟକ । ଟୀକା ଗୋଟେ ଦିନ ପରେ ନେଲେ ଚଳିବ । ଅନ୍ୟ କୁ ଖୁସି ଦେଇ ଯେଉଁ ଆନନ୍ଦ ମିଳେ ତାହା ହିଁ ପ୍ରକୃତ ମୃତ୍ୟୁ ସଂଜିବନୀ । ଖରାରେ ଶୁଖି ଯାଇଥିବା ବେଙ୍ଗୁଲି ଙ୍କର ଓଠରେ ବି ଫୁଟି ଉଠିଥିଲା ଏକ ବିମଳ ହସ । ଖରାରେ ଠିଆ ହେବାର କଷ୍ଟ ବି ସେ ଭୂଲି ଯାଇଥିଲେ । ତ୍ୟାଗ ରେ ବି ଭରପୁର ଆନନ୍ଦ ଥାଏ ।

                  


Rate this content
Log in

Similar oriya story from Comedy