Lipi Sahoo

Comedy

4.8  

Lipi Sahoo

Comedy

ମିଶନ୍ ଆରିସା ପିଠା

ମିଶନ୍ ଆରିସା ପିଠା

6 mins
273


ବୟସ ବଢ଼ିବା ସହ ଖାଦ୍ୟ ପ୍ରତି ଲୋଭଟା ବଢି ବଢି ଚାଲେ ବୋଧେ । ଆଉ ସବୁଠୁ ବଡ଼ କଥା ହେଲା ଡାକ୍ତର ଯୋଉ ଜିନିଷ ଖାଇବାକୁ ମନା କରିଦେବେ ସେଇ ଜିନିଷ ସବୁ ଖାଇବାକୁ ମନ ବହୁତ ଜୋରରେ ବଳାଏ । ମୁଚୁକୁନ୍ଦ ବାବୁ ଏଥିରୁ ବାଦ ପଡିଥାନ୍ତେ କିପରି ?? ଏକ ତ ବୟସର ସାୟହ୍ନରେ ଉପନୀତ ସେଥିରେ ଡାକ୍ତରଙ୍କର ଖାଇବା ପିଇବାକୁ ନେଇ ଏତେ କଟକଣା । 

       ଧେତ୍ !! ଏତେ ପାଣିଚିଆ ଜୀବନ , ଆଉ ଦିନ କେଇଟା ବଞ୍ଚିବ ମଣିଷ ଜଣା ନାହିଁ । ଏବେ ଠାରୁ ମରି ମରି କି ବଞ୍ଚିବ ? ଖାଲି ସିଝା ଆଉ ସାଲାଡ଼ ଖାଇ ଖାଇ ଜୀବନଟା ବି ସିଝିଗଲାଣି । ବେଳେ ବେଳେ ତାଙ୍କର ସନ୍ଦେହ ହୁଏ ସେ ମଣିଷ ନା ଗୋରୁ । ଏଟାକୁ ଜଗିରଖି ଚଳିବା ଆଦୌ କୁହାଯିବନି ବରଂ ଡରିମରି ଚଳିବା କୁହାଯିବ । ତାଙ୍କର ମନ ବିଦ୍ରୋହ କରି ଉଠିଲା । ସେ ବିପ୍ଲବୀ ସମ ଜାଗି ଉଠିଲେ ଆଉ ସଦର୍ପରେ ମାଡିଗଲେ ପତ୍ନୀ ନହକିଙ୍କ ପାଖକୁ । ନାମ ଯେମିତି ତାଙ୍କ ଚେହେରା ସେମିତି । ଦର୍ପ ଚାଲିରେ ଯେତିକି ପବନ ବୋହିଲା ସେଥିରେ ନହକି ଦୁଇଥର ଦୋହଲି ଗଲେ ।

              ଏଁ !! ଏମିତି କ'ଣ ମାଡି ଆସୁଛ ?? ଧୀରେ ଆସୁନ ।

              ନାଃ !! ଆଉ ସହି ହେଉନି । ଆଉ ସହିବିନି ବି । ତମକୁ ମୋତେ ଦେବାକୁ ହେବ ।


            ଆଲୋ କ'ଣ ବା ..? ବୟସ ଜାଣି ବୁଦ୍ଧି ଭ୍ରଷ୍ଟ ହେଲାଣି ବୋଧେ । ଏତିକି କହି ଛେପଲଣ୍ଡେ ଛାତିରେ ପକେଇଲେ । କାନିକୁ ଜୋରରେ ଛାତିରେ ଭିଡି ଦୁଇ ପାଦ ପଛକୁ ଘୁଞ୍ଚିଗଲେ । ମୁଚୁକୁନ୍ଦ ବାବୁ ବି ଛାଡ଼ିବା ଲୋକ ନୁହଁ । ଦୁଇ ପାଦ ଆଗକୁ ମାଡି ଆସିଲେ । ଏଥର ନହକିଙ୍କ ପାଟି ଖନି ମାରିଗଲା ଏ...ମିତି ଅ....ଲାଜୁକଙ୍କ ପରି କ'ଣ ହେଉଛି ମ.....? ଟିଭିରେ ଯାତ୍ରା ଫାତ୍ରା ଦେଖିଦେଲ ନା କ'ଣ ? ଏମିତି ଉତ୍ତେଜିତ ହେଇ ପଡିଲ ଏଇ ବୁଢ଼ା ବୟସରେ ?


             ମାନେ ? ଏଥର ମୁଚୁକୁନ୍ଦ ହୋସ୍ କୁ ଆସିଲେ । କ'ଣ କହିଲ ମୁଁ ଅଲାଜୁକ ? ମୁଁ କ'ଣ କଲିକି ତମର ? 

             ଆଉ..... ମୋ ଆଡ଼କୁ ଦମଦମ କରି ମାଡି ଆସୁଛ । ଆଲୋ କ'ଣ ଦେବି ତମକୁ ଏଇ ଉଜୁଡା ବୟସରେ ?କହି , ଲାଜରେ କାନିକୁ ପାଟିରେ କାମୁଡିଲେ ।

                ହେତ୍ ତୋ ମା ମ......, ମୁଁ କହୁଛି କ'ଣ ତମେ ବୁଝୁଛ କ'ଣ ? ମୋତେ ଅଲାଜୁକ କହି ସାରିଲଣି । ଥୁରୁଥୁରୁ ଶୀତରେ ମଳୟ ବୁହେଇ ଦେଲଣି ତମେ ? ହଉ ଛାଡ଼ ସେ କଥା । ମୁଁ କ'ଣ କହୁଚି ଶୁଣ , ଆଜି ହଠାତ୍ ମୋର ମାଁ ର ହାତ ତିଆରି ଆରିସା ପିଠା ମନେ ପଡିଗଲା । ସେତେବେଳେ ଠାରୁ ଆରିସା ଖାଇବାକୁ ଇଚ୍ଛା ହେଉଛି । ଆଜି ଟିକେ ଆରିସା କରନ୍ତ ନି ? ଦଶ ବାର ବର୍ଷ ହେବ ଆରିସା ଖାଇନି । ଆରିସା କ'ଣ , ମିଠା ବୋଲି ଏକ ସ୍ବାଦ ଅଛି ଭୂଲି ଗଲିଣି । ଡାଇବେଟିସ ତ ମୋତେ ଖାଉଛି ମୁଁ ଆଉ ଖାଇବି କ'ଣ ? ଆଉ ମାନିବିନି କିଛି । ଆଜି ତ ଖାଇବି ।

           ଓଃ !! ଏଇ କଥାକୁ ନା ପେଲି ଦେଲି କଲିକତାକୁ । ମଲ୍ଲୀ ଢପ ଲୋ !! ମୋର ତ ବଳ ବୟସ ଫେରି ଆସୁଛି ... ଚୂନା କୁଟି ଖଳି ଧରି ଆରିସା କରିବି । ମାଁ ଥିଲେ , ସେତେବେଳେ ଚୂନା ଗାଁ ରୁ ପଠେଇ ଦେଉଥିଲେ ବୋଲି ମୁଁ ଆରିସା ଗଢି ଦେଉଥିଲି । ଏବେ ଏତେ ପେରେପେରା କିଏ କରିବ ମୋର । ଆଜିକାଲି ତ ବଜାରରେ ଆରିସା ମିଳିଲାଣି । ଗଣ୍ଡେ କିଣି ଆଣୁନ । 

           ହଁ ହଁ ଆଜିକାଲି ତ ବଜାରରେ ସ୍ତ୍ରୀ ଛୁଆପିଲା ବି ମିଳିଲେଣି । କହୁନ ସେଥିରୁ ବି ଗଣ୍ଡେ କିଣି ଆଣିବି । ଖୋଲିକି ମୋତେ କହିଦେଉନ ତମର ଆଉ ମୋତେ ରାନ୍ଧିକି ଖୁଆଇବାକୁ ଇଚ୍ଛା ନାଇଁ। ବାହାରେ ତ ସବୁ ଭେଜାଲ ପୁଣି ସେଥିରେ ମାଁ ହାତର ସ୍ବାଦ କୋଉଠୁ ଆସିବ ? ମୁଁ କ'ଣ ତମକୁ ସାହାଯ୍ୟ କରିବିନି । ସବୁ ତମେ କରିବ ବୋଲି କହିଲି କି ? ଏତିକି କହି ମୁହଁ ଫୁଲେଇ ବସି ପଡିଲେ ସୋଫା ଉପରେ ।

                  ନହକି ବୁଝିଗଲେ ବୁଢ଼ାର ବେଲିଙ୍ଗିକୁ । ଏଇନେ ରୁଷିବେ ଖାଇବେନି ପିଇବେନି । ଢେର୍ ପାଲା ଲାଗିବ । ବରଂ ଆରିସା କରିବା ସହଜ । ହଉ ହଉ .. ହେଲା ଆରିସା କରିଦେବି । ପାଗଫାଗ ତ ଭୂଲି ଗଲିଣି କେମିତି ହେବ କେଜାଣି ?

                  ସୋଫାରୁ ଉଠିଆସି କହିଲେ , ତମେ କାହିଁକି ବ୍ୟସ୍ତ ହେଉଚ ? ମୁଁ ସାହାଯ୍ୟ କରିବି ପରା । ଏବେ କ'ଣ କରିବି କୁହ ।

                  ଉଁ ! ମନ ଖାଲି ଫକର ଫକର , ଝିଅ ଯାଉଚି ଶାଶୁଘର । ଥାଉ ଏବେ ତମର କିଛି କରିବା ଦରକାର ନାହିଁ ଚାଉଳ ଭେଦାଏ ଆଗ । ସେ ପୁଣି ଅଧା ଶୁଖିଲେ ଗୁଣ୍ଡ ହେବ ।                   

     ଦୋକାନକୁ ଯାଇ ଗୁଡ ନେଇ ଆସିବି କି ?                   

                ନା ଥାଉ ଅଛି । ସେଗୁଡାକୁ କ'ଣ ଗୁଡ଼ କୁହାଯିବ । ଗୁଡ ତ ନୁହଁ ଚିନି ଟେଳା ସେଗୁଡ଼ାକ । ସହଜରେ କ'ଣ ଭାଙ୍ଗୁଛି କି ? ସେ ସମୟରେ ହାତରେ ଧରୁଧରୁ ଭାଙ୍ଗି ଯାଉଥିଲା । ଶେଷରେ ଆରମ୍ଭ ହେଲା ମିଶନ୍ ଆରିସା .... ।

               ଉପରବେଳିକୁ ଚୂନାକୁଟା ଅଭିଯାନ ଚାଲିଲା । ନହକି ଭାବିଲେ ଗ୍ରାଇଣ୍ଡରରେ ଚାଉଳକୁ ଗୁଣ୍ଡ କରିଦେବେ ସହଜ ହେବ । ଚାଉଳ କିଛି ପୂରେଇ ଗ୍ରାଣ୍ଡ କରିବା ଆରମ୍ଭ କରିଛନ୍ତି କି ନାଇ । ଅଶିଆ କାଳର ମଶିଆ ଗ୍ରାଇଣ୍ଡର , ଗଁ ଗଁ ହୋଇ ଘୂରେଇବା ବନ୍ଦ କରିଦେଲା । କିଛି ଚାଉଳ ସେଥିରୁ କାଢି ଦେଇ ପୁଣି ଘୂରେଇଲେ । ହେଲେ ସେଇ କଥା ହେଲା । ଜୋର୍ ରେ ଗରମ ହେଇଗଲା । ଏମିତି ହେଲେ ଚୂନା ଗୁଡା ନଷ୍ଟ ହେଇଯିବ । ଆଉ ଉପାୟ ନାହିଁ ହେମଦସ୍ତାରେ କୁଟିବାକୁ ହେବ । ମଲା ମଣିଷ !! ଯାଇ ରୋଷେଇ ଘରୁ ହେମଦସ୍ତା ଆଣିଲେ । ଡାକ ପକେଇଲେ ହେଇଟି ଶୁଣୁଛ !! ଆସିଲ ଟିକେ , ମୁଁ କୁଟୁଚି ତମେ ଟିକେ ଚଲେଇ ଦେବ ଶିଘ୍ର ହେଇଯିବ । 

          ବହୁତ ଉତ୍ସାହିତ ହୋଇ କହିଲେ , ମୁଁ କ'ଣ ମନା କରୁଚି । ଏତିକି କହି ମୁଚୁକୁନ୍ଦ ଚକାଆସନ ମାରି ତଳେ ବସି ପଡିଲେ । 

          ନହକି କୁଟିବା ଆରମ୍ଭ କଲେ । ଆଉ କୁଟିବା ଅଭ୍ୟାସ କୋଉ ଅଛି । ଦୁଇ କୁଟାରେ ହାତ ଝିମଝିମ ହେବା ଆରମ୍ଭ କରିଦେଲା । ଦାନ୍ତ ଚିପି ପାହାର ବସେଇ ଚାଲିଲେ । ପାହାର କୋଉ ଜୋର୍ ରେ ପଡ଼ୁଚି ଯେ ଶିଘ୍ର ଗୁଣ୍ଡ ହେଇଯିବ । ଅଧଘଣ୍ଟେ କୁଟିବା ପରେ ସେ ଫଁ ଫଁ ଡାକିଲେ । ମୁଚୁକୁନ୍ଦ କହିଲେ ଏବେ ମୋତେ ଦିଅ ମୁଁ କୁଟୁଚି ତମେ ଚଲାଅ । ଏମିତି ଘଣ୍ଟେ କୁଟାକୁଟି ପରେ ଚୂନା ପ୍ରସ୍ତୁତ ହେଲା । 

   ସନ୍ଧ୍ୟା ବେଳକୁ ଖଳିଧରି ପିଠାଗଢା କାର୍ଯ୍ୟକ୍ରମ ଆରମ୍ଭ କଲେ । ଗୁଡଟେଳା ସବୁ ଏତେ ଟାଣ ଯେ ତାକୁ ବହେ ଛେଚିବାକୁ ପଡ଼ିଲା । ଶେଷରେ ଗୁଡ଼ ପାଣି ଫୁଟେଇଲେ ନହକି । ସେତେବେଳେକୁ ତାଙ୍କ ହାତ ଗୋଡ଼ ଥରିଲାଣି । ସହଜେ ଅର୍ଥରାଇଟିସ୍ ରୋଗୀ ସେଥିରେ ଏତେ କୁଟାକୁଟି । ହାଡଗୋଡ କଟକଟ ଡାକିଲାଣି ।              

       ପୁଣି ଡାକ ପକେଇଲେ , ହେଇଟି ଶୁଣୁଚ , ଆସି ଖଳିଟା ଚଲେଇଲ ‌। ମୋର ଆଉ ବଳ ପାଉନି ।

                ମୁଚୁକୁନ୍ଦ ସାଙ୍ଗେସାଙ୍ଗେ ଆସି ହାଜର । ଦଉନା ମୁଁ ଘାଣ୍ଟି ଦେଉଚି କହି ଚଟୁ ସମ୍ଭାଳିଲେ । 

           ଭଲ କି ଚଲେଇବ ନହେଲେ ତଳେ ଲାଗିଯିବ ।ଆରିସାର ଖଳିଟା ମେନ୍ । ସେଟା ବିଗିଡି ଗଲେ ପିଠାର ହରି ଓଁ ତତ୍ ସତ୍ ହେଇଯିବ ।

           ସେ ଯାହାହେଉ ବୁଢ଼ାବୁଢ଼ୀ ମିଶି କୋଣାର୍କର ମୁଣ୍ଡି ଯେନତେନ ପ୍ରକାରେ ମାରିଦେଲେ । ଏବେ ଛଣାଛଣି ପର୍ବ ।            

        ନହକି କହିଲେ , ତମେ ଏଇ ତେଲ ଜରି ଭିତରେ ଖଳି ଗୋଳା ରଖି ଚାପି ଦିଅ ମୁଁ ଛାଣି ଦେବି । ମୁଚୁକୁନ୍ଦ ମନଧ୍ୟାନ ଦେଇ ଆରିସା ଗଢି ଚାଲିଲେ । ନହକି ଛାଣିବା ଆରମ୍ଭ କଲେ ।

              ଗରମ ଲାଲ ଲାଲ ପିଠା ଉପରେ ଧଳାଧଳା ରାଶି ଦେଖି ମୁଚୁକୁନ୍ଦଙ୍କ ପେଟ ପୂରି ଯାଉଥାଏ । ପିଲାଦିନ କଥା ମନେ ପଡିଗଲା । କେମିତି ଚୂଲିମୁଣ୍ଡରେ ବସି ମାଁ ଛାଣୁଥିବା ଗରମ ଗରମ ଆରିସା ପିଠା ଖାଉଥିଲେ । ତାଙ୍କର ଆରିସା ଅତି ପ୍ରିୟ । ସେତେବେଳେ ଦୁଇଗଣ୍ଡା ପିଠା ବସିବସି ଖାଇ ଦେଉଥିଲେ । ବଳବୟସ ଥିଲା । ଆଜି ଠିକ୍ ସେମିତି ପିଠା ଗୁଡ଼ିକୁ ଦେଖି ବିଭୋର ହେଇ ଉଠୁଥାଆନ୍ତି । ଘର ସାରା ପିଠାର ମହମହ ବାସ୍ନା । ଟୁଆଁଟୁଇଁ ଭଳି ଦୁହେଁ ପିଠା ଗଢି ଚାଲିଥଆନ୍ତି । ପ୍ରାୟ ଦୁଇ ଘଣ୍ଟା ପରେ ଏ ପର୍ବ ସରିଲା ।

                ନହକି ପିଠା ସବୁ ଟେକି ଆଣି ଟେବୁଲ୍ ଉପରେ ରଖିଲେ । ଘଣ୍ଟାକୁ ଦେଖିଲା ବେଳକୁ ଦଶଟା ବାଜିଲାଣି । ନିଅ ଏବେ ପିଠା ଖାଅ । କହି ପ୍ଲେଟ୍ ରେ ବାଢିଦେଲେ ନହକି ।

                 ମୁଚୁକୁନ୍ଦଙ୍କ ମୁହଁରେ ଖେଳିଗଲା ତୃପ୍ତିର ହସ । ଭାବିଲେ ୪/୬ଟା ଟକଟାକ୍ ପିଟିରେ ପୁରେଇ ଦେବେ । ହେଲେ ଦୁଇଟା ଖାଉଖାଉ ଆଉ ଖାଇ ହେଲା ନାହିଁ । ଗରମରେ ବସିବସି ପେଟ ଗରମ ହେଇଯାଇଥିଲା ବୋଧେ । ପେଟ ଭାରି ଲାଗିଲା । ନହକି ବି ଅଣ୍ଟାପିଠି ଧରି କୁନ୍ଥେଇ କୁନ୍ଥେଇ ଦୋଟି ଖାଇ ଖଟ ଉପରେ ଲମ୍ବ ହେଇ ପଡିଗଲେ ।                 

               ମିଶନ୍ ଆରିସା ସରିଲା ସିନା ତା'ର ପୁଣି ସାଇଡ ଇଫେକ୍ଟସ୍ ତ ରହିବ ନା ... । ସକାଳୁ ଆଉ ନହକି ଖଟରୁ ଉଠି ପାରୁ ନଥାନ୍ତି । ଅଣ୍ଟା ଜୋର୍ ରେ ଧରି ଦେଇଥାଏ । ମୁଚୁକୁନ୍ଦ ଆଉ କ'ଣ କରିବେ କାନମୁଣ୍ଡ ଆଉଁସି ଆୟୋଡ଼େକ୍ସ ଆଣି ନହକିଙ୍କ ଅଣ୍ଟାରେ ଘସିଲେ । ଉଠିଯାଇ ପାଣି ଗରମ କରି ହଟୱଟର୍ ବେଗ୍ ଆଣି ଦେଲେ । ଘଣ୍ଟେ କାଳ ସେକାସେକି କରି ସାରିବା ପରେ ବି ପେଙ୍ଗେଇ ପେଙ୍ଗେଇ ଚାଲିଲେ ନହକି । ମୁଚୁକୁନ୍ଦ ଜାଣିଗଲେ ଡାକ୍ତର ଛଡ଼ା ୟେ ସବୁ ତୁଟୁକା କାମକୁ ନୁହଁ । ନିରୂପାୟ ହେଇ ନହକିଙ୍କୁ ନେଇକି ଗଲେ ଡାକ୍ତର ପାଖକୁ । ସେ ଦେଖୁଦେଖୁ ଜାଣିଗଲେ ଅଣ୍ଟା ଉପରେ ଖୁବ୍ ଜୋର୍ ରେ ପ୍ରେସର୍ ପଡିଚି । ଦୁହେଁ ବହେ ଶୋଧା ଖାଇଲେ ।                

               ଡାକ୍ତର କହିଲେ ୟେ ବୟସରେ ଜଗିରଖି ଚଳିବେ ନା ...ଆଉ କ'ଣ ଛୋଟପିଲା ହେଇଛନ୍ତି ଯେ ବୁଝେଇବାକୁ ପଡିବ । ଇଂଜେକସନ ଫୋଡା ଗୋଟେ ଖାଇଲେ ନହକି ।             

             ଦୁହେଁ ଚୁପଚାପ୍ ଘରକୁ ଫେରିଲେ । ଟେବୁଲ୍ ଉପରେ ଥୁଆ ହେଇଥିବା ଆରିସା ଦେଖି ମୁଚୁକୁନ୍ଦ ଆଖରେ ଲୁହ ଆସିଗଲା । ବୁଢ଼ା ହେଇଗଲୁ ବୋଲି ଟିକେ ସଉକ୍ କରିବା ବି ମନା ....। ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ .... ମନେ ପଡିଗଲା ତାଙ୍କର ।

               



Rate this content
Log in

Similar oriya story from Comedy