Nityananda Nandi

Classics

4  

Nityananda Nandi

Classics

ମୋ ଦାଦିମା'ଙ୍କ ଶିଙ୍ଗ ପାନିଆ

ମୋ ଦାଦିମା'ଙ୍କ ଶିଙ୍ଗ ପାନିଆ

5 mins
489


 


କିଛି ହସ ଥାଏ, ଯାହାର କାରଣ ଖୋଜିଲେ ବି ମିଳେନି। ବିନା କାରଣରେ ଥରେ ହସିଦେଲେ ଜୀବନଟା ବି ସାଥିରେ ହସେ। ଆଜି କିନ୍ତୁ ଶାଶୁଙ୍କ ଗାଳି ଖାଇ ବହୁତ ହସିଲି।


ଶାଶୁ କହିଲେ ଖାଲି ମୋବାଇଲ ଆଉ ମୋବାଇଲ !! 

ସ୍ନେହାର ଏଇଟା ଚୁଟି ନା ଝୋଟ ଗୋଛା। ତା ମଥା କୁଣ୍ଡେଇବାକୁ ତୋତେ କଣ ସମୟ ହୁଏନି ??

ଜିଭ କାମୁଡି ହସିଦେଲି। 


"ଏମିତି ଜାଣିଥିଲେ ମୁଁ ନେଇ ଆସି ଥାଆନ୍ତି ମୋ ଶିଙ୍ଗ ପାନିଆ । କିଏ ଜାଣି ଥିଲା ତୋ ଘରେ ପାନିଆ ନାହିଁ ବୋଲି। ମୋ ସାନ ପୁଅର ଝିଅ ଶିଲା । ସାନ ବୋହୂ ବି ଠିକ୍ ତୋ ପରି। ମୋବାଇଲ ଟା ଧରି ଖଟ ଉପରେ ପଡିଥିବ। କ'ଣ ମିଳେ ସେଇ ମୋବାଇଲରୁ ମୁଁ ଜାଣେନି। ଶିଲାର ମଥା ପ୍ରତିଦିନ ମୁଁ ହିଁ କୁଣ୍ଡାଏ। ତା ମାଆ ବି ପଥର ମୁହିଁ, ଯେତେ ଗାଳି କଲେ ବି ଫରକ୍ ପଡେନି। ମୋବାଇଲ ରେ ଭିଡିଓ ଦେଖୁଥିବ, ଆଉ ହିଁ ହିଁ କରି ହସୁଥିବ। କିଏ ଗଲା ଆଇଲା, ଜମାରୁ ବୁଝେନି।

 

ସେ ଯା ହେଉ ମୁଁ ଗାଧୋଇ ଆସିଲେ ମୋତେ ଉକୁଣି ପାନିଆ ଦେ.. ସ୍ନେହାର ମଥା ଆଜି ମୁଁ କୁଣ୍ଡେଇବି"। ଶାଶୁ କହିଲେ


କୋଉଠୁ ଆଣିବି ଉକୁଣି ପାନିଆ ?? ନ ହେଲେ ଗାଳି ଖାଇବି ମୁଁ ଶାଶୁଙ୍କ ପାଖରୁ। 

ଆରେ... ମୁଁ ଭୁଲି ଯାଇଛି ! ମୋ ଦାଦିମା ବାହାବାକ୍ସ ଭିତରେ ପାଉଚ୍ ଟିଏ ରଖି ଦେଇ କହିଥିଲା। ତୋ ପାନିଆ ସବୁ ଭରି ଦେଇଛି ଇଆ ଭିତରେ। ଝିଅ ହେଲେ ଏ ସବୁ କାମରେ ଆସିବ। ସେଦିନ ଜମାରୁ ଗୁରୁତ୍ଵ ଦେଇ ନ ଥିଲି ଦାଦିମାର କଥାଟିକୁ। ଓଃ, ମଣିଷ ବଞ୍ଚିଗଲା। ମୋବାଇଲଟା କୁ ସୋଫା ଉପରକୁ ଫିଙ୍ଗି ଦେଇ ଦାଦି ମା ର ଫୋଟୋ କୁ ଦୁଇ ଚାରି ଥର ନମସ୍କାର କରି କହିଲି ଦାଦି ମା, ତୁ ଆଜି ଗାଳି ଖାଇବାରୁ ବଞ୍ଚେଇ ଦେଲୁ। ଖୋଜିଲି ବାକ୍ସ ଭିତରେ। ଏହା ଭିତରେ ପନ୍ଦର ବର୍ଷ କେମିତି ଚାଲି ଗଲାଣି ଜାଣି ପାରିନି। ସମୟ ଆକାଶର ଜହ୍ନ ପରି , ହେଇ ଅଛି, ହେଇ ନାହିଁ। ସକାଳ ଠୁ ସଂଜ ପର୍ଯ୍ୟନ୍ତ ସମୟ ବି ବୁଲୁଛି ଅନାଥ ଶିଶୁଟିଏ ପରି। ବୟସର ଆବରଣ ମୋଟା ହୋଇ ଚାଲିଛି କିନ୍ତୁ ଆମ ଉପରେ ପରସ୍ତ ପରସ୍ତ ହୋଇ...    


ଭଲ ବର ପାଇଲି, ସ୍ନେହା ପରି ଝିଅ ପାଇଲି, ଟଙ୍କା ପଇସା, ଖୁସି ସବୁ ପଶି ଆସିଲା ଆମ ଘରକୁ ଆମ ଦ୍ଵାର ଦେଇ। ସମୟକୁ କିନ୍ତୁ ଅଟକି ରଖି ହେଲାନାହିଁ, ଝର୍କା ଦେଇ ବାହାରି ଗଲା, ବୟସ କେମିତି ବଢ଼ିଗଲା ଜାଣି ବି ହେଲାନି।


ହଁ, ପାଇଗଲି ! ବାହାବାକ୍ସ ତଳେ ଲୋଚା କୋଚା ହୋଇ ପଡ଼ିଥିଲା ମୋ ଦାଦିମା ର ଛୋଟ ବେଗଟିଏ। ଗୋଟାଏ ପୁରୁଣା ଶିଙ୍ଗ ପାନିଆ, ଆଉ ଗୋଟେ ନୂଆ।.....

ଚିଠିଟିଏ ବି ତା ଭିତରେ। ପଢିଲି ବସି, କଣ ଲେଖିଥିଲା କେଜାଣି ମୋ ଦାଦି ମା।

ପୁଷ୍ପ !

ଆଜି ପର୍ଯ୍ୟନ୍ତ ତୋତେ କହି ନ ଥିଲି ମୁଁ କେତେ ପଢ଼ିଛି। ତୃତୀୟ ଶ୍ରେଣୀ ପାସ ! ତା ପରେ ଗାଆଁରେ ଆଉ ସ୍କୁଲ ନ ଥିଲା , ଅଧିକ କୋଉଠୁ ପଢି ଥାଆନ୍ତି ଯେ। ମୋ ଅକ୍ଷର ପଢି ପାରିବୁ କି ନା ମୁଁ ଜାଣିନି। ପଢ଼ିବାକୁ କିନ୍ତୁ ଚେଷ୍ଟା କରିବୁ, ରାଣ ରହିଲା। ମନ କଥା ଲେଖିଛି। 

ପ୍ରତିଦିନ ତୋ ମଥାରେ ଉକୁଣି ଦେଖିବା ଓ ମୁଣ୍ଡ କୁଣ୍ଡେଇବାରେ ଦୁଇ ଘଣ୍ଟା କେମିତି ଚାଲି ଯାଉଥିଲା ଜଣା ପଡେନି। ପଡିଶା ଘର ବାଡିରୁ ପିଜୁଳି ଚୋରି କରି ଧରା ପଡି ମାଡ ଖାଇବାଠୁ ଆରମ୍ଭ କରି ଗାଆଁ ବନ୍ଧରେ ବସି ବନ୍ସିରେ ମାଛ ଧରିବା, ଚାଟଶାଳୀ ମାଷ୍ଟର କାନ ମୋଡାଠୁ ଆରମ୍ଭ କରି ପଡିଶା ଘର ସାରିଆ ଭାଉଜର କମର କୁ ଜାବୁଡ଼ି ଧରି ଢିଙ୍କି କୁଟାରେ ସାହାଯ୍ୟ କରିବା ପର୍ଯ୍ୟନ୍ତ କେତେ କଥା କହୁ। ତା ପରେ ହଠାତ କେମିତି ସମୟ ସବୁ ହାତ ମୁଠାରୁ ଖସି ଗଲା ବୁଝି ହେଲାନି। ପାଞ୍ଚ ସାତ ବର୍ଷ ଯୋଡ଼ିଗଲା ତୋ ବୟସରେ। କି ଲୋଭନୀୟ ହୋଇ ଉଠିଲା ତୋ ମଥା ଚୁଟି, ଲମ୍ବିଗଲା ତୋ ଆଣ୍ଠୁ ପର୍ଯ୍ୟନ୍ତ। ଧୀରେ ଧୀରେ ଗମ୍ଭୀର ହୋଇଗଲୁ। ତଥାପି ତୋ ମୁଣ୍ଡ କୁଣ୍ଡେଇ ଦେଲେ ମୋତେ ଶାନ୍ତି ଲାଗେ ବୋଲି ସକାଳେ ଥରେ ଆଉ ସଂଜକୁ ଥରେ ତତେ ଧରି ବସିଯାଏ, ପାନିଆ ଆଉ ତେଲ ଧରି। ତୁ ବାସ୍ନା ତେଲ ମୋତେ ଧରେଇ ଦେଇ କହୁ ଦାଦି ମା ! ମୁଁ ବଡ ହେଲିଣି ପରା, ଜଡ଼ା ତେଲ ଲଗାଅନି। ମୁଣ୍ଡଟା ଗନ୍ଧଉଛି। ତା ପରେ ଚୁପ ହୋଇଯାଉ। ଖାତା ଧରି ପାଠ ମୁଖସ୍ଥ କରୁ। ପଚାରିଲେ କହୁ, ଦାଦି ମା ! ଡିଷ୍ଟର୍ବ କରନି, ପରୀକ୍ଷା ଅଛି। ମନେ ଅଛି ନା ପୁଷ୍ପ ! ପଢ଼ୁ ପଢ଼ୁ ତୋ ଖାତା ଭିତରୁ କାଗଜ ଟିଏ ଖସି ପଡିଲା, ମୁଁ ଉଠେଇ ନେଲି। ତୁ ମୋ ହାତରୁ ଛଡେଇ ନେଇ ପାଟି ଭିତରେ ଜାକି ଦେଇ ଗିଳି ଦେଲୁ। ମନେ ପଡିଲେ ଆଜି ବି ହସ ଲାଗେ। 

ମନେ ଅଛି ନା ..ମୋ ପାନକୁ ତୁ ଗିଳି ପକେଇଥିଲୁ, କଡା ଜର୍ଦ୍ଦା ପାନ। ତେନ୍ତୁଳି ପାଣି ପିଏଇ ତୋତେ ବାନ୍ତି କରେଇ ଥିଲି। ହା, ହା ହା...କହୁ କହୁ ବହୁତ କହି ପକେଇଲି ପୁଷ୍ପ ।


ଜୀବନକୁ ବୁଝୁ ବୁଝୁ ଏତେ ସମୟ ଲାଗିଗଲା ଯେ ହାତରେ ଆଉ ସମୟ କାହିଁ ଯେ ତୂଳୀ ଧରି ସଜେଇବି ଜୀବନକୁ। ବେଶି ରାତି ହେଲେ ତୋ ବାପ ମାଆ ତୋତେ ଟେକି ନେଇ ଆସି ଶୁଏଇ ଦିଅନ୍ତି ମୋ ଖଟରେ..ନିଦରେ ମୋତେ ଭିଡ଼ି ଧରି ଶୋଇ ଯାଉ, ଆତ୍ମତୃପ୍ତି ମିଳେ ଲୋ ପୁଷ୍ପ। ଅତି ଆପଣାର କେହି ଜଣେ ଅତି ପାଖର ଥିଲେ, ଲାଗେ ଯେମିତି ସାରା ଦୁନିଆଟା ମୋ ହାତ ମୁଠାରେ। ନଚେତ ସାରା ରାତି ଖଟିଆ ଉପରେ ଗଡ଼ପଡ ହୁଏ। ତୋ ଅସହାୟ ମୁହଁକୁ ଅନେଇ ରହେ। ଧୀରେ ଧୀରେ ନିଦ ବି ହୋଇଯାଏ, ଜାଣି ପାରେନି।


କାଲିଠୁ ସମୟ କାଟିବି କେମିତି, ଭାବି ଭାବି କାନ୍ଦ ଲାଗୁଛି। ମୋ ଉପରେ ଗୋଡ଼ ରଖି ଶୋଇବ କିଏ ??  

ସାତ ରଙ୍ଗର ସୂତା ସାଥିରେ ସାତ ରଙ୍ଗର ବୁତାମ ରଖିଛି ଏଇ ପାଉଚ୍ ଭିତରେ। ଡଜନେ ସେପଟିପିନ୍ ଆଉ ଦୁଇ ତିନି ସାଇଜ ର ଛୁଞ୍ଚି ବି ରଖିଛି । ଏ ସବୁ ତୁ କିଣି ପାରନ୍ତୁ, କିନ୍ତୁ ସମୟ କୋଉଠି ତୋ ପାଖରେ ?? ଦେଖ୍, ପ୍ରଥମେ ତୋର ଝିଅ ହେବ ମୁଁ ଜାଣିଛି। ଶିଙ୍ଗ ପାନିଆରେ ପ୍ରତିଦିନ ଆପାତତଃ ଥରେ କୁଣ୍ଡେଇ ଦେବୁ ତା ମୁଣ୍ଡକୁ। ନଚେତ ଝୋଟ ହୋଇଯିବ ତା ଚୁଟି ସବୁ। ପୁରୁଣା ପାନିଆ ଟି ତୋ ପାଇଁ, ନୂଆ ଟା ତୋ ଝିଅ ପାଇଁ। ଏତେ ଶୀଘ୍ର ବାହା ହୋଇ ଚାଲି ଯିବୁ ବୋଲି ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲି। ତୋ ବରକୁ ଏଇ ଚିଠିଟି ଦେଖେଇବୁ ନାହିଁ, ଲାଜ ଲାଗୁଛି। ଯଦି ସେ ଜାଣି ପାରନ୍ତି ଏଇଟା କାହାର ଚିଠି ବୋଲି, ପାଟି ଭିତରେ ପୁରେଇ ଗିଳି ଦେବୁ, ହା, ହା, ହା..

ଇତି,ତୋ ଦାଦି ମା


ଭାରି ଇଚ୍ଛା ହେଲା ଦାଦି ମା କୋଳକୁ ଫେରିଯିବା ପାଇଁ। ଫେରିଯିବା କ'ଣ ସମ୍ଭବ ?? ସକାଳ ଫୁଲ ସଞ୍ଜକୁ ନ ଥାଏ। ମଉଳି ଯିବାକୁ ହିଁ ପଡେ ଫୁଲକୁ। ଠାକୁର କୋଳରେ ହେଉ ବା ସୁନ୍ଦରୀ ନର୍ତ୍ତକୀର ଗଭାରେ ହେଉ । ସବୁ କ୍ଷଣସ୍ଥାୟୀ। ମୋ ଦାଦି ମା ଆମକୁ ଛାଡି ଚାଲି ଗଲେଣି କେତେ ଦିନରୁ, କାହିଁକି କେଜାଣି ଆଜି ବହୁତ ମନେ ପଡୁଛନ୍ତି ମୋ ଦାଦି ମା ?


ଆଖି ଲୁହରେ ସମ୍ପୂର୍ଣ୍ଣ ଭିଜି ଯାଇଥିଲି ମୁଁ। ମୋ ଦାଦି ମା ମୋତେ ଉପହାର ରେ ଦେଇଥିବା ଛୋଟ ବେଗଟିକୁ ବଢେଇ ଦେଲି ଶାଶୁ ଙ୍କୁ।

"ହଁ, ଏଇ ପାନିଆ କଥା କହୁଥିଲି। 

ଠିକ୍ ଏମିତି କା ପାନିଆ ମୁଁ କିଣିଛି ଶିଲା ପାଇଁ। ଶାଶୁ କହିଲେ.."


ମୋ ଶାଶୁ ବସିଗଲେ ଆମ ସ୍ନେହା କୁ ଧରି। କେତେ ଗପୁଥିଲା ସେ ତା ଦାଦିଙ୍କ ପାଖରେ। ଏହାଭିତରେ ବେଣି ବାନ୍ଧି ରଙ୍ଗ ବେରଙ୍ଗ ଫୁଲ ଦେଇ ସଜେଇ ସାରିଥିଲେ ସେ ସ୍ନେହାକୁ। ଲାଗୁଥିଲା ଯେମିତି ମୋ ଦାଦି ମା ମୋତେ ଧରି ବସିଛନ୍ତି ଆଉ ମୁଁ ଗାଉଛି ତାଙ୍କ ସାଥିରେ ନାନା ବାୟା ଗୀତ ସବୁ। ଗାଆଁ ଗଳି କନ୍ଦିର କାହାଣୀ ସବୁ ମୁଁ ଗପୁଛି ତାଙ୍କ ସାଥିରେ...


ଦାଦି ମା ଖାଲି ସ୍ନେହୀ ନ ଥିଲେ, ତାଙ୍କ ଆବଶ୍ୟକତା ବୁଝୁ ବୁଝୁ ମହାକାଶ ପରି ଗୋଟେ ଶୂନ୍ୟତାକୁ ମୁଁ ଅନୁଭବ କରୁଥିଲି ମୋ ଆଖ ପାଖରେ..ବଞ୍ଚିଥିଲା ବେଳେ ଦାଦି ମା କିଏ ନା ମୁଁ କିଏ ? ତାଙ୍କ ପ୍ରାଧାନ୍ୟ ବୁଝିଲା ବେଳକୁ, ସେ କିନ୍ତୁ ପାଖରେ ନାହିଁ !!! 


ଦାଦି ମା ମୋ ବାହାଘର ଠିକ୍ ବର୍ଷେ ପରେ ଇହଧାମ ତ୍ୟାଗ କରି ଚାଲି ଯାଇଥିଲେ ଆର ପାରିକୁ। ଦାଦି ମା ଙ୍କୁ ବହୁତ ଭଲ ପାଉଥିଲି ବୋଲି ବାପା ତାଙ୍କ ଫଟୋ ବାନ୍ଧି ମୋ ପାଖକୁ ପଠେଇ ଥିଲେ। ବୈଠକ ଘରେ କାନ୍ଥରେ ମୁଁ ଝୁଲେଇଛି ତାଙ୍କ ଫଟୋକୁ।ଫୋଟୋକୁ ଅନେଇଲି । କ୍ଷମା କରିବୁ ଦାଦି ମା ! କେତେ ଆଗ୍ରହରେ ଚିଠି ଲେଖିଥିଲୁ, ମୁଁ ପଢିବି ବୋଲି । ମୁଁ ହତଭାଗିନୀ କିନ୍ତୁ ପଢିଲି ତୋ ଚିଠିକୁ ତୁ ମରିବାର ଅନେକ ବର୍ଷ ପରେ। ପୁଣି ଥରେ ଆଖିଟି ଓଦା ହୋଇ ଆସିଲା । ଭାବୁଥିଲି, ଦାଦି ମା'ଙ୍କ ସାଥିରେ କାଟି ଥିବା ଜୀବନର କିଛି ମୁହୂର୍ତ୍ତ କେତେ ଅମୂଲ୍ୟ, ବୁଝିଲା ବେଳକୁ ସେ କଣ ଆଉ ଥାଆନ୍ତି ଆମ ଗହଣରେ...!



Rate this content
Log in

Similar oriya story from Classics