Sambit Srikumar

Classics Fantasy Inspirational

4.7  

Sambit Srikumar

Classics Fantasy Inspirational

ମଇଳା

ମଇଳା

2 mins
167



ହଁ, ନାଁ ଟା ତାର ଆଜି ଯାଏଁ ବି ମନେ ଅଛି ମୋର। ସହଜରେ ଭୁଲି ଯିବି ବା କେମନ୍ତେ? ସିଗାରେଟ୍ ଜଳାଇବାକୁ ଆସି ଯେ ବିସ୍ଫୋରଣ ଘଟେଇଛି ମୋ ମନର ପ୍ରଶାନ୍ତ ତପୋବନରେ।

ହଁ, ଠିକ୍ ଭାବେ ମନେ ଅଛି ସେହି ବର୍ଣ୍ଣାଳୀ ବାନାର୍ଜୀ! ବିଂଶ ବର୍ଷୀୟା ଉଜ୍ଜ୍ବଳ ଶ୍ୟାମଳ ବଙ୍ଗ ବାଳା। ସୁଢୌଳ ଯୌବନ ଦୀପ୍ତ ଶରୀରର ଅଧିକାରିଣୀ! ମଦିରାକ୍ଷୀରେ ତାର କଳିଙ୍ଗ ସାଗରର ସବୁତକ ନୀଳ! ବାସ୍ ଆଉ କିଛି କହି ପାରିବି ନାହିଁ.... ସମ୍ଭ୍ରମବୋଧବଶତଃ!

ପହିଲିବାର ଯାଇଥାଏ କାଲକାଟା ବ୍ୟବସାୟିକ କାର୍ଯ୍ୟରେ। ମହାନଗରୀର ମାୟାବୀ ଚରିତ୍ର ସହିତ ମୋର ପୂର୍ବରୁ ପରିଚୟ ନାହିଁ। ସକାଳୁ ସଞ୍ଜ ପର୍ଯ୍ୟନ୍ତ କେବଳ ଦୌଡ଼ ହିଁ ଦୌଡ଼! ଫୁରୁସତ୍ ପାଇଁ ସମୟ ନାହିଁ କାହା ପାଖରେ। ମୁଁ ବି ଏଇ ଦୌଡ଼ରେ ସାମିଲ ହୋଇଥିଲି ସେଦିନ। ବଡ଼ ଅଜବ ଅଜବ ଲାଗୁଥିଲା ଲୋକଙ୍କର ହାବ ଭାବ! ଯନ୍ତ୍ର ଭଳି ଜୀବନଯାପନ କରନ୍ତି ବଡ଼ ବଡ଼ ମହାନଗରୀରେ ଲୋକେ।

କର୍ମ କ୍ଲାନ୍ତ ଦିବସର ଅବସାନ ପରେ ଅବସାଦ ଲାଘବ କରିବା ପାଇଁ ସନ୍ଧ୍ୟାରେ ମୁଁ ରହୁଥିବା ପାର୍କ୍ ଷ୍ଟ୍ରୀଟ୍ ସ୍ଥିତ ତାରକା ହୋଟେଲର ଲବିରେ ସିଗାରେଟ୍ ଜାଳିବା ପାଇଁ ଲାଇଟର୍ ଖୋଜୁଥାଏ। ସିଗାରେଟ୍ ଆଉ ଲାଇଟର୍ ମୋର ସହଚର କଲେଜ ପଢିବା ଦିନରୁ। କିନ୍ତୁ ସେ ଦିନ ରୁମ୍ ରେ ଭୁଲି ଆସିଥିଲି ମୋ ଲାଇଟର୍। ରିସେପସନିଷ୍ଟ୍ କୁ ପଚାରୁଥିଲି ଏ ବାବଦରେ।

ଅଚାନକ ଚିତ୍ତା ପରି କେଉଁଠୁ ଝପଟି ଆସିଲା ଜନୈକା ମେରୁନ୍ ରଙ୍ଗର ଗାଉନ୍ ପରିହିତା ସୂଶ୍ରୀ ତରୁଣୀ। ଦୁଷ୍ଟ ଆଖି ଯୋଡ଼ିକ ମୋର ପହଁରିଗଲା ତାର ସୁଠାମ ଯୌବନଦୀପ୍ତ ଅବୟବରେ ନିମିଷକ ମଧ୍ୟରେ। ଓଃ! ଅନିନ୍ଦ୍ୟ ସୁନ୍ଦରୀ! ଅପରୂପ ସୌନ୍ଦର୍ଯ୍ୟର ପ୍ରତିମୂର୍ତ୍ତି !

ସିଗାରେଟ୍ ରେ ଲାଗି ସାରିଥିଲା ନିଆଁ ଆଉ ମୋ ଆଖିରେ ବି, କାମନାର ସର୍ବଗ୍ରାସୀ ନିଆଁ! ସେ ନିଆଁର ଲେଲିହାନ ଶିଖାରେ ସବୁ କିଛି ଜଳି ପୋଡି ପାଉଁଶ ହୋଇଯିବ ନିମିଷକ ମଧ୍ୟରେ। ବର୍ଣ୍ଣାଳୀ ବେଶ୍ ଠଉରେଇ ନେଇଥିଲା ମୋ ମନର ଅବସ୍ଥାକୁ। କାନ ପାଖରେ ଫିସ୍ ଫିସ୍ ହୋଇ ପଚାରିଲା, "ରୁମ୍ ନଂ...?" କି ସୁମିଷ୍ଟ ତାର ଭାଷା ! ଅନୁରାଗୀ କଣ୍ଠସ୍ବର। ଆଖିରେ ଆଖିରେ ପ୍ରଣୟର ଆମନ୍ତ୍ରଣ।

ସବୁକିଛି ଘଟିଗଲା ନିମିଷକ ମଧ୍ୟରେ। ଆମ ମଧ୍ୟରେ ଥିବା ଦୂରତା କ୍ରମେ ହ୍ରାସ ପାଉଥାଏ। ହୃଦୟରେ ମୃଦୁ ମୃଦୁ କମ୍ପନ ସୃଷ୍ଟି ହେଉଥାଏ। ଅନୁଭବ ହେଉଥାଏ ଯେପରିକି ମୁଁ ଆଉ ମୋ ଭିତରେ ନାହିଁ। ସତେ ଯେମିତି ଦୁର୍ବାର କାମନାର ଗଭୀର ଜଳ ଭଉଁରୀରେ ପଡିଯାଇଛି। ଏଥିରୁ ମୁକୁଳିବାର କୌଣସି ଉପାୟ ନାହିଁ। ମୃତ୍ୟୁ ସୁନିଶ୍ଚିତ, ଯଦି ବି ଏଠୁ ବର୍ତ୍ତିଗଲେ ମଧ୍ୟ ପତିତର ଆଖ୍ୟାରୁ ତ ମୁକ୍ତି ମିଳିବ ନାହିଁ ଜୀବନର ଶେଷ ଶ୍ବାସ ଥିବା ପର୍ଯ୍ୟନ୍ତ !

ସହସା ମୋର ବିବେକର ଦଂଶନରେ ମୁଁ ଚିତ୍କାର କରି ଉଠିଲି, "ବ୍ଲଡ଼ି ପ୍ରସ୍ ...!" ସଭିଙ୍କ ନଜରର ଶକ୍ତିଶାଳୀ ଲେନ୍ସ ଆମ ଦୁହିଁଙ୍କ ଉପରେ ଆବଦ୍ଧ। ମୁହୂର୍ତ୍ତକରେ ନିଜକୁ ନିୟନ୍ତ୍ରଣ କରି ନେଇ ଭାବମୂର୍ତ୍ତିକୁ ସୁଧାରି ଦେଲି। ନିଶ୍ଚିତ ପତନରୁ ଆପଣାକୁ ବଞ୍ଚାଇବାରେ ସଫଳ ହେବାର ଖୁସିରେ ମସଗୁଲ୍ ଥିବା ବେଳେ ବର୍ଣ୍ଣାଳୀର କଟୂକ୍ତିରେ ପ୍ରକୃତିସ୍ଥ ହେଲି।

ଆହତ ନାଗୁଣୀ ସମ ଫେରି ଯାଉ ଯାଉ ଉଚ୍ଚ ସ୍ବରରେ ବଙ୍ଗଳା ଭାଷାରେ ଯାହା କହିଗଲା, "ମନରେ ମଇଳା, ମୁଖରେ ଭଦ୍ରାମୀର ମୁଖା!"

ସେ ଏମିତି କେତେ ଭଦ୍ର ମୁଖା ପିନ୍ଧା ସଇତାନ୍ ଦେଖିଛି ତାର ଜୀବନ କାଳରେ। ମୁଁ ହୁଏତଃ ସେଥିରୁ ଜଣେ ହୋଇ ପାରେ ଅବା ନ ହୋଇ ବି ପାରେ। କିନ୍ତୁ ତା ପାଇଁ ଫରକ ବା କଣ ପଡେ ଏଥିରେ? ସଭିଏଁ ତା' ପାଇଁ ତ ସୌଦାଗର ଯୌବନଦୀପ୍ତ ଶରୀରର! ଖରିଦଦାର ରୂପ ଲାବଣ୍ୟର! ସଭିଏଁ ଭଦ୍ର ମୁଖା ପିନ୍ଧା ଗୋଟେ ଗୋଟେ କାର୍ପଟଦାର!

ତାର ସେହି ଦୁଇ ପଦ କଟୁ ଅଥଚ ଅକାଟ୍ଯ ସତ୍ଯ କଥା ଆଜି ବି ପରିଣତ ବୟସରେ କର୍ଣ୍ଣପଟ୍ଟଳରେ ବିସ୍ଫୋରିତ ହୁଏ ବେଳ ଅବେଳରେ...



Rate this content
Log in

Similar oriya story from Classics