ମହକ ଗୋଲାପର
ମହକ ଗୋଲାପର
ମୁଖ୍ୟ ରାସ୍ତାରୁ ସାଇ ମନ୍ଦିର ମୋଡ଼ରେ ଗାଡି ବୁଲେଇଲା ବେଳେ ଭୁଷ୍ କରି ଗୋଟେ ସାତ ଆଠ ବର୍ଷର ଫୁଲପକା ଫ୍ରକ୍ ପିନ୍ଧିଥିବା ମଥାରେ ମେଞ୍ଚେ ଝାମ୍ପୁରା କେଶ ସହିତ ଅତ୍ୟନ୍ତ ବିଷର୍ଣ୍ଣ ଦେଖା ଯାଉଥିବା ଝିଅଟି ସୁଜିତଙ୍କ ଗାଡି ଆଗକୁ ହାତ ହଲେଇ ହଲେଇ ମାଡି ଆସିଲା । ସମସ୍ତ ଶକ୍ତି ପ୍ରୟୋଗ କରି ବ୍ରେକକୁ କଷି ଦେଲେ ସୁଜିତ । ଚିତ୍କାର କରି ଗର୍ଜି ଉଠିଲେ ସେଇ ଅପରିଣାମଦର୍ଶୀ ଝିଅଟାକୁ।
"ହେ ହେ ଝିଅ...... ଆରେ ତତେ ଦେଖା ଯାଉ ନାହିଁ ନା ପାଗଳ ହେଇ ଯାଇଛୁ ! ଗାଡିଟା ମାଡି ଯାଇଥିଲେ କଣ ହେଇଥାନ୍ତା ! "
ସକାଳ ନଅଟା ବେଳେ ବି ତାଙ୍କ ଆଖିରୁ ଯେପରି ଜୁଳୁଜୁଳିଆ ପୋକ ବାହାରି ଆସିଲା । କେଡେ ବଡ଼ ଆସନ୍ନ ବିପଦଟେ ଟଳିଗଲା ! ଯଦି ବ୍ରେକଟା ଠିକ୍ ସମୟରେ ନ ଲାଗିଥାନ୍ତା ତେବେ ତାଙ୍କ ଆଖି ଆଗରେ ସେଇ ନିରୀହ ନିଷ୍ପାପ ଶିଶୁଟିକୁ ତାଙ୍କର ଯନ୍ତ୍ର ଦାନବଟି ମାଡି ମକଚି ଭୂମିରେ ଲୋଟେଇ ଦେଇଥାନ୍ତା । ସ୍ୱଗତୋକ୍ତି କରି ସାଇବାବାଙ୍କୁ ବାରମ୍ବାର ପ୍ରଣାମ କରି ପକେଇଲେ ନିଜ କପାଳ ଓ ବକ୍ଷକୁ ଛୁଇଁ । ଗାଡିର କାଚକୁ ତଳକୁ ଆଣି କଡ଼ ମଡ଼ କରି ସେ ଝିଅକୁ ଅନେଇଲେ ଯେମିତି ତାକୁ କଞ୍ଚା ଖାଇଯିବେ ଓ ଯେତେ ରକମ ଗାଳି ସେ ସଞ୍ଚୟ କରି ରଖିଛନ୍ତି ତାହା ବାନ୍ତି କରି ପକେଇବେ । ଝିଅଟି ବି ଅତି ଭୟଭୀତ ଭାବରେ କାକୁସ୍ତ ହୋଇ ଗାଡି ଡୋର୍ ପାଖକୁ ଆସି ଅନୁନୟ ବିନୟ ହୋଇ କହିଲା,
"ବାବୁ ଗୋଟେ ଗୋଲାପ ଫୁଲ ନିଅ । ବାବାଙ୍କୁ ଦେବ । ସକାଳୁ ଏ ପର୍ଯ୍ୟନ୍ତ ଗୋଟେ ହେଲେ ଫୁଲ ବିକ୍ରି ହୋଇନାହିଁ ।"
ଝିଅଟିକୁ ନିରୀକ୍ଷଣ କଲେ ସୁଜିତ । ହାତରେ ଗୋଛାଏ ଗୋଲାପ ଫୁଲ ଧରିଛି । ମୁହଁଟି ତାର କିନ୍ତୁ ବାସି ମଉଳା ଫୁଲ ପରି ନିରସ ଦେଖା ଯାଉଛି । ଝାମ୍ପୁରା କେଶରେ ବୋଧହୁଏ କୋଉ କାଳରୁ ତେଲ ମରା ଯାଇନାହିଁ । ବିନା ଚପଲରେ ତା ଗୋଡ ଦୁଇଟି ଦେଖା ଯାଉଚି ନୁଖୁରା ନୁଖୁରା ମରୁଡି ପ୍ରପୀଡ଼ିତ ଶୁଷ୍କ, ନିଷ୍କର ଫଟା ଧାନ ବିଲ ପରି । ଗୋଟିଏ ଅପରାଧୀ ପରି ସେ ବିକଳ ହୋଇ ଗୋଲାପଟିଏ କିଣିବା ପାଇଁ ସୁଜିତଙ୍କୁ ବାରମ୍ବାର କରୁଛି ଅନୁରୋଧ । ସୁଜିତଙ୍କ ପିତ୍ତ ମୁଣ୍ଡ ଉପରକୁ ଚଢି ଯାଇଥିଲା, ରାଗ ପଞ୍ଚମରେ ପହଞ୍ଚି ବିସ୍ଫୋରଣ ହେବାକୁ ଅପେକ୍ଷା କରିଥିଲା । କିନ୍ତୁ ସେ କିଛି କହି ପାରିଲେ ନାହିଁ । ଏମିତି ବି ସମୟେ ସମୟେ ହୁଏ ଯାହା କହିବାକୁ ମନ କରିଥିବ, ତାହା ଭିତରୁ ଆସି ଜୀହ୍ୱା ପାଖରେ ଅଟକି ଯାଏ ।
ମୃଦୁ ତାଗିଦ୍ କଲାଭଳି ପଚାରିଲେ ସୁଜିତ,
"ଆରେ ହେ ଝିଅ, ତତେ କିଏ କହିଛି ଫୁଲ ବିକିବାକୁ ? ତୋ ସାଥିରେ କିଏ ଅଛି ? ଏମିତି କଣ ଗାଡି ଆଗକୁ ଦୌଡ଼ି ଆସନ୍ତି ? ଗାଡି ଘୋଡା କଥା, ଯଦି ଚଢି ଯାଇଥାନ୍ତା ? "
ସୁଜିତ ଭାବୁଥାନ୍ତି ସେଇ ମନ୍ଦିର ପାଖ ଦୁଇ ଫୁଲ ଦୋକାନୀ ମଧ୍ୟରୁ କିଏ ଜଣେ ଏଇ ବାଳ ଶ୍ରମିକକୁ ନିୟୋଜନ କରିଛି ଅଧିକ ଲାଭ ପାଇଁ । ଆଜି ତାକୁ ପାନେ ଚଖେଇବେ ପୋଲିସ ହାତରେ ଦେଇ।
ଝିଅଟି କିନ୍ତୁ କାନ୍ଦ କାନ୍ଦ ହେଇ କହି ପକେଇଲା, "ନାଇଁ ବାବୁ ମୋ ସାଙ୍ଗରେ କେହି ନାହାନ୍ତି । ମାଆ ମୋର ଯାଇଛି ବାବୁ ଘରକୁ କାମ କରିବା ପାଇଁ । ମୁଁ ଆସିଛି ଫୁଲ ବିକିବା ପାଇଁ । ଯୋଉ ଲାଭ ହୁଏ ମାଆ ସେଥିରେ ସଉଦା ଆଣେ।"
"ଆଉ ତୋ ବାପା ?"
"ମୁଁ ବାପାକୁ ଦେଖିନାହିଁ । ମୋ ଜନ୍ମ ଆଗରୁ ସେ ମରି ଯାଇଛନ୍ତି । ମାଆ ଆଉ ମୁଁ ସେଇ ପାଖ ବସ୍ତିରେ ରହୁ ।" ଝିଅଟିର ଆଖି ଢଳ ଢଳ ।
ସୁଜିତ ଆନମନା ହେଇଗଲେ । ଏଇ କଅଁଳ ବୟସରେ ଏଇ ନିଷ୍ପାପ ଶିଶୁଟି ଉପରେ ଘର ଚଳେଇବାର ବୋଝ, ଯେତେବେଳେ କି ସେ କୋଉ ବିଦ୍ୟାଳୟରେ ବିଦ୍ୟା ଆରମ୍ଭ କରୁଥାନ୍ତା କି ସାଙ୍ଗ ମେଳରେ ଖେଳକୁଦରେ ମଜି ମଜା କରୁଥାନ୍ତା।
"ହଉ ଗୋଟେ ଫୁଲ ଦେ, କେତେ ଟଙ୍କା ?"
ଲାଲ ରଙ୍ଗର ଗୋଲାପଟିଏ ବଢ଼େଇ ଦେଲା
"ବାବୁ ଦଶ ଟଙ୍କା"
ସୁଜିତ ଫୁଲଟି ଆଣି କୋଡ଼ିଏ ଟଙ୍କା ନୋଟଟିଏ ବଢେଇ ଦେଲେ।
"ବାବୁ ମୋ ପାଖରେ ଖୁଚୁରା ନାହିଁ।"
"ନାଇଁ ତୁ ସେ କୋଡ଼ିଏ ଟଙ୍କା ରଖ।"
"ନାଇଁ ବାବୁ ମାଆ ରାଗିବ, କହିଛି କାହାକୁ ଠକିବୁ ନାହିଁ କି ଅଧିକ ପଇସା ନେବୁ ନାହିଁ ।"
"ଆଉ ଗୋଟେ ଫୁଲ ଦେଉଛି ବାବୁ, ଏଇଟା ବାବୁଆଣି ମାଆଙ୍କ ମୁଣ୍ଡରେ ଖୋସି ଦେବେ, ସେ ବହୁତ ଖୁସି ହେବେ ।"
ଫିକ୍ କରି ହସି ଦେଇ ଆଉ ଗୋଟେ ବଡ଼ ଲାଲ ଗୋଲାପ ସୁଜିତଙ୍କ ହାତରେ ଜବରଦସ୍ତ ଗେଂଜି ଦେଇ ଝପଟି ଗଲା ଝିଅଟି । ତାର ପାଣ୍ଡୁର ଓ ବିଷର୍ଣ୍ଣ ମୁହଁଟିରେ ସେଇ ଖିଲି ଖିଲି ହସ ଶୀତ ସକାଳର ଶିଶିର ବିନ୍ଦୁ ପରିବେଷ୍ଟିତ ଗୋଲାପ ଫୁଲ ଉପରେ କଅଁଳ ସୂର୍ଯ୍ୟର ସୁନେଲି କିରଣ ପରି ଚିକ୍ ମିକ୍ କରି ଉଠିଲା ।
ଝିଅଟିର କଥାଗୁଡିକ ତାଙ୍କ ତାଙ୍କ ମନ ମଧ୍ୟରେ ପ୍ରତିଧ୍ୱନିତ ହେଉଥାଏ । 'ଗୋଲାପଟି ମାଆଙ୍କ କେଶରେ ଖୋସି ଦେଲେ ସେ ଖୁସି ହେବେ" । ଅଲିଭା ସହିତ ତାଙ୍କ ବିବାହକୁ ଆଠ ବର୍ଷ ହେଇ ଗଲାଣି । ଏଇ ଦୀର୍ଘ ସମୟ ଭିତରେ ସେ ପତ୍ନୀଙ୍କୁ କେବେ ଗୋଲାପଟିଏ ସରାଗରେ ଦେବାର ମନେ ପଡୁନାହିଁ । ଏଇ ଛୋଟ କଥାଟି କିମିତି ତାଙ୍କ ମନକୁ କେବେ ଆସିନାହିଁ, ଭାବି ଆଶ୍ଚର୍ଯ୍ୟ ହେଲେ ସୁଜିତ । ବିବାହର ପ୍ରଥମ କିଛି ବର୍ଷ ପ୍ରେମର ରଙ୍ଗୀନ ଦୁନିଆରେ ଦୁଇଟି ପ୍ରଜାପତି ପରି ଉଡି ବୁଲିଛନ୍ତି ଦୁଇ ଜଣ । ଜୀବନକୁ ଖୁବ ଉପଭୋଗ କରିଛନ୍ତି ଶୃଙ୍ଗାର ରସରେ ଉବୁ ଟୁବୁ ହେଇ । ମନରେ ଭାବନା ଆସିଛି ବୋଧହୁଏ ଦୁହେଁ ଦୁହିଁଙ୍କ ପାଇଁ ଗଢ଼ା ହେଇଛନ୍ତି । କିନ୍ତୁ ପ୍ରଣୟର ପହଲି ନିଶା ଉତୁରି ଗଲା ପରେ ଦୁହିଁଙ୍କ ମନ ଯେତେବେଳେ ବ୍ୟାକୁଳ ହେଇଛି ପର ପିଢ଼ିର କୁଆଁ କୁଆଁ ଶବ୍ଦ ଶୁଣିବା ପାଇଁ, ତାହା ମରୀଚିକା ପରି ଘୁଞ୍ଚି ଘୁଞ୍ଚି ଯାଇଛି । ସମସ୍ତ ପ୍ରକାର ପୂଜା ପାଠ, ଦିଅଁ ଦର୍ଶନ, ଡାକ୍ତରଙ୍କ ପରାମର୍ଶର ଫଳାଫଳ ହୋଇଛି ଶୁନ୍ । ପରସ୍ପର ପ୍ରତି ଥିବା ଅନୁରାଗ, ଆକର୍ଷଣ ଓ ଆସକ୍ତି ପରିଣତ ହେଇ ଯାଇଛି ସନ୍ଦେହ, ଵିତୃଷ୍ଣା ଓ ବୈରାଗ୍ୟରେ । ଯଦିଓ ଡାକ୍ତର ଦୁଇ ଜଣଙ୍କ ମଧ୍ୟରେ କିଛି ବିଲକ୍ଷଣ ଦେଖି ନାହାନ୍ତି, ତଥାପି ସନ୍ତାନଟିଏ ସୃଷ୍ଟି କରିବାର ଅକ୍ଷମତା ପାଇଁ ପରସ୍ପରକୁ ସନ୍ଦେହ କରିବାର କୁହୁଡି ଭିତରେ ଯେ ଏକ ମେଘନାଦ ପ୍ରାଚୀର ସୃଷ୍ଟି ହେଇ ଯାଇଛି ସେ କଥା ଦୁହେଁ ଭଲ ଭାବରେ ଅନୁଭବ କରିଛନ୍ତି ଏଇ କିଛି ବର୍ଷ ହେଲା । ଦୁଇଟି ଶରୀର ଗୋଟିଏ ଆତ୍ମା, ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ବୋଲି ପରସ୍ପରକୁ ଭାବୁଥିବା ସୁଜିତ ଓ ଅଲିଭା ଯେପରି ଆକ୍ଷରିକ ଅର୍ଥରେ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ବନି ଯାଇଥିଲେ- ଦୁଇ ଜଣଙ୍କର ମୁହଁ ବିପରୀତ ଦିଗକୁ ହୋଇ ଯାଇଥିଲା, କେହି କାହାକୁ ଦେଖି ପାରୁ ନ ଥିଲେ । ଚାରି କାନ୍ଥର ପରିବେଷ୍ଟନି ଭିତରେ ସୀମାବଦ୍ଧ ଥିଲେ ମଧ୍ୟ ଦୁଇ ଜଣଙ୍କର ମନ ଓ ଆତ୍ମା ପରସ୍ପରକୁ ବିକର୍ଷଣ କରୁଥିଲେ ଚୁମ୍ବକର ବିପରୀତ ମୁଖ ପରି । ଜୀବନଟା ହୋଇ ଯାଇଥିଲା ଶୁଷ୍କ, ନିରସ ଓ ସ୍ଵାଦହୀନ । ଦୁଇ ଜଣଙ୍କର ହସ ଖୁସି ଓ ପ୍ରେମମୟ ଜୀବନ ଉପରେ ଯେପରି କାହାର ନଜର ଲାଗି ଯାଇଥିଲା ।
ଝିଅଟି ଦେଇଥିବା ଦୁଇଟି ଗୋଲାପରୁ ଗୋଟିଏ ସାଇବାବାଙ୍କ ପାଦରେ ଅର୍ପଣ କରି ଗାଡି ଚଲେଇ ଗୃହକୁ ଫେରୁଥିବା ବେଳେ ସେଇ ଝିଅଟିର ପ୍ରତି ଶବ୍ଦଗୁଡିକ ଯେପରି ସୁଜିତଙ୍କ କାନରେ ଗୁଞ୍ଜରଣ ସୃଷ୍ଟି କରୁଥାଏ । ମନକୁ ନାନା ପ୍ରକାର ଅନାବନା ଭାବନା ଚହଲେଇ ଦେଉଥାଏ । ବିବାହର ଏତେ ବର୍ଷ ମଧ୍ୟରେ ଅଲିଭାକୁ ଯେ ସେ କେବେ ଗୋଟିଏ ଗୋଲାପ ଫୁଲ ଦେଇ ନାହାନ୍ତି, ବରଂ ଏଇ କିଛି ବର୍ଷ ସେ ଅନାବଶ୍ୟକ ଭାବେ ଅଲିଭା ଉପରେ ଚିଡ଼୍ ଚିଡ଼୍ ହେଉଛନ୍ତି, କଥା କଥାରେ ଗାଳି କରିବାକୁ ମଧ୍ୟ ପଛାନ୍ତି ନାହିଁ, ଏଇ ଭାବନାରେ ନିଜକୁ ସେ କାଠ ଗଡ଼ାର ଜଣେ ଦୋଷୀ ଓ ଅପରାଧି ବୋଲି ମନେ କରୁଥାନ୍ତି । ଆଜି ତାର ପ୍ରାୟଶ୍ଚିତ କରିବାକୁ ପଡ଼ିବ । ଶୀଘ୍ର ଗୃହରେ ପହଞ୍ଚି ନିଜ ଦୋଷର ମାର୍ଜନା କରିବାକୁ ପଡିବ । ମନ ଘୋଡା ତାଙ୍କର ଉଡି ଯାଉଥାଏ, କିନ୍ତୁ ଗାଡିର ଗତି ତା ସହିତ ତାଳ ଦେଇ ପାରୁ ନ ଥାଏ ।
ଗୃହରେ ପହଞ୍ଚି ସୁଜିତ ଗୋଲାପଟି ଅଲିଭାଙ୍କ ଜୁଡ଼ାରେ ଖୋସି ଦେଇ ଚିବୁକରେ ଚୁମାଟିଏ ଦେଇ କହିଦେଲେ, "ଏଇଟି ତୁମକୁ ଖୁବ ମାନୁଛି " । ଅଲିଭାଙ୍କୁ ଲାଗିଲା ଯେପରି ସ୍ୱର୍ଗରୁ ଚାନ୍ଦ ଖସି ପଡିଛି ତାଙ୍କ ହାତ ମୁଠାରେ । କିଛି ମାତ୍ରାରେ ଅସ୍ୱାଭାବିକତା ଓ ଲାଜ ତାଙ୍କ ମୁଖରେ ଫୁଟି ଉଠିଲା । ସେ ସୁଜିତଙ୍କୁ ଗୋଟେ ଅବିଶ୍ୱାସନୀୟ ଭାବରେ ଅନେଇ ରହିଲେ । କାରଣ ଗତ ପାଖାପାଖି ଦୁଇ ତିନି ବର୍ଷ ହେବ ସେ କେବେ ଟିକେ ଆଦର ପାଇ ନାହାନ୍ତି ସୁଜିତଙ୍କ ଠାରୁ । ରକ୍ତ ମାଂସର ଶରୀରଟିଏ ଥିଲେ ବି ସେ ଯେମିତି ପାଲଟି ଯାଇଛନ୍ତି ଏକ ଜିଅନ୍ତା ଶବ । ଏକ ଭଗ୍ନ ମନ,ଶୁଷ୍କ ହୃଦୟ ଓ ମୃତ ଆଶାକୁ ନେଇ ସେ ଯନ୍ତ୍ରଚାଳିତ ପରି ଗୃହର ଯାବତୀୟ କାର୍ଯ୍ୟ କରୁଥିଲେ ମଧ୍ୟ ଭିତରେ ଭିତରେ ଯେମିତି ସେ ଜଳି ଜଳି ଯାଉଥାନ୍ତି।
"ଆରେ କଣ ଏମିତି ଭାବୁଛ ?" କହି ଅଲିଭାଙ୍କୁ ସୁଜିତ କୋଳେଇ ନେଇ କପାଳରେ ଆଙ୍କିଦେଲେ ଆଉ ଗୋଟିଏ ଚୁମା । ଅଲିଭା ସୁଜିତଙ୍କୁ ଜାବୋଡି ଧରି ଭୋ ଭୋ ହୋଇ କାନ୍ଦି ଉଠିଲେ । ତାଙ୍କ ନୟନରୁ ବହି ଯାଉଥାଏ ଅମାନିଆ ଲୁହର ଧାର ଶ୍ରାବଣର ବାରି ଧାରା ପରି । ଆଲିଙ୍ଗନର ଉଷ୍ମତା ଅନୁଭବ କରୁଥିଲେ ଦୁଇ ପ୍ରାଣୀ । ଆଜି ପୁଣି କେତେ ଦିନ ପରେ ଦୁଇ ଶରୀର ମିଶି ଯାଇଥିଲେ ଗୋଟିଏ ଆତ୍ମା ହୋଇ । ବୟସର କୃଷ୍ଣଚୁଡା ରଙ୍ଗରେ ରଙ୍ଗୀନ ହୋଇ ଉଭୟଙ୍କ ବଳିଷ୍ଠ ବାହୁ ବନ୍ଧନ ପ୍ରଥମ ପ୍ରଣୟର ସ୍ମୃତିକୁ ପୁଣି କରୁଥିଲା ଉଜ୍ଜୀବିତ ।
ସୁଜିତ ଦିନ ସାରା ଝୁରି ହେଲେ ସେଇ ଝିଅଟିକୁ, ଯିଏ ତାହାର କୁହୁକ କଥା ପଦକରେ ଫେରେଇ ଦେଇଛି ତାଙ୍କର ସେଇ ହଜିଲା ପ୍ରୀତିଝରା ଇତିହାସ । ଯଦିଓ କେବଳ ଗୁରୁବାର ଦିନ ସୁଜିତ ଯାଉଥିଲେ ଶିରିଡ଼ି ସାଇ ମନ୍ଦିର ଦର୍ଶନ ପାଇଁ, କିନ୍ତୁ ସେଇ ଝିଅଟିକୁ ଧନ୍ୟବାଦ ଦେବା ପାଇଁ ତା ପରଦିନ ଚାଲିଲେ ସାଇ ମନ୍ଦିର ପାଖକୁ । ଝିଅଟି ଫୁଲ ମେଞ୍ଚାଏ ଧରି ଦଉଡି ଆସିଲା ଗାଡି ପାଖକୁ ଓ ଦୁଇଟି ଗୋଲାପ ବଢ଼େଇ ଦେଲା ସୁଜିତଙ୍କ ହାତକୁ । ଝିଅଟିର ମଥାକୁ ଆଉଁସି ଦେଇ ସୁଜିତ ପଚାରିଲେ,
"ଆରେ ମାଆ ତୋ ନାଁ କଣ?"
"ବାବୁ ଗୋଲାପ "
"ଆରେ ବାଃ ନାଁ ଗୋଲାପ, ଆଉ ବିକୁଛୁ ବି ଗୋଲାପ, ତୋ ମାଆ ନା କଣ, ତମେ କୋଉଠି ରହୁଛ ?"
"ବାବୁ ଏଇ ପାଖ ସୁବାସ ନଗର ବସ୍ତିରେ, ମୋ ମାଆ ନାଁ ଫୁଲ"।
"ଆରେ ବାଃ କି ସୁନ୍ଦର ଯତିପାତ, ଝିଅ ଆଉ ମାଆର ନାମ ଗୋଲାପ ଫୁଲ । ହଉ ଭଲ କଥା, ମୁଁ ସବୁ ଦିନେ ଏଇ ସମୟରେ ଆସିବି, ତୁ ମୋ ପାଇଁ ଗୋଲାପ ଦୁଇଟା ରଖିଥିବୁ।"
"ଗୋଟେ ସାଇବାବାଙ୍କର ଆଉ ଗୋଟେ ବାବୁଆଣି ମାଆଙ୍କର" କହି ଖିଲି ଖିଲି ହସି ଦେଇ ରାସ୍ତା ଆର ପାଖକୁ ଦୌଡ଼ିଗଲା ଝିଅଟି ।
ତା ପର ଠାରୁ ପ୍ରତିଦିନ ସେଇ ଝିଅ ପାଖରୁ ଦୁଇଟି ଗୋଲାପ ଆଣି ଗୋଟିଏ ସାଇବାବାଙ୍କୁ ଅର୍ପଣ କରି ଆରଟି ଅଲିଭାଙ୍କୁ ପ୍ରଦାନ କରିବାଟା ସୁଜିତ ଙ୍କର ନିତି ଦିନିଆ ଅଭ୍ୟାସରେ ପଡି ଯାଇଥାଏ । ଗୋଟିଏ ଗୋଲାପ ଫୁଲ କିନ୍ତୁ ଆଣି ଦେଇଥିଲା ଦୁଇ ଜଣଙ୍କ ଜୀବନରେ ଏକ ଅଭୂତପୂର୍ବ ପରିବର୍ତ୍ତନ । ଦୁଇ ଜଣ ପରସ୍ପର ପ୍ରତି ଆକର୍ଷିତ ହେଉଥିଲେ ଲୌହକୁ ଚୁମ୍ବକ ଆକର୍ଷଣ କଲା ପରି । ଗୃହର ପରିବେଶ ହୋଇ ଯାଇଥିଲା ପ୍ରେମମୟ ଓ ରସମୟ । ଲାଗୁଥିଲା ଯେପରି ରୁତୁରାଜ ବସନ୍ତଙ୍କର ମୃଦୁ ମଳୟ ବହି ଯାଉଛି ଗୃହର ଅନ୍ଦର ମହଲରେ, ବାଡ଼ି ଅଗଣାର ଓ ବଗିଚାର ଧାଡି ଧାଡି ଫୁଲ ଗଛକୁ ଛୁଇଁ । କୋଇଲିର କୁହୁ ତାନରେ ମଜି ଯାଉଥିଲେ ଦୁଇ ଜଣ,ମନ ମୟୂରୀ ନାଚି ଉଠୁଥିଲା ମେଘ ମଲ୍ଲାର ସ୍ୱରେ । ପ୍ରାୟ ମାସେ ପରେ ସେଇ ଟିକି ଝିଅଟି ବିଷୟରେ ସୁଜିତ ସୂଚନା ଦେବା ପ୍ରକାରନ୍ତେ ଅଲିଭା ତାକୁ ଦେଖିବା ପାଇଁ ଅତ୍ୟଧିକ ଆଗ୍ରହ ପ୍ରକାଶ କଲେ । ତା ପର ଦିନ ଝିଅଟି ପାଖରେ ଗାଡି ରଖି ଯେତେବେଳେ ଅଲିଭା ଓହ୍ଲେଇ ପଡିଲେ ସେ ଦୌଡ଼ି ଆସି ବାବୁ ଓ ବାବୁଆଣି ମାଆଙ୍କ ହାତକୁ ଦୁଇଟି ଲେଖାଏ ଗୋଲାପ ବଢ଼େଇ ଦେଇ ଖିଲି ଖିଲି ହସି କହି ପକେଇଲା,
"ମାଆ ଗୋଟେ ଫୁଲ ସାଇବାବାଙ୍କୁ ଦେବ, ଆଉ ଗୋଟେ ବାବୁଙ୍କୁ ଦେଵ"
ଅଲିଭା ଗୋଲାପ ଦୁଇଟି ନେଉ ନେଉ ଝିଅଟିକୁ ଆଶ୍ଳେଷରେ କୋଳେଇ ନେଲେ । ଏଇ ଝିଅଟି ତ ତାଙ୍କ ମୃତବତ୍ ଦେହରେ ପ୍ରାଣ ଭରି ଦେଇଛି । ଦେଖେଇ ଦେଇଛି ବଞ୍ଚିବାର ରାହା । ପ୍ରଥମ ପ୍ରଣୟର ସ୍ମୃତିକୁ ଜାଗ୍ରତ କରି ଜୀବନକୁ କରିଦେଇଛି ରସମୟ । ସାଇବାବାଙ୍କୁ ଗୋଲାପ ଫୁଲଟି ଅର୍ପଣ କରି ଦୁଇ ଜଣ ପ୍ରାର୍ଥନା କରୁଥିଲେ ଗୋଲାପ ଭଳି ହସକୁରୀ ଝିଅଟିଏ ତାଙ୍କ କୋଳକୁ ଆସିଲେ ତାଙ୍କ ଜୀବନଟା ସାର୍ଥକ ହୋଇ ଯାଆନ୍ତା । ଅଲିଭା ଭାବୁଥିଲେ ସ୍କୁଲ ୟୁନିଫର୍ମ ପିନ୍ଧି ତାଙ୍କ ଝିଅ ଲାଗନ୍ତା ପରୀଟିଏ ଭଳି । ଘରୁ ବାହାରିଲା ବେଳେ ମାମାକୁ ଚୁମା ଦେଇ ବାୟ୍ ବାୟ୍ କହି ସ୍କୁଲ ଯାଆନ୍ତା ଓ ଫେରିଲା ବେଳକୁ ମାଆ କୋଡ଼କୁ ଡେଇଁ ପଡି ଗେହ୍ଲା ହୁଅନ୍ତା ।
ଅଲିଭା ପଚାରି ବସିଲେ ଗୋଲାପକୁ,
"ଆରେ ମାମା, ତୋର କଣ ପଢିବାକୁ ଇଚ୍ଛା ହୁଏନି?"
"ବାବୁଆଣି ମାଆ, ମୋର ବହି ନାହିଁ । ପଢିବି କେମିତି ?"
ତା ପର ଦିନ ଅଲିଭା ଦୁଇ ତିନି ଖଣ୍ଡ ବହି ଗୋଲାପ ହାତକୁ ବଢ଼େଇ ଦେଇ କହିଲେ, ତୁ ଏତକ ପଢି ସାରିଲେ ମୁଁ ଆଉ ବହି ଆଣିଦେବି।
ଖୁସିରେ ଗଦ ଗଦ ହୋଇ ଗୋଲାପ ଅଲିଭାଙ୍କ ପାଦ ଛୁଇଁ ପକେଇଲା ।
କିଛି ଦିନ ପରେ ଅଲିଭାଙ୍କ ପାଖରୁ ନିକଟ ଭବିଷ୍ୟତରେ ବାପା ହେବାର ସୌଭାଗ୍ୟ ପାଉଥିବାର ଖବରଟା ଶୁଣି ସୁଜିତଙ୍କୁ ଲାଗିଲା ଯେପରି ସ୍ୱର୍ଗକୁ ତାଙ୍କ ହାତ ପାଇଯାଇଛି । ସାଇବାବା ଓ ଟିକି ଝିଅ ଗୋଲାପ ପ୍ରତି ତାଙ୍କର କୃତଜ୍ଞତା ଭରି ଯାଇଥିଲା । କିନ୍ତୁ ତା ପରଠାରୁ ଗୋଲାପ ଆଉ ଫୁଲ ବିକିବାକୁ ଆସୁନଥିଲା । ଅଲିଭାଙ୍କ ବ୍ୟସ୍ତତା ଦେଖି ସୁଜିତ ବୁଝେଇ ଦେଲେ ବୋଧହୁଏ ଗୋଲାପ ସେ ବହି ପାଇ ପଢ଼ାରେ ମନ ଦେଇଛି । ବସ୍ତିର ସ୍କୁଲରେ ବୋଧହୁଏ ନାଁ ଲେଖେଇଛି । ଭଲ କଥା, ବାବା ତାକୁ ଭଲ ମଣିଷଟିଏ କରନ୍ତୁ ବୋଲି ପ୍ରାର୍ଥନା କଲେ ଦୁଇ ଜଣ।
ଅଲିଭାଙ୍କ ମନ ମାନୁ ନ ଥାଏ । ସେଇ ଟିକି ଝିଅ ଗୋଲାପର ମୁହଁ ଭାସି ଉଠୁଥାଏ ତାଙ୍କ ମାନସ ପଟରେ । ତାର କଥା କୁହା ଢଳ ଢଳ ଆଖି ଦୁଇଟି ଭିତରେ ସେ ଆବିଷ୍କାର କରୁଥିଲେ ନିଜକୁ । ତାଙ୍କୁ ଲାଗୁଥିଲା ଯେପରି ଗୋଲାପ ସହ ତାଙ୍କର ଭାବଗତ ସମ୍ପର୍କ ଅଛି ଅନ୍ୟ କେଉଁ ଜନ୍ମରୁ । ଗୋଲାପ ବନି ଯାଇଥିଲା ତାଙ୍କର ଅତି ଅନ୍ତରଙ୍ଗ, ନିବିଡ଼, ତାଙ୍କ ଆତ୍ମାର ଏକ ଅଂଶ । ଗୋଲାପକୁ ନେଇ କେତେ ସୁନେଲି ସ୍ୱପ୍ନ ମନ ରାଇଜରେ ଭାସି ଉଠୁଥାଏ । ଗୋଲାପର ଝୁମ୍ପୁରା ଓ ନୁଖୁରା ବାଳରେ ତେଲ ମାଖି ଦେଇ ଦୁଇଟି ବେଣୀ କରି ରିବନ୍ ବାନ୍ଧି ଦେଉଛନ୍ତି, ଆଖିରେ କାଜଲର ଧାର ଆଙ୍କି ଦେଇ ନୂତନ ପୋଷାକ ପିନ୍ଧେଇ ଦେଇ ତାକୁ ପରୀଟିଏ ଭଳି ସଜେଇ ଦେଉଛନ୍ତି ଓ ଛାତିରେ କୁଣ୍ଢେଇ ମନ ଭରି ଗେହ୍ଲ କରୁଛନ୍ତି, ଇତ୍ୟାଦି । ଶୟନେ, ସପନେ ଓ ଜାଗରଣେ କେବଳ ଗୋଟିଏ ଛବି ଭାସି ଆସୁଥାଏ ଅଲିଭାଙ୍କ ଆଗରେ, ସିଏ ହେଲା ଗୋଲାପ । ଅଲିଭାଙ୍କ ଅନୁରୋଧ କ୍ରମେ ସୁଜିତ ତାଙ୍କ ବେଡ଼ ରୁମଟିକୁ ସଜେଇ ଦେଉଥିଲେ ଭଳିକି ଭଳି ନାନା ରଙ୍ଗର ଗୋଲାପରେ । ଗୋଲାପର ମହକରେ ଅଲିଭାଙ୍କର ଅନ୍ଦର ଓ ବାହାର ଉଦ୍ଭାସିତ ହୋଇ ଉଠୁଥିଲା । ଜୀବନଟା ତାଙ୍କର ହୋଇ ଯାଉଥାଏ ଗୋଲାପମୟ । ଗୃହକୁ ନୂତନ କୁନି ଅତିଥିର ଆବିର୍ଭାବ ଚିନ୍ତାରେ ସେ ହୋଇ ଯାଉଥାନ୍ତି ଭାବମୟ ଓ ଅନ୍ୟମନସ୍କ।
ସେଇ ବହୁ ପ୍ରତୀକ୍ଷିତ ଶୁଭ ମୁହୂର୍ତ୍ତ ଉପନୀତ ହେଲା । ପୂର୍ବ ନିର୍ଦ୍ଧାରିତ ଦିନରେ ସୁଜିତ ଓ ଅଲିଭାଙ୍କ କୋଳ ମଣ୍ଡନ କଲା ଏକ ଅପରୂପ କନ୍ୟା ରତ୍ନ । ପରିବାର ଓ ବନ୍ଧୁ ବର୍ଗରେ ଖେଳିଗଲା ଖୁସିର ଲହରୀ । ନବଜାତକର ଏକୋଇଶିଆ ଓ ନାମକରଣ ଉତ୍ସବ ଧୁମଧାମରେ ପାଳନ କରିବାକୁ ସର୍ବ ସମ୍ମତ ନିଷ୍ପତ୍ତି ହେଲା । କନ୍ୟାରତ୍ନଟି ଟିକି ଝିଅ ଗୋଲାପର ଅବିକଳ ନକଲ ବୋଲି ଅଲିଭାଙ୍କ ମନରେ ଏକ ଧାରଣ ବଦ୍ଧମୂଳ ହୋଇ ଯାଇଥାଏ । ଏହା ବାସ୍ତବରେ ସତ୍ୟ କି ତାଙ୍କ ମନର ଭ୍ରମ ସେ ବିଷୟରେ ଅଲିଭା କେବେ ଗଭୀର ଭାବରେ ଚିନ୍ତା କରି ନାହାନ୍ତି, କି ଚିନ୍ତା କରିବାର ଆବଶ୍ୟକତା କେବେ ଅନୁଭଵ କରି ନାହାନ୍ତି । ଏଇ ଖୁସିର ମୁହୂର୍ତ୍ତରେ ଅଲିଭା କିନ୍ତୁ ବେଶୀ ଖୋଜୁଥିଲେ ଟିକି ଝିଅ ଗୋଲାପକୁ । ବଜାରରୁ ଗୋଲାପ ପାଇଁ ସୁନ୍ଦର ପୋଷାକ ଓ ତା ମାଆ ପାଇଁ ଶାଢ଼ୀ କିଣି ଆଣିଲେ ଅଲିଭା । ଏକୋଇଶିଆକୁ ଗୋଲାପ ଓ ଫୁଲକୁ ନିମନ୍ତ୍ରଣ କରିବା ପାଇଁ ସୁଜିତଙ୍କୁ ଧରି ଚାଲିଲେ ସୁବାସ ନଗର ବସ୍ତିକୁ । ଗୋଲାପ ଓ ତାର ମାଆର ଅନୁସନ୍ଧାନ କରି କରି ଦୁଇ ଜଣ ପହଁଚିଲେ ବସ୍ତିର ଶେଷ ମୁଣ୍ଡରେ । ଜଣେ ମଧ୍ୟ ବୟସ୍କା ମହିଳା ଗୋଟିଏ ପରିତ୍ୟକ୍ତ ଝୁମ୍ପୁଡି ଦେଖେଇ କହିଲେ,
"ଏଇ ଘରେ ରହୁଥିଲେ ଫୁଲ ଆଉ ତା ଝିଅ ଗୋଲାପ । ଦୁଇ ତିନି ଜଣ ବାବୁଙ୍କ ଘରେ ବାସନ ମଜା ଓ ଘର କାମ କରିବାକୁ ଯାଏ ଫୁଲ, ଆଉ ଗୋଲାପ ଫୁଲ ବିକେ ସେଇ ସାଇ ମନ୍ଦିର ପାଖେ । ନଅ କି ଦଶ ମାସ ତଳେ ବର୍ଷାରେ ଭିଜି ଫୁଲ ବିକୁ ଥିବାରୁ ସର୍ଦ୍ଦି ଓ ଜ୍ୱର ହେଲା ତାକୁ । ଜ୍ୱର କମିଲା ନାହିଁ, ନିମୋନିଆ ହେଇଗଲା ବୋଲି ସମସ୍ତେ କଥାବାର୍ତ୍ତା ହେଉଥିଲେ । ଫୁଲକୁ ପର କରି ଗୋଲାପ ବାହୁଡ଼ିଗଗଲା ଆର ପାରିକୁ । ଫୁଲ ତା ପରେ ପାଗଳି ଭଳି ହେଇଗଲା । ତାର ମାସେ ପରେ କୁଆଡେ ଗଲା ଯେ ତାର ଆଉ କିଛି ଖୋଜ ଖବର ନାହିଁ।"
ଅଲିଭା ଓ ସୁଜିତଙ୍କ ଗୋଡ ତଳର ମାଟି ଯେପରି ଧସି ଧସି ଯାଉଛି । ଭୂମିକମ୍ପ ହେଇ ଧରିତ୍ରୀ ଯେପରି ଫାଟି ଯାଉଛି ଓ ସେମାନେ କୋଉ ଏକ ଅନ୍ଧାର ଗର୍ତ୍ତ ଭିତରେ ନିକ୍ଷେପ ହେଇ ଯାଉଛନ୍ତି । ହେ ଭଗବାନ ! ଇପ୍ସିତ ଖୁସିଟିକୁ ଦେଇ ହାତରେ ଥିବା ଖୁସିକୁ ଛଡେଇ ନେବାରେ କି ଆନନ୍ଦ ପାଅ ପ୍ରଭୁ ! ଜଣକୁ ଖୁସି ଦେବାକୁ ହେଲେ ଅନ୍ୟ କାହାର ଖୁସି ଛିନ୍ନ କରିବାର ରହସ୍ୟ କଣ !
ଏକୋଇଶିଆ ପାଳନକୁ ବାତିଲ କରି ନାମକରଣ ପୂଜା ପରେ ବ୍ରାହ୍ମଣ ଯେତେବେଳେ ନବ ଜାତକର ନାମ କଣ ଦିଆଯିବ ବୋଲି ପ୍ରଶ୍ନ କଲେ, ଅଲିଭା ଓ ସୁଜିତ ମୁହଁରୁ ଏକ ସ୍ୱରରେ ବାହାରି ଆସିଲା,
"ଗୋଲାପ"
ପତି ପତ୍ନୀଙ୍କ ନୟନରୁ ଅନବରତ ବହୁଥିବା ଅଶ୍ରୁର ଧାର ଥିଲା ଆନନ୍ଦର କି ଅପ୍ରମିତ ଦୁଃଖର,ସେ କଥା ନିର୍ଣ୍ଣୟ କରିବା ଥିଲା ବ୍ରାହ୍ମଣ ଭାଇନାଙ୍କ କଳନାର ବାହାରେ ।

