ମୋହଭଙ୍ଗ
ମୋହଭଙ୍ଗ
ମୋହଭଙ୍ଗ ଦିନେ ଅପୂର୍ବ ଅଫିସରେ କାମ କରୁ କରୁ ହଠାତ୍ ତା ଫୋନ୍ ଟି ଥରି ଉଠିଲା। କିଛି ଜରୁରୀ ମେସେଜ୍ ଆସିଥିବ ଭାବି ସେ ଟେବୁଲ ଉପରେ ପଡିଥିବା ଫୋନ୍ ଟି ଆଣି ଦେଖିଲା । ଫୋନ୍ ଟି ଦେଖି ତା ଆଖି ଦିଟା ଉଜ୍ଜ୍ୱଳ ଦିଶିଲା,ଆଉ କିଛି ସମୟ ଆଗରୁ ବ୍ୟସ୍ତ ଦିଶୁଥିବା ମୁଖମଣ୍ଡଳରେ ହସ ଟିଏ ଖେଳିଗଲା। ଆସିଥିଲା ତା କାହାଣୀ ପଢି ସୁନ୍ଦର ମତାମତ ଟିଏ। କେହି ଜଣେ ଖୁବ୍ ଖୁସି ହୋଇ ଲେଖିଛନ୍ତି ଦି ଧାଡି ତା ଗପ ପାଇଁ। ପ୍ରତିଟି ଶବ୍ଦରେ ଅପୂର୍ବର ପ୍ରଶଂସା , ଧନ୍ୟବାଦ ଓ ଶୁଭକାମନା। ଶେଷରେ ଅନ୍ୟ ଗଳ୍ପ ପାଇଁ ଜିଜ୍ଞାସା ସହ ଛୋଟ ହସୁଥିବା କଣ୍ଢେଇ ମୁହଁଟେ । ଲେଖିଥିଲେ ଅବନ୍ତିକା ନନ୍ଦ। ଅପୂର୍ବ ପ୍ରେରିକା ଙ୍କ ପ୍ରୋଫାଇଲ୍ ଖୋଲି ଦେଖିଲା, ସୁନ୍ଦର ସୌମ୍ୟ ଚେହେରାଟିଏ, ପେସାରେ ଗୃହିଣୀ, ଆଉ ରହନ୍ତି ସୁଦୂର ଇନ୍ଦୋରରେ । ଓଡିଶା ବାହାରେ ଓଡିଆ ପାଇଁ ମମତ୍ୱ ଦେଖି ରହିପାରିଲାନିି ସେ । କାମ ଅଧା ରଖି ସେ ପ୍ରତି ଉତ୍ତର ଟିଏ ଲେଖି ବସିଲା । ଲେଖିଲା ପ୍ରଶଂସା ପାଇଁ ଧନ୍ୟବାଦ ଆଉ ଶୁଭେଚ୍ଛାର କେଇ ପଦ ଶବ୍ଦ । ଟେବୁଲ୍ ଉପରେ ଥିବା ଚା' ଅପେକ୍ଷା କରି ଥଣ୍ଡା ହୋଇ ମନ ମାରି ବସି ରହଛି କେତେବେଳୁ। ଅପୂର୍ବ ଗପ ଲେଖେ କଲେଜ ବେଳୁ। କଲେଜ ମାଗାଯିନ୍ ରେ ତା ଗପ ପାଇଁ ଅନେକ ପ୍ରଶଂସା। ହେଲେ ଏଇ ସଂସାର ଜଞ୍ଜାଳ ଭିତରେ ସେ ଲେଖିବା ଛାଡି ଦେଇଥିଲା, ନିଆଣ୍ଟିଆ ସମୟ ସବୁ ସରିଯାଏ ଠିକ ସ୍ୱଳ୍ପ ଦରମା ପରି। ହେଲେ ଗପ କି ତାକୁ ଛାଡିକି ରହିପାରେ? ଶବ୍ଦ ସବୁ ଯେମିତି ଅଜାଡି ହେଇ ବହି ଯିବାକୁ ଅପେକ୍ଷା ରେ ଥାନ୍ତି ତା ପାଇଁ। ଏଇ କିଛି ଦିନ ହେବ ସେ ପୁଣି କଲମ ଧରିଛି। ଆଉ ପତ୍ରିକାକୁ ନ ଦେଇ ଏମିତି ସାମାଜିକ ମାଧ୍ୟମରେ ପ୍ରକାଶ କରେ। ଅନେକ ମତାମତ , ଟିପ୍ପଣୀ ଓ ପ୍ରଶଂସା ପାଏ ସେ। କିନ୍ତୁ ଆଜି କଥା ଟିକେ ନିଆରା। ସେ ଅନୁଭବ କଲା ତା ଗପର ଚରିତ୍ର ଭିତରେ ନିଜକୁ ଆବିଷ୍କାର କରିଛନ୍ତି ଅବନ୍ତିକା ଦେବୀ। ତା ଲେଖାର ଯଥାର୍ଥ ମୂଲ୍ୟ ମିଳିଗଲା ତାକୁ। କୌଣସି ଗାଳ୍ପିକ ପାଇଁ ପୁରସ୍କାର ଠୁ କମ୍ ନୁହେଁ। ସେ ଲେଖେ ନିଜ ପାଇଁ ନିଜ ଭିତରର କଥାକୁ ଲେଖିଦେଇ ରଖିବାକୁ ଚାହେଁ ସବୁଦିନ ପାଇଁ। ସାମ୍ନା କାନ୍ଥରେ ଥିବା କ୍ୟାଲେଣ୍ଡରର ତୈଳ ଚିତ୍ରକୁ ଦେଖି ହଜିଯାଇଛି ତା ଭିତରେ। ସମୟକୁ କଣ କେହି ବାନ୍ଧି ପାରେ? ସେ ପରା ଚିରସ୍ରୋତା ନଦୀ ଟିଏ, ସେ ସେଇ ସମୟ ନଦୀରୁ ବାଲି ଟିକେ ଆଣି କୂଳରେ ତୋଳିଛି ବାଲି ଘର ଟିଏ। କଳ୍ପନାର ଛାୟାଲୋକରେ ବାସ୍ତବତାର ରଙ୍ଗ ଦେଇ।
ସୁରଭି କେତେବେଳୁ ଫାଇଲ ରଖି ତାକୁ ଦେଖୁଛି ସେ ଜାଣିନି। ନିଜ ଗଳା ପରିଷ୍କାର କରି ସେ ଟିକେ ଉଚ୍ଚ ସ୍ୱରରେ କହିଲା, କଣ ତାରିଖ ଦେଖୁଛ? ମାସ ଶେଷ ହେବାକୁ ଅନେକ ଦିନ ଅଛି। ଆଉ ବୋନସ୍ ବି ମିଳିବାର ନାହିଁ। ଚମକି ପଡିଲା ଅପୂର୍ବ। ତା କଥା ଶୁଣି। ଯେମିତି କେହି ଜଣେ ଶାନ୍ତ ସରସୀର ନୀରବତା ଭାଙ୍ଗି ଦେଲା। ଗୋଟେ ଅଜଣା ଖୁସିରେ ସେ ସାରାଦିନ। ଘରେ ଯାଇ ଆହୁରି ଗପ ଲେଖିଲା, ଦୁଇ ଦିନ ଲାଗିଗଲା ତାକୁ। ପୁଣି ପ୍ରକାଶିତ ହେଲା ତା ଗପ। ଏଥର ବି ଭୁରିଭରି ପ୍ରଶଂସା ଅବନ୍ତିକାଙ୍କର। ପ୍ରଥମ ଗପ ଟି ଅନୁଭୁତି ଟିଏ ଥିଲା, ତାପରେ ଚିରାଚରିତ କଳ୍ପନା ଓ ଶବ୍ଦ ବିନ୍ୟାସ ସହ ଲେଖିଲା ଗପ ସବୁ। ଏବେ ଅବନ୍ତିକା ଙ୍କ ମତାମତ ତା ପ୍ରେରଣା ହୋଇଗଲା। ଆଉ ସେ ପ୍ରେରଣାର ସୁଅରେ ବହି ଗଲା ଅନେକ ଦୂରକୁ। ଗପ ଲେଖିବା ଆଉ ମତାମତ ପଢିବା ଏବେ ନିଶାରେ ପରିଣତ ହୋଇଗଲାଣି। ସୁରଭି କେତେ ଥର କହିଲାଣି, ଏଇ ଶନିବାର ଘରକୁ ନ ଯାଇ ସିନେମା ଯିବାକୁ। ହେଲେ ଅପୂର୍ବ ଜରୁରୀ କାମ କହି ବସାରେ ରହିଲା ଗପ ଲେଖିବାକୁ।ପଡିଶା ଘର ଝିଅ ପିଙ୍କି ଆସି ଡାକିଛି କେତେ ତାକୁ ଟିକେ ସାଇକେଲ ଶିଖେଇବାକୁ ହେଲେ ସବୁକୁ ପଛ କରି କେବଳ ଗପ ଲେଖାରେ ମାତି ଥାଏ। ଗପ ପ୍ରକାଶିତ ହେଲାପରେ ସେ ଚାତକ ପରି ଅପେକ୍ଷା କରିଥାଏ ଅବନ୍ତିକା ଙ୍କ ମତାମତ କୁ। ୟା ଭିତରେ ଗୋଟେ ଅଲେଖା ଚୁକ୍ତି ସ୍ଵାକ୍ଷର ହୋଇଯାଇଛି ଯେମିତି ତାଙ୍କ ସହ। ଖାଲି ଲେଖକ ପାଠିକାର ନୁହେଁ , ଅତ୍ମୀୟତାର। ଯାହା କେବଳ ଅପୂର୍ବର ଖିଆଲ ଟିଏ ମାତ୍ର। ଆଉ ତାକୁ ସେ ସତ ଭାବି ନେଇଛି।ସବୁ ଲକ୍ଷ୍ୟ କରେ ସୁରଭି। କିଛି କହେନି। ସେ ବିସ୍ମିତ ହୁଏ ଏ ଗପ ଲେଖାର ଗତି ଦେଖି। ଅପୂର୍ବ ଯେ ନିଜ ଭିତରେ ସବୁ ବେଳେ ହଜି ରହୁଛି ତାହା ସହଜରେ ଦିଶିଯାଏ ବାହାରକୁ। ବାହ୍ୟ ଜଗତ ରୁ ଅଲଗା ହେବାରେ ଲାଗିଥାଏ ସେ। କିନ୍ତୁ ଖୁସି ଥାଏ। ହେଲେ ତାକୁ ବୁଝେଇବ ଏଇଟା ଖୁସି ନୁହେଁ ମାୟା ମାତ୍ର। କାହାକୁ ଖୁସି କରିବାକୁ ଏମିତି ଲେଖା ଯାଏନି।
ଧୀରେ ଧୀରେ ପାଠକ ମହଲରେ ତା ଆଦୃତି କମିବାରେ ଲାଗିଲା। ଲୋକଙ୍କ ରୁଚି ବଦଳେ, ଏଇ ବଦଳୁଥିବା ରୁଚିକୁ ନେଇ ଲେଖିବାକୁ ହୁଏ। ଅପୂର୍ବ ଯେ ଜଣକୁ ଖୁସି କରିବାକୁ ଲେଖୁଥିଲା, ସେଇ ଗୋଟିଏ ଶୈଳୀରେ। ଅବନ୍ତିକା ମତାମତ ଆସିବା କମିଗଲା ଏବେ। ଅପୂର୍ବ କୁ ଲାଗିଲା ଯେମିତି ତା କାହାଣୀ ଆଉ କେହି ପଢୁ ନାହାନ୍ତି। ଅଭିମାନ କଲା, ଏଠି ମାନ ଭଞ୍ଜନ କରିବାକୁ କିଏ ଅଛି ଯେ? ମତାମତ ଆଉ ପ୍ରଶଂସାର ଭୋକଟି ଏବେ ମାନସିକ ଅବସାଦର କାରଣ ହେଲା। କିଛିଦିନ ଆଗରୁ ପ୍ରଫୁଲ୍ଲ ଦିଶୁଥିବ
ା ମୁହଁଟି ଏବେ ବିଷର୍ଣ୍ଣ ଦିଶିଲା। ଅଜଣା ଯନ୍ତ୍ରଣା ଟିଏ ଭିତରୁ ତାକୁ କୋରି ଚାଲିଥିଲା। ଦିନେ ଖୁବ ପାଖରେ ଲାଗୁଥିବା ଅବନ୍ତିକା ଏବେ ପୃଥିବୀର ବିପରୀତ ବିନ୍ଦୁରେ ଥିଲା ପରି ଲାଗିଲେ। ତାଙ୍କ ଆତ୍ମୀୟ କଥା ସବୁ ଏବେ ସ୍ୱପ୍ନ ପରି ଲାଗିଲା। ତାଙ୍କର କିଛି ହୋଇ ନାହିଁ ତ? ସେ ଭଲ ଅଛନ୍ତି ତ? ସେ କଣ ତା ଲେଖା ପଢୁ ନାହାନ୍ତି? ଏମିତି ସବୁ ପ୍ରଶ୍ନରେ ମୁଣ୍ଡ ଭିତରେ ଉଙ୍କି ମାରୁଥିଲେ। ଜବାବ କାହାକୁ ମାଗିବ, ଅବନ୍ତିକା ଙ୍କୁ? ଅନେକ ଭାବି ଚିନ୍ତି ସେ ଅବନ୍ତିକା ଙ୍କ ପାଇଁ ମେସେଜ ଟିଏ ଲେଖିଲା। ପଚାରିଥିଲା ତାଙ୍କ ହାଲଚାଲ। ଉତ୍ତର ଆସିଥିଲା ଅନେକ ଡେରିରେ, ସମୟ ର ଅଭାବ ହେତୁ ଲେଖା ପଢି ପାରୁନି ତେଣୁ ଦୁଃଖିତ। ନିଜକୁ ବୁଝେଇ ନେଲା ସେ ଏକ ପ୍ରକାର। ଏବେ ଅବନ୍ତିକା ଲେଖନ୍ତି ଅନ୍ୟ ଜଣେ ଲେଖକ ଙ୍କ ପାଇଁ। ସେଇ ପ୍ରଶସ୍ତି ସେଇ ଉତ୍ସାହର ସହ। ଅଥଚ ତା ଲେଖା ଏମିତି ରହିଯାଏ। ନିଜକୁ ସନ୍ଦେହ କରେ ସେ, ବୋଧେ ତା ଲେଖା ଏବେ କାହା ହୃଦୟ ଛୁଇଁବା କୁ ଅସମର୍ଥ। ଲଞ୍ଚ ଟେବୁଲରେ ସାମ୍ନାରେ ବସି ନିରେଖି ଦେଖୁଥାଏ ସୁରଭି, ଅନ୍ୟମନସ୍କ ହୋଇ ଫୋନ ଦେଖୁଥିବା ଅପୂର୍ବକୁ। ସବୁ ଲେଖା ଯେ ସମସ୍ତଙ୍କୁ ଭଲ ଲାଗିବ ସେ କଥା ବି ଠିକ ନୁହେଁ। ଅବନ୍ତିକାଙ୍କ ଠାରୁ ଅନେକ ଆଶା ତାର। ତାଙ୍କ ପ୍ରେରଣା ଦାୟୀ କଥା କେଇ ପଦ ତା ପାଇଁ କେତେ ଦରକାରୀ ଏକଥା ସେ ହିଁ ଜାଣେ। ନୀରବତା ରୁ ଦୂରତା ଏମିତି ବଢି ବଢି ଚାଲେ, ଚକ୍ରବୃଦ୍ଧି ସୁଧ ପରି। ଏକଦା ନିଜକୁ ଗର୍ବିତ ମନେ କରୁଥିବ ଅପୂର୍ବ ଆଜି ହତୋତ୍ସାହିତ ଆଉ ଅବସାଦିତ। ପ୍ରଶଂସା ଆଉ ଆତ୍ମବଡୀମା ରେ ଅନ୍ଧ ହୋଇ ସେ ନିଜସ୍ବ ଶୈଳୀ କୁ ଭୁଲି ଗଲାଣି, ଯେ ଦିନେ ପାଠକଙ୍କ ଶ୍ରେଷ୍ଠ ପସନ୍ଦ ଥିଲା ସେ ଆଜି ଉପେକ୍ଷିତ। ଏକ ଭଗ୍ନ ଦୁର୍ଗ ଉପରେ ବିଗତ ଦିନର ନାୟକଟେ ହିସାବ କରୁଛି ତା କୃତିତ୍ୱ ସବୁକୁ।
ଦିନେ ଅଫିସ ଯାଉ ଯାଉ ପଡିସା ଘର ମିଶ୍ର ମଉସାଙ୍କ ଗୀତା ଶ୍ଳୋକ ଟିଏ ଶୁଣିଲା ସେ, ସୁଖରେ ବିଭୋର ହୁଅ ନାହିଁ, କି ଦୁଃଖରେ ଭାଙ୍ଗି ପଡ଼ ନାହିଁ। ସତ୍ୟକୁ ଅନୁସରଣ କର, ଶାନ୍ତି ତୁମ ପଛେ ପଛେ ଆସିବ। ବାଃ! କି ସୁନ୍ଦର କଥା ଟି ସତେ। ସେଦିନ ଯଦି ସେ ପ୍ରଶଂସାରେ ଏମିତି ଖୁସି ହୋଇ ନଥାନ୍ତା ବୋଧ ହୁଏ ଆଜିର ଦୁଃଖ ବି ତାକୁ ଏତେ ଉଦବିଗ୍ନ କରିନଥାନ୍ତା। ଅବନ୍ତିକା ଦେବୀ ଯେ ତାର ଜଣେ ଅନନ୍ୟ ପାଠିକା ମାତ୍ର। ସେ ଠିଆ ହୋଇଥିଲେ ପ୍ରବହମାନ ସମୟର ବିପରୀତ ତୁଠରେ। ଅପୂର୍ବ ଆଉ ତାଙ୍କ ଭିତରେ ଥିଲା ଯୋଜନ ଯୋଜନ ଦୂରତା। ଏଇ ଦୂରତା ଖାଲି ଭୌଗଳିକ ନୁହେଁ, ମନରେ ବି। ଏହା ବ୍ୟତୀତ ଅନ୍ୟ କିଛି ନୁହେଁ। ଅବନ୍ତିକା ଆଉ ମରୀଚିକା ଦୁଇଟି ଶବ୍ଦ ଏବେ ଏକା ଅର୍ଥ ପରି ଲାଗୁଥିଲେ। ମୃଗତୃଷ୍ଣାର ପରିସମାପ୍ତି ମୋହଭଙ୍ଗରେ। ଆଉ ମୋହଭଙ୍ଗର ମୁହୂର୍ତମାନେ ଯେଉଁ ଯନ୍ତ୍ରଣା ଦିଅନ୍ତି। ତାକୁ ସହ୍ୟ କରିବାର ଶକ୍ତି ଖୋଜୁଥାଏ ସେ। ପ୍ରତୀକ୍ଷାର ସେଜ ଉପରେ ନିଜ ଅନ୍ତିମ କାହାଣୀ ଲେଖିବାକୁ ଗାଳ୍ପିକ ଟେ ଚରିତ୍ର ଖୋଜୁଛି। ଆଉ ପ୍ରକାଶ କରିବାକୁ ମୁହୂର୍ତ୍ତ ଖୋଜୁଛି ।ସବୁ ଭୁଲି ନୂଆ ସକାଳର ସ୍ୱପ୍ନ ଦେଖୁଛି। ସେ ଏବେ ଆଗ ଭଳି ବେଶ ଖୁସି ଲାଗୁଛି, ଅଫିସରେ ବେଶୀ ସମୟ ଯାଏ କାମ କରୁଛି, ସମସ୍ତଙ୍କ ସଂଗେ ହସି କଥା ହେଉଛି। ଏବେ ଦେଖୁଛି, ସୁରଭି ଆଗ ଅପେକ୍ଷା ବେସି ସୁନ୍ଦରୀ ଦିଶୁଛି। ଆଉ ତା ଭିତରେ ପରିବର୍ତ୍ତନ ଦେଖି ତ ପାଖକୁ ବାରମ୍ବାର ଆସୁଛି,କାମର ବାହାନାରେ। ଛୁଟିଦିନ ମାନଙ୍କରେ ପିଙ୍କିକୁ ସାଇକେଲ ବି ଶିଖାଉଛି। ସେ ଏବେ ବି ଗପ ଲେଖୁଛି, କୌଣସି ପତ୍ରିକା କି ସାମାଜିକ ମାଧ୍ୟମ ପାଇଁ ନୁହେଁ। ନିଜ ଖୁସି ପାଇଁ। ସେଥିପାଇଁ ସେ ତା କଲୋନୀର ପିଲା ମାନଙ୍କୁ ହୋମ ୱାର୍କ କରିବାରେ ସାହାଯ୍ୟ କରେ ଆଉ ତା ବଦଳରେ ପ୍ରତି ରବିବାର ସନ୍ଧ୍ୟାରେ ସେମାନଙ୍କୁ ଗପ ଶୁଣାଏ ପାଖ ପାର୍କରେ। ତା ଗପ ଶୁଣିବାକୁ ପାର୍କ ଆସୁଥିବା ଅନ୍ୟ ପିଲା ମାନେ ତା ଚାରି ପଟେ ମଧ୍ୟ ଭିଡ଼ ଜମାନ୍ତି । ସମସ୍ତେ ତନ୍ମୟ ହୋଇ ଗପ ଶୁଣନ୍ତି ଆଉ ଘରକୁ ଯାଆନ୍ତି। ତାକୁ ନେଇ ଚାରିଆଡେ ଚର୍ଚ୍ଚା ହୁଏ। ଅନେକ କମ୍ପାନୀ ତାକୁ ନିଜ ବିଜ୍ଞାପନ ପାଇଁ ଅନୁବନ୍ଧିତ କରନ୍ତି। ଅଳ୍ପ ଦିନ ଭିତରେ ପୁଣି ଭାଗ୍ୟ କଡ଼ ଲେଉଟାଏ। ପ୍ରତ୍ୟକ୍ଷ ଗାଳ୍ପିକ ଭାବେ ଖୁବ ପରିଚିତି ତାର। ତା ଗପ ରେଡ଼ିଓରେ ଆସେ। ସେ ଗପ ଆରମ୍ଭ କରେ ଗୋଟେ ନିଆରା ଢଙ୍ଗରେ। ପ୍ରଶ୍ନ ପଚାରି। ଯାହାର ଉତ୍ତର ପାଇଁ ଶ୍ରୋତା ଶେଷଯାଏ ତନ୍ମୟତାର ସହ ଶୁଣେ ପୁରା ଗପ ଟି।
ଦିନେ ସେ ଯାଇଥିଲା ଇନ୍ଦୋର ଏକ ଓଡ଼ିଆ କ୍ଳବର ନିମନ୍ତ୍ରଣରେ ଗପ ଶୁଣେଇବାକୁ , ପଚାରିଲା, "ଶାନ୍ତି କେଉଁଠୁ ଆସେ? ପ୍ରାପ୍ତି ରୁ ନା ତ୍ୟାଗ ରୁ?" "ପରିଚୟ କେଉଁଠୁ ଆସେ? ଉପେକ୍ଷାରୁ ନା ପ୍ରେରଣାରୁ?" ସାମ୍ନା ଧାଡିରେ ବସି ଥାନ୍ତି ଅବନ୍ତିକା। ଚିହ୍ନି ପାରିଲା ସେ। ଏଇ ସେ ନାରୀ ଯାହା ପାଇଁ ସେ ଆଜି ଏଇଠି। ତାଙ୍କ ପାଇଁ ଅଭିମାନ କି ଅଭିଯୋଗ କିଛି ନଥିଲା । ମୋହର ପାଶରୁ ମୁକୁଳି ସେ ଆଜି ମୁକ୍ତ ବିହଙ୍ଗ ଟିଏ। ସେ ଉଡିଲେ ଉଡିବ, ବୁଡିଲେ ବୁଡିବ। ନିଜକୁ ନିୟନ୍ତ୍ରଣ କରି ଖୁବ ଦକ୍ଷତାର ସହ ଗପ କହି ଚାଲିଥିଲା ।