ମିଲି
ମିଲି
ଦାଣ୍ଡଦୁଆରେ ଦୁଇ ତିନିଥର ଜଞ୍ଜିର ବାଡେଇ ଶବ୍ଦ କରିବାରୁ ଦ୍ଵାର ଖୋଲିଲା । ଦ୍ଵାର ଖୋଲିଥିଲା ନିଜେ ମିଲି ।
'ଆଲୋ ମୋ ବୋଉଲୋ ' ବୋଲି ଗୋଟାଏ ରଡି ଛାଡି ମିଲି ' ଢୋ ' କରି କାନ୍ଥରେ ନିଜ ମୁଣ୍ଡଟାକୁ ପିଟି ଦେଇ ଚଟାଣରେ ବେହୋସ ହୋଇ ପଡିଗଲା । ସଙ୍ଗେ ସଙ୍ଗେ ଉଚ୍ଚ ସ୍ୱରରେ କାନ୍ଦି ଉଠିଲେ ମିଲିବୋଉ କମଳା ଦେବୀ ।
* * *
ଏ ନାଟକୀୟ ଘଟଣାଟି ଘଟିବାର କାରଣଟିକୁ ଜାଣିବାକୁ ହେଲେ ଆମକୁ ପ୍ରାୟ ଦଶ ବର୍ଷ ପଛକୁ ଯିବାକୁ ହେବ । ତେବେ ଆସନ୍ତୁ ଫେରିଯିବା ଦଶବର୍ଷ ତଳର ସେଇ ସମୟ ନିକଟକୁ , ଯେଉଁ ସମୟରେ ଘଟଣାଟିର ସୁତ୍ରପାତ ହୋଇଥିଲା । . .
କଥାଟି ପୁରୀ ସଦର ନିକଟବର୍ତ୍ତୀ ଏକ ଗାଁ'ର । ଗ୍ରାମଟିର ନାମ ମହୀପୁର । ଗାଁ'ଟିରେ ପ୍ରାୟ ଦୁଇଶହ ସରିକି ପରିବାର ରୁହନ୍ତି । ଦୁଇ ତିନୋଟି ବ୍ରାହ୍ମଣ ପରିବାର, ହରିଜନ ପାଖାପାଖି କୋଡ଼ିଏ ପରିବାରଙ୍କୁ ଛାଡିଦେଲେ ବାକି ସମସ୍ତ ଗ୍ରାମବାସୀ ଖଣ୍ଡାୟତ ଅଟନ୍ତି । ଅତଏବ ଗ୍ରାମଟିରେ ଖଣ୍ଡାୟତ ଲୋକମାନଙ୍କର ପ୍ରଭାବ ବେଶ୍ ଅଧିକ ଥାଏ । ଖଣ୍ଡାୟତମାନେ ପ୍ରାୟତଃ ନିଜ ନିଜ ଭିତରେ କଳି ଝଗଡା କରନ୍ତି ନାହିଁ ; ଯଦି କିଛି ସମସ୍ୟା ଦେଖାଦେଲା , ତେବେ ଗ୍ରାମସଭାରେ ବସି ଆପୋସି ଫଇସଲା କରିଦିଅନ୍ତି । ସଂଗଠିତ ଗ୍ରାମଟିର ଗ୍ରାମ୍ୟ ଏକତା ଆଖପାଖ ଅଞ୍ଚଳରେ ଦୃଷ୍ଟାନ୍ତ ସାଜିଥିଲା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ।
ତିନୋଟି ବ୍ରାହ୍ମଣ ପରିବାର ମଧ୍ୟରୁ ବଟକୃଷ୍ଣ ଦାଶଙ୍କର ପରିବାର ଥିଲା ସ୍ଵତନ୍ତ୍ର । ସ୍ଵତନ୍ତ୍ର ବୋଲି କୁହାଯିବାର କାରଣ ହେଉଛି, ଦାଶେ ବହୁତ ନୀତିନିଷ୍ଠ , ବିବେକି ଓ ଜ୍ଞାନୀ ଥିଲେ । ଅନେକ ଗୁଡିଏ ସଦଗୁଣ ଭିତରେ ଚନ୍ଦ୍ରମାରେ କଳଙ୍କ ଭଳି ତାଙ୍କର ଏକ ବଡ ବଦଗୁଣ ଥିଲା । ଦାଶେ ଥିଲେ ଅତ୍ୟନ୍ତ କ୍ରୋଧୀ । ତାଙ୍କର ନୀତିରୁ ,ଆଦର୍ଶରୁ ଅଥବା କଥାରୁ ସାମାନ୍ୟ ବହିର୍ଭୁତ ହେବା ବ୍ୟକ୍ତିକୁ ସେ କ୍ଷମା ଦେଉନଥିଲେ । ଅବଶ୍ୟ ଦାଶଙ୍କର ଏ କ୍ରୋଧ ସ୍ବଭାବଟି ତା'ଙ୍କ ପରିବାରର କୌଣସି କ୍ଷତି ସାଧନ କରିବା ବଦଳରେ ବରଂ ମଙ୍ଗଳକର ସାବ୍ୟସ୍ତ ହୋଇଥିଲା । ଅର୍ଥାତ , ତିନୋଟି ପିଲା ଅତ୍ୟନ୍ତ ଶୃଙ୍ଖଳିତ ହୋଇ ବଢିଥିଲେ । ପତ୍ନୀ କମଳା ଦେବୀ, ଦୁଇଟି ପୁଅ ଓ ସାନଝିଅ ମିଲିକୁ ନେଇ ଦାଶଙ୍କର ସଂସାର । ପିଲା ତିନୋଟି କେବେ ଦାଶଙ୍କ ସାମ୍ନାରେ ଠିଆ ହୋଇ କଥା କହିବା କେହି ଦେଖିନାହାଁନ୍ତି । ଏପରିକି ସ୍ୱୟଂ କମଳା ଦେବୀ ମଧ୍ୟ ମୁହଁ ଉଠାଇ କେବେ କିଛି କହିନାହାଁନ୍ତି । ପିଲାଗୁଡ଼ିକ ଭଲ ପଢୁଥିଲେ ଓ ସେମାନଙ୍କର ଭବିଷ୍ୟତ ଉଜ୍ଵଳ ବୋଲି ସମସ୍ତେ ଭାବୁଥିଲେ ।
ମିଲି ବର୍ତ୍ତମାନ ଯୁକ୍ତ ଦୁଇ , ବିଜ୍ଞାନର ଛାତ୍ରୀ । କେବଳ କେମିଷ୍ଟ୍ରିକୁ ଛାଡ଼ିଦେଲେ ବାକି ସବୁ ବିଷୟରେ ମିଲିର ରେଜଲ୍ଟ ଭଲ ହେଉଥିଲା । ଉକ୍ତ ବିଷୟଟିକୁ ଘରେ ଆସି ଟ୍ୟୁସନ କରିବା ପାଇଁ ଭଲ ଟ୍ୟୁଟର ମିଳୁନଥିଲେ ।
ଦିନେ ସନ୍ଧ୍ୟାବେଳେ ବଡ ପୁଅ ସୁବ୍ରତ ଗୋଟିଏ ଟ୍ଯୂସନ ମାଷ୍ଟ୍ରକୁ ସଙ୍ଗରେ ଆଣି ଘରକୁ ଆସିଲା । ମାଷ୍ଟ୍ରଟି ସେଇ ଗ୍ରାମର ଗୋପାଳ ପ୍ରଧାନର ଦୂର ସଂପର୍କୀୟ ଭଣଜା । ଆଗରୁ ବାପ ଛେଭଣ୍ଡ ଥିଲା । ନିକଟରେ ବିଧବା ମା' ମଧ୍ୟ ପର କରି ଚାଲିଗଲେ । ଏକୁଟିଆ ଖାଇବା ପିଇବାରେ ହଇରାଣ ହେବାରୁ ମାମୁ ଘରେ ରହି ପଢ଼ାପଢିଟା ସାରିବ ବୋଲି ମନସ୍ଥ କରି ଏଠାକୁ ଆସିଛି । ବର୍ତ୍ତମାନ କେମିଷ୍ଟ୍ରି ଅନର୍ସ ଥାଇ ବିଜ୍ଞାନରେ ସ୍ନାତକ କରୁଛି । ଶେଷ ବର୍ଷର ଛାତ୍ର ।
'ତୋ ନାଁ କଣ ବାବା ? ଦାଶେ ଅଗଣାରେ ବସି ଚା' କପରୁ ଗୋଟାଏ ସୋସଡା ମାରି ପଚାରିଲେ ।
' ଆଜ୍ଞା ମନୋଜ , ମନୋଜ ପ୍ରଧାନ 'I
'ଘର ?
'ଆଜ୍ଞା ଅଡଶପୁର 'I
'ନିଆଳୀ ଅଡଶପୁର ; ମାନେ ଓଲଟପୁର ପାଖ '?
'ଆଜ୍ଞା ; ଆମ ଘରଟା ଅଲିଙ୍ଗି । ଅଡଶପୁର ଠାରୁ ପ୍ରାୟ ପାଞ୍ଚ ଛଅ କିଲୋମିଟର ହେବ 'I
'ଆଚ୍ଛା ହଉ । କାଲିଠାରୁ ଆସି ମିଲିର ପଢ଼ାପଢି ଦେଖ୍ । ଫିସ କଥା ମୁଁ ତୋ ମାମୁ ଗୋପାଳିଆ ସାଙ୍ଗରେ କଥା ହେବି 'I
'ହଉ ଆଜ୍ଞା 'I
ପରଦିନଠାରୁ ଦୈନିକ ମନୋଜ ସନ୍ଧ୍ୟାବେଳେ ଆସି ଘଡ଼ିଏ ପଢାଇ ଦେଇ ଯାଏ ।
'ଆହା ବିଚରା ବାପ ମା ଛେଉଣ୍ଡ ପିଲାଟି ଭାରି ହଇରାଣ ହଉଥିବ' , କଥା ପଦକ କମଳା ଦେବୀ ମଝିରେ ମଝିରେ କହିସାରି କେଉଁ ଦିନ ପିଠା ଦି'ଟା ତ କେଉଁ ଦିନ ଉପମା ଗିନାଏ ଆଣି ପଢ଼ାଘରେ ଦେଇଯା'ନ୍ତି । ସଂସାରର ମା' ଛେଉଣ୍ଡମାନଙ୍କ ପ୍ରତି କମଳା ଦେବୀଙ୍କର ଭାରି ଦରଦ । ମା' ଛେଉଣ୍ଡ ଆଳରେ କମଳା ଦେବୀଙ୍କର ସହାନୁଭୂତି ପାଇ ତିନୋଟି ଅନାଥ ବିଲେଇ ଓ ଦୁଇଟି କୁକୁର ଛୁଆ ନିଜେ ନଅଟି ଦଶଟି ଲେଖାଏଁ ଛୁଆର ମା ହେଇ ସାରିଲେଣି । କିନ୍ତୁ ଏବେ ମଧ୍ୟ ସେମାନେ ମା' ଛେଉଣ୍ଡ ଭାବରେ କମଳା ଦେବୀଙ୍କର ପ୍ରିୟପାତ୍ର (ମତାନ୍ତରେ ପାତ୍ରୀ) ହୋଇ ଅଛନ୍ତି ।
ଇତିମଧ୍ୟରେ ଛଅ ମାସ ବିତିଗଲାଣି । ମନୋଜ ବର୍ତ୍ତମାନ କମଳା ଦେବୀଙ୍କ ଦୃଷ୍ଟିରେ ତୃତୀୟ ପୁତ୍ରର ମାନ୍ୟତା ପାଇସାରିଛି ।' ପିଲାଟି ଯେତିକି ସରଳ , ସେତିକି ବୁଦ୍ଧିମାନ ବି । ଭଗବାନ ଖୁବ କମ ପିଲାଙ୍କୁ ଏମିତିକା ଗଢିଥା'ନ୍ତି ' । ସାଇ ପଡ଼ିଶାରେ କମଳା ଦେବୀ ଏ ଦୁଇପଦକୁ ଘୋଷା କରିବାର ପ୍ରାୟ ଶୁଣାଗଲାଣି । ଭିତରେ ଭିତରେ ଗୁରୁ ଶିଷ୍ୟା ସଂପର୍କଠାରୁ ଅଲଗା ଏକ ସଂପର୍କ ଦାନା ବାନ୍ଧିବା କଥା କାହାକୁ ଜଣା ନାହିଁ ।
ମନୋଜର ସରଳତା ଓ ନିଷ୍କପଟତା ମିଲିର କଅଁଳ ମନଟିକୁ ଆବୋରି ସାରିଲାଣି । ସବୁବେଳେ କଥା ହେବାକୁ ମନ କହୁଛି । ସମାଜକୁ ବେଖାତିର କରି , ପରିବାରର ନୀତି ଆଦର୍ଶକୁ ବଳି ପକାଇ ପ୍ରିୟଜନଙ୍କ ମନରେ କଷ୍ଟ ଦେଇକରି ମଧ୍ୟ ଉଭୟ ଏକାଠି ହୋଇ ଜୀବନ ବିତାଇବାକୁ ସିଦ୍ଧାନ୍ତ ନେଇସାରିଲେଣି ।
ମିଲିର ପରୀକ୍ଷା ସରିବାର ଗୋଟିଏ ସପ୍ତାହ ମଧ୍ୟ ପୂର୍ଣ୍ଣ ହୋଇନି ; ଦିନେ ରାତିରେ ସମସ୍ତଙ୍କ ଅଲକ୍ଷ୍ୟରେ ମିଲି ମନୋଜ ସାଙ୍ଗରେ ଘରୁ ଗୋଡ କାଢିଲା । ପରେ ଗୋପାଳ ପ୍ରଧାନର ପରିବାର ସୂତ୍ରରୁ ଜଣାଗଲା କି ସେମାନେ କୌଣସି ଏକ ସ୍ଥାନୀୟ ମନ୍ଦିରରେ ବିବାହ କରି ମନୋଜର ନିଜ ପୈତୃକ ଗୃହରେ ବସବାସ କରୁଛନ୍ତି ।
ମିଲି ଯିବା ପରଠାରୁ କମଳା ଦେବୀଙ୍କୁ ସାଇ ପଡ଼ିଶାକୁ ଯିବାର ବା କଥା ହେବାର କେହି ଦେଖି ନାହାଁନ୍ତି । ସର୍ବଦା ପୂର୍ଣ୍ଣମୀ ଜହ୍ନର ମୁହଁଟାକୁ ଏବେ କଳାବାଦଲର ଛାଇ ଢାଙ୍କି ଦେଇଛି । କିଏ କ'ଣ ପଚାରିଲେ ପଦେ ଦୁଇ ପଦରେ କଥା ସାରିଦେଇ ସେଠାରୁ ଚାଲି ଯାଉଛନ୍ତି । ଅଧରାତିରେ ମିଲି ମିଲି ବୋଲି ଡାକି ହାଭଳି ଖାଇ ନିଦରୁ ଉଠିପଡୁଛନ୍ତି । କିଛି ସମୟ ବିଛଣାରେ ବସି , ପାଣି ଢୋକେ ପିଇସାରି ଆଖିରୁ ଗଡ଼ିଆସୁଥିବା ଲୁହକୁ ପଣତ କାନିରେ ପୋଛି ଦେଇ ପୁଣି ଶୋଉଛନ୍ତି ।
କମଳା ଦେବୀଙ୍କର ଏସବୁ ହାବଭାବ ବଟକୃଷ୍ଣ ବାବୁ ଯେ ଜାଣୁ ନାହାଁନ୍ତି ସେକଥା ନୁହେଁ । କଥାଟି ହେଉଛି , ସବୁ ଜାଣି ମଧ୍ୟ ସେ ଚୁପଚାପ ରହୁଛନ୍ତି । କ'ଣ ଆଉ କରିବେ ? କାହାକୁ ଅବା କ'ଣ କହିବେ ? ନିଜ ପରିସ୍ଥିତି ତ ଅସମ୍ଭାଳ । ଆଖପାଖ ଦଶଖଣ୍ଡ ଗାଁ'ରେ ଜଣେ ମାନ୍ୟଗଣ୍ୟ ବ୍ୟକ୍ତି ଭାବରେ ବଟକୃଷ୍ଣ ଦାଶଙ୍କର ଡାକ ଥିଲା । କେଉଁଠି ଏଭଳି ଘଟଣା ଘଟିଲେ କିମ୍ଵା ସମସ୍ୟା ଉପୁଜିଲେ ଦାଶେ ପଞ୍ଚାୟତରେ ବସନ୍ତି । ମିଲି ଯିବାଠାରୁ ସେ ଆଉ ପଞ୍ଚାୟତରେ ବସୁନାହାଁନ୍ତି । ଭାଗବତ ଟୁଙ୍ଗିକୁ ମଧ୍ୟ ପୁରାଣ ପଢିବା ଲାଗି ଯାଉନାହାଁନ୍ତି । ଆଜି ତାଙ୍କରି ଔରସରୁ ସୃଷ୍ଟି ହୋଇଥିବା ସନ୍ତାନ , ସବୁଦିନ ପାଇଁ ତା'ଙ୍କ ମୁଣ୍ଡ ତଳକୁ କରିଦେଇ ଗଲା !
ମିଲି ଯିବା ପରଠାରୁ ସ୍ୱାମୀ ସ୍ତ୍ରୀ ପ୍ରାୟତଃ କଥା ହୁଅ
ନ୍ତି ନାହିଁ ।କମଳା ଦେବୀଙ୍କ ଆଖିରୁ ଲୁହ ବୋହିବା କଥାଟିକୁ ଦାଶେ କେବେ ପସନ୍ଦ କରନ୍ତିନି । ଦାଶେ ଆଜି ପର୍ଯ୍ୟନ୍ତ କେବେ ବି ପତ୍ନୀଙ୍କ ମନରେ ଆଘାତ ଦେଲା ଭଳି କଥା କହିନାହାନ୍ତି । କିନ୍ତୁ ବର୍ତ୍ତମାନ ଲୁହ ବୋହିବାର ପଶ୍ଚାତରେ ଥିବା କାରଣଟିକୁ ଆଦୌ ମନେ ପକେଇବାକୁ ଚାହାଁନ୍ତିନାହିଁ । ମିଲି ତା'ଙ୍କ ପାଇଁ ମରିସାରିଛି । ମିଲି ବୋଲି ତାଙ୍କର ଗୋଟିଏ ଝିଅ ଥିଲା , ଏକଥା ସେ ଭୂଲିଯିବାକୁ ଚାହାଁନ୍ତି । ଅତଏବ ତା' ପାଇଁ କିଏ କାନ୍ଦିଲେ କି ମୁଣ୍ଡ ବାଡେଇଲେ ସେ ନାଚାର ।
'ମିଲିକୁ ମୁଁ ଭୁଲିଯିବାକୁ ଚାହୁଁଛି , ତେଣୁ ତୁମେ ମଧ୍ୟ ଭୁଲିଯିବା ଉଚିତ ' ; ଦାଶେ ଥରେ ଦୁଇଥର ଏକଥା ପତ୍ନୀଙ୍କୁ ଶୁଣାଇ ସାରିଲେଣି ।
କମଳା ଦେବୀ ନିଜ ସ୍ୱାମୀଙ୍କ ଜିଦକୁ ଭଲ ଭାବରେ ଜାଣନ୍ତି । ପଥର ବରଂ ଶୁଣିବ, କିନ୍ତୁ ସେ ଶୁଣିବେନି ।
' ମୁୁଁ ତ'ର ମା' ; ତା'କୁ ଜନ୍ମ ଦେଇଛି । ସାରା ସଂସାର ଭୁଲି ଗଲେ ମଧ୍ୟ ମୁଁ ଭୁଲି ପାରିବି '? କମଳା ଦେବୀ ସ୍ୱାମୀଙ୍କ ଅନୁପସ୍ଥିତିରେ ଏତକ ବିରାଡି କୁକୁରଙ୍କ ଉଦ୍ଦେଶ୍ୟରେ କହିସାରି ଆଖିରୁ ଲୁହ ପୋଛନ୍ତି ।
* * *
ସମୟ ଗଡି ଚାଲିଛି । ମିଲି ଯିବାର ଦଶବର୍ଷ ହୋଇଗଲାଣି । ସମସ୍ତେ ପ୍ରାୟ ମିଲିକୁ ଭୁଲିଗଲେଣି । କେବଳ କମଳା ଦେବୀଙ୍କର ମିଲିକୁ ମନେ ପକାଇ କାନ୍ଦିବାଟା ବନ୍ଦ ହେଉନି । ଆଖି ତଳ ପତା କଳା ପଡ଼ିଯାଇଛି । ବଟକୃଷ୍ଣ ବାବୁଙ୍କର ନିଜ ଝିଅ କଥା ମନେ ପଡେ କି ନ ପଡ଼େ , ଏକଥା ଜାଣିବାର କିଛି ଉପାୟ ନାହିଁ । ବଡ଼ପୁଅ ସୁବ୍ରତ ଭଲ ଚାକିରୀଟିଏ ପାଇ ସପରିବାରେ ରାଜଧାନୀରେ ରହୁଛି । ସାନ ପୁଅ ଶଶାଙ୍କ ମଧ୍ୟ କଟକରେ ରହି ଭଲ ବିଜିନେସ କରି ପିଲାଛୁଆଙ୍କ ସହ ଭଲରେ ଅଛି । ଗାଁ'ରେ ବୁଢା ବୁଢି ଦି' ପ୍ରାଣୀ ଭାଗ୍ୟକୁ ଆଦରି ଅଛନ୍ତି । ଏ ବୟସରେ ମଣିଷ ଟିକିଏ ସେବା ଯତ୍ନ ଆଶା କଲାବେଳକୁ ଯଦି ପିଲା ତା'ଙ୍କ ସଂସାର ଦେଖିବେ ତା'ହେଲେ ହବ କ'ଣ ? ହଉ ଛାଡ ! ଆମରି ତ ପିଲା ; କାହାକୁ କହିବା ? କମଳା ଦେବୀ ନିଜ ମନକୁ ବୁଝାନ୍ତି । ମନରେ ଭୟ ହୁଏ , ଅଶାନ୍ତି ହେଲେ କାଳେ ମୋ'ରି ପିଲାଙ୍କ ଉପରେ ପଡ଼ିଯିବ ! ନାଇଁ ନାଇଁ , ଭଗବାନ ସେମାନଙ୍କୁ ଭଲରେ ରଖିଥା'ନ୍ତୁ ।
ଦିନେ ଦାଶେ ମନସ୍ଥ କଲେ କି କିଛିଦିନ ସସ୍ତ୍ରୀକ ଯାଇ ଦୁଇ ପୁଅଙ୍କ ପାଖରେ ରହିବେ । ବୁଢୀ ମନ ବି ଟିକିଏ ପରିବର୍ତ୍ତନ ହୋଇଯିବ । ପ୍ରଥମେ ବଡପୁଅ ସୁବ୍ରତ ପାଖରେ ରହିବା ସ୍ଥିର ହେଲା । ଦୁଇଦିନ ଯାଇ ତୃତୀୟ ଦିନ ବେଳକୁ ବୁଢୀକୁ ଆକଣ୍ଠ ହେଲାଣି । ବୋହୁର ଖୁସି ଅପେକ୍ଷା ଅଭିଯୋଗ ଅଧିକ । 'ସେବା ନାଁ ରେ କଣ ବୁଢା ବୁଢୀଙ୍କର ପୋଚ଼ରା ଲୁଗା ଧୋଇବ '? ବୋହୁ ଦିନେ ବୁଢୀ ଶୁଣିଲା ଭଳି ପୁଅକୁ କହିଲା ।
ସେଠାରୁ ଅତିଶୀଘ୍ର ସାନପୁଅ ଘରକୁ ପ୍ରସ୍ଥାନ । କଟକ ସହରରେ ଘର । କଟକବାସୀ ପ୍ରତ୍ୟେକ ଇଞ୍ଚ ସ୍ଥାନର ଫାଇଦା ନେବା ଜାଣନ୍ତି । ରାତିର ଗ୍ୟାରେଜ ଘର ଦିନରେ ଦୋକାନ ହୋଇଥିବ । ନିଜ ପ୍ରାଚୀରକୁ ଲାଗି ଦୁଇ ଫୁଟର ସ୍ଥାନକୁ କେଉଁ ପାନ ଦୋକାନୀକୁ ଭଡ଼ା ଲାଗିଥିବ ।
ଶିଶୁ କାଠର ପଲଙ୍କରେ ଶୋଇଆସିଥିବା ବଟକୃଷ୍ଣ ବାବୁ ସାଧା ମସିଣାରେ ବାଲକୋନିରେ ଶୋଇ ରାତିଟା କଟେଇଲେ । ବୁଢୀକୁ ନିଜେ ସିଡି ତଳେ ଶୋଇବାଟା ଯେତିକି ନ ବାଧିଲା , ତା'ଠାରୁ ଅଧିକ ବାଧିଲା ସ୍ୱାମୀଙ୍କ ହେଉଥିବା ଅବହେଳା ପାଇଁ । ଦାଶେ କିନ୍ତୁ ନିର୍ବିକାର ଥିଲେ । ଦୁର୍ଭାଗ୍ୟକୁ ପରଦିନ ସକାଳେ ମାର୍ବଲ ଚଟାଣରେ ବୁଢୀର ଗୋଡ ମୋଡି ହୋଇ ଫୁଲିବା ଆରମ୍ଭ ହେଲା ।
ଗାଁ'ରେ ମୋ ଗୋଡ଼ ଭଲ ହୋଇଯିବ କହି କମଳା ଦେବୀ ଘରକୁ ବାହାରିଲେ ।
'ନନା ! ବୋଉକୁ ଟିକେ ବୁଝାଅ , ଆଉ ଦୁଇ ଦିନ ରହିଯାଉ ' ; ବାଟସାରା ଏତକ କହି କହି ପୁଅ ଆଣି ବସଷ୍ଟାଣ୍ଡରେ ଛାଡିଦେଇ ଗଲା ।
ବସ ଛାଡିଦେଲା । କମଳା ଦେବୀ ଝରକା ପାଖ ସିଟରେ ବସି ବାହାରକୁ ଚାହିଁଛନ୍ତି । ମଝିରେ ମଝିରେ ଆଖି ଟିକିଏ ପୋଛି ଦେଇ ପୁଣି ବାହାରକୁ ଦେଖୁଛନ୍ତି । ଗୋଟିଏ ଷ୍ଟପେଜରେ ବଟକୃଷ୍ଣ ବାବୁ ସିଟ ଛାଡି ଓହ୍ଲାଇଲେ । ପଛେ ପଛେ କମଳା ଦେବୀ ମଧ୍ଯ ଓହ୍ଲାଇ ପଡ଼ିଲେ ।
'ଏଇଟା କେଉଁ ଯାଗା '? କମଳା ଦେବୀ ପଚାରୁ ଥିଲେ । ଦାଶେ କିଛି ନଶୁଣି ଅଟୋରିକ୍ସାକୁ ଡାକିଲେ ।
କିଛି ସମୟ ପରେ ଗନ୍ତବ୍ୟ ସ୍ଥଳ ଆସିଗଲା । ସ୍ଥାନଟି ଥିଲା ଓଲଟପୁର ମେଡିକାଲ । ହାଡଭଙ୍ଗାର ଚିକିତ୍ସା ପାଇଁ ପ୍ରସିଦ୍ଧ । ବଟକୃଷ୍ଣ ବାବୁ କାଉଣ୍ଟରରୁ ଟିକେଟ ଆଣିଲେ । ବୁଢୀର ଗୋଡ ଏଠାରେ ଦେଖାଇ ଦେଇ ଯିବେ । ପରାମର୍ଶ ପାଳି କିନ୍ତୁ ଦିନକ ପରେ ।
'ଏବେ କ'ଣ କରିବା '? କମଳା ଦେବୀ ପଚାରିଲେ ।
'ମୋର ଜଣେ ସଂପର୍କୀୟ ଏଠାରେ ଅଛନ୍ତି । ତାଙ୍କରି ଘରେ ରାତିଟେ ରହି ସକାଳୁ ଔଷଧ ନେଇ ଘରକୁ ଯିବା 'I ଏତକ କହି ଦାଶେ ଅଟୋରିକ୍ସା ଡାକିଲେ ।
ନଈ ନାଳ , ତୋଟା , ଗହୀର ଇତ୍ୟାଦି ଅତିକ୍ରମ କରି ଗାଡ଼ି ଚାଲିଛି । ଗୋଟାଏ ସ୍ଥାନରେ ଓହ୍ଲାଇ ଦାଶେ କାହାକୁ ରାସ୍ତା ପଚାରିଲେ । ଭାଗ୍ୟକୁ ଡ୍ରାଇଭରଟି ସେ ଲୋକକୁ ଜାଣିଥିଲା । ଗାଡି କୁଆଡେ ଯାଉଛି , କାହା ଘରକୁ ଯାଉଛି , ଏସବୁ ଜାଣିବା ପାଇଁ କମଳା ଦେବୀଙ୍କର ଆଗ୍ରହ ନଥିଲା ।
କିଛି ସମୟ ପରେ ଗୋଟିଏ ଘରର ସାମ୍ନାରେ ଗାଡି ଠିଆ ହେଲା । ଦ୍ଵାର ଭିତରୁ ବନ୍ଦ ଥିଲା । ଜଞ୍ଜିର ବାଡେଇ ଶବ୍ଦ ଦେବାରୁ ଦ୍ଵାର ଖୋଲିଲା । ଦ୍ଵାର ଖୋଲିଥିଲା ନିଜେ ମିଲି । ଆଉଥରେ ନିଜ ଆଖିମଳିସାରି ମିଲି ଚାହିଁଲା । ' ଆଲୋ ମୋ ବୋଉଲୋ' ବୋଲି ଗୋଟାଏ ରଡି ଛାଡି ମିଲି ବେହୋସ ହୋଇ ତଳେ ପଡ଼ିଗଲା । 'ମୋ ଝିଅର କଣ ହେଲା' କହି କମଳା ଦେବୀ ମିଲିକୁ ତଳୁ ନିଜ କୋଳକୁ ସାଉଁଟି ଆଣୁଥିଲେ । ବଟକୃଷ୍ଣ ବାବୁ ଟିକିଏ ଦୂରରେ ରହି ନିଜ ଆଖିରେ ଗାମୁଛାଟାକୁ ମାଡି ଧରିଥିଲେ ।
ଏ ମହାମିଳନଟିକୁ ପାଖ ସାଇ ପଡ଼ିଶା ଲୋକେ ଦେଖିବା ଭିତରେ ନିଜ ନିଜ ଆଖିରୁ ଲୁହ ପୋଛୁ ଥିଲେ ।
ମିଲିର ବରାଦ ମୁତାବକ ବାଡି ଗଡିଆରୁ ମାଛ ଧରା ହେଲା । ରୋଷେଇ ଟିକିଏ ଡେରି ହେଲେ ବି ବହୁଦିନ ପରେ ବୁଢା ବୁଢୀ ଦୁଇଜଣ ପେଟପୁରା ଖାଇଲେ । ବାଡ଼ି ଲେଉଟିଆ ଶାଗ ଭଜା ସାଙ୍ଗକୁ ସୋରିଷବଟା ଦିଆ ମାଛ ବେସର ବେଶ୍ ସୁଆଦିଆ ଲାଗିଲା । ଦାଶେ ଦୁଇ ନାତି ନାତୁଣିଙ୍କ ସହ ଖେଳିବା ଭିତରେ ଖୁବ ହସୁଥିଲେ । ଦଶବର୍ଷର ଜମାଟ ବନ୍ଧା ହସ, ସୀମା ମାନୁ ନଥିଲା । ଏଥି ସହିତ କମଳା ଦେବୀଙ୍କର ଓଠରେ ହସ ସହିତ ଆଖିରେ ଲୁହ ଖୁବ ଦର୍ଶନୀୟ ଥିଲା । ଏକ ନିର୍ମଳ ତୃପ୍ତି ।
* * *
ପନ୍ଦର ଦିନ ଅତିକ୍ରାନ୍ତ ହୋଇଗଲାଣି । କମଳା ଦେବୀଙ୍କର ଗୋଡ ଭଲ ହୋଇଗଲାଣି । କେମିତି ଭଲ ହବନି ଯେ ? ଔଷଧ ସହ ମିଲି ହାତରୁ ଗୋଡ଼ଘଷା ଖାଇବା ପରେ ରୋଗ ଆଉ କ'ଣ ରହନ୍ତା ? . . . ବୁଢା ବୁଢୀ ମିଲି ଘରୁ ଆସି ପାରୁ ନାହାଁନ୍ତି କି ମିଲି ସେମାନଙ୍କୁ ଛାଡୁନାହିଁ ।. . . ଆମେ ଗ୍ରାମବାସୀ ଅପେକ୍ଷା କରି ରହିଛୁ । ଏଥରକ ଦାଶେ ଫେରିଲେ , ଆମ ପାଇଁ ନ୍ୟାୟରେ ବସିବେ ; ଭାଗବତ ଟୁଙ୍ଗିରେ ପୁରାଣ ପଢ଼ା ହେବ ।