କଉ ମାଛ
କଉ ମାଛ
ବାପା ଆମର ଥିଲେ ଭାରୀ ଆମିଷ ପ୍ରିୟ, ଅଧିକ ଠିକରେ କହିଲେ ଭାରି ମାଛ ପ୍ରିୟ। ଭାତ ସହିତ ମାଛ ଝୋଳ ଆଉ ପଖାଳ ସହିତ ମାଛ ଭଜା,ମାଛ ପତର ପୋଡା, କିଛି ନହେଲେ ଶୁଖୁଆ ଚୁଡ୍ ଚୁଡା ଟିକେ ହେଇଗଲେ ମୁହଁରୁ ତୃପ୍ତି ପ୍ରକାଶ ପାଏ, ବେଶ୍ ଦର୍ଶନୀୟ। ଆମିଷ ଟିକେ ନ ଥିଲେ ତାଙ୍କ ପାଟିକୁ କିଛି ରୁଚେ ନାହିଁ। ବାପା ଯେତେବେକେ ସକାଳେ ଚାଷକାମ ଦେଖିବାକୁ ବାହାରି ଯାଆନ୍ତି ଆମେ ନିଶ୍ଚିତ ଥାଉ ଯେ ସେ କୁଆଡୁ ହେଲେ କିଛି ମାଛ ଧରିକି ଆସିବେ। କେବଳ ସୋମବାରକୁ ଛାଡି ଆଉ ସବୁ ଦିନ ବାପାଙ୍କର ଟିକେ ଆମିଷ ଦରକାର। ମହାଦେବ ଶିଵ ହେଉଛନ୍ତି ଆମର ଗୃହ ଦେବତା। ବାପା ସବୁଦିନ ସକାଳେ ଆଉ ସଂଜରେ ଅଧା ଘଣ୍ଟାରୁ ଅଧିକ ପୂଜା କରନ୍ତି । ନାନା ପ୍ରକାର ମନ୍ତ୍ର ଉଚ୍ଚ ପାଟିରେ ଆବୃତି କଲାବେଳେ ମୁଁ ପାଖରେ ଚକାସନ ପାରି ହସ୍ତ ଯୋଡି ବସୁଥାଏ ଓ ତାଙ୍କ ସହିତ ପାଳି ଧରି ସେ ମନ୍ତ୍ର ସବୁ ବୋଲୁଥାଏ। ଶିବଙ୍କର ଶହେ ଆଠ ନାଁ ଜପ କରିବା ସହିତ 'ତ୍ରୟମ୍ବକଂ ଜଜାମହେ ସୁଗନ୍ଧିଂ ପୃଷ୍ଟି ବର୍ଦ୍ଧନ' ଓ 'ଜବା କୁସୁମ ସଙ୍କାସଁ ' ମନ୍ତ୍ର ମୋର ପ୍ରାୟ ଘୋଷା ହୋଇ ଯାଇଥିଲା ।
ଗାଁ ମୁଣ୍ଡରେ ଗୋଟିଏ ଜାଗାରେ ଆମର ଦୁଇ ଏକର ଜମି ଥିଲା ଯାହାକୁ ଆମେ 'ଗଡ଼ା' କହୁଥିଲୁ। ସେଇ ଗଡ଼ା ହିଁ ଥିଲା ବାପାଙ୍କ ଜୀବନ। ସେଇ ଗଡ଼ାର ଗୋଟେ ମୁଣ୍ଡରେ ମାହାରା କରି ବାପା ନଳିତାରେ ବୁଣା ଖଇଞ୍ଚି ବସେଇ ଦେଉଥିଲେ । ଉପର ମୁଣ୍ଡରୁ ପ୍ରାୟ ପଚାଶ ଷାଠିଏ ଧାନ ଜମିରୁ ସିଆରା କରି ପାଣିର ଧାର ବି ଫିଟେଇ ଦେଉଥିଲେ । ସେଇ ପାଣି ଧାରରେ କେରାଣ୍ଡି, ମହୁରାଳି, ତୋଡି,ଛୋଟ ଚିଙ୍ଗୁଡ଼ି,କଣ୍ଟିଆ,ପୋବତା, ଆଦି ଭଳିକି ଭଳି ମାଛ ଭାସି ଆସି ଗଡ଼ା ମାହାରାରେ ବସା ହେଇଥିବା ଖଇଞ୍ଚିରେ ଛାଣି ହୋଇ ଧରା ପଡନ୍ତି। ବାପାଙ୍କ ହାତରେ ଓ କେବେ କାନ୍ଧରେ ସବୁବେଳେ ପଡିଥାଏ ଗୋଟେ ସନ୍ଦାଡ଼ । ସନ୍ଦାଡ଼ ଦ୍ୱାରା ସେ ମାହାରାକୁ ସଜାଡନ୍ତି,ଉପର ମୁଣ୍ଡ ଜମିରୁ ସେଇ ସନ୍ଦାଡ଼ ଦ୍ୱାରା ଘାଇକରନ୍ତି । ମାହାରା ପାଖରେ ଥିବା କରଂଜ ଗଛ ମୂଳରେ ସନ୍ଦାଡ଼ ଉପରେ ଭରା ଦେଇ ଖଇଞ୍ଚି ଭିତରେ ମାଛ ପଡ଼ିବାକୁ ବାପା ଏକାଗ୍ର ଚିତ୍ତରେ ଲକ୍ଷ କରିଥାନ୍ତି କେବେ ଵକ ଧ୍ଯାନରେ ତ କେବେ ମାର୍ଜାର ଠାଣିରେ।
ଗଡ଼ାଠାରୁ କିଛି ଦୂରରେ ଗହୀର ଭିତରେ ଆମର ଯେଉଁ ଜମି ଅଛି, ସେଇଠି ବାପା ତିଆରି କରିଥାନ୍ତି ଗୋଟେ ଡିଆଁ। ରାତିରେ କଉ, ଗଡ଼ିଶା, ଚେଙ୍ଗ,ମାଗୁର ଆଦି ମାଛ ଡିଆଁ ମାରି ସେଇ ଡିଆଁ ଭିତରେ ପଡ଼ିଥାନ୍ତି। ପାହାନ୍ତି ରାତିରୁ ବାପା ଯାଇ ସେଇ ଜୀଅନ୍ତା ମାଛକୁ ଗୋଟେ ବଡ ଦଣ୍ଡୁରୀରେ ପୁରେଇ ଆଣିଲା ପରେ ମା ତାକୁ ମାଟି ହାଣ୍ଡିରେ ପାଣି ଦେଇ ବଞ୍ଚେଇ ରଖେ । କଉ ମାଛ ପାଇଁ ଗୋଟେ ଭିନ୍ନେ ହାଣ୍ଡି, କାରଣ କଉ ମାଛର ଗାଲିରେ କାଳେ ଅନ୍ୟ ମାଛ ସବୁ ଖଣ୍ଡିଆ ହେଇ ଯାଆନ୍ତି।
ଯେତେ ମାଛ ଭିତରେ ବାପାଙ୍କର ଯେଉଁଟା ସବୁଠାରୁ ପ୍ରିୟ ଥିଲା ତାହା ହେଲା କଉ ମାଛ। ମା ସୋରିଷ ଦେଇ ମାଛ ରାନ୍ଧିବସେ ।ମୁଁ ବିଲେଇ ଭଳି ମା ପାଖରେ ବସି କୁହେ 'ମା ମୋ ପାଇଁ ଟିକେ ବେଶୀ ଝୋଳ କରିବୁ'। ମା ରାନ୍ଧୁ ଥିଲାବେଳେ ସେ ଝୋଳର ବାସ୍ନା ମୋ ନାସିକା ଦେଇ ଯେତେବେଳେ ତଣ୍ଟି ପାଖରେ ପହଞ୍ଚେ, ସେତେବେଳେ ଅମାନିଆ ଜିଭ ପାଖରୁ ଲାଳ ବହିଆସେ। ମା ମୋ ଗାଲ ଟିପି କହେ ବାପ ଭଳିଆ ଗୋଟେ ଭାରି ଆଇଁଷିଆ ହେଇଛି। ରୋଷେଇ ସାରି ବାପା ଓ ମୋ ପାଇଁ ଗୋଟେ କଂସା ଥାଳିରେ ଗରମ ଭାତ ସହିତ କଂସା ଗିନାରେ କୋଉ ମାଛ ତରକାରୀ ପରସି ଦିଏ ମା । ବାପାଙ୍କ ପାଖରେ ଆସନ ପକେଇ ବସିଯାଏ ମୁଁ । ମୋ ପାଇଁ ଗୋଟେ ଛୋଟ ଗିନାରେ ଅଲଗା ଝୋଳ ଦେଇଥାଏ ମା ।ବାପା ସବୁ କଉ ମାଛରୁ କଣ୍ଟା ଛଡେଇ ତାର ମାଂସାଳ ଅଂଶକୁ ମୋତେ ଅଲଗା ଦିଅନ୍ତି । ମାଛର ମୁଣ୍ଡ ଓ କଣ୍ଟା ଅଂଶକୁ କେବଳ ବାପା ଖାଆନ୍ତି ଓ କୁହନ୍ତି 'ତୁ ଏ କଣ୍ଟା ଖାଇ ପାରିବୁ ନାହିଁ' । ଆଜି ମୁଁ ବି ବାପା ! ଏବେ ମୁଁ ବୁଝି ପାରିଛି ସବୁ ବାପାମାନେ କାହିଁକି ଏମିତି ! ସବୁ ଦୁଃଖ କଷ୍ଟକୁ ମୁଣ୍ଡ ଉପରକୁ ନେଇ, ପିଲାମାନଙ୍କୁ ଅଣ୍ଟିରେ ପୁରାନ୍ତି, ଘଣ୍ଟ ଘୋଡେଇ ରଖନ୍ତି, ଆସନ୍ନ ବିପଦ କିଛି ମାଡ଼ି ପାରେ ନାହିଁ । ବାପାଙ୍କ ସହିତ ଏଇ ଭାତ ଓ କଉ ମାଛ ଝୋଳ ଖାଇବାର ମଜା ମୁଁ ମୋ ପରବର୍ତ୍ତୀ ଜୀବନରେ କୋଉ ଷ୍ଟାର ହୋଟେଲ ଖାଦ୍ୟରେ କେବେ ପାଇ ନାହିଁ। ଯେହେତୁ କଉ ମାଛ ପ୍ରତି ବାପାଙ୍କର ଓ ମୋର ଅହେତୁକ ଲୋଭ ଥାଏ ମା ଏଇ ତରକାରୀ ଆଉ କୋୖଣସି ଛୁଆକୁ ଦେଇ ନଥାଏ। ଅବଶ୍ୟ କଉ ମାଛର କଣ୍ଟାକୁ ଡରି ଅନ୍ୟ ଭାଇ ଭଉଣୀମାନେ ତାହା ଖାଇବାକୁ ନାକ ଟେକନ୍ତି l ଚାରି ଭାଇ ଓ ଦୁଇ ଭଉଣୀଙ୍କ ମଧ୍ୟରେ ମୁଁ ସର୍ବ କନିଷ୍ଟ ମାନେ କୋଡ଼ପୋଛା ଥିବାରୁ ବାପା ଓ ମା ମୋତେ ଆବଶ୍ୟକତା ଠାରୁ ବୋଧହୁଏ ଟିକେ ଅଧିକ ଆଦର କରୁଥିଲେ।
ବାପାଙ୍କ ମହାପ୍ରାୟଣ ଉଣେଇସି ବର୍ଷ ପୂର୍ବରୁ ହୋଇ ଗଲାଣି। କିନ୍ତୁ ବାପାଙ୍କ ସହିତ କଉ ମାଛ ତରକାରି ଖାଇବାର ସ୍ମୃତି ମୋ ମନରେ ଅଲିଭା ଗାର ହେଇ ରହି ଯାଇଛି। କରୋନା ଲକ୍ ଡାଉନ ଯୋଗୁଁ ମାସାଧିକ କାଳ ବାହାରକୁ ବାହାରି ହେଲାନାହିଁ। ଏଇ ସମୟରେ ମୋର ପୁରୁଣା ଚାକିରୀ ଜାଗା ସାକ୍ଷୀଗୋପାଳରୁ ଜଣେ ପରିଚିତ ବ୍ୟକ୍ତି ହଠାତ୍ ଏକ ରବିବାର ଦିନ ଉପର ବେଳା କିଛି ଜିଅନ୍ତା କଉ ମାଛ ଧରି ପହଂଚିଲେ । ରାତିରେ ରୋଟି ସହ କଉ ମାଛର ମଜା ନେଇ ହବ ନାହିଁ। ତା ପର ଦୁଇ ଦିନ ନିରାମିଷ ବାରି। ଆଗତ୍ୟା ସର୍ଵସମତ ନିଷ୍ପତ୍ତି ହେଲା ଯେ ଆସନ୍ତା ବୁଧବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଏ କଉକୁ ବଞ୍ଚେଇବାକୁ ପଡିବ । ଗୋଟେ ବଡ଼ ଆଲୁମିନିୟମ ଡେକଚିରେ ପାଣି ଦେଇ ଜୀଅନ୍ତା କଉମାନଙ୍କୁ ରଖାଗଲା। ତା ଉପରେ କୁଲା ଗୋଟେ ଘୋଡେଇ ଦେବା ସହିତ କୁଲାକୁ ଖୋଲି ନ ପାରିବା ପାଇଁ ଶୀଳପୁଆ ଗୋଟେ ଲଦି ଦିଆଗଲା। ନହେଲେ ରାତିରେ ସେ ମୋଟି ବିଲେଇ ସବୁ ଉଦରସ୍ତ କରି ଦେବ। ସେଇ ମୋଟି ଈଷତ୍ କଳା ରଙ୍ଗର କଟାସ୍ ଭଳି ଦେଖାଯାଉଥିବା ବିଲେଇଟାକୁ ଘରେ ସମସ୍ତେ ରାଗନ୍ତି କାରଣ ସିଏ ଆମିଷକୁ ତ ଯାହା ଚୋରେଇ ନେଇଯାଏ, କିନ୍ତୁ ସୋଫା ଓ ବେଡ଼ ଉପରେ ମଳ ତ୍ୟାଗ କରି ସେ ଘରର ସମସ୍ତଙ୍କର ଘୃଣାର ପାତ୍ର ହେଇ ଯାଇଥାଏ ।
ଡେକଚି ଭିତରେ ଜିଆନ୍ତା କଉ ମାଛ ପହଁରୁ ଥିବାର ଦେଖି ଦୁଇ ଝିଅ ଖୁସିରେ କୁରୁଳି ଉଠିଲେ। ତାର ଭିଡିଓ କରି ଫେସ୍ ବୁକ୍ ଆଉ ହ୍ଵାଟ୍ସଆପରେ ତାଙ୍କ ସାଂଗ ମାନଙ୍କୁ ପଠାଇବାରେ ଲାଗିଗଲେ। ପ୍ରତିଦିନ ସେଇ ଡେକଚିରେ ମଇଳା ପାଣି ବଦଳାଇ ଭଲ ପାଣି ଦେବା ସତ୍ତ୍ୱେ ବୁଧବାର ସକାଳକୁ କେବଳ ଦୁଇଟିକୁ ଛାଡି ସବୁ କଉ ମାଛ ମରି ଯାଇଥିଲେ। ବଡ଼ ଝିଅ ଜିଦ୍ କରିବାରୁ କଉ ଦୁଇଟିକୁ ଆଉ ଖାଦ୍ୟରେ ପରିଣତ ନ କରି ସେମିତି ବଞ୍ଚେଇ ରଖିବାକୁ ଆମେ ସ୍ଥିର କଲୁ। ଦୁଇ ଦିନ ପରେ ଆଉ ଗୋଟିଏ କଉ ମରିଗଲା। କିନ୍ତୁ ଶେଷରେ ଯେଉଁ ଗୋଟିକ ବଞ୍ଚିଥିଲା ସେଇଟି ଥିଲା ସବୁଠାରୁ ବଡ଼। ତାକୁ ଯେକୌଣସି ପ୍ରକାରେ ବଞ୍ଚେଇ ରଖିବା ପାଇଁ ବାପ ଝିଅ ସବୁ ପ୍ରକାର କୌଶଳ ଅବଲମ୍ବନ କରିବାରେ ଲାଗିଗଲୁ। ମତ୍ସ୍ଯ ବିଭାଗରେ କାର୍ଯ୍ୟ କରୁଥିବା ମୋର ଜଣେ ବନ୍ଧୁଙ୍କ ପରାମର୍ଶ ଓ ସହାୟତା କ୍ରମେ ତା ପାଇଁ ଖାଦ୍ୟର ମଧ୍ୟ ବ୍ୟବସ୍ଥା କରାଗଲା। କଉ ମାଛର ଲାଞ୍ଚ ହଲେଇ ପହଁରିବାର ଦୃଶ୍ୟ ମୋ ପାଇଁ ଥିଲା ଅନୁପମ। ମୁଁ ପୁଣି ଫେରି ଯାଉଥାଏ ମୋ ମା ର ସେଇ ମାଟି ହାଣ୍ଡି ପାଖକୁ ଯୋଉଠି ସେ ବାପା ଓ ମୋ ପାଇଁ କଉ ମାଛ ବଞ୍ଚେଇ ରଖୁଥିଲା, ଆଉ ଯାହାକୁ ମୁଁ ସବୁ ଦିନ ଦେଖି ଅପାର ଆନନ୍ଦ ପାଉଥିଲି। ସମୟର ଚକ ପୁଣି ପଛକୁ ଫେରି ଯାଉଥାଏ । ମୁଁ ପୁଣି ମୋ ମା ବାପାଙ୍କର କୋଡ଼ପୋଛା ଗେହ୍ଲା ପୁଅ ହେଇ ଯାଉଥାଏ । ଲକ୍ ଡାଉନ୍ ରେ ବାହାରକୁ ଯିବା ନିଷିଦ୍ଧ ଥିଲା ବେଳେ ମୋର ଘଣ୍ଟା ଘଣ୍ଟା ସେଇ କଉ ମାଛଟିକୁ ଦେଖିବାରେ ଯାଉଥାଏ। ସକାଳେ ଶେଯରୁ ଉଠି ଓ ରାତ୍ରରେ ଶେଯକୁ ଯିବା ପୂର୍ବରୁ ତାକୁ ନ ଦେଖିଲେ ମୋତେ ଶାନ୍ତି ମିଳୁ ନ ଥିଲା। କଉଟିର ଆଖିଟିକୁ ମୁଁ ନିରୀକ୍ଷଣ କଲେ ମୋତେ ଲାଗୁଥିଲା କରଂଜ ଗଛ ମୂଳେ ସନ୍ଦାଡ଼ ଉପରେ ଢେର ଦେଇ ଖଇଞ୍ଚିକୁ ଲକ୍ଷ କରୁଥିବା ମୋ ବାପାଙ୍କର ଆଖି ପରି। କଉଟି ବି ଯେମିତି ମୋ ଆଖିରେ ଆଖି ମିଳେଇ ମୋତେ କଣ କହୁଥାଏ। ସେଇ ଆଖି ଭିତରେ ଯେମିତି ମୋ ସତ୍ତା ହଜି ଯାଉଥାଏ। ସେଇ କଉର ଆଖିରେ ମୁଁ ଦେଖୁଥିଲି ମୋ ହଜିଲା ପିଲା ଦିନ,ମୋ ବାପାକୁ ହରେଇବାର ବେଦନା। ତାରି ଭିତରେ ମୁଁ ଖୋଜୁଥିଲି ମୋ ସତ୍ତା ,ଭାବୁ ଥିଲି ସେଇ ମାଛ ଭିତରେ ମୁଁ ଖୋଜି ପାଇଛି ମୋ ବାପାଙ୍କୁ ।
କଉ ମାଛଟିକୁ କୌଣସି ପ୍ରକାରେ ଦୀର୍ଘସ୍ଥାୟୀ ଭାବରେ ଜୀଵିତ ରଖିବାକୁ ପଡିବ ବୋଲି ମୋ ମନରେ ସୃଷ୍ଟି ହେଲା ଏକ ଅଭୂତପୂର୍ବ ଆକାଂକ୍ଷା। ସଂଗରୋଧର ନିଃସଙ୍ଗତା ଜୀବନରେ ସେ ପାଲଟି ଯାଇଥିଲା ମୋର ଅନ୍ତରଙ୍ଗ ସାଥି,ମୋ ହୃଦୟର ସ୍ପନ୍ଦନ,ମୋ ଅନ୍ତରାତ୍ମାର ଏକ ଅଂଶ । ଯେମିତି ଆମେ ବନି ଯାଇଥିଲୁ ପରସ୍ପରର ପରିପୁରକ, ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ। କିନ୍ତୁ ଯଦି ଡେକଚିରେ ଥିବା ସବୁ କଉ ମାଛ ମରିଗଲେ ତେବେ ଏଇ ମାଛଟିର କାଳେ ସେଇ ଅବସ୍ଥା ହେବ ଏହା ଭାବି ମନ ମୋର ଚହଲି ଗଲା ଅଜଣା ଆଶଙ୍କାରେ। ମତ୍ସ୍ୟ ବିଭାଗରେ ଅଧିକାରୀ ଥିବା ମୋର ବନ୍ଧୁ ପରାମର୍ଶ ଦେଲେ ଗୋଟିଏ ଆକ୍ଵାରିଅମରେ ରଖିଲେ କଉଟିକୁ ବହୁ ଦିନ ପର୍ଯ୍ୟନ୍ତ ଜୀଵିତ ରଖା ଯାଇପାରେ । ଲକ୍ ଡାଉନରେ ଦୋକାନ ବଜାର ବନ୍ଦ ଥିଲା ବେଳେ ବନ୍ଧୁ ସେଦିନ ସନ୍ଧ୍ୟାରେ ଗୋଟିଏ ଆକ୍ଵାରିଅମ ଗୁପ୍ତରେ ବ୍ୟବସ୍ଥା କରିଦେଲେ ଜଣେ ବ୍ୟବସାୟୀକୁ କହି। ଦୁଇ ଝିଅଙ୍କର ବହୁ ଦିନର ଅଳି ଓ ଅନୁରୋଧ ସତ୍ତ୍ୱେ ମୋର ଖିଆଲି ମନୋଭାବ ଯୋଗୁଁ ଆକ୍ଵାରିଅମଟିଏ ଘରକୁ ଆସି ପାରି ନଥିଲା । ଦୁଇ ମାସ ପୂର୍ବେ ଜଣେ ସମ୍ପର୍କୀୟଙ୍କ ଘରେ ଆକ୍ଵାରିଅମ ଦେଖି ଦୁଇ ଝିଅ ଯେପରି ସେଠାରେ ନିବିଷ୍ଟ ଚିତ୍ତରେ ବସି ରହିଲେ ,ତାଙ୍କ ଖୁସି ଦେଖି ଗୋଟିଏ ଘରକୁ ଆଣିବାକୁ ମନସ୍ତ କରିବା ବେଳେ ଲକ୍ ଡାଉନ ଘୋଷଣା ହୋଇଯିବାରୁ ତାହା ସାମୟିକ ଭାବେ ସ୍ଥଗିତ ରହିଥିଲା। ବର୍ତ୍ତମାନ ବନ୍ଧୁଙ୍କ ସୌଜନ୍ୟରୁ କଉ ମାଛଟିକୁ ଜୀଵିତ ରଖିବା ପାଇଁ ଆକ୍ଵାରିଅମଟିଏ ଯୋଗାଡ଼ ହେଇ ଥିବାରୁ ଦୁଇ ଝିଅଙ୍କ ଖୁସି କହିଲେ ନ ସରେ । ତା ପର ଦିନ ସେ ଦୋକାନୀ ଆସି ପାଣି, ପାଇପ୍ ଓ ଅନ୍ୟାନ୍ୟ ସରଞ୍ଜାମ ଆକ୍ଵାରିଅମଟିରେ ଲଗେଇ ଦେବା ସହିତ ମାଛ ଖାଦ୍ୟ ଦେଇଦେବ ବୋଲି ବନ୍ଧୁ ମୋତେ ଜଣେଇ ଦେଲେ ଟେଲିଫୋନରେ ।
ରାତ୍ରିରେ ମୁଁ ସ୍ୱପ୍ନ ଦେଖିଲି ବାପା ମୋର ସେଇ କରଂଜ ଗଛ ମୂଳେ ସନ୍ଦାଡ଼କୁ ଡେରା ଦେଇ ଖଇଞ୍ଚିକୁ ଲକ୍ଷ କରିଥିଲାବେଳେ ଖସି ପଡିଲେ ଓ ମୁଣ୍ଡଟା ତାଙ୍କର କରଂଜ ଗଛରେ ଛେଚି ହେଇ ରକ୍ତ ଝରି ପଡୁଥାଏ। ହଠାତ୍ ନିଦଟା ଭାଙ୍ଗିଗଲା ଓ ମୋ ହୃତସ୍ପନ୍ଦନ ବଢି ଯାଇ ଛାତିଟା ଦାଉ ଦାଉ ହେଉଥାଏ । କବାଟ ଖୋଲି ଯାହା ଦେଖିଲି ମୋ ମୁଣ୍ଡଟା ଚକ୍କର କାଟିଦେଲା। 'ଧେତ' ବୋଲି କହି ଗୋଟେ ବିକଟାଳ ଚିତ୍କାର କରି ଲଥ୍ କରି ସେଇ ଡେକଚି ପାଖରେ ବସି ପଡ଼ିଲି। କଳା ବିଲେଇଟା କଉ ମାଛଟିକୁ ଡେକଚିରୁ ବାହାର କରି ଗାଲିଚା ପାଖରୁ ମୁଣ୍ଡଟାକୁ ଅଧା ଖାଇ ଦେଇଛି।ମାଛର ପେଟ ଚିରି ହେଇ ଅନ୍ତ ବୁଜୁଳାଟା ଅଧା ବାହାରି ପଡିଛି। ମୋ ଚିତ୍କାର ଶୁଣି ମାଛକୁ ଛାଡି ଦେଇ ଡ଼ିଆଁ ମାରି ବିଲେଇଟା ପଳାଇଲା । ଆଉ ମୋ ଆଗରେ କଉ ମାଛଟା ଛଟ ପଟ ହେଇ ଅର୍ଦ୍ଧ ମୃତ ଭାବେ ବିକଳରେ ଡେଉଁଥାଏ। କଉର ରକ୍ତ ଜୁଡୁବୁଡୁ ଅଧା ମୁଣ୍ଡଟିକୁ ଧରି ଆଉଁସି ଦେଉ ଦେଉ ମୋତେ ଲାଗିଲା ମୋ ବାପାଙ୍କ କରଂଞ୍ଜ ଗଛରେ ଛେଚି ହେଇଥିବା ଫଟା ମୁଣ୍ଡକୁ ମୁଁ ଆଉଁସି ଦେଉଛି । ତାର ପେଟରୁ ବାହାରି ପଡି ଥିବା ଅଧା ଅନ୍ତ ବୁଜୁଳାଟା ମୋତେ ଲାଗୁଥିଲା ଯେପରି ମୋ କଳିଜାକୁ କିଏ ଖଣ୍ଡ ଖଣ୍ଡ କରି କାଟି ନେଇ ଯାଉଛି। ମୋ ଚିତ୍କାର ଶୁଣି ଦୁଇ ଝିଅ ଓ ପତ୍ନୀ ଧଡ୍ ପଡ୍ ହୋଇ ଶୋଇବା ଘରୁ ଦୋୖଡି ଆସିଲେ । ବଡ ଝିଅ ତାର ପ୍ରିୟ ଜୀଅନ୍ତା କଉଟିର ଏ ମର୍ମନ୍ତୁଦ ଅବସ୍ଥା ଦେଖି ବିରସ ବଦନରେ ନିର୍ଲିପ୍ତ ଭାବେ ଅନେଇ ରହିଥାଏ । ତା ମୁହଁଟି ମଉଳା ବାସି ଫୁଲ ପରି ଝାଉଁଳି ପଡିଥାଏ । କଉଟିକୁ ଧରି ମୁଁ ଅନାଥ ଭାବରେ କଇଁ କଇଁ ହୋଇ କାନ୍ଦୁଥିଲି,ଯେମିତି ମୁଁ ଅନାଥ ହେଇ ଯାଇଥିଲି ଉଣେଇସି ବର୍ଷ ପୂର୍ବେ ଯେତେବେଳେ ମୋ ବାପା ଆମକୁ ଛାଡି ସ୍ଵର୍ଗପୁର ବାହୁଡ଼ି ଯାଇଥିଲେ । ପତ୍ନୀ ମୋର ଭାବୁଥିଲେ ଏଡ଼େ ବଡ଼ ମଣିଷଟା ସାମାନ୍ୟ ଗୋଟେ କଉ ମାଛ ପାଇଁ ଏମିତି ଛୁଆଙ୍କ ପରି କାହିଁ କାନ୍ଦୁଛି ?
