ମରୀଚିକା
ମରୀଚିକା
ମଦନ ନିପଟ ମଫସଲ ଗାଁର ପିଲାଟିଏ।ପରିବାର କହିଲେ ତା'ର ବାପା ଓ ମା'।ମଦନ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢି ସେତିକିରେ ତାର ଡୋର ବନ୍ଧାହୋଇଛି।ସମୟକ୍ରମେ ବୟସ ବଢ଼ିବା ସହିତ ବାପାଙ୍କୁ ଚାଷ କାମରେ ସାହାଯ୍ୟ କରେ।ବିଲ ବାଡ଼ିରେ କାମ ସରିଲେ ସଂଧ୍ୟାବେଳିଆ ମଦନ ଗାଁ ପିଲାଙ୍କ ସହ ମିଶି ଗାଁ ମୁଣ୍ଡରେ ମଶାଣି ଆରପଟେ ଥିବା ବରଗଛ ଚାନ୍ଦିନୀରେ ବସି ଖଟି କରେ।ତା ସାଂଗ ସାଥି ସଭିଙ୍କ ପାଖରେ ମୋବାଇଲ ଅଛି।ସମସ୍ତେ ସେଇ ଚାନ୍ଦିନୀରେ ବସି ମୋବାଇଲରେ ବ୍ୟସ୍ତ।ମଦନର ବି ଭାରି ଇଛା ତା'ର ବି ଗୋଟେ ମୋବାଇଲ ଥାନ୍ତା କି..! ଥରେ ମଦନ ତା ବାପାଙ୍କ ପାଖରେ ଜିଦ କଲା ମୋବାଇଲଟି ଆଣିଦେବାକୁ।ହେଲେ ମଦନର ବାପା ସଫା ସଫା ମନା କରିଦେଲେ।କାରଣ ତାଙ୍କର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନୁହେଁ।ହେଲେ ମଦନର ଜିଦ ଆଗରେ ତାଙ୍କୁ ନଇଁବାକୁ ପଡିଲା।ଗୋଟିଏ ବୋଲି ପୁଅ କାଳେ ମୋବାଇଲ ନ ଦେଲେ କିଛି କରିବସିବ ! ଏୟା ଭାବି ଶେଷରେ ମଦନର ବାପା ତାକୁ ମୋବାଇଲଟି ଦେଲେ।ମୋବାଇଲଟି ହାତରେ ପାଇ ମଦନର ଖୁସି କହିଲେ ନ ସରେ।ସେ ସାଙ୍ଗମାନଙ୍କଠାରୁ ବୁଝି ମୋବାଇଲ ଚଲେଇବା ଶିଖିଗଲା।ଫେସବୁକ,ହ୍ଵାଟ୍ସଆପ ଖୋଲି ନୂଆ ନୂଆ ସାଙ୍ଗ କରିଲା।
ଏହିପରି କିଛିଦିନ ଗଲା ପରେ ମଦନର ଏକ ଅଜଣା ଝିଅ ସହ ବନ୍ଧୁତା ହେଲା।ଝିଅଟିର ନାଁ ଅନାମିକା।ମଦନ ଝିଅଟି ସହ ଦିନ ରାତି କଥା ହେଲା।ମଦନକୁ ତା'ର କଥା ଭାରି ଭଲ ଲାଗେ।ଧିରେ ଧିରେ ସମ୍ପର୍କ ବନ୍ଧୁତାରୁ ପ୍ରେମକୁ ପରିବର୍ତ୍ତନ ହେଲା।ଦୁହେଁ ବିବାହ କରିବାକୁ ବିଚାର କରିଲେ।ହେଲେ ଅନାମିକା ସହରୀ ଝିଅ ,ଉଚ୍ଚଶିକ୍ଷିତା ଏବଂ ଭିନ୍ନ ଜାତି।ସେଥିପାଇଁ ମଦନର ବାପା ବିବାହ ପାଇଁ ସ୍ୱୀକୃତି ଦେଲେ ନାହିଁ।ଏହାପରେ ଦୁହେଁ ନିଷ୍ପତିନେଲେ ଯେ ଲୁଚି ବିବାହ କରିବା ପାଇଁ।ମଦନ ମଧ୍ୟ ପ୍ରେମରେ ଅନ୍ଧ ହୋଇ ଅନାମିକା ପ୍ରସ୍ତାବରେ ରାଜି ହେଲା।ପରଦିନ ମଦନ ସକାଳ ଟ୍ରେନ ଧରି ଅନାମିକା କହିଥିବା ଯାଗା ଅଭିମୁଖେ ଯାତ୍ରା କରିଲା।ଟ୍ରେନରେ ସେ ଅନାମିକା ସହ ବିବାହ କରି ଘର ସଂସାର କରିବାର ରଙ୍ଗୀନ ସ୍ବପ୍ନ ଦେଖୁଥିଲା।କିଛି ସମୟ ପରେ ଟ୍ରେନଟି ନିର୍ଦ୍ଧିଷ୍ଟ ଷ୍ଟେସନରେ ଅଟକିଲା। ନିର୍ଦ୍ଧିଷ୍ଟ ଯାଗାରେ ପହଂଚି ଟ୍ରେନରୁ ଓହ୍ଲାଇଲା ପରେ ଅନାମିକା ଦେଇଥିବା ନମ୍ବରରେ କଲ କଲା ମଦନ।ବାରମ୍ବାର କଲ କରିବା ପରେ ବି ଅନାମିକା ତା କଲ କୁ ରିସଭ କରୁନଥିବାରୁ ଖୁବ ବ୍ୟତିବ୍ୟସ୍ତ ହୋଇପଡୁଥିଲା ସେ ।ପ୍ରଥମ ଥର ପାଇଁ ଘରୁ ଗୋ
ଡ କାଢ଼ିଛି ମଦନ, ତା ବି ପୁଣି ମିଛ କହି।ନିପଟ ମଫସଲରୁ ଆସିଥିବାରୁ ସହରର ଏ ଜନାରଣ୍ୟ,ଗହଳିଚହଳି ଓ ଯାନବାହାନର ଅନବରତ ଆତଯାତ ତାକୁ ଅଣନିଶ୍ୱାସୀ କରିଦେଉଥିଲା।ଏବେ କୁଆଡେ ଯିବ ସେ !
ହଠାତ, କାହାର ଏକ କୋମଳ ହାତ ସ୍ପର୍ଶରେ ମଦନ ବୁଲି ଚାହିଁଲା।ଦେଖିଲା ତା' ଆଗରେ ଠିଆ ହୋଇଛି ଅନାମିକା, ତା'ର ଖୁସିର ସୀମା ରହିଲା ନାହିଁ।ତା'ର ସ୍ବପ୍ନ ଯେପରି ସତ ହେବାରେ ଲାଗୁଛି।ଅନାମିକା ମଦନକୁ ମନ୍ଦିର ଯିବା ଓ ସେଠାରେ ବିବାହ କରିବା କହି ସାଙ୍ଗରେ ନେଇଗଲା।ମଦନ ମଧ୍ୟ ଅନାମିକା କଥାରେ ଏକମତ ହୋଇ ଚାଲିଲା ଅନାମିକା ସହିତ।କିଛି ସମୟ ପରେ ସେମାନେ ଏକ ପଞ୍ଚତାରକା ହୋଟେଲରେ ପହଁଚିଲେ।ମଦନର ହାତ ଧରି ଅନାମିକା ହୋଟେଲ ଭିତରକୁ ନେଇଗଲା।କିଛି ଯୁବତୀ ସଜେଇ ହୋଇ ବସିଥିବାର ମଦନ ଦେଖିଲା।ମଦନକୁ ଦେଖି ସମସ୍ତେ ନିଜ ନିଜ ଭିତରେ କଥା ହେଲେ।ମଦନକୁ କିଛି ଠିକ ଲାଗିଲା ନାହିଁ। ମଦନ ଅନାମିକାକୁ ପ୍ରଶ୍ନ କଲା, "ଇଏ କଣ?କେଉଁ ଜାଗାକୁ ମତେ ନେଇ ଆସିଛ?ଏଇଟା କଣ ମନ୍ଦିର..! ଚାଲ ଆମେ ଏଠାରୁ ପଳେଇବା।" ମଦନର କୌଣସି ପ୍ରଶ୍ନର ଉତ୍ତର ନଦେଇ ଠୋ ଠୋ ହୋଇ ହସିବାରେ ଲାଗିଲା ଅନାମିକା। ମଦନ ସେ ସ୍ଥାନ ଛାଡି ଯିବାକୁ ପ୍ରସ୍ତୁତ ହୁଅନ୍ତେ ଦୁଇ ଜଣ ଯୁବତୀ ମନ୍ଦ ଭରା ଚାହାଣୀରେ ତା ହାତ ଟାଣି ଧରିଲେ ଓ ନେଇଗଲେ ଏକ କୋଠରୀକୁ। ମଦନ ବିନମ୍ର ଅନୁରୋଧ କରୁଥିଲା ତାକୁ ଛାଡ଼ିଦେବାକୁ। ହେଲେ ମଦନର ସ୍ୱର ଯେପରି କୋଠରୀ ବାହାରକୁ ନଯାଇପାରୁ ସେଥିପାଇଁ ତା ପାଟିକୁ କପଡ଼ାରେ ବାନ୍ଧି ଦିଆଗଲା। ଅନ୍ଧାର କୋଠରୀରେ ମଦନ ଜାଣିପାରିଲା ଅନାମିକାର ମନ୍ଦ ଉଦ୍ଦେଶ୍ୟକୁ।ସେତେବେଳକୁ ଜାଣିଲେ ବା ସିଏ ଆଉ କଣ କରିପାରିବ !! ପ୍ରେମ ନୁହେଁ ଛଳନା କରୁଥିଲା ଅନାମିକା ,ବୁଣୁଥିଲା ତା ପାଇଁ ମାୟାଜାଲ।ଆଉ ସେ ଜାଲ ରେ ମଦନ ସହଜରେ ଫସିଗଲା। ଅଜଣା ସହରେ କିଏ ବା ଜାଣେ ତାକୁ,କିଏ ତାକୁ ସାହାଯ୍ୟ କରିବ? କିଏ ତାକୁ ମୁକ୍ତ କରିବ ଏଇ ମାୟାଜାଲରୁ? ମନେ ମନେ ସେ ନିଜକୁ ଧିକାରୁଥିଲା। ବାପା, ମାଁ ଙ୍କୁ ମିଛ କହି ଆସିବାର ଠିକ ପରିଣାମ ମିଳିଛି ତାକୁ। ଅନ୍ଧାର କୋଠରୀରେ ଏହିପରି ଯେତିକି ଭାବୁଥିଲା, ତା ଜୀବନରେ ଅନ୍ଧାର ସେତିକି ଘୋଟିଆସୁଥିଲା। ପରଦିନ ସୂର୍ଯ୍ୟ ତ ଉଦୟ ହେଲା କିନ୍ତୁ ମଦନ ସେହି ଅନ୍ଧାର କୋଠରୀର ଏକ ପରିତ୍ୟକ୍ତ କୋଣରେ ଗୁମୁରି ଗୁମୁରି କାନ୍ଦୁଥିଲା। ତ୍ରାହି ନଥିଲା ତାର ଆଉ ଏ ମାୟଜାଲରୁ ।