Nityananda Nandi

Classics Inspirational

3  

Nityananda Nandi

Classics Inspirational

ମିଛ

ମିଛ

5 mins
165



ବୟସ ହେଇଗଲେ ଦେହଟା ପଥର ପାଲଟି ଯାଏ। ଆଶଙ୍କାରେ ଭରିଯାଏ ମନଟା... ଅସ୍ତବ୍ୟସ୍ତ ଲାଗେ। ରାତିରେ ପ୍ରାୟ ଆଉ ନିଦ ହୁଏନି ! ହଁ, ମୁଁ ଅନେଇ ରହିଥାଏ କାନ୍ଥରେ ଝୁଲୁଥିବା ମୋ ଶାଶୁଙ୍କ ଫଟୋ ଆଡକୁ। ଆଖିରେ ନିଦ ନ ଥିଲେ ଯାହା ହୁଏ ଠିକ୍ ତାହା ହିଁ ହେଲା। ମନ ଯାଇ ବୁଲୁଥିଲା ସୁଦୂର ଅତୀତରେ। ଚଳଚିତ୍ର ପରି ନାଚି ଯାଉଥାଏ ସେଦିନର ସେଇ ଛୋଟ ଛୋଟ ଘଟଣା ସବୁ।


ନୂଆ ନୂଆ ବାହା ହୋଇ ଆସିଥାଏ ମୁଁ ଶାଶୁ ଘରକୁ। ଶାଶୁ ଭାରି ମେଳାପି ଥିଲେ। ମନକୁ ମୋହି ନେଉଥଲେ କେମିତି କେଜାଣି !! କାମଦାମ ସରିଗଲେ ବାଲକୋନୀକୁ ମୋତେ ଟାଣି ନେଇ ଯାଆନ୍ତି ମୋ ଶାଶୁମା । ଭାରି ମଜାଳିଆ , ହସି ହସି ମୁଁ ବେଦମ୍ ହୋଇଯାଏ ତାଙ୍କ ହସଭରା କଥାରେ। ମୋ ସ୍ବାମୀ ବିଜୟ କିନ୍ତୁ ପ୍ରାୟ କଥା ହୁଅନ୍ତି ନାହିଁ ମୋ ଶାଶୁଙ୍କ ସହିତ। ସେ ଥିଲେ ତାଙ୍କର ସାବତ ମାଆ। ଏତେ ବଡ ମମତାର ସମୁଦ୍ର ଥାଇ ବି ଶୋଷ ଲାଗେନି...ଜୀବନରେ କି ଅଦ୍ଭୁତ ଏ ବିଡମ୍ବନା।


ବୋହୂ କମ୍, ବେଶି ବାନ୍ଧବୀ ହୋଇ ଉଠିଲି ଧୀରେ ଧୀରେ ମୁଁ ମୋ ଶାଶୁଙ୍କ ସହିତ। ଶ୍ଵଶୁର ବି ବହୁତ ଭଲ ପାଉଥିଲେ ମୋ ଶାଶୁମାଙ୍କୁ। ସେ କୁଆଡେ ପାଖରେ ନ ଶୋଇଲେ ମୋ ଶ୍ଵଶୁରଙ୍କୁ ନିଦ ହୁଏନି । ଅନେକ ଥର ମୁଁ ଦେଖିଛି, ଆମେ ଦୁହେଁ ଗପୁ ଗପୁ ସମୟ ଭୁଲିଯାଉ। ଶ୍ଵଶୁର ସିଧା ଡାକନ୍ତି ନାହିଁ ମୋ ଶାଶୁଙ୍କୁ। ବାଲକୋନୀକୁ ଲାଗି ଡାଇନିଂ ହଲ ଭିତରକୁ ଆସି ହାଇ ମାରିବାର ଅଭିନୟ କରନ୍ତି। ଶାଶୁ ହସିଦେଇ କହନ୍ତି ଯା ଶୋଇବୁ, ତୋ ଶ୍ଵଶୁର ଶୋଇବେ ବୋଲି ବ୍ୟସ୍ତ ହେଲେଣି। ଲାଜେଇ ଯାଆନ୍ତି ! ମୁଁ ବି ହସିଦିଏ। ମେଘ ଅପସରି ଗଲେ ଜହ୍ନ ବେକାବୁ ହୋଇ ଉଠେ ପୃଥିବୀ କୁ ଛୁଇଁବ। ସ୍ନେହ, ମମତା ପ୍ରେମର ପରିଭାଷା ବି ଠିକ୍ ସେମିତି। କିଛି ସମ୍ପର୍କ ଭିତରେ ଇଶାରା ହିଁ ଯଥେଷ୍ଟ। 


ବିଜୟ କିନ୍ତୁ ବହୁତ ଅଲଗା ଥିଲେ ତାଙ୍କ ବାପାଙ୍କଠୁ। ଶାଶୁଙ୍କ ସହିତ ଦିନେ ଗପୁ ଗପୁ ରାତି ବାରଟା ବାଜି ଯାଇଥିଲା ଜାଣି ପାରିଲି ନାହିଁ। ବିଜୟ ଆସି ମୋତେ ଇଂରାଜୀ ଭାଷାରେ ଗାଳି କଲେ। ଶାଶୁମା ଇଂରାଜୀ ବୁଝି ପାରନ୍ତି ନାହିଁ, ସେଇଥି ପାଇଁ ବୋଧେ....

ସେତେବେଳେ ମୁଁ ଭାରି କ୍ଷଣରାଗି ଥିଲି ସ୍ୱଭାବରେ। ମୋ ରକ୍ତଚାପ ବଢ଼ିଗଲା। ସିଧା ଯାଇ ଶ୍ଵଶୁରଙ୍କୁ କହିଲି ସବୁ କଥା। ନିଜକୁ ନିୟନ୍ତ୍ରଣ କରି ନେଇଥିଲେ ପୁଣି ସମାଧାନ ହୋଇ ଯାଇ ଥାଆନ୍ତା ଛୋଟ କଥାଟି। ଧ୍ରୁବ ତାରା ଓ ଉତ୍ତର ଆକାଶ। ସେମାନଙ୍କୁ ଛାଡି ପ୍ରେମ କାହାଣୀର ପରିକଳ୍ପନା ଅସମ୍ଭବ। ବିଜୟ ବି ଚାହୁଁ ଥିଲେ ତୃଷ୍ଣା ସବୁବେଳେ ତାଙ୍କ ପାଖେ ପାଖେ ରହନ୍ତୁ, ବିଜୟଙ୍କ ପ୍ରେମ ଭରା ମନଟା ଭାରି ଉଛନ ଥିଲା ସେଦିନ। କଥାଟିକୁ ବୁଝିଲା ବେଳକୁ ମୁଁ ବହୁତ ବଡ ଭୁଲ କରି ସାରିଥିଲି ବୋଧେ। 


ମନେ ଅଛି। ସକାଳର କଅଁଳିଆ କିରଣ ବିଛେଇ ହୋଇ ପଡିଥାଏ ଘର ଆଗ ବଗିଚାରେ। ଟେବୁଲ ଗୋଲାପ ଗଛର ଛୁଞ୍ଚି ସଦୃଶ ପତ୍ର ଉପରେ ଶିଶିର ବିନ୍ଦୁ ଚହଟୁ ଥାଏ। ଗୋଲାପି ଫୁଲ ଉପରେ ଗୋଲାପି ପ୍ରଜାପତି। ଆଖି ଯାଇ ଫୁଲ ପଟାଳି ଉପରେ ଲାଖିବା ପୂର୍ବରୁ ମୋ ପାଖରେ ପଡିଥିବା ଚେୟାର ଉପରେ ଶ୍ଵଶୁର ଆସି କେତେବେଳୁ ବସି ସାରିଥିଲେ ମୁଁ ଜାଣି ପାରିନି। ମୋ ସ୍ବାମୀ ବିଜୟ ଆସି ବସିଲେ ବାପାଙ୍କ ଆଗରେ। ବିବାହର ଠିକ ତିନି ମାସ ଭିତରେ ଘଟିଥିବା ଘଟଣାକୁ ନେଇ ମୋ ଶ୍ଵଶୁର ଯେତିକି ବିବ୍ରତ ଥିଲେ ତା ଠାରୁ ବେଶି ଚିନ୍ତାରେ ମୁଁ ଥିଲି କିଛି ଭୁଲ କରିନି ତ ମୋ ସ୍ବାମୀଙ୍କ ବିରୁଦ୍ଧରେ ମହାଅଭିଯୋଗ ଆଣିକି, ପୁଣି ଶ୍ଵଶୁରଙ୍କ ଆଗରେ। 

ଚାଳିଶ ବର୍ଷ ବୟସରେ ଭାରତୀୟ ସୈନ୍ୟ ବିଭାଗ ରୁ ଅବସର ପରେ ହିଁ ସ୍ତ୍ରୀଙ୍କୁ ହରେଇ ଥିଲେ ମୋ ଶ୍ଵଶୁର। ସଂସ୍କାର ଓ ଅନୁଶାସନକୁ ଭିତ୍ତି କରି ବିଚାର କରନ୍ତି ସେ। ବିଜୟଙ୍କୁ ମାତ୍ର ଦଶ ବର୍ଷ ସେତେବେଳେ। ପୁନର୍ବିବାହ ଥିଲା ଏକମାତ୍ର ବିକଳ୍ପ ତାଙ୍କ ପାଇଁ।

କାହିଁକି କେଜାଣି ବିଜୟଙ୍କ ସାଥିରେ ଖାସ୍ ଏମିତି କିଛି ସମ୍ପର୍କ ନ ଥିଲା। ଚେଷ୍ଟା କରି ବି ବିଜୟଙ୍କ ହୃଦୟ କୁ ଜିତି ପାରୁ ନ ଥିଲେ ତାଙ୍କ ସାବତ ମା। କୈକେୟୀ ଓ କୌଶଲ୍ୟା, ପୃଥିବୀର ସବୁ ବେଦନା ସେମାନଙ୍କ ଗଳ୍ପରେ। ମା ଓ ସାବତ ମାଆ, ପୂର୍ଣ୍ଣମୀ ଓ ଅମାବାସ୍ୟାର ପାର୍ଥକ୍ୟ। ନିଜ ରକ୍ତରେ କଣ ସବୁକିଛି ?ସ୍ନେହ ମମତାର ରଙ୍ଗ କିନ୍ତୁ ଅଭିନ୍ନ। ମା'ଠୁ ହେଉ କିମ୍ବା ସାବତ ମା'ଠୁ। ଏତେ କଥା ପାଇଁ ମୋ ମନ ଭିତରେ ଜାଗା ନ ଥିଲା। ବିଚଳିତ ହୋଇ ଉଠୁଥିଲା ମୋ ମନଟା। ମୋ ଶ୍ଵଶୁର କିନ୍ତୁ ବହୁତ ଭଲ ପାଉଥିଲେ ଉଭୟଙ୍କୁ।

ତ୍ରିକୋଣୀୟ ସରଳ ସୂତ୍ରରେ ସମ୍ପର୍କର ତ୍ରିଭୁଜଟା କିନ୍ତୁ ବେଶ୍ ମଜବୁତ୍ ଥିଲା । ତାଙ୍କ ଘରେ ଅଳ୍ପ ଦିନର ରହଣି ଭିତରେ ମୁଁ ବି ବୁଝିଲି ଯେ ବିଜୟ ସାବତ ମାଙ୍କୁ କେବେ ମା ବୋଲି ନ ଡାକୁ ଥିଲେ ମଧ୍ୟ ବୁଝାମଣାରେ କିଛି ଅଭାବ ନ ଥିଲା। ବେଶ୍ ସୁନ୍ଦର ଲାଗୁଥିଲା ପରିବାରଟି। ଶ୍ଵଶୁରଙ୍କ ଅତୁଟ ବିଶ୍ୱାସ ଥିଲା ମୋ ଶାଶୁଙ୍କ ଉପରେ, କାରଣ ସେ କୁଆଡେ କେବେ ମିଛ କହନ୍ତି ନାହିଁ। ତାଙ୍କର ପ୍ରତିଟି କଥା ବେଦର ଗାର ବୋଲି ମୋ ଶ୍ଵଶୁର କହନ୍ତି।

ଆଜି ଘରୋଇ ବିଚାରରେ ବିଜୟ ନିଶ୍ଚୟ ହାରିଯିବେ, ଏଥିରେ ସନ୍ଦେହ ନ ଥିଲା। ବିଜୟ ମୋତେ ଗାଳି କଲେ ଶାଶୁମା ଙ୍କ ଆଗରେ। ଗୋଟେ ପକ୍ଷେ ଶାଶୁମା ମିଛ କହନ୍ତି ନାହିଁ ଅନ୍ୟ ପକ୍ଷରେ ବିଜୟଙ୍କ ପାଇଁ ଖାସ୍ ସେମିତି ଆନ୍ତରିକତା ନ ଥିଲା। ସୁତରାଂ ବିଜୟଙ୍କ ହାରିବା ସୁନିଶ୍ଚିତ ଏବଂ କଠୋର ଦଣ୍ଡରେ ଦଣ୍ଡିତ ହେବେ ବୋଲି ଚୁପ ଚାପ୍ ବସିଥିଲେ ବିଜୟ ବାପାଙ୍କ ଆଗରେ। ମୁଁ ଥରୁଥିଲି, କଣ ହେବ ତା ପରେ !!!


ଶ୍ଵଶୁରଙ୍କ ପ୍ରଶ୍ନ ଭିତରେ ଛୁପି ରହିଥିଲା ଆକାଶ ଭରା ଗାମ୍ଭିର୍ଯ୍ୟ। ଶାଶୁ ଡରିଗଲେ କେମିତି ଉତ୍ତର ଦେବେ !!

କୁହ ! ବିଜୟ ବୋହୂକୁ ଗାଳି କରିଛି କି ନା...

ନା...

ଶ୍ଵଶୁର ସିଧା ଉଠି ଚାଲିଗଲେ ତାଙ୍କ ରୁମ୍ ଭିତରକୁ। ମୋ ମୁଣ୍ଡ କାମ କଲାନି କିଛି ମୁହୂର୍ତ୍ତ ପାଇଁ। ଶାଶୁ ମିଛ କହିଲେ କାହିଁକି ? ତଳକୁ ମୁହଁ କରି ଶାଶୁମା ବସି ରହିଲେ ଶୁଷ୍କ ଉଇ ହୁଙ୍କା ପରି। ବିଜୟ ଅନେଇଥିଲେ ସାବତ ମା'ଙ୍କୁ। ଦୁଇ ଟୋପା ଲୁହ ବୋହି ଆସିଥିଲା ତାଙ୍କ ଗାଲ ଦେଇ। ଶାଶୁ ଉଠିଗଲେ। ଆମେ ଦୁହେଁ ଆମ କୋଠରୀ ଭିତରେ ପଶିଲୁ। ବିଜୟ ମୋତେ କୋଳେଇ ନେଲେ। ସଞ୍ଜ ହେଲେ ପୃଥିବୀ କୋଳେଇ ନିଏ ଅସ୍ତମିତ ଅରୁଣ ଙ୍କୁ। କ୍ଳାନ୍ତି ମେଣ୍ଟିଯାଏ, ବେଙ୍ଗ କହେ ବେଙ୍ଗୁଲି ଲୋ ପୃଥିବୀ କ୍ଷଣ କ୍ଷଣ କେ ଆନ। ବେଙ୍ଗ କୋଳେଇ ଧରେ ବେଙ୍ଗୁଲିକୁ। ସେମାନଙ୍କ ପ୍ରେମ ଗଳ୍ପ ବି ଠିକ୍ ସେମିତି। ଭୁଲିଗଲି ଗତ କାଲି ଘଟିଥିବା ଘଟଣା ସବୁ। ଲୀନ ହୋଇ ଗଲି ବିଜୟଙ୍କ ପ୍ରେମ ସମୁଦ୍ରରେ।  


ଦିନେ ପରେ ଆମେ ମୁମ୍ବାଇ ଫେରିବୁ ବୋଲି ଏୟାରପୋର୍ଟ ଯିବାକୁ ଟ୍ୟାକ୍ସି ଛିଡା ହୋଇଥିଲା ଘର ଆଗରେ। ଶାଶୁମା ଦଉଡି ଦଉଡି ଆସି କହିଲେ ଆରେ ବିଜୟ ତୁ ତୋ ଚଷମା ଛାଡି ଯାଇଛୁ। 

ନା ମା ! ଛାଡି ଯାଇନି, ଏଇଟା ତମ ପାଇଁ ମୁଁ କାଲି କିଣିଛି। କାଲି ତମେ ତରକାରିରେ କଳାଜିରା ଛୁଙ୍କ ପରିବର୍ତ୍ତେ ସୋରିଷ ପକେଇ ଛୁଙ୍କ ଦେଇଥିଲ। ବାପା ଗାଳି ନ କରି ଫେଏଁ କରି ହସିଦେଲେ। ତମେ ବି ହସିଦେଲ। ଅସହାୟତାକୁ ମୁଁ ଦେଖୁଥିଲି ତମ ହସ ଭିତରେ। ତମେ ଆଖିରେ କମ୍ ଦେଖ ବୋଲି କାଲି ଜାଣିଲି କହି ସାବତ ମାଆଙ୍କୁ କୋଳେଇ ନେଲେ ବିଜୟ। ଦୁହିଁଙ୍କ ଆଖିରେ ଲୁହ ଦେଖି ମୁଁ ବି ସମ୍ଭାଳି ପାରିଲିନି ମୋ ନିଜକୁ"


ନିଦ ହେଉ ନ ଥାଏ, ଉଠିଯାଇ ଶାଶୁମା'ଙ୍କ ସେଇ ଚିଠିଟି କୁ ଆଉ ଥରେ ପଢିଲି। ତିରିଶ ବର୍ଷ ଭିତରେ ପଚାଶରୁ ଅଧିକ ଥର ମୁଁ ପଢ଼ିଛି ତାଙ୍କ ଚିଠିକୁ। କେତେ ଯାଦୁ ଥାଏ ସେ ଚିଠିରେ..


ସ୍ନେହର ତୃଷ୍ଣା


ମନ ଥରେ ଭାଙ୍ଗି ଗଲେ ପରିବାରଟା ଭାଙ୍ଗିଯାଏ ! ମୁଁ ଜାଣି ଶୁଣି ସେଦିନ ମିଛ କହିଲି। କ୍ଷମା କରିଦେବୁ। ଝିଅ ମାନେ ସର୍ବସହା, ତୁ ସବୁ ସହିଯିବୁ ବୋଲି ମୋର ବିଶ୍ବାସ ଥିଲା। ଝଗଡାଝାଟି କୁ ମୁଁ ଭାରି ଭୟ କରେ ତୃଷ୍ଣା। ଘରଟା ଭାଙ୍ଗିବାକୁ ଆଉ କେତେ ସମୟ ଲାଗେ ଯେ !!! ମୁଁ ଜାଣିଛି ତୋ ଶ୍ଵଶୁର ଥରେ ରାଗିଗଲେ କଠୋର ସିଦ୍ଧାନ୍ତ ନେବାକୁ ଜମାରୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଯାହା ଘଟୁ ପଛେ ତେଣିକି। ଜୀବନରେ ବିଜୟ କେବେ ମା ବୋଲି ମୋତେ ଗ୍ରହଣ ନ କଲେ ମଧ୍ୟ ମୁଁ ଚାହୁଁଥିଲି ଆମ ପରିବାରର ଗୌରବ ଅକ୍ଷୁର୍ଣ୍ଣ ରହୁ। କ୍ଷମା କରିବୁ ତୃଷ୍ଣା, ଭୁଲ ବୁଝିବୁନି। ତୋ ଶାଶୁମା


ଆଖିରୁ ଦୁଇ ଟୋପା ଲୁହ ବୋହି ଆସିଲା। ଶାଶୁମାଙ୍କ ଫଟୋକୁ ଅନେଇଲି, ଆଉଥରେ। ବିଜୟଙ୍କ ସେଇ ଚଷମା ପିନ୍ଧି ଫଟୋ ଉଠେଇ ଥିଲେ ଆମ ଗାଆଁ ଷ୍ଟୁଡ଼ିଓରେ , ମୋର ସ୍ପଷ୍ଟ ମନେ ଅଛି।ବୁଝିଲି, ମା ଓ ଶାଶୁମା ଙ୍କ ଭିତରେ ସୂକ୍ଷ୍ମ କାଳ୍ପନିକ ରେଖାଟିଏ ମାନସିକ ଦ୍ଵନ୍ଦକୁ ଆମନ୍ତ୍ରଣ କରିଥାଏ, ରେଖାଟିକୁ ଭୁଲି ଯିବାକୁ ହୁଏ। ଦୁଇ ସମୁଦ୍ର ମିଶି ମହାସମୁଦ୍ର ବନିଯାଏ ଆମ ଅଜାଣତରେ। ତାଙ୍କରି ସେଦିନର ସେଇ ମିଛ ପାଇଁ ଆଜି ଏତେ ବର୍ଷ ପରେ ମୁଁ ଶୋଇଛି ବିଜୟଙ୍କ ପାଖରେ । ଥରେ ମନ ଫଟାଫଟି ହେଲେ ଆଉ ଯୋଡି ହୁଏନି। ବହୁତ ବଡ ଦୁର୍ଘଟଣାରୁ ଆମେ ଦୁହେଁ ବର୍ତ୍ତି ଗଲୁ, ତା ନ ହେଲେ କଣ ହେଇଥାନ୍ତା କେଜାଣି !! ଶାଶୁମାଙ୍କ ଗୋଟାଏ ମିଛ ଆମକୁ ବଞ୍ଚେଇ ଦେଲା। ସେଇଟା ହିଁ ଥିଲା ଆମ ଜୀବନର ପ୍ରଥମ ଓ ଶେଷ ଝଗଡା। ଦୁନିଆ ଛାଡି କେବେଠୁ ଗଲେଣି ମୋ ଶାଶୁମା। ଶ୍ଵଶୁରଙ୍କ ଠିକ୍ ପରେ ପରେ। 

ନିଦ ଲାଗୁଥିଲା, ଲାଇଟ୍ ଅଫ କରି ବିଜୟଙ୍କୁ କୁଣ୍ଢେଇ ଶୋଇଲି ମୁଁ ନିଘୋଡ ନିଦରେ..।



Rate this content
Log in

Similar oriya story from Classics